Categories
ଆଜିର ଖବର

ବିଜେପିରେ ଯୋଗ ଦେଲେ ଚନ୍ଦ୍ରପ୍ରକାଶ ମିଶ୍ର

ବିଏସ୍‌ପି ନେତା ଚନ୍ଦ୍ରପ୍ରକାଶ ମିଶ୍ର ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ସ୍ମୃତି ଇରାନୀ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ। ଆମେଥୀରେ ମୋଦିଙ୍କ ଉନ୍ନତିମୂଳକ କାର୍ଯ୍ୟକଳାପରେ ପ୍ରଭାବିତ ହୋଇ ଶ୍ରୀ ମିଶ୍ର ବିଜେପିରେ ଯୋଗ ଦେଇଛନ୍ତି ବାେଲି କେନ୍ଦ୍ରମନ୍ତ୍ରୀ ଇରାନୀ ପ୍ରକାଶ କରିଥିଲେ। ୨୦୦୪ରେ ଶ୍ରୀ ମିଶ୍ର ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦିତା କରି ସମୁଦାୟ ଭୋଟର ୧୬.୮୫ ପ୍ରତିଶତ ଭୋଟ ହାସଲ କରିଥିଲେ।

Categories
ଆଜିର ଖବର

ବିଜେପିରେ ମିଶିଲେ ନାରାୟଣ ରାଓ

ପାରଳାଖେମୁଣ୍ଡିର ବିଜେଡ଼ିର ପୂବର୍ତନ ବିଧାୟକ ନାରାୟଣ ରାଓ ଆାଜି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଗତକାଲି ବିଜେଡିରୁ ଇସ୍ତଫା ପ୍ରଦାନ କରିଥିଲେ ନାରାୟଣ। ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବିଜେଡ଼ି ତରଫରୁ ଶ୍ରୀମତୀ କଲ୍ୟାଣୀ ଗଜପତିଙ୍କୁ ଚୟନ କରାଯାଇଛି। ଶ୍ରୀମତୀ କଲ୍ୟାଣୀ କିଛିଦିନ ତଳେ ବିଜେଡ଼ିରେ ଯୋଗଦେଇଥିଲେ। ତେବେ ନୂଆକରି ଯୋଗ ଦେଉଥିବା ନେତାଙ୍କୁ ଦଳ ଟିକେଟ ଦେଇ ପୁରୁଣା ଲୋକ ତଥା ଦଳ ପାଇଁ ପରିଶ୍ରମ କରୁଥିବା ନେତାଙ୍କୁ ଅଣଦେଖା କରାଯାଉଛି କହି ନାରାୟଣ ଅଭିଯୋଗ ଆଣିବା ସହିତ ଇସ୍ତଫା ପ୍ରଦାନ କରିଥିଲେ।

 

 

 

 

Categories
ଆଜିର ଖବର

ଉତ୍ତର ପ୍ରଦେଶ ବିଜେପିର ବଡ ପରିବର୍ତ୍ତନ ସମ୍ଭାବନା

ବୁଧବାର ବିଜେପି ଚଳିତ ଲୋକସଭା ନିର୍ବାଚନ ନିମନ୍ତେ ଏହାର ପ୍ରାର୍ଥୀପତ୍ର ଘୋଷଣା ପୂବର୍ରୁ ଉତ୍ତର ପ୍ରଦେଶରେ ବଡ ପରିବର୍ତ୍ତନ ହାେଇପାରେ ବାେଲି ଆଶଙ୍କା ପ୍ରକାଶ ପାଇଛି। ମଙ୍ଗଳବାର ରାତ୍ରରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ରାଜ୍ୟର ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରାର୍ଥୀ ଘୋଷଣା ପୂର୍ବରୁ ଏହି ବୈଠକ ଅନେକ ପରିବର୍ତ୍ତନର ସୂଚନା ଦେଉଛି। ୨୦୧୪ ସାଧାରଣ ନିର୍ବାଚନରେ ଦଳ ଉତ୍ତର ପ୍ରଦେଶରେ ୭୩ ଆସନ ହାସଲ କରିଥିଲା। ପ୍ରାପ୍ତ ସୂଚନା ପ୍ରାୟ  ୨୫ସାଂସଦ ନିଜର ଆସନ ହରାଇବାର ସମ୍ଭାବନା ରହିଛି। ୟୁପି, ଆସାମ ଏବଂ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୯୧ ଆସନରେ ଏପ୍ରିଲ୍‌ ୧୧ରେ ନିର୍ବାଚନ ହେବାକୁ ଥିବା ବେଳେ ୯୭ ଆସନରେ ଏପ୍ରିଲ୍‌ ୧୮ରେ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ। କର୍ଣ୍ଣାଟକରେ ଦୁଇ ପର୍ଯ୍ୟାୟରେ ୧୮ ଏବଂ ୨୩ରେ ନିର୍ବାଚନ ହେବାକୁ ଥିବାରୁ ଏହା ଉପରେ କେନ୍ଦ୍ରୀୟ କମିଟିର ନଜର ରହିଥିବା ପ୍ରକାଶ। ସେହିପରି ଛତିଶଗଡ ବିଜେପିରେ ଆମୂଳଚୂଳ ପରିବର୍ତ୍ତନ କରାଯାଇଛି। ସମୁଦାୟ ୧୧ ଆସନରେ ନୂତନ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି ଛତିଶଗଡ ବିଜେପି ଦାୟିତ୍ବରେ ଥିବା ଅନୀଲ ଜୈନ୍‌। ବରିଷ୍ଠ ନେତା ଏଲ୍‌ କେ ଆଡଭାନୀ, ମୁରଲୀ ମନାେହର ଯୋଶୀ, ବିସି ଖଣ୍ଡୁରୀ ଏବଂ ଭଗତ ସିଂକାେସାରିୟାଙ୍କୁ ମଧ୍ୟ ଦଳ ତରଫରୁ ଟିକଟ ନ ମିଳିପାରେ। ସ୍ବାସ୍ଥ୍ୟବସ୍ଥା ଯୋଗୁଁ ସୁଷମା ସ୍ବରାଜ ନିର୍ବାଚନ ଲଢିବା ନେଇ ସନ୍ଦେହରେ ରହିଥିବା ବେଳେ ନରେନ୍ଦ୍ର ମୋଦି ଏବଂ ରାଜନାଥ ସିଂ ଯଥାକ୍ରମେ ବାରଣାସୀ ଏବଂ ଲକ୍ଷ୍ନୌରୁ ନିର୍ବାଚନ ଲଢିବେ। ଓଡିଶାର କଳାହାଣ୍ଡି, କାେରାପୁଟ, ବ୍ରହ୍ମପୁର ଏବଂ ନବରଙ୍ଗପୁର ନିର୍ବାଚନ ଉପରେ ନଜର ରହିଥିବା ବେଳେ ଉତ୍ତର ପୂର୍ବୀୟ ରାଜ୍ୟ ମଣିପୁର, ତ୍ରିପୁରା, ମେଘାଳୟ, ମିଜୋରାମ ଏବଂ ନାଗାଲାଣ୍ଡ ଉପରେ ବିଶେଷ ଦୃଷ୍ଟି ରହିବ ।

 

Categories
ଆଜିର ଖବର

୧୨୦ ବିଧାନସଭା ଆସନ ଜିତିବା ପାଇଁ ଦାବି କରୁଥିବା ଦଳକୁ ପ୍ରାର୍ଥୀ ମିଳୁନାହାନ୍ତି : ସସ୍ମିତ

ନିର୍ବାଚନକୁ ନେଇ ବିଜେପି ଏବଂ ବିଜେଡି ମଧ୍ୟରେ କାଦୁଅଫିଙ୍ଗା ଚାଲିଥିବା ବେଳେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ବିଜେପିକୁ ସମାଲୋଚନା କରିଛନ୍ତି। ଶ୍ରୀ ପାତ୍ର ବିଜେପିକୁ ସମାଲୋଚନା କରି କହିଛନ୍ତି ଯେ ଦଳ ରାଜ୍ୟରେ ୧୨୦ ଆସନ ହାସଲ କରିବା ନେଇ ବାହାସ୍ଫୋଟ ମାରୁଥିଲେ ମଧ୍ୟ ଦଳକୁ ପ୍ରାର୍ଥୀ ମିଳୁନାହାନ୍ତି। ନିର୍ବାଚନ କମିଶନଙ୍କ ତରଫରୁ ନିର୍ବାଚନ ତାରିଖ ଘୋଷଣା ସରିଥିଲେ ମଧ୍ୟ ଦଳ ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ। ଅପରପକ୍ଷରେ ବିଜେଡି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସକାଶେ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ଶେଷ ତାରିଖ ୨୫ ଓ ୨୬  ହୋଇଥିବା ବେଳେ ଦଳକୁ ପ୍ରାର୍ଥୀ ମିଳୁନଥିବା ନେଇ ତାତ୍ସଲ୍ୟ କରିଛନ୍ତି ବିଜେଡି ମୁଖପାତ୍ର  ଶ୍ରୀ ପାତ୍ର।  ସେହିପରି କଂଗ୍ରେସକୁ ମଧ୍ୟ କଟାକ୍ଷ କରି ଶ୍ରୀ ପାତ୍ର କହିଛନ୍ତି ଯେ, ଦଳ ସର୍ବଦା ମହିଳାଙ୍କ ସୁରକ୍ଷା ନିମନ୍ତେ ଚିତ୍କାର କରୁଥିଲେ ମଧ୍ୟ ଦଳର ଘୋଷିତ ପ୍ରାର୍ଥୀ ତାଲିକାରେ ଜଣେ ମାତ୍ର ମହିଳା ସ୍ଥାନ ପାଇବା ନିହାତି ଲଜ୍ଜାଜନକ ବିଷୟ।

 

 

 

 

Categories
ଆଜିର ଖବର

ମନୋହର ପାରିକର ଅସୁସ୍ଥ : ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଦିଗମ୍ବର

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଅସୁସ୍ଥ ହୋଇପଡିବା କାରଣରୁ ବିରୋଧି କଂଗ୍ରେସ ଗୋଆରେ ସରକାର ଗଠନ କରିବାକୁ ଅଡ଼ି ବସିଛି। ତେବେ ବିଜେପି ଗୋଆ ମନ୍ତ୍ରିମଣ୍ଡଳକୁ ଭାଙ୍ଗିବାକୁ ସୁଯୋଗ ଦେଉନି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗମ୍ବର କମାତ ଭାଜପାରେ ଯୋଗ ଦେଇ ପାରନ୍ତି। ଆଉ ତାଙ୍କୁ ଗୋଆ ମୁଖ୍ୟମନ୍ତ୍ରୀ ପଦ ମିଳିପାରେ ବୋଲି ଆଲୋଚନା ଆରମ୍ଭ ହୋଇଗଲାଣି।  କମାତ ୨୦୦୫ରେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ୍‌ ହୋଇଥିଲେ। ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ ଦିଗମ୍ବର।

Categories
ଆଜିର ଖବର

୪୦ ଆସନ ପାଇଁ ଭାଗବଣ୍ଟା : ୧୭-୧୭ରେ ଜେଡିୟୁ ଓ ବିଜେପି, ଏଲ୍‌ଜେପି ହାତରେ ୬

ବିହାରରେ ଏନଡିଏ ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ ଆସନ ଗୁଡିକର ଭାଗବଣ୍ଟା ହୋଇଛି। ବିଜେପି, ଜେଡିୟୁ, ଏଲଜେପି ମିଳିତ ଭାବେ  ଲଢିବେ ବୋଲି ଏକ ସମ୍ୱାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି। ଏଥିରେ ବିଜେପି-ଜେଡିୟୁକୁ ୧୭-୧୭ ଆସନ ମିଳିଥିବା ବେଳେ ଏଲଜେପିରୁ ୬ଦିଆଯାଇଛି।  କଟିହାର, ପୂର୍ଣ୍ଣିୟା, ଗୋପାଳଗଞ୍ଜ, ସୀବାନ, ଭାଗଲପୁର, ବାଙ୍କା, ମୁଙ୍ଗେର, ନାଲନ୍ଦା,କାରାକାଟ, ଗୟା, ଜାହାନବାଦ, ସୁପେଲ, କିଷାନଗଞ୍ଜ, ମଧେପୁରା, ବାଲ୍ମୀକି ନଗର, ସୀତାମଡୀ, ଝାଞ୍ଜରପୁର ଆଦି ଜେଡ଼ିୟୁ ଭାଗରେ ରହିଥିବାବେଳେ ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ମହାରାଜଗଞ୍ଜ, ମଧୁବନୀ, ଅରରିଆ, ଦରଭଙ୍ଗା ,ମୁଜଫରପୁର, ସାରଣ, ଉଜିଆରପୁର,ବେଗୁସରାୟ, ପାଟନା ସାହିବ. ପଟାଳିପୁତ୍ର, ଆରା, ଶିବହର, ବସ୍କର ସାସାରମ, ଔରଙ୍ଗାବାଦ ଆଦି ବିଜେପି ହାତରେ ରହିଛି। ଏଲ୍‌ଜେପି ହାତରେ ରହିଛି ବୈଶାଲୀ, ସମସ୍ତୀପୁର,ହାଜିପୁର, ଖଗଡିଆ, ଜମୁଇ,ନବାଦା ଆସନ।

Categories
ଆଜିର ଖବର

ମହଙ୍ଗା ପଡ଼ିଲା ବାହାଘର କାର୍ଡରେ ମୋଦିଙ୍କୁ ଭୋଟ୍‌ ଦେବା ଅପିଲ୍‌ : ଇସିଙ୍କ ନୋଟିସ୍‌

ଉତ୍ତରାଖଣ୍ଡର ବାଗେଶ୍ବରଠାରେ ନିର୍ବାଚନ ଆଚାର ସଂହିତା ଉଲ୍ଲଂଘନ ହୋଇଥିବାର ଖବର ସାମ୍ନାକୁ ଆସିଛି। ଏଠାରେ ଗରୁଡ୍‌ ବ୍ଲକ୍‌ର ମେଟନାର ବିଜେପି ନେତା ନିଜ ପୁଅର ବାହାଘର କାର୍ଡରେ ମୋଦିଙ୍କୁ ଭୋଟ୍‌ ଦେବାର ଅପିଲ୍‌ କରାଯାଇଥିଲା। ଏହି ମାମଲାରେ ଜିଲ୍ଲା ନିର୍ବାଚନ କମିଶନର ତତ୍‌କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଜେପି ନେତା ଜଗଦୀଶ ଯୋଶୀ ଏପ୍ରିଲ୍‌ ୧୧ରେ ହେବାକୁ ଥିବା ନିର୍ବାଚନରେ ପିଏମ୍‌ ମୋଦିଙ୍କୁ ଭୋଟ୍‌ ଦେବାକୁ ଅପିଲ୍‌ କରି ନିର୍ମନ୍ତ୍ରଣ କାର୍ଡ ପ୍ରସ୍ତୁତ କରିଛନ୍ତି। ଏହି କାର୍ଡଟି ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବା ପରେ ଏହା ସାମ୍ନାକୁ ଆସୁଛି। ବିଜେପି ନେତା ଜଗଦୀଶଙ୍କ ପୁଅଙ୍କ ବାହାଘର ଏପ୍ରିଲ୍‌ ୨୨କୁ କିରଣଙ୍କ ସହିତ ହେବାକୁ ରହିଛି। ଏହି କାର୍ଡରେ ବାରାତ୍‌ରେ ସାମିଲ୍‌ ହେବା ସହିତ ନିର୍ବାଚନ ସମ୍ବନ୍ଧୀୟ ଅପିଲ୍‌ କରାଯାଇଛି। ଏହି କାର୍ଡରେ ପଦ୍ମଫୁଲର ଚିତ୍ର ମଧ୍ୟ ରହିଛି। ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ପରେ ସାରା ଦେଶରେ ଆଦର୍ଶ ଆଚାର ସଂହିତା ଲାଗୁ ହୋଇଟାଇଛି। ଏବେ ସବୁ ରାଜନୈତିକ ଦଳ ନିର୍ବାଚନ କମିଶନଙ୍କ ପ୍ରଦତ୍ତ ନିୟମ ପାଳନ କରିବାକୁ ବାଧ୍ୟ। ଯୋଶୀ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଦର୍ଶାଇ ସହକାରୀ ରିଟର୍ଣ୍ଣିଙ୍ଗ୍‌ ଅଫିସର୍‌ (ବାଗଶ୍ୱେର ଏଆର୍‌ଓ) ତାଙ୍କୁ ନୋଟିସ୍‌ ଦେଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ତାଙ୍କୁ କୁହାଯାଇଛି।

Categories
ଆଜିର ଖବର

ବିଜେପିରେ ଯୋଗ ଦେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

କଂଗ୍ରେସ ଛାଡ଼ିଥିବା ସାଲେପୁର ବିଧାୟକ ପ୍ରକାଶ ବେହେରା ରବିବାର ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍‌ ଓରାମ୍‌, ପ୍ରଭାରୀ ଅରୁଣ ସିଂ, ବିଧାୟକ ଦଳ ନେତା କେଭି ସିଂଦେଓ ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ବିଜେପିରେ ସାମିଲ୍‌ ହୋଇଛନ୍ତି। ବିଜେପିରେ ସାମିଲ୍‌ ହେବା ପରେ ସାଲେପୁର ବିଧାୟକ ପ୍ରକାଶ ବେହେରା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନେତୃତ୍ବକୁ ଭରସା କରି ବିଜେପିରେ ଯୋଗ ଦେଇଛନ୍ତି। ମୋଦିଙ୍କ ସବ୍‌କା ସାଥ୍‌ ବିକାଶ ଧାରାକୁ ଆଗେଇ ନେବାକୁ ମନପ୍ରାଣ ଦେଇ କାମ କରିବେ ବୋଲି କହିଛନ୍ତି। ୨୦ ବର୍ଷର ସମ୍ପର୍କ ଛିନ୍ନ କରି ପ୍ରକାଶ ବେହେରା ଶନିବାର ଦିନ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ପୂର୍ବରୁ ସେ ବିଜେଡ଼ିରେ ଯୋଗଦେବା ନେଇ ଚର୍ଚ୍ଚା ଲାଗିରହିଥିଲା।

Categories
ଆଜିର ଖବର

ସୋସିଆଲ୍‌ ମିଡ଼ିଆରେ ଚୌକିଦାର ଟ୍ରେଣ୍ଡ୍‌ : ଟ୍ୱିଟରରେ ମୋଦୀଙ୍କ ନାମ ବଦଳି ହେଲା ଚୌକିଦାର ନରେନ୍ଦ୍ର ମୋଦୀ

୨୦୧୪ରେ ଚାଏ ବାଲାର ନାରା ଲଗାଇଥିବାବେଳେ କରିଥିବାବେଳେ ୨୦୧୯ରେ ଚୌକିଦାରର ନାରା ଲଗାଇଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ମୋଦି ବିଧିବଦ୍ଧ ଭାବେ ନିର୍ବାଚନୀ ବିଗୁଲ୍‌ ବଜାଇ ‘ମୈ ଚୌକିଦାର ହୁଁ’ର ଅଭିଯାନ ଆରମ୍ଭ କରିଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନାମ ଚୌକିଦାରରେ ପରିବର୍ତ୍ତନ ହୋଇଛି। ଏବେ ମୋଦୀ ନିଜ ନାମ ଆଗରେ ଟ୍ୱିଟରରେ ଚୌକିଦାର ନାମ ଯୋଡି ସାରିଲେଣି। ଏବେ ଟ୍ୱିଟରରେ ଚୌକିଦାର ନରେନ୍ଦ୍ର ମୋଦୀ ଲେଖାଯାଉଛି। ମୋଦୀଙ୍କ ବ୍ୟତୀତ ଅମିତ ଶାହା, ରେଳ ମନ୍ତ୍ରୀ ପୀୟୁଷ ଗୋୟଲ, ବିଜେପିର ଆଇଟି ସେଲ ପ୍ରମୁଖ ଅମିତ ମାଲବୀୟ ମଧ୍ୟ ଟ୍ୱିଟରରେ ନିଜ ନାମ ଆଗରେ ଚୌକିଦାର ଲଗାଇଛନ୍ତି। ସେମାନଙ୍କ ବ୍ୟତୀତ ଜେପି ନଡ୍ଡା, ରମଣ ସିଂହ, ପୁନମ ମହାଜନ ସମେତ ବହୁ ବଡ ବଡ ନେତା ମଧ୍ୟ ଚୌକିଦାର ଲଗେଇଛନ୍ତି। ଲୋକସଭା ନିର୍ବାଚନ ପ୍ରଚାର ପାଇଁ ବିଜେପି ଏକ ଭିଡିଓ ଲଂଚ୍ କରିଛି। ୩.୪୫ ମିନିଟର ଏହି ଭିଡିଓରେ ମୁଁ ବି ଚୌକିଦାର ଅଭିଯାନ ବିଷୟରେ ଦେଖାଯାଉଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କଟାକ୍ଷ ଚୌକିଦାର ଚୋରର ଜବାବ ଦେବାକୁ ଯାଇ ମୋଦୀ ଟ୍ୱିଟ କରିଛନ୍ତି କି, ଚୌକିଦାର ଏକା ନାହିଁ। ଯିଏ ଭ୍ରଷ୍ଟାଚାର ବିରୋଧରେ ଲଢେଇ କରୁଛି ସିଏ ବି ଜଣେ ଚୌକିଦାର। ମୋଦୀଙ୍କ ଟ୍ୱିଟ ପରେ ବହୁ ବିଜେପି ନେତା ମଧ୍ୟ ମୁଁ ବି ଚୌକିଦାର ବୋଲି ଟ୍ୱିଟ କରିଛନ୍ତି। ଏବେ ସୋସିଆଲ ମିଡିଆରେ ଏବେ ଚୌକିଦାର ଟ୍ରେଣ୍ଡ ଚାଲିଛି।

Categories
ବିଶେଷ ଖବର

“ଚୌକିଦାର ଚୋର ହୈ” ବନାମ “ମେ ଭି ଚୌକିଦାର” ; କଂଗ୍ରେସ ଓ ବିଜେପିର ସ୍ଲୋଗାନ ଯୁଦ୍ଧ

କେଦାର ମିଶ୍ର

ଭାରତରେ ନିର୍ବାଚନ ଆଉ ରାଜରାସ୍ତାରେ ଲଢା ଯାଉନାହିଁ। ଏବେ ନିର୍ବାଚନର ରଣାଙ୍ଗନ ହେଉଛି ଟେଲିଭିଜନ ପରଦା ଓ ସୋସିଆଲ ମିଡିଆର କାନ୍ଥ। ରାଲି ଏବଂ ରୋଡ ସୋ ତୁଳନାରେ ଟିଭି ବିତର୍କ ଏବେ ଲୋକମତକୁ ଅଧିକ ପ୍ରଭାବିତ କରୁଛି। ଟିଭି ତୁଳନାରେ ଅଧିକ ପ୍ରଭାବଶାଳୀ ହୋଇ ଉଠୁଛି ସୋସିଆଲ ମିଡିଆ। ଫେସବୁକ, ଟୁଇଟର, ୱ୍ହାଟସାପ ଓ ଅନ୍ୟାନ୍ୟ ଡିଜିଟାଲ ମାଧ୍ୟମରେ ନିର୍ବାଚନ ଯୁଦ୍ଧର ତୀବ୍ରତା ଭୟଙ୍କର ଭାବରେ ଅନୁଭୂତ ହେଉଛି। ଏକଦା ଭାରତୀୟ ଗଣମାଧ୍ୟମ ନିଜର ନିରପେକ୍ଷତାକୁ ନେଇ ଗର୍ବ କରୁଥିଲା। ଆଜି କିନ୍ତୁ ଗଣମାଧ୍ୟମ ନିଜକୁ ବିଭିନ୍ନ ଦଳର ପ୍ରଚାର ମାଧ୍ୟମ ଭାବରେ ନିଲାମ କରି ସାରିଛି। ଏବେ ଟେଲିଭିଜନରେ ଆଉ ନିଷ୍ପକ୍ଷ ବିତର୍କ ଆଉ ସମ୍ଭବପର ନୁହେଁ। ସବୁ ଟିଭି ଚାନେଲ ଏବେ ନିଜ ନିଜର ଶକ୍ତିକୁ କୌଣସି ନା କୌଣସି ଦଳ ପାଇଁ ବିନିଯୋଗ କରିବାର ଠିକା ନେଇ ସାରିଛନ୍ତି। ସେଇ ପୃଷ୍ଠଭୂମିରେ ୨୦୧୯ ନିର୍ବାଚନର ପ୍ରଚାର ପର୍ବକୁ ଆମେ ବିଶ୍ଳେଷଣ କରିବା।

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାର କହୁ କହୁ କହିଦେଲେ ଯେ ଜଣେ ଚା’ ବାଲା ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଅଯୋଗ୍ୟ। ବାସ, ସେହି କଥାରୁ ବିଜେପିକୁ ନିଜର ସବୁଠୁ ସଫଳ ସ୍ଲୋଗାନ ମିଳିଗଲା। ନରେନ୍ଦ୍ର ମୋଦୀ ଜଣେ ସାଧାରଣ ଚା’ ବାଲା ଓ ଗଣତନ୍ତ୍ରରେ ସେ ସବୁଠୁ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପାଇବା ଉଚିତ ବୋଲି ଏକ ଅଭିଯାନ ବିଜେପି ଆରମ୍ଭ କଲା।  “ଚାଏ ପେ ଚର୍ଚ୍ଚା” ଜରିଆରେ ହାଇ ଟେକ ପ୍ରଚାର ସେତେବେଳେ ବିଜେପିକୁ ବେଶ ଲାଭ ଦେଇଥିଲା। ୨୦୧୪ରେ କଂଗ୍ରେସ ନିଜ ଜାଲରେ ନିଜେ ଫସିଗଲା ଓ ତାର ସର୍ବାଧିକ ଲାଭ ନରେନ୍ଦ୍ର ମୋଦୀଙ୍କୁ ମିଳିଲା। ଯଦିଓ ସାଧାରଣ ଭାବରେ ଜଣେ ଚା’ ବାଲାର ଯେଉଁ ମର୍ୟାଦାବୋଧ ବା ବିନମ୍ରତା ମୋଦୀଙ୍କର କେବେ ବି ନଥିଲା କିନ୍ତୁ ଚା’ ବାଲାର ପରିଚୟକୁ ସବୁଠୁ ବଡ ରାଜନୈତିକ ବ୍ରାଣ୍ଡ ଭାବରେ ସେ ବ୍ୟବହାର କରିବାରେ ସଫଳ ହେଲେ।

୨୦୧୯ ବେଳକୁ ସେଦିନର ଚା’ ବାଲା ଆଜିର ଶୁଟ ବୁଟ ପିନ୍ଧା ପ୍ରଧାନମନ୍ତ୍ରୀ। ନରେନ୍ଦ୍ର ମୋଦୀ ବଡ ପୋଷାକ ପ୍ରିୟ ଓ ଫେସନ ସଚେତନ। ଦିନକୁ ଅତିକମରେ ଅଧ ଡଜନ ପୋଷାକ ବଦଳାଉଥିବା ପ୍ରଧାନମନ୍ତ୍ରୀ  ଏବେ ଆଉ ନିଜକୁ ଚା’ ବାଲା ବୋଲି କହିପାରିବେ ନାହିଁ। ତେଣୁ ୨୦୧୯ ନିର୍ବାଚନ ପୂର୍ବରୁ ଗୋଟେ ନୂଆ ବ୍ରାଣ୍ଡ ଓ ନୂଆ ସ୍ଲୋଗାନ ବିଜେପି ଲାଗି ଜରୁରୀ ଥିଲା। ଏଥର ମଧ୍ୟ ବିଜେପି ନିଜ ସ୍ଲୋଗାନ କଂଗ୍ରେସ ସୌଜନ୍ୟରୁ ପାଇଛି। ଗତ ନଭେମ୍ବର-ଡିସେମ୍ବରରେ ଅନୁଷ୍ଠିତ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ରାଫାଲେ ଜାହାଜ କିଣା ମାମଲାରେ ଦୁର୍ନୀତି ପ୍ରସଙ୍ଗ ଉଠାଇ କଂଗ୍ରେସ ସଭାପତି “ଚୌକିଦାର ଚୋର ହୈ” ର ସ୍ଲୋଗାନ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଭାବରେ ନୁହେଁ ବରଂ ଦେଶର ଚୌକିଦାର ଭାବରେ ଦେଶର ଟଙ୍କାଟିଏ ବି ବାହାରକୁ ଯିବାକୁ ଦେବିନାହିଁ ବୋଲି ଏକଦା ପ୍ରଧାନମନ୍ତ୍ରୀ ଦେଇଥିବା ବକ୍ତବ୍ୟର ଜବାବରେ ରାହୁଲ ଗାନ୍ଧୀ ଏ ସ୍ଲୋଗାନ ଦେଇଥିଲେ ଓ ତାହା ଅନେକାଂଶରେ ଲୋକମତକୁ ପ୍ରଭାବିତ ମଧ୍ୟ କରିଥିଲା।

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ଏହି ପ୍ରଭାବଶାଳୀ ସ୍ଲୋଗାନ ବିରୋଧରେ ଏକ ସ୍ଲୋଗାନ ତିଆରି କରିବା ବିଜେପି ଲାଗି ନିହାତି ଜରୁରୀ ଥିଲା। ଶେଷରେ ଗତକାଲି ବିଜେପି “ମେ ଭି ଚୌକିଦାର’ ଅଭିଯାନ ଆରମ୍ଭ କରିଛି। ଅର୍ଥାତ ଗତଥର ଚା’ ବାଲା ଓ ଏଥର ଚୌକିଦାର। ତେବେ ଗତଥର ଚା’ ବାଲାଟି ଥିଲା ସରଳ ଓ ପ୍ରାୟ ଅପରିଚିତ, ଏଥରର ଚୌକିଦାର କିନ୍ତୁ ବେଶ ପରିଚିତ ଓ ତାଙ୍କର କାର୍ୟକଳାପକୁ ନେଇ ପ୍ରଶ୍ନ ପଚାରିବାର ଯଥେଷ୍ଟ ଅବକାଶ ରହିଛି। କଂଗ୍ରେସର ଛାଟରେ କଂଗ୍ରେସକୁ ମାରିବାର ପୁରୁଣା ତରିକାକୁ ନେଇ ବିଜେପି ଓ ଏହାର ସୋସିଆଲ ମିଡିଆ ସେଲ ବେଶ ଉତ୍ସାହିତ । ହେଲେ କଂଗ୍ରେସ ଏଥର ୨୦୧୪ ପରି ଦୁର୍ବଳ ନୁହଁ। ପ୍ରଧାନମନ୍ତ୍ରୀ ‘ମେ ଭି ଚୌକିଦାର’ ଅଭିଯାନ ଆରମ୍ଭ କଲା କ୍ଷଣି କଂଗ୍ରେସ ତାର ଜବାବରେ ପ୍ରଧାନମନ୍ତ୍ରୀଙ୍କ ସହିତ ଗତ ପାଞ୍ଚ ବର୍ଷ ହେଲା ବିଭିନ୍ନ ବ୍ୟାଙ୍କରୁ ଲୁଟି ନେଇ ଫେରାର ଥିବା ବିଜୟ ମାଲ୍ୟା, ମେହୁଲ ଚୋକସି, ନୀରବ ମୋଦୀ ପ୍ରମୁଖଙ୍କ ଫଟୋ ଯୋଡି ପ୍ରଚାର ଆରମ୍ଭ କରିଛି।

ବିଜେପି ନିଜର ପ୍ରଚାର ଅଭିଯାନରେ ମୋଦୀଙ୍କ ନିଜସ୍ଵ ଟୁଇଟର ହାଣ୍ଡଲରୁ ଲକ୍ଷ ଲକ୍ଷ ଲୋକଙ୍କୁ “ମେ ଭି ଚୌକିଦାର’’ ବାର୍ତ୍ତା ପଠାଇ ଚାଲିଛି। ଚା’ ବାଲା ପରି ଚୌକିଦାରକୁ  ମଧ୍ୟ ଏକ ପ୍ରଭାବଶାଳୀ ରାଜନୈତିକ ବ୍ରାଣ୍ଡ ଭାବରେ ବ୍ୟବହାର କରିବାକୁ ବିଜେପି ଉଦ୍ୟମ ଆରମ୍ଭ କରିଛି। ବିଜେପିର ଉଦ୍ୟମରେ ଦେଶର ପ୍ରମୁଖ ଟିଭି ଚାନେଲ ତାକୁ ପୂର୍ଣ ସମର୍ଥନ କରୁଛନ୍ତି। ହେଲେ ଏ ପ୍ରକାର ଆକ୍ରାମକ ପ୍ରଚାର ଅଭିଯାନକୁ କଂଗ୍ରେସ କେମିତି ମୁକାବିଲା କରୁଛି, ତାରି ଉପରେ ସମସ୍ତଙ୍କ ନଜର ରହିବ।

 

Categories
ବିଶେଷ ଖବର

ହଜାର ସଂଖ୍ୟାରେ ଟିକଟରୁ ବଞ୍ଚିତ ନେତା ଯିବେ କୁଆଡେ ? କେଉଁ ଦଳରେ ହଜାର ହଜାର ଟିକଟ ବଣ୍ଟାହେବାର ସମ୍ଭାବନା ଅଛି ?

କେଦାର ମିଶ୍ର

ବିଜେପିର ଆଭ୍ୟନ୍ତରୀଣ ଖବର ରଖୁଥିବା ଜଣେ ସାମ୍ବାଦିକଙ୍କ ସହ ଆଜି ସନ୍ଧ୍ୟାରେ ଦେଖାହେଲା। ତାଙ୍କ କହିବା ମୁତାବକ, ବିଜେପି ପାଇଁ ୨୦୧୯ ନିର୍ବାଚନରେ ସବୁଠୁ ବଡ ଶକ୍ତି ହେଉଛନ୍ତି, ବିଜେଡ଼ିରୁ ବହିଷ୍କୃତ ଓ ଟିକଟରୁ ବଞ୍ଚିତ ନେତାମାନେ। ବିଜେଡି ଭିତରେ ଟିକଟ ଆଶାୟୀଙ୍କ ସଂଖ୍ୟା ଏତେ ଅଧିକ ଯେ ସେଥିରୁ ହଜାର ହଜାର ସଂଖ୍ୟାରେ ଅସନ୍ତୁଷ୍ଟ ହେବାର ସମ୍ଭାବନା ସର୍ବାଧିକ। ମାତ୍ର ୧୪୭ ବିଧାନସଭା ଓ ୨୧ ବିଧାନସଭା ଲାଗି କେବଳ ବିଜେଡିରେ ତିରିଶ ହଜାର ଆବେଦନକାରୀ ଅଛନ୍ତି ବୋଲି କୁହାଯାଉଛି। ଅର୍ଥାତ ପ୍ରତି ଆସନ ପିଛା କେବଳ ବିଜେଡି ଆଶାୟୀଙ୍କ ହାରାହାରି ସଂଖ୍ୟା ହେଉଛି ୧୭୮। ତିରିଶ ହଜାରରୁ ମାତ୍ର ୧୬୮ ଜଣ ଟିକଟ ପାଇବେ ଓ ବାକି ସବୁ ନିରାଶ ହେବେ।  ଏଇ ହତାଶ ଓ ନିରାଶ ନେତାମାନେ ବିଜେପି ପାଇଁ ସବୁଠୁ ବଡ ଶକ୍ତି ହେବାକୁ ଯାଉଛନ୍ତି ବୋଲି ବିଜେପି ଶିବିର ଏବେ ଆକଳନ କରୁଛି। କେବଳ ବିଜେଡ଼ିର ୨୯,୮୦୦ ନେତା ବିଜେଡ଼ିକୁ ଚାଲି ଆସିବେ ଓ ସେମାନେ ଆସିଲେ ବିଜେପିର ମିଶନ ୧୨୦ ସହଜ ହୋଇଯିବ ବୋଲି ବିଚାର ଚାଲିଛି। ତାହା ସହିତ କଂଗ୍ରେସ ରୁ ମଧ୍ୟ କିଛି ନେତା ଏବେ ବିଜେପିକୁ ଆସୁଛନ୍ତି। ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ବେହେରା ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଚାଲିଛି। ଏହାର ଅର୍ଥ ହେଉଛି, ଏବେ ବିଜେପି ଅସନ୍ତୁଷ୍ଟ ଓ ଦଳବଦଳକାରୀ ନେତାମାନଙ୍କର ସବୁଠୁ ବଡ ଧର୍ମଶାଳା।

ତେବେ ବୁଝିବା ଲୋକ ବୁଝନ୍ତି ଯେ, ବିଜେପି ଧର୍ମଶାଳାରେ ମଧ୍ୟ କୋଠରି ସଂଖ୍ୟା ସେହି ୧୪୭+୨୧=୧୬୮। ହଜାର ସଂଖ୍ୟାର  ଯେଉଁ ଉଦବାସ୍ତୁ ନେତା ଆସିବେ ସେମାନେ କେବଳ ଟୋପି ପିନ୍ଧି ନାଚିବାକୁ ଆସିବେନି। କିଛି ନେତା ହୁଏତ ନିଜ ପୁରୁଣା ଦଳ ପ୍ରତି ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ଅସୁବିଧାରେ ପକାଇବାକୁ ଚାହୁଁଥିବେ। କିନ୍ତୁ ବଡ ଭାଗ ନେତାଙ୍କ ଏକମାତ୍ର ଆଶା ସେଇ ଟିକଟ ଖଣ୍ଡକ। ଏପଟେ ବିଜେପି ଭିତରେ ଆବେଦନକାରୀଙ୍କ ସଂଖ୍ୟା କିଛି କମ ନୁହେଁ। ବିଜେଡି ଅଫିସରେ ଯଦି ତିରିଶ ହଜାର ଦରଖାସ୍ତ ପଡିଛି, ବିଜେପି ଅଫିସରେ ବି ସେଇ ପନ୍ଦର କୋଡିଏ ହଜାର ଦରଖାସ୍ତ ଅଛି। ଏଥିରୁ ଯେଉଁ ହତାଶ ଓ ଅସନ୍ତୁଷ୍ଟ ବାହାରିବେ ସେମାନେ ତ ପୁଣି କେଉଁଠିକି ଯିବେ ନା! ବାସ, ଗଣିତ ଏଇଠି ଜଟିଳ।

ଦଳ ବଦଳକାରୀଙ୍କ ଭରସାରେ ଯେଉଁ ଦଳ ରହେ ସେ ନିର୍ବାଚନରେ ସବୁଠୁ ଦୁର୍ବଳ ଦଳ ବୋଲି ଭାବିବାକୁ ପଡିବ। ତେବେ ଏହାର ବ୍ୟତିକ୍ରମ ଭାବରେ କେହି କେହି ୨୦୧୪ ସାଧାରଣ ନିର୍ବାଚନ କଥା ଉଠାଇପାରନ୍ତି। ୨୦୧୪ ରେ କଂଗ୍ରେସର ପାଖାପାଖି ଶହେ ଜଣ ପୁରୁଣା ସାଂସଦ ବିଜେପିକୁ ଆସିଥିଲେ ଓ ସେମାନେ ଜିତିକରି ବିଜେପି ର ବଡ ସମ୍ପତ୍ତି ହୋଇଥିଲେ। ଏବେ ସେକଥା ଓଡିଶାରେ ଘଟିବ କି? ବିଜେଡି ଲୋକସଭା ଓ ବିଧାନସଭା ପାଇଁ ଯେହେତୁ ନୂଆ ମୁହଁ ଦେବାକୁ ବଦ୍ଧ ପରିକର, ସେହି କାରଣରୁ ବିଜେଡିରେ ବଡ ଧରଣର ଅସନ୍ତୋଷ ଆସିପାରେ। ହେଲେ ଏ ପ୍ରକାର ଅସନ୍ତୋଷକୁ ବିଜେଡି ମୁକାବିଲା କରିବାରେ ସବୁବେଳେ ସମର୍ଥ ରହି ଆସିଛି। ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡି ମୋଦୀ ହାୱା ଓ ପ୍ୟାରୀମୋହନ ମହାପାତ୍ରଙ୍କ ବ୍ରାହ୍ମାସ୍ତ୍ରକୁ ଏକା ସାଙ୍ଗରେ ମୁକାବିଲା କରିଥିଲା। ତେଣୁ ଆଜି, ତଥାକଥିତ ଦାମ-ବୈଜୟନ୍ତ ଆହ୍ଵାନ ଓ ବିଜେପିର ଉଗ୍ର ଜାତୀୟତାବାଦକୁ ଏକା ସାଙ୍ଗରେ ବିଜେଡି କେମିତି ସାମ୍ନା କରୁଛି, ତାହା ଦେଖିବା ପାଇଁ ଆମେ ସାମ୍ବାଦିକମାନେ ବେଶ ଉଦଗ୍ରୀବ।

ନିର୍ବାଚନ ଘୋଷଣା ହେବା ପରେ ଯେଉଁ ନେତାମାନେ ଦଳ ବଦଳ କରନ୍ତି, ସେମାନେ ଲୋକ ଚକ୍ଷୁରେ ଅପାରଗ ଓ ସେମାନେ ନିଜ ପୁରୁଣା ଦଳର ଉଚ୍ଚିଷ୍ଟ ଭାବରେ ବିବେଚିତ ହୁଅନ୍ତି। ଯେତେ ଟାଣୁଆ ନେତା ହେଲେ ମଧ୍ୟ ନୂଆ ଦଳରେ ପୁରୁଣା ଦଳର ନେତାଟି ଅଚିହ୍ନା ଓ ଅସ୍ପୃଶ୍ୟ ହୋଇ କିଛି ଦିନ ରହେ। ତୃଣମୂଳ ସ୍ତରରେ ଏ ସ୍ଥିତି ଆହୁରି ଗମ୍ଭୀର। ଦଳବଦଳକାରୀ ନେତାକୁ ନୂଆ ଦଳର କର୍ମୀ ପ୍ରତ୍ୟାଖ୍ୟାନ କରିବାର ବହୁ ଉଦାହରଣ ରହିଛି। ତେବେ ଦଳବଦଳକାରୀ ନେତାଙ୍କର ସ୍ତର ଯଦି ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ବଳଭଦ୍ର ମାଝୀ କିମ୍ବା ସୁକାନ୍ତ ନାୟକଙ୍କ ପରି ହୋଇଥାଏ, ସେଠି ପରିସ୍ଥିତି ଅଲଗା ହେବ କି? ଏହାର ଉତ୍ତରରେ ଆମେ କହିବୁ ଯେ, ଏ ସ୍ତରର ନେତା ନିଜ ନୂଆ ଦଳ ଲାଗି ସବୁଠୁ ବଡ ବୋଝ ହୋଇଥାନ୍ତି। ଆଜି ଭାରତୀୟ ଜନତା ପାର୍ଟିର ରାଜ୍ୟ କର୍ମକର୍ତ୍ତାମାନଙ୍କର ଏକ ବୈଠକର ଫଟୋ ବାହାରିଛି। ସେଥିରେ ବୈଜୟନ୍ତ ପଣ୍ଡା ହଠାତ କେନ୍ଦ୍ରୀୟ ଭୂମିକାରେ ଦୃଶ୍ୟମାନ ହେଉଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଣଠେସା ହୋଇ ବସିଛନ୍ତି। ନୂଆ ନେତାଙ୍କୁ ନେଇ ପୁରୁଣା ନେତାଙ୍କ ଅସୁରକ୍ଷାର ଭାବନା ଅନେକ ସଙ୍କଟ ସୃଷ୍ଟି କରିଥାଏ। ଏଇ ନିର୍ବାଚନରେ ବିଜେପି ଲାଗି ଅସନ୍ତୁଷ୍ଟ ବିଜେଡି ନେତାମାନେ ସବୁଠୁ ବଡ ବୋଝ ହେବାକୁ ଯାଉଛନ୍ତି। ଯେଉଁ ଅସନ୍ତୁଷ୍ଟ ବିଜେଡି ନେତାମାନେ ବୈଜୟନ୍ତ ଓ ଦାମଙ୍କ ମାର୍ଫତରେ ବିଜେପିକୁ ଆସିବେ, ସେମାନେ ବିଜେପିର ପୁରୁଣା ନେତାଙ୍କ ଲାଗି କଣ୍ଟା ହୋଇକି ରହିବେ। ତେଣୁ ଦଳବଦଳକାରୀଙ୍କ ଉପରେ ଆସ୍ଥା ରଖି ବିଜେପିର ନିର୍ବାଚନ ଜିତିବା ସ୍ଵପ୍ନ, କେବଳ ଆକାଶ କଇଆଁ ହୋଇ ରହି ନ ଯାଏ ଯେମିତି!!

Categories
ବିଶେଷ ଖବର

ବିଜେଡି ଓ ବିଜେପିର “ଡଷ୍ଟବିନ” ରାଜନୀତି; ନିର୍ବାଚନରେ କାହାକୁ କେତେ ଫାଇଦା ଦେବ ?

କେଦାର ମିଶ୍ର

ଏବେ ଲାଗୁଛି, ଓଡିଶାର ତିନୋଟିଯାକ ପ୍ରମୁଖ ରାଜନୈତିକ ଦଳ- ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ କାର୍ଯ୍ୟାଳୟ ଆଗରେ ଗୋଟେ ଗୋଟେ ସୁନ୍ଦର ଡଷ୍ଟବିନ ଥୋଇଛନ୍ତି। ନିଜ ଦଳ ଭିତରେ ଯେଉଁ ନେତାମାନେ ଅଳିଆ କରୁଛନ୍ତି ବୋଲି ଦଳ ବିଚାର କରୁଛି ସେମାନଙ୍କୁ ଡଷ୍ଟବିନ କୁ ଫୋପାଡି ଦିଆଯାଉଛି। ହେଲେ ସବୁଠୁ ମଜାର କଥା ହେଉଛି, ଏଇ ତିନୋଟି ଯାକ ଦଳ ନିଜ ନିଜର ଡଷ୍ଟବିନକୁ ପ୍ରତିଦିନ ଅଦଳ ବଦଳ କରି ଚାଲିଛନ୍ତି। ବିଜେଡ଼ିର ଅଳିଆ ଏବେ ଯାଇ ବିଜେପିରେ ହାଜର, ସେହିପରି ବିଜେପିର ଅଳିଆ ବିଜେଡି ଅଫିସ ରେ ସୁଶୋଭିତ। ଅବଶ୍ୟ ଏହା ଭିତରେ କଂଗ୍ରେସର ସ୍ଥିତି ଟିକେ ଭିନ୍ନ। ତାଙ୍କ ଦଳରେ ଅଳିଆ ବାହାରୁଛନ୍ତି ବହୁତ, ହେଲେ ଆସୁଛନ୍ତି କମ। କେନ୍ଦ୍ର ଓ ରାଜ୍ୟ ଶାସନରେ ଥିବା ହେତୁ ବିଜେପି ଓ ବିଜେଡିରେ ଲୋକଙ୍କ ଆଶା ଯେତିକି, ଆଶା ଭାଙ୍ଗିବାର କଷ୍ଟ ମଧ୍ୟ ସେତିକି ଅଧିକ।

ବର୍ତ୍ତମାନ ୧୯ ବର୍ଷ ଓଡିଶା ଶାସନରେ ରହି ଆସିଥିବା ବିଜେଡିରେ ନବ କଳେବର ଚାଲିଛି। ୨୦୧୯ ନିର୍ବାଚନରେ ଦଳ ନୂଆ ମୁହଁକୁ ନେଇ ନିର୍ବାଚନ ମଇଦାନକୁ ଯିବାପାଇଁ ଏକ ପ୍ରକାର ସ୍ଥିର କରି ସାରିଛି। ଲୋକସଭା ପାଇଁ ୩୩% ମହିଳା ପ୍ରାର୍ଥୀ ଓ ପୁରୁଣା ମୁହଁ ବଦଳାଇବାର ନୀତି ଯୋଗୁଁ ବିଜେଡ଼ିର ପୁରୁଣା ନେତାମାନେ ଏବେ ସ୍ଵାଭାବିକ ଭାବରେ ଅସନ୍ତୁଷ୍ଟ। ଅନେକ ଟିକେଟ ଆଶାୟୀ ଏବେ ଦଳ ଛାଡୁଛନ୍ତି। ଆଗରୁ ବିଜେଡି ବୈଜୟନ୍ତ ପଣ୍ଡା, ଦାମୋଦର ରାଉତଙ୍କ ପରି ପୁରୁଣା ନେତାଙ୍କୁ ବହିଷ୍କାର କରିସାରିଥିଲା। ଦଳରୁ ବହିଷ୍କୃତ ହେଲାପରେ ଏମାନେ କିଛି ଦିନ ଶହୀଦ ହେବାର ଅଭିନୟ କଲାପରେ ଏବେ ହଠାତ ବିଜେପିରେ ଯୋଗଦାନ କରିଛନ୍ତି। ଅର୍ଥାତ ବିଜେପିର ଡଷ୍ଟବିନରେ ବହିଷ୍କୃତ ଓ ଟିକଟରୁ ବଞ୍ଚିତ ନେତାଙ୍କର ଭରପୂର ଭିଡ। ଆହୁରି ରୋଚକ କଥାହେଲା, ଏବେ ବିଜେପିର ମିଶ୍ରଣ ପର୍ବ ଓଡିଶାରୁ ଦିଲ୍ଲୀକୁ ସ୍ଥାନାନ୍ତରିତ ହୋଇଛି। ବୋଧହୁଏ, ବିଜେପି ଦିଲ୍ଲୀର ଗଣମାଧ୍ୟମକୁ କହିବାକୁ ଚାହୁଁଛି ଯେ ଓଡିଶା ଦଖଲ ଲାଗି ବିଜେପି ଏବେ ପୂରା ପ୍ରସ୍ତୁତ। ଦଳର ଟିକଟରୁ ବଞ୍ଚିତ ସାଂସଦ ବଳଭଦ୍ର ମାଝୀ ବିଜେଡି ଛାଡିଛନ୍ତି ଓ ତାଙ୍କ ଲାଗି ବିଜେପି ଦୁଆର ଖୋଲା ଅଛି ବୋଲି ଶୁଣା ଯାଉଛି। ସେହିପରି କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ମଧ୍ୟ ବିଜେପି ସହ ଯୋଗାଯୋଗରେ ଅଛନ୍ତି।

ଅପରପକ୍ଷରେ ବିଜେପିକୁ ଯାଉଥିବା ବିଜେଡି ନେତାଙ୍କୁ ଦେଖି ଏବେ ବିଜେପିର ପୁରୁଣା ନେତାମାନେ ପ୍ରମାଦ ଗଣିଲେଣି। ଯେଉଁ ନେତାମାନେ ଦିନରାତି ସେମାନଙ୍କୁ ଶୋଧୁଥିଲେ, ଏବେ ସେମାନେ ବିଜେପିର ଛାମୁଆ ନେତା। ବୈଜୟନ୍ତ ପଣ୍ଡା ତ ଏବେ ରାଷ୍ଟ୍ରୀୟ ଉପ ସଭାପତି। ଦାମ ରାଉତ ମଧ୍ୟ କିଛି ଗୋଟେ ପଦବୀ ହାତେଇ ପାରନ୍ତି। ବୈଜୟନ୍ତ କେନ୍ଦ୍ରାପଡା ଲୋକସଭାରୁ ବିଜେପି ପ୍ରାର୍ଥୀ ହେବେ ଓ ଦାମୋଦର ରାଉତ ବାଲିକୁଦା ଏରସମା ବିଧାନସଭାରୁ ପ୍ରାର୍ଥୀ ହେବେ ବୋଲି ଏକ ପ୍ରକାର ନିଷ୍ପତ୍ତି ହୋଇଛି। ଦାମ ତାଙ୍କ ପାରାଦୀପ ନିର୍ବାଚନ ମଣ୍ଡଳୀରୁ ନ ଲଢିବାର କାରଣ ହେଉଛି, ଏବେବି ସେ ଆଶା କରୁଛନ୍ତି ଯେ କାଳେ ବିଜେଡ଼ିରୁ ତାଙ୍କ ପୁଅ ସମୀର ରାଉତରାୟଙ୍କୁ ଟିକଟ ମିଳିଯିବ। ଇତି ମଧ୍ୟରେ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଦଳକୁ ଫେରି ଆସିବେ ବୋଲି କୁହାଯାଉଛି। ତା ମାନେ ହେଲା, ଏବେ ଓଡିଶା ବିଜେପି ପୁରୁଣା ବିଜୁ ଅନୁଗତଙ୍କ ଦଳପାଲଟିଯିବ।

ଏବେ ଅକସ୍ମାତ ବିଜେପି ଭିତରେ ବିଜୁ ପଟ୍ଟନାୟକଙ୍କ ଗୁଣଗାନ ବେଶି ବେଶି ଶୁଣିବାକୁ ମିଳୁଛି। ବିଜେପିଭିତରେ ପୁରୁଣା ସଙ୍ଘୀମାନଙ୍କୁ ଏ ବିଜୁ କୀର୍ତ୍ତନ ଭଲ ନାଲାଗିବା ସ୍ଵାଭାବିକ। ଆଦର୍ଶଗତ କାରଣରୁ ଓ ଟିକଟ ନ ପାଇବାର ରାଗ ଯୋଗୁଁ ଏବେ ଅନେକ ବିଜେପି ନେତା ବିଜେଡି ସହ ଯୋଗସୂତ୍ରରେ ଅଛନ୍ତି। କିଛି ନେତା ତ ନବୀନ ନିବାସରେ ପହଞ୍ଚି ସାରିଲେଣି। ଏ ଯିବା ଆସିବାର ପ୍ରକ୍ରିୟାରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା କଣ? ଲୋକେ ଡଷ୍ଟବିନରୁ ଗୋଟା ହୋଇ ଆସୁଥିବା ନେତାଙ୍କୁ ଭଲ ପାଆନ୍ତି କି? ୨୦୧୪ ନିର୍ବାଚନରେ କଂଗ୍ରେସର ଦୁଇଜଣ ଟାଣୁଆ ନେତା ଅନୁପ କୁମାର ସାଏ ଓ ହେମା ଗମାଙ୍ଗ  ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ, ହେଲେ ବିଜେଡ଼ିର ପ୍ରଚଣ୍ଡ ବିଜୟ ସତ୍ତ୍ୱେ ଏ ଦୁଇ ନେତା ହାରିଥିଲେ। ତେଣୁ ଦଳ ବଦଳକାରୀ ନେତାଙ୍କ ପ୍ରତି ଲୋକଙ୍କର ବିତୃଷ୍ଣା ରହିଛି।

ଦାମୋଦର ରାଉତ ବା ବୈଜୟନ୍ତ ପଣ୍ଡା ନୂଆ ଦଳ ଗଢି ନିର୍ବାଚନ ଲଢିଥିଲେ ହୁଏତ ସେମାନେ ହାରିଥାନ୍ତେ, କିନ୍ତୁ ଏକ ବିକଳ୍ପ ରାଜନୈତିକ ଶକ୍ତି ଭାବରେ ତାଙ୍କର ପରିଚୟ ସୃଷ୍ଟି ହୋଇଥାନ୍ତା। ବିଜେପିରେ ଏମାନଙ୍କର ଯୋଗଦାନ କେବଳ ଗଣମାଧ୍ୟମର ପ୍ରଚାରକୁ ପ୍ରଭାବିତ କରିବା ସିନା, ବାସ୍ତବ କ୍ଷେତ୍ରରେ ଏହାର କୌଣସି ପ୍ରଭାବ ନାହିଁ। ବିଜେଡି, ବିଜେପି ବା କଂଗ୍ରେସ, ଯେଉଁମାନଙ୍କୁ ଟିକଟ ଦେଉନାହାନ୍ତି, ସେମାନେ ସେଇ ଦଳ ଲାଗି ଅନାବଶ୍ୟକ ବୋଝ। ତେଣୁ ବୋଝ ବା ଅଳିଆ ଅନ୍ୟ ଦଳକୁ ଯିବ ବୋଲି ଜଣାଥାଏ। ସାଧାରଣ ଜନତା କିନ୍ତୁ ଏ ପ୍ରକାର ନେତାଙ୍କୁ ଠିକଣା ସମୟରେ ଜବାବ ଦେଇଥାନ୍ତି।

ଓଡିଶାର ସାଧାରଣ ନିର୍ବାଚନରେ ଲୋକ କାହାକୁ ଭୋଟ ଦେବେ ତାହା ଦଳ ବଦଳ କରୁଥିବା ନେତାଙ୍କ ଓଜନ ଉପରେ ନିର୍ଭର କରିବ ନାହିଁ। ଦଳବଦଳ ରାଜନୀତି ଖାଲି କାମେରା ଆଗରେ ନାଟକ ମାତ୍ର। ଯିଏ ଯେଉଁଠି ଜିତିବା ବା ହାରିବା କଥା ସେ ପ୍ରସଙ୍ଗ ଲୋକ ସ୍ଥିର କରି ସାରିଛନ୍ତି।

Categories
ବିଶେଷ ଖବର

ବହୁ ମାନସ ମନ୍ଥନ ପରେ ବିଜେପିରେ ମିଶିଲେ ଦାମୋଦର ରାଉତ, ହେଲେ ବିଜେପିର ତାଙ୍କର ଭୂମିକା ନେଇ ସୃଷ୍ଟି ହେଲା ପ୍ରଶ୍ନବାଚୀ

ସମୀକ୍ଷା ବ୍ୟୁରୋ

“ମୁଁ ବହୁ ବର୍ଷ ଧରି ମାନସ ମନ୍ଥନ କରୁଥିଲି। ଶେଷରେ ମୋ ବିବେକ କହିଲା ବିଜେପିରେ ଯୋଗଦେବି, ଆଉ ଆଜି ସେ ସ୍ବପ୍ନ ସାକାର ହେଲା। ମୁଁ ବିଜେପିରେ ଯୋଗ ଦେଲି।” ଏହାଥିଲା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତଙ୍କ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ବିଜେପି କାର୍ଯ୍ୟାଳୟରେ ଅଭିଭାଷଣ। ଯାହା ଆଗରୁ ଶୁଣାଯାଉଥିଲା ତାହା ସତ ହେଲା । ଶେଷରେ ଦାମ ରାଉତ ବିଧିବଦ୍ଧ ଭାବେ ବିଜେପିରେ ମିଶିଲେ। ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଧାୟକ କନକ ବର୍ଦ୍ଧନ ସିଂଦେଓ ଏବଂ ଓଡିଶା ବିଜେପି ପ୍ରଭାରୀ ଅରୁଣ ସିଂ ଯୋଗ ଦେଇଥିଲେ। ପୂର୍ବରୁ ଦାମ ରାଉତ ଦୁଇଦିନ ଧରି ନୂଆ ଦିଲ୍ଲୀରେ ରହି ବିଜେପିରେ ମିଶିବା ପାଇଁ ଚେଷ୍ଠା ଚଳାଇଥିଲେ। ସେ ବିଭିନ୍ନ ନେତାଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ହେଲେ ତାହା ସଫଳ ନ ହେବାରୁ ସେ ଭୁବନେଶ୍ବର ଫେରିଆସିଥିଲେ। ଏହାର ଦୁଇ ଦିନ ପରେ ପୁଣି ଥରେ ତାଙ୍କୁ ବିଜେପିରେ ମିଶିବା ପାଇଁ ଦିଲ୍ଲୀ ଡକରା ଆସିଲା। ଦାମ ତୁରନ୍ତ ଫ୍ଲାଇଟ ଟିକେଟ କରି ତରବରିଆ ଭାବେ ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିବା  ପରେ ରାତି ଆଠଟାରେ ବିଜେପିରେ ସାମିଲ ହେଲେ। ଏହା ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ଏବଂ କନକ ବର୍ଦ୍ଧନ ସିଂହଦେଓଙ୍କୁ ମଧ୍ୟ ତରବରିଆ ଭାବେ ଦିଲ୍ଲୀକୁ ଡକାଯାଇଥିଲା।

ଏହି ମିଶ୍ରଣ ପର୍ବରେ ଦାମ ତାଙ୍କର ସେହି ଚିରାଚରିତ ଭାଷଣରେ ବିଜେଡିକୁ ବେଶ୍ ସମାଲୋଚନା କରିଥିଲେ। ବିଜେଡି ଦୁର୍ନୀତିଗ୍ରସ୍ତ, ସମବାୟ ଦୁର୍ନୀତିଠାରୁ ଆରମ୍ଭ କରି ଚାରା ଦୁର୍ନୀତି ପ୍ରସଂଗ ପ୍ରଭୃତି ଉଠାଇଥିଲେ । ଆଦିବାସୀଙ୍କୁ ଉପଯୁକ୍ତ ନ୍ୟାୟ ବିଜେଡି ସରକାର ଦେଇପାରି ନାହିଁ, ଏପରିକି ରାଜ୍ୟରେ ମହିଳାମାନଙ୍କ ଉପରେ ନିର୍ଯ୍ୟାତନା ଏହି ସରକାରରେ ସମୟରେ ଘଟିଛି ବୋଲି ଦାମ କହିଥିଲେ। ଏହାପରେ ସେ ବିଜୁବାବୁ ମୋର ଆଦର୍ଶ ବୋଲି ମଧ୍ୟ ଦୋହରାଇଥିଲେ। ହେଲେ ଅନ୍ୟପଟେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵକୁ ପସନ୍ଦ କରି ତାଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ବିଜେପିରେ ଯୋଗ ଦେଲି ବୋଲି ଦାମ କହିଛନ୍ତି। ତେବେ ସେ ସ୍ପଷ୍ଟ କରି ନ ଥିଲେ ଯେ,ସେ ଏଥର ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ କି ନାହିଁ। କାରଣ ବିଜେଡିରୁ ଟିକେଟ ନେଇ ତାଙ୍କ ପୁତ୍ର ସମ୍ବିତ ରାଉତରାୟ ପାରାଦ୍ବୀପରୁ ଛିଡା ହେବେ। ଏପରି କ୍ଷେତ୍ରରେ ଦାମ କଣ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏକଦା ଦାମୋଦର ରାଉତ ବିଜେପିକୁ ତୀବ୍ର ସମାଲୋଚନା କରୁଥିଲେ। ପାରାଦ୍ବୀପର ଲୁଣି ପାଣିରେ ପଦ୍ମ ଫୁଟି ପାରିବ ନାହିଁ ବୋଲି କହିଥିଲେ। ଏପରିକି ଧର୍ମେନ୍ଦ୍ର ପ୍ରଧାନ ଓଡିଶାରୁ ଯେଉଁଠାରୁ ଛିଡା ହେଲେ ମୁଁ ତାଙ୍କୁ ହରାଇ ଦେବି ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ। ଦାମ ରାଉତ ଅଙ୍ଗନବାଡି କର୍ମିଙ୍କୁ ସମାଲୋଚନା କରିଥିବାରୁ ବିଜେପି ମହିଳା ମୋର୍ଚ୍ଚା ତାଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲା। ବ୍ରାହ୍ଣଣଙ୍କୁ ନେଇ ଦାମ ସମାଲୋଚନା କରିଥିବାରୁ ତା ବିରୋଧରେ ମଧ୍ୟ ବିଜେପି ଆନ୍ଦୋଳନ କରିଥିଲା। ଏପରି ପରିସ୍ଥିତିରେ ଦାମ ବିଜେପି କର୍ମିଙ୍କ ମଧ୍ୟରେ କେତେ ବିଶ୍ବାସ ଭାଜନ ହୋଇପାରିବେ ସେ ନେଇ ସନ୍ଦେହ ରହିଛି। ନବୀନ ସରକାରଙ୍କ ଗାଦିଚ୍ୟୁତ କରିବା ପାଇଁ ଦାମବାଣ କେତେ କାମ କରିବ ଏବଂ ବିଜେପିରେ ଦାମଙ୍କ ଭୂମିକା କଣ ହେବ ସେ ନେଇ ଉଠିଛି ପ୍ରଶ୍ନ।

 

Categories
ଆଜିର ଖବର

ବିଜେପିରେ ଯୋଗ ଦେବା ପାଇଁ ଦିଲ୍ଲୀ ଗଲେ ଦାମୋଦର ରାଉତ, ଛିଡା ହେବେ କି ନାହିଁ ପରେ ନେବେ ନିଷ୍ପତି

ଶେଷରେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ବିଜେପି ସହିତ ଡିଲ ଫାଇନାଲ ହେଲା। ସେଥିପାଇଁ ଆଜି ଦାମ ବିଜେପିରେ ଯୋଗ ଦେବା ପାଇଁ ନୁଆ ଦିଲ୍ଲୀ ଗସ୍ତ କରିଛନ୍ତି। ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ସେ ବିଧବଧ ଭାବେ ଦଳରେ ଯୋଗ ଦେବେ ବୋଲି ଜଣାପଡିଛି। ପୂର୍ବରୁ ଦାମ ନୂଆଦିଲ୍ଲୀ ଗସ୍ତ କରି ବିଜେପିର ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିଥିଲେ। ଏପରିକି ବିଜେପି ଓଡିଶା ପ୍ରଭାରୀ ଅରୁଣ ସିଂଙ୍କ ସହିତ ସେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ହେଲେ କଣ ହେଲା କେଜାଣି ଭୁବନେଶ୍ବର ଫେରିବା ପରେ ଦାମ ବିଜେପିରେ ମିଶିବା ନେଇ ସ୍ପଷ୍ଟ ସୂଚନା କିଛି ଦେଲେ ନାହିଁ। ଦୁଇ ଦିନ ପରେ ବିଜେପି ତରଫରୁ ଡକରା ଆସିବା ପରେ ସେ ଦିଲ୍ଲୀ ଗସ୍ତ କରିଛନ୍ତି। ଯାହା ଜଣାପଡୁଛି ଦାମ ବିଜେପି ସହିତ ଯେଉଁ ସର୍ତ୍ତ ରଖିଥିଲେ ସେଥିରେ ଦଳ ରାଜି ହୋଇଛି। ଆଜି ସଂଧ୍ୟାରେ କିମ୍ବା ଆସନ୍ତାକାଲି ସକାଳେ ଦାମ ବିଜେପିରେ ମିଶିବେ ବୋଲି ଜଣାପଡିଛି। ସେଥିପାଇଁ ଓଡିଶାରୁ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନୂଆ ଦିଲ୍ଲୀ ଯାଇଛନ୍ତି।

Categories
ବିଶେଷ ଖବର

ବିଜେଡି ପ୍ରତି ଆଗ୍ରହ ଦେଖାଉଛନ୍ତି ପୂର୍ବତନ ମନ୍ତ୍ରୀ ଦାମ ରାଉତ। ପୁଅଝିଅଙ୍କୁ ବିଜେଡିରେ ଥଇଥାନ ପାଇଁ ଚାଲିଛି ଡିଲ,କଣ ରହିଛି ଦାମଙ୍କ ଡିଲ ?

ସମୀକ୍ଷା ବ୍ୟୁରୋ

ଓଡିଶାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମ ରାଉତଙ୍କୁ ନେଇ ବର୍ତ୍ତମାନ ଉଡୁଛି ବଡ ଖବର। ତାହା ହେଉଛି ଦାମ ପୁଣି ଥରେ ବିଜେଡି ଆଡକୁ ଢଳିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହି ଖବର ବର୍ତ୍ତମାନ ଭୁବନେଶ୍ବର ରାଜନୀତିକୁ ସରଗରମ କରିଦେଇଛି। ବିଜେଡିରୁ ବହିସ୍କୃତ ହେବା ପରେ ଦାମ କଂଗ୍ରେସରେ ଯୋଗ ଦେଉଛନ୍ତି ବୋଲି ପ୍ରଚାର ହେଲା। ଏହାପରେ ସେ ବିଜେପିରେ ଯୋଗ ଦେଉଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଲା। ଏହା ସତ ଯେ, ଦାମ ବିଜେପିରେ ମିଶିବା ପାଇଁ ନୂଆ ଦିଲ୍ଲୀରେ ଡେରା ପକାଇଥିଲେ। ହେଲେ ବିଜେପି ସହିତ ଦାମ କଣ ଡିଲ କରିବାକୁ ଚାହୁଁଥିଲେ କେଜାଣି ତାଙ୍କର ବିଜେପି ଯିବାର ସ୍ବପ୍ନ ସାକାର ହେଲା ନାହିଁ। ସବୁଆଡୁ ବିଫଳ ହେବା ପରେ ଶେଷରେ ଦାମ ଆଉ ଏକ ଗୋଟି ଚଳାନା କରିଛନ୍ତି। ତାହା ହେଉଛି ବିଜେଡି। ବର୍ତ୍ତମାନ ଦାମ ନିଜ ପାଇଁ ନ ହେଲା ନାହିଁ ବିଜେଡିରୁ କିପିର ତାଙ୍କ ପୁଅ ଓ ଝିଅ ଟିକେଟ ପାଇବେ ସେ ନେଇ ଚେଷ୍ଠା ଆରମ୍ଭ କରିଥିବା ଜଣାପଡିଛି। ପୁଅ ସମ୍ବିତଙ୍କୁ ପାରାଦ୍ବୀପ ଏବଂ ଝିଅ ପ୍ରୀତିନନ୍ଦାଙ୍କୁ ଭୁବନେଶ୍ବର ଉତ୍ତର ବିଧାନସଭା ପାଇଁ ବିଜେଡିରୁ ଟିକେଟ ଦେବାକୁ ଚଳାଇଛନ୍ତି ଚେଷ୍ଠା। ଭିତିରି ଖବର ଅନୁସାରେ ଦାମଙ୍କ ଏହି ପ୍ରସ୍ତାବରେ କୁଆଡେ ବିଜେଡି ବଡପଣ୍ଡାମାନେ ରାଜି ହୋଇଛନ୍ତି। ହେଲେ ସେମାନେ ମଧ୍ୟ କେତେକ ସର୍ତ୍ତ ରଖିଛନ୍ତି। ତାହା ହେଲା

1-ପାରାଦ୍ବୀପରେ ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ବିଜେଡି ଟିକେଟ ଦିଆଯିବ, ହେଲେ ତାଙ୍କ ପାଇଁ ଦାମ ସମସ୍ତ ସହଯୋଗର ହାତ ବଢାଇବେ। ପ୍ରଚାର କରିବେ ଏବଂ ସେ କେମିତି ଜିତିବେ ସେ ଦାୟିତ୍ବ ଦାମ ନେବେ।

2- ତାଙ୍କର ଝିଅ ପ୍ରୀତିନନ୍ଦା ରାଉତରାୟଙ୍କୁ ବିଧାୟକ ଟିକେଟ ଦିଆଯିବ ନାହିଁ। ବରମ୍ ତାଙ୍କୁ ଭୁବନେଶ୍ବର ମହାନଗରର ନିଗମର ମେୟର କରାଯିବ। ପ୍ରୀତି ଭୁବନେଶ୍ବରର କର୍ପୋରେଟର ଥିଲେ, ସେ ଭୁବନେଶ୍ବର ମହାନଗରର ରାଜନୀତି ସହ ଜଡିତ ଥିବାରୁ ବିଜେଡି ଏହି ପ୍ରସ୍ତାବ ଦେଇଛି।

3-ଯେଉଁ ଶେଷ ପ୍ରସ୍ତାବ ରହିଛି ତାହା ହେଲା ଦାମ କୌଣସି ଦଳରେ ସାମିଲ ହେବେ ନାହିଁ  କି ସେ ବିଜେଡିରେ ଯୋଗ ଦେବେ ନାହିଁ। ହେଲେ ପରୋକ୍ଷରେ ବିଜେଡିକୁ ସାହାଯ୍ୟ କରିବେ।

ଏହି ପ୍ରସ୍ତାବ ଦାମଙ୍କୁ ଦିଆଯିବା ପରେ ସେ କୁଆଡେ ଏହାକୁ ନେଇ ଚିନ୍ତା କରୁଛନ୍ତି। ଏପରିକି ଏଥିରେ ରାଜି ହେବା ପାଇଁ ପାରିବାରିକ ଚାପ ପ୍ରବଳ ପଡୁଛି। ପ୍ରଥମ ଦୁଇଟି ପ୍ରସ୍ତାବ ନିଜେ ଦାମ ଦେଇଥିବାରୁ ସେଥିରେ କିଛି ଆପତ୍ତି ନାହିଁ। ହେଲେ ଶେଷ ପ୍ରସ୍ତାବର ଦାମ ସଂଶୋଧନ କରିବା ପାଇଁ ଚାହାଁନ୍ତି। ତାହା ହେଲା ସେ ବିଜେଡିରେ ପୁଣି ଥରେ ଯୋଗ ଦେବେ କି ନ ଦେବେ ତାହା ଭିନ୍ନ କଥା। ହେଲେ ବିଜେଡି ତାଙ୍କ ଉପରୁ ବହିସ୍କାର ଆଦେଶ ପ୍ରତ୍ୟାହାର କରୁ ବୋଲି ଦାମ ଚାହାଁନ୍ତି। ଏଥିସହିତ ସେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକଙ୍କ ସହିତ ସିଧା କଥା ହେବା ପାଇଁ ଚାହାଁନ୍ତି ବୋଲି ଜଣାପଡିଛି। ହେଲେ ବିଜେଡିର ଯେଉଁ ବରିଷ୍ଠ ନେତାମାନେ ମଧ୍ୟସ୍ଥି କରୁଛନ୍ତି ସେମାନେ ନବୀନଙ୍କ ସହିତ ଦାମଙ୍କ ଭେଟଘାଟକୁ ବିରୋଧ କରୁଛନ୍ତି। କାରଣ ଦାମଙ୍କ ତୁଣ୍ଡରେ ନିୟନ୍ତ୍ରଣ ନ ଥିବାରୁ ସେ କାଳେ କଣ କହିଦେବେ ସେହି ଭୟ ସମସ୍ତଙ୍କୁ ଗୋଡାଇଛି। ପୁଣି ଥରେ ଦାମଙ୍କ ଅନୁରୋଧକୁ ବଡପଣ୍ଡାମାନେ ପରିବର୍ତ୍ତନ କରି ତାଙ୍କ ସହିତ ଆଲୋଚନା କରିଛନ୍ତି। ତାହା ହେଲା ପ୍ରଥମେ ଦାମ ଏହି ତିନୋଟି ସର୍ତ୍ତରେ ସଂପୂର୍ଣ୍ଣ ରାଜି ହୁଅନ୍ତୁ। ନବୀନଙ୍କ ସହିତ ଭେଟଘାଟ ପରବର୍ତ୍ତି ସମୟରେ ଅର୍ଥାତ ନିର୍ବାଚନ ପରେ କରାଯିବ ବୋଲି ଜଣାଇ ଦିଆଯାଇଛି। ହେଲେ ଦାମ କୁଆଡେ ଏଥିରେ ରାଜି ହେଉ ନ ଥିବାର ଜଣାପଡିଛି। ସେ ମଧ୍ୟସ୍ଥିଙ୍କୁ ପୁଣି କହିଛନ୍ତି ଯେ, ଏହି ସର୍ତ୍ତଗୁଡିକ ନବୀନ ଖୋଦ ତାଙ୍କ ପାଟିରେ କୁହନ୍ତୁ। ତାହା ହେଲେ ମୁଁ ବାହାରେ ରହି ବିଜେଡିକୁ ସଂପୂର୍ଣ୍ଣ ସାହାର୍ଯ୍ୟ କରିବି ବୋଲି ଦାମ ସଫାସଫା ଶୁଣେଇ ଦେଇଛନ୍ତି। ଏହାକୁ ନେଇ ପୁଣି ଥିରେ ବିଜେଡି ବଡପଣ୍ଡାମାନେ ଚିନ୍ତା କରୁଛନ୍ତି। ଏପରିକି ତାଙ୍କୁ ନବୀନ ନିବାସ ଡାକିବା ପାଇଁ ମଧ୍ୟ ଯୋଜନା ଚାଲିଛି ବୋଲି ଜଣାପଡିଛି।

ବର୍ତ୍ତମାନ ପାରାଦ୍ବୀପର ଯାହା ପରିସ୍ଥିତି ସେଠାରେ ଦାମ ହିଁ ଏକମାତ୍ର ଭରସା ବୋଲି ବିଜେଡି ଜାଣିସାରିଲାଣି। ତାଙ୍କୁ ବାହାର କରି ତାଙ୍କୁ ପୁଅଙ୍କୁ ଟିକେଟ ଦେବା ପାଇଁ ବିଜେଡି ନିଷ୍ପତି କରିଛି। ହେଲେ ଏହାକୁ ନେଇ ବିରୋଧୀ କାଳେ ପରିବାର ଭିତରେ ବିଜେଡି ଫାଟ ସୃଷ୍ଟି କରୁଛି ବୋଲି ସମାଲୋଚନା କରିବେ ସେ ଭୟ ରହିଛି। ଯେହେତୁ ଜଗତସିଂହପୁର ଜିଲ୍ଲାରେ ଦାମଙ୍କ ସଂଗଠନ ରହିଛି ସେଥିପାଇଁ ତାଙ୍କୁ ହାତଛଡା ନ କରିବା ପାଇଁ ବିଜେଡି ଚାହୁଁଛି। ଅନ୍ୟପକ୍ଷରେ ନିଜେ ଦାମ ବିଜେଡିରୁ ବହିସ୍କୃତ ହେବା ପରେ ରାଜନୀତିରୁ ସେ ଏକ ପ୍ରକାରର ସନ୍ୟାସ ନେବା ଅବସ୍ଥା ହୋଇଯାଇଛି। କାରଣ ମହାମେଣ୍ଟ କରି ବିଜେଡିକୁ ଟକ୍କର ଦେବେ ବୋଲି ଯେଉଁ ଆଶା କରିଥିଲେ,ତାହା ହେଲା ନାହିଁ। କାରଣ ଦାମ ଭାବିଥିଲେ ହେଲେ ଯେ, ମହାମେଣ୍ଟ ଗଠନ କଲେ ସେଥିରେ ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ଏବଂ ପଞ୍ଚାନନ କାନୁନଗୋ ପରି ବଡବଡ ହସ୍ତୀମାନେ ଯୋଗଦେବେ। ହେଲେ ବୈଜୟନ୍ତ ବିଜେପିରେ ଯୋଗ ଦେଇଦେଲେ, ବିଜୟ ଏବଂ ଦିଲ୍ଲୀପ ଦାମଙ୍କୁ ସହଯୋଗ କଲେ ନାହିଁ। ଫଳରେ ଦାମ ଦିଗହରା ହୋଇ ବିଜେପି ସହିତ ସାମିଲ ହେବେ ବୋଲି ଚେଷ୍ଠା ଆରମ୍ଭ କଲେ। ଏପରିକି ଦିଲ୍ଲୀ ଯାଇ ସେଠାରେ ଲବି ମଧ୍ୟ କରିଥିଲେ। କଣ ହେଲା କେଜାଣି ଓଡିଶା ଫେରି ଦାମ କହିଲେ ଯେ କୈଣସି ନିଷ୍ପତି ହୋଇ ନାହିଁ। ମହାମେଣ୍ଟ, କଂଗ୍ରେସ ଏବଂ ବିଜେପିରୁ ନିରାଶ ହେବା ପରେ ଶେଷରେ ତାଙ୍କ ହାତଗଢା ଦଳ ବିଜେଡି ଆଡକୁ ଢଳିବା ପାଇଁ ଦାମ ବାଧ୍ୟ ହେଉଛନ୍ତି ବୋଲି କୁହାଯାଇପାରେ।

Categories
ବିଶେଷ ଖବର

ବିଜେପିରେ ମିଶିବେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ବିଜେପି ନେତାଙ୍କ ସହିତ ଆଲୋଚନା ପାଇଁ ନୂଆଦିଲ୍ଲୀରେ ପକାଇଲେ ଡେରା।

ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ବର୍ତ୍ତମାନ ନୂଆଦିଲ୍ଲୀରେ ଅଛନ୍ତି। ତିନିଦିନ ଧରି ସେ ଦିଲ୍ଲୀରେ ଡେରାପକାଇଛନ୍ତି। ନୂଆଦିଲ୍ଲୀ ସୁତ୍ରରୁ ଜଣାପଡିଛି ଯେ, ଦାମ ରାଉତ କୁଆଡେ ବିଜେପିରେ ମିଶିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏଥିମଧ୍ୟରେ ସେ ବିଭିନ୍ନ ନେତାଙ୍କ ସହିତ ଆଲୋଚନା ମଧ୍ୟ କରିଥିବାର ଜଣାପଡିଛି। ବିଜେପି ଓଡିଶା ପ୍ରଭାରୀ ଅରୁଣ ସିଂ ସହିତ ମଧ୍ୟ ଦାମ ଦୀର୍ଘ ସମୟ ଧରି ସାକ୍ଷାତ କରିଛନ୍ତି। ତାଙ୍କ ପାଇଁ କନକ ବର୍ଦ୍ଦନ ସିଂଦେଓ ମଧ୍ୟ ଦିଲ୍ଲୀରେ ଲବି କରୁଛନ୍ତି ବୋଲି ଜଣାପଡିଛି। ଯାହା ଜଣାପଡୁଛି ଯଦି ବିଜେପି ରାଷ୍ଟ୍ରୀୟ ନେତାମାନେ ରାଜି ହୁଅନ୍ତ ତେବେ ଦୁଇ ଦିନ ମଧ୍ୟରେ ଦାମ  ବିଜେପିରେ ମିଶିବେ। ଅନ୍ୟ ଏକ ସୁତ୍ର ଅନୁସାରେ ଜଣାପଡିଛି ଯେ, ଯଦି ବିଜେପିରେ ମିଶିବା ସମ୍ଭବ ହୋଇପାରିବ ନାହିଁ ତେବେ ସେ ବିଜେପି ସମର୍ଥନରେ ବିଜେଡି କିପରି ହାରିବ ତାହାର ରଣନୀତି ତିଆରି କରିବେ। ବହୁ ବର୍ଷ ଧରି ଦାମ ରାଉତ ବିଜେଡିର ଜଣେ ତୁଙ୍ଗ ନେତା ହିସାବରେ ପରିଗଣିତ ଥିଲେ। ସେ ବିଜେଡି ସରକାରରେ ବିଭିନ୍ନ ପଦପଦବୀରେ ମଧ୍ୟ ରହିଛନ୍ତି। ମୁଖ୍ୟତଃ ତାଙ୍କର ତୁଣ୍ଡ ପାଇଁ ମନ୍ତ୍ରୀ ପଦ, ଶେଷରେ ବିଜେଡିର ସଭ୍ୟପଦ ମଧ୍ୟ ଚାଲିଗଲା।  ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ଏକ ମହାମେଣ୍ଟ କରି ବିଜେଡିକୁ ଟକ୍କର ଦେବେ ବୋଲି ଚେଷ୍ଟା କରିଥିଲେ। ହେଲେ ସେହି ମେଣ୍ଟରେ କେହି ଟାଣୁଆ ନେତା ଯୋଗ ନ ଦେବା ପରେ ତାହା ଫସର ଫାଟିଯାଇଥିଲା। ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ଯେ କୌଣସି ଉପାୟରେ ଗୋଟିଏ ଭଲ ଦଳକୁ ଯିବା ଚେଷ୍ଟାରେ ଅଛନ୍ତି ଦାମ।

ଖବର ଅନୁସାରେ ଦାମଙ୍କୁ ବିଜେପିରେ ମିଶାଇବା ପାଇଁ ଦଳର କେତେକ ତୁଙ୍ଗ ନେତା ବିରୋଧ କରୁଛନ୍ତି। ବିଜେଡିରେ ଥିବା ବେଳେ ଦାମ ବିଭିନ୍ନ ସମୟରେ ବିଜେପିକୁ ବିଶେଷ କରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯେପରି କଟାକ୍ଷ କରିଥିଲେ ତାହା ବର୍ତ୍ତମାନ ତାଙ୍କ ପାଇଁ ଅଡୁଆ ସୃଷ୍ଟି କରୁଛି। ଏସବୁ ଜାଣିବା ପରେ ମଧ୍ୟ ଦାମ ବିଜେପିରେ ମିଶିବା ପାଇଁ ଚେଷ୍ଠା ଚଳାଇଛନ୍ତି। ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କୁ ମନାଇବା ପାଇଁ ଦାମ କେତେକ ବିଜେପି ନେତାଙ୍କୁ ଲଗାଇଦେଇଛନ୍ତି। ଦାମ ଦେଖିଲେ ବର୍ତ୍ତମାନ ରାଜନୈତିକ ପରିସ୍ଥିତିରେ ବିଜେଡିକୁ ଛାଡିଦେଲେ ବିଜେପି ଦ୍ବିତୀୟ ସ୍ଥିତିରେ ରହିବ। ଏପରି କ୍ଷେତ୍ରରେ କଂଗ୍ରେସକୁ ଯିବା ଅପେକ୍ଷା ବିଜେପି ଯିବା ସବୁଠୁ ଭଲ ହେବ ବୋଲି ସେ ଚିନ୍ତା କରି ଏହି ପଦକ୍ଷେପ ନେଉଛନ୍ତି। ପୂର୍ବରୁ ଏହି ଦୁଇ ଦଳରୁ ଦୂରେଇ ରହି ସେ ଏକ ତୃତୀୟ ସାମ୍ମୁଖ୍ୟ ଗଠନ କରିଥିଲେ। ସେଥିରେ ସେ ଆଶା କରିଥଲେ ଯେ ତାଙ୍କ ଦଳରେ ବଡବଡ ନେତା ଯୋଗଦେବେ। ଏଥିପାଇଁ ଦାମ ବୈଜୟନ୍ତ ପଣ୍ଡା, ଦିଲ୍ଲୀପ ରାୟ, ବିଜୟ ମହାପାତ୍ର ଏବଂ ବିଜେଡିର କେତେକ ବିଧାୟକ ଏବଂ ସାଂସଦଙ୍କ ସହିତ ମଧ୍ୟ କଥା ହୋଇଥିଲେ। ହେଲେ ପରବର୍ତ୍ତି ପରିସ୍ଥିତିରେ ଏମାନେ କେହି ତାଙ୍କୁ ସାଥ ଦେଲେ ନାହିଁ। ଏପରିକି ତାଙ୍କ ସାଥିରେ ଥିବା ପୂର୍ବତ୍ତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ମଧ୍ୟ ସାଥ୍ ଦେଲେ ନାହିଁ। ବିଜେଡି ନେତା ନ ହେଲେ ମଧ୍ୟ ଅନ୍ତତଃ ପକ୍ଷେ ବିଜୟ, ଦିଲ୍ଲୀପ ଏବଂ ଜୟ ପଣ୍ଡା ତାଙ୍କ ତୃତୀୟ ସାମ୍ମୁଖ୍ୟରେ ଯୋଗ ଦେଇଥିଲେ ସେ କାମ ଚଳାଇ ଦେଇଥାନ୍ତେ। ହେଲେ ସେମାନେ ମଧ୍ୟ ଦାମଙ୍କ ମୁହଁକୁ ଅନାଇଲେ ନାହିଁ। ଫଳରେ ସ୍ଥିତି ନ ଥିବା କେତେକ ନେତାଙ୍କୁ ନେଇ ବିଜେଡିକୁ ମୁକାବିଲା କରିବା ସମ୍ଭବପର ନୁହେଁ ବୋଲି ଦାମ ଅନୁଭବ କରିସାରିଥିଲେ। ସେଥିପାଇଁ ଦାମ ଅନ୍ୟ ଉପାୟ ନ ପାଇ ବର୍ତ୍ତମାନ ବିଜେପି ଶିବିରର ଶରଣ ପଶିଛନ୍ତି। ସବୁ ଦିନ ପାଇଁ ବିଜେପିରେ ନ ରହିଲେ ମଧ୍ୟ ଅନ୍ତତଃ ପକ୍ଷେ ବିଜେଡିକୁ ଟକ୍କର ଦେବା ପାଇଁ ଏହି ନିର୍ବାଚନଟି ଭଲରେ ଭଲରେ ପାର ହୋଇଯିବ ବୋଲି ଦାମ ଚିନ୍ତା କରିଛନ୍ତି।

Categories
ବିଶେଷ ଖବର

କଂଗ୍ରେସ ଓ ବିଜେପିର ପୁରୁଣା ମୁହଁ ବନାମ ବିଜେଡ଼ିର ନୂଆ ମୁହଁ, କିଏ କାହାକୁ ଚକମା ଦେବ?

କେଦାର ମିଶ୍ର

୧୯୯୮ ମସିହାରେ ବିଜୁ ଜନତା ଦଳ ଗଠନ ହେବା ପରଠୁ ଏହି ଦଳ ନିରନ୍ତର ଭାବରେ ଓଡିଶାର ସବୁ ନିର୍ବାଚନ ଜିଣି ଆସୁଛି। ୨୦ ବର୍ଷରୁ ଅଧିକ କାଳ କେନ୍ଦ୍ର(ନବୀନ ବାବୁ ପ୍ରଥମେ ବାଜପାୟୀ ସରକାର ରେ ମନ୍ତ୍ରୀ ଥିଲେ ଏବଂ ୨୦୦୪ ପର୍ୟନ୍ତ  ବିଜେଡି ଏନଡିଏ ସରକାରର ଅଂଶୀଦାର ଥିଲା) ଓ ରାଜ୍ୟରେ କ୍ଷମତା ଭୋଗ କରିଥିବା ବିଜେଡି ରେ ସ୍ଵାଭାବିକ ଭାବରେ ପୁରୁଣା ତଥା ଅଭିଜ୍ଞ ନେତାଙ୍କ ଭିଡ ରହିବା ଉଚିତ ହୁଅନ୍ତା। କିନ୍ତୁ ବାସ୍ତବ କ୍ଷେତ୍ରରେ ଦେଖା ଯାଉଛି, ବିଜେଡିରେ ଏବେ ପୁରୁଣାଙ୍କର ଆଉ କୌଣସି ଭୂମିକା ରହୁନାହିଁ। ଏବେ ବିଜେଡ଼ିର ଅଳ୍ପ କେତେଜଣ ମନ୍ତ୍ରୀଙ୍କୁ ବାଦ ଦେଲେ ଏହା ମୁଖ୍ୟତଃ ତରୁଣ ଓ ମଧ୍ୟବୟସ୍କଙ୍କର ଏକ ଦଳ। ଅପର ପକ୍ଷରେ ବିରୋଧୀ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସରେ ଏବେ ମଧ୍ୟ ପୁରୁଣା ନେତାଙ୍କର ରାଜୁତି ଚାଲିଛି। କ୍ଷମତାରେ ନଥିବା ଦଳକୁ ଶକ୍ତିଶାଳୀ କରିବାକୁ ହେଲେ ନୂଆ ପ୍ରଜନ୍ମର ନେତା ବାହାରିବା ନିହାତି ଜରୁରୀ। ବିଜେପି ଓ କଂଗ୍ରେସ ଗତ ଦଶ ବର୍ଷ ଭିତରେ ପ୍ରଭାବଶାଳୀ ନୂଆ ମୁହଁ ତିଆରି କରିବାରେ ବିଫଳ ହୋଇଛନ୍ତି।

ଆମେ କେବଳ ଆଗାମୀ ନିର୍ବାଚନର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରୁ ଏହି ପ୍ରସଙ୍ଗକୁ ବିଶ୍ଳେଷଣ କରିବା । ଉଭୟ ବିଜେପି ଓ କଂଗ୍ରେସର ସମ୍ଭାବ୍ୟ ଲୋକସଭା ତଥା ବିଧାନସଭା ପ୍ରାର୍ଥୀ କିଏ ହେବେ ତାର କିଛି ତାଲିକା ଏବେ ଜନ ସାଧାରଣରେ ଚର୍ଚ୍ଚିତ ହେଉଛି। କଂଗ୍ରେସ ଆଜି ମଧ୍ୟ ଶରତ ପଟ୍ଟନାୟକ, କାମାକ୍ଷା ପ୍ରସାଦ ସିଂ ଦେଓ, ଜଗନ୍ନାଥ ପଟ୍ଟନାୟକ, ଭକ୍ତ ଚରଣ ଦାସ, ପଂଚାନନ କାନୁନଗୋ, ଅନନ୍ତ ପ୍ରସାଦ ସେଠୀ, ବିଭୁ ପ୍ରସାଦ ତରାଇଙ୍କ ପରି ପୁରୁଖା ନେତାଙ୍କ କାନ୍ଧ ଉପରେ ନିର୍ଭର କରୁଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ପାଇଁ ଏକ ତରୁଣ ଶକ୍ତି ନିର୍ମାଣ କରିପାରିନାହାନ୍ତି। ଯେଉଁ ଜଣେ ଦୁଇ ଜଣ ତରୁଣ ନେତା କଂଗ୍ରେସ ଟିକଟରେ ଲୋକସଭା ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଚାଲିଛି, ସେମାନେ ବିଭିନ୍ନ ରାଜନୈତିକ ପରିବାରରୁ ଆସିଛନ୍ତି। ପିସିସି ସଭାପତି ଓ ବିରୋଧୀ ଦଳ ନେତାଙ୍କ ପୁଅଙ୍କ ନାମ ଏଇ ତାଲିକାରେ ରହିଛି।

ବିଜେପି ନିଜକୁ ଯୁବା ଶକ୍ତିର ପ୍ରତୀକ ବୋଲି କହୁଥିଲେ ମଧ୍ୟ ଏହି ଦଳର ମୁଖ୍ୟ ଆସନ ମାଡି ବସିଥିବା ନେତାଏ ଓ ଟିକଟ ଆଶାୟୀମାନେ ଆଜି ମଧ୍ୟ ପୁରୁଣା। ଏହାର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଆଜି ବି ସେଇ ପୁରୁଣା ନାମ ଗୁଡିକର ପ୍ରାଧାନ୍ୟ ରହିଛି। ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ଅନନ୍ତ ନାୟକ, ବସନ୍ତ ପଣ୍ଡା, ପର୍ଶୁରାମ ମାଝୀ, ରୁଦ୍ର ପାଣି, ସୁରେଶ ପୂଜାରୀ, ସଂଗୀତା ସିଂ ଦେଓ, ଜୟରାମ ପାଙ୍ଗିଙ୍କ ଭଳି ପୁରୁଣା ଓ  ବାରମ୍ବାର ହାରିଥିବା ନେତାଙ୍କୁ (ଅବଶ୍ୟ କିଛି ବିଜେଡ଼ିରୁ ଆମଦାନୀ ହୋଇଥିବା ବିଜୟୀ ନେତା ମଧ୍ୟ ଅଛନ୍ତି)  ନେଇ ବିଜେପି ନିଜର ସଫଳତା ହାସଲ କରିବ ବୋଲି ଭାବୁଛି।

ତେବେ ଏମାନଙ୍କ ରଣନୀତିଠୁ ବିଜେଡି ପୂରାପୂରି ଅଲଗା।  ବିଜେଡି ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଏବେ ଅନେକ ନୂଆ ମୁହଁ ସ୍ଥାନ ପାଇବାର ସମ୍ଭାବନା ରହିଛି। ତଥାଗତ ଶତପଥି, ବିଜୟଶ୍ରୀ ରାଉତରାୟ ଙ୍କ ପରି ବିଜେଡ଼ିର ପୁରୁଣା ନେତାମାନେ ନିଜ ତରଫରୁ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି କହିସାରିଲେଣି। ବିଜେଡି ଲୋକସଭା ପାଇଁ ପ୍ରାୟ ନବେ ଭାଗ ନୂଆ ମୁହଁ କଥା ଭାବୁଥିବା ବେଳେ ବିଧାନସଭା ପାଇଁ ୪୦-୫୦% ଯୁବକ ଓ ମହିଳାଙ୍କୁ ସୁଯୋଗ ଦେବ ବୋଲି କୁହାଯାଉଛି। ବିଜେଡ଼ିର ଦଳୀୟ ସଙ୍ଗଠନରେ ମଧ୍ୟ ଏବେ ନୂଆ ମୁହଁ ମାନଙ୍କର ଭୂମିକା ବଢି ଚାଲିଛି। ଦଳ ଭିତରକୁ ପ୍ରତି ଦିନ ନୂଆ ଲୋକ ଆସୁଛନ୍ତି। ବିଜେପି ଭିତରକୁ ଅଧିକରୁ ଅଧିକ ବିଜେଡ଼ିରୁ ବିତାଡିତ କିମ୍ବା ଅସନ୍ତୁଷ୍ଟ ନେତା ପ୍ରବେଶ କରୁଥିବା ବେଳେ ବିଜେଡିରେ ଏବେ ପୂର୍ବତନ ପ୍ରଶାସକ ଓ ତୃଣମୂଳ ସ୍ତରର କର୍ମୀମାନେ ପ୍ରବେଶ କରୁଛନ୍ତି।

ନୂଆ ଭୋଟରଙ୍କୁ ପୁରୁଣା ମୁହଁ ଦ୍ଵାରା ପ୍ରଭାବିତ କରିବା ସହଜ ନୁହେଁ। ନେତା ଭାବରେ ହୁଏତ ନବୀନ ପଟ୍ଟନାୟକ, ଧର୍ମେନ୍ଦ୍ର ପ୍ରଧାନ ଓ ନିରଞ୍ଜନ ପଟ୍ଟନାୟକଙ୍କ ଲୋକପ୍ରିୟତା ରହିଛି। ହେଲେ ନିର୍ବାଚନ ଲଢିବା ପାଇଁ ନୂଆ ଶକ୍ତି ଓ ନୂଆ ମୁହଁ ଯାହାର ଅଧିକ ରହିବ,  ସେମାନଙ୍କ ପକ୍ଷରେ ନିର୍ବାଚନ ଜିଣିବା ସହଜ ହେବ।

Categories
ବିଶେଷ ଖବର ମତାମତ

ମହିଳା ଦିବସରେ ରାଜନୈତିକ ଦଳମାନଙ୍କୁ ପ୍ରଶ୍ନ, ଭାରତୀୟ ରାଜନୀତିରେ ମହିଳାଙ୍କୁ ସମାନ ପ୍ରତିନିଧିତ୍ଵ ଅଧିକାର କେବେ ମିଳିବ?

କେଦାର ମିଶ୍ର

୨୦୧୪ ସାଧାରଣ ନିର୍ବାଚନରେ ଭୋଟଦାନ କେନ୍ଦ୍ରକୁ ଆସି ନିଜର ମତଦାନ ସାବ୍ୟସ୍ତ କରିଥିବା ଭାରତୀୟ ମହିଳା ଭୋଟରଙ୍କ ସଂଖ୍ୟା ଥିଲା ୩୮,୭୯,୧୧,୩୩୦ ଓ ଏହା ଥିଲା ସମୁଦାୟ ଭୋଟରଙ୍କର ୪୭.୬୨ %। ଗତ ତିନୋଟି ଯାକ ସାଧାରଣ ନିର୍ବାଚନରେ ମହିଳା ଭୋଟରଙ୍କ ସଂଖ୍ୟାରେ ବ୍ୟାପକ ଅଭିବୃଦ୍ଧି ହୋଇଛି ଓ ପୁରୁଷଙ୍କ ତୁଳନାରେ ମହିଳା ଭୋଟର ପ୍ରାୟ ସମାନ ପରିମାଣରେ ଭୋଟ ଦେଇଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ଏହି ଅନୁପାତ ଥିଲା ୪୮;୫୨। ଏତେ ସଂଖ୍ୟକ ମହିଳା ଭୋଟର ଥିବା ସତ୍ତ୍ୱେ ଆମର ସଂସଦ ଓ ବିଧାନସଭାଗୁଡିକରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ଏତେ କମ କାହିଁକି? ଲୋକସଭାର ୫୪୩ ସଦସ୍ୟଙ୍କ ଭିତରୁ ମହିଳା ସଦସ୍ୟଙ୍କ ସଂଖ୍ୟା ମାତ୍ର ୬୪ ଅର୍ଥାତ ୧୧.୮% । ରାଜ୍ୟସଭାରେ ସେମାନଙ୍କ ସଂଖ୍ୟା ୨୭ (୯.୧୧%)। ସେହିପରି ରାଜ୍ୟ ବିଧାନସଭା ଗୁଡିକରେ ଏହି ସଂଖ୍ୟା ଆହୁରି ନଗଣ୍ୟ। ଭାରତର ୩୫ ଟି ଯାକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର  ବିଧାନସଭାରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ମାତ୍ର ୯%।

ସବୁଠୁ ବିଡମ୍ବନାର କଥା ହେଉଛି ପୃଥିବୀର ଦେଶମାନଙ୍କରେ ହାରାହାରି ମହିଳା ସାଂସଦଙ୍କ ସଂଖ୍ୟା ୨୨.୪ % ହୋଇଥିବାବେଳେ ଭାରତରେ ଏହା ଅଧାରୁ ଆହୁରି କମ। ପାକିସ୍ତାନ ଓ ଆଫଗାନିସ୍ତାନ ଭଳି ଦେଶରେ ମହିଳା ବିଧାୟକଙ୍କ ସଂଖ୍ୟା ଭାରତ ତୁଳନାରେ ଢେର ଅଧିକ। ପାକିସ୍ତାନ ଓ ବାଂଲାଦେଶରେ ୨୦% ମହିଳା ସାଂସଦ ଥିବାବେଳେ ଆଫଗାନିସ୍ତାନରେ ସେମାନଙ୍କ ସଂଖ୍ୟା ହେଉଛି ୨୭.୭%। ଏପରିକି ଆଫ୍ରିକୀୟ ଓ ଆରବୀୟ ଦେଶମାନଙ୍କ ତୁଳନାରେ ମଧ୍ୟ ଭାରତର ମହିଳା ସାଂସଦ ଓ ବିଧାୟକଙ୍କ ସଂଖ୍ୟା ଯଥେଷ୍ଟ କମ।  ପଞ୍ଚାୟତ ସ୍ତରରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ଭାରତରେ ୩୭% ରୁ ୫୦% ଭାଗ ପର୍ଯନ୍ତ ବଢିଛି, ତାହାର ଏକ ମାତ୍ର କାରଣ ହେଉଛି ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ। ବର୍ତ୍ତମାନ ଭାରତର ପଞ୍ଚାୟତି ରାଜ ଅନୁଷ୍ଠାନ ଗୁଡିକରେ ୧୩.୭୨ ଲକ୍ଷ ମହିଳା ପ୍ରତିନିଧି ରହିଛନ୍ତି ଓ ସେମାନଙ୍କ ପ୍ରତିନିଧିତ୍ଵ ହାର ହେଉଛି ୪୩%। ଏହା ଜାତୀୟ ରାଜନୀତିରେ କାହିଁକି ଗ୍ରହଣୀୟ ହେଉନି, ସେ ପ୍ରଶ୍ନ ଆଜି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଗତ ୨୦ ବର୍ଷ ହେଲା ଭାରତର ସଂସଦରେ ମହିଳା ସଂରକ୍ଷଣ ବିଲ ପଡିରହିଛି। ରାଜ୍ୟସଭାରେ ଏହା ଗୃହୀତ ହୋଇ ବାତିଲ ମଧ୍ୟ ହୋଇସାରିଛି। ଏ ସଙ୍କ୍ରାନ୍ତରେ ଆଲୋଚନା କରି ଭାରତର ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୧୮ ରେ କୁହାଯାଇଛି ଯେ- ରୁଆଣ୍ଡା ଭଳି ଦେଶରେ ୬୦% ମହିଳା ସାଂସଦ ନିର୍ବାଚିତ ହୋଇପାରୁଥିବା ବେଳେ ଭାରତରେ ଏହା ୧୨% ଭିତରେ ସୀମିତ। ଓଡିଶା ଭଳି ରାଜ୍ୟରେ ଏବେ ଆମେ ମହିଳା ସଂରକ୍ଷଣ ବିଲ ସପକ୍ଷରେ ଆଲୋଚନା ଶୁଣୁଛୁ। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ସ୍ତରରେ ମହିଳା ସଂରକ୍ଷଣ ବିଲ ସପକ୍ଷରେ ରାଜନୈତିକ ଦଳମାନଙ୍କୁ ପ୍ରଭାବିତ କରିବା ଲାଗି ଅଭିଯାନ ଆରମ୍ଭ କରିଥିବାବେଳେ ଓଡିଶା ବିଧାନସଭାରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ। ୧୪୭ ଟି ବିଧାନସଭା ଆସନରୁ ମାତ୍ର ୧୨ ଜଣ ମହିଳା ବିଧାୟକ ଅଛନ୍ତି ଅର୍ଥାତ ପ୍ରତିନିଧିତ୍ଵ ହାର ହେଉଛି ମାତ୍ର ୮ %। ଲୋକସଭା ପାଇଁ ଓଡିଶାର ୨୧ ଟି ଆସନରୁ ବିଜେଡ଼ିର ତିନିଜଣ ମହିଳା ସାଂସଦ ରହିଛନ୍ତି। ଗତ ୨୦୧୪ ନିର୍ବାଚନରେ ରାଜ୍ୟର ତିନିଟି ଯାକ ପ୍ରମୁଖ ରାଜନୈତିକ ଦଳ ମାତ୍ର ୩୨ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲେ। ଗତ ବିଧାନସଭା ପାଇଁ କଂଗ୍ରେସ ୧୦ ଜଣ, ବିଜେପି ୫ ଜଣ ଓ ବିଜେଡି ୧୨ ଜଣ ମହିଳାଙ୍କୁ ଟିକଟ ଦେଇଥିବାବେଳେ ଲୋକସଭା ପାଇଁ କଂଗ୍ରେସ ୨ ଜଣଙ୍କୁ, ବିଜେପି ୧ ଓ ବିଜେଡି ୨ ଜଣକୁ ଟିକଟ ଦେଇଥିଲେ। ପରେ କନ୍ଧମାଳ ଲୋକସଭା ଆସନ ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେଡି ଆଉ ଜଣେ ମହିଳା ପ୍ରାର୍ଥୀଙ୍କୁ ନିର୍ବାଚିତ କରାଇଥିଲା।

ବିଜୁ ଜନତା ଦଳ ଓଡିଶାରେ ମିଶନ ଶକ୍ତି ଓ ପଞ୍ଚାୟତି ରାଜ ବ୍ୟବସ୍ଥା ଜରିଆରେ ମହିଳା ସଶକ୍ତିକରଣର କଥା କହୁଛି ଓ ମହିଳା ସଂରକ୍ଷଣ ବିଲ ପାଇଁ ଜାତୀୟ ଅଭିଯାନ ଚଳାଇଛି, କିନ୍ତୁ ବିଧାନସଭାରେ ଏହାର ମହିଳା ପ୍ରତିନିଧିଙ୍କ ସଂଖ୍ୟା ଅତ୍ୟନ୍ତ ଗୌଣ। ଆଗାମୀ ନିର୍ବାଚନ ରେ ବିଜେଡି ମହିଳାଙ୍କ ରାଜନୈତିକ ପ୍ରତିନିଧିତ୍ଵ କଥାକୁ କାମରେ ଲଗାଇବ କି? ଦଳ ଉଭୟ ଲୋକସଭା ଓ ବିଧାନସଭାରେ ୩୦ ରୁ ୩୩ % ମହିଳାଙ୍କୁ ଟିକଟ ଦେଇ ଏକ ଉଦାହରଣ ପ୍ରସ୍ତୁତ କରିବ କି? ଜାତୀୟ ସ୍ତରରେ କଂଗ୍ରେସ ସଭାପତି ମହିଳା ସଂରକ୍ଷଣ ବିଲ ସପକ୍ଷରେ କହୁଥିବା ବେଳେ କଂଗ୍ରେସ ମଧ୍ୟ ବହୁ କମ ସଂଖ୍ୟକ ମହିଳାଙ୍କୁ ଟିକଟ ଦେଉଛି। କଥାରେ କହିବା ଓ କାମରେ ତାକୁ ଉପଯୋଗ ନକରିବା ସବୁ ରାଜନୈତିକ ଦଳଙ୍କର ପୁରୁଣା ରୋଗ। ଏଇ ରୋଗରୁ ୨୦୧୯ ନିର୍ବାଚନ ଆମକୁ ମୁକ୍ତି ଦେବ କି? ଆଗାମୀ ଲୋକସଭା ଓ ବିଧାନସଭାରେ ଆମେ ଅଧିକ ସଂଖ୍ୟକ ମହିଳା ପ୍ରତିନିଧିଙ୍କ ଉପସ୍ଥିତି ଆଶା କରିପାରିବା କି?

Categories
ବିଶେଷ ଖବର

ବିଜେପିକୁ ଆସିବାଲାଗି ବୈଜୟନ୍ତଙ୍କ ବାଇଶ ବର୍ଷର ଅପେକ୍ଷା ଓ ତପସ୍ୟା

କେଦାର ମିଶ୍ର

ବୈଜୟନ୍ତ ପଣ୍ଡା ବିଜେପିକୁ ଆସିଲେ କିଛି ଗୋଟେ ବିରାଟ ରାଜନୈତିକ ପରିବର୍ତ୍ତନ ହେବନାଇଁ, ଏକଥା ଓଡିଶାବାସୀ ଜାଣନ୍ତି। ଏ ବିଷୟରେ ଆଗରୁ ବହୁ ଆଲୋଚନା ହୋଇସାରିଛି। ତେଣୁ ପୁରୁଣାକଥାର ପୁନରାବୃତ୍ତି କରିବାକୁ ଆମେ ଚାହୁଁନାହୁଁ। ବୈଜୟନ୍ତ ଓଡିଶାର ନେତା, ସେ ବିଜେପିରେ ମିଶିବାକୁ ଦିଲ୍ଲୀକୁ କାହିଁକି ବାଛିଲେ, ସେ ପ୍ରଶ୍ନ ମଧ୍ୟ ଏବେ ଆଲୋଚିତ ହେଉଛି। ଆମ ଲାଗି କିନ୍ତୁ ସବୁଠୁ ଆକର୍ଷଣ ର ବିଷୟ ହେଉଛି ବିଜେପିରେ ମିଶିଲାପରେ ବୈଜୟନ୍ତ ଦେଇଥିବା ବୟାନ। “ବିଜେପିରେ ମିଶିବା ଲାଗି  ଗତ ବାଇଶ ବର୍ଷ ଧରି ମୁଁ ଅପେକ୍ଷା କରି ରହିଥିଲି।“ – ଏ କଥା ପଦକ ବୈଜୟନ୍ତଙ୍କ ଅନେକ ଗୁମର ଖୋଲି ଦେଇଛି। ସେ ଯେ ବିଜେଡି ଭିତରେ ବିଜେପିର ଲୋକ ହୋଇ ଏତେଦିନ ଥିଲେ, ଏ କଥା ସେ ନିଜେ ସ୍ଵୀକାର କରିଛନ୍ତି। ନିଜକୁ ବିଜୁ ପଟ୍ଟନାୟକଙ୍କ ଆଦର୍ଶର ପ୍ରତିଭୂ ବୋଲି ଏହା ପୂର୍ବରୁ ସେ ଯାହା କହୁଥିଲେ, ତାହା ଯେ କେବଳ ଛଳନା ଥିଲା, ଏହା ତାଙ୍କ ନିଜ ବକ୍ତବ୍ୟ ପ୍ରମାଣିତ କରୁନାହିଁ କି?

ବିଜୁ ପଟ୍ଟନାୟକ ସାରା ଜୀବନ ସାମ୍ପ୍ରଦାୟିକ ରାଜନୀତି ତଥା ସେ ରାଜନୀତି ସହ ସଂପୃକ୍ତ ଜନସଙ୍ଘ, ବିଜେପି ଓ ସଂଘ ପରିବାରକୁ ବିରୋଧ କରି ଆସୁଥିଲେ।୧୯୭୭ର  ଜନତା ପାର୍ଟି ସରକାରରେ ଥିବା ଜନସଙ୍ଘି ମନ୍ତ୍ରୀମାନେ ଦ୍ଵୈତ ଆଦର୍ଶ ରଖିପାରିବେ ନାହିଁ ବୋଲି ବିଜୁ ବାବୁ ସେତେବେଳେ ଦୃଢ ଯୁକ୍ତି କରିଥିଲେ। ୧୯୯୫ ଓଡିଶା ବିଧାନସଭା ନିର୍ବାଚନରେ ବିଜୁ ବାବୁଙ୍କ ଅପ୍ରତ୍ୟାଶ୍ୟିତ ପରାଜୟ ସତ୍ତ୍ୱେ ସେ ନିଜ ଜୀବନକାଳରେ ବିଜେପି ସହ ମେଣ୍ଟ କରିବାକୁ ଚାହିଁନଥିଲେ। ବିଜୁ ବାବୁଙ୍କର ସବୁ ଶିଷ୍ୟ ପ୍ରଶିଷ୍ୟ ଯେତେବେଳେ ବିଜେପି ସହ ମେଣ୍ଟ କରିବାକୁ ଗୋଡ ଟେକି ବସିଥିଲେ, ସେତେବେଳେ ବିଜୁ ବାବୁ ଏକଲା ହୋଇ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ। ତେଣୁ ବିଜୁ ବାବୁ ଙ୍କ ଅବର୍ତ୍ତମାନରେ ଯେତେବେଳେ ବିଜୁ ଜନତା ଦଳ ବିଜେପି ସହ ମେଣ୍ଟ କଲା, ତାହା ଏକପ୍ରକାର ବିଜୁ ବିରୋଧୀ ଆଦର୍ଶ ଥିଲା ବୋଲି କୁହାଯାଇପାରେ। ସେଇ ଦୃଷ୍ଟିରୁ ବୈଜୟନ୍ତଙ୍କ ବିଜୁ ପ୍ରେମ କେବଳ ଏକ ବାହାନା ମାତ୍ର। ବିଜେପି ସହିତ ନିଜର ଆଦର୍ଶଗତ ମେଳକ ସତ୍ତ୍ୱେ ବୈଜୟନ୍ତଙ୍କ ପରି ବହୁ ନେତା ବିଜୁ ପଟ୍ଟନାୟକଙ୍କ ବିଚାର ସହ ଯୋଡି ହେବାର ନାଟକ ଇ କରିଥାନ୍ତି।

ତେବେ ଆଜି ଯେତେବେଳେ ବୈଜୟନ୍ତ ନିଜ ମୁହଁ ରେ ସତ୍ୟକୁ ସ୍ଵୀକାର କରିଛନ୍ତି, ସେତେବେଳେ ତାଙ୍କୁ କେତୋଟି ଅଡୁଆ ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ଯଦି ଗତ ବାଇଶ ବର୍ଷ ଧରି ସେ ବିଜେପିକୁ ଆସିବାକୁ ଚାହୁଁଥିଲେ ତାହେଲେ ବିଜେଡି ରୁ ରାଜ୍ୟସଭା ଓ ଲୋକସଭା କୁ ଯାଉଥିଲେ କାହିଁକି? ୨୦୧୭ ଓଡିଶା ପଞ୍ଚାୟତ ନିର୍ବାଚନ ସମୟରେ ଓ ତା ପରେ ବିଜେପି ପ୍ରରୋଚନାରେ ସେ ବିଜେଡି ସଂସଦୀୟ ଦଳ ଓ ବିଧାୟକ ଦଳ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ବୋଲି ଯେଉଁ ଅଭିଯୋଗ ଆସୁଥିଲା, ତାହା ସତ୍ୟ କି? ପୁନଶ୍ଚ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ଵାସ୍ଥ୍ୟାବସ୍ଥା ବିଷୟରେ ଏକ ଜାତୀୟ ୱେବ ସାଇଟରେ ଯେଉଁ ମିଛ ଖବର ପ୍ରକାଶ ପାଇଥିଲା, ତା ପଛରେ ଜଣେ ବିଜେପି ପ୍ରେମୀ ବିଜେଡି ସାଂସଦଙ୍କ ହାତ ରହିଛି ବୋଲି ସେତେବେଳେ କୁହାଯାଉଥିଲା। ତାହା ଆଜି ପ୍ରମାଣିତ ହୋଇ ଯାଇଛି କି?

ବିଜେପି କୁ ସୁହାଇଲା ଭଳି ପରିସ୍ଥିତି ସୃଷ୍ଟି କରାଇବାରେ ରାଜ୍ୟ କଂଗ୍ରେସକୁ ଦୁର୍ବଳ କରିବା ନିହାତି ଜରୁରୀ ଥିଲା। ସେହିପରି ବିଜେଡ଼ିରୁ ବିତାଡିତ ଅସନ୍ତୁଷ୍ଟ ନେତାମାନେ ଯେମିତି ଶକ୍ତିଶାଳୀ ନହୁଅନ୍ତି, ତାହା ଦେଖିବା ମଧ୍ୟ ଜରୁରୀ ଥିଲା। ଏ ସବୁ କୂଟନୈତିକ କାମରେ ବିଜେପି ବୈଜୟନ୍ତଙ୍କୁ ଲଗାଇ କଂଗ୍ରେସକୁ ଦୁର୍ବଳ କରିବାରେ ସଫଳ ହୋଇଛି କି? ବିଜେଡିରେ ବୈଜୟନ୍ତଙ୍କ ଗୋଟି ଚାଳନା ବିଫଳ ହେବାପରେ ସେ ବାହାରେ ରହି କଂଗ୍ରେସ ଓ ଅନ୍ୟାନ୍ୟ ବିଜେପି ବିରୋଧୀ ଶକ୍ତିକୁ ଗତ ୯ ମାସ ଧରି ଦୁର୍ବଳ କରିବାର ଉଦ୍ୟମ କରି ଆସିଛନ୍ତି। ଅବଶ୍ୟ ଏଥିଲାଗି ବୈଜୟନ୍ତଙ୍କ ତୁଳନାରେ ଓଡିଶା କଂଗ୍ରେସ ନିଜକୁ ଅଧିକ ଦାୟୀ କରିବା ଉଚିତ। ଆଦର୍ଶଗତ ଭାବରେ ବୈଜୟନ୍ତ ସଂଘ ପରିବାରର ନିକଟବର୍ତ୍ତୀ ବୋଲି ଜାଣି ମଧ୍ୟ କଂଗ୍ରେସ ତାଙ୍କୁ ସମର୍ଥନ ଦେଇ ଆସୁଥିଲା। ତେବେ ବିଜେପିର ନିକଟ ସମ୍ପର୍କୀୟ ଭାବେ ବୈଜୟନ୍ତ ବାହାରେ ରହି ବିଜେପିକୁ ସହାୟତା ଯୋଗାଇ ଆସିଛନ୍ତି। ୨୦୧୪ ସାଧାରଣ ନିର୍ବାଚନ ପରେ ପରେ ବୈଜୟନ୍ତ ବିଜେପିକୁ ସମର୍ଥନ କରିବାକୁ ଚାହୁଁଥିଲେ। ବିଜେଡ଼ିର ସମଦୂରତା ନୀତି କାରଣରୁ ବୈଜୟନ୍ତଙ୍କ ବିଜେପି ପ୍ରୀତି କିଛିଟା ବ୍ୟାହତ ହୋଇଥିଲା। ଯଦିଓ ସେ ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇ ଯାଇଥିଲେ, ବସ୍ତୁତଃ ସେ ବିଜେପି ସଦସ୍ୟ ଭଳି ବ୍ୟବହାର ପ୍ରଦର୍ଶନ କରୁଥିଲେ। ଗୋଟେ ସମୟରେ ବିଜେଡିରେ ବିଭାଜନ ସୃଷ୍ଟି କରି ବିଜେପି ସହାୟତାରେ ସରକାର ଗଢିବାର ଷଡଯନ୍ତ୍ର ମଧ୍ୟ ହୋଇଥିଲା। ତାହା ସଫଳ ନହେବାରୁ ବୈଜୟନ୍ତ ବିଜେଡି ଭିତରେ ନିଜକୁ ଜଣେ ଲଢୁଆ ଆଦର୍ଶବାଦୀ ବୋଲି କହିବାକୁ ଚେଷ୍ଟା କରିଥିଲେ। ତେବେ ମୁଖ୍ୟତଃ ସେ ବିଜେଡି ଭିତରେ ବିଜେପିର “ଭେଦିଆ” ଭାବରେ ହିଁ କାମ କରୁଥିଲେ।

ସେ ଯାହା ବି ହେଉ ବାଇଶ ବର୍ଷ ଧରି ବାହାରେ ବିଜେପିର  ଭେଦିଆ ହୋଇ ରହିବା ପରେ ଆଜି ସେ ନିଜ ମନ ପସନ୍ଦର ଦଳକୁ ଫେରିଥିବାରୁ, ତାଙ୍କୁ ଆମେ ଅଭିନନ୍ଦନ ଜଣାଉଛୁ!!

Categories
ଆଜିର ଖବର

କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଓ୍ୱାବା ବିଜେପିରେ ମିଶିଲେ

ବିଜେପିରେ ଯୋଗ ଦେଇଛନ୍ତି ଟିମ୍ ଇଣ୍ଡିଆ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଓ୍ୱାବା ଜାଡେଜା। ଗୁଜୁରାଟ କୃଷିମନ୍ତ୍ରୀ ଆରସି ଅଲଦୁ ଓ ସାଂସଦ ପୁନମ ମହାଜନ ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ। କୁହାଯାଉଛି ରିଓ୍ୱାବା ସୌରାଷ୍ଟ୍ରରୁ ନିର୍ବାଚନ ଲଢ଼ିପାରନ୍ତି। ରିଓ୍ୱାବା କହିଛନ୍ତି, ରାଜନୀତିରେ ପ୍ରବେଶ ପଛରେ ତାଙ୍କ ସ୍ୱାମୀଙ୍କ ସମର୍ଥନ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରେରଣା। ତାଙ୍କ ଯୋଗଦାନ ଦ୍ୱାରା ଗୁଜୁରାଟରେ ରାଜପୁତ ସମାଜର ଭୋଟ ବିଜେପି ଖାତାରୁ ଆସିବ। ଗତବର୍ଷ ପତ୍ନୀଙ୍କ ସହ ମିଶି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ରବୀନ୍ଦ୍ର ଜାଡେଜା। ଏନେଇ ନିଜେ ପ୍ରଧାନମନ୍ତ୍ରୀ ଫଟୋ ସହ ଟ୍ୱିଟ୍ ବି କରିଥିଲେ।

Categories
ବିଶେଷ ଖବର

ବୈଜୟନ୍ତ ପଣ୍ଡା ଆଜି ବିଜେପିରେ ଯୋଗ ଦେଲେ ଆସନ୍ତାକାଲି ଓଡିଶା ରାଜନୀତିର ଚେହେରା ବଦଳିଯିବ କି ?

କେଦାର ମିଶ୍ର

ପୁଣି ଚର୍ଚ୍ଚା ଚାଲିଛି, ଆଜି ବିଜୁ ଜନତା ଦଳର ପୂର୍ବତନ ନେତା ବୈଜୟନ୍ତ ପଣ୍ଡା ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିପାରନ୍ତି। ଗତ ବର୍ଷେ ହେଲା ଏ ଖବର ବିଷୟରେ ଆମେ କେବଳ ଶୁଣି ଆସୁଛୁ। “ସମୀକ୍ଷା’ ରେ ବିଭିନ୍ନ ସୂତ୍ରରୁ ଆମେ ଥରେ ଅଧେ ଭବିଷ୍ୟବାଣୀ ବି କରିଥିଲୁ ଯେ ବୈଜୟନ୍ତ ବାବୁ ବିଜେପିରେ ମିଶୁଛନ୍ତି। ତେବେ ବୈଜୟନ୍ତଙ୍କ ପାଇଁ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଥିଲା। ହଠାତ ଗତକାଲି ପୁଣି ଏକ ଖବର ଆସିଲା ଯେ ବୈଜୟନ୍ତ ଆଜି ଅପରାହ୍ନରେ ବିଜେପିରେ ଯୋଗଦେବେ। ନିର୍ବାଚନ ଘୋଷଣା ହେବାର ମାତ୍ର ଚାରି ପାଞ୍ଚ ଦିନ ଆଗରୁ ଏ ପ୍ରକାର ଖବରର ସତ୍ୟାସତ୍ୟ ଜାଣିବା ଆଦୌ ସହଜ ନୁହେଁ। ବୈଜୟନ୍ତଙ୍କ ଭୁବନେଶ୍ୱର କାର୍ୟାଳୟ ପାଖରେ ଏମିତି କିଛି ସୂଚନା ନାହିଁ ବୋଲି କୁହାଯାଇଛି। ତେବେ ଆଜି ସନ୍ଧ୍ୟାରେ ବୈଜୟନ୍ତ ବିଜେପିର କେନ୍ଦ୍ରୀୟ କାର୍ୟାଳୟକୁ ଆସିପାରନ୍ତି ବୋଲି ସୂଚନା ମିଳୁଛି। ଏ ପ୍ରସଙ୍ଗରେ ଆମେ କିଛି ନିର୍ଦ୍ଦିଷ୍ଟ ମତ ରଖୁନାହୁଁ।

ଆମେ ବାରମ୍ବାର କହିଆସିଛୁ ଯେ ବିଜେପି ହେଉଛି ବୈଜୟନ୍ତଙ୍କ ପାଇଁ ସ୍ଵାଭାବିକ ପସନ୍ଦ। ଦିଲ୍ଲୀର ଅନ୍ଦର ମହଲରେ ତାଙ୍କର ଘନିଷ୍ଠ ବନ୍ଧୁମାନେ ପ୍ରାୟ ସଂଘ ଓ ବିଜେପିର ଘନିଷ୍ଠ । ସଂଘ ସହ ମଧୁର ସମ୍ପର୍କ ଥିବା ଅନେକ ସାମ୍ବାଦିକ ବୈଜୟନ୍ତଙ୍କ ପାଇଁ ଓକିଲାତି କରି ଆସିଛନ୍ତି। ତାଙ୍କର ଓଡିଶା ଟେଲିଭିଜନର ବିଭିନ୍ନ କାର୍ଯକ୍ରମରେ ଏହି ଗୋଷ୍ଠୀର ଦକ୍ଷିଣପନ୍ଥୀ ବୁଦ୍ଧିଜୀବୀଙ୍କୁ ଦେଖିବାକୁ ମିଳିଥାଏ। ପୂର୍ବରୁ ବୈଜୟନ୍ତଙ୍କୁ ଅଡୁଆରେ ପକାଇଥିବା ଅଭିଜିତ ଆୟାର ମିତ୍ର, ଆରତୀ ଟିକୁ ସିଂଙ୍କ ବିଷୟରେ ଆମେ ଜାଣିଛୁ। ନିକଟରେ ଓଟିଭିର ଏକ ଆୟୋଜନରେ ବିଜେପିର ଆଉଜଣେ ଘନିଷ୍ଠ ସାମ୍ବାଦିକ ଆନନ୍ଦ ରଙ୍ଗନାଥନଙ୍କୁ ଡକାଯାଇଥିଲା। ବିଭିନ୍ନ ଘଟଣାକ୍ରମ ଓ ବୈଜୟନ୍ତଙ୍କ ସୋସିଆଲ ମିଡିଆ ପ୍ରତିକ୍ରିୟାରୁ ଗୋଟିଏ କଥା ସ୍ପଷ୍ଟ ଯେ ତାଙ୍କ ପାଇଁ ବିଜେପି ହେଉଛି ପ୍ରଥମ ଓ ଶେଷ ପସନ୍ଦ। ତା ସତ୍ତ୍ୱେ ତାଙ୍କୁ ବିଜେପିରେ ପୂରେଇ ଦିଆଯାଉନାହିଁ କାହିଁକି ? ମଝିରେ ବିଜେପିର ଉପେକ୍ଷା ଦ୍ଵାରା ମର୍ମାହତ ବୈଜୟନ୍ତ କଂଗ୍ରେସରେ ମିଶିବେ କିମ୍ବା ଭିନ୍ନ ଏକ ଦଳ ଗଠନ କରିବେ ବୋଲି ଭାବୁଥିଲେ। କଂଗ୍ରେସରେ ତାଙ୍କ ଯୋଗଦାନକୁ ରାଜ୍ୟ ନେତୃତ୍ୱ ଚାତକ ଭଳି ଚାହିଁ ରହିଥିଲେ ହେଁ, କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ବୈଜୟନ୍ତଙ୍କୁ ଗ୍ରହଣ କରିବାଲାଗି ପ୍ରସ୍ତୁତ ନଥିଲେ।

ବୈଜୟନ୍ତ ଆଜି ଯଦି ବିଜେପି ରେ ଯୋଗଦେବା ଖବର ସତ ହୁଏ, ତାହେଲେ ଏହାର କିଛି ପ୍ରଭାବ ଓଡିଶା ରାଜନୀତିରେ ପଡିବ କି? ବୈଜୟନ୍ତଙ୍କ ଯୋଗଦାନ ବିଜେପିକୁ ଲାଭବାନ କରିବ ନା ବିଜେପି ଭିତରେ ବୈଜୟନ୍ତ ବୋଝ ପାଲଟିବେ? ଓଡିଶାରେ ବିଜେପି ନେତୃତ୍ୱ ଆଜି ମଧ୍ୟ ପ୍ରଚଣ୍ଡ ଗୋଷ୍ଠୀ ବିବାଦରେ ଫସି ରହିଛି। ଦଳର ପୁରୁଣା ବନାମ ନୂଆ ନେତୃତ୍ବକୁ ନେଇ ଅହଂକାର ଯୁଦ୍ଧ ଲାଗି ରହିଛି। ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ଭିତରେ ଶୀତଳ ଯୁଦ୍ଧ ଚାଲିଛି। ସେହିପରି ପୁରାତନ ଆରଏସଏସର ନେତାଏ ପ୍ରତାପ ଷଡଙ୍ଗୀଙ୍କୁ ନେତୃତ୍ୱ ଦେବାକୁ ବେଶୀ ଆଗ୍ରହୀ। ଗତ କିଛିଦିନ ହେଲାଣି ପ୍ରତାପ ବାବୁ ବିଜେପିର ରାଜ୍ୟ ସଂଗଠନ ଭିତରେ ଏକପ୍ରକାର ଏକଘରିକିଆ  ହୋଇପଡିଛନ୍ତି। ନୂଆ କରି ବିଜେପିକୁ ଆସିଥିବା ଅପରାଜିତା ଷଡଙ୍ଗୀ ଏବେ ନିଜର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ସମ୍ଭାଳିବାରେ ବ୍ୟସ୍ତ। ସେ ଭୁବନେଶ୍ବରର ପୁରୁଖା ବିଜେପି କର୍ମୀଙ୍କୁ ଅଣଦେଖା କରୁଥିବାର ଅଭିଯୋଗ ଇତିମଧ୍ୟରେ ଆସିଛି। ତେଣୁ ଭୁବନେଶ୍ବରର ବହୁ ପୁରୁଣା ବିଜେପି କର୍ମୀ ଓ ନେତା ଏବେ ନବୀନ ନିବାସମୁହାଁ କି କଂଗ୍ରେସ ଭବନମୁହାଁ ହେଲେଣି।

ସେଇ ସମୟରେ ବୈଜୟନ୍ତ ବିଜେପିକୁ ଆସିବା ଦଳ ପାଇଁ ଗୋଟେ ବିଚିତ୍ର ପରିସ୍ଥିତି ସୃଷ୍ଟି କରିବ। ବୈଜୟନ୍ତ ସିଧା ଦିଲ୍ଲୀରୁ ଯଦି ବିଜେପି ଟିକେଟ ନେଇ ଆସନ୍ତି ତାଙ୍କୁ ଓଡିଶା ବିଜେପି କର୍ମୀମାନେ ବାଧ୍ୟହୋଇ ସ୍ଵାଗତ କଲେ ମଧ୍ୟ ଆନ୍ତରିକ ଭାବରେ ତାଙ୍କୁ ଗ୍ରହଣ କରିବା ସହଜ ହେବନାଇଁ। କେନ୍ଦ୍ରାପଡା ଲୋକସଭା ପାଇଁ ପୂର୍ବରୁ ଲଢେଇ କରିଥିବା ବିଜେପିର ପ୍ରାର୍ଥୀ ବିଷ୍ଣୁ ଦାସ ସଂଘର ପୁରୁଣା ଲୋକ ଓ ତାଙ୍କର କେନ୍ଦ୍ରୀୟ ନେତୃତ୍ୱ ସହିତ ସମ୍ପର୍କ ବେଶ ନିବିଡ। ବିଷ୍ଣୁ ଦାସ ଓ ନୂଆ ଆଶାୟୀ ଥିବା ଜ୍ଞାନ ବେଉରାଙ୍କୁ ହତାଶ କରି ବୈଜୟନ୍ତ ଯଦି ଶେଷ ମୁହୂର୍ତ୍ତରେ ବିଜେପିର କେନ୍ଦ୍ରାପଡା ପ୍ରାର୍ଥୀ ହୁଅନ୍ତି ତାହେଲେ, ପୁରୁଣା ନେତାମାନେ ତାଙ୍କୁ କେମିତି ଗ୍ରହଣ କରିବେ ତାହା ଏକ ବଡ ପ୍ରଶ୍ନବାଚୀ।

ବୈଜୟନ୍ତ ନିଜ ତରଫରୁ କରାଇଥିବା ଏକ ସର୍ଭେରେ ଯେଉଁ ଚିତ୍ର ପାଇଥିଲେ, ସେଥିରେ କୁହାଯାଇଥିଲା ଯେ, ସେ ଯଦି କୌଣସି ଦଳ ତରଫରୁ ପ୍ରାର୍ଥୀ ନହୁଅନ୍ତି ତାହେଲେ ତାଙ୍କ ଜିତିବାର ସମ୍ଭାବନା ନାହିଁ। ତେଣୁ ଶେଷ ମୁହୂର୍ତ୍ତରେ ସେ ବିଜେପି କିମ୍ବା କଂଗ୍ରେସରୁ ଟିକଟ ପାଇଁ  ଆଗ୍ରହ ପ୍ରକାଶ କରୁଛନ୍ତି। ଆସନ୍ତା ପନ୍ଦର ଦିନ ଭିତରେ ଓଡିଶାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯିବ । ସେହି ସମୟରେ ବୈଜୟନ୍ତଙ୍କ ବିଜେପି ପ୍ରବେଶ ରାଜ୍ୟ ରାଜନୀତିରେ ବିଶେଷ କିଛି ପ୍ରଭାବ ପକାଇବାର ସମ୍ଭାବନା ଆଉ ନାହିଁ।

ତେବେ ସତରେ ଯଦି ବୈଜୟନ୍ତ ଆଜି ବିଜେପିରେ ଯୋଗ ଦିଅନ୍ତି ତାହେଲେ ଦୁଇଟି କଥା ରାଜ୍ୟ ରାଜନୀତିରେ ସ୍ପଷ୍ଟ ହୋଇଯିବ- ୧॰ ସେ ବିଜେପିରେ ଯୋଗ ଦେଇଥିବା ପ୍ରବାସୀ ନେତାଙ୍କ ଭିତରେ ସର୍ବ କନିଷ୍ଠ ହୋଇ ରହିବେ ଓ ୨॰ ତାଙ୍କ ଦ୍ଵାରା ପରିଚାଳିତ ଓ ଟିଭିର ସ୍ଵର ଅର୍ଦ୍ଧଗୈରିକ ରୁ ପୂର୍ଣ୍ଣ ଗୈରିକ ହୋଇଯିବ। ଏହି ଦୁଇଟି କଥା ବ୍ୟତୀତ ବୈଜୟନ୍ତଙ୍କ ବିଜେପି ଯୋଗଦାନର ତୃତୀୟ ପ୍ରଭାବ ଅଲଗା କିଛି ଥିବା ପରି ମନେହେଉ ନାହିଁ।