Categories
ଆଜିର ଖବର

ଆସାମରେ ଏକାଠି ଲଢିବେ ବିଜେପି-ଏଜିପି-ବିପିଏଫ୍‌

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ପୁଣି ଥରେ ତା’ର ପୁରୁଣା ସହଯୋଗୀର ସାଥ୍‌ ପାଇପାରିଛି। ଆସାମ ଗଣ ପରିଷଦ ସହ ବିଜେପି ମିଳିତ ଭାବରେ ନିର୍ବାଚନ ଲଢିବାର ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି। ଏହା ସହିତ ବୋଡୋଲ୍ୟାଣ୍ଡ ପିପୁଲସ ଫ୍ରଣ୍ଟ ଏହି ମେଣ୍ଟରେ ତୃତୀୟ ସହଯୋଗୀ ରହିବେ ବୋଲି ସୂଚନା ମିଳିଛି। ଭାଜାପା ମହାସଚିବ ଏହି ମେଣ୍ଟ ସମ୍ପର୍କରେ ସୂଚନା ଦେଇ ଟୁଇଟ୍‌ କରିଛନ୍ତି –‘ଚର୍ଚ୍ଚା ପରେ ଭାଜାପା ଓ ଆସାମ ଗଣ ପରିଷଦ ଆଗାମୀ ଲୋକସଭା ନିର୍ବାଚନରେ ଆସାମରେ କଂଗ୍ରେସକୁ ହରାଇବା ପାଇଁ ଏକାଠି କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୌହ୍ବାଟୀରେ ଅନୁଷ୍ଠିତ ଏହି ବୈଠକରେ ଭାଜାପାର ହିମନ୍ତ ବିସ୍‌ବା ଶର୍ମା, ଅତୁଲ ବୋରା ଓ କେଶବ ମହନ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ। ସିଟିଜେନ୍‌ସିପ୍‌ ସଂଶୋଧନ ବିଲ୍‌କୁ ନେଇ ବିଜେପି ନେତୃତ୍ବ ସରକାରରୁ ଆସାମ ଗଣପରିଷଦର ୩ ଜଣ ମନ୍ତ୍ରୀ ଅତୁଲ ବୋରା, କେଶବ ମହାନ୍ତ ଓ ଫନି ଭୂଷଣ ଚୌଧୁରୀ ଇସ୍ତଫା ଦେଇଥିଲେ। ତିନୋଟି ପର୍ଯ୍ୟାୟରେ ଆସାମରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଜେପି-ଏଜିପି-ବିଫିଏଫ୍‌ ମେଣ୍ଟ ୧୪ଟି ଆସନର ଲଢିବେ। ୨୦୧୬ରେ ବିଜେପି-ଏଜିପି ମେଣ୍ଟ ଆସାମ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି କଂଗ୍ରେସକୁ ପରାସ୍ତ କରି ଶାସନ ଭାର ହାତକୁ ନେଇଥିଲେ।