Categories
ଆଜିର ଖବର ଜାତୀୟ ଖବର

ମାସଟିଏ ନ ବିତୁଣି ଭୁଶୁଡିଲା ସେତୁ, ପାଣିରେ ପଡିଲା 264 କୋଟି

ବିହାର : ମାତ୍ର 29 ଦିନରେ 264 କୋଟିର ସେତୁ ଭୁଶୁଡି ପଡିଛି । ପାଣି ପ୍ରବାହର ଚାପରେ ଗୋପାଲଗଞ୍ଜ ଜିଲ୍ଲାସ୍ଥିତ ୨୬୪ କୋଟି ବିନିମୟରେ ନିର୍ମିତ ସତ୍ତରଘାଟ ମହାସେତୁ ବୁଧବାର ଧ୍ୱଂସ ହୋଇଯାଇଛି।  2012 ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । 264 କୋଟି ବ୍ୟୟରେ ନିର୍ମିତ ଏହି ସେତୁକୁ  ସାଧାରଣ ଲୋକଙ୍କ ହିତ ଦୃଷ୍ଟିରୁ ଗତ ମାସ ଜୁନ୍‌ 16 ତାରିଖରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍‌ କୁମାର ଭର୍ଚୁଆଲ୍‌ ଟେକନିକ୍‌ ଜରିଆରେ ଉଦ୍‌ଘାଟନ କରିଥିଲେ । କିନ୍ତୁ ଲଗାତର ବର୍ଷା ଓ ସାମାନ୍ୟ ବନ୍ୟା ଭଳି ସ୍ଥିତିରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତି ଏହି ସେତୁଟି ଭୁଶୁଡି ପଡିଛି ।

ଏହି ସେତୁଟି ଭୁଶୁଡ଼ି ଯିବା ପରେ ଚମ୍ପାରଣ ତିରହୁତ ଏବଂ ସାରଣର ଅନେକ ଜିଲ୍ଲା ସହ ସମ୍ପର୍କ ବିଚ୍ଛିନ୍ନ ହୋଇଛି। ମାତ୍ର 29 ଦିନରେ ମହାସେତୁ ଭୁଶୁଡ଼ି ଯିବା ନେଇ ବିହାର ସରକାରଙ୍କୁ ଲୋକେ ସମାଲୋଚନା କରିବା ସହିତ ଏହାର ଜବାବ ମାଗୁଛନ୍ତି।

ଅନ୍ୟପଟେ ଏନେଇ ରାଜ୍ୟ ସଡ଼କ ନିର୍ମାଣ ମନ୍ତ୍ରୀ ନନ୍ଦ କିଶୋର ଯାଦବ ଏହି ସେତୁ ଭୁଶୁଡିବାକୁ ନେଇ ବେପରୁଆ ପ୍ରତିକ୍ରିୟା ଦେଇଛନ୍ତି, ଯାହାକୁ ନେଇ ଲୋକଙ୍କ ଆକ୍ରୋଶ ଆହୁରି ବଢ଼ିଯାଇଛି। ନନ୍ଦ କିଶୋର କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟର ଏପରି ହୁଏ ।  ତେବେ, ସତ୍ତର ଘାଟର ସେତୁ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ଡ୍ୟାମ୍ ଭିତରେ ଏକ ସେତୁ ଅଛି, ଯାହାର କେବଳ ଆପ୍ରୋଚ ରୋଡଟି ଭୁଶୁଡ଼ି ପଡ଼ିଛି। ଏହା ଏକ ପ୍ରାକୃତିକ ବିପର‌୍ୟ୍ୟୟ। ଏହାଦ୍ୱାରା ତ ରାସ୍ତା ଭାସିଯାଏ, ସେତୁ ଭାଙ୍ଗିଯାଏ। (ଏଜେନ୍ସି)