Categories
ଆଜିର ଖବର

ବିଜେଡ଼ିର ହକ୍‌, ବିଜେପିର ସଂକଳ୍ପ ରାଜନୀତି

ନିର୍ବାଚନ ତାରିଖ ଘୋଷଣା ହେବା ପରେ  ରାଜ୍ୟରେ ରାଜନୀତି ପୂରା ଜୋର ଧରିଛି। ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରେ ରାହୁଲଙ୍କ ମୋହର ବସାଇବାକୁ କଂଗ୍ରେସର ତୁଙ୍ଗନେତା ଦିଲ୍ଲୀରେ ଡେରା ପକାଇଛନ୍ତି। ଶାସକ ବିଜେଡ଼ି କେନ୍ଦ୍ରୀୟ ଅବହେଳା ପ୍ରତିବାଦରେ ଆରମ୍ଭ କରିଛି ‘ହକ୍ ମାଗୁଛି ଓଡ଼ିଶା’ ଅଭିଯାନ।  ଓଡିଶା ପ୍ରତି କେନ୍ଦ୍ର ସରକାରର ପ୍ରତାରଣା, ଅବହେଳା, ବୈମାତୃକ ମନୋଭାବ ବିରୋଧରେ ରାସ୍ତାକୁ ଓହ୍ଲାଇଛି ଯୁବ ଓ ଛାତ୍ର ବିଜୁ ଜନତା ଦଳ । ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା , ନିଯୁକ୍ତି, ମହାନଦୀ, ଜାତୀୟ ରାଜପଥ, ଟେଲିକମ, ରେଳବାଇ, ବ୍ୟାଙ୍କସେବା, କୋଇଲା, ସର୍ବନିମ୍ନ ସହାୟକ ମୂଲ୍ୟ, ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ବୃତି, ଉଜ୍ଜଳା ଆଜି ୧୧ଟି ପ୍ରସଙ୍ଗ ନେଇ ଲଢ଼େଇ କରିବାକୁ ନିଷ୍ପତି ନେଇଛି ବିଜେଡି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ପ୍ରତି ଜିଲ୍ଲାର ଗ୍ରାମପଂଚାୟତଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ପଥପ୍ରାନ୍ତ ସଭା କରି କେନ୍ଦ୍ର ସରକାରଙ୍କ ଅସଲ ମୁଖା ଖୋଲାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ସେହିପରି ରାଜ୍ୟରେ ବିଜେପି ନବୀନ ସରକାରଙ୍କୁ ବଦଳାଇବାର ଆହ୍ବାନ ନେଇ ଆରମ୍ଭ କରିଛି ‘ବିଜୟ ସଂକଳ୍ପ’ ଅଭିଯାନ । ପୂର୍ବରୁ ‘ମୋ ଘର ବିଜେପି ପରିବାର’ କାର୍ଯ୍ୟକ୍ରମ ଆରମ୍ଭ କରିଥିବାବେଳେ ବିଜେପି ଏହି ବିଜୟ ସଂକଳ୍ପ ଅଭିଯାନ ଜରିଆରେ ଜନସାଧାରଣଙ୍କ ନିକଟତର ହେବାକୁ ପ୍ରୟାସ କରୁଛି ।