Categories
ବିଶେଷ ଖବର ରାଜ୍ୟ ଖବର

ବିଡିଏର ଜବରଦଖଲ ଉଚ୍ଛେଦ ପାଇଁ ରହିବେ ସ୍ବତନ୍ତ୍ର ପୋଲିସ, ୬୭ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ଏଣିକି ରାଜଧାନୀରେ ଜବରଦଖଲକାରୀଙ୍କୁ ହଟାଇବା ପାଇଁ ଗଠନ ହେବ ସ୍ବତନ୍ତ୍ର ପୋଲିସ ବଳ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଚଢାଉ କାର୍ଯ୍ୟକୁ ଅଧିକ ଫଳପ୍ରଦ ଓ ସୁସଂହତ କରିବା ଉଦ୍ଦେଶ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୬୭ଟି ପଦବୀ ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି।

ଏହି ପଦବୀ ଗୁଡିକ ରାଜ୍ୟ ପୋଲିସ୍‌ ପ୍ରଶାସନ ପକ୍ଷରୁ ସୃଷ୍ଟି କରାଯାଇ ପୂରଣ ହେବ। ଏହି ପଦବୀଗୁଡିକ ହେଲା- ୧ଟି ଆସିଷ୍ଟାଣ୍ଡ କମିଶନର ଅଫ ପୋଲିସ, ୬ ଟି ଆସିଷ୍ଟାଣ୍ଡ ସବ ଇନିସ୍ପେକ୍ଟର ଏବଂ ୬୦ଟି ପୋଲିସ କନେଷ୍ଟବଳ।

ଭୁବନେଶ୍ୱର ପୂର୍ବ ଭାରତର ଏକ ଦୃତ ଅଭିବୃଦ୍ଧିଶୀଳ ସହର। ସହରାଞ୍ଚଳ ଯୋଜନାବଦ୍ଧ ବିକାଶ ପାଇଁ ଏହି ପଦବୀଗୁଡିକ କାର୍ଯ୍ୟ କରିବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବ ଅନୁଯାୟୀ ସମଗ୍ର ଭୁବନେଶ୍ୱର ସହରରେ ଏସବୁ କାର୍ଯ୍ୟ ନିମନ୍ତେ ୨୫ଟି ଜଏଣ୍ଟ ଚିମ ଓ ୫ଟି ରିଜର୍ଭ ଟିମର ଆବଶ୍ୟକତା ଥିଲା।

ପ୍ରତି ଟିମ୍‌ରେ ୨ଜଣ ପୁଲିସ୍‌ କନେଷ୍ଟବଳ ରହିବେ। ଏହି ଟିମ୍‌ଗୁଡିକର ସମନ୍ୱୟ ଓ ସୁପରିଚାଳନା ପାଇଁ ଜଣେ ଆସିଷ୍ଟାଣ୍ଡ କମିଶନର, ୬ ଜଣ ଏଏସଆଇ କାର୍ଯ୍ୟ କରିବେ। ଏହି ପଦବୀଗୁଡିକ ପୂରଣ ଦ୍ୱାରା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଆବଶ୍ୟକୀୟ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ସହଜ ଓ ତ୍ୱରାନ୍ୱିତ ହେବ।

ବର୍ତ୍ତମାନ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଭୁବନେଶ୍ୱରକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ନୂତନ ରୂପରେଖା ଦେବାର ଗୁରୁଦାୟିତ୍ୱ ବହନ କରିଛି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଉଦ୍ଦେଶ୍ୟରେ କର୍ତ୍ତୃପକ୍ଷର ଜବରଦଖଲ ଉଚ୍ଛେଦ କାର୍ଯ୍ୟରେ ବିଭିନ୍ନ ସମସ୍ୟା ଉପୁଜୁଥିଲା।ଏହାକୁ ଦୂର କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ୱରରରେ ବିଡିଏ କରିବ ୪୫ ଟି ଟାଉନ୍ ପ୍ଲାନିଂ ସ୍କିମ, ଜାଣନ୍ତୁ କେଉଁଠି ହେବ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ (ବି.ଡି.ଏ)ର ବିଭିନ୍ନ ଅଂଚଳରେ ଟାଉନ୍ ପ୍ଲାନିଂ ସ୍କିମ୍ର ଲୋକପ୍ରିୟତା ଯୋଗୁ ଏଥିରେ ବିଶେଷ ଅଗ୍ରଗତି ପରିଲକ୍ଷିତ ହୋଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହା ଜଣାପଡିଛି।

ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ବି.ଡି.ଏର ଉପାଧ୍ୟକ୍ଷ ସଂଜୟ କୁମାର ସିଂ ଟାଉନ୍ ପ୍ଲାନିଂ ସ୍କିମ୍ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ପ୍ରଶାସନିକ ଏବଂ ଆର୍ଥିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ସ୍କିମର ଅଗ୍ରଗତି ସମୀକ୍ଷାକରି ପ୍ରତି ଟାଉନ୍ ପ୍ଲାନିଂ ଅଂଚଳରେ ଗମନାଗମନ, ପାନୀୟଜଳ ଯୋଗାଣ, ବିଦ୍ୟୁତ୍ ଯୋଗାଣ ଆଦି ନିମନ୍ତେ ଉତ୍ତମ ଭିତ୍ତିଭୂମି ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ମହାପାତ୍ର ସଂପୃକ୍ତ ବିଭାଗ ଓ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରତି ସ୍କିମ୍ ଅଂଚଳରେ ମୁଖ୍ୟ ରାସ୍ତା ଗୁଡ଼ିକୁ ପୁର୍ତ୍ତ ବିଭାଗ ଏବଂ ଭିତର ରାସ୍ତାଗୁଡ଼ିକୁ ବି.ଡି.ଏ ନିର୍ମାଣ କରିବେ ବୋଲି ବୈଠକରେ ସ୍ଥିର ହୋଇଥିଲା। ଜଳ ଯୋଗାଣ ଏବଂ ନର୍ଦ୍ଦମା ପରିଚାଳନା ନିମନ୍ତେ ଦୂରଦର୍ଶୀ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଓ୍ୱାଟ୍କୋଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ସ୍କିମ୍ ଅଂଚଳ ମାନଙ୍କରେ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ନିମନ୍ତେ ସବିଶେଷ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ପାଇଁ ଶ୍ରୀ ମହାପାତ୍ର ଟାଟା ପାଓ୍ୱାର କେନ୍ଦ୍ରୀୟ ବିତରଣ କଂପାନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟ ସମୟାନୁବନ୍ଧିତ ଭାବେ ପୂର୍ଣ୍ଣାଙ୍ଗ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ବି.ଡି.ଏ ଉପାଧ୍ୟକ୍ଷ ସଂଜୟ ସିଂ କହିଥିଲେ ଯେ ଭୁବନେଶ୍ୱର ଦୃତ ବର୍ଦ୍ଧିଷ୍ଣୁ ସ୍ଥିତି ଦୃଷ୍ଟିରୁ ବି.ଡି.ଏଦ୍ୱାରା ୪୫ ଟି ଟାଉନ୍ ପ୍ଲାନିଂ ସ୍କିମ୍ କରିବା ପାଇଁ ପ୍ରସ୍ତାବ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ ଟି ସ୍କିମ୍ ଆରମ୍ଭ କରାଯାଇଛି ଏବଂ କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ ହୋଇଛି ।

ଏହା ବ୍ୟତିତ ଅନ୍ୟ ୯ ଟି ସ୍କିମ୍ର ପ୍ରାରମ୍ଭିକ ପ୍ରସ୍ତୁତି କାମ ମଧ୍ୟ ତ୍ୱରାନ୍ୱିତ ହୋଇଛି । ସ୍କିମ୍ ନମ୍ବର-୧,୨,୩, ଏବଂ ୪ ରେ କ୍ଷେତ୍ରସ୍ତରୀୟ ସର୍ଭେ, ଜମି ଏକତ୍ରୀକରଣ, ସଂଶୋଧିତ ଜମି ପଟ୍ଟା ପ୍ରସ୍ତୁତି ଏବଂ ବଣ୍ଟନ କାର୍ଯ୍ୟ ଚାଲିଛି । ଆସନ୍ତା ୧ ରୁ ୨ ମାସ ମଧ୍ୟରେ ସମସ୍ତ ସଂଶୋଧିତ ପଟ୍ଟା ଯୋଗାଣ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଟଉନ୍ ପ୍ଲାନିଂ ସ୍କିମ୍-୧ ସହଜପୁର, ନାରୋଗଦା, ସିଜୁପୁଟ ଏବଂ ପାଇକରାପୁର ମୌଜାରେ କରାଯାଉଛି । ସେହିପରି ସ୍କିମ୍-୨ ତମାଣ୍ଡୋ ଏବଂ ବିଜିପୁର ମୌଜା; ସ୍କିମ୍-୩ ନୂଆାଗାଁ ଓ ପାଇକରାପୁର; ଏବଂ, ସ୍କିମ୍-୪ ଶ୍ୟାମସୁନ୍ଦରପୁର ମୌଜାରେ କରାଯାଉଛି । ଏହି ୪ଟି ସ୍କିମ୍ ସମୁଦାୟ ୧୬୦୦ ଏକର ଜମି ଉପରେ କରାଯାଉଛି । ଏସବୁରେ ପ୍ରାୟ ୧.୫୦ ଲକ୍ଷରୁ ଅଧିକ ଲୋକ ବସବାସ କରିପାରିବେ ।

ପ୍ରାରମ୍ଭିକ ଆକଳନ ଅନୁସାରେ ଏହି ୪ଟି ସ୍କିମ୍ର ବିକାଶ ପାଇଁ ପ୍ରାୟ ୭୪୯ କୋଟି ଟଙ୍କାର ବିନିଯୋଗ କରାଯିବ । ମୌଳିକ ଭିତ୍ତିଭୂମି ସୃଷ୍ଟିକରାଯିବା ପରେ ଏହି ସ୍କିମ୍ ଗୁଡ଼ିକ ନିଜେ ନିଜ ପାଇଁ ରାଜସ୍ୱ ସୃଷ୍ଟି କରିବା ନିମନ୍ତେ ସମର୍ଥ ହେବେ ବୋଲି ଉପାଧ୍ୟକ୍ଷ ଶ୍ରୀ ସିଂ ଜଣାଇଥିଲେ ।

ନଗର ଏବଂ ଗୃହ ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପଂଚାୟତି ରାଜ ଏବଂ ପାନୀୟ ଜଳଯୋଗାଣ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ବି.ଡି.ଏ ର ଯୋଜନା ସଦସ୍ୟ ଗୌରୀଶଙ୍କର ଭୂୟାଁଙ୍କ ସମେତ ସଂପୃକ୍ତ ବିଭାଗ ଓ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Categories
ଫଟୋ ଖବର

ୟୁନିଟ-2 ରେ ନିର୍ମାଣଧିନ ମଲଟି ଲେଭୁଲ କାର ପାର୍କିଂ ଚାରିପଟୁ ଜବରଦଖଲ ଉଚ୍ଛେଦ କରୁଛି ବିଏମସି

Eviction Drive carried out for removal of unauthorised Shops in public access areas by BMC, BDA & BSCL squad along with Police at Unit-2. This has been done for clearance of access to the #MultiLevelCarParking under construction. The MLCP will help to reduce traffic congestion.

Categories
ଆଜିର ଖବର ରାଜ୍ୟ ଖବର

ରାଜଧାନୀର ଘରୋଇ ହସ୍ପିଟାଲରେ ଚାଲିଛି ଯାଞ୍ଚ

ଭୁବନେଶ୍ବର : ବ୍ଲୁ ହୁଇଲ୍‌ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଉକ୍ତ ହସ୍ପିଟାଲକୁ ସିଲ୍‌ କରାଯାଇଛି । ଏହା ପରେ ରାଜଧାନୀ ଭୁବନେଶ୍ବରର ଅନ୍ୟ ସବୁ ଘରୋଇ ହସ୍ପିଟାଲଗୁଡିକୁ ଯାଞ୍ଚ କରାଯାଉଛି। ବିଡିଏ, ବିଏମ୍‌ସି ଓ ସ୍ମାର୍ଟ ସିଟି ପକ୍ଷରୁ ମିଳିତ ବିଭିନ୍ନ  ଘରୋଇ ହସ୍ପିଟାଲଗୁଡିକ ଉପରେ ମିଳିତ ଚଢାଉ କରାଯାଇଛି । ଘରୋଇ ହସ୍ପିଟାଲଗୁଡିକରେ କୋଭିଡ୍‌ ଗାଇଡ୍‌ ଲାଇନ୍‌ କିଭଳି ପାଳନ ହେଉଛି ସେ ନେଇ ଯାଞ୍ଚ କରାଯାଉଛି ।

ସୂଚନାଯୋଗ୍ୟ,  ଗତକାଲି ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ବ୍ଲୁ ହ୍ୱିଲ ହସ୍ପିଟାଲରୁ 27 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି  କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ରୋଗୀଙ୍କ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ ଷ୍ଟାଫ ଅଛନ୍ତି ଆଇସୋଲେସନରେ।

ଅନ୍ୟପକ୍ଷେ  ରାଜ୍ୟରେ ଅଧିକ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀ କରୋନାରେ ଆକ୍ରାନ୍ତ ହେଉଥିବାରୁ ସଂକ୍ରମଣ ରୋକିବା ପାଇଁ DMET  ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସମସ୍ତ ଗାଇଡ୍‌ଲାଇନ ପାଳିବାକୁ ସମସ୍ତ ହସ୍ପିଟାଲକୁ ଡିଏମ୍‌ଇଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ସର୍ବକ୍ଷମା ଯୋଜନାର ଅବଧି ବୃଦ୍ଧି ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ

ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ରଙ୍କ ରିପୋର୍ଟ
ଭୁବନେଶ୍ବର : ସର୍ବକ୍ଷମା ଯୋଜନାର ଅବଧି ବୃଦ୍ଧି କରିବା ପାଇଁ ବାଚସ୍ପତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶୂନ୍ୟକାଳରେ ବିରୋଧୀ ଦଳ ସଦସ୍ୟ ନରସିଂହ ମିଶ୍ର ଓ ସୁରେଶ କୁମାର ରାଉତରାୟ ସର୍ବକ୍ଷମା ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଆଜି ସର୍ବକ୍ଷମା ଯୋଜନାର ଅବଧି ଶେଷ ହେଉଛି । ଭୁବନେଶ୍ବର ନଗର ଉନ୍ନୟନ ବିଭାଗ (ବିଡିଏ) ଏବଂ କଟକ ନଗର ଉନ୍ନୟନ ବିଭାଗ (ସିଡିଏ)ରେ ଜବରଦଖଲକାରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାରେ 3 ଲକ୍ଷ ବେଆଇନ ନିର୍ମାଣକାରୀଙ୍କ ମଧ୍ୟରୁ ମାତ୍ର 10 ହଜାର ଆବେଦନ କରିଛନ୍ତି । ଦରିଦ୍ର ଲୋକଙ୍କମ ସ୍ବାର୍ଥକୁ ଆଖିଆଗରେ ରଖି ଯୋଜନାର ମିଆଦକୁ ପରିବର୍ଦ୍ଧିତ କରିବା ପାଇଁ ଉଭୟ ନେତା ଅଡି ବସିଥିବା ବେଳେ ବାଚସ୍ପତି ଅବଧି ବୃଦ୍ଧିର ନିର୍ଦ୍ଦେଶ ଦେଇଥିଲେ ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସରିଲା ଡେଡ୍‌ଲାଇନ୍‌, ସିଲ୍‌ ହେବ ବେଆଇନ କଲ୍ୟାଣ ମଣ୍ଡପ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଜିଠୁ  ଭୁବନେଶ୍ୱରରେ ସିଲ ହେବ ବେଆଇନ କଲ୍ୟାଣ ମଣ୍ଡପ । ଏହି କ୍ରମରେ ଆଜି ପ୍ରଥମ ଦିନରେ ୫ଟି କଲ୍ୟାଣ ମଣ୍ଡପ ସିଲ କରାଯିବ । ରାଜଧାନୀ ଭୁବନେଶ୍ୱରରେ ଥିବା କିଛି କଲ୍ୟାଣ ମଣ୍ଡପ ହୋଲ୍ଡିଂ ଟିକସ୍ ଦେଉନଥିବା, ବିଲ୍ଡିଂ ପ୍ଲାନିଂ ଅନୁମୋଦନ ହୋଇନଥିବା ଓ ମଣ୍ଡପରେ ପାର୍କିଂ ସୁବିଧା ନଥିବା ଜଣାପଡ଼ିଛି। ତେବେ ଏହି କାରଣରୁ ଭୁବନେଶ୍ୱରରେ ୩ଟି ଜୋନରେ ଥିବା ୮୦ଟି କଲ୍ୟାଣ ମଣ୍ଡପ ସିଲ୍ କରିବାକୁ ଚିହ୍ନଟ କରାଯାଇଛି । ଗତ ଜାନୁଆରୀ ୩୧ ଯାଏଁ ଡେଡ଼ଲାଇନ ଥିଲା । ଡେଡଲାଇନ ସରିଥିବାରୁ  ଆଜିଠାରୁ ପର୍ଯ୍ୟାୟ କ୍ରମେ ଏହି ସବୁ ମଣ୍ଡପ ସିଲ୍ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ବିଡ଼ିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡ ଏହି କାର୍ଯ୍ୟ କରିବେ । ପ୍ରାପ୍ତ ସୂଚନା ଅନୁସାରେ ଶହୀଦ୍‌ ନଗରଠାରେ ଥିବା ବେଆଇନ କଲ୍ୟାଣ ମଣ୍ଡପକୁ ସିଲ୍‌ କରିବା ଲାଗି ସ୍କ୍ବାର୍ଡ ପହଞ୍ଚିଥିବାର ଜଣାପଡିଛି ।