କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ମାଟ୍ରିକ୍ ପରୀକ୍ଷା ପରିଚାଳନା କମିଟି ବୈଠକ ବିଫଳ ହୋଇଛି। ବୈଠକରୁ କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ। ଏବେ ବି ୭୮୩ ପରୀକ୍ଷାର୍ଥୀଙ୍କ ଭାଗ୍ୟ ଅନିଶ୍ଚିତତା ଘେରରେ ରହିଛି । ଶିକ୍ଷା ପରିଷଦ ସଭାପତିଙ୍କ ଅଧ୍ୟକ୍ଷତାରେ ୬ ଜଣିଆ କମିଟି ବୈଠକ ବସିଥିଲା। ଏହି ବୈଠକରେ ଚଳିତ ମାଟ୍ରିକ ପରୀକ୍ଷାରେ ବାତିଲ୍ ହୋଇଥିବା ତିନୋଟି କେନ୍ଦ୍ରର ପରୀକ୍ଷା ଓ ଗାଏବ ହୋଇଥିବା ୧୦୮ଟି ଗଣିତ ଓଏମ୍ଆର ସିଟ୍କୁ ନେଇ ନିଷ୍ପତ୍ତି ନିଆଯିବାର ଥିଲା। ତେବେ ଏହି ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇପାରିନାହିଁ । ମାଟ୍ରିକ ପରୀକ୍ଷାରେ ସଂସ୍କାର ଆଣିବା ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଚଳିତ ବର୍ଷ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବାର ଲକ୍ଷ୍ୟ କରାଯାଇଛି। ପରୀକ୍ଷାର ପ୍ରଥମ ଦିନରୁ ପ୍ରଶ୍ନପତ୍ର ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି। ଏପରିକି କିଛି ଅଞ୍ଚଳରେ ବ୍ୟାପକ କପି ହୋଇଥିବାର ମଧ୍ୟ ଅଭିଯୋଗ ଆସିଛି। ମାଟ୍ରିକ ପରୀକ୍ଷାର ବିଭ୍ରାଟ ପରିଷଦ କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବ୍ୟାଥାର କାରଣ ପାଲଟିଛି। ଖୁବ୍ ଶୀଘ୍ର ପରବର୍ତ୍ତୀ ବୈଠକ ରଖାଯିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।
Tag: bseodisha
ମାଟ୍ରିକ ପରୀକ୍ଷାରେ ହୋଇଥିବା କପି ଅଭିଯୋଗରେ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବୋର୍ଡ ପକ୍ଷରୁ ତିନୋଟି ପରୀକ୍ଷା କେନ୍ଦ୍ରର ଇଂରାଜୀ ପରୀକ୍ଷା ବାତିଲ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଖାତା ମୂଲ୍ୟାୟନ ପରେ ବୋର୍ଡର ପରୀକ୍ଷା କମିଟି ଏହି ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି । ପରୀକ୍ଷା ବାତିଲ୍ ପାଇଁ ନିଷ୍ପତ୍ତି ହୋଇଥିବା କେନ୍ଦ୍ରଗୁଡ଼ିକ ମଧ୍ୟରେ ରହିଛି – ବଲାଙ୍ଗୀର ଜିଲ୍ଲାର ଘୁନୁସର ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଜିଲ୍ଲା ପଳାସପିଠାର ପି.ଆର୍. ଉଚ୍ଚ ବିଦ୍ୟାଳୟ ଏବଂ କଟକ ଗୋପୀନାଥପୁରର କୃପାସିନ୍ଧୁ ନୋଡାଲ ଉଚ୍ଚ ବିଦ୍ୟାଳୟ । ବାକି ଥିବା ପରୀକ୍ଷା ପାଇଁ ସମ୍ପୃକ୍ତ ବିଦ୍ୟାଳୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗତକାଲି ତୃତୀୟ ଭାଷାର ପରୀକ୍ଷା ଅନୁଷ୍ଠିତ ହେବ ।