Categories
ଆଜିର ଖବର ରାଜ୍ୟ ଖବର

ଅଣ୍ଡା ଦର ୮ ଟଙ୍କା, ତେଲ ଓ ଡାଲି ଦର କମୁନି, ମଧ୍ୟାହ୍ନ ଭୋଜନ ଯୋଗାଣରେ ପୃଷ୍ଟି ଆସିବ କେଉଁଠୁ?

ବେଗୁନିଆପଡ଼ା: (ଟୁକୁନା ପ୍ରଧାନ): ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନର ପାଇଁ ସରକାର ବ୍ୟବସ୍ଥା କରିଥିବା ବେଳେ କେବଳ ଚାଉଳ ଯୋଗାଇ ଅନ୍ୟ ସବୁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ବିଦ୍ୟାଳୟକୁ ଦାୟିତ୍ଵ ଦିଆଯାଇଛି। ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ମୁଣ୍ଡ ପିଛା ୫.୯୦ ଟଙ୍କା ଆସୁଥିବା ବେଳେ ଷଷ୍ଠ ଠାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଈଁ ୮.୮୧ ଟଙ୍କା ଆସୁଛି। ବର୍ତ୍ତମାନ ସ୍ଥିତିରେ ଅଣ୍ଡା ପ୍ରତି ୮ ଟଙ୍କା ଦର ଥିବା ବେଳେ ସରକାର ଦେଉଛନ୍ତି ୫ ଟଙ୍କା। ତା ସହିତ ସେହିଦିନ ତରକାରୀ କରି ଦେବାକୁ ବାଧ୍ୟ ବୋଲି ନିର୍ଦ୍ଦେଶ ଅଛି। ସେପଟେ ଡାଲି ଓ ତେଲ ଦର ଅଧିକା ଥିବା ବେଳେ ରସୁଣ ଦର ୨୫୦ ଟଙ୍କା ଓ ଅଦା ଦର ୧୫୦ଟଙ୍କା ରହିଛି। ଯାହାକୁ ନେଇ ବିଦ୍ୟାଳୟରେ ଶିକ୍ଷକ ହୁଅନ୍ତୁ କିମ୍ବା ଏସ ଏଚ ଜି ପରିଚାଳନା ପାଇଁ ଚିନ୍ତାରେ ଅଛନ୍ତି।

ବେଗୁନିଆପଡ଼ା ବ୍ଲକରେ ୧୪୦ ରୁ ଅଧିକା ବିଦ୍ୟାଳୟ ଥିବା ବେଳେ ଏହି ପ୍ରକାର ଅବ୍ୟବସ୍ଥାରେ ସମସ୍ତେ ସନ୍ତୁଳିତ। ପିଲାଙ୍କୁ ପୃଷ୍ଟିସାର ଦେବା ପାଇଁ ଶିକ୍ଷକ ଚେଷ୍ଟା କରୁଥିବା ବେଳେ ଖର୍ଚ୍ଚ ଅଧିକା ଯୋଗୁଁ ସେ ଅନ୍ୟ କିଛି ପନ୍ଥା ପାଇପାରୁ ନାହାନ୍ତି। ସେପଟେ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଆଗରୁ ଅର୍ଥ ବରାଦ ନକରି ୩ ମାସ ପରେ ଅର୍ଥ ଆସୁଥିବା ଯୋଗୁଁ ଏହା ପରିଚାଳନା ପାଈଁ ଉଦ୍ଧାର କରି ୩ ମାସ ପରେ ବକେୟା ପରିଶୋଧ କରୁଛନ୍ତି। ଏଣୁ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ଦେବା ପାଇଁ ଅଧିକା ଅର୍ଥ ବରାଦ କରିବା ସହ ନିୟମିତ ଭାବେ ଅର୍ଥ ବରାଦ କରି ଦର ବୃଦ୍ଧିକୁ ଆଖି ଆଗରେ ରଖି ସରକାର ପିଲାଙ୍କ ମୁଣ୍ଡ ପିଛା ଦର ବୃଦ୍ଧି କରିବା ଆବଶ୍ୟକ ହୋଇପଡିଛି।

Categories
ଆଞ୍ଚଳିକ

ନୂଆଁଗଡ଼ ରେ ଅକ୍ଷତ ଏବଂ ନିମନ୍ତ୍ରଣ ପତ୍ର ବଣ୍ଟନ

ବେଗୁନିଆପଡା (ଟୁକୁନା ପ୍ରଧାନ): ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ନୂଆଁଗଡ଼ ଗ୍ରାମରେ ଆସନ୍ତା ଜାନୁଆରୀ ୨୨ ତାରିଖରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଅଯୋଧ୍ୟାରୁ ଆସିଥିବା ଅକ୍ଷତ ଓ ନିମନ୍ତ୍ରଣ ପତ୍ରକୁ ପ୍ରତ୍ୟେକ ସନାତନୀ ହିନ୍ଦୁ ପରିବାରରେ ପହଞ୍ଚାଇବାର ଅଭିଯାନ ଆରମ୍ଭ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ନୂଆଁଗଡ଼ ଗ୍ରାମ ସ୍ଥିତ ହନୁମାନ ମନ୍ଦିର ଠାରୁ ଏକ ଭବ୍ୟ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା ସହ ସମସ୍ତ ଗ୍ରାମବାସୀ ଙ୍କୁ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ସ୍ଥାନୀୟ ସରପଞ୍ଚ ସମେତ ବିଜେପି ନେତା ପ୍ରତାପ ନାୟକ, ନାରାୟଣ ସୁମନ୍ତରାୟ, ନାରାୟଣ ପ୍ରଧାନ, ପ୍ରଭାତ ସ୍ଵାଇଁ, ଶ୍ରୀକାନ୍ତ ପଣ୍ଡା ସମେତ ଶତାଧିକ ମହିଳା ଓ ପୁରୁଷମାନେ ଯୋଗ ଦେଇଥିଲେ। ଏ ନେଇ ନୂଆଁଗଡ଼ ରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆବଶ୍ୟକ ତେଇଶି, ଅଛନ୍ତି ଦୁଇ ଡାକ୍ତର: ଜନପ୍ରତିନିଧିଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଉଠିଛି ପ୍ରଶ୍ନ?

ବେଗୁନିଆପଡା (ଟୁକୁନା ପ୍ରଧାନ): ରାଜ୍ୟ ସରକାର ୫ଟି ଜରିଆରେ ବିଭିନ୍ନ ଚିକିତ୍ସାକେନ୍ଦ୍ରକୁ କୋଟି କୋଟି ଟଙ୍କା ଦେଇ ବହୁ ଉନ୍ନୟନ କାର୍ଯ୍ୟ କରୁଥିବା ବେଳେ ଜନସାଧାରଣଙ୍କ ରୋଗର ଚିକିତ୍ସା ପାଇଁ ଡାକ୍ତର ମରୁଡି ଦେଖା ଦେଇଛି। ଏହିପରି ଅବସ୍ଥାରେ ଡାକ୍ତର ନଥିବା ବେଳେ ସାମାନ୍ୟ ରୋଗରେ ପୀଡିତ ଦୁରଦୂରନ୍ତା ଚିକିତ୍ସାଳୟ କିମ୍ବା ବେସରକାରୀ ଚିକିତ୍ସାଳୟ ଉପରେ ନିର୍ଭର କରି ଖର୍ଚ୍ଚାନ୍ତ ହେଉଥିବା ଦେଖିବାକୁ ମିଳିଛି। ଯାହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ଗଞ୍ଜାମ ଜିଲ୍ଲା କୋଦଳା ଏନ ଏ ସିରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବେଗୁନିଆପଡା ବ୍ଲକରେ ଥିବା ସୁମଣ୍ଡଳ ଚିକିତ୍ସାକେନ୍ଦ୍ର ଏବଂ ବେଗୁନିଆପଡା ଚିକିତ୍ସାକେନ୍ଦ୍ର। ଏହି ସବୁ ଚିକିତ୍ସା କେନ୍ଦ୍ରରେ ମୋଟ ୨୩ ଜଣ ଡାକ୍ତର ଆବଶ୍ୟକ ଥିବା ବେଳେ ଚିକିତ୍ସା କରୁଛନ୍ତି ମାତ୍ର ଦୁଇଜଣ ଡାକ୍ତର।

ଆଇପିଏଚଏସ ଅନୁସାରେ କୋଦଳା ଚିକିତ୍ସାକେନ୍ଦ୍ରରେ ପାଞ୍ଚ ଜଣ ଏମ ବି ବି ଏସ, ଜଣେ ଶିଶୁ ରୋଗ ବିଶେଷଜ୍ଞ, ଜଣେ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ, ଔଷଧ ବିଶେଷଜ୍ଞ, ଅସ୍ତ୍ରୋପ୍ରଚାର ବିଶେଷଜ୍ଞ ଏବଂ ଅନ୍ୟ ଜଣେ ବିଶେଷଜ୍ଞ ସହ ମୁଖ୍ୟ ଚିକିତ୍ସା ଅଧିକାରୀ ରହିବା କଥା। ତେବେ ୧୧ ଜଣ ଚିକିତ୍ସକ ଆବଶ୍ୟକ ଥିବା ବେଳେ ଜଣେ ହେଲେ ମଧ୍ୟ ସ୍ଥାୟୀ ଚିକିତ୍ସକ ନାହାନ୍ତି, ଯାହା ଫଳରେ ୩ ଜଣଙ୍କୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଡେପୁଟେସନ ହୋଇଛି।

ସେହିପରି ମୁଖ୍ୟ ଚିକିତ୍ସା ଅଧିକାରୀ ନଥିବାରୁ ବେଗୁନିଆପଡା ଡାକ୍ତରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ବେଗୁନିଆପଡାରେ ଜଣେ ଆୟୁଷ ଡାକ୍ତରଙ୍କ ଭରସାରେ ଛାଡି ଦିଆଯାଇଛି।

କୋଦଳା ଚିକିତ୍ସା କେନ୍ଦ୍ରରେ ଫାର୍ମାସିଷ୍ଟ ୩ ଜଣ ସ୍ଥାନରେ ଜଣେ, ଆଟେଣ୍ଡାଣ୍ଟ ୪ଜଣଙ୍କ ସ୍ଥାନରେ ଦୁଇଜଣ, ନର୍ସ ୧୨ ଜଣଙ୍କ ସ୍ଥାନରେ ମାତ୍ର ଛଅଜଣ ରହିଛନ୍ତି।

ସେହିପରି କୋଦଳା ପରି ସୁମଣ୍ଡଳ ଚିକିତ୍ସାକେନ୍ଦ୍ରରେ ସମାନ ସଂଖ୍ୟା ଡାକ୍ତର ଆବଶ୍ୟକ ଥିବା ବେଳେ ଜଣେ ମାତ୍ର ସର୍ଜରୀ ଡାକ୍ତରଙ୍କ ଭରସାରେ ଚାଲିଛି। ଏଠାରେ ନର୍ସ ୮ଜଣ ଆବଶ୍ୟକ ଥିବା ବେଳେ ମାତ୍ର ଦୁଇଜଣ ରହିଛନ୍ତି।

ସେପଟେ ବେଗୁନିଆପଡା ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ୟ କେହି ଷ୍ଟାଫ ନଥିବା ବେଳେ ଜଣେ ମାତ୍ର ଆୟୁଷ ଡାକ୍ତର ଚିକିତ୍ସାକେନ୍ଦ୍ର ଚଳାଉଛନ୍ତି। ଯାହାକି ରୋଗୀଙ୍କ ଜୀବନ ଉପରେ ଖେଳ ଖେଳା ଯାଉଛି। କୋଦଳା ଏବଂ ବେଗୁନିଆପଡା ଅଂଚଳର ଲକ୍ଷାଧିକ ଲୋକ ଉକ୍ତ ଡାକ୍ତର ଖାନା ଉପରେ ନିର୍ଭର କରୁଥିବା ବେଳେ ରାଜ୍ୟସରକାର, ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧିଙ୍କ କାର୍ଯ୍ୟଦକ୍ଷତାକୁ ନେଇ ବୁଦ୍ଧିଜିବୀମାନେ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ଗୁରୁତର ସହ ନେଇ ତୁରନ୍ତ ଡାକ୍ତର ପଦବୀ ପୂରଣ ପାଇଁ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ପିଣ୍ଟୁ ବିଷୋୟୀ
ବେଗୁନିଆପଡା : ଗଞ୍ଜାମ ଜିଲ୍ଲାର ବେଗୁନିଆପଡାରେ ଏକ ମର୍ମନ୍ତୁଦ ବାଇକ୍‌ ଦୁର୍ଘଟଣାରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଭେଜିପୁଟ ଠାରୁ କଞ୍ଚଣା ପୂର୍ତ୍ତ ରାସ୍ତା ପଥିରିନାଳ ବାଙ୍କରେ ବୁଧବାର ଦିନ ଏକ ବାଇକ ଦୁର୍ଘଟଣା ଘଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡା ବ୍ଲକ ମୁଣ୍ଡୁଳା ଗ୍ରାମର ସନ୍ୟାସୀ ପ୍ରଧାନଙ୍କ ପୁଅ ରାଜୁ ପ୍ରଧାନ(40) ତାଙ୍କ ସାଙ୍ଗ ପ୍ରଦୀପ ଗୌଡ଼ଙ୍କ ସହ ନିଜ ବାଇକରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲ । ଭଉଣୀ ଘରେ ଭାର ଦେଇ ଫେରିବା ବେଳକୁ ଖଲ୍ଲିକୋଟ ବ୍ଲକର ପଥିରିନାଳ ବାଙ୍କରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲେ ।ସ୍ଥାନୀୟ ଲୋକଙ୍କ ସହାୟତାରେ ଖଲ୍ଲିକୋଟ ମେଡ଼ିକାଲକୁ ନେବା ପରେ ଡାକ୍ତର ରାଜୁକୁ ମୃତ ଘୋଷଣା କରିଥିଲେ ଏବଂ ପ୍ରଦୀପଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସୁରତରୁ ବେଗୁନିଆପଡା ଫେରିଲେ 58 ଜଣ ପ୍ରବାସୀ ଓଡିଆ

ପିଣ୍ଟୁ ବିଷୋୟୀ
ବେଗୁନିଆପଡା : ଶନିବାର ଦିନ ସୁରତର ଭାଗଲ ଅଞ୍ଚଳରୁ ବେଗୁନିଆପଡା ବ୍ଲକକୁ 58 ଜଣ ପ୍ରବାସୀ ଓଡିଆ ଫେରିଛନ୍ତି। ସୁରତରୁ ବୁଧବାର ଦିନ ନିଜସ୍ଵ ଖର୍ଚ୍ଚରେ ବସରେ ବାହାରିଥିଲେ ଏହି 58 ପ୍ରବାସୀ ଓଡିଆ । ଏହି ପ୍ରବାସୀ ଶ୍ରମିକଙ୍କୁ ପୂର୍ବରୁ ପ୍ରସ୍ତୁତ ଥିବା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଧମେଖ ସ୍ଥିତ ହାଇସ୍କୁଲ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ଗଂଜାମ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷାରେ ଅଣାଯାଇଥିଲା। ଏମାନଙ୍କ ମଧ୍ୟରେ ବେଗୁନିଆପଡା ବ୍ଲକର 39ଜଣ, କବିସୂର୍ଯ୍ୟନଗର ବ୍ଲକର 3ଜଣ, ଖଲ୍ଲିକୋଟ ବ୍ଲକର 14 ଜଣ, ପୁରୁଷୋତ୍ତମ ବ୍ଲକ ଏବଂ ଗଂଜାମ ବ୍ଲକର ଜଣେ ଲେଖାଏଁ ପ୍ରବାସୀ ରହିଥିବା ଜଣାପଡିଛି। ସ୍କୁଲ ପରିସରରେ ସେମାନଙ୍କ ପଞ୍ଜିକରଣ ପରେ ରୁମକୁ ପଠାଯାଇଥିଲା। କୋଦଳା ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡିଓ ବେଦବର ପ୍ରଧାନ, ସରପଞ୍ଚ ହୃଷିକେଶ ମେହେଣ।, ନୋଡାଲ ଅଫିସର ମଳୟ କୁମାର ବେହେରା, ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ବେହେରାଙ୍କ ତତ୍ୱବାଧାନରେ ସମସ୍ତଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରଖା ଯାଇଥିଲା।