8 ଜିଲ୍ଲାର 976 ଯାତ୍ରୀଙ୍କ ସହିତ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଶୁଭାରମ୍ଭ

Published: Feb 28, 2020, 8:48 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର 8ଟି ଜିଲ୍ଲାରୁ ସମୁଦାୟ 976 ଜଣ ବରିଷ୍ଠ ନାଗରିକ ଆଜି ତୀର୍ଥ କରିବାକୁ ଏକ ସ୍ପେସାଲ୍ ଟ୍ରେନ ଯୋଗେ ଦକ୍ଷିଣ ଭାରତକୁ ଯାତ୍ରା କରିଛନ୍ତି । ବ୍ରହ୍ମପୁର ଷ୍ଟେସନର ପ୍ଲାଟଫର୍ମ ନଂ 4ରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଏଥିରେ ଗଂଜାମର ସର୍ବାଧିକ 489 ଜଣ, ଗଜପତିର 59 ଜଣ, କନ୍ଧମାଳ 53 ଜଣ, କୋରାପୁଟର 113 ଜଣ, ମାଲକାନାଗିରିର 52 ଜଣ, ନବରଙ୍ଗପୁରର 83 ଜଣ, ରାୟଗଡ଼ାର 97 ଜଣ ଏବଂ ବୌଦ୍ଧ ଜିଲ୍ଲାର 30 ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ସାମିଲ ହୋଇଛନ୍ତି । ଗଂଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ୍‌ରୁ ସର୍ବାଧିକ ବରିଷ୍ଠ ନାଗରିକ ଯାତ୍ରା କରିଛନ୍ତି । ତୀର୍ଥଯାତ୍ରୀଙ୍କ ସହାୟତା ପାଇଁ 30 ଜଣ ଏସ୍‌କର୍ଟ ଅଫିସର ମଧ୍ୟ ଯାଇଛନ୍ତି । ଏହି ଯାତ୍ରା ରାମେଶ୍ୱରମ୍‌, ମୁଦୁରାଇ ଓ ତିରୁପତି ଦର୍ଶନ କରିବା ପାଇଁ ଓଡ଼ିଶା ସରକାରଙ୍କଠାରୁ ବ୍ୟବସ୍ଥା କରାଯାଇଛି ।

ଏହି ତୀର୍ଥଯାତ୍ରା ସମୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁଭାଷ ବେହେରା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବିଜେଡ଼ି ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପାଇକାରୀ ଭଣ୍ଡାର ସଭାପତି ତଥା ବରିଷ୍ଠ ବିଜେଡ଼ି ନେତା ସୁଧୀର ରାଉତ, ବିଜେଡ଼ି ଜିଲ୍ଲା ସଭାନେତ୍ରୀ ସଂଘମିତ୍ରା ଦଳେଇ, ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଉପଜିଲ୍ଲାପାଳ ଶିନ୍ଧେ ଦତ୍ତାତ୍ରୟ ଭାଉସାହେବ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related posts