Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆରମ୍ଭ ହେଲା ଏୟାର-କାର୍ଗୋ ଅପରେସନ୍‌

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଏୟାରକାର୍ଗୋ ବା ଅନ୍ତରାଷ୍ଟ୍ରୀୟ ଆମଦାନୀ-ରପ୍ତାନୀ ଅପରେସନ୍‌ର ଆଜି ଶୁଭାରମ୍ଭ ହୋଇଛି। ଏହାକୁ ଉଦ୍‌ଘାଟନ କରିଥିଲେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ। ଏହି ଅବସରରେ ଶ୍ରୀ ଦେବ କହିଥିଲେ ଯେ ରାଜ୍ୟର ବାଣିଜ୍ୟ କ୍ଷେତ୍ରରେ ଆଜି ଏକ ସ୍ମରଣୀୟ ମୁହୂର୍ତ୍ତ।

ଆମର ରପ୍ତାନୀକାରୀ ଓ ଆମଦାନୀକାରୀ ସଂସ୍ଥାମାନେ ଦୀର୍ଘଦିନ ହେଲା ଅସୁବିଧାର ସମ୍ମୁଖୀନ ହେଉଥିଲେ। ବିଦେଶକୁ ରପ୍ତାନୀ ଓ ବିଦେଶରୁ ଆମଦାନୀ ପାଇଁ ସେମାନେ ଭାଇଜାକ୍‌, ଚେନ୍ନାଇ, ବିଶାଖାପାଟଣା ଓ କୋଲକାତା ଏୟାରପୋର୍ଟ ଉପରେ ନିର୍ଭର କରୁଥିଲେ। ଅନେକ ସମୟରେ ବାଣିଜି୍ୟକ ଫି ଦେବା ସହ କୌଣସି କାରଣବଶତଃ ଦିନ ଦିନ ଧରି ମାଲ୍‌ ପରିବହନ ହୋଇପାରୁନଥିଲା।

ଭୁବନେଶ୍ୱର ଏୟାରପୋର୍ଟରୁ ସିଧାସଳଖ ଏବେ ରପ୍ତାନୀ-ଆମଦାନୀରେ ଏସବୁ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଯଦି ବା କୌଣଦି କାରଣବଶତଃ ବିଳମ୍ବ ହୁଏ ତେବେ ଖୁବ୍‌ କମ୍‌ ଦିନ ମଧ୍ୟରେ ଏହାର ସମାଧାନ ସମ୍ଭବ ହୋଇପାରିବ। ଏହି ଅବସରରେ ଶ୍ରୀ ଦେବ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶାରେ ରପ୍ତାନୀ ଉତ୍ପାଦର ଯଥେଷ୍ଟ ସମ୍ଭାବନା ରହିଛି।

କେବେଳ କାଜୁ କାହିଁକି, ଧାତବ, ପଦାର୍ଥ, ହସ୍ତତନ୍ତ ଦ୍ରବ୍ୟ, କୃଷିଜାତ ଦ୍ରବ୍ୟ, ଉଦ୍ୟାନ କୃଷିଜାତ ଦ୍ରବ୍ୟ, ସାମୁଦି୍ରକ ଦ୍ରବ୍ୟ, ଫାର୍ମାସୁ୍ୟଟିକାଲ ଆଦି ବିଭିନ୍ନ ଦ୍ରବ୍ୟର ରପ୍ତାନୀର ମଧ୍ୟ ସୁବିଧା ହେବ। ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ଏହି ଅନ୍ତରାଷ୍ଟ୍ରୀୟ ରପ୍ତାନୀ-ଆମଦାନୀ ସେବା ଆରମ୍ଭ କରାଯାଇଛି। ସିଙ୍ଗାପୁର, ବ୍ୟାଙ୍କକ୍‌ ଓ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ସଂଯୋଗ କରାଯାଇଛି।

କେବଳ ଆଧୁନିକ ସମୟରେ ନୁହେଁ ପରନ୍ତୁ ବହୁପୂର୍ବେ ଓଡ଼ିଶା ସାମୁଦି୍ରକ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ସୁନାମ ଅର୍ଜନ କରିଆସିଛି। ଆମଦାନୀ-ରପ୍ତାନୀକୁ ବିଚାରକୁ ନିଆଗଲେ ପ୍ରତିବର୍ଷ ଓଡ଼ିଶା ୧୫ରୁ ୭୦ ହଜାର କୋଟି ଟଙ୍କାର ସମୁଦ୍ରଜାତ ଦ୍ରବ୍ୟ ଓ ହସ୍ତତନ୍ତ ରପ୍ତାନୀ କରୁଛି।

ଅନ୍ୟମାନଙ୍କ ମଧ୍ୟରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କହିଲେ ଯେ ଭୁବନେଶ୍ୱର ଏୟାରପୋର୍ଟରୁ ସିଧାସଳଖ କାର୍ଗୋ ସେବା ଓଡ଼ିଶାର ଆମଦାନୀ-ରପ୍ତାନୀ କ୍ଷେତ୍ରରେ ଏକ ଐତିହାସିକ ଦିବସ। ଆସନ୍ତା ଦିନମାନଙ୍କରେ ଏହା ବିଭିନ୍ନ ଲକ୍ଷ୍ୟସ୍ଥଳୀ ଯଥା ଏସିଆ, ୟୁରୋପ, ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ରପ୍ତାନୀ କରିବ।

କରୋନା ସତ୍ତେ୍ୱ ଓଡ଼ିଶାରେ ୫୬ ପ୍ରତିଶତ ଏୟାରକାର୍ଗୋରେ ପରିବହନ ଜାରି ରହିଛି ବୋଲି ସେ କହିଥିଲେ। ଏଥି ପାଇଁ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ, କଷ୍ଟମ୍‌ ବିଭାଗ, ଏଏଆଇକ୍ଲାସ୍‌, ଆପେଡ଼ା, ଏମ୍‌ପେଡ଼ା, ପ୍ଲାଣ୍ଟ କ୍ୱାରାଣ୍ଟାଇନ୍‌, ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ, ଇଆଏ, ଉଦ୍ୟୋଗୀ, ରପ୍ତାନୀକାରୀ ସମସ୍ତଙ୍କର ଅବଦାନ ରହିଛି ବୋଲି ସେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କାର୍ଗୋ ଅପରେସନ୍‌ ଉତ୍ସବରେ ଯୋଗଦେଇ କହିଥିଲେ ଯେ ଆଜିର ଦିନଟି ପ୍ରତୀକାତ୍ମକ ହେଲେ ମଧ୍ୟ ଓଡ଼ିଶାରୁ ରପ୍ତାନୀଯୋଗ୍ୟ ଓ ଓଡ଼ିଶାକୁ ଆମଦାନୀ ପାଇଁ ଏହି ପ୍ରକ୍ରିୟାର ପ୍ରଚୁର ସମ୍ଭାବନା ରହିଛି। ଓଡ଼ିଶା ସରକାରଙ୍କ ଅନ୍ତର୍ଜାତୀୟ ଯୋଗାଯୋଗ ଏକ ଯୁଗାନ୍ତକାରୀ ପଦକ୍ଷେପ।

ଇଣ୍ଡିଗୋର ବିଶ୍ୱସାରା ସଂଯୋଗୀକରଣ ରହିଛି। ଏୟାରକାର୍ଗୋ ସେଥି ମଧ୍ୟରୁ ଅନ୍ୟତମ। ଇଣ୍ଡିଗୋ ଏୟାରକାର୍ଗୋ ପ୍ରତିଦିନ ୨୧୦ ଟନ୍‌ ଓଜନ ପରିବହନ କ୍ଷମତା ରଖେ । ତେଣୁ ଆମ ରାଜ୍ୟରୁ ଅନ୍ତତଃ ପକ୍ଷେ ୩୦ ପ୍ରତିଶତ କାର୍ଗୋ ମାଧ୍ୟମରେ ପରିବହନ ହେବା ଉଚିତ।

ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ମାଧବ ଚନ୍ଦ୍ର ମିଶ୍ର, କଷ୍ଟମ କମିଶନର ଓ ଇଣ୍ଡିଗୋର ସିନିଅର ମ୍ୟାନେଜର (କାର୍ଗୋ ଅପରେସନ୍‌) ନିଜ ନିଜ ବକ୍ତବ୍ୟ ରଖି କହିଲେ ଯେ ଭୁବନେଶ୍ୱର କାର୍ଗୋ ଅପରେସନ୍‌କୁ କେବଳ ପୂର୍ବଭାରତରେ ସୀମିତ ନରଖି ଏହାକୁ ସାରା ଦେଶ ଓ ବିଶ୍ୱ ସମ୍ମୁଖରେ ପରିଚିତ କରାଇବାକୁ ହେବ।

ଆଜିର ଶୁଭାରମ୍ଭରେ ୧୦୦ କେଜି କାଜୁ ଦୁବାଇ ଓ ଜିନ୍ଦଲ ଷ୍ଟିଲ୍‌ ଯାହା ପ୍ରତ୍ୟେକ ଦିନ କଲିକତା ଏୟାରପୋର୍ଟ ମାଧ୍ୟମରେ ବ୍ୟବସାୟ କରିଆସୁଥିଲେ, ଏହାର ୨୮ କୋଜି ଉତ୍ପାଦ ସ୍ୱିଡେନ୍‌କୁ ପଠାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କୋଭିଡ ମୁକାବିଲାରେ ସଫଳତା ହାସଲ କଲା ଭୁବନେଶ୍ବର ବିମାନ ବନ୍ଦର, ଜରୁରୀ ସାମଗ୍ରୀ ପରିବହନ

ଭୁବନେଶ୍ବର, କୋଭିଡ-୧୯ ବିରୋଧରେ ଦେଶର ଲଢ଼େଇକୁ ସୁଦୃଢ଼ କରିବା ଲାଗି ଦୈନିକ ଦେଶର ବିଭିନ୍ନ ବିମାନ ବନ୍ଦର ଜରିଆରେ ଜରୁରି ଚିକିତ୍ସା ସାମଗ୍ରୀ ଓ ସରଞ୍ଜାମ ପରିବହନ କରାଯାଉଛି। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ)ର ଭୁବନେଶ୍ୱର ବିମାନ ବନ୍ଦର ଏବଂ ଏହାର ଅଂଶୀଦାରମାନେ ଚିକିତ୍ସା ସାମଗ୍ରୀ ଓ ସରଞ୍ଜାମର ୨୪ ଘଣ୍ଟିଆ ବାଧାମୁକ୍ତ ପରିବହନ ସୁବିଧା ଯୋଗାଇ ଦେବା କ୍ଷେତ୍ରରେ ଏକ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି।

ଭୁବନେଶ୍ୱର ବିମାନବନ୍ଦର ଦେଇ ୯ ମେ ୨୦୨୧ ସୁଦ୍ଧା ବିଭିନ୍ନ ଏୟାରଲାଇନ୍ସ ଜରିଆରେ ମୋଟ ୬୬୯ ବାକ୍ସ (୨୦.୫୩ ଏମଟି) କୋଭିଡ ଟିକା ପରିବହନ କରାଯାଇ ସାରିଲାଣି। ଦେଶରେ ଦେଖାଦେଇଥିବା ଅକ୍ସିଜେନ ସଙ୍କଟକୁ ଦୂର କରିବା ଲାଗି, ୨୩ ଏପ୍ରିଲ ୨୦୨୧ ଠାରୁ ୧୧ ମେ ୨୦୨୧ ସୁଦ୍ଧା ଭାରତୀୟ ବାୟୁସେନାର ସି ୧୭, ସି୧୩୦ ଜେ, ସି ୧୩୦ ଜେ, ଏଏନ ୩୨ ଆଦି ୭୫ଟି ବିମାନ ଜରିଆରେ ମୋଟ ୧୫୬ ଖାଲି ଅକ୍ସିଜେନ ଟ୍ୟାଙ୍କର, ୫୨୬ ଅକ୍ସିଜେନ କନସେଣ୍ଟ୍ରେଟର, ୧୪୦ ଅକ୍ସିଜେନ ସିଲିଣ୍ଡର ପରିବହନ କରାଯାଇ ସାରିଲାଣି।

ସେହିପରି ୩୫୦୦ଟି ୧୦ଲିଟର ସିମଲେସ ସିଲିଣ୍ଡର ଏବଂ ୧୫୨୦ ଟି ୪୬.୭ ଲିଟର ସିମଲେସ ସିଲିଣ୍ଡର ପରିବହନ ଖୁବଶୀଘ୍ର କରାଯିବ ଏବଂ ଏହା ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ବିଦେଶରୁ ଆସିବାର ଯୋଜନା ରହିଛି। ଏହାଛଡ଼ା, ଯାତ୍ରୀମାନଙ୍କର ନିରାପଦ ଯାତ୍ରା ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ବିମାନ ବନ୍ଦର ପକ୍ଷରୁ ସମସ୍ତ କୋଭିଡ-୧୯ ମାର୍ଗଦର୍ଶିକା ପାଳନ କରାଯାଉଛି।

ସମସ୍ତ ଯାତ୍ରୀ, ଅଂଶୀଦାର, ଆଗନ୍ତୁକ, କର୍ମଚାରୀ ଆଦିକୁ ବିମାନ ବନ୍ଦରର କର୍ମଚାରୀମାନେ ନିରନ୍ତର ଭାବେ କୋଭିଡ ଉପଯୁକ୍ତ ଅଭ୍ୟାସ ମାନିବା ଏବଂ ଭିଡ଼ା ଏଡ଼ାଇବା ଲାଗି ସମୟ ବ୍ୟବଧାନ ବଜାୟ ରଖିବା ନିମନ୍ତେ ଅନୁରୋଧ କରୁଛନ୍ତି।

କୋଭିଡ ଉପଯୁକ୍ତ ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଯାତ୍ରୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଲାଗି ଟର୍ମିନାଲର ବିଭିନ୍ନ ଇଲେକ୍ଟ୍ରୋନିକ ଓ ସ୍ଥାୟୀ ଡିସପ୍ଲେ ମାଧ୍ୟମରେ ମାର୍ଗଦର୍ଶିକା ପ୍ରଦର୍ଶିତ କରାଯାଉଛି।

ସମସ୍ତ ବିମାନ ବନ୍ଦରଗୁଡ଼ିକ ପକ୍ଷରୁ ଚେଷ୍ଟା ଜାରି ରହିଛି ଏବଂ ସେମାନେ ନିଜର ସାମର୍ଥ୍ୟ ଅନୁଯାୟୀ ଏହି ଲଢ଼େଇରେ ଯୋଗ ଦେଉଛନ୍ତି। ଭୁବନେଶ୍ୱର ବିମାନ ବନ୍ଦର ପକ୍ଷରୁ ସମସ୍ତ ସୁରକ୍ଷା ପଦକ୍ଷେପ ସୁନିଶ୍ଚିତ କରାଯାଇ, ଓଡ଼ିଶା ସରକାରଙ୍କ ସହାୟତାରେ ଏବଂ ସହଭାଗିତାରେ ଏଏଆଇର କର୍ମଚାରୀ ଓ ଅନ୍ୟ ଅଂଶୀଦାରମାନଙ୍କ ପାଇଁ କୋଭିଡ ଟିକାକରଣ କ୍ୟାମ୍ପ ଆୟୋଜନ କରାଯାଇଛି।