ଅଣ୍ଡା ଦର ୮ ଟଙ୍କା, ତେଲ ଓ ଡାଲି ଦର କମୁନି, ମଧ୍ୟାହ୍ନ ଭୋଜନ ଯୋଗାଣରେ ପୃଷ୍ଟି ଆସିବ କେଉଁଠୁ?

Published: Jan 17, 2024, 7:37 pm IST

ବେଗୁନିଆପଡ଼ା: (ଟୁକୁନା ପ୍ରଧାନ): ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନର ପାଇଁ ସରକାର ବ୍ୟବସ୍ଥା କରିଥିବା ବେଳେ କେବଳ ଚାଉଳ ଯୋଗାଇ ଅନ୍ୟ ସବୁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ବିଦ୍ୟାଳୟକୁ ଦାୟିତ୍ଵ ଦିଆଯାଇଛି। ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ମୁଣ୍ଡ ପିଛା ୫.୯୦ ଟଙ୍କା ଆସୁଥିବା ବେଳେ ଷଷ୍ଠ ଠାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଈଁ ୮.୮୧ ଟଙ୍କା ଆସୁଛି। ବର୍ତ୍ତମାନ ସ୍ଥିତିରେ ଅଣ୍ଡା ପ୍ରତି ୮ ଟଙ୍କା ଦର ଥିବା ବେଳେ ସରକାର ଦେଉଛନ୍ତି ୫ ଟଙ୍କା। ତା ସହିତ ସେହିଦିନ ତରକାରୀ କରି ଦେବାକୁ ବାଧ୍ୟ ବୋଲି ନିର୍ଦ୍ଦେଶ ଅଛି। ସେପଟେ ଡାଲି ଓ ତେଲ ଦର ଅଧିକା ଥିବା ବେଳେ ରସୁଣ ଦର ୨୫୦ ଟଙ୍କା ଓ ଅଦା ଦର ୧୫୦ଟଙ୍କା ରହିଛି। ଯାହାକୁ ନେଇ ବିଦ୍ୟାଳୟରେ ଶିକ୍ଷକ ହୁଅନ୍ତୁ କିମ୍ବା ଏସ ଏଚ ଜି ପରିଚାଳନା ପାଇଁ ଚିନ୍ତାରେ ଅଛନ୍ତି।

ବେଗୁନିଆପଡ଼ା ବ୍ଲକରେ ୧୪୦ ରୁ ଅଧିକା ବିଦ୍ୟାଳୟ ଥିବା ବେଳେ ଏହି ପ୍ରକାର ଅବ୍ୟବସ୍ଥାରେ ସମସ୍ତେ ସନ୍ତୁଳିତ। ପିଲାଙ୍କୁ ପୃଷ୍ଟିସାର ଦେବା ପାଇଁ ଶିକ୍ଷକ ଚେଷ୍ଟା କରୁଥିବା ବେଳେ ଖର୍ଚ୍ଚ ଅଧିକା ଯୋଗୁଁ ସେ ଅନ୍ୟ କିଛି ପନ୍ଥା ପାଇପାରୁ ନାହାନ୍ତି। ସେପଟେ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଆଗରୁ ଅର୍ଥ ବରାଦ ନକରି ୩ ମାସ ପରେ ଅର୍ଥ ଆସୁଥିବା ଯୋଗୁଁ ଏହା ପରିଚାଳନା ପାଈଁ ଉଦ୍ଧାର କରି ୩ ମାସ ପରେ ବକେୟା ପରିଶୋଧ କରୁଛନ୍ତି। ଏଣୁ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ଦେବା ପାଇଁ ଅଧିକା ଅର୍ଥ ବରାଦ କରିବା ସହ ନିୟମିତ ଭାବେ ଅର୍ଥ ବରାଦ କରି ଦର ବୃଦ୍ଧିକୁ ଆଖି ଆଗରେ ରଖି ସରକାର ପିଲାଙ୍କ ମୁଣ୍ଡ ପିଛା ଦର ବୃଦ୍ଧି କରିବା ଆବଶ୍ୟକ ହୋଇପଡିଛି।

Related posts