Categories
ଆଜିର ଖବର ଜାତୀୟ ଖବର

ମୃତ୍ୟୁ ପରେ ଶରୀର ଦାନ କରିବେ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ

ଭୁବନେଶ୍ୱର, ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ମୃତ୍ୟୁ ପରେ ତାଙ୍କ ଶରୀର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟକୁ ଦାନ କରିବେ । ସୋମବାରେ ତାଙ୍କର ୯୯ ତମ ଜନ୍ମ ଦିବସ ଅବସରରେ ପଟ୍ଟନାୟକ ଏହି ଇଚ୍ଛା ବ୍ୟକ୍ତ କରିଛନ୍ତି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଶ୍ରୀ ପଟ୍ଟନାୟକଙ୍କୁ ତାଙ୍କ ବାସ ଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ଜନ୍ମଦିନର ଶୁଭେଚ୍ଛା ଜଣାଇବା ପରିପ୍ରେକ୍ଷୀରେ ପଟ୍ଟନାୟକ ମନ୍ତ୍ରୀଙ୍କୁ ତାଙ୍କର ଏହି ଇଚ୍ଛା ଜଣାଇଥିଲେ।

ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ୧୯୨୨ ମସିହା ମଇ ୧୧ ତାରିଖରେ ପୁରୀ ଜିଲ୍ଲାର ନିମାପଡାଠାରେ ଜନ୍ମଗ୍ରହଣ କରିଥିଲେ। ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବେ ପରିଚିତ ଥିବା ଶ୍ରୀ ପଟ୍ଟନାୟକ ମହାତ୍ମାଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୨ ମସିହାରେ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗଦାନ କରିଥିଲେ। ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜଣେ ଅନ୍ତରଙ୍ଗ ସହଯୋଗୀ ଭାବେ ସେ କାର୍ଯ୍ୟ କରିଛନ୍ତି ଏବଂ ୧୯୬୧, ୧୯୬୬ ଏବଂ ୧୯୭୮ ମସିହାରେ ୩ ଥର ଲୋକସଭା ବା ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରିଛନ୍ତି।

ମାନବ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ, ତାଙ୍କର ଦେହାନ୍ତ ପରେ ଶରୀର ଦାନ କରିବାକୁ ଆଜି ତାଙ୍କର ଜନ୍ମ ଦିବସ ଅବସରରେ ନିଷ୍ପତ୍ତି ତାଙ୍କର ନିଃସ୍ୱାର୍ଥପର ମାନବୀୟ ମୂଲ୍ୟବୋଧର ପରିଚାୟକ ବୋଲି ମନ୍ତ୍ରୀ ଶ୍ରୀ ଦାଶ ଏହି ଅବସରରେ ପ୍ରକାଶ କରିଛନ୍ତି। ଶ୍ରୀ ପଟ୍ଟନାୟକଙ୍କର ଏହି ନିଷ୍ପତ୍ତି ସମୟରେ ନିମାପଡା ଶହୀଦ ସଂସଦର ସଂପାଦକ ଶ୍ରୀ ବେଣୁଧର ସେନାପତି ମଧ୍ୟ ଉପସ୍ଥିତ ଥିଲେ।