Categories
ବିଶେଷ ଖବର ରାଜ୍ୟ ଖବର

ଝଲମଲ ହେଲା ବ୍ରହ୍ମପୁରର ରାମଲିଙ୍ଗେଶ୍ବର ଜଳାଶୟ, ମଝିରେ ୩୫ ଫୁଟ ଉଚ୍ଚତାର ଦେବଦେବ ମହାଦେବ

ଭୁବନେଶ୍ବର, ରୂପାନ୍ତରର ବା Transformation ଅନନ୍ୟ ଉଦାହରଣ ପାଲଟିଛି ବ୍ରହ୍ମପୁରର ରାମଲିଙ୍ଗେଶ୍ବର ଜଳାଶୟ। ଅବ୍ୟବହୃତ ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ପଡି ରହିଥିବା ଏହି ଜଳାଶୟ ଆଜି ବ୍ରହ୍ମପୁରରେ ପର୍ଯ୍ୟଟକଙ୍କର ଆକର୍ଷଣୀୟ କେନ୍ଦ୍ର ବିନ୍ଦୁ ହୋଇପାରିଛି। ଚିତାକର୍ଷକ ଆତସବାଜି, ଶିବ ତାଣ୍ଡବ ସ୍ତୋତ୍ରର ତାଳେ ତାଳେ ଲେଜର ଲାଇଟ୍ ଓ ଏକ ସଂଗୀତମୟ ପରିବେଶ ମଧ୍ୟରେ ବ୍ରହ୍ମପୁରର କେନ୍ଦ୍ର ସ୍ଥଳୀରେ ଅବସ୍ଥିତ ରାମଲିଙ୍ଗେଶ୍ବର ଜଳାଶୟ ଓ ଉଦ୍ୟାନର ସୌନ୍ଦର୍ଯ୍ୟକରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲୋକାର୍ପିତ ହୋଇଛି।

୮ ଏକର ପରିମିତ ଜମିରେ ଥିବା ଏହି ପ୍ରାଚୀନ ଜଳାଶୟ ବ୍ରହ୍ମପୁରର ଏକ ପବିତ୍ର ପୁଷ୍କରିଣୀ ଭାବରେ ପ୍ରସିଦ୍ଧ। ସମୟକ୍ରମେ ଏହା ଅବ୍ୟବହୃତ ହୋଇପଡିଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ୨୦୧୭ ମସିହାରେ ୧୨ କୋଟି ଟଙ୍କା ବ୍ୟୟରେ ଏହି ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର‌୍ୟ୍ୟକରଣ କାମ ଆରମ୍ଭ ହୋଇଥିଲା। ପୁଷ୍କରିଣୀର ମଧ୍ୟ ସ୍ଥଳରେ ଭଗବାନ ଶଂକରଙ୍କର ୩୫ ଫୁଟ ଉଚ୍ଚତା ବିଶିଷ୍ଟ ସୁଦୃଶ୍ୟ ପ୍ରତିମୂର୍ତ୍ତୀ ଶୋଭା ପାଉଥିବା ବେଳେ ଚତୁର୍ପାଶ୍ବରେ ଉଦ୍ୟାନ ଏହାକୁ ଅଧିକ ଆକର୍ଷଣୀୟ କରି ଗଢିତୋଳିଛି।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସମବେତ ବ୍ରହ୍ମପୁରର ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାମଲିଙ୍ଗେଶ୍ବର ଜଳାଶୟର ଐତିହ୍ୟ ଉପରେ ଆଲୋକପାତ କରିଥିଲେ। ଏହି ପବିତ୍ର ଜଳାଶୟର ଜଳକୁ ପରିଷ୍କାର ରଖିବା ଏବଂ ଏହାର ସୌନ୍ଦର୍ଯ୍ୟମୟ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁରର ଜନସାଧାରଣଙ୍କୁ ଆହ୍ବାନ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ବର୍ଷ ତଳେ ଏହି ଜଳାଶୟର ଅବସ୍ଥା କଣ ଥିଲା ଏବଂ ବର୍ତ୍ତମାନ ଏହା କେଉଁଠି ପହଞ୍ଚିଛି। ଏହା ହେଉଛି ପରିବର୍ତ୍ତନ, Transformation. ରାମଲିଙ୍ଗେଶ୍ବର ଜଳାଶୟ ଓ ପାର୍କ ଆଜି ଗଂଜାମର ପର‌୍ୟ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ଏହା ଆଜି ସମ୍ଭବ ହୋଇପାରିଛି, ବ୍ରହ୍ମପୁରର ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ଓ ସହଯୋଗ ଯୋଗୁ। ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

କୋଭିଡ ସମୟରେ ଗଂଜାମର ଜନସାଧାରଣଙ୍କର ଦୃଢ ମନୋବଳର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗଂଜାମର ଜନତାଙ୍କ ସଂଯମତା ଓ ଆତ୍ମଶକ୍ତି ଯୋଗୁ ଆଜି ଜିଲ୍ଲାରେ ସଫଳ ଭାବରେ କୋଭିଡକୁ ନିୟନ୍ତ୍ରଣ କରାଯାଇପାରିଛି ଏବଂ ଗଂଜାମ ଆଜି ସାରା ଦେଶ ପାଇଁ ରୋଲ ମଡେଲ ହୋଇପାରିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବ୍ରହ୍ମପୁରକୁ ଏକ ଆଦର୍ଶ ସହର ଭାବରେ ଗଢିତୋଳିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମ ଜାରି ରଖିଛନ୍ତି। ବ୍ରହ୍ମପୁରରେ ଅତ୍ୟାଧୁନିକ ସୁବିଧା ଥିବା ଏକ ଷ୍ଟାଡିୟମର ନିର୍ମାଣ କାର‌୍ୟ୍ୟ ସନ୍ତୋଷଜନକ ଭାବରେ ଆଗେଇ ଚାଲିଥିବା ବେଳେ ସହର ପାଇଁ ୪୨ କୋଟି ଟଙ୍କା ବ୍ୟାୟରେ ଏକ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ କାର‌୍ୟ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ସହରର ଟ୍ରାଫିକ ନିୟନ୍ତ୍ରଣ ପାଇଁ ରିଂଗ ରୋଡ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।

ବ୍ରହ୍ମପୁର ମୋ ପାଇଁ ସବୁବେଳେ ସ୍ବତନ୍ତ୍ର ଗୁରୁତ୍ବ ରଖିଛି। ବ୍ରହ୍ମପୁର ତଥା ଗଂଜାମର ବିକାଶ ଉପରେ ମୁଁ ସବୁବେଳେ ତୀକ୍ଷ୍ଣ ନଜର ରଖିଛି ବୋଲି ମତଦେଇ ବ୍ରହ୍ମପୁରକୁ ଏକ ସୁନ୍ଦର ତଥା ଆଧୁନିକ ସହର ଭାବରେ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
ଏହି ଅବସରରେ ଆୟୋଜିତ କାର‌୍ୟ୍ୟକ୍ରମରେ ଜଂଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଭାପତି  ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ଉଦ୍‌ବୋଧନ ଦେଇ ରାମଲିଙ୍ଗେଶ୍ବର ଜଳାଶୟର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମର ପ୍ରଶଂସା କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣ ବିସ୍ଫୋରଣରେ ୮ ଗୁରୁତର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁରର ଧରାକୋଟ ଅଂଚଳରେ ନାଟକ ଚାଲିଥିବାବେଳେ ବାଣ ବିସ୍ଫୋରଣ ଘଟି ୮ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଦୋଳପୂର୍ଣ୍ଣିମା ଅବସରରେ ଧରାକୋଟ ଥାନା ଅନ୍ତର୍ଗତ କେ. ରାମଚନ୍ଦ୍ରପୁର, କଇଠଡ଼ା ଗ୍ରାମରେ ମହାଭାରତ ନାଟକ କାଲି ରାତ୍ରଠାରୁ ଆରମ୍ଭ ହୋଇଥିଲା । ରବିବାର ସକାଳେ ନାଟକ ଚାଲିଥିବାବେଳେ ନାଟକରେ ବାଣ ଫୁଟାଇବା ପାଇଁ ମଂଚ ତଳେ ଗଚ୍ଛିତ ରଖାଯାଇଥିବା ବାଣରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଫଳରେ ମଂଚ ତଳେ ବିସ୍ଫୋରଣ ହୋଇଥିଲା । ଏହି ସମୟରେ ପ୍ରାୟ ୧୦୦ ଲୋକ ନାଟକ ଦେଖିବା ପାଇଁ ବସିଥିଲେ । ଫଳରେ ବିସ୍ଫୋରଣରେ ରାଜା ଗୌଡ଼, ଓମ୍ ଗୌଡ଼, ସୁମନ ରେଡ଼ି, ଚନ୍ଦନ ବିଷୋୟୀ, ଅରୁଣ ବିଷୋୟୀ, ବାବୁ ବିଷୋୟୀ, ବିଜୟ ଗୌଡ଼ ଆହତ ହୋଇଥିଲେ । ସମସ୍ତ ଆହତକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଆସିକା ଡ଼ାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି । ଧରାକୋଟ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି ।

Categories
ଆଞ୍ଚଳିକ ରାଜ୍ୟ ଖବର

8 ଜିଲ୍ଲାର 976 ଯାତ୍ରୀଙ୍କ ସହିତ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଶୁଭାରମ୍ଭ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର 8ଟି ଜିଲ୍ଲାରୁ ସମୁଦାୟ 976 ଜଣ ବରିଷ୍ଠ ନାଗରିକ ଆଜି ତୀର୍ଥ କରିବାକୁ ଏକ ସ୍ପେସାଲ୍ ଟ୍ରେନ ଯୋଗେ ଦକ୍ଷିଣ ଭାରତକୁ ଯାତ୍ରା କରିଛନ୍ତି । ବ୍ରହ୍ମପୁର ଷ୍ଟେସନର ପ୍ଲାଟଫର୍ମ ନଂ 4ରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଏଥିରେ ଗଂଜାମର ସର୍ବାଧିକ 489 ଜଣ, ଗଜପତିର 59 ଜଣ, କନ୍ଧମାଳ 53 ଜଣ, କୋରାପୁଟର 113 ଜଣ, ମାଲକାନାଗିରିର 52 ଜଣ, ନବରଙ୍ଗପୁରର 83 ଜଣ, ରାୟଗଡ଼ାର 97 ଜଣ ଏବଂ ବୌଦ୍ଧ ଜିଲ୍ଲାର 30 ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ସାମିଲ ହୋଇଛନ୍ତି । ଗଂଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ୍‌ରୁ ସର୍ବାଧିକ ବରିଷ୍ଠ ନାଗରିକ ଯାତ୍ରା କରିଛନ୍ତି । ତୀର୍ଥଯାତ୍ରୀଙ୍କ ସହାୟତା ପାଇଁ 30 ଜଣ ଏସ୍‌କର୍ଟ ଅଫିସର ମଧ୍ୟ ଯାଇଛନ୍ତି । ଏହି ଯାତ୍ରା ରାମେଶ୍ୱରମ୍‌, ମୁଦୁରାଇ ଓ ତିରୁପତି ଦର୍ଶନ କରିବା ପାଇଁ ଓଡ଼ିଶା ସରକାରଙ୍କଠାରୁ ବ୍ୟବସ୍ଥା କରାଯାଇଛି ।

ଏହି ତୀର୍ଥଯାତ୍ରା ସମୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁଭାଷ ବେହେରା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବିଜେଡ଼ି ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପାଇକାରୀ ଭଣ୍ଡାର ସଭାପତି ତଥା ବରିଷ୍ଠ ବିଜେଡ଼ି ନେତା ସୁଧୀର ରାଉତ, ବିଜେଡ଼ି ଜିଲ୍ଲା ସଭାନେତ୍ରୀ ସଂଘମିତ୍ରା ଦଳେଇ, ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଉପଜିଲ୍ଲାପାଳ ଶିନ୍ଧେ ଦତ୍ତାତ୍ରୟ ଭାଉସାହେବ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବରଯାତ୍ରୀ ଗାଡିରେ ନିଆଁ : ତଦନ୍ତ ନିର୍ଦ୍ଦେଶ ଦେଲେ ପଦ୍ମନାଭ ବେହେରା

ସମୀକ୍ଷା ବ୍ୟୁରୋ

ବ୍ରହ୍ମପୁର :ବ୍ରହ୍ମପୁରରର ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ବରଯାତ୍ରୀ ବସ୍‌ରେ 11 କେଭି ତାର ଲାଗି ନିଆଁ ଲାଗିଯାଇଥିବା ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । 30ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ରହିଛନ୍ତି । ସମସ୍ତ ଗୁରୁତର ଯାତ୍ରୀମାନଙ୍କୁ ଏମକେସିଜି ଡାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଛି । ସଡକ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଆହତଙ୍କ ଆଶୁଆରୋଗ୍ୟ କାମନା କରିବା ସହ ଦୁର୍ଘଟଣାର କାରଣ ଜାଣିବା ପାଇଁ ଟ୍ବିଟ୍‌ କରିଛନ୍ତି ଧର୍ମେନ୍ଦ୍ର ।