Categories
ଆଜିର ଖବର

ଆଜି ବରଗଡ଼ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧୀ

ଜାତୀୟ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀ  ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଶୁକ୍ରବାର ରାୟପୁରରୁ ହେଲିକପ୍ଟରରେ ବାହାରି ବରଗଡ଼ ସହର ନିକଟସ୍ଥ ସରସରା ଗାଁ ପଡ଼ିଆଠାରେ ଅପରାହ୍ନରେ ରାହୁଲ ଓହ୍ଲାଇବେ। ଏଠାରେ ପରିବର୍ତନ ସଂକଳ୍ପ ସମାବେଶରେ ଯୋଗ ଦେବେ। ଏହି ସମାବେଶରେ ପ୍ରାୟ ୫୦,୦୦୦ରୁ ଉଦ୍ଧ୍ବ ଜନସମାବେଶ ହେବ ବୋଲି ସୂଚନା ରହିଛି। ନିର୍ବାଚନ ତାରିଖ ଘୋଷଣା ପରେ ରାହୁଲ୍‌ଙ୍କ ବରଗଡ଼ ଗ୍ରସ୍ତ ଓଡ଼ିଶା କଂଗ୍ରେସ ପାଇଁ ସଂଜୀବନି ପାଲଟିଛି। ନିର୍ବାଚନ ପୂର୍ବରୁ ଦଳୀୟ ନେତୃବୃନ୍ଦ, କର୍ମୀ ଓ ସମର୍ଥକଙ୍କ ମହଲରେ ଉତ୍ସାହ ଦେଖାଦେଇଛି। ସମାବେଶକୁ ସଫଳ କରିବା ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ଏହି ପରିପ୍ରେକ୍ଷୀରେ ଗୁରୁବାର ସୋନପୁରର ଏକ ହୋଟେଲ ସମ୍ମିଳନୀ କକ୍ଷରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଏଆଇସିସି ସମ୍ପାଦକ ତଥା କଂଗ୍ରେସର ଓଡିଶା ସହ ପ୍ରଭାରୀ ସେଖ୍‌ ମାସ୍ତାନ ୱାଲି ଯୋଗଦେଇ ରାହୁଲଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ଏଠାରେ ଯୋଗଦେଇ ରାହୁଲ୍‌ ବିଜେଡ଼ି ଓ ବିଜେପିକୁ ଟାର୍ଗେଟ୍‌ କରିବା ସହ କଂଗ୍ରେସ ସରକାରକୁ ଆସିଲେ ଓଡ଼ିଶା ବାସୀ ତଥା ବରଗଡ଼ବାସୀଙ୍କ ପାଇଁ କ’ଣ କରିବେ, ସେ ବିଷୟରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।