Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନିର୍ବାଚନ ମଇଦାନରେ ଝିଅ

ଭୁବନେଶ୍ଵର: ଦେଶର ରାଜନୀତି ଏବେ ଏମିତି ହୋଇଛି ଯେଉଁଠି ଗୋଟିଏ ପରେ ଗୋଟିଏ ପିଢ଼ି ରାଜନୀତିରେ ପ୍ରବେଶ କରୁଛନ୍ତି। ପୂର୍ବରୁ ବରିଷ୍ଠ ନେତାଙ୍କ ପୁଅମାନେ ପରିବାରର ରାଜନୀତିକୁ ସମ୍ଭାଳୁ ଥିଲେ। ଏବେ ଝିଅମାନେ ମଧ୍ୟ ପଛରେ ନାହାନ୍ତି। ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ରାଜନେତାମାନଙ୍କର ଅନେକ ଯୁବ ଓ ଶିକ୍ଷିତ ଝିଅ ନିଜ ପିତାଙ୍କ ସ୍ଥାନ ନେବାକୁ ଯାଉଛନ୍ତି।

ଦନ୍ତ ଚିକିତ୍ସକରୁ ରାଜନେତା

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩ ଥର ପୂର୍ବତନ କଂଗ୍ରେସ ବିଧାୟକ ଭୁଜବଳ ମାଝୀଙ୍କ ଝିଅ ଲିପିକା ମାଝୀ ଟିକେଟ ପାଇଁ ପ୍ରମୁଖ ପ୍ରାର୍ଥୀ ହୋଇଛନ୍ତି। ଲିପିକା ୨୦୨୨ରେ ପାପଡ଼ାହାଣ୍ଡି ଅଞ୍ଚଳରୁ ଜିଲ୍ଲା ପରିଷଦ ସଭ୍ୟଭାବେ ନିର୍ବାଚିତ ହୋଇଥିଲେ। ୩୦ ବର୍ଷୀୟା ଦନ୍ତ ଚିକିତ୍ସକ ଲିପିକା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦଳରୁ ଟିକେଟ ପାଇବା ନେଇ ଆଶାବାଦୀ ଅଛନ୍ତି। ଦଳର ବରିଷ୍ଠ ନେତାମାନେ ଗତ ଦୁଇବର୍ଷର ରିପୋର୍ଟ କାର୍ଡରୁ ମୋର ପ୍ରାର୍ଥୀତ୍ୱ ବିଷୟରେ ନିଷ୍ପତ୍ତି ନେବେ ବୋଲି ଲିପିକା କହିଛନ୍ତି।

ଆଇନ, ଏମବିଏ ଶିକ୍ଷା ପରେ ରାଜନୈତିକ ବାଟ ବାଛିଲେ ଶୁଭଶ୍ରୀ

ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ତଥା ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଝିଅ ଶୁଭଶ୍ରୀ ମିଶ୍ର ଲୋକଙ୍କୁ ଭେଟି ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳୁଛି। ତାଙ୍କ କହିବା ଅନୁସାରେ ଯେହେତୁ ମୋ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ, ତେଣୁ ଲୋକମାନେ ଯେପରି ତାଙ୍କ ଅନୁପସ୍ଥିତି ଅନୁଭବ ନ କରିବେ ସେଥିପାଇଁ ମୁଁ ଚେଷ୍ଟା କରୁଛି। ମୁଁ ଯେତେବେଳେ ଲୋକଙ୍କୁ ଭେଟିବାକୁ ଯାଇଥାଏ ଏବଂ ସମସ୍ତଙ୍କ ପାଖରେ କହିବାକୁ ଅନେକ କଥା ଥାଏ, ସେତେବେଳେ ମୁଁ ସେହି ସଂଯୋଗକୁ ଅନୁଭବ କରିପାରୁଛି ବୋଲି ଶୁଭଶ୍ରୀ କହିଛନ୍ତି। ଶୁଭଶ୍ରୀ ଜଣେ ଆଇନ ଓ ଏମବିଏ ସ୍ନାତକ। ନିକଟରେ ସେ ବ୍ୟାଙ୍କ ଚାକିରି ଛାଡ଼ିଛନ୍ତି।

ଡାକ୍ତରରୁ ରାଜନେତ୍ରୀ

କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ ଦେବସ୍ମିତା ଶର୍ମା ନିଜ ଅଞ୍ଚଳରେ ହୋର୍ଡିଂ ଓ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ବୃତ୍ତିରେ ଡାକ୍ତର ଥିବା ଦେବସ୍ମିତା ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟ ପାଇଁ ଆବେଦନ କରିଛନ୍ତି। ଦେବସ୍ମିତା ଶର୍ମା କହିଛନ୍ତି, କଂଗ୍ରେସ ଶାସକ ଦଳକୁ କଡ଼ା ଟକ୍କର ଦେବ ଏବଂ ଏହି ଅଞ୍ଚଳ ଗସ୍ତରୁ ମୁଁ ପାୱାର ଫ୍ୟାକ୍ଟରକୁ ବୁଝିପାରୁଛି, ଯାହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।

ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ନାତୁଣୀ

ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ଲାଲତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ମଧ୍ୟ ସେହି ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ। ଓଡ଼ିଶାରେ ସିପାହୀ ବିଦ୍ରୋହର ବହୁ ପୂର୍ବରୁ ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ପ୍ରଥମ ବିଦ୍ରୋହ (୧୮୧୭) ପୂର୍ବ ଭାରତରେ ପାଇକ ବିଦ୍ରୋହର ନେତୃତ୍ୱ ନେଇଥିବା ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ନାତୁଣୀ ହେଉଚନ୍ତି ବ୍ରହ୍ମଗିରିର ଉପାସନା ମହାପାତ୍ର। ସେ ଭୁବନେଶ୍ୱର ଓ କଟକର ଦୁଇଟି ଘରୋଇ ବିଦ୍ୟାଳୟରେ ପାଠ ପଢ଼ିବା ପରେ ୨୦୧୫ମସିହାରୁ ମୁମ୍ବାଇର ସୋଫିଆ କଲେଜରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ।

ନବ ଦାସଙ୍କ ପରେ ଝିଅ ଦିପାଳୀ

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଝିଅ ତଥା ଝାରସୁଗୁଡ଼ାର ବିଜେଡି ବିଧାୟକ ଦୀପାଳି ଦାସ ମଧ୍ୟ ସମାନ ଧାଡ଼ିରେ ଅଛନ୍ତି। ୨୦୨୩ ଜାନୁଆରି ୨୯ ତାରିଖରେ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଦୀପାଳି ଦାସଙ୍କ ବାପାଙ୍କୁ ହତ୍ୟା କରାଯାଇଥିଲା। ନବଦାସ ଏହି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ। ବାପାଙ୍କ ଦେହାନ୍ତ ପରେ ଦୀପାଲି ରାଜନୀତିକୁ ଓହ୍ଲାଇଥିଲେ। ସେ ମୁମ୍ବାଇର କେସି କଲେଜରୁ ବାଣିଜ୍ୟରେ ସ୍ନାତକ ହାସଲ କରିଥିଲେ। ୨୦୨୦ରେ ସେ ସ୍ପେନର ବାର୍ସିଲୋନାସ୍ଥିତ ଇୟୁ ବିଜନେସ ସ୍କୁଲରୁ ଏମବିଏ ଶେଷ କରିଛନ୍ତି।

ବାପାଙ୍କ ଉତ୍ତରାଧିକାରୀ ବର୍ଷା

ବର୍ଷା ସିଂ ବରିହା ପଦ୍ମପୁରରୁ ବିଧାୟକ ଅଛନ୍ତି। ସେ ବିଜେଡିର ବିଧାୟକ। ପିତା ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ୨୦୨୨ ଡିସେମ୍ବର ୫ତାରିଖରେ ବର୍ଷା ରାଜନୀତି ମଇଦାନକୁ ଓହ୍ଲାଇଥିଲେ ଏବଂ ଉପନିର୍ବାଚନ ଜିତିଥିଲେ। ଏହି ନିର୍ବାଚନରେ ବର୍ଷା ୧,୨୦,୮୦୭ ଖଣ୍ଡ ଭୋଟ ପାଇ ୪୨,୬୭୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ସେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଓଡ଼ିଶା ବିଧାନ ସଭାର ପୂର୍ବତନ ସଦସ୍ୟ ରମାରଂଜନ ବଳିଆରସିଂହଙ୍କ ପୁତ୍ରବଧୂ।

Categories
ଆଜିର ଖବର ରାଜ୍ୟ ଖବର

ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଆଜି ୧-ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହାଙ୍କୁ ବିଧାୟିକା ଭାବେ ଶପଥ ଗ୍ରହଣ କରାଇଛନ୍ତି।

ପ୍ରକାଶଯୋଗ୍ୟ ଯେ ବରଗଡ଼ ଜିଲ୍ଲାର ୧-ପଦମ୍‌ପୁର ନିର୍ବାଚନ ମଣ୍ଡଳୀର ଆସୀନ ସଦସ୍ୟ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ଯୋଗୁଁ ଏହି ବିଧାନସଭା ଆସନଟି ଖାଲି ରହିଥିଲା। ଚଳିତ ମାସ ୫ ତାରିଖ ଦିନ ଏହି ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ଶ୍ରୀମତୀ ବର୍ଷା ସିଂ ବରିହା ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ।

ବାଚସ୍ପତିଙ୍କ ପ୍ରକୋଷ୍ଠରେ ଆୟୋଜିତ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରୀ ସୁଶାନ୍ତ ସିଂ, ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ଏବଂ ବିଧାନସଭାର ଅନ୍ୟ ପଦାଧିକାରୀଙ୍କ ସମେତ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

Video News: ପ୍ରଚାର ବେଳେ କାନ୍ଦି ପକାଇଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା

ପଦ୍ମପୁର: ଆଜି ପ୍ରଚାର ବେଳେ ଭୋ ଭୋ ହୋଇ କାନ୍ଦି ପକାଇଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ସେ ମହିଳାମାନଙ୍କୁ ଉଦବୋଧନ ଦେଉଥିବା ବେଳେ ବାପାଙ୍କ କଥା ମନେ ପକାଇ କାନ୍ଦିବାକୁ ଲାଗିଲେ। ଏହା ଦେଖିବା ପରେ ସେଠାରେ ଥିବା ମହିଳାମାନେ ମଧ୍ୟ କାନ୍ଦ କାନ୍ଦ ହୋଇଯାଇଥିଲେ।

 

ଏହାପରେ ସମସ୍ତେ ହୁଳହୁଳି ଦେଇ ବର୍ଷାଙ୍କୁ ସ୍ବାଗତ କରିଥିଲେ। ବର୍ତ୍ତମାନ ପଦ୍ମପୁର ଉପନିର୍ବାଚନରେ ବର୍ଷା ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି। ତାଙ୍କ ସହିତ ବିଜେଡିର ମଙ୍ଗୁଆଳମାନେ ମଧ୍ୟ ସେଠାରେ ଡେରା ପକାଇ ବର୍ଷାଙ୍କୁ ସହଯୋଗ ଦେବାରେ ଲାଗିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଦ୍ମପୁରରେ ଘଟିଲା ଏକ ବିରଳ ସଂଯୋଗ: ବିଜେଡିର ପ୍ରାର୍ଥୀ ହେଲେ ବିଜେପି ନେତାଙ୍କ ବୋହୂ

ଭୁବନେଶ୍ବର: ଶେଷରେ ବିଜେଡି ତାହାର ପଦ୍ମପୁର ଉପନିର୍ବାଚନ ପାଇଁ ତାହାର ପ୍ରାର୍ଥୀ ଘୋଷଣା କରିଛି। ସେ ହେଉଛନ୍ତି ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ବଡ ଝିଅ ବର୍ଷା ସିଂ ବରିହା। ସେ ପ୍ରାର୍ଥୀ ହେବେ ବୋଲି ପୂର୍ବରୁ ବେଶ୍ ଚର୍ଚ୍ଚା ଚାଲିଥିଲା। ସେ ଉଚ୍ଚ ଶିକ୍ଷିତା ହୋଇଥିବାରୁ ବିଜେଡି ତାଙ୍କୁ ପ୍ରାର୍ଥୀ କରିଛି।

ତେବେ ମୁଖ୍ୟକଥା ହେଲା ବର୍ଷା ହେଉଛି ବିଜେପି ନେତା ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ରମା ରଂଜନ ବଳିୟାରସିଂଙ୍କ ବୋହୁ। ବର୍ଷା ରମାରଂଜନଙ୍କ ପୁଅ ସୌରଭ ବଳିଆରସିଂଙ୍କ ପତ୍ନୀ। ବର୍ଷା ଇତିହାସରେ ସ୍ନାତକ କରିଛନ୍ତି। ତେବେ ବୋହୂ ପ୍ରାର୍ଥୀ ହେବା ପରେ ରଂମାରଞ୍ଜନ କଣ କରିବେ ସେ ନେଇ ସେ ଦ୍ବନ୍ଦରେ ପଡିଯାଇଛନ୍ତି।

ଏ ନେଇ ରମାରଂଜନଙ୍କୁ ପ୍ରଶ୍ନ କରାଯାଇଥିଲା। ତାଙ୍କର ବୋହୂଙ୍କୁ ବିଜେଡି ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଚାଲିଛି, ଆପଣ କଣ କରିବେ ବୋଲି ପଚରାଯାଇଥିଲା। ତେବେ ଏହାର ଉତ୍ତରରେ ରମାରଂଜନ ଚତୁରତାର ସହ ଏଡେଇ ଯାଇଥିଲେ।

ସେ କହିଥିଲେ ଯେ, ବିଜେଡି ଟିକେଟ ଦେବା ପରେ କଣ କରାଯିବ ସେ ନେଇ ନିଷ୍ପତି କରିବି ବୋଲି କହିଥିଲେ। ତେବେ ତାଙ୍କ ବୋହୂ ପ୍ରାର୍ଥୀ ହେବା ପରେ ରମାରଂଜନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।