Categories
ଜାତୀୟ ଖବର ବିଶେଷ ଖବର

କୋଭିଡ ସଂକ୍ରମଣ ନିୟନ୍ତ୍ରଣ ସହ ମୃତ୍ୟୁହାର ଶତକଡା ୧ ପ୍ରତିଶତରୁ କମ କର, ରାଜ୍ୟଗୁଡିକୁ କେନ୍ଦ୍ରର ତାଗିଦ୍

ନୂଆଦିଲ୍ଲୀ, କେନ୍ଦ୍ର କ୍ୟାବିନେଟ ସଚିବ ୯ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର କରୋନା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବମାନଙ୍କ ସହ ଆଜି ଭିଡିଓ କନଫ୍ରେନେସିଂ ମାଧ୍ୟମରେ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ରାଜ୍ୟଗୁଡିକ ହେଲା ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ତେଲଙ୍ଗାନା, ଗୁଜରାଟ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ପଞ୍ଜାବ, ଆନ୍ଧ୍ରପ୍ରଦେଶ ଏବଂ ଜମ୍ମୁ ଓ କଶ୍ମୀର। ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ଆଇସିଏମଆର ମହାନିର୍ଦ୍ଦେଶକ ଓ ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ମଧ୍ୟ ଯୋଗଦେଇଥିଲେ।

ଏହି ରାଜ୍ୟଗୁଡ଼ିକର କୋଭିଡ-୧୯ ସମ୍ପର୍କିତ ସ୍ଥିତି ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଲୋକପାତ କରିଥିଲେ। ସେସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନମୁନା ପରିକ୍ଷାକୁ ଜୋରଦାର କରାଯିବା ସହ ଘରୋଇ ଏକାନ୍ତବାସ, ନିରୀକ୍ଷଣ, ଆବଦ୍ଧାଞ୍ଚଳ ପରିଚାଳନା, ଚିହ୍ନଟ, ଆମ୍ବୁଲାନ୍ସର ଉପଲବ୍ଧତା, ହସ୍ପିଟାଲ ଶଯ୍ୟା ଓ ଉପଚାର ନିୟମାବଳୀ ଅନୁପାଳନ କରାଯାଉଥିବା ଉପରେ ସୂଚନା ଦେଇଥିଲେ।

ଗତ ଦୁଇ ସପ୍ତାହ ମଧ୍ୟରେ ଶତକଡା ୮୯ ଭାଗ କୋଭିଡ-୧୯ ଜନିତ ମୃତ୍ୟୁ ଏହି ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଥିବା ଲକ୍ଷ୍ୟ କରାଯାଇଥିବାରୁ ଏହାକୁ ରୋକିବା ପାଇଁ କେତେକ କଠୋର ପଦକ୍ଷେପ ନେବାର ଆବଶ୍ୟକତା ଉପୁଜିଛି । ମୃତ୍ୟୁହାର ଶତକଡା ୧ କୁ ହ୍ରାସ କରିବା ଲାଗି ନିମ୍ନଲିଖିତ ପଦକ୍ଷେପ ନେବାକୁ ପରାମର୍ଶ ମଧ୍ୟ ଦିଆଯାଇଛି। ସେଗୁଡିକ ହେଲା –

1-ଦକ୍ଷ ଆବଦ୍ଧାଞ୍ଚଳ ପରିଚାଳନା, ଚିହ୍ନଟ ଓ ନିରୀକ୍ଷଣ

2-ନୂଆକରି ସଂକ୍ରମିତ ହେଉଥିବା ଅନ୍ୟୁନ ଶତକଡା ୮୦ ଭାଗ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ୭୨ ଘଣ୍ଟା ମଧ୍ୟରେ ଚିହ୍ନଟ କରିବା

3-ସମସ୍ତ ଜିଲ୍ଲାରେ ଦିନକୁ ନିୟୁତ ପିଛା ଅନ୍ୟୁନ ୧୪୦ଟି ପରୀକ୍ଷା ସୁନିଶ୍ଚିତ କରିବା, ଯେପରି ସଂକ୍ରମଣ ହାର ଶତକଡା ୫ରୁ ନିମ୍ନରେ ରହେ, ତାହା ଦେଖିବାକୁ ହେବ

4-ଆବଦ୍ଧାଞ୍ଚଳରେ ଆଣ୍ଟିଜେନ ଟେଷ୍ଟ କରିବା ସହ ନେଗେଟିଭ ବାହାରୁଥିବା ସମସ୍ତ ଲକ୍ଷଣଯୁକ୍ତ ବ୍ୟକ୍ତିଙ୍କ ଆରଟିପିସିଆର କରିବା

5-ଘରୋଇ ଏକାନ୍ତବାସରେ ରହୁଥିବା ରୋଗୀମାନଙ୍କ ନିୟମିତ ଯାଞ୍ଚ (ଫୋନ ଓ ପରିଦର୍ଶନ ଜରିଆରେ) ଏବଂ ଅମ୍ଳଜାନ ସ୍ତର ନିର୍ଦ୍ଦିଷ୍ଟ ସ୍ତରରୁ ତଳକୁ ଖସିଲେ ଉପଯୁକ୍ତ ସମୟରେ ହସ୍ପିଟାଲରେ ଭର୍ତ୍ତି

6-ହସ୍ପିଟାଲ ବେଡ ଓ ଆମ୍ବୁଲାନ୍ସ ସୁବିଧା ସମ୍ପର୍କିତ ତଥ୍ୟ ନେଇ ଜନସାଧାରଣଙ୍କୁ ଅବଗତ କରାଇବା ଓ ଆମ୍ବୁଲାନ୍ସ ସେବା ଠିକ ସମୟରେ ଯୋଗାଇବା

7-ସମସ୍ତ ସକ୍ରିୟ ମାମଲାଗୁଡିକର ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା

8-୬୦ ବର୍ଷରୁ ଉର୍ଦ୍ଧ୍ଵ ବା ଅନ୍ୟାନ୍ୟ ପୁରାତନ ରୋଗରେ ପୀଡିତ ରୋଗୀଙ୍କ ସମେତ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରତି ସପ୍ତାହରେ ବିଶ୍ଳେଷଣ କରିବା

9-ମାମଲା ବୃଦ୍ଧି ସହିତ ଉତ୍ସର୍ଗୀକୃତ ସେବା କେନ୍ଦ୍ରରେ ଆନୁସଙ୍ଗିକ ସୁବିଧା ଉନ୍ନୀତ କରିବା
ଆବଶ୍ୟକ ଔଷଧ, ମାସ୍କ, ପିପିଇ ଇତ୍ୟାଦିର ନିୟମିତ ଯାଞ୍ଚ

10-ବ୍ୟାବହାରିକ ପରିବର୍ତ୍ତନ ଯଥା – ସାମାଜିକ ଦୂରତ୍ଵ, ମାସ୍କ ପିନ୍ଧିବା, ହାତ ଧୋଇବା ଓ କାଶିବା ସଂକ୍ରାନ୍ତ ନିୟମଗୁଡିକ ପାଳନ

ଏହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନେ ସେମାନଙ୍କ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ମୁକାବିଲା ନିମନ୍ତେ ନିଆଯାଉଥିବା ପଦକ୍ଷେପ ସମ୍ପର୍କିତ ସୂଚନା ଦେଇଥିଲେ। ମୃତ୍ୟୁହାର ରୋକିବା ସହ କରୋନା ସମ୍ପର୍କିତ ଜନସଚେତନତା ଉପରେ ନିଆଯାଉଥିବା ପଦକ୍ଷେପ ଉପରେ ମଧ୍ୟ ସୂଚନା ଦେଇଥିଲେ।