Categories
ଆଜିର ଖବର

ବିଜେପିରେ ଯୋଗଦେଲେ ରବି ମଲ୍ଲିକ

ବିଜେଡିର ପୂର୍ବତନ ବିଧାୟକ ରବି ମଲ୍ଲିକ ବିଜେପିରେ ଯୋଗଦେଇଛନ୍ତି। ଆଜି  ବିଜେଡିରୁ ଇସ୍ତଫା ପ୍ରଦାନ କରିଥିଲେ। ବିଜେଡି ସଦସ୍ୟ ପଦରୁ ଇସ୍ତଫା ଦେବା ସଙ୍ଗେ ସଙ୍ଗେ ଯୋଜନା ବୋର୍ଡ ସଦସ୍ୟ ପଦରୁ ମଧ୍ୟ ନିଜର ଇସ୍ତଫା ପ୍ରଦାନ କରିଥିଲେ। ଦଳରେ ତାଙ୍କୁ ଅଣଦେଖା କରାଯାଇଥିବା ତଥା ଅବିଚାର କରାଯାଇଥିବା ନେଇ ସେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ ବୋଲି ଉଲ୍ଲେଖ କରିଛନ୍ତି। ବିଜେଡି ପକ୍ଷରୁ ସୁରେନ୍ଦ୍ର ସେଠୀଙ୍କୁ କାକଟପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିବା ପରେ ଅସନ୍ତୋଷ ଜାହିର କରି ଇସ୍ତଫା ପ୍ରଦାନ କରିଛନ୍ତି ଶ୍ରୀ ମଲ୍ଲିକ। ଆଜି ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। ତେବେ ଶ୍ରୀମଲ୍ଲିକ କାକଟପୁର ନିର୍ବାଚନ ମଣ୍ଡଳୀରୁ ବିଜେପିର ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଚାଲିଛି।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

୪ ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ଭାରତୀୟ ଜନତା ପାର୍ଟି(ବିଜେପି) ବୁଧବାର ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘେଷଣା କରିଛି। ଗତକାଲି ବିଜେପିରେ ମିଶିଥିବା ରଘୁନାଥ ମହାନ୍ତିଙ୍କୁ ଦଳ  ବସ୍ତାରୁ ପ୍ରାର୍ଥୀ କରିଥିବା ବେଳେ ଆଉ କିଛି ବିଧାନସଭା ଆସନ ପାଇଁ ଏଯାଏଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ ଦଳ। ଚମ୍ପୁଆ, ଭୋଗରାଇ, ବସ୍ତା ଓ ନିଆଳି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ବସ୍ତାରୁ ରଘୁନାଥ ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିଛି। ଚମ୍ପୁଆ ପାଇଁ ମୁରଲୀ ଶର୍ମା, ଭୋଗରାଇ ପାଇଁ ମାନସ ମହାନ୍ତି ଏବଂ ନିଆଳିରୁ ଛବି ମଲ୍ଲୀକଙ୍କୁ ଦଳ ପ୍ରାର୍ଥୀ କରିଛି। ଦଳ ପକ୍ଷରୁ କେବଳ କାକଟପୁର ଏବଂ କେନ୍ଦ୍ରାପଡା ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି।

 

Categories
ଆଜିର ଖବର

ବିଜେପିରେ ସାମିଲ୍‌ ହେଲେ ରଘୁନାଥ ମହାନ୍ତି

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରଘୁନାଥ ମହାନ୍ତି ବିଜେପିରେ ଯୋଗଦେଇଛନ୍ତି । ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ବିଶ୍ୱଭୁଷଣ ହରିଚନ୍ଦନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି । ଆଜି ରଘୁନାଥ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଗତ ଦୁଇଦିନ ତଳେ ସେ ଉଠାଜଳସେଚନ ନିଗମର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ବିଜୁ ଜନତା ଦଳରୁ ମଧ୍ୟ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବା ପରେ ସେ ଦଳୀୟ ନେତୃତ୍ୱ ଉପରେ ବର୍ଷିଥିଲେ ।  ରଘୁନାଥ ବାଲେଶ୍ବର ଜିଲ୍ଲାର ଜଣେ ଟାଣୁଆ ନେତା ସହ ବସ୍ତା ବିଧାନସଭାର  ବିଧାୟକ ରହିଥିଲେ ।

Categories
ଆଜିର ଖବର

ବିଜେପିରେ ଯୋଗଦେଲେ ଜୟନ୍ତ  ଓ ସଂଜୀବ

ପୁରୀର ପୂର୍ବତନ ନଗରପାଳ ଜୟନ୍ତ ଷଡଙ୍ଗୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଜୟନ୍ତଙ୍କ ସହ ପୁରୀ ସହରର ଅନେକ ବିଜେଡ଼ି କର୍ମୀମାନେ ବିଜେପିରେ ଯୋଗଦେଇଛନ୍ତି। ଗତ କିଛିଦିନ ତଳେ ସେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ। ମହେଶ୍ବର ମହାନ୍ତିଙ୍କ ଏକାଚାଟିଆ ଅଧିକାର ପାଇଁ ସେ ଅସନ୍ତୁଷ୍ଟ ରହିଥିଲେ। ବିଜେପିର ରାଜ୍ୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ୍‌ ହୋଇଛନ୍ତି। ବିଜେପି କାର୍ଯ୍ୟାଳୟରେ ଚାଲିଥିବା ମିଶ୍ରଣ ପର୍ବରେ ଆଜି ବୀରମିତ୍ରପୁର ବିଜେଡିର ପୂର୍ବତନ ବିଧାୟକ ପ୍ରାର୍ଥୀ ସଂଞ୍ଜୀବ ପ୍ରସାଦ ସିଂଦେଓ, ଉଦଳା ବ୍ଲକର ଅଧ୍ୟକ୍ଷା ଶ୍ରୀମତି କୁମାରୀ ମୁର୍ମୁ, ଉଦଳା ବ୍ଲକ ମହିଳା ସଭାନେତ୍ରୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଲଳିତା ବିଶୋଇ, ଉଦଳା ବ୍ଲକର ଉପାଧ୍ୟକ୍ଷ ଶ୍ରୀ ପରେଶ କୁମାର ବେହେରା ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି।

Categories
ଆଜିର ଖବର

ବିଜେପି ତରଫରୁ ଗୁଜୁରାଟର ଚାରୋଟି ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା­

ଭାରତୀୟ ଜନତା ପାର୍ଟି ତରଫରୁ ଗୁଜୁରାଟର ଚାରି ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ରବିବାର ଦିନ ୧୩ତମ ସୂଚି ଜାରି କରି ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବିଜେପିର ନିର୍ବାଚନ ସମିତି ପ୍ରଭାରୀ ଜେ.ପି. ନଡ୍ଡା ଆଜି ୪ଟି ଲୋକସଭା ପ୍ରାର୍ଥୀଙ୍କ ସହ ଗୋଟିଏ ବିଧାନସଭା ଆଶାୟୀ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି। ଭାରତ ସିଂହ ଡାବିଙ୍କୁ ପାଟନ, ମିତେଶ ଭାଇ ପଟେଲଙ୍କୁ ଆଣନ୍ଦ, ରାଜେଶ ଭାଇ ଚୁଡାମ୍ସାଙ୍କୁ ଜୁନାଗଡ଼, ଗୀତା ବେନ୍‌ ରାଠ୍‌ବାଙ୍କୁ ଛୋଟା ଉଦୟପୁରର ପ୍ରାର୍ଥୀ ଘୋଷଣା କରିଛନ୍ତି। ଜସ୍‌ଭାଇ ବରାଡ଼ଙ୍କୁ ତଲାଲା ବିଧାନସଭା ଆସନରୁ ପ୍ରାର୍ଥୀ ଟିକେଟ ଦିଆଯାଇଛି।

Categories
ବିଶେଷ ଖବର

ଦଳ ବଦଳକାରୀଙ୍କୁ ନେଇ କାହାର ଲାଭ ହେବାର ନାହିଁ ; ସେମାନେ ନା ଏ କୁଳର ନା ସେ କୁଳର !

କେଦାର ମିଶ୍ର

ମୋହନ ଜେନା ବିଜେପିର ଲୋକସଭା ପ୍ରାର୍ଥୀ ହେଲେ କେତେ ଭୋଟ ପାଇବେ ?

ଆଜି ଏ ପ୍ରଶ୍ନ ମୋହନ ଜେନାଙ୍କର ଜଣେ ବନ୍ଧୁ ତାଙ୍କର ଆଉ ଜଣେ ବନ୍ଧୁଙ୍କୁ ପଚାରିଥିଲେ। ବନ୍ଧୁ ଜଣକ ବିଦ୍ରୂପମିଶା ହସ ହସି ଉତ୍ତର ଦେଇଥିଲେ, ସେ ତ କାହାର ନୁହନ୍ତି, ତାଙ୍କୁ ଭୋଟ ଦେବ କିଏ !

ନିର୍ବାଚନ ସମୟରେ ଏମିତି ବିଚିତ୍ର ପ୍ରଶ୍ନ ଓ ଉତ୍ତର ସବୁ ମିଳିଥାଏ। ନିର୍ବାଚନର ଧାରା ଓ ତାର ଗତି ବିଷୟରେ ଜାଣିବାକୁ ଏ ପ୍ରଶ୍ନ ଓ ଉତ୍ତର ସବୁ ବେଶ ଗୁରୁତ୍ୱପୂର୍ଣ୍ଣ। ଯାଜପୁରର ପୂର୍ବତନ ଲୋକସଭା ସଦସ୍ୟ ମୋହନ ଜେନା ଆଜି ଯେତେବେଳେ ଭାରତୀୟ ଜନତା ପାର୍ଟିର ଗେରୁଆ ଟୋପି ପିନ୍ଧିଲେ, ସେ ସମୟରେ ତାଙ୍କର ବନ୍ଧୁମାନେ ତାଙ୍କ ଭବିଷ୍ୟତର ଆକଳନ ଯେ କ୍ରୂର ଭାଷାରେ କେରିବେ ସେକଥା ଆମେ ଭାବି ପାରୁନାହୁଁ। ସତ କହିବାକୁ ଗଲେ ମୋହନ ଜେନା ଏବେ ଆଉ ଯାଜପୁର ଜିଲ୍ଲାର ଟାଣୁଆ ନେତା ହୋଇ ରହିନାହାନ୍ତି।୨୦୧୪ ରେ  ବିଜୁ ଜନତା ଦଳର ଟିକଟ ନ ପାଇବା ପରଠୁ ସେ ଏକ ପ୍ରକାର କୋଣଠେସା ହୋଇ ପଡି ରହିଥିଲେ। ଗତକାଲି ସେ ବିଜେପିରେ ଯୋଗଦେବାକୁ ଆସିନଥିଲେ, ସେ ଯେ ରାଜନୀତିରେ ଅଛନ୍ତି ଏକଥା ଲୋକ ଜାଣି ବି ନଥାନ୍ତେ। ଲୋକସ୍ମୃତିରେ ନଥିବା ନେତାମାନେ ନିର୍ବାଚନ ସମୟରେ ହଠାତ ଆସି ଆବିର୍ଭାବ ହୁଅନ୍ତି ଓ ନିର୍ବାଚନ ପରେ ପୁଣି ମିଳେଇ ଯାଆନ୍ତି।  ମୋହନ ଜେନା ଏବେ ଆପାତତଃ ସେଇ ପରିଚୟରେ ରହିବେ।

ଇତିମଧ୍ୟରେ ଓଡିଶା ରାଜନୀତିରେ ଦଳବଦଳ ପ୍ରକ୍ରିୟା ଅବ୍ୟାହତ ରହିଛି। ବିଜେଡ଼ିରୁ ବିଜେପିକୁ ଓ ବିଜେପିରୁ ବିଜେଡ଼ିକୁ ପ୍ରତିଦିନ ନେତାଙ୍କର ଯିବା ଆସିବା ଚାଲିଛି। ଯିଏ ଏଠୁ ଟିକଟ ପାଉନି ସେଠିକି ଯାଉଛି ଓ ଯେ ସେଠୁ ନିରାଶ ହେଉଛି, ଏଠି ତାକୁ ଆଶାର କିରଣ ଦେଖାଯାଉଛି। ସେଇ କ୍ରମରେ ଆଜି ଭଦ୍ରଖରୁ ଲୋକସଭାକୁ ଆଠ ଥର ନିର୍ବାଚିତ ହୋଇଥିବା ପୂର୍ବତନ ଲୋକସଭା ସଦସ୍ୟ ଅର୍ଜୁନ ଚରଣ ସେଠି ବିଜେଡ଼ିରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ। ଅବଶ୍ୟ ଅର୍ଜୁନ ବାବୁଙ୍କ ଦୀର୍ଘ ରାଜନୈତିକ ଯାତ୍ରାରେ ସେ କଂଗ୍ରେସ, ଜନତା ଦଳ ଓ ବିଜୁ ଜନତା ଦଳ ଦେଇ ଆସି ସାରିଥିଲେ। ୧୯୭୧ ଓ ୧୯୮୦ ରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ଲୋକସଭାକୁ ଯାଇଥିଲେ। ତେବେ ସର୍ବାଧିକ ପାଞ୍ଚ ଥର ସେ ବିଜେଡି ଟିକଟରେ  ଲୋକସଭାକୁ ଯାଇଛନ୍ତି। ବିଜେଡି କୋଟାରେ ଏନଡିଏ ସରକାରରେ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ହେଲେ ରାଜନୀତିରେ ସଦାକାଳେ ସେ ଚିରକାଳ ବାମନ ହୋଇ ରହିଯାଇଛନ୍ତି। ୫୦ ବର୍ଷର ଦୀର୍ଘ ରାଜନୈତିକ ଯାତ୍ରା, ୮ ଥର ଲୋକସଭା ସଦସ୍ୟ, ଦୁଇ ଥର ବିଧାନସଭା ସଦସ୍ୟ, କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ, ତା ପରେ ବି ଓଡିଶା ରାଜନୀତିରେ ଅର୍ଜୁନ ଚରଣ ସେଠି ସେମିତି ଏକ ପ୍ରଭାବଶାଳୀ ଚରିତ୍ର ନୁହନ୍ତି।

ସେ ଯାହା ବି ହେଉ, ତାଙ୍କର ବିଜେଡି ଛାଡିବା କିନ୍ତୁ ବ୍ୟକ୍ତିଗତ ଭାବ ପ୍ରବଣତାର କଥା। ସେ ବିଜେଡି ଛାଡିଲେ ନିଜ ପୁଅ ପାଇଁ ଟିକଟ ଖଣ୍ଡେ ଯୋଗାଡ କରି ନପାରି। ସେ ଟିକଟ ଖଣ୍ଡକ ବିଜେପିରୁ ହୁଏତ ତାଙ୍କୁ ମିଳିପାରେ। ତେଣୁ ଅର୍ଜୁନ ବାବୁଙ୍କୁ ଜଣେ ପୁତ୍ର ବତ୍ସଳ ପିତା ଭାବରେ ଆମେ ଦେଖିପାରିବା। ବିଜେପିରେ ତାଙ୍କ ପୁଅର ଥଇଥାନ କରିବାକୁ ସେ ଯାଇଛନ୍ତି। ହେଲେ ମୋହନ ଜେନା ବିଜେପିକୁ ଯିବାର କାରଣ ଆଦୌ ସମ୍ମାନଜନକ ନୁହେଁ।

ମୋହନ ଜେନା ନିଜକୁ ଜଣେ କମ୍ୟୁନିଷ୍ଟ ନେତା ବୋଲି ଦୀର୍ଘଦିନ ଧରି ଦାବି କରି ଆସିଛନ୍ତି। ଅଶି ଦଶକରେ ଏସୟୁସିଆଇ ର ଛାତ୍ର ସଂଗଠନ ଡିଏସଓ ର ଜଣେ ଅଗ୍ନୀବର୍ଷୀ ନେତା ଭାବରେ ତାଙ୍କର ଆବିର୍ଭାବ ହୋଇଥିଲା। ପରେ ସେ ନିଜକୁ ଆମ୍ବେଦକରପନ୍ଥୀ ବୋଲି କହିଲେ। ବିଜେଡିରେ ଯୋଗଦେଇ ଦୁଇଥର ଲୋକସଭାକୁ ଗଲେ। ପରିଶେଷରେ ଯେତେବେଳେ ସେ ଏଯାଏ ସମାଲୋଚନା କରିଆସୁଥିବା ଏକ ଫାସିଷ୍ଟ ଦଳର ଟୋପି ପିନ୍ଧିଲେ ତାପରେ ମଧ୍ୟ ସେ ନିଜକୁ ଆମ୍ବେଦକରପନ୍ଥୀ ବୋଲି କହିଲେ। ତାଙ୍କ ଗେରୁଆ ଗାମୁଛାକୁ ଆମ୍ବେଦକରଙ୍କ ପାଠ, ବୋଧେ ଆମ ସମୟର ସବୁଠୁ ବଡ ଛଳନା। ନିଜ ରାଜନୈତିକ ଅଭିଳାଷ ଲାଗି ଆପଣ କିଛି ବି ଟୋପି ପିନ୍ଧନ୍ତୁ, କିନ୍ତୁ ସେଥିରେ ବିଚାର ଓ ଆଦର୍ଶକୁ ଲଜ୍ଜିତ କରନ୍ତୁ ନାଇଁ।

ଅର୍ଜୁନ ଚରଣ ସେଠି ସେ ଦୃଷ୍ଟିରୁ ସଚ୍ଚୋଟ। ସେ ଖୋଲାଖୋଲି କହିଲେ ପୁଅ ଟିକଟ ଲାଗି ସେ ବିଜେପିକୁ ଆସିଛନ୍ତି। ଅନ୍ତତଃ ମୋହନ ଜେନାଙ୍କ ପରି ଛଳନା କରି ନାହାନ୍ତି। ମିଛରେ ଦଳିତ କାର୍ଡ ଖେଳିବାକୁ ଚାହିଁ ନାହାନ୍ତି। କ୍ଷମତାରେ ଥିଲାବେଳେ ମୋହନ ଜେନାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଯେତେବେଳେ କଳିଙ୍ଗ ନଗର ଗୁଳିକାଣ୍ଡ ଘଟିଲା ସେତେବେଳେ ସେ ଏହାର ନିନ୍ଦା କରିବାକୁ ମଧ୍ୟ ସାହସ ପାଇନଥିଲେ। ଅଥଚ ସେ ଆଜି ଦଳିତ ପ୍ରସଙ୍ଗ ଉଠାଇ ବିଜେପିରେ ମିଶୁଛନ୍ତି। ଛଳନା ର ବି ଗୋଟେ ସୀମା ଥାଏ।

ତେବେ ଅନ୍ତିମ ପ୍ରଶ୍ନ ଟି ହେଉଛି ଦଳ ଛାଡୁଥିବା ଲୋକେ ଅନ୍ତିମ ମୁହୂର୍ତ୍ତରେ ନୂଆ ଦଳକୁ ଗଲେ କିଛି ଲାଭ ପାଇବେ କି ? ଏହାର ସିଧା ଉତ୍ତର ହେଉଛି ଏମାନେ ଏ କୂଳର ହେବେନି କି ସେ କୂଳର ମଧ୍ୟ ହେବେନି !

 

( ଫଟାଫଟ ଖବର ପଢିବା ପାଇଁ ମୋବାଇଲ  ପ୍ଲେ-ଷ୍ଟୋରକୁ ଯାଇ ଡାଉନଲୋଡ୍ କରନ୍ତୁ  Sankhipta ଆପ୍ । ଡାଉନଲୋଡ ପରେ ମୋବାଇଲ ସ୍କ୍ରିନକୁ ଆଙ୍ଗୁଠିରେ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର… )

 

Categories
ଆଜିର ଖବର

ବଢୁଛି ଟିକେଟ ବଣ୍ଟନ ଅସନ୍ତୋଷ : ବିଜେପିରେ ଯୋଗଦେଲେ ଅର୍ଜୁନ୍‌ ଓ ମୋହନ, ଦଳ ଛାଡ଼ିଲେ ପରମାଣିକ

ଟିକେଟ ପାଇବାକୁ ନେଇ ବିଜେଡ଼ି ଦଳ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି। ଆଜି ସକାଳେ ଭଦ୍ରକ ସାଂସଦ ବିଜେଡ଼ି ଦଳ ଛାଡ଼ିଥିବାବେଳେ ବିଜେପି କାର୍ଯ୍ୟାଳୟରେ ଯୋଗଦେଇ ବିଧିବଦ୍ଧ ଭାବରେ ବିଜେପିରେ ସାମିଲ୍‌ ହୋଇଛନ୍ତି। ୮ ଥର ସାଂସଦ ରହିଥିବା ଅର୍ଜୁନ୍‌ ସେଠୀ ଏଥର ବିଜେଡ଼ି ତରଫରୁ ଟିକେଟ ପାଇନଥିବାବେଳେ ତାଙ୍କ ପୁତ୍ର ଅଭିମନ୍ୟୁଙ୍କୁ ପ୍ରାର୍ଥୀ କରିବା ପାଇଁ ଅନୁରୋଧ କରିଥିଲେ ବିଜେଡି ସୁପ୍ରିମୋଙ୍କୁ। କିନ୍ତୁ ତାଙ୍କ ପୁତ୍ରକୁ ଟିକେଟ୍‌ ମିଳିନଥିବାରୁ ସେ କ୍ଷୋଭ ପ୍ରକାଶ କରି ବିଜେଡ଼ି ଛାଡ଼ିଥିଲେ।  ତେବେ ଅର୍ଜୁନ୍‌ ଏବଂ ତାଙ୍କ ପୁତ୍ର ଅଭିମନ୍ୟୁ ଉଭୟ ବିଜେପିରେ ସାମିଲ୍‌ ହୋଇଛନ୍ତି। ଯାଜପୁରର ସାଂସଦ ମୋହନ ଜେନା ମଧ୍ୟ ଆଜି ବିଜେପିରେ ସାମିଲ୍‌ ହୋଇଛନ୍ତି। ରାଜ୍ୟ ବିଜେପିର ମିଶ୍ରଣ ପର୍ବରେ ବିଜେଡ଼ିର ଏହି ନେତାମାନେ ବିଜେପି ଦଳରେ ସାମିଲ୍‌  ହୋଇଛନ୍ତି। ସେହିପରି ଟିକେଟ ବଣ୍ଟନ ଅସନ୍ତୁଷ୍ଟ ହୋଇ ସୋରର ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ ଆଜି ଦଳ ଛାଡ଼ିଛନ୍ତି। ସେ ୨୦୧୪ରେ  କଂଗ୍ରେସ ଛାଡ଼ି ବିଜେଡ଼ିକୁ ଆସିଥିଲେ। ସେ ତାଙ୍କ ଇସ୍ତଫା ପତ୍ର ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି।

Categories
ବିଶେଷ ଖବର

ଗଣ୍ଡଗୋଳିଆ ପୀତାମ୍ବର ଆଚାର୍ଯ୍ୟ, କିଏ ନିଆଁ, କିଏ କାହା ସାଙ୍ଗରେ ଖେଳୁଛି ଓ କେଉଁଥି ପାଇଁ ଏ ଅମାନବୀୟ ନାଟକ ?

କେଦାର ମିଶ୍ର

 

  • ମୁଁ ନିଆଁ, ମୋ ସାଙ୍ଗରେ ଖେଳନାଇଁ।
  • ମୁଁ ମରିପାରେ, କିନ୍ତୁ ମରିବା ଆଗରୁ ଦୁଇ ଚାରି ଜଣଙ୍କୁ……….
  • ମୁଁ ହିଞ୍ଜିଳୀରେ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି…ପ୍ରତିଦ୍ବନ୍ଦ୍ବୀ।
  • ମୁଁ ବଡ ଓକିଲ ତମେ ଜାଣିନ କି? ମୁଁ ଇଲେକ୍ସନ କମିଶନଙ୍କ ଓକିଲ ଥିଲି ବୋଲି ତମେ ଜାଣିନ କି?
  • ମାଜିଷ୍ଟ୍ରେଟ? କି ଚାକିରି ଆପଣଙ୍କର? କଣ୍ଟାକ୍ଚୁଆଲ ପଦରେ ଅଛ କି?
  • ମୁଁ କଟକ ଲୋକସଭା ଲାଗି ପ୍ରାର୍ଥୀ ଥିଲି, ଜିତି ବି ସାରିଥିଲି। ମୋତେ ହିଂଜିଳି ଖାସ କରି ପଠାଯାଇଛି।
  • ତମ ନବୀନ ଗୋଟେ ଆଞ୍ଚଳିକ ଦଳର ପ୍ରାର୍ଥୀ, ମନେରଖ, ମୁଁ ଗୋଟେ ଜାତୀୟ ଦଳର ପ୍ରାର୍ଥୀ। ,
  • ନବୀନ ପଟ୍ଟନାୟକ ହାରିସାରିଲେଣି। ମୋତେ ଅଟକାଇବାର ସାହସ କଲ କେମିତି?

ଏମିତି ଗୋଟେ ଲମ୍ବା ଉଚ୍ଚବାଚ ର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି। ଉପରୋକ୍ତ ସଂଳାପ ସବୁ ଯେ କହିଛନ୍ତି ସେ ହେଉଛନ୍ତି ଓଡିଶା ବିଜେପିର ଜଣେ ମୁଖପାତ୍ର ଓ ହିଂଜିଳି ବିଧାନସଭାରୁ ବିଜେପି ପ୍ରାର୍ଥୀ ଭାବେ ଲଢୁଥିବା ଶ୍ରୀ ପୀତାମ୍ବର ଆଚାର୍ଯ୍ୟ। ସେ ଜଣେ ନାମୀ ଓକିଲ ଭାବରେ ମଧ୍ୟ ଜଣାଶୁଣା। ପୀତାମ୍ବର ବାବୁଙ୍କ ଏ ଭିଡିଓଟିକିକୁ ସେ ନିଜେ ତାଙ୍କ ଫେସବୁକ ପୋଷ୍ଟ ରେ ଛାଡିଛନ୍ତି। ମାର୍ଚ୍ଚ ୨୮ ତାରିଖ ଅପରାହ୍ନ ୪.୨୪ ଘଣ୍ଟାରେ ଛଡ଼ାଯାଇଥିବା ଏ ଭିଡିଓ ଅଗ୍ରଲେଖରେ ପିତାମ୍ବର ଯାହା ଲେଖିଛନ୍ତି, ଭିଡିଓ ରେ ତାର ବିପରୀତ କଥା ଦେଖା ଯାଉଛି। ସେ ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କୁ ଅଯଥାରେ ଅଟକାଇ ଜେରା କଲା, କିନ୍ତୁ ପ୍ରମାଣ ଜଳ ଜଳ ହୋଇ ଦିଶୁଛି ଯେ ଆଚାର୍ଯ୍ୟ ମହାଶୟ ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ଜେରା କରୁଛନ୍ତି। ସେମାନଙ୍କୁ ଖୋଲାଖୋଲି ଧମକ ଦେଉଛନ୍ତି।

ଜଣେ ପୋଲିସ କର୍ମଚାରୀ ଓ ମାଜିଷ୍ଟ୍ରେଟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି। ତାଙ୍କୁ ଖୋଲାଖୋଲି ଶ୍ରୀ ଆଚାର୍ଯ୍ୟ କହୁଛନ୍ତି- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁଗତ ପୋଲିସ। ଜଣେ ସାଧାରଣ ପୋଲିସ କର୍ମଚାରୀ ଓ ମାଜିଷ୍ଟ୍ରେଟଙ୍କୁ ଶାସକ ଦଳର ଅନୁଗତ ବୋଲି କହି ଶ୍ରୀ ଆଚାର୍ୟ ଯାବତୀୟ ଅମାନବୀୟ ଆଚରଣ ପ୍ରଦର୍ଶନ କରିଛନ୍ତି। ଗାଡିରେ ରାଜାଙ୍କ ପରି ବସି ବିନମ୍ରତାର ସହ କଥାବାର୍ତ୍ତା କରୁଥିବା ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ଅତି କଦର୍ୟ ବ୍ୟବହାର ପ୍ରଦର୍ଶନ କରିଛନ୍ତି। ନିଜେ ବଡ ଓକିଲ ବୋଲି ଦେଖେଇ ହେବା ସହିତ ଦାୟିତ୍ବରେ ଥିବା ସରକାରୀ କର୍ମଚାରୀଙ୍କୁ ହେୟ ଓ ତୁଚ୍ଛ ବ୍ୟବହାର ଦେଖାଇଛନ୍ତି। ତାଙ୍କର ପ୍ରତି କଥାରେ ଅହଂକାର ଓ ଧମକ ବାରି ହୋଇପଡୁଛି। ଗୋଟେ ଜାତୀୟ ଦଳର ପ୍ରାର୍ଥୀ ହୋଇଥିବାରୁ ସେ ବୋଧହୁଏ ଭାବୁଛନ୍ତି, ତାଙ୍କୁ ଭଗବାନ ଭାବେ ସମସ୍ତେ ମାନିବା ଦରକାର। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢୁଥିବାରୁ ନିଜକୁ ମୁଖ୍ୟମନ୍ତ୍ରୀଙ୍କ ସମକକ୍ଷ ବୋଲି ଭାବିବାର ପିଲାଳିଆମୀ ତାଙ୍କ କଥାରୁ ବାରି ହୋଇ ଦିଶୁଛି।

ସମୁଦାୟ ଭିଡିଓଟିକୁ ଦେଖିଲେ ମନେ ହେଉଛି, ସତେକି ପୀତାମ୍ବର ଆଚାର୍ଯ୍ୟ ନାମକ ବ୍ୟକ୍ତିଟି ସର୍ବ ଶକ୍ତିମାନ ଓ ତାଙ୍କୁ ଅଟକ ରଖିବାର ସାହସ କରୁଥିବା ପୋଲିସ ଅଧିକାରୀ ଓ ମାଜିଷ୍ଟ୍ରେଟ ନଗଣ୍ୟ ଜୀବ ମାତ୍ର। ଛୋଟ ଚାକିରି କରୁଥିବାରୁ ଓ ନିଷ୍ଠାପର ଭାବରେ ସରକାରୀ କାମ କରୁଥିବାରୁ ସେମାନଙ୍କର ପ୍ରାପ୍ୟ ହେଉଛି ନେତାଙ୍କ ପାଖରୁ ଗାଳି। ଗାଳି କରି, ଅପମାନ ଦେଇ ଓ ହିଂସାତ୍ମକ ଧମକ ଦେଇ ଶ୍ରୀ ଆଚାର୍ଯ୍ୟ ନିଜକୁ “ବେଚାରା” ବୋଲି ଦେଖେଇହେବାର ପ୍ରୟାସ କରିଛନ୍ତି। ପୋଲିସ ଜୁଲମର କଥା ସେ ଲେଖିଛନ୍ତି, ହେଲେ ତାହାର କୌଣସି ପ୍ରମାଣ ନାଇଁ । ଓଲଟି ସେ ପୋଲିସ ଉପରେ ଜୁଲମ କରୁଛନ୍ତି। ନିଜ ବଡ ଓକିଲ ହେବାର ଅହଂକାର ଦେଖାଇ ପୋଲିସକୁ ଡରାଇବାର ଉଦ୍ୟମ କରୁଛନ୍ତି। ଆଇନ ର ପରିସର ବାହାରକୁ ଯାଇ ଦାୟିତ୍ଵରତ ସରକାରୀ କର୍ମଚାରୀଙ୍କୁ ଧମକ ଦେବା ଅଭିଯୋଗରେ ଏ ପ୍ରକାର ବ୍ୟକ୍ତିଙ୍କ ବିରୋଧରେ ନିର୍ବାଚନ କମିଶନ ମକଦ୍ଦମା କରିବା ଉଚିତ। ଏଯାଏ କିନ୍ତୁ ନିର୍ବାଚନ କମିଶନଙ୍କ ନଜରକୁ ଏକଥା ଆସିନାହିଁ।

ତେବେ ପୀତାମ୍ବର ଆଚାର୍ଯ୍ୟଙ୍କ ଏ ପ୍ରକାର ଆଚରଣର କାରଣ କଣ? ମନସ୍ତତ୍ତ୍ଵରେ ଏହାକୁ ଦୁର୍ବଳର ଆକ୍ରମକତା କୁହାଯାଏ। ସେ ପରାଜୟର ଭୟରେ ଏତେଦୂର ପ୍ରଭାବିତ ଯେ, ନିଜ ଭୟକୁ ଚାପିବା ଲାଗି ସେ ଅଧିକ ଉଗ୍ର ବ୍ୟବହାର ପ୍ରଦର୍ଶନ କରିପାରନ୍ତି। ଏଠି ଶ୍ରୀ ଆଚାର୍ୟ ଗୋଟେ ଭୟାଳୁ ପିଲା ଭଳି ପ୍ରଦର୍ଶନ କରୁଛନ୍ତି। ତାଙ୍କ ମୁହଁରେ “ମୁଁ ନିଆଁ, ମୋ ସାଙ୍ଗେ ଖେଳ ନା” ଭଳି ଧମକପୂର୍ଣ୍ଣ ଧାଡି ପଛରେ ପ୍ରକାଣ୍ଡ ଭୟ ବାରି ହୋଇ ପଡୁଛି। ତାଙ୍କୁ କଟକ ଟିକଟ ନଦେଇ ବିଜେପି ନେତାଏ ତାଙ୍କୁ ଯେ ହିଂଜିଳି ପଠାଇ ଅପଦସ୍ତ କରିଛନ୍ତି, ସେ ହତାଶା ମଧ୍ୟ ତାଙ୍କ କଥାରୁ ବେଶ ଜଣା ପଡିଯାଉଛି। ସେ ନିର୍ବାଚନ ପ୍ରଚାରରେ ବାହାରିଛନ୍ତି ଅଥଚ ତାଙ୍କ ସାଙ୍ଗରେ ଜଣେ ବି କର୍ମୀ ବା ନେତା ଦୃଶ୍ୟମାନ ହେଉନାହାନ୍ତି। ହିଞ୍ଜିଳୀରେ ଏକଲା ତାଙ୍କୁ ଛାଡି ଦେଇଥିବା ବିଜେପି ନେତାଙ୍କ ପ୍ରତି ପୀତାମ୍ବରଙ୍କ ରାଗ ପରୋକ୍ଷ ଭାବରେ ସରକାରୀ କର୍ମଚାରୀଙ୍କ ଉପରେ ପଡୁଥାଇପାରେ!

ତେବେ ଏହାର କାରଣ ଯାହା ବି ହେଉ, ଦାୟିତ୍ବରେ ଥିବା ସରକାରୀ କର୍ମଚାରୀଙ୍କୁ ଧମକ ଦେବା ଓ ସେମାନଙ୍କୁ ଅପବ୍ୟବହାର କରିଥିବାରୁ ଶ୍ରୀ ଆଚାର୍ୟଙ୍କ  ବିରୋଧରେ କାର୍ୟାନୁଷ୍ଠାନ ନିହାତି ହେବା ଉଚିତ। ଏ ପ୍ରକାର ଆଚରଣ ଯେ ଜଣେ ରାଜନେତାଙ୍କ ପାଇଁ ଅତ୍ୟନ୍ତ ଅଶୋଭନୀୟ ଓ ନିନ୍ଦନୀୟ ଏହା ମଧ୍ୟ ଶ୍ରୀ ଆଚାର୍ୟ ଜାଣିବା ଦରକାର।

Categories
ବିଶେଷ ଖବର

୨୦୧୯ ନିର୍ବାଚନରେ ବିଜେପିର ନୂଆ କାହାଣୀ, ନବୀନ ପଟ୍ଟନାୟକ ଓ ଅଟଳ ବିହାରୀ ବାଜପାୟୀ ଉଭୟେ ଦୁର୍ନୀତିଗ୍ରସ୍ତ !

କେଦାର ମିଶ୍ର

ଏକଦା ସଂସଦରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ସମାଲୋଚନା କରିବାକୁ ଯାଇ ଆଜିର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ,  ମନମୋହନ ବର୍ଷାତି ପିନ୍ଧି ଗାଧୁଆ ଘରକୁ ଯାଆନ୍ତି। ଏହାର ଅର୍ଥ ହେଉଛି ଯଦିଓ ମନମୋହନ ସିଂ ନିଜକୁ ସ୍ଵଚ୍ଛ ବୋଲି କହନ୍ତି, ତଥାପି ତାଙ୍କ ମନ୍ତ୍ରୀମଣ୍ଡଳରେ ବହୁ ଦୁର୍ନୀତିଖୋର ଲୋକ ରହିଥିଲେ ଓ ତାଙ୍କ ଅମଳରେ ବହୁ ଭ୍ରଷ୍ଟାଚାର ହୋଇଥିଲା। ଏକଥା ଭାରତୀୟ ଜନତା ପାର୍ଟିର ମନେଥିବ ନିଶ୍ଚୟ। ଏବେ ହଠାତ ବିଜେପି ଓଡିଶା ଓ ଏହାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟେ ବିଚିତ୍ର ଅଭିଯୋଗ ଆଣିଛନ୍ତି। ନିର୍ବାଚନର ଆଧାର ମଧ୍ୟ ବଡ ବିଚିତ୍ର। ସୁପ୍ରିମକୋର୍ଟରେ କେହିଜଣେ ବୈଭବ ବର୍ମା ଏକ ପିଟିସନ ଦାଖଲ କରି କହିଲେ ଯେ ମାର୍ଚ୍ଚ ୧୯୯୮ ମସିହାରେ ନାଗପୁରର ଏମଏସ ସେଣ୍ଟ୍ରାଲ କୋଇଲାରି ନାମକ ଏକ କମ୍ପାନୀକୁ କେତୋଟି କୋଇଲା ଖଣି ଭାରତ ସରକାର ଆବଣ୍ଟନ କରିଥିଲେ। ଅଭିଯୋଗର ମୂଳ ବିଷୟ ହେଲା ଏହି କମ୍ପାନୀ ସେତେବେଳେ ପଞ୍ଜିକୃତ ହୋଇନଥିଲା। ଅଭିଯୋଗର ଆଧାର ଠିକ ଅଛି। ତେବେ ଏ ସଙ୍କ୍ରାନ୍ତରେ କିଛି ସାଧାରଣ ପ୍ରଶ୍ନବାଚୀ ମଧ୍ୟ ରହିଛି।

ଘଟଣାଟି ଘଟିଲା ମାର୍ଚ୍ଚ ୧୯୯୮ ରେ । ସେତେବେଳେ ନବୀନ ପଟ୍ଟନାୟକ କେନ୍ଦ୍ରରେ ଖଣି ମନ୍ତ୍ରୀ ଥିଲେ ଓ ଅଳ୍ପ ସମୟ ଲାଗି କୋଇଲା ବିଭାଗ ଦାୟିତ୍ବରେ ରହିଥିଲେ। ଖଣି ବିଭାଗ ଦାୟିତ୍ବରେ ନବୀନ ୧୯ ମାର୍ଚ୍ଚ ୧୯୯୮ ରୁ ୫ ମାର୍ଚ୍ଚ ୨୦୦୦ ପର୍ଯନ୍ତ ଥିଲେ। ସେଥିରୁ ଅତି ଅଳ୍ପ ସମୟ କୋଇଲା ବିଭାଗ ତାଙ୍କ ଅଧୀନରେ ଥିଲା। ଯାହା କୁହାଯାଉଛି ଏହି କୋଇଲା ଖଣି ଆବଣ୍ଟନ ମାର୍ଚ୍ଚ ମାସରେ ହୋଇଥିଲା। ଯଦି ହୋଇଥିଲା କେବେ ଓ ଏହାର ଫାଇଲ କେବଠୁ ଆରମ୍ଭ ହୋଇଥିଲା। ସେତେବେଳେ ପ୍ରଧାନମନ୍ତ୍ରୀ କାର୍ୟାଳୟ ଏ ସମ୍ପର୍କରେ ଅବଗତ ଥିଲେ ନା ନାହିଁ ? ସେତେବେଳେ ଖଣି ମନ୍ତ୍ରୀ ନବୀନ ପଟ୍ଟନାୟକ ଥିବା ବେଳେ ପ୍ରଧାନମନ୍ତ୍ରୀ ଥିଲେ ଅଟଳ ବିହାରୀ ବାଜପାୟୀ। ବାଜପାୟୀ ମନ୍ତ୍ରୀମଣ୍ଡଳ ତାହେଲେ ଦୁର୍ନୀତିଗ୍ରସ୍ତ ଥିଲା ବୋଲି ବିଜେପି ଆଜି ସ୍ଵୀକାର କରୁଛି କି ?

ଯଦି କୌଣସି ଖଣି ଆବଣ୍ଟନରେ ଦୁର୍ନୀତି ହୋଇଥିଲା, ତାହେଲେ ଏ ସମ୍ପର୍କରେ ୧୯୯୮ ରୁ ୨୦୦୪ ଯାଏ ରହିଥିବା ବାଜପାୟୀ ସରକାର ନୀରବ ରହିଥିଲେ କାହିଁକି ? ଜଣେ ତଥାକଥିତ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ସହ ମିଶି ୨୦୦୦ ରୁ ୨୦୦୯, ଦୀର୍ଘ ୯ ବର୍ଷ କାଳ ବିଜେପି ଓଡିଶାରେ ସରକାର ଗଢିଥିଲା କେମିତି? ତିନୋଟି ସାଧାରଣ ନିର୍ବାଚନରେ ନବୀନ ବିଜେପିର ନେତା ନଥିଲେ କି ? ନବୀନଙ୍କ ପରେ ଯେଉଁମାନେ କୋଇଲା ମନ୍ତ୍ରଣାଳୟ ଦାୟିତ୍ବରେ ଥିଲେ ସେମାନେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କି ? ୨୦୦୯ ରେ ନବୀନ ଯଦି ବିଜେପି ସହିତ ନିଜେ ସମ୍ପର୍କ ଛିନ୍ନ କରିନଥାନ୍ତେ ଆଜି ମଧ୍ୟ ବିଜେପି ତାଙ୍କର ଜୁନିଅର ହୋଇ ରହିବାକୁ ଚାହିଁ ନଥାନ୍ତା କି ? ଏଗାର ବର୍ଷ ଧରି ତଥାକଥିତ ଦୁର୍ନୀତିଗ୍ରସ୍ତ ନବୀନଙ୍କ ସହ ବଡ ଆନନ୍ଦରେ କ୍ଷମତା ଭୋଗ କରିଥିବା ବିଜେପି ଆଜି ହଠାତ ଏତେ ଜ୍ଞାନ ପାଇଲା କେମିତି ?

ତେବେ ଏହି ମାମଲାରେ ୨୬, ମାର୍ଚ୍ଚ ୨୦୧୪ ରେ ଏକ ମାମଲା ଦାୟର ହେଲା, ମନମୋହନ ସିଂ ସରକାର ଅମଳରେ। ଏ ପ୍ରସଙ୍ଗରେ ତତ୍କାଳୀନ କୋଇଲାମନ୍ତ୍ରୀଙ୍କୁ କୁଆଡେ ସିବିଆଇ ୨୫, ନଭେମ୍ବର ୨୦୧୭ ରେ ଜେରା ମଧ୍ୟ କରିଥିଲା। ସିବିଆଇ ଏଠି ପତ୍ରଟିଏ ହଲାଇଲେ ବାତ୍ୟା ର ଆଭାସ ସୃଷ୍ଟି କରୁଥିବା ବିଜେପି ଏ ବିଷୟରେ ଗତ ପାଞ୍ଚ ବର୍ଷ ଧରି କିଛି ଜାଣି ପାରିଲା ନାହିଁ କେମିତି ? ମୋଦୀ ସରକାର ଅଟଳ ବିହାରୀ ବାଜପାୟୀ ସରକାର ଅମଳର ଦୁର୍ନୀତିକୁ ଆଜି ନିର୍ବାଚନ ପ୍ରସଙ୍ଗ କରୁଛି। ପାଞ୍ଚ ବର୍ଷ ଧରି ନୁହଁ ବରଂ ୨୧ ବର୍ଷ ଧରି  ଗୋଟେ ଦୁର୍ନୀତିକୁ ଘଣ୍ଟ ଘୋଡାଇ ରଖିଥିବା ମୋଦୀ ସରକାର ଆଜି କେଉଁ ମୁହଁରେ ନିର୍ବାଚନ ପୂର୍ବରୁ ଏହାକୁ ଏକ ପ୍ରସଙ୍ଗ ବୋଲି କହୁଛନ୍ତି ? ଯେଉଁ ବୈଭବ ବର୍ମା ଏ ମାମଲା ସୁପ୍ରିମ କୋର୍ଟରେ ଉଠାଇଛନ୍ତି ତାହାର ସ୍ପଷ୍ଟୀକରଣ ସିବିଆଇ ଦେଉ ନାହିଁ କାହିଁକି ? ସିବିଆଇ ନବୀନ ପଟ୍ଟନାୟକଙ୍କ ଅଧୀନରେ କାମ କରୁଛି କି ? କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ କାମ କରୁଥିବା ଧର୍ମେନ୍ଦ୍ର ପ୍ରଧାନ ଏ ପ୍ରସଙ୍ଗରେ ଗଣ ମାଧ୍ୟମରେ ପ୍ରଶ୍ନ ନ ପଚାରି ତାଙ୍କ ସରକାର ଏ ପ୍ରସଙ୍ଗରେ କଣ ସବୁ ପଦକ୍ଷେପ ନେଇଛନ୍ତି ଜଣାଇବେ କି ? ଏ ମାମଲାରେ ଅନ୍ୟତମ ଅଭିଯୁକ୍ତ କିଛି ମନ୍ତ୍ରୀ ଆଜି ମଧ୍ୟ ମୋଦୀ ସରକାରରେ ରହିଛନ୍ତି ବୋଲି ଶ୍ରୀ ପ୍ରଧାନ ଜାଣିନାହାନ୍ତି କି ?

ସବୁଠୁ ମଜା କଥା ହେଉଛି ଏ ପ୍ରସଙ୍ଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ବେଶ ବଡ ବଡ କଥା କହୁଛନ୍ତି। ଶ୍ରୀ ପଣ୍ଡା ୧୯୯୮ ରୁ ଗତ ବର୍ଷ ପର୍ୟନ୍ତ ନବୀନଙ୍କ ସବୁଠୁ ପ୍ରିୟା ବନ୍ଧୁ ଥିଲେ। ଆଜି ହଠାତ ଏ ନାଟକର କାରଣ କଣ କେବଳ ରାଜନୈତିକ ଶତ୍ରୁତା ? ନିଜର ରାଜନୈତିକ ଖେଳ ଖେଳିବା ସମୟରେ ଯୁକ୍ତି ଓ ସିଦ୍ଧାନ୍ତ ବୋଲି କିଛି ଅଛି ବୋଲି ବୋଧେ ଆମର ନେତାମାନେ ଭୁଲି ଯାଆନ୍ତି । ୧୧୯୮ ର ମାମଲାକୁ ୨୦୧୯ ନିର୍ବାଚନରେ ପ୍ରସଙ୍ଗ କଲେ- ଜଗତେ କେବଳ ଜନେ ହସିବେ, ଏକଥା ବିଜେପି ଭୁଲିଯିବା ଉଚିତ ନୁହେଁ !

Categories
ବିଶେଷ ଖବର

ଅଭିନେତା ତଥା ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଧାନସଭା ପ୍ରାର୍ଥୀ ହେବାକୁ ଆଗ୍ରହୀ, ଚିଲିକାରୁ ପ୍ରାର୍ଥୀ ପାଇଁ ସୁପ୍ରିମୋଙ୍କ ପାଖରେ କଲେ ଗୁହାରୀ

ସମୀକ୍ଷା ବ୍ୟୁରୋ

ଅଭିନେତାରୁ ନେତା ଆଉ ନେତାରୁ ସାଂସଦ ହୋଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କ ବ୍ରହ୍ମପୁର ଟିକେଟ କଟିବା ପରେ ସେ ବିଧାନସଭା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ ସିଦ୍ଧାନ୍ତ ନିଜର ଇଚ୍ଛାକୁ ଦଳର ସୁପ୍ରିମେ଼ୋ ନବୀନ ପଟ୍ଟନାୟକଙ୍କ ନିକଟରେ ଜଣାଇଛନ୍ତି। ବିଜେଡିର ଭିତିରଆ ଖବର ଅନୁସାରେ ସିଦ୍ଧାନ୍ତ କୁଆଡେ ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ଚାହିଁଛନ୍ତି। ସିଦ୍ଧାନ୍ତଙ୍କ ଯୁକ୍ତି ହେଲା ଯେ, ସେ ଚିଲିକା ନିର୍ବାଚନ ମଣ୍ଡଳୀ ସହିତ ବହୁ ବର୍ଷ ଧରି ସଂପର୍କରେ ଅଛନ୍ତି। ତାଙ୍କର ବାପା ଡାକ୍ତର ମନମୋହନ ମହାପାତ୍ର ସେ ଅଞ୍ଚଳର ଜଣେ ପ୍ରତିଷ୍ଠିତ ଚିକିତ୍ସକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ମାମୁଁ ଘର ମଧ୍ୟ ବାଲୁଗାଁ। ସେଥିପାଇଁ ତାଙ୍କୁ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କରାଯାଉ ବୋଲି ଦାବୀ କରିଛନ୍ତି। ତେବେ ଏ ପର୍ଯ୍ୟନ୍ତ ବିଜେଡି ସୁପ୍ରିମୋ କୌଣସି ସିଦ୍ଧାନ୍ତରେ ପହଁଚି ନାହାଁନ୍ତି।

ସିଦ୍ଧାନ୍ତ ଏଥର ମଧ୍ୟ ବ୍ରହ୍ମପୁର ଆସନରୁ ପ୍ରାର୍ଥୀ ହେବା ପାଇଁ ଆଗ୍ରହୀ ଥିଲେ। ହେଲେ ଗଂଜାମ ରାଜନୈତିକ କନ୍ଦଳ ଭିତରେ ତାଙ୍କର ଟିକେଟ କଟିଗଲା। ୨୦୦୯ ମସିହାରେ ଯେତେବେଳେ ବିଜେଡି ସିଦ୍ଧାନ୍ତଙ୍କୁ ବ୍ରହ୍ମପୁର ଲୋକସଭା ଆସନ ଟିକେଟ ଦେଇଥିଲା, ସେତେବେଳେ ରାଜନୈତିକ ମହଲରେ ଏକ ଚର୍ଚ୍ଚାର ବିଷୟ ଥିଲା। କାରଣ ସେତେବେଳେ ତତକାଳୀନ କେନ୍ଦ୍ର ମନ୍ତ୍ରୀ ଥିବା ଚନ୍ଦ୍ରଶେଖର ସାହୁଙ୍କୁ ସେ ଟକ୍କର ଦେଇଥିଲେ। ଚନ୍ଦ୍ରଶେଖରଙ୍କ ପରି ଜଣେ ଟାଣୁଆ ନେତାଙ୍କୁ ସିଦ୍ଧାନ୍ତ ହରାଇବା ଏକ ବଡ ଉଦାହରଣ ସୃଷ୍ଟି ହୋଇଥିଲା। ଏହାପରେ ନବୀନ ୨୦୧୪ରେ ମଧ୍ୟ ତାଙ୍କୁ ଟିକେଟ ଦେଇଥିଲେ। ହେଲେ ଏଥର ଟିକେଟ ନ ମିଳିବାରୁ ନିରାଶ ସିଦ୍ଧାନ୍ତ ନିର୍ବାଚନ ମଇଦାରୁ ନ ହଟିବା ପାଇଁ ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ଆଶା କରିଛନ୍ତି।

ତେବେ ଦଳ ପୂର୍ବରୁ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ଭୁବନେଶ୍ବର ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ମନୋନିତ କରିଥିଲା। ସେଥିପାଇଁ ଦଳୀୟ ସୁପ୍ରିମୋ ପାଟ୍ଟଶାଣୀଙ୍କୁ ନବୀନ ନିବାସ ଡାକି ଏ ସଂପର୍କରେ ତାଙ୍କର ମତ ମଧ୍ୟ ନେଇଥିଲେ। ସୁପ୍ରିମୋ କହିଥିଲେ ଯେ, ତୁମକୁ ଆଉ ଭୁବନେଶ୍ବର ଆସନ ଦିଆଯିବ ନାହିଁ। ତୁମେ କେନ୍ଦ୍ରାପଡା ଲୋକସଭା ପାଇଁ ପ୍ରାର୍ଥୀ ହୁଅ। ହେଲେ ସେତେବେଳେ ପ୍ରସନ୍ନ ପାଟ୍ଟଶାଣୀ କେନ୍ଦ୍ରାପଡା ଯିବାକୁ ମନା କରିଥିଲେ। ଏହାପରେ ପୁଣି ଥରେ ସୁପ୍ରିମୋ ତାଙ୍କୁ ଚିଲିକାରୁ ପ୍ରାର୍ଥୀ ହେବା ପାଇଁ କହିଥିଲେ। ହେଲେ ସେ ରୋକଠୋକ ମନାକରି କହିଥିଲେ ଯେ, ଭୁବନେଶ୍ବର ବ୍ୟତିତ ଅନ୍ୟ କୌଣସି ସ୍ଥାନରେ ଲଢେଇ କରିବେ ନାହିଁ। ଅନ୍ୟପକ୍ଷରେ ଭଲ ଭାଷଣ ଦେଇପାରୁଥିବା ଏବଂ ନିର୍ମଳ ଭାବମୂର୍ତ୍ତି ଥିବା ବାବା ପାଟ୍ଟଶାଣୀଙ୍କୁ ଦଳ ନିରାଶ କରିବାକୁ ଚାହୁଁ ନ ଥିଲା। ଏ ସବୁ ପ୍ରସ୍ତାବରେ ପାଟ୍ଟଶାଣୀ ରାଜି ନ ହେବାରୁ ତାଙ୍କୁ ଦଳ ରାଜ୍ୟସଭା ଥୋପ ଦେଇ ସନ୍ତୁଷ୍ଠ କରାଇ ଦେଇଛି। ନଚେତ ସେ ମଧ୍ୟ ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାର ନିଷ୍ପତି ହୋଇଥିଲା।

ଅନ୍ୟପଟେ ଚିଲିକା ପାଇଁ ଆଉ ଜଣେ ବିଧାୟକ ମଧ୍ୟ ଆଖି ପକାଇଛନ୍ତି। ସେ ହେଉଛନ୍ତି ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବ। ପ୍ରଶାନ୍ତଙ୍କୁ ଏଥର ବେଗୁନିଆ ଟିକେଟ ଦିଆଯାଉ ନାହିଁ ବୋଲି ସେ ସ୍ପଷ୍ଟ ହୋଇସାରିଲେଣି। ସେଥିପାଇଁ ତାଙ୍କୁ ଚିଲିକାରୁ ପ୍ରାର୍ଥୀ କରାଯାଉ ବୋଲି କୁଆଡେ ପ୍ରଶାନ୍ତ ସୁପ୍ରିମୋଙ୍କୁ ଜଣାଇଛନ୍ତି। ତାଙ୍କର ଦାବୀ ହେଲା ସେ ଏକଦା ଖୋର୍ଦ୍ଧାର ଜିଲ୍ଲା ସଭାପତି ଥିବା ବେଳେ ଚିଲିକା ସହିତ ଘନିଷ୍ଠ ସଂପର୍କରେ ଅଛନ୍ତି। ଅନ୍ୟପଟେ ଚିଲିକା ଏକ ଖଣ୍ଡାୟତ ବହୁଳ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ସେଠାରେ ଜଣେ ଖଣ୍ଡାୟତ ପ୍ରାର୍ଥୀର ଆବଶ୍ୟକତା ରହିଛି। ସେଥିପାଇଁ ସେ ମଧ୍ୟ ସୁପ୍ରିମୋଙ୍କୁ ଏହି ପ୍ରସ୍ତାବ ଦେଇଥିବାର ଜଣାପଡିଛି। ଏସବୁ ଭିତରେ ବର୍ତ୍ତମାନ ବିଜେଡି କାହାକୁ ପ୍ରାର୍ଥୀ କରିବ କାହାକୁ କାଟିବ ସେ ନିଷ୍ପତି ନେଇପାରି ନାହିଁ।

 

Categories
ଆଜିର ଖବର

ବିଜୟଙ୍କ ଘରବାହୁଡା : ବିଜେପିକୁ ପ୍ରତ୍ୟାବର୍ତ୍ତନ କଲେ ବିଜୟ

ବରିଷ୍ଠ ନେତା ବିଜୟ ମହାପାତ୍ର ପୁଣି ବିଜେପିକୁ ଫେରିଛନ୍ତି। ଆଜି ବିଜୟ ମହାପାତ୍ରଙ୍କ ବାସଭବନରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଏବଂ ବୈଜୟନ୍ତ ପଣ୍ଡା ପହଞ୍ଚି ଆଲୋଚନା କରିବା ପରେ ବିଜୟ ଦଳରେ ସାମିଲ ହେବା ନେଇ ସୂଚନା ଦେଇଛନ୍ତି। ନିଜ ପ୍ରତିକ୍ରିୟାରେ ବିଜୟ କହିଛନ୍ତି ଅରୁଣ ଏବଂ ବୈଜୟନ୍ତଙ୍କ ସହିତ ଆଲୋଚନା ଏବଂ ଅମିତ ଶାହାଙ୍କ ସହିତ ଫୋନ୍‌ରେ ବାର୍ତ୍ତାଳାପ ପରେ ଦଳକୁ ଫେରିବାର ନିଷ୍ପତ୍ତି ନେଇଛି। ଦେଶରେ ନୂତନ ପରିବର୍ତ୍ତନ ପାଇଁ ଏକାଠି ହୋଇ ଲଢିବାକୁ ନିଷ୍ପତ୍ତି ନେଇଛୁ। ଗତବର୍ଷ ନଭେମ୍ବର ୩୦ରେ ଦଳରୁ ଇସ୍ତଫା ଦେଇଥିଲେ ଏହି ବରିଷ୍ଠ ନେତା। ବିଜୟଙ୍କ ଇସ୍ତଫା ପତ୍ର ସ୍ବୀକାର କରାଯାଇନଥିଲା ବୋଲି ରାଜ୍ୟ ବସନ୍ତ ପଣ୍ଡା ଘୋଷଣା କରିଥିଲେ। ବିଜୟ ସାମିଲ ହେବା ପରେ ବିଜେପିର ଶକ୍ତି କେନ୍ଦ୍ରାପଡା ଜିଲ୍ଲାରେ ଆହୁରି ମଜବୁତ ହେବ ବୋଲି କୁହାଯାଇଛି। ବିଜୟଙ୍କୁ ଦଳ ମହାକାଳପଡା କିମ୍ବା ପାଟକୁରାରୁ ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ କି, ଗତ ସାଧାରଣ ନିର୍ବାଚନରେ ବିଜୟ ମହାକାଳପଡାରୁ ଲଢି ପ୍ରାୟ ୫୭୦୦୦ ଭୋଟ ପାଇଥିଲେ।

Categories
ଆଜିର ଖବର

ଗୋଆ ବିଧାନସଭାର ଦୁଇ ଏମ୍‌ଜିପି ବିଧାୟକ ବିଜେପିରେ ସାମିଲ

ଗତ ବିଳମ୍ବିତ ରାତ୍ରୀରେ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର (ଏମ୍‌ଜିପି) ତିନି ଜଣ ବିଧାୟକଙ୍କ ମଧ୍ୟରୁ ଦୁଇଜଣ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ବାେଲି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ସୂଚନା ଦେଇଛନ୍ତି। ଫଳରେ ୩୬ ସଦସ୍ୟବିଶିଷ୍ଟ ଗୃହରେ ବିଜେପିର ବିଧାୟକଙ୍କ ସଂଖ୍ୟା ୧୨ ରୁ ୧୪ କୁ ବୃଦ୍ଧି ପାଇଛି। ଏବେ ବିଜେପିର ସଦସ୍ୟ ସଂଖ୍ୟା ଗୃହରେ ବିରୋଧୀ କଂଗ୍ରେସ ପାର୍ଟିର ସଦସ୍ୟଙ୍କ ସମକକ୍ଷ ହୋଇପାରିଛି। ଦସ୍ତଖତ ହୋଇଥିବା ଗୋଟିଏ ଚିଠିରେ ଦୁଇ ବିଧାୟକ ମନୋହର ଆଜ୍‌ଗାଓଁକର୍‌ ଏବଂ ଦୀପକ ପୌସ୍କର କହିଛନ୍ତି ଯେ ସେମାନେ ଏମ୍‌ଜିପିକୁ ବିଜେପି ସହ ସାମିଲ କରିଛନ୍ତି। କିନ୍ତୁ ଗୋଆରେ ବିଜେପି ନେତୃତ୍ୱାଧୀନ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ତୃତୀୟ ବିଧାୟକ ସୁଦିନ ଧାଓ୍ଵଲିକର ସେ ଚିଠିରେ ଦସ୍ତଖତ କରି ନାହାନ୍ତି। ରାତି ୧.୩୦ରେ ଗୋଆ ବିଧାନସଭାର ବାଚସ୍ପତି ମାଇକେଲ୍‌ ଲୋବୋଙ୍କ ନିକଟକୁ ଏହି ପତ୍ର ପଠାଯାଇଥିଲା।  ଦଳର ଦୁଇ ତୃତୀୟାଂଶ ସଦସ୍ୟ ବିଜେପି ସହିତ ଯେଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମିଶ୍ରଣ ଭାରତୀୟ ସମ୍ବିଧାନ ଅନୁଯାୟୀ ହେବ ବାେଲି ଲୋବୋ ପ୍ରକାଶ କରିଛନ୍ତି। ଉଭୟ ନେତା ଗୋଆ ରାଜ୍ୟପାଳଙ୍କ ଉପସ୍ଥିତିରେ ଆଜି ମଧ୍ୟାହ୍ନରେ ଶପଥ ଗ୍ରହଣ ଉତ୍ସବ ହେବ। ଗୋଆ ମୁଖ୍ୟମନ୍ତ୍ରୀ ଆମକୁ ଯେଉଁ ମନ୍ତ୍ରାଳୟ ଦେବେ ଆମେ ତାହା ଗ୍ରହଣ କରିବୁ ବୋଲି ଉଭୟ ପ୍ରକାଶ କରିଛନ୍ତି। ଏହି ମିଶ୍ରଣକୁ ଗୋଅ ପିସିସି  ମୁଖପାତ୍ର ସୁନୀଲ କଓ୍ବାଥଙ୍କର କହିଛନ୍ତି ଏହା ହିଁ ବିଜେପିର ଅସଲ ରୂପ। ନିଜର ଅଂଶୀଦାର ଦଳଙ୍କୁ ମଧ୍ୟ ଏହା ଛାଡୁନାହିଁ। ତେଣୁ ଏହା କେନ୍ଦ୍ରରେ ଏନ୍‌ଡିଏର ଅଂଶୀଦାର ଦଳ ମାନଙ୍କ ପାଇଁ ସତର୍କ ଘଣ୍ଟି। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ ବିଜେପିକୁ ୨୦ ସଦସ୍ୟଙ୍କ ସମର୍ଥନ ମିଳିଥିଲା। ବିଜେପିର ୧୧ ସଦସ୍ୟ, ଏମ୍‌ଜିପି ଏବଂ ଗୋଆ ଫରଓ୍ବାର୍ଡ ପାର୍ଟିର ତିନି ଜଣ ଲେଖାଏଁ ସଦସ୍ୟ ରହିଥିବା ବେଳେ ଅନ୍ୟ ଭୋଟ ସ୍ବାଧୀନ ସଦସ୍ୟଙ୍କ ରହିଥିଲା।

Categories
ବିଶେଷ ଖବର

ଓଡିଶା ବିଜେପିର “ମିଶନ ୧୨୦+” ରୁ “ମିଶନ ଆତ୍ମହତ୍ୟା”- ବିଜେଡି ପାଇଁ ବିଜୟପଥ ପରିଷ୍କାର କରୁଛି କି ବିଜେପି ?

କେଦାର ମିଶ୍ର

ଜଣେ ବ୍ୟକ୍ତିର ଅହଂକାର ପାଖରେ ଓଡିଶା ଶାଖାର ଭାରତୀୟ ଜନତା ପାର୍ଟି ନିଜକୁ ବନ୍ଧା ପକାଇଦେଇଛି ଓ ସେହି ଲୋକର ଅହଂକାରକୁ ରାଜ୍ୟ  ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଏକ ନିର୍ଦ୍ଦିଷ୍ଟ ନେତୃତ୍ୱ ପ୍ରୋତ୍ସାହିତ କରୁଛନ୍ତି ବୋଲି ଆଜି ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ସୁବାସ ଚୌହାନ ସିଧାସଳଖ ଅଭିଯୋଗ କରିଛନ୍ତି। ଟିକଟ ବଣ୍ଟନ ମାମଲାରେ ପଶ୍ଚିମ ଓଡିଶାର ସଂଘ ଦାୟିତ୍ବରେ ଥିବା ଜଣେ ଅବସରପ୍ରାପ୍ତ ଅଧ୍ୟାପକ, ବିଜେପି ଭିତରେ ଥିବା ସଂଘର ପୁରୁଣା କର୍ମକର୍ତ୍ତାଙ୍କ ବିରୋଧରେ ଷଡଯନ୍ତ୍ର ରଚନା କରୁଥିବାର ଗୁରୁତର ଅଭିଯୋଗ ଶ୍ରୀ ଚୌହାନ ଆଣିଛନ୍ତି। ସଂପୃକ୍ତ ଅଧ୍ୟାପକ ଓ ସଂଘ କର୍ମକର୍ତ୍ତାଜଣକ ନିଜର ଦୁର୍ନୀତି ପାଇଁ ବେଶ ଜଣାଶୁଣା ହୋଇଥିବାବେଳେ ତାଙ୍କୁ ଏବେ ବିଜେପିର ଅନେକ ଗୁରୁତ୍ୱପୂର୍ଣ୍ଣ କଥା ବୁଝିବାଲାଗି ପୂର୍ଣ୍ଣ ସ୍ଵାଧୀନତା ଦିଆ ଯାଇଛି। ସେହି ଅଧ୍ୟାପକ ଜଣକ ଜଣେ ଅହଙ୍କାରୀ କେନ୍ଦ୍ରମନ୍ତ୍ରୀଙ୍କ ହାତବାରିସି ସାଜି ରାଜ୍ୟ ସଙ୍ଗଠନକୁ ତଳି ତଳାନ୍ତ କରି ଚାଲିଛନ୍ତି ବୋଲି କୁହାଯାଉଛି। ଆଜି ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ସମୀକ୍ଷା ଡଟ କମ କୁ ଏକ ସ୍ଵତନ୍ତ୍ର ସାକ୍ଷାତ୍କାର ଦେଇ ଶ୍ରୀ ଚୌହାନ କହିଛନ୍ତି ଯେ ଦଳ ପାଇଁ ଯେଉଁମାନେ ନିଜର ଜୀବନ ସମର୍ପିତ କରିଥିଲେ ସେମାନେ ଆଜି ଦଳ ଭିତରେ ପ୍ରଚୁର ନିର୍ଯାତନା ଓ ଉପେକ୍ଷା ଭୋଗୁଛନ୍ତି।

ଦଳ ଏବେ ଜଣେ ବ୍ୟକ୍ତିର ଅହଂକାର ଆଗରେ ମୁଣ୍ଡ ଝୁଙ୍କାଇ ଠିଆ ହୋଇଛି ବୋଲି ଶ୍ରୀ ଚୌହାନ ଯେଉଁ ଅଭିଯୋଗ କରିଛନ୍ତି, ତାହାକୁ ଦଳର ବହୁ ପୁରୁଣା କର୍ମକର୍ତ୍ତା ସମର୍ଥନ କରିଛନ୍ତି। ଶ୍ରୀ ଚୌହାନଙ୍କ ପରି ବହୁ ପୁରୁଖା ବିଜେପି କର୍ମୀ ଏବେ ଦଳ ବିରୋଧରେ ଓ ସଂଘ ଭିତରେ ଚାଲିଥିବା ପ୍ରିୟା ପ୍ରୀତି ତୋଷଣ ବିରୋଧରେ ମୁହଁ ଖୋଲିଛନ୍ତି।  ଏବେ ସୋସିଆଲ ମିଡିଆରେ ସଂଘ ପରିବାରର ବହୁ ପୁରୁଣା କର୍ମୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧ ଘୋଷଣା କରିଛନ୍ତି। ୨୦୧୯ ନିର୍ବାଚନରେ ଦଳର ଯେଉଁ ୧୨୦+ ମିଶନ ଥିଲା ତାହା କେବଳ ବାହାନା ମାତ୍ର। ଏବେ ଦଳ ଆତ୍ମହତ୍ୟା କରିବା ପାଇଁ ନିଜକୁ ପ୍ରସ୍ତୁତ କରି ସାରିଛି ବୋଲି ଏମାନେ କହିଛନ୍ତି।

ଦଳର ପୁରୁଣା କର୍ମୀ ଓ ନେତା ଏବେ ବିଜେପିର ହାତ ଛାଡୁଥିବା ବେଳେ ବିଜେପି ଅଧିକରୁ ଅଧିକ ଅମଲାଙ୍କ ଉପରେ  ନିର୍ଭର କରୁଛି। ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ରାତାରାତି ବିଜେପିରେ ଯୋଗ ଦେଇ ଟିକଟ ପାଇବା ଦଳର କି ଉପକାରରେ ଲାଗିବ ବୋଲି ଏବେ ପ୍ରଶ୍ନ ଉଠା ଯାଉଛି। ସରକାରରେ ଥିବାବେଳେ ସବୁ ସୁଖ ସୁବିଧା ଉପଭୋଗ କରିଥିବା ଅମଲାମାନେ ଦଳୀୟ ସଂଗଠନ ଉପରେ କେବଳ ବୋଝ ହେବେ ବୋଲି କର୍ମୀମାନେ ଯାହା କହୁଛନ୍ତି, ତାହାର ଯଥେଷ୍ଟ ସତ୍ୟତା ରହିଛି। ଗୋଟେ ପକ୍ଷରେ ବିଜେପି ଓଡିଶାର ବିଜେଡି ସରକାର କୁ ଅମଲାଙ୍କ ଦ୍ଵାରା ନିୟନ୍ତ୍ରିତ ଏକ ସରକାର ବୋଲି ଆକ୍ଷେପ କରୁଛି, କିନ୍ତୁ ଅପର ପକ୍ଷରେ ଦଳ ଡାକିହାକି ଦଳ ବାହାରୁ ଅମଲା ଓ ବାବୁମାନଙ୍କୁ ଟିକଟ ବାଣ୍ଟୁଛି। ଏହା ବିଜେପିର ଚରମ ଅପାରଗତା ଓ ନିଜ ସଂଗଠନ ଉପରେ ଦଳର ଯେ ଆସ୍ଥା ନାହିଁ, ସେକଥା ପ୍ରମାଣିତ ହୋଇ ଯାଉଛି।

ବିଜେପିର ଟିକଟ ବଣ୍ଟନ ପ୍ରକ୍ରିୟାରୁ ଏମିତି ମନେ ହେଉଛି ଯେ, ସତେକି ବିଜେପି ବିଜେଡି ପାଖରେ ନିଜକୁ ସମର୍ପଣ କରି ଦେଇଛି। କେବଳ ଟେଲିଭିଜନ ପର୍ଦ୍ଦାରେ ନବୀନଙ୍କ ବିରୋଧରେ ଗର୍ଜନ ତର୍ଜନ କରିବା ବ୍ୟତୀତ ବିଜେପି ବାକି ସବୁ କ୍ଷେତ୍ରରେ ନବୀନଙ୍କୁ ସୁହାଇଲା ଭଳି କାମ କରୁଛି ବୋଲି ଏବେ ଅଭିଯୋଗ ଆସିଲାଣି। ପଶ୍ଚିମ ଓଡିଶା ଲାଗି ବିଜେପିର ପ୍ରାର୍ଥୀ ଚୟନ ପ୍ରକ୍ରିୟାରୁ ଏହା ଏକ ପ୍ରକାର “ନିର୍ବାଚନ ଫିକ୍ସିଙ୍ଗ” ବୋଲି ଜଣେ ବିଜେପି କର୍ମକର୍ତ୍ତା କହିଛନ୍ତି। ଉପରେ ଉପରେ ନବୀନ ବିରୋଧୀ ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତ ମାନଙ୍କୁ କେବଳ ନାଟକ ପାଇଁ ବ୍ୟବହାର କରାଯାଉଛି। ଠିକଣା ସମୟରେ ଏମାନଙ୍କୁ ମଧ୍ୟ ଫୋପାଡି ଦିଆଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଇତି ମଧ୍ୟରେ ଜାତୀୟ ସ୍ତରର ରାଜନୀତି ଦ୍ରୁତ ଗତିରେ ବଦଳୁଛି। ହିନ୍ଦୀ ଭାଷାଭାଷି ଅଞ୍ଚଳରେ କଂଗ୍ରେସ ବିରୋଧରେ ଯେତେ ପ୍ରଚାର କଲେ ମଧ୍ୟ ଏହି କ୍ଷେତ୍ରରେ ବିଜେପିର ପ୍ରଦର୍ଶନ ୨୦୧୪ର ସମକକ୍ଷ ହେବନାହିଁ। ତେଣୁ ଚନ୍ଦ୍ରଶେଖର ରାଓଙ୍କ ତେଲେଙ୍ଗାନା ରାଷ୍ଟ୍ର ସମିତି ଓ ନବୀନଙ୍କ ବିଜୁ ଜନତା ଦଳ ଉପରେ ମୋଦୀ ସରକାରର ଭବିଷ୍ୟତ ଅନେକାଂଶରେ ନିର୍ଭର କରିବ। ନବୀନଙ୍କ ନିର୍ବାଚନୀ କୌଶଳ ଓ ଲୋକପ୍ରିୟତା ଆଗରେ ରାଜ୍ୟ ବିଜେପି ସ୍ପର୍ଦ୍ଧା ର ସହିତ ଠିଆ ହୋଇ ପାରୁନାହିଁ। ତେଣୁ ଜାଣିଶୁଣି ବିଜେପି ନିଜକୁ ଦୁର୍ବଳ କରୁଛି ବୋଲି ଏକ ଭିନ୍ନମତ ଏବେ ଗଢି ଉଠୁଛି। ଦୁର୍ବଳ ପ୍ରାର୍ଥୀ ଚୟନ କରି ସମ୍ବଲପୁର, ବରଗଡ, କଳାହାଣ୍ଡି, କନ୍ଧମାଳ ଓ ପୁରୀ ଭଳି ଲୋକସଭା ଆସନକୁ ଦଳ ଆରମ୍ଭରୁ ହାତଛଡା କରି ସାରିଛି।

ବିଜେପି ବୋଧେ ଏହି ନିର୍ବାଚନକୁ ଆଉ ଗୁରୁତ୍ଵ ଦେଇ ଲଢିବାକୁ ଚାହୁନି ବୋଲି ବିଜେପିର ବହୁ ପୁରୁଣା କର୍ମକର୍ତ୍ତା ଏବେ ପ୍ରଶ୍ନ  ଉଠାଇବା ଆରମ୍ଭ କଲେଣି।

Categories
ଆଜିର ଖବର

ବିଜେପି ଦଳରୁ ଇସ୍ତଫା ଦେଲେ ସୁବାସ ଚୌହାନ

ବିଜେପି ନେତା ସୁବାସ ଚୌହାନ ବିଜେପି ଛାଡ଼ିଲେ। ବରଗଡ଼ ଲୋକସଭା ଆସନରୁ ଚଳିତଥର ଟିକେଟ ପାଇବାକୁ ଆଶାୟୀ ରହିଥିଲେ। ଗତ ନିର୍ବାଚନରେ ମଧ୍ୟ ବିଜେପି ତରଫରୁ ବରଗଡ଼ ଲୋକସଭା ତରଫରୁ ପ୍ରାର୍ଥୀ ହୋଇଥିଲେ। ବହୁତ୍‌ କମ୍‌ ଭୋଟ୍‌ରେ ସେ ଗତଥର ନିର୍ବାଚନ ହାରିଥିଲେ। ପୂର୍ବରୁ ଟିକେଟ ନ ପାଇବା ନେଇ ସୋସିଆଲ୍‌ ମିଡ଼ିଆରେ ନିଜ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତେବେ ଇସ୍ତଫା ଦେବା ପରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟଶୈଳୀକୁ ଖୋଲାଖୋଲି ସମାଲୋଚନା କରି ବିଜେପିର ଚିନ୍ତାଧାରାରେ ଅସନ୍ତୁଷ୍ଟ ରହିଛନ୍ତି ବୋଲି କହିଛନ୍ତି ସୁବାସ। ତେବେ ଶ୍ରୀ ଚୌହାନଙ୍କ ବଦଳରେ ବରଗଡ଼ରେ ବିଜେପି ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରାଇଛି। ତେବେ ସୁବାସ ବିଜେପି ଦଳ ଛାଡ଼ିବା ପରେ ବିଜେଡ଼ିରେ ମିଶିବା ନେଇ ଚର୍ଚ୍ଚା ରହିଛି।

Categories
ଆଜିର ଖବର

ବିଜେପିରେ ସାମିଲ୍‌ ହେଲେ ଜୟା ପ୍ରଦା

ସମାଜବାଦୀ ପାର୍ଟି ତରଫରୁ ସାଂସଦ ରହିସାରିଥିବା ଅଭିନେତ୍ରୀ ଜୟା ପ୍ରଦା ଆଜି ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଜୟା ପ୍ରଦାଙ୍କୁ ବିଜେପି ରାମପୁର ଲୋକସଭାର ପ୍ରାର୍ଥୀ ଭାବେ ତାଙ୍କୁ ଟିକେଟ ଦେବ। ଏହା ପୂର୍ବରୁ ମଧ୍ୟ ଜୟା ପ୍ରଦା ରାମପୁର ଆସନରୁ ସମାଜବାଦୀ ପାର୍ଟି ତରଫରୁ ୨୦୦୪ରୁ ୨୦୧୪ ଯାଏ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଜୟାପ୍ରଦା ଅଭିନୟରୁ ବିରତି ନେଇ ୧୯୯୪ରେ ଟିଡିପିରେ ଯୋଗଦେଇ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ଟିଡିପି ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ସହ ମତ ପାର୍ଥକ୍ୟ ହେବାରୁ ସେ ଦଳରୁ ଇସ୍ତଫା ଦେଇଥିଲେ। ଟିଡିପିରୁ ବାହାରି ସେ ସମାଜବାଦୀ ପାର୍ଟିରେ ଯୋଗଦେଇଥିଲେ। କିନ୍ତୁ ୨୦୧୦ରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳ ବହିଷ୍କାର କରିଥିଲା। ୨୦୧୪ରେ ସେ ଆରଏଲ୍‌ଡିରେ ଯୋଗଦେଇଥିଲେ। ୨୦୦୪ରୁ ନିର୍ବାଚନ ଜିତି ଆସୁଥିବା ଜୟାପ୍ରଦା କିନ୍ତୁ ୨୦୧୪ରେ ପରାସ୍ତ ହୋଇଥିଲେ। ଚଳିତ ଥର ଲୋକସଭା ନିର୍ବାଚନରେ ଏସପି ତରଫରୁ ରାମପୁର ଲୋକସଭା ଆସନ ପାଇଁ ଆଜମ୍‌ ଖାନ ପ୍ରାର୍ଥୀ ହୋଇଛନ୍ତି।

Categories
ଆଜିର ଖବର

ମୋଦି ଧନୀ ଲୋକଙ୍କୁ ପଇସା ଦେଉଛନ୍ତି, କଂଗ୍ରେସ ଗରିବ ଲୋକଙ୍କୁ ପଇସା ଦେବ : ରଣଦୀପ ସୁର୍ଜେଓ୍ବାଲା

ରାହୁଲ୍‌ଙ୍କର ସର୍ବନିମ୍ନ ନିଶ୍ଚୟ ଆୟର ଘାେଷଣା କରିବା ପରେ ଏହାକୁ ନେଇ ଆରମ୍ଭ ହୋଇ ରାଜନୈତିକ ବାକ୍‌ବିତଣ୍ଡା। ଏହି ପ୍ରସଙ୍ଗକୁ ନେଇ ଉଭୟ ଉଭୟଙ୍କୁ କଟାକ୍ଷ କରୁଛନ୍ତି। ବିଜେପି ଏମ୍‌ଆଇଜିକୁ ସମାଲୋଚନା କରିଥିବାବେଳେ କଂଗ୍ରେସ ଆଜି ଏହାର ଜବାବ ଦେଇଛି। ମୋଦି ସରକାର ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କୁ ଗରିବ ବିରୋଧୀ ବାେଲି କହିଛି କଂଗ୍ରେସ। କଂଗ୍ରେସର ସର୍ବନିମ୍ନ ନିଶ୍ଚିତ ଆୟ (ଏମ୍‌ଆଇଜି) କୁ ସମାଲୋଚନା କରିବା ପରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେଓ୍ବାଲା ଏହି ମନ୍ତବ୍ୟ ଦେଇଛନ୍ତି। ଏଆଇସିସି ମିଡିଆ ଇନଚାର୍ଜ ରଣଦୀପ  ସୁର୍ଜେଓ୍ବାଲା କହିଛନ୍ତି  ଯେ, ମୋଦି କିଛି ହାତଗଣତି ବ୍ୟବସାୟୀଙ୍କୁ ୩ ଲକ୍ଷ ୫୦ ହଜାର କୋଟିର ଋଣ ଛାଡ କରି ପାରନ୍ତି ମାତ୍ର ଏକ ଗରିବ ପରିବାରକୁ ୭୨୦୦୦ ଟଙ୍କା ତାଙ୍କୁ କଷ୍ଟ ଦେଇଥାଏ। ନିଜର ପ୍ରଚାର ପ୍ରସାର ପାଇଁ ମୋଦି ୫୦୦୦ କୋଟି ଖର୍ଚ୍ଚ କରୁଛନ୍ତି ମାତ୍ର ଏକ ଗରିବ ପରିବାରକୁ ୭୨୦୦୦ ଟଙ୍କାକୁ କାହିଁକି ବିରୋଧ କରୁଛନ୍ତି ବୋଲି ସୁର୍ଜେଓ୍ବାଲା ପ୍ରଶ୍ନ ଉଠାଇଛନ୍ତି। ଏହି ସବୁ ଘଟଣାରୁ ଏହା ସ୍ପଷ୍ଟ ପ୍ରତୀୟମାନ ଯେ, ଗରିବ ବିରାେଧୀ ମନୋଭାବ ମୋଦି ଏବଂ ବିଜେପିର ଡିଏନ୍‌ଏରେ ରହିଛି। ଗରିବ ଲୋକଙ୍କ ନିମନ୍ତେ ଆୟର ପନ୍ଥା ଏମ୍‌ନରେଗା ଯୋଜନାର ବିରାେଧ କରିଥିଲେ ମୋଦି। ଏନ୍‌ଏସ୍‌ଏସ୍‌ଓ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ଦେଶ ୪ କୋଟି ଚାକିରି ହରାଇଛି। ଜିଏସ୍‌ଟି ଦ୍ବାରା କ୍ଷୁଦ୍ର ବ୍ୟବସାୟ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଛି। ଏହି ସମସ୍ତ ଘଟଣା ମୋଦିଙ୍କୁ ବିଜେପି ବିରୋଧୀ ବୋଲି ପ୍ରମାଣିତ କରୁଛି ବୋଲି ଶ୍ରୀ ସୁର୍ଜେଓ୍ବାଲା ପ୍ରକାଶ କରିଥିଲେ। ଏହାପରେ କଂଗ୍ରେସର ଯୋଜନା ସମ୍ପର୍କରେ ସୁର୍ଜେଓ୍ବାଲା  କହିଥିଲେ – ଦେଶର ୨୦ ପ୍ରତିଶତ ଅତି ଗରିବ ପରିବାରକୁ ପ୍ରତ୍ୟେକ ବର୍ଷ ୭୨,୦୦୦ଟଙ୍କା ଦିଆଯିବ, ଏହି ଅର୍ଥରାଶି ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାକୁ ପଠାଯିବ। ସେ ଏହି ଅବସରରେ ମୋଦିଙ୍କକୁ କଟାକ୍ଷ କରି କହିଛନ୍ତି ଯେ, ମୋଦିଜୀ ଦେଶର ସବୁଠୁ ଧନୀ ଲୋକଙ୍କୁ ପଇସା ଦେଉଛନ୍ତି, ତେଣୁ କଂଗ୍ରେସ ଦେଶର ସବୁଠୁ ଗରିବ ଲୋକଙ୍କୁ ପଇସା ଦେବ। ଏହି ଯୋଜନାରେ ପାଞ୍ଚ କୋଟି ପରିବାର ଅର୍ଥାତ୍‌ ୨୫ କୋଟି ଲୋକ ଫାଇଦା ପାଇପାରିବେ ବୋଲି ରାହୁଲ୍‌ କହିଛନ୍ତି। ସ୍ବାଧୀନତାର ୭୦ ବର୍ଷରେ ଗରିବ ଲୋକଙ୍କ ସଂଖ୍ୟା ୭୦ ପ୍ରତିଶତରୁ ୨୨ ପ୍ରତିଶତକୁ ଖସି ଆସିଛି ଏହି ସଂଖ୍ୟାକୁ ଶୂନକୁ ଆଣିବା କଂଗ୍ରେସର ଲକ୍ଷ୍ୟ ବୋଲି ଶ୍ରୀ ସୁର୍ଜେଓ୍ବାଲା ପ୍ରକାଶ କରିଛନ୍ତି।

Categories
ଆଜିର ଖବର

ଆଡଭାନୀଙ୍କ ପରେ ଯାେଶୀଙ୍କ ପାଳି : ଟିକଟ ଦେବାକୁ ମନା କଲା ବିଜେପି

ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ପରେ ବିଜପିର ଅନ୍ୟତମ ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀଙ୍କୁ ଟିକେଟ ଦେବାକୁ ମନା କରିଛି ବିଜେପି। ଟିକଟ ପ୍ରଦାନ ପାଇଁ ମନା କରାଯିବା ସହିତ ସ୍ବେଚ୍ଛାକୃତ ଭାବରେ ଅବସର ନେବାକୁ କୁହାଯାଇଥିବା ଶ୍ରୀ ଯୋଶୀ ପ୍ରକାଶ କରିଛନ୍ତି। ଯୋଶୀ କହିଛନ୍ତି ଦଳର ସାଧାରଣ ସମ୍ପାଦକ ରାମ ଲାଲ କହିଛନ୍ତି କି ଆପଣ ନିର୍ବାଚନ ନ ଲଢିବା ନେଇ ସ୍ବୟଂ ଘୋଷଣା କରନ୍ତୁ। କାନପୁରର ଭୋଟରଙ୍କ ପାଇଁ ଡକ୍ଟର ଯୋଶୀ ଏହି ମନ୍ତବ୍ୟ ଦେଇଥିବା ବେଳେ ଏହି ଆସନରୁ ଲଢି୨୦୧୪ ରେ ୫୭ ପ୍ରତିଶତ ଭୋଟ ହାସଲ କରିଥିଲେ। ପୂର୍ବରୁ ଉତ୍ତରପ୍ରଦେଶର ଅନ୍ୟତମ ବରିଷ୍ଠ ନେତା କଲରାଜ ମିଶ୍ର ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ । ଶ୍ରୀ ଯୋଶୀଙ୍କୁ ଟିକଟ ନମିଳିବାକୁ ସମର୍ଥନ କରିଛନ୍ତି ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂ। ସେ କହିଛନ୍ତି ଡକ୍ଟର ଯୋଶୀ ଦଳର ପ୍ରତିଷ୍ଠାତା ସଦସ୍ୟ ତେଣୁ ଦଳର ନିଷ୍ପତ୍ତିକୁ ସମ୍ମାନ ଜଣାଇ ସେ ଦଳର ମାର୍ଗଦର୍ଶକ ମଣ୍ଡକଳୀରେ କାର୍ଯ୍ୟ କରିବା ଉଚିତ୍‌। ଏହା ସହିତ ଉତ୍ତର ପ୍ରଦେଶ ପାଇଁ ଦଳ ଏହାର ୪୦ ଜଣିଆ ପ୍ରଚାରକ ଦଳ ଘୋଷଣା କରିଥିବା ବେଳେ ଏହି ତାଲିକାରେ ଆଡଭାନୀ, ମନୋହର ଯୋଶୀ, ବରୁଣ ଏବଂ ମାନେକା ଗାନ୍ଧୀଙ୍କ ନାମ ନାହିଁ।

Categories
ବିଶେଷ ଖବର

ବିଜେପି ଭିତରେ ଆଉରଙ୍ଗଜେବ ଓ ବିଶ୍ଵାସଘାତକତାର ମହାନାଟକ; ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ବିଜେପିର ଆଭ୍ୟନ୍ତରୀଣ କନ୍ଦଳ

କେଦାର ମିଶ୍ର

“ଗୋଟେ କ୍ୟାଡର ଭିତ୍ତିକ ଦଳ”, “ଭିନ୍ନ ମତାଦର୍ଶର ଦଳ”…ଏମିତି କିଛି ବିଶେଷ ବିଶେଷଣ ସବୁବେଳେ ଭାରତୀୟ ଜନତା ପାର୍ଟି ଆଗରେ ଲଗାଇବାକୁ ଏହାର କର୍ମୀମାନେ ଭଲ ପାଆନ୍ତି। ଯାବତୀୟ ବୈଚାରିକ ମତଭେଦ ସତ୍ତ୍ୱେ ଏହି ଦଳର ସବୁଠୁ ବଡ ବିରୋଧୀ ମଧ୍ୟ ମାନିଥାନ୍ତି ଯେ ବିଜେପିରେ ଥିବା କର୍ମୀମାନେ ନିଜ ଦଳ ପ୍ରତି ଓ ଦଳର ବିଚାର ପ୍ରତି ଅନ୍ଧ ଭାବରେ ଅନୁରକ୍ତ। ହେଲେ ଏଇ ଅନ୍ଧ ଅନୁରକ୍ତିରୁ ସେମାନଙ୍କୁ ମିଳେ କଣ? ବିଜେପି ଆଜି ନିଜ କ୍ୟାଡର ପ୍ରତି ଅନୁରକ୍ତ କି? ଓଡିଶାର ସାଧାରଣ ନିର୍ବାଚନରେ ଦଳ ଯେଉଁ ପ୍ରକାର ଟିକଟ ଆବଣ୍ଟନ କରିଛି ତାକୁ ଦେଖି ଯେ କେହି ବି କହିବ ଯେ ଏ ଦଳ ନିଜର ଅନୁରକ୍ତ କର୍ମୀଙ୍କ ତୁଳନାରେ “ଉଡାପକ୍ଷୀ” ମାନଙ୍କ ଉପରେ ବେଶୀ ନିର୍ଭରଶୀଳ। ଏହି ଦଳରେ ଯୋଗଦାନ କରିବାର ଦୁଇ ଘଣ୍ଟା ଭିତରେ ଜଣେ ବ୍ୟକ୍ତିକୁ ଲୋକସଭା ଲଢିବାକୁ ଟିକଟ ଦିଆ ଯାଇପାରେ, ହେଲେ ଦଳ ପ୍ରତି ସମର୍ପିତ କର୍ମୀମାନେ ବର୍ଷ ବର୍ଷ ଧରି ସଂଘର୍ଷ କରିବା ପରେ ମଧ୍ୟ ଦଳ ଭିତରେ ଅଲୋଡା ହୋଇ ପଡିରହନ୍ତି।

ଏହାର ଦୁଇଟି ଉଦାହରଣ ହେଉଛନ୍ତି ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଟିକଟରୁ ବଞ୍ଚିତ ହୋଇଥିବା ପ୍ରାର୍ଥୀ ସୁବାସ ଚୌହାନ ଓ ସଦ୍ୟ ଦଳ ଛାଡିଥିବା ଦଳର ଉପ ସଭାପତି ରାଜକିଶୋର ଦାସ। ଏ ଦୁହେଁ ଓଡିଶାର ବିଜେପିରେ ଗତ ତିରିଶ ବର୍ଷ ଧରି କାମ କରିଛନ୍ତି। ଯେତେବେଳେ ବିଜେପି ପ୍ରତି ଓଡିଶାରେ କୌଣସି ସମର୍ଥନ ନଥିଲା ଏଇ ନେତାମାନେ ଦଳରେ ପଡିରହି ଦଳକୁ ଆଗକୁ ବଢାଇବାରେ ସହଯୋଗ କରିଛନ୍ତି। ହେଲେ ଟିକଟ ଦେଲାବେଳକୁ ଏମାନଙ୍କ ନାଁକୁ ବିଚାର କରାଯାଏ ନାହିଁ। ବିଜେପିରେ ଯୋଗଦାନ କରିବାର ମାତ୍ର କେଇ ଘଣ୍ଟା ଭିତରେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ଓ ଖାରବେଳ ସ୍ଵାଇଁଙ୍କୁ ଟିକଟ ମିଳିଥିବା ବେଳେ ଗତ ଲୋକସଭା ନିର୍ବାଚନରେ ମାତ୍ର ଏଗାର ହଜାର ଭୋଟରେ ହାରିଥିବା ସୁବାସ ଚୌହାନଙ୍କୁ ଦଳ ଟିକଟ ଦେବାରୁ ବଞ୍ଚିତ କରିଛି।

ବରଗଡ ଲୋକସଭା ପାଇଁ ଟିକଟ ପାଇବାରୁ ବଞ୍ଚିତ ହେବା ପରେ ସୁବାସ ଚୌହାନ ତାଙ୍କର ଫେସବୁକ ୱାଲ ରେ ଏକ ପୋଷ୍ଟିଂ ଦେଇ ଲେଖିଛନ୍ତି-  “ମୁଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବରେ ଦୀର୍ଘ ୩୦ ବର୍ଷ ଧରି ରାଷ୍ଟ୍ରସେବା କରିବାର ସୁଯୋଗ ପାଇଛି। ପରେ ବିଜେପିରେ ଯୋଗଦାନ କରି ୨୦୧୪ର ଲୋକସଭା ନିର୍ବାଚନ ଲଢ଼ି ଓଡ଼ିଶାର ବିଜେପି ପ୍ରାର୍ଥୀ ମାନଙ୍କ ଭିତରେ ସର୍ବାଧିକ ୩,୭୨,୦୦୦ ଭୋଟ ଦେଇ ଲୋକେ ସମର୍ଥନ କଲେ। ମୁଁ ନିର୍ବାଚନ ହାରିଲା ପରେ ମଧ୍ୟ ଲଗାତାର ୫ବର୍ଷ ପରିଶ୍ରମ କରି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନତାଙ୍କର ସୁଖ ଦୁଃଖର ସାଥୀ ହେଲି। ବିଜେପି କୁ ଅକୁଣ୍ଠ ସମର୍ଥନ ଦେବାପାଇଁ ବରଗଡ଼ ଲୋକସଭାବାସୀ ଏଥର ପ୍ରସ୍ତୁତ ହେଉଥିବା ବେଳେ ମୋର ବରଗଡ଼ ଲୋକସଭା ଟିକଟ କାଟି ଦିଆଗଲା। ଜନସାଧାରଣଙ୍କ ଭିତରେ ଏହାର ତୀବ୍ର ପ୍ରତିକ୍ରିୟା ତଥା ସମାଲୋଚନା ହେଲା। ପାର୍ଟିର ବରିଷ୍ଠ ନେତାମାନେ ମୋର କାର୍ଯ୍ୟକର୍ତା ତଥା ଜନତାଙ୍କୁ ଧମକ ଚମକ ଦେଲେ। ଅପମାନର ସୀମା ଟପିଗଲା। ଯାହାବି ହେଉ ପାର୍ଟି ଚାପର ବଶବର୍ତ୍ତୀ ହୋଇ ମତେ ପ୍ରଦେଶର ଉପସଭାପତି ଦାୟିତ୍ୱ ଦେଲା ଏବଂ ବିଜେପୁର ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ନିର୍ଦ୍ଦେଶ ଦେଲା। କିନ୍ତୁ ବିଜେପୁରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଲଢ଼ୁଥିବା କାରଣରୁ ଧର୍ମେନ୍ଦ୍ର ବାବୁଙ୍କ ଭଳି ଜଣେ ବିତ୍ତଶାଳୀ,ଶକ୍ତିଶାଳୀ ଲୋକ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତାବ ଦେଇଥିଲି। କିନ୍ତୁ ଫଳ ଓଲଟା ହେଲା। ଏହା ପଶ୍ଚିମ ଓଡିଶାର ଅବିସି ସମାଜ ପ୍ରତି ଘୋର ଅପମାନ।”

ସୁବାସ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ସବୁଠୁ ଅଧିକ ବିତର୍କର ଆବଶ୍ୟକତା ରଖେ। ବିଜେପିର ରାଜ୍ୟ ମାମଲାରେ ନିଜକୁ ଅଘୋଷିତ ମୁଖିଆ ବୋଲାଉଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବଳ ଟେଲିଭିଜନ ବୁମ  ଆଗରେ ନିଜର ବାହାଦୁରି ଦେଖାଉଥିବାବେଳେ ରାଜ୍ୟ ସଙ୍ଗଠନରେ ତାଙ୍କର ଗ୍ରହଣୀୟତା ନାହିଁ। ଧର୍ମେନ୍ଦ୍ର ସତରେ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢି ପାରିବେ କି ? ନବୀନଙ୍କ ବିରୋଧରେ ଲଢିବା ବଡକଥା, ଧର୍ମେନ୍ଦ୍ର ଓଡିଶାରୁ ଲୋକସଭା ବା ବିଧାନସଭା ଲାଗି ଲଢିବାର ସତସାହସ ଦେଖାଇପାରିଛନ୍ତି କି ? କେବଳ ଦଳୀୟ ସଙ୍ଗଠନରେ ବିଜେଡ଼ିର ପ୍ରତ୍ୟାଖ୍ୟାତ ନେତାଙ୍କୁ ଧରି ବିଜୁ ଜନତା ଦଳର ବିକଳ୍ପ ହେବାକୁ ଧର୍ମେନ୍ଦ୍ର ବାବୁ ଯେଉଁ ଦିବାସ୍ଵପ୍ନ ଦେଖୁଛନ୍ତି ତାହାରି ଉପରେ ସୁବାସ ଚୌହାନ କଡା ପ୍ରହାର କରିଛନ୍ତି।

ତାଙ୍କଠୁ ପାଦେ ଆଗକୁ ଯାଇ ରାଜକିଶୋର ଦାସ କହିଛନ୍ତି ଯେ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଆଉରଙ୍ଗଜେବ। ନିଜ ଅହଂକାର ଲାଗି ସେ ଦଳ ଭିତରେ ଥିବା ନିଜ ଭାଇମାନଙ୍କୁ ହତ୍ୟା କରିପାରିବେ ବୋଲି ରାଜକିଶୋର କହିଛନ୍ତି। ଏ ପ୍ରସଙ୍ଗରେ ନିଜର ବକ୍ତବ୍ୟ ରଖି ବିଜେପିର ଜଣେ ପୁରୁଣା କର୍ମୀ କହନ୍ତି- ଦଳ ଏବେ କଂଗ୍ରେସ ରାସ୍ତାରେ ଚାଲିବା ଆରମ୍ଭ କରିଛି। ମତ, ବିଚାର ଓ ଆଦର୍ଶ ବୋଲି ବିଜେପିରେ ଆଉ କିଛି ନାହିଁ।

ବିଜେପି ଓ ସଙ୍ଘକର୍ମୀଙ୍କ କ୍ଷୋଭ ଏବେ ଚରମ ସୀମାରେ ପହଞ୍ଚିଛି। ଓଡିଶା ରାଜନୀତିରେ ୧୯ ବର୍ଷର ବିଜେଡି ଶାସନ ବିରୋଧରେ ଜନମତ ସୃଷ୍ଟି କରିବାର ମିଶନରେ ବାହାରିଥିବା ବିଜେପି ଏବେ ନିଜ ଦଳ ଭିତରେ ବିଭୀଷଣ ଓ ଆଉରଙ୍ଗଜେବମାନଙ୍କ ସହ ଲଢେଇ ରେ ନିଜର ସବୁ ସମୟ ଓ ଶକ୍ତି ସାରୁଛି।

Categories
ଆଜିର ଖବର

ବିଜେପିର ୨ ଲୋକସଭା ଓ ୯ ବିଧାନସଭା ପ୍ରାର୍ଥୀ ଘୋଷଣା

ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ୨ ଲେକସଭା ଏବଂ ୯ ବିମଧାନସଭା ଆସନ ନିମନ୍ତେ ପ୍ରର୍ଥୀପତ୍ର ଘୋଷଣା କରାଯାଇଛି । ଏହି ପ୍ରାର୍ଥୀ ଘୋଷଣାରେ ଦଳରେ ନୂତନ ଭାବେ ଯାେଗଦେଇଥିବା ତଥା ଅନ୍ୟ ରାଜନୈତିକ ଦଳରୁ ଆସିଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଆଜି ବିଜେପିକୁ ଫେରିଥିବା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ କନ୍ଧମାଳ ଲୋକସଭା ସନରୁନିର୍ବାଚନ ଲଢ଼ିବେ। ସେହିପରି ଗତକାଲି ଦଳରେ ସାମିଲ ହୋଇଥିବା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର କଟକ ଲୋକସଭା ସନରୁପ୍ରତିଦ୍ୱନ୍ଦ୍ୱିତା କରିବେ।

ଲାେକସଭା ପ୍ରାର୍ଥୀ

୧-ପ୍ରକାଶ ମିଶ୍ର : କଟକ

୨-ଖାରବେଳ ସ୍ବାଇଁ : କନ୍ଧମାଳ

ବିଧାନସଭା ପ୍ରର୍ଥୀ

୧-ଝାରସୁଗୁଡା: ଦୀନେଶ ଜୈନ୍‌

୨-ଭଣ୍ଡାରୀପୋଖରୀ : ବଦ୍ରି ନାରାୟଣ ଧଳ

୩-ଫୁଲବାଣୀ : ଦେବ ନାରାୟଣ ପ୍ରଧାନ

୪-ପାରଦ୍ବୀପ : ସମ୍ପଦ ସ୍ବାଇଁ

୫-ଜୟେଦବ : ନରେନ୍ଦ୍ର ନାୟକ

୬-ଜଟଣୀ : ବିଶ୍ବ ରଞ୍ଜନ ବଡଜେନା

୭-ବେଗୁନିଆ : ଋଷଭ ନନ୍ଦ

୮-ରେଢାଖୋଲ : ଦେବେନ୍ଦ୍ର ମହାପାତ୍ର

୯-ଭଦ୍ରକ : ଡକ୍ଟର ପ୍ରଦୀପ ନାୟକ

 

Categories
ଆଜିର ଖବର

ବିଜେପିକୁ ଖାରବେଳଙ୍କ ପ୍ରତ୍ୟାବର୍ତ୍ତନ : କନ୍ଧମାଳରୁ ବିଜେପିର ଲୋକସଭା ପ୍ରାର୍ଥୀ

ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ ଆଜି ବିଜେପିରେ ମିଶିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ସେ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ ପାଇଁ ମନୋନୀତ ହେଇଛନ୍ତି। ଖାରବେଳ ୧୯୯୮ରୁ ୨୦୦୯ ମଧ୍ୟରେ ବାଲେଶ୍ୱରରୁ ବିଜେପି ଟିକେଟରେ ୩ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ଲୋକସଭା ନିର୍ବାଚନ ପରେ ସେ ବିଜେପିରୁ ଇସ୍ତଫା ଦେଇ ଉତ୍କଳ ଭାରତ ଦଳ ଗଠନ କରିଥିଲେ।ବିଜେପିରେ ସାମିଲ ହେବାପରେ ଖାରବେଳ ସ୍ୱାଇଁ କହିଛନ୍ତି,“ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଉତ୍ସାହିତ ହୋଇ ମୁଁ ବିଜେପିରେ ଯୋଗ ଦେଇଛି। ” ସେ ଆହୁରି କହିଛନ୍ତି,“ ରାଜ୍ୟରେ ବିଜେଡି ସରକାର ଅପାରଗ, ଭ୍ରଷ୍ଟାଚାର। ନବୀନଙ୍କୁ ହଟାଇବା ଲକ୍ଷ୍ୟରେ ନିଜ ଇଛାରେ ବିଜେପିକୁ ଫେରିଛି। ଆସନ୍ତା ନିର୍ବାଚନ ପରେ ରାଜ୍ୟରେ ବିଜେପି ସରକାର ଗଠନ କରିବ। ସୂଚନା ଯୋଗ୍ୟ ଯେ ଗତକାଲି ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର, ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ବିଜେପିରେ ମିଶିଥିଲେ। ଏହି ମିଶ୍ରଣ ପର୍ବରେ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ବଭୂଷଣ ହରିଚନ୍ଦନ, ଦାମୋଦର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର

ଧର୍ମେନ୍ଦ୍ରଙ୍କୁ ଔରଙ୍ଗଜେବଙ୍କ ସହ ତୁଳନା କଲେ ରାଜକିଶୋର

ପ୍ରାୟ ସମସ୍ତ ଦଳ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିବା ପରେ ଓଡିଶାରେ ଦଳବଦଳ ଓ କାଦୁଅ ଫିଙ୍ଗା ରାଜନୀତି ଜୋର୍‌ସୋର୍‌ରେ ଚାଲିଛି। ଟିକେଟ୍‌ ପାଇନଥିବା ଆଶାୟୀ ପ୍ରାର୍ଥୀମାନେ ଦଳ ବଳଦ କରୁଛନ୍ତି ତ ପୁଣି କେତେକ ଦଳରୁ ଇସ୍ତଫା ପ୍ରଦାନ କରୁଛନ୍ତି। ଗତକାଲି ବିଜେପିରୁ ଇସ୍ତଫା ପ୍ରଦାନ କରିଥିବା ଉପସଭାପତି ରାଜକିଶୋର ଦାଶ ଆଜି ନିଜର କ୍ଷୋଭ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡା ସମାଲୋଚନା କରି ଔରଙ୍ଗଜେବଙ୍କ ସହିତ ତୁଳନା କରିଛନ୍ତି ରାଜକିଶୋର। ସ୍ବାର୍ଥ ପାଇଁ ବରିଷ୍ଠଙ୍କୁ ଧର୍ମନ୍ଦ୍ରେ ହତ୍ୟା କରୁଛନ୍ତି କହିବା ସହିତ ତାଙ୍କୁ ଗୁଣ୍ଡା ଲଗାଇ ହଇରାଣ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି। ରାଜକିଶୋର ବହୁ ସମୟ ଧରି ମୟୂରଭଞ୍ଜରେ ବିଜେପି ପାଇଁ କାର୍ଯ୍ୟ କରିଥିବାବେଳେ ସେ ମୟୂରଭଞ୍ଜର ମୋରଣା ଆସନ ପାଇଁ ଆଶାୟୀ ଥିଲେ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଦେଇଛନ୍ତି। ସେ ୪୦ ବର୍ଷ ଆରଏସ୍‌ଏସ୍‌ର ସଦସ୍ୟ ରହିଛନ୍ତି ଏବଂ ଆଜୀବନ ସେ ଆରଏସ୍‌ଏସ୍‌ ସଦସ୍ୟ ରହିବେ ବୋଲି ଶ୍ରୀ ଦାଶ କହିଛନ୍ତି। ସେହିପରି ଗତକାଲି ବିଜେପିର ବରିଷ୍ଠ ନେତା ଦୁର୍ଯ୍ୟାଧନ ମାଝୀ ଟିକେଟ ନ ପାଇବାରୁ କ୍ଷୋଭ ପ୍ରକାଶ କରି ଇସ୍ତଫା ପ୍ରଦାନ କରିଛନ୍ତି।