Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ

ନୂଆଦିଲ୍ଲୀ: ଛତିଶଗଡର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ” ଆଜି ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ କଲେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ।

ବର୍ତ୍ତମାନ ରାଜ୍ୟପାଳ ବିଶ୍ବଭୂଷଣ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ସେ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ କରାଇବା ପରେ ସେ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଶପଥପାଠ ବେଳେ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। କାରଣ ସେହି ଶପଥ ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗଦେଇଥିଲେ।

ଗତକାଲି ମଧ୍ୟ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କାନ୍ତକବି ପୁରସ୍କାର ପ୍ରଦାନ ଉତ୍ସବ ସମାରୋହରେ ଯୋଗଦେଲେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ

କଟକ: ଗତକାଲି କଟକସ୍ଥ ଶତାବ୍ଦି ଭବନରେ ଫତୁରାନନ୍ଦ ସ୍ମୃତି ସମାରୋହ ଆନୁକୂଲ୍ୟରେ କାନ୍ତକବି ପୁରସ୍କାର ପ୍ରଦାନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାନ୍ତକବିଙ୍କ ବହୁମୁଖି ପ୍ରତିଭା ଉପରେ ଆଲୋକପାତ କରି ତାଙ୍କ କବିତା ଓ ସମସ୍ତ ଲେଖାରେ ମୁକ୍ତି ସଂଗ୍ରାମର ଝଙ୍କାର ରହିଥିଲା ବୋଲି କହିଥିଲେ।

ହାସ୍ୟବିକାଶ କେନ୍ଦ୍ର କଟକ ଆନୁକୂଲ୍ୟରେ ଫତୁରାନନ୍ଦଙ୍କ ସ୍ମୃତି ସମାରୋହ ଅବସରରେ କାନ୍ତକବି ପୁରସ୍କାର ଉତ୍ସବ ପାଳନ କରାଯାଉ ଥିବାରୁ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଓଡିଶାର ବିଶିଷ୍ଟ ହାସ୍ୟ ଲେଖକ ଫତୁରାନନ୍ଦଙ୍କୁ ମନେ ପକାଇଥିଲେ। ଫତୁରାନନ୍ଦଙ୍କ ଲେଖାରେ ବ୍ୟଙ୍ଗ ଓ ହାସ୍ୟରସହରେ ଭରପୁର ଥିଲା। ଏଭଳି ଲେଖା ସମାଜରେ ସଂସ୍କାର ଆଣିବା ସହିତ ସମାଜକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ଏହି ଅବସରରେ ରାଜ୍ୟପାଳ କାନ୍ତକବିଙ୍କ ଦେଶାତ୍ମବୋଧ ଓ ବୈପ୍ଳବିକ ପୂର୍ଣ୍ଣ ସମସ୍ତ ରଚନାଗୁଡ଼ିକୁ ଲୋଚଲୋଚନ ଆଣିବା ପାଇଁ ଆହ୍ୱାନ ଦେଇଥିଲେ ।ଉକ୍ତ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ବିଜୟାନନ୍ଦ ସିଂହଙ୍କ “ଅତୀତ ଓ ଅସ୍ମୀତା” ପୁସ୍ତକକୁ ରାଜ୍ୟପାଳ ଲୋକର୍ପଣ କରିଥିଲେ ଓ ପୁସ୍ତକ ଖୁବ୍ ପାଠକୀୟ ଆଦୃତି ଲାଭ କରୁ ବୋଲି କହିଥିଲେ ।

ଉକ୍ତ ଉତ୍ସବରେ ରାଜ୍ୟପାଳଙ୍କ ସମତେ ବିପିନ୍‌ ବିହାରୀ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଓ କାନ୍ତକବି ପୁରସ୍କାର ରାଜ୍ୟପାଳଙ୍କଠାରୁ ଗ୍ରହଣ କରିଥିଲେ। ସେହିପରି ବିଶିଷ୍ଟ କଥାକାର ଗୌରହରି ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ କାନ୍ତକବିଙ୍କ କବିତା ଓ ଲେଖାର ପ୍ରଶଂସା କରିବା ସହିତ ତାଙ୍କ ଲେଖାକୁ ଉଚ୍ଚକୋଟିର ଓ ଜାତୀୟତା ଭାବରେ ପରିପୂର୍ଣ୍ଣ ବୋଲି କହିଥିଲେ। ଉକ୍ତ ଉତ୍ସବକୁ ବରିଷ୍ଟ ଆଡ୍‌ଭୋକେଟ୍‌ ଶ୍ରୀ ଗିରିଜାନନ୍ଦ ନାୟକ ସଭାପତିତ୍ୱ କରୁଥିଲା ବେଳେ ସାହିତ୍ୟିକ ବିଜୟାନନ୍ଦ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଗାଳ୍ପିକ ରଘୁନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଡ. ଅଭୟ କୁମାର ରାଉତ ମାନପତ୍ର ପାଠ କରିଥିଲେ। ସୁଶ୍ରୀ ଦିପ୍ତି ଦାସ କାନ୍ତକବିଙ୍କ ରଚିତ ପାରମ୍ପରିକ ସଂଗୀତଗାନ କରିଥିଲେ ଏବଂ ନାଟ୍ୟକାର ସୁଜାତା ପ୍ରିୟଦର୍ଶିନୀ, ପ୍ରକାଶକ ଶିବାଶିଷ କର ଓ କମଳ ମାହୁନ୍ତ ଉତ୍ସବ ପରିଚାଳନରେ ସହଯୋଗ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ୯୦ ବର୍ଷ ବୟସରେ କଲେ ପଦାର୍ପଣ

ଭୁବନେଶ୍ବର, ଆଜି ୯୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଛତିଶଗଡର ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ବଭୂଷଣ ହରିଚନ୍ଦନ। ୧୯୩୪ ମସିହା ଅଗଷ୍ଟ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ବିଶ୍ବଭୂଷଣ ।

ଓଡିଶା ରାଜନୈତିକ ଇତିହାସରେ ସେ ହେଉଛନ୍ତି ଜଣେ ବେଶ୍ ପରିଚିତ ବ୍ୟକ୍ତିତ୍ବ। ଭାରତୀୟ ଜନସଂଘରୁ ରାଜନୈତିକ ଜୀବନ ଆରମ୍ଭ କରି ଆନ୍ଧ୍ର ପ୍ରଦେଶ ଏବଂ ଏବେ ଛତିଶଗଡର ରାଜ୍ୟପାଳ ହେବା କିଛି ସହଜ କଥା ନୁହେଁ।

ବିଶ୍ବଭୂଷଣଙ୍କ ରାଜନୈତିକ ଜୀବନ ବେଶ ଲମ୍ବା। ସେ ପ୍ରଥମେ ୧୯୭୧ ମସିହାରେ ଭାରତୀୟ ଜନସଂଘରେ ସାମିଲ ହୋଇଥିଲେ।୧୯୭୭ ମସିହାରେ ଜନତା ପାର୍ଟି ଗଠନ ହେବା ପର୍ଯ୍ୟନ୍ତ ସେ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ ।

୧୯୭୫ ମସିହାରେ ସେ ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି ମିସା ଆଇନରେ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ । ସେ ୧୯୮୦ରୁ ୧୯୮୮ ମସିହା ପର୍ଯ୍ୟନ୍ତ ୮ ବର୍ଷ ଧରି ବିଜେପିର ରାଜ୍ୟ ସଭାପତି ରହିଥିଲେ । ପରେ ସେ ବିଜେପି ଛାଡ଼ି ଜନତା ପାର୍ଟିରେ ସାମିଲ ହୋଇଥିଲେ ମଧ୍ୟ ପୁଣିଥରେ ୧୯୯୬ ଏପ୍ରିଲ ମାସରେ ବିଜେପିକୁ ଫେରିଥିଲେ।

ବିଜୁ ପଟ୍ଟନାୟକଙ୍କ ସରକାରରେ ଶ୍ରୀ ହରିଚନ୍ଦନ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ। ସେ ଚିଲିକା ଏବଂ ଭୁବନେଶ୍ୱରରୁ ପାଞ୍ଚ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।ସେ ଦୁଇଥର ଜନତା ଦଳରୁ ଏବଂ ତିନି ଥର ବିଜେପିରୁ ନିର୍ବାଚିତ ହୋଇଛନ୍ତି। ଏହି ବରିଷ୍ଠ ବିଜେପି ନେତା ୨୦୦୪ ମସିହାରେ ବିଜେପି-ବିଜେଡି ମେଣ୍ଟ ସରକାରରେ ନବୀନ ପଟ୍ଟନାୟକ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ। ସେ ରାଜସ୍ୱ, ଆଇନ, ଶିଳ୍ପ ଏବଂ ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି।

ରାଜନୀତି ବ୍ୟତୀତ ସାହିତ୍ୟରେ ବେଶ୍‌ ରୁଚି ରଖିଛନ୍ତି ଶ୍ରୀ ହରିଚନ୍ଦନ। ତାଙ୍କ ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ ରହିଛି ‘ମାତୃଭାଷା’, ‘ଶେଷ ଝଲକ୍‌’, ‘ରାଣା ପ୍ରତାପ’, ‘ଅସ୍ତଶିଖା’ ଓ ‘ମାନସୀ’ ପ୍ରମୁଖ। ଲେଖାଲେଖିରେ ରୁଚି ରଖିଥିବା ବିଶ୍ୱଭୂଷଣ ପାଇକ ଆନ୍ଦୋଳନର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ କରୋନା ରିପୋର୍ଟ ନେଗେଟିଭ୍‌

ଆନ୍ଧ୍ରପ୍ରଦେଶ : ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି । ଆନ୍ଧ୍ର ରାଜଭବନର ଚାରିଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ରାଜ୍ୟପାଳଙ୍କ ନମୁନା ନିଆଯାଇଥିଲା ।  ଚାରି ଆକ୍ରାନ୍ତଙ୍କ ମଧ୍ୟରେ ରାଜ୍ୟପାଳଙ୍କ ମୁଖ୍ୟ ସୁରକ୍ଷା ଅଧିକାରୀ, ରାଜଭବନ ମେଡିକାଲର ଜଣେ ଷ୍ଟାଫ ନର୍ସ, ଜଣେ ହାଉସ୍ କିପିଂ ଷ୍ଟାଫ ଓ ରୋଷେୟା ରହିଛନ୍ତି । ତେବେ ଏହି ଆକ୍ରାନ୍ତମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବାରୁ ଓ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସିଧାସଳଖ ଆସିଥିବାର ସୂଚନା ରହିଥିଲା । ସମସ୍ତ କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପଜିଟିଭ୍‌ ଆସିବାପରେ ରାଜଭବନକୁ ବିଶୋଧନ କରାଯାଇଥିଲା । ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ସରକାରୀ ବାସଭବନ ବିଜୟଓ୍ବାଡାରେ ରହିଥିବାବେଳେ ଏହି ଅଞ୍ଚଳଟି ଏବେ କରୋନା ହଟସ୍ପଟ୍‌ ରହିଛି। ଏଠାରେ 100ରୁ ଅଧିକ କରୋନା ସଂକ୍ରମିତ ରହିଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ 1000ରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 31ରେ ପହଞ୍ଚିଛି।