Categories
ଜାତୀୟ ଖବର ବିଶେଷ ଖବର

ରାମରାଜ୍ୟ ହେବ କି ନାହିଁ ଭିନ୍ନ କଥା, ହେଲେ ମୋଦିଙ୍କ ଭୂମିପୂଜା ଉତ୍ସବ, ସାରା ଭାରତକୁ କରିଦେଲା ରାମମୟ

ସଂପଦ ଦଳାଇ

ଆଜି ହିନ୍ଦୁ କ୍ୟାଲେଣ୍ଡରରେ ସେମିତି କିଛି ବଡ ତିଥି ନାହିଁ। ସେମିତି କିଛି ବଡ ପୂଜା ବି ନାହିଁ। ହେଲେ ଆଜି ଅଯୋଧ୍ୟାରେ ଯେପରି ଏକ ସମାରୋହର ଆୟୋଜନ ହେଲା ତାହା ହିନ୍ଦୁ କ୍ୟାଲେଣ୍ଡରରେ ଏକ ବଡ ତିଥି ଭାବେ ଯୋଡି ହୋଇଗଲା। ଗତ ଚାରି ଦିନ ଧରି ଭୂମିପୂଜା ପାଇଁ ଯେପରି ଆୟୋଜନ ଚାଲିଥିଲା, ସେଥିରେ ପ୍ରତିଟି ହିନ୍ଦୁ ଭାବେ ନେଲେ ଯେ, ଅଗଷ୍ଟ 5 ତାରିଖ ଏକ ପବିତ୍ର ଦିନ। ସେଥିପାଇଁ ଆଜି ଆମିଶ ବାର ହୋଇଥିଲେ ମଧ୍ୟ ଅନେକ ତାହା ଭକ୍ଷଣ କଲେ ନାହିଁ। ଆମିଶ ନ ଖାଇବା ପାଇଁ କେହି ନିର୍ଦ୍ଦେଶ ଦେଇ ନ ଥିଲେ ମଧ୍ୟ ଭୂମିପୂଜନ ପାଇଁ ସାରା ଭାରତର ଅନେକ ଲୋକେ ସ୍ବତଃପ୍ରୁତ ଭାବେ ଏହାକୁ ଏକ ବ୍ରତଦିନ ବୋଲି ଧରି ନେଲେ।

ଭୂମିପୂଜା ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟାରେ ପହଁଚିବାଠାରୁ ଆରମ୍ଭ କରି ପୂଜା ଶେଷ ପର୍ଯ୍ୟନ୍ତ ପ୍ରତିଟି ଦୃଶ୍ୟକୁ ସମସ୍ତେ ତନ୍ନ ତନ୍ନ କରି ଦେଖିଥିଲେ। ନିଜ ଭକ୍ତିପୂତ ମସ୍ତିସ୍କରେ ବିଶ୍ଲେଷଣ ମଧ୍ୟ କରିଥିଲା। ମୋଦି ଅଯୋଧ୍ୟାରେ ପାଦ ଦେବା ପରେ ପ୍ରଥମେ ତାଙ୍କର ପୋଷାକ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ହିନ୍ଦୁ ଧର୍ମର ପୂଜାରେ ବ୍ୟବହୃତ ପୋଷାକ ପିନ୍ଧିବା ଅନେକଙ୍କୁ ପସନ୍ଦ କରିଥିଲେ। ଏହାପରେ ହନୁମାନ ମନ୍ଦିରରେ ପୂଜାଅର୍ଚ୍ଚନା ସହ ଆଳତି କରିବା ମଧ୍ୟ ଥିଲା ତାଙ୍କ ଭକ୍ତିର ପ୍ରମାଣ। ଏପରିକି ରାମଲାଲ ମନ୍ଦିରରେ ଶାଷ୍ଟାଙ୍ଗ ପ୍ରଣିପାତ କରିବା ମଧ୍ୟ ମୋଦିଙ୍କ ଭକ୍ତି ଭାବକୁ ସାଧାରଣ ଲୋକେ ହୃଦୟଙ୍ଗମ କରିଛନ୍ତି। ସେହିପରି ଦୀର୍ଘ ସମୟ ଧରି ପୂଜାରେ ବସି ଶ୍ଲୋକ ଅନୁସାରେ ପ୍ରତିଟି କାର୍ଯ୍ୟ କରିବା ଥିଲା ଆଉ ଏକ ଉଲ୍ଲେଖନୀୟ ଘଟଣା। ଯାହା ଅନେକ ଚିନ୍ତାଶିଳ ଓ ଭକ୍ତିଶିଳ ବ୍ୟକ୍ତିଙ୍କୁ ପ୍ରଭାବିତ କରିପାରିଛି।

ପୂଜାପାଠ ସରିବା ପରେ ଦେଶବାସୀଙ୍କୁ ଉଦବୋଧନ ଦେବା ବେଳେ ମୋଦିଙ୍କ ରାମଚର୍ଚ୍ଚା ମଧ୍ୟ ବହୁ ଲୋକଙ୍କୁ ବେଶ୍ ପ୍ରଭାବିତ କରିପାରିଛି। ମୋଦି ତାଙ୍କ ଭାଷଣରେ ଜୟ ସୀୟା ରାମଚନ୍ଦ୍ର ଜି କି, ଜୟ.. ରୁ ଭାଷଣ ଆରମ୍ଭ କରିଥିଲେ। ଏହି ଉଚ୍ଚାରଣ ବେଳେ ସେଠାକାର ପରିବେଶ ମଧ୍ୟ ବେଶ ରାମମୟ ହୋଇ ଯାଇଥିଲା। ତାପରେ ତାଙ୍କ ଭାଷଣରେ ରାମ ମନ୍ଦିର ଆନ୍ଦୋଳନରେ ସାମିଲ ପ୍ରତିଟି ବ୍ୟକ୍ତିଙ୍କୁ ସେ ପ୍ରଣାମ କରିଥିଲେ। ମୋଦି ତାଙ୍କ ଭାଷଣରେ ପ୍ରଭୁ ଶ୍ରୀରାମଙ୍କ ସଂପର୍କରେ ଯେପରି ଆଲୋକପାତ କଲେ ତାହା ସାଧାରଣ ଲୋକେ କାହିଁକି ଉପସ୍ଥିତ ସାଧୁସନ୍ଥଙ୍କୁ ମଧ୍ୟ ଅଶ୍ଚର୍ଯ୍ୟାନ୍ବତ କରି ଦେଇଥିଲା।

ବିଭିନ୍ନ ରାଜ୍ୟରେ କିପରି ରାମନାମ ପ୍ରଚଳିତ ସେ ସଂପର୍କରେ ମୋଦି ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ। କେଉଁ ରାଜ୍ୟରେ କେଉଁ ରାମାୟଣର ପ୍ରଚଳନ ରହିଛି ତାହା ମଧ୍ୟ ବର୍ଣ୍ଣନା କରିଥିଲେ। ମାଲାଲାୟମ, ତେଲୁଗ, ଓଡିଆ, ବଙ୍ଗଳା ପ୍ରଭୃତି ଭାଷାଭାଷୀ ଅଞ୍ଚଳରେ କି ପ୍ରକାରର ରାମାୟଣ ଆଦୃତି ଲାଭ କରିଛି ସେ ସଂପର୍କରେ ମଧ୍ୟ ଅବଗତ କରାଇଥିଲେ।

କେବଳ ରାଜ୍ୟ ନୁହେଁ ବିଦେଶରେ ମଧ୍ୟ ଶ୍ରୀରାମଙ୍କୁ ଭକ୍ତି କରାଯାଏ ବୋଲି ମୋଦୀ ଉପସ୍ଥିତ ସାଧୁସନ୍ଥଙ୍କ ସମ୍ମିଳନରେ ଯୁକ୍ତି ଉପସ୍ଥାପିତ କରିଥିଲେ। ମୁସଲିମ୍ ବହୁଳ ଦେଶ ଇଣ୍ଡୋନେସିଆରେ ମଧ୍ୟ ରାମାୟଣ ପ୍ରଚଳିତ ରହିଛି। ସେଠାରେ କାକାଦିନ ରାମାୟଣ ଏବଂ ଯୋଗେଶ୍ବର ରାମାୟଣ ରହିଛି ବୋଲି ମୋଦୀ ତାଙ୍କ ଭାଷଣରେ କହିଥିଲେ। ସେହିପରି କାମ୍ବୋଡିଆ, ମାଲେସିଆ ଏବଂ ଥାଇଲାଣ୍ଡ ପରି ଦେଶରେ ମଧ୍ୟ ରାମାୟଣ ପ୍ରଚଳିତ। ଏପରିକି ଇରାନ ଏବଂ ଚୀନରେ ମଧ୍ୟ ରାମକଥା ବେଶ୍ ଆଦୃତି ଲାଭ କରିଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ। କେବଳ ଦେଶ ବିଦେଶ ନୁହେଁ  ବିଭିନ୍ନ ଧର୍ମରେ କିପରି ରାମନାମ ସହିତ ସଂପର୍କ ରହିଛି ତାହାର ମଧ୍ୟ ଯୁକ୍ତି ଉପସ୍ଥାପନ କରିଥିଲେ। ଶେଷରେ ମୋଦି ସୁନ୍ଦର ଭାବେ ପ୍ରମାଣିତ କରିଥିଲେ ଯେ, ପ୍ରଭୁ ଶ୍ରୀରାମ ହେଉଛନ୍ତି ସବୁ ରାଜ୍ୟର, ସବୁ ଦେଶର ଏବଂ ସବୁ ଧର୍ମର।

ଆଧୁନିକ ଭାରତରେ ହିନ୍ଦୁ ଧର୍ମ ପ୍ରଚାରକମାନେ ରାମନାମକୁ କେତେ ପ୍ରଚାର କରିଛନ୍ତି ତାହା ଭିନ୍ନ କଥା, ହେଲେ ଏହି ଭୂମିପୂଜା ଭାରତର ଲୋକଙ୍କୁ ରାମସେତୁରେ ବାନ୍ଧିବାରେ ସକ୍ଷମ ହୋଇପାରିଛି। କହିବାକୁ ଗଲେ ସାରା ଭାରତରେ ଏହି ଭୂମିପୂଜନ ଉତ୍ସବ ରାମନାମ ପ୍ରଚାର କରିବାରେ ବେଶ୍ ସହାୟକ ହୋଇ ପାରିଛି। ଅନ୍ୟପକ୍ଷରେ ନରେନ୍ଦ୍ର ମୋଦି ରାଜନୈତିକ ଏବଂ ଧାର୍ମିକ କ୍ଷେତ୍ରରେ ଲୋକଙ୍କୁ ବାନ୍ଧି ରଖିବାରେ ମଧ୍ୟ ବେଶ୍ ସକ୍ଷମ ହୋଇପାରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ରାମ ମନ୍ଦିର ପାଇଁ ଅଯୋଧ୍ୟା ପ୍ରସ୍ତୁତ : ଅଯୋଧ୍ୟା ଅଭିମୁଖେ ବାହାରିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୂମି ପୂଜନ ଉତ୍ସବ ପାଇଁ ପ୍ରସ୍ତୁତି ସରିଛି। ମହାସମାରୋହରେ ଭୂମି ପୂଜନ ପାଇଁ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଛି। ଅଯୋଧ୍ୟାରେ ଭୂମି ପୂଜନ ପାଇଁ ସରଜୁ ନଦୀ କୂଳକୁ ସଜ୍ଜିତ କରାଯାଇଛି। ସାଧୁସନ୍ଥଙ୍କ ରାମଧ୍ବନି ସହ ଅଖଣ୍ଡ ରାମାୟଣ ଗାନରେ କମ୍ପୁଛି ଚଉଦିଗ।

ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଯୋଧ୍ୟା ପାଇଁ ବାହାରି ସାରିଲେଣି। ପିଏମ୍‌ଓ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଅଭିମୁଖେ ଏକ ସ୍ବତନ୍ତ୍ର ବିମାନରେ ଆସୁଥିବାର ଏକ ଫଟୋ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଲକ୍ଷ୍ନୌ ବିମାନ ବନ୍ଦରରେ 10ଟା 35ରେ ପହଞ୍ଚିବେ। ଅଯୋଧ୍ୟାରେ ପ୍ରଥମେ ହନୁମାନଗଡି ମନ୍ଦିର ଦର୍ଶନ କରିବେ ମୋଦି। ମଧ୍ୟାହ୍ନ 12ଟା ସମୟରେ ରାମଜନ୍ମଭୂମିରେ ନରେନ୍ଦ୍ର ମୋଦି ପହଞ୍ଚିବେ। ମଧ୍ୟାହ୍ନ 12ଟା 30ରୁ ଭୂମି ପୂଜା ଆରମ୍ଭ ହେବ।  (ଏଜେନ୍ସି)