Categories
ବିଶେଷ ଖବର

ବିଜେଡିରେ ମିଶିବେ ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ,ଯିବେ ରାଜ୍ୟସଭା: ବିଜୟ ମହାପାତ୍ରଙ୍କ ପ୍ରଚାରକୁ ନ ଆସିବାର ଏହା ହେଉଛି ମୁଖ୍ୟ କାରଣ

ସମୀକ୍ଷା ବ୍ୟୁରୋ

ପୁଣି ଥରେ ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତାହା ହେଉଛି ଦିଲ୍ଲୀପ ବିଜେଡିକୁ ଫେରିବାର ପ୍ରାୟ ନିଶ୍ଚିତ। କାରଣରେ କୁହାଯାଇଛି ଯେ, ଦିଲ୍ଲାପ ତାଙ୍କର ଘନିଷ୍ଠ ବନ୍ଧୁ ବିଜୟ ମହାପାତ୍ରଙ୍କ ପ୍ରଚାର ପାଇଁ ଆସିଲେ ନାହିଁ। ଯେତେବେଳେ ସାଧାରଣ ନିର୍ବାଚନ ଚାଲିଥିଲା ସେତେବେଳେ ଦିଲ୍ଲୀପ ପାଟକୁରା ଆସି ବିଜୟ ମହାପାତ୍ରଙ୍କୁ ସାକ୍ଷାତ କରିଥିଲେ। ମୁଁ ବିଜେପି ପାଇଁ ନୁହେଁ ବରଂ ବିଜୟଙ୍କ ପାଇଁ ପ୍ରଚାର କାର୍ଯ୍ୟ କରିବି ବୋଲି ଦିଲ୍ଲୀପ ଗଣମାଧ୍ୟମ ଆଗରେ କହିଥିଲେ। ହେଲେ ପରବର୍ତ୍ତି ସମୟରେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲାଙ୍କ ମୃତ୍ୟୁ ଏବଂ ଫନି ବାତ୍ୟା ପାଇଁ ମଧ୍ୟ ନିର୍ବାଚନ ସ୍ଥଗିତ ରହିଲା। ହେଲେ ଯେତେବେଳେ ନିର୍ବାଚନ ହେଲା, ଦିଲ୍ଲୀପ ତାଙ୍କ କଥା ରଖି  ଆଉ ବିଜୟଙ୍କ ପ୍ରଚାର ପାଇଁ ଆସିଲେ ନାହିଁ। ଏଥିରୁ ସ୍ପଷ୍ଟ ହୋଇଛି ଯେ ଦିଲ୍ଲୀପ ପୁଣି ଥରେ ବିଜେଡିକୁ ଫେରିବେ। ତେବେ ବର୍ତ୍ତମାନ ପାଇଁ ଯେଉଁ କାରଣ ସବୁ ଚର୍ଚ୍ଚା ଚାଲିଛି ତାହା ହେଲା

1-ଦିଲ୍ଲୀପ ଦେଇଥିବା ପ୍ରତିଶୃତି  କେବେ ଭାଙ୍ଗନ୍ତି ନାହିଁ। ହେଲେ ପାଟକୁରା ନିର୍ବାଚନରେ ସେ ଦେଇଥିବା ପ୍ରତିଶୃତିକୁ ଭାଙ୍ଗିଲେ। ଅନ୍ୟପଟେ ବିଜୟ ଦିଲ୍ଲୀପଙ୍କ ମଧ୍ୟରେ ବହୁ ଘନିଷ୍ଠ ସଂପର୍କ ମଧ୍ୟ ରହିଛି। ଏପରି ସ୍ଥଳେ ଦିଲ୍ଲୀପ ପ୍ରଚାରକୁ ନ ଆସିବା ଘଟଣାଟି ସନ୍ଦେହ ସୃଷ୍ଟି କରିଛି।

2-ବ୍ରାହ୍ଣଣୀ ସେତୁ ଏବଂ ଆଇଜିଏଚକୁ ସୁପର ସ୍ପେଶାଲିଟ ହସପିଟାଲରେ ପରିଣତ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ସେହି ପ୍ରତିଶୃତି ପାଳନ ନ ହେବାରୁ ଦିଲ୍ଲୀପ ବିଜେପି ଛାଡିଲେ। ହେଲେ ବିଜୟଙ୍କୁ ଦିଲ୍ଲୀପ ଯେଉଁ ପ୍ରତିଶୃତି ଦେଇଥିଲେ ସେ ନିଜେ ପାଳନ କଲେ ନାହିଁ।

3-କୌଣସି ପ୍ରକାରରେ ବିଜୟ ମହାପାତ୍ର ବିଧାନସଭାରେ ପ୍ରବେଶ ନ କରନ୍ତୁ ତାହା ବିଜେଡି ଚାହୁଁଛି। ସେଥିପାଇଁ ବିଜୟଙ୍କ ଯେତେସବୁ ଦୃଢ ମାଧ୍ୟମ ରହିଛି ତା ଉପରେ ବିଜେଡି ନଜର ରଖି ସେମାନଙ୍କୁ ନିୟନ୍ତ୍ରଣ କରିଛି। ଯାହା ଫଳରେ ଦିଲ୍ଲୀପ ପ୍ରଚାରକୁ ଆସି ନାହାଁନ୍ତି ବୋଲି କୁହାଯାଉଛି।

4-୨୦୨୦ ମସିହାରେ ଓଡିଶାର ଆଉ କେତୋଟି ରାଜ୍ୟସଭା ପଦ ଖାଲି ହେଉଛି। ସୁତ୍ର କହୁଛି ଯଦି ଦିଲ୍ଲୀପ ବିଜୟଙ୍କ ପାଇଁ ପ୍ରଚାର ନ କରିବେ ତେବେ ତାଙ୍କୁ ରାଜ୍ୟସଭା ସଦସ୍ୟ ପଦ ଦିଆଯିବ। ବିଜେଡି ଏହି ପ୍ରତିଶୃତି ଦେଇଥିବାରୁ ସେଥିପାଇଁ ଦିଲ୍ଲୀପ ପାଟକୁରା ଆସିଲେ ନାହିଁ।

ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ବିଜୟ ଏବଂ ଦିଲ୍ଲୀପ ଏକା ସଙ୍ଗରେ ବିଜେପିରୁ ଇସ୍ଥଫା ଦେଇଥିଲେ। ସେତେବେଳେ ପ୍ରଚାର ହୋଇଥିଲା ଯେ, ଉଭୟ ବିଜେଡିରେ ମିଶିବେ। ହେଲେ ଦୀର୍ଘ ଦିନ ବିତିଗଲା ସିନା ତାହା ହେଲା ନାହିଁ। ଶୁଣାଗଲା ଯେ, ବିଜୟ ମଧ୍ୟ ବିଜେଡି ଯାଆନ୍ତୁ ବୋଲି କୁଆଡେ ଦିଲ୍ଲୀପ ଚାହୁଁଥିଲେ। ଯାହା ବିଜେଡି ତରଫରୁ ସବୁଜ ସଙ୍କେତ ଦିଆଗଲା ନାହିଁ। ଫଳରେ ଉଭୟ ବିଜେଡିରେ ମିଶିବା ସମ୍ଭବ ହୋଲା ନାହିଁ। ଏହାର କିଛି ଦିନ ପରେ ଦିଲ୍ଲୀପ ଏକା ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ସେତେବେଳେ ଜଣାପଡିଥିଲା ଯେ, ବିଜୟ ନୁହେଁ କେବଳ ଦିଲ୍ଲୀପ ବିଜେଡିରେ ମିଶିବେ। ହେଲେ ସାଧାରଣ ନିର୍ବାଚନ ପୂର୍ବରୁ ତାହା ମଧ୍ୟ ହେଲା ନାହିଁ। ବରଂ ଦିଲ୍ଲୀପଙ୍କୁ ଛାଡି ବିଜୟ ବିଜେପିରେ ପୁଣି ଥରେ ଯୋଗଦେଲେ। ଏହାପରେ ଦିଲ୍ଲୀପଙ୍କ ସ୍ବର ମଧ୍ୟ ବଦଳିଯାଇଥିଲା। ପୂର୍ବରୁ ବିଜେପିକୁ ତୀବ୍ର ସମାଲୋଚନା କରୁଥିବା ଦିଲ୍ଲୀପ ଦଳକୁ ପ୍ରଶଂସା କଲେ। ଫଳରେ ସେତେବେଳେ ଦିଲ୍ଲୀପ ମଧ୍ୟ ବିଜେପିକୁ ଫେରିବେ ବୋଲି ଆଶା କରାଯାଉଥିଲା। ଯାହା ହେଲା ନାହିଁ। ତେବେ ବର୍ତ୍ତମାନ ସମୀକରଣ ଅନୁସାରେ ଦିଲ୍ଲୀପ ବିଜେପି ନୁହେଁ ବିଜେଡିରେ ଖୁବ ଶିଘ୍ର ସାମିଲ ହେବେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

Categories
ବିଶେଷ ଖବର

ବିଜେପିରେ ଆଭ୍ୟନ୍ତରୀଣ କନ୍ଦଳ ; ଜୟ, ବିଜୟ, ଅପରାଜିତା ଏବଂ ସମ୍ବିତ ପାତ୍ର ହାରିବା ପାଇଁ ବିଜେପିର ଗୋଟିଏ ଗୋଷ୍ଠୀ ଚଳାଇଛନ୍ତି ଷଡଯନ୍ତ୍ର

ସମୀକ୍ଷା ବ୍ୟୁରୋ

ରାଜନୈତିକ ପଶାପାଲିରେ ଦିନକୁ ଦିନ ଅଜବ କଥା ସବୁ ଶୁଣିବାକୁ ମିଳିଛି। ତେବେ ବର୍ତ୍ତମାନ ଯେଉଁ ଖବର ରାଜନୈତିକ ବଜାରରେ ଘୁରି ବୁଲୁଛି ତାହା ଅତି ସାଂଘାତିକ। ଖବରଟି ହେଲା ବିଜେପି ଟିକଟରେ ନିର୍ବାଚନ ଲଢୁଥିବା ବୈଜୟନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀ, ବିଜୟ ମହାପାତ୍ର ଏବଂ ସମ୍ବିତ ପାତ୍ର ହାରିବା ପାଇଁ ବିଜେପିର ଗୋଟିଏ ଗୋଷ୍ଠୀ କରୁଛନ୍ତି ଷଢଯନ୍ତ୍ର। ଏହି ଖବରଟି କେତେ ସତ ତାହା କହିବା ମୁସ୍କିଲ, ହେଲେ ଯଦି ସତ ତାହା ହେଲେ ବଡ ସାଂଘାତିକ। ବିଜେପିର ଏହି ପ୍ରଭାବଶାଳୀ ଗୋଷ୍ଠୀର ଭୟ ରହିଛି ଯେ, ଏହି ଚାରିଜଣ କ୍ଷମତାକୁ ଆସିଲେ ରାଜ୍ୟରେ ବେଶ୍ ପ୍ରଭାବଶାଳୀ ହୋଇଯିବେ। ଏପରିକି ଲୋକମାନେ ଓ କର୍ମୀମାନେ ମଧ୍ୟ ସେମାନଙ୍କ ପଟକୁ ଢଳିଯିବେ। ଏହି ଆଶଙ୍କାରେ ସେହି ନିର୍ଦ୍ଦିଷ୍ଠ ଗୋଷ୍ଠୀର ଉପଦେଷ୍ଠାଠାରୁ ଆରମ୍ଭ କରି ଚେଲାଚାମୁଣ୍ଡା ପର୍ଯ୍ୟନ୍ତ ବିଭିନ୍ନ ମାର୍ଗରେ ସେମାନଙ୍କୁ ହରାଇବା ପାଇଁ ରାସ୍ତା ତିଆରି କରୁଛନ୍ତି। ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଥିବା ଏହି ନିର୍ଦ୍ଦିଷ୍ଟ ଗୋଷ୍ଠୀର କର୍ମୀମାନଙ୍କୁ କୁଆଡେ ଏହି କାମରେ ଲଗାଇ ଦିଆଯାଇଛି। ଖାଲି ସେତିକି ନୁହେଁ, ଯାହା ପଇସା ଖର୍ଚ୍ଚ ହେବ ତାହା ମଧ୍ୟ ଭରଣା କରିବା ପାଇଁ କୁଆଡେ ପ୍ରତିଶୃତି ଦିଆଯାଇଥିବା ଚର୍ଚ୍ଚା ଚାଲିଛି।

କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଯିଏକି ବିଜେପିରେ ଯୋଗଦେଇ ନିର୍ବାଚନ ମଇଦାନରେ ଛିଡା ହୋଇଛନ୍ତି, ସେ ହେଉଛନ୍ତି କୁଆଡେ ଏହି ଗୋଷ୍ଠୀର ପ୍ରଥମ ଟାର୍ଗେଟ। କାରଣ ହେଲା ଏହି ଗୋଷ୍ଠୀ ଭଲଭାବରେ ଜାଣିଛନ୍ତି ଯେ, ବୈଜୟନ୍ତ ଥରେ କ୍ଷମତାକୁ ଆସିଗଲେ ସେ ଅଧିକ ଶକ୍ତିଶାଳୀ ହୋଇଯିବେ। ଦିଲ୍ଲୀ ତଥା କେନ୍ଦ୍ର ବିଜେପିରେ ବୈଜୟନ୍ତଙ୍କ ବେଶ୍ ଦବଦବା ରହିଛି। ସେ ସିଧା ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହାଙ୍କ ସହିତ କଥା ହୋଇପାରୁଛନ୍ତି। ବୈଜୟନ୍ତଙ୍କ ବିଜେପି ପ୍ରବେଶକୁ ଏହି ଗୋଷ୍ଠୀ ପ୍ରଥମରୁ ବିରୋଧ କରୁଥିଲେ। ହେଲେ ପରବର୍ତ୍ତି ସମୟରେ ବୈଜୟନ୍ତଙ୍କ ନିଜସ୍ବ ନେଟୱାର୍କ ଦ୍ବାରା ସେ ବିଜେପିରେ ଯୋଗଦେବା ସହିତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବୀ ମଧ୍ୟ ହାତେଇ ପାରିଛନ୍ତି। ଏହାକୁ ନେଇ ସେହି ଗୋଷ୍ଠୀ କୁଆଡେ ଉତକ୍ଷିପ୍ତ।

ସେହିପରି ଏହି ଗୋଷ୍ଠୀ ବିଜୟ ମହାପାତ୍ର କିପରି ହାରିବେ ସେ ନେଇ ମଧ୍ୟ ରଣନୀତି ପ୍ରସ୍ତୁତ କରୁଛନ୍ତି। କାରଣ ଏହି ଗୋଷ୍ଠୀ ମଧ୍ୟ ନିଶ୍ଚିତ ଯେ, ବିଜୟ ଯଦି କ୍ଷମତାକୁ ଆସନ୍ତି ତାଙ୍କର କାଟତି ମଧ୍ୟ ଦଳରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପୂର୍ବରୁ ସେ ଦଳ ଭିତରେ ଥିଲେ ମଧ୍ୟ ତାଙ୍କୁ ପଙ୍ଗୁ କରିଦିଆଯାଇଥିଲା। ହେଲେ ସେ ଏକ ଅଭୟ ଶକ୍ତି ନେଇ ପୁଣିଥରେ ଦଳକୁ ଫେରିଛନ୍ତି ବୋଲି ଏହି ଗୋଷ୍ଠୀର ଧାରଣା। ତେଣୁ ସେ ଯଦି କ୍ଷମତା ପ୍ରାପ୍ତ ହୁଅନ୍ତି ତେବେ ତାଙ୍କର ଯେଉଁ ଲୋକପ୍ରିୟତା ରହିଛି ସେଥିରେ କର୍ମିମାନେ ତାଙ୍କ ଆଡକୁ ଢଳିବାର ମଧ୍ୟ ସମ୍ଭବାନା ରହିଛି। ତେଣୁ ସେ କିପରି ହାରିବେ ଏ ନେଇ ଏହି ଗୋଷ୍ଠୀ ଗୋଟି ଚାଳନା କରି ଚାଲିଛନ୍ତି।

ଆଉ ଜଣେ ହେଲେ ଅପରାଜିତା ଷଡଙ୍ଗୀ। ସେ ମଧ୍ୟ ଏହି ଗୋଷ୍ଠୀର ବଡ ଟାର୍ଗେଟରେ। କାରଣ ଅପରିଜାତିଙ୍କ ମଧ୍ୟ ଦିଲ୍ଲୀ ଦରବାରରେ ଏବଂ କେନ୍ଦ୍ରୀୟ ନେତାଙ୍କ ପାଖରେ ପହଁଚ ରହିଛି। ସେ ବର୍ତ୍ତମାନ ନୂଆଦିଲ୍ଲୀ ନେତାଙ୍କ ଆର୍ଶିବାଦରେ ଦଳରେ ଯୋଗ ଦେଇଛନ୍ତି। ଅପରାଜିତା ମଧ୍ୟ ଅନେକ ସମୟରେ ମୋଦୀଙ୍କ ପାଇଁ ସେ ରାଜନୀତିକୁ ଆସିଛନ୍ତି ବୋଲି କୁହନ୍ତି। ଅର୍ଥାତ ରାଜ୍ୟ ନେତାମାନେ ତାଙ୍କ ଆସିବାରେ ହାତ ନାହିଁ ବୋଲି ପରୋକ୍ଷରେ କହିଦେଇଛନ୍ତି। ସେ ଯଦି ଜିତିଯାଆନ୍ତି ତେବେ କେନ୍ଦ୍ରୀୟ ପ୍ରଶାସନ ଏବଂ କେନ୍ଦ୍ରୀୟ ନେତାଙ୍କ ସୁସଂପର୍କ,ତାଙ୍କୁ ଅଧିକ କ୍ଷମତାଶାଳୀ କରିଦେବ। ତେଣୁ ଅପରାଜିତା କିପରି ହାରିବେ ସେ ନେଇ ଏହି ଗୋଷ୍ଠୀର ନେତା କୁଆଡେ ରାତି ଅଧିଆ କାମରେ ଲାଗିପଡିଛନ୍ତି। ଭୁବନେଶ୍ବରର ଲୋକସଭା ଅଧିନସ୍ଥ ବିଧାନସଭାରେ କିଏ ପ୍ରାର୍ଥୀ ହେବ ତାହା ଖୋଦ ଅପରାଜିତା ନିର୍ଦ୍ଧାରଣ କରିଛନ୍ତି। ଯାହା ସେହି ଗୋଷ୍ଠୀକୁ ଖୁବ ଜୋରରେ ବାଧିଛି। ପୁରୀରୁ ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ମଧ୍ୟ ଏହି ଗୋଷ୍ଠୀର ଟ୍ୟାର୍ଗଟରେ। ହେଲେ ଏହାଙ୍କ ପଛରେ ଏହି ଗୋଷ୍ଠୀ ସେତେ ସକ୍ରିୟ ନାହିଁନ୍ତି। କାରଣ ପୁରୀରେ ସମ୍ବିତଙ୍କ ଭବିଷ୍ୟତ କଣ ହେବ ଏମାନେ ଠଉରେଇ ସାରିଛନ୍ତି। ସେଥିପାଇଁ ଏହାଙ୍କ ପଛରେ ସେପରି ଜୋରଦାର ଷଢଯନ୍ତ୍ର କରାଯାଇ ନାହିଁ।

ଏହି ଖବରକୁ ନେଇ ରାଜଧାନୀରେ ବେଶ୍ ଚର୍ଚ୍ଚା ଚାଲିଛି। ହେଲେ ବିଜେପିର କୈଣସି ନେତା ଖୋଲାଖୋଲି କିଛି କହିବାକୁ ଶକ୍ତି ନ ଥିଲେ ମଧ୍ୟ ଭିତିରେ ଭିତରେ ଏହାକୁ ନେଇ ବେଶ୍ ଆଲୋଚନା ଚାଲିଛି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )