ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା

Published: Dec 12, 2022, 5:21 pm IST

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଆଜି ୧-ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହାଙ୍କୁ ବିଧାୟିକା ଭାବେ ଶପଥ ଗ୍ରହଣ କରାଇଛନ୍ତି।

ପ୍ରକାଶଯୋଗ୍ୟ ଯେ ବରଗଡ଼ ଜିଲ୍ଲାର ୧-ପଦମ୍‌ପୁର ନିର୍ବାଚନ ମଣ୍ଡଳୀର ଆସୀନ ସଦସ୍ୟ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ଯୋଗୁଁ ଏହି ବିଧାନସଭା ଆସନଟି ଖାଲି ରହିଥିଲା। ଚଳିତ ମାସ ୫ ତାରିଖ ଦିନ ଏହି ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ଶ୍ରୀମତୀ ବର୍ଷା ସିଂ ବରିହା ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ।

ବାଚସ୍ପତିଙ୍କ ପ୍ରକୋଷ୍ଠରେ ଆୟୋଜିତ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରୀ ସୁଶାନ୍ତ ସିଂ, ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ଏବଂ ବିଧାନସଭାର ଅନ୍ୟ ପଦାଧିକାରୀଙ୍କ ସମେତ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Related posts