Categories
ଖେଳ ବିଶେଷ ଖବର

ଇଂଲଣ୍ଡ ହାତରେ ୨୦୧୯ ଆଇସିସି ବିଶ୍ଵକପ ଟ୍ରଫି : ସୁପର ଓଭରରେ ସମାନ ସଂଖ୍ୟକ ରନ କରି ମଧ୍ୟ ଇଂଲଣ୍ଡ ହେଲା ବିଜେତା

ସମୀକ୍ଷା ବ୍ୟୁରୋ

ଆଜି କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡ୍ସ ଠାରେ ୨୦୧୯ ବିଶ୍ଵକପ ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଏହି  ମ୍ୟାଚ ଘରୋଇ ଇଂଲଣ୍ଡ ଦଳ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ନ୍ୟୁଜିଲାଣ୍ଡ ଅଧିନାୟକ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାରେ ନିଷ୍ପତି ନେଇଥିଲେ। କିନ୍ତୁ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୮ଟି ମୂଲ୍ୟବାନ ୱିକେଟ ହରାଇ ସଂଗ୍ରହ କରିଥିଲା ୨୪୧ ରନ। ତେଣୁ ୱିଲିଯମସନଙ୍କ ଦଳ ଇଂଲଣ୍ଡକୁ ୨୪୨ରନର ଲକ୍ଷ୍ୟ ପ୍ରଦାନ କରିଥିଲା । ଯଦିବା ଏହା ଏକ ଛୋଟ ଲକ୍ଷ୍ୟ ଥିଲା ତଥାପି ଇଂଲଣ୍ଡ ଦଳ ଏହି ମ୍ୟାଚକୁ ଜିତିବା ପାଇଁ ସଂପୂର୍ଣ୍ଣ ଶକ୍ତି ଲଗାଇଥିଲା। କାରଣ ନ୍ୟୁଜିଲାଣ୍ଡ ଦଳର ବୋଲିଂ ବିଭାଗ ଆଗରେ ଇଂଲଣ୍ଡ ଦଳ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୨୪୧ରନ ସଂଗ୍ରହ କରିବାରେ ସକ୍ଷମ ହୋଇପାରିଥିଲା।

ଉଭୟ ଦଳ ସମାନ ସଂଖ୍ୟକ ରନ କରିଥିବାରୁ ଆଇସିସି ନିୟମ ଅନୁଯାୟୀ ମ୍ୟାଚଟି ପୁନର୍ବାର ସୁପର ଓଭର ମାଧ୍ୟମରେ ଖେଳାଯାଇଥିଲା। ତେଣୁ ଏହି ନିୟମ ଅନୁସାରେ ମୁଖ୍ୟ ମ୍ୟାଚରେ ଦ୍ଵିତୀୟରେ ବ୍ୟାଟିଂ କରିଥିବା ଦଳ ହିଁ ପ୍ରଥମେ ବ୍ୟାଟିଂ ଏବଂ ପ୍ରଥମରେ ବ୍ୟାଟିଂ କରିଥିବା ଦଳକୁ ଚେସ କରିବାକୁ ସୁଯୋଗ ମିଳିଥିଲା।

ଏହି ସୁପର ଓଭର ବିଶିଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ୧୫ ରନ କରିଥିଲା। ନ୍ୟୁଜିଲାଣ୍ଡ ୧୬ ରନ ଲକ୍ଷ୍ୟକୁ ପୂରଣ କରିବା ପାଇଁ ବ୍ୟାଟିଂ କରି ପୁନର୍ବାର ସମାନ ସଂଖ୍ୟକ ରନ କରିପାରିଥିଲା। କିନ୍ତୁ ପରିଶେଷରେ ଇଂଲଣ୍ଡକୁ ବିଶ୍ଵ ବିଜେତା ରୂପେ ଘୋଷଣା କରଯାଇଥିଲା। କାରଣ ନିୟମ ଅନୁଯାୟୀ ଯେଉଁ ଦଳ ଅଧିକ ବାଉଣ୍ଡରୀ ମାଧ୍ୟମରେ ରନ କରିଥିବ ସେହି ଦଳ ହିଁ ବିଜେତା ଘୋଷିତ ହେବ।

ଏହି ଫାଇନାଲର ମୁଖ୍ୟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡ ପକ୍ଷରୁ ହେନରୀ ନିକୋଲ୍ସ ସର୍ବାଧିକ ୭୭ ବଲରେ ୫୫ ରନ ପାଳି ଖେଳିଥିଲେ। ସେହିପରି ଅଧିନାୟକ  ୱିଲିୟମସନ ୫୩ ବଲରେ ୩୦ରନ, ଗୁପ୍ଟିଲ ୧୮ ବଲରେ  ୧୯ ରନ, ରସ ଟେଲର ୩୧ ବଲରେ ୧୫ରନ, ଲାଥମ ୫୬ ବଲରେ ୪୭ ରନ, ନୀଶାମ ୨୫ବଲ ରେ ୧୯ରନର ପାଳି ଖେଳିଥିଲେ। ତେବେ ଇଂଲଣ୍ଡ ପକ୍ଷରୁ ୱୋକସ ୯ ଓଭରରେ ୩୭ ରନ ଦେଇ ତିନୋଟି ୱିକେଟ, ପ୍ଲଙ୍କେଟ ୧୦ ଓଭରରେ ୪୨ ରନ ଦେଇ ତିନୋଟି ୱିକେଟ ଅକ୍ତିଆର କରିଥିଲେ।

ସେହିପରି ଇଂଲଣ୍ଡ କମ ସ୍କୋରିଙ୍ଗ ମ୍ୟାଚକୁ ବିଜୟର ଆଶା ନେଇ ପଡିଆ ମଧ୍ୟକୁ ବ୍ୟାଟିଂ କରିବାକୁ ଆସିଥିଲା। କିନ୍ତୁ ଇଂଲଣ୍ଡ ଲକ୍ଷ୍ୟକୁ ପୂରଣ କରିବାରେ ସକ୍ଷମ ହୋଇପାରିନଥିଲା। ଦଳ ସମସ୍ତ ୱିକେଟ ହରାଇ ସମାନ ସଂଖ୍ୟକ ୨୪୧ ରନ ହିଁ କରିପାରିଥିଲା। ଇଂଲଣ୍ଡ ପକ୍ଷରୁ ବେନ ସ୍ଟୋକସ ସର୍ବାଧିକ ଅପରାଜିତ ୮୪ରନ ଏବଂ ଜସ ବଟଲର ୫୯ ରନର ପାଳି ଖେଳିଥିଲେ। ନ୍ୟୁଜିଲାଣ୍ଡ ଦଳର ଫରଗୁସନ ୧୦ ଓଭର ବୋଲିଂ କରି ୫୦ ରନରେ ତିନୋଟି ଏବଂ ନୀଶାମ ୭ ଓଭରରେ ୪୩ ରନ ଦେଇ ତିନୋଟି ୱିକେଟ ଅକ୍ତିଆର କରିଥିଲେ।

Categories
ଖେଳ ବିଶେଷ ଖବର

ବିଶ୍ବକପ୍‌ ରାଉଣ୍ଡ ଅପ୍‌ : ପ୍ରଥମ ଥର ପାଇଁ କଙ୍ଗାରୁ ଦଳର ଟାଇଟଲ୍‌ କବ୍‌ଜା

ସରୋଜ ଜେନା

କ୍ରିକେଟ୍‌ ବିଶ୍ବକପ୍‌ର ଚତୁର୍ଥ ସଂସ୍କରଣ ୧୯୮୭ ମସିହାରେ ଅନୁଷ୍ଠିତ ହୋଇଥିଲା। ରିଲାଏନ୍ସ କପ୍‌ ନାମରେ ପରିଚିତ ଏହି ଟାଇଟଲ୍‌କୁ ପ୍ରଥମ ଥର ପାଇଁ ହାସଲ କରିଥିଲା ଅଷ୍ଟ୍ରେଲିଆ। ପ୍ରଥମଥର ପାଇଁ କ୍ରିକେଟ୍‌ ବିଶ୍ବକପ୍‌ ଇଂଲଣ୍ଡ ବାହାରେ ଅନୁଷ୍ଠିତ ହେଉଥିବା ବେଳେ ଭାରତ ଏବଂ ପାକିସ୍ତାନ ମିଳିତ ଭାବରେ ଏହାର ଆୟୋଜନ କରିଥିଲେ। ୮ ଅକ୍ଟୋବରରୁ ୮ ନଭେମ୍ବର ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା। ପ୍ରଥମ ଥର ପାଇଁ ବିଶ୍ବକପ୍‌ରେ ଓଭର ସଂଖ୍ୟା ୬୦ ରୁ ୫୦କୁ ହ୍ରାସ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟରେ ୭ଟି ଟେଷ୍ଟ ଖେଳୁଥିବା ରାଷ୍ଟ୍ରଙ୍କ ସହିତ ଆଇସିସି ଟ୍ରଫି ବିଜେତା ଜିମ୍ବାଓ୍ବେ ସ୍ଥାନ ପାଇଥିଲା। ୧୯୮୩ ପରି ଏହି ଟୁର୍ଣ୍ଣାମେଣ୍ଟଟି ଡବଲ ରାଉଣ୍ଡ ରବିନ୍‌ ଲିଗ୍‌ ଏବଂ ନକ୍‌ଆଉଟ ଫର୍ମାଟରେ ଖେଳାଯାଇଥିଲା। ଭାରତର ୧୪ଟି ଷ୍ଟାଡିୟମ୍‌ରେ ଏବଂ ପାକିସ୍ତାନର ୭ଟି ଷ୍ଟାଡିୟମରେ  ସମସ୍ତ ମ୍ୟାଚ୍‌ ଖେଳାଯାଇଥିଲା।
ଲିଗ୍‌ ପର୍ଯ୍ୟାୟ :
ଗ୍ରୁପ୍‌ ଏ ରେ ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଜିମ୍ବାଓ୍ବେ ରହିଥିବା ବେଳେ ଗ୍ରୁପ୍‌ ବିରେ ପାକିସ୍ତାନ, ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ୍‌ ଏବଂ ଶ୍ରୀଲଙ୍କା ସ୍ଥାନ ପାଇଥିଲେ। ଭାରତ , ଅଷ୍ଟ୍ରେଲିଆ, ପାକିସ୍ତାନ ଏବଂ ଇଂଲଣ୍ଡ ସେମି ଫାଇନାଲ୍‌କୁ ଉନ୍ନୀତ ହୋଇଥିଲେ। ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ଗ୍ରୁପ୍‌ ଏରେ ପରସ୍ପରକୁ ଥରେ ଲେଖାଏଁ ପରାସ୍ତ କରିବା ସହିତ ସେମିକୁ ଉନ୍ନୀତ ହୋଇଥିଲା। ଉନ୍ନତ ରନ୍‌ରେଟ୍‌ ହାରରେ ଭାରତ ଗ୍ରୁପ୍‌ ଟପ୍ପର ରହିଥିଲା। ଅଷ୍ଟ୍ରେଲିଆ ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ଭାରତକୁ ୧ରନ୍‌ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା। ଏହାପରେ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନ୍‌, ଜିମ୍ବାଓ୍ବେକୁ  ୩ରନ୍‌, ନ୍ୟୁଜିଲ୍ୟାଣ୍ଡକୁ ୧୭ ରନ୍‌, ଏବଂ ଜିମ୍ବାଓ୍ବେକୁ ୭୦ ରନ୍‌ରେ ପରାସ୍ତ କରିଥିଲା। ଭାରତ ନିକଟରୁ ଏକମାତ୍ର ମ୍ୟାଚ୍‌ରେ ୫୬ ରନ୍‌ରେ ପରାସ୍ତ ହୋଇଥିଲା ଅଷ୍ଟ୍ରେଲିଆ। ଗ୍ରୁପ୍‌ ବିରୁ ପାକିସ୍ତାନ  ୫ଟି ବିଜୟ ସହିତ ପ୍ରଥମ ଏବଂ ଇଂଲଣ୍ଡ ୪ଟିବିଜୟ ସହ ଦ୍ବିତୀୟ ସ୍ଥାନରେ ରହି ସେମିକୁ ଉନ୍ନୀତ ହୋଇଥିଲେ।

ଚେତନଙ୍କ ହ୍ୟାଟ୍ରିକ୍‌ :
ଭାରତୀୟ ପେସ୍‌ ବୋଲର ଚେତନ ଶର୍ମା ପ୍ରଥମ ଖେଳାଳି ଭାବରେ ଏକ ବିଶ୍ବକପ୍‌ ହାଟ୍ରିକ୍‌ ହାସଲ କରିବାରେ ସକ୍ଷମ ହୋଇଥିଲେ। ଭାରତର ଶେଷ ଲିଗ୍‌ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ ଚେତନ। କେନ୍‌ ରଦରଫୋର୍ଡ, ଇଆନ୍‌ ସ୍ମିଥ୍‌ ଏବଂ ଏଓ୍ବେନ୍‌ ଚାଟଫେଲ୍ଡଙ୍କୁ ଲଗାତାର ବଲ୍‌ରେ ଆଉଟ କରି  ସେ ଏହି ସଫଳତା ହାସଲ କରିଥିଲେ।

chetan sharama

ସେମି ଫାଇନାଲ :
ସେମିଫାଇନାଲ୍‌ର ଦୁଇଟି ମ୍ୟାଚ୍‌ ମଧ୍ୟରୁ ଗୋଟିଏ ଲାହୋର ଏବଂ ଅନ୍ୟଟି ବମ୍ବେରେ ଅନୁଷ୍ଠିତ ହୋଇଥିଲା। ୪ନଭେମ୍ବରରେ ଲାହୋରରେ ଖେଳାଯାଇଥିବା ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୧୮ ରନ୍‌ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୬୭/୮ସଂଗ୍ରହ କରିଥିବା ବେଳେ ପାକିସ୍ତାନ ବିଜୟ ଠାରୁ ୧୮ ରନ୍‌ ଦୂରରେ ରହି ଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍‌ ବୁନ୍‌ ସର୍ବାଧିକ ୬୫ ରନ୍‌ ସଂଗ୍ରହ କରିଥିଲେ। ଏମ୍‌ ଭେଲେଟ୍ଟା ୪୮ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ। ଇମ୍ରାନ୍‌ ଖାନ୍‌ ୩୬/୩ର ଫିଗର ହାସଲ କରିଥିଲେ। ଜବାବରେ ପାକିସ୍ତାନ ପକ୍ଷରୁ ଜାଭେଦ୍‌ ମିଆଁଦାଦ୍‌(୭୦) ଏବଂ ଇମ୍ରାନ ଖାନ୍‌(୫୮)ଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ବେ ଦଳ ୧୮ରନ୍‌ ପଛୁଆ ରହିଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ସିଜି ମ୍ୟାକ୍‌ଡେର୍‌ମଟ୍‌ ୪୪ ରନ୍‌ ଦେଇ ୫ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ। କ୍ରେଗ୍‌ ମ୍ୟାକ୍‌ଡେର୍‌ମଟ୍‌ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ। ଅନ୍ୟ ଏକ ସେମିରେ ଭାରତକୁ ୩୫ରନ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଥିଲା ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଗ୍ରାହାମ ଗୁଚ୍‌(୧୧୫) ଏବଂ ମାଇକ୍‌ ଗ୍ୟାଟିଂ (୫୬) ବଳରେ ୨୫୪/୬ ସଂଗ୍ରହ କରିଥିଲା। ଜବାବରେ ଭାରତ ପକ୍ଷରୁ କେବଳ ମହମ୍ମଦ ଆଜାରୁଦ୍ଦିନ୍‌(୬୪) ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଦଳ ବିଜୟରୁ ୩୫ରନ୍‌ ଦୂରରେ ରହିଥିଲା।
ଫାଇନାଲ୍‌ :
କୋଲକାତାର ଇଡେନ୍‌ରେ ଅନୁଷ୍ଠିତ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଡେଭିଡ୍‌ ବୁନ୍‌ (୭୫) ଏବଂ ମାଇକ୍‌ ଭେଲେଟ୍ଟା(୪୫)ଙ୍କ ସହାୟତାରେ ୫ଓ୍ବିକେଟ୍‌ରେ ୨୫୩ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୨୪୬/୮ରେ ସୀମିତ ରହିଥିଲା। ଇଂଲଣ୍ଡ ପକ୍ଷରୁ ସି ଆଥେ(୫୮), ମାଇକ୍‌ ଗ୍ୟାଟିଂ(୪୧) ଏବଂ ଆଲାନ୍‌ ଲାମ୍ବ(୪୫)ଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ବେ ଦଳ ବିଜୟ ଠାରୁ ୭ରନ୍‌ ଦୂରରେ ରହି ଯାଇଥିଲା। ଡେଭିଡ୍‌ ବୁନ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା।

ରେକର୍ଡ :
ବିଶ୍ବକପ୍‌ ଇତିହାସର ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଭାରତୀୟ ଦ୍ରୁତ ବୋଲର ଚେତନ ଶର୍ମା। ଟୁର୍ଣ୍ଣାମେଣ୍ଟରେ ୯ଟି ଛକ୍କା ମାରିଥିଲେ ନଭଜୋତ୍‌ ସିଦ୍ଧୁ। ଏହା ସହିତ କ୍ରମାଗତ ୪ଟି ଅର୍ଦ୍ଧଶତକ ହାସଲ କରିଥିଲେ ସିଦ୍ଧୁ। ଗ୍ରାହମ ଗୁଚ୍‌ ୮ଟି ମ୍ୟାଚ୍‌ରୁ ସର୍ବାଧିକ ୪୭୧ ରନ୍‌ ସଂଗ୍ରହ କରିଥିବା ବେଳେ କ୍ରେଗ୍‌ ମ୍ୟାକ୍‌ଡେର୍‌ମଟ୍‌  ସର୍ବାଧିକ ୧୮ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ।

Categories
ଖେଳ ବିଶେଷ ଖବର

ବିଶ୍ବକପ୍‌ ରାଉଣ୍ଡ ଅପ୍‌ : ୮୩ରେ ଭାରତୀୟ ଦଳର ସ୍ବର୍ଣ୍ଣିମ ଯାତ୍ରା, କପିଳଙ୍କ ନେତୃତ୍ବରେ ରଚିଲା ଇତିହାସ

ସରୋଜ ଜେନା

୧୯୮୩ରେ ଅନୁଷ୍ଠିତ କ୍ରିକେଟ୍‌ ବିଶ୍ବକପ୍‌ରେ ଇତିହାସ ରଚିଥିଲା କପିଳ ଦେବଙ୍କ ଭାରତୀୟ ଦଳ। ବିଶ୍ବକପ୍‌ର ଏହି ତୃତୀୟ ସଂସ୍କରଣରେ ଦୁଇ ଦୁଇ ଥର ବିଶ୍ବ ଚାମ୍ପିୟନ୍‌ ଓ୍ବେଷ୍ଟ ଇଣ୍ଡିଜ୍‌କୁ ପରାସ୍ତ କରି ଭାରତ ଇତିହାସ ରଚିଥିଲା। ବିଶ୍ବକପ୍‌ ଇତିହାସରେ ନିଜର ପ୍ରଥମ ଟ୍ରଫି ହାତେଇଥିଲା କପିଳ ଦେବଙ୍କ ଏହି ଦଳ। ପ୍ରଥମ ଦୁଇ ବିଶ୍ବକପ୍‌ ପରି ଏହି ବିଶ୍ବକପ୍‌ ମଧ୍ୟ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିଲା। ଜୁନ୍‌ ୯ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଏହି ବିଶ୍ବକପ୍‌। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଡାର୍କହର୍ସର ମାନ୍ୟତା ପାଇଥିବା ଭାରତୀୟ ଦଳର ନେତୃତ୍ବ ନେଉଥିଲେ ଯୁବ କପିଳ ଦେବ। ମାତ୍ର ସମସ୍ତଙ୍କୁ ଆଚମ୍ବିତ କରି ଦୁର୍ଦ୍ଦଷ ଇଣ୍ଡିଜ୍‌କୁ ପରାସ୍ତ କରି କୌଣସି ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଦଳକୁ ପ୍ରଥମ ଟ୍ରଫି ଜିତାଇଥିଲେ ହରିୟାଣା ହରିକେନ୍‌ କପିଳ ଦେବ। ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ୭ଟି ଟେଷ୍ଟ ଖେଳୁଥିବା ରାଷ୍ଟ୍ର ଏବଂ ଜିମ୍ବାଓ୍ବେ ଏକମାତ୍ର ଦଳ ଭାବରେ ଆଇସିସି ଟ୍ରଫି ବିଜୟୀ ହୋଇ ଅଂଶଗ୍ରହଣ କରିଥିଲା। ଟୁର୍ଣ୍ଣାମେଣ୍ଟଟି ଡବଲ ରାଉଣ୍ଡ ରବିନ୍‌ ଲିଗ୍‌ ଏବଂ ନକ୍‌ଆଉଟ୍‌ ଫର୍ମାଟରେ ଖେଳାଯାଇଥିଲା। ସମୁଦାୟ ୨୭ଟି ମ୍ୟାଚ୍‌ ଏହି ଟୁର୍ଣ୍ଣାମେଣ୍ଟରେ ଖେଳା ଯାଇଥିଲା। ଇଂଲଣ୍ଡ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ଗୋଟିଏ ଗ୍ରୁପ୍‌ ‘ଏ’ ରେ ରହିଥିବାବେଳେ ଭାରତ, ଓ୍ବେଷ୍ଟ ଇଣ୍ଡିଜ, ଅଷ୍ଟ୍ରେଲିଆ ଏବଂ ଜିମ୍ବାଓ୍ବେ ଗ୍ରୁପ୍‌ ‘ବି’ରେ ସ୍ଥାନ ପାଇଥିଲେ।

ଲିଗ୍‌ ପର୍ଯ୍ୟାୟ :
ଲିଗ୍‌ ପର୍ଯ୍ୟାୟରେ ଭାରତ ୬ଟିରୁ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଥିଲା। ଭାରତ ଦୁଇଥର ଚାମ୍ପିୟନ୍‌ ଇଣ୍ଡିଜ୍‌ ବିପକ୍ଷରୁ ନିଜର ଅଭିଯାନ ଆରମ୍ଭ କରିଥିଲା। ଅପ୍ରତ୍ୟାଶିତ ଭାବରେ ଏହି ମ୍ୟାଚ୍‌ରେ ଭାରତ ଇଣ୍ଡିଜ୍‌କୁ ପରାସ୍ତ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୟଶପାଲ ଶର୍ମାଙ୍କ ୮୯ ରନ୍‌ ସହାୟତାରେ ନିର୍ଦ୍ଧାରିତ ୬୦ ଓଭରରେ ୨୬୨ ରନ୍‌ କରିଥିଲା। ଜବାବରେ ରୋଜର ବିନ୍ନୀ ଏବଂ ରବି ଶାସ୍ତ୍ରୀ ୩ଟି ଲେଖାଏଁ ଓ୍ବିକେଟ ହାସଲ କରିବାରୁ ଇଣ୍ଡିଜ୍‌ ୨୨୧ରନ୍‌ରେ ଅଲ୍‌ଆଉଟ୍‌ ହେବା ସହିତ ଭାରତ ୪୧ରନ୍‌ରେ ବିଜୟୀ ହୋଇଥିଲା। ଦ୍ବିତୀୟ ମ୍ୟାଚ୍‌ରେ ଜିମ୍ବାଓ୍ବେ ବିପକ୍ଷରେ ୫ ଓ୍ବିକେଟ୍‌ରେ ବିଜୟୀ ହୋଇଥିଲା ଭାରତ। ଜିମ୍ବାଓ୍ବେ ୧୫୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିବା ବେଳେ ଭାରତ ସନ୍ଦୀପ ପାଟିଲଙ୍କ ୫୦ ରନ୍‌ ବଳର ୫ ଓ୍ବିକେଟ ହରାଇ ବିଜୟୀ ହୋଇଥିଲା। ଲିଗ୍‌ ପର୍ଯ୍ୟାୟର ତୃତୀୟ ମ୍ୟାଚ୍‌ରେ ଭାରତକୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ମ୍ୟାଚ୍‌ରେ ଦଳ ଅଷ୍ଟ୍ରେଲିଆ ନିକଟରୁ ୧୬୨ ରନ୍‌ ବ୍ୟବଧାନରେ ପରାଜିତ ହୋଇଥିଲା। ପରବର୍ତ୍ତୀ ମ୍ୟାଚ୍‌ରେ ମଧ୍ୟ ଇଣ୍ଡିଜ୍‌ ନିକଟରୁ ୬୬ ରନ୍‌ରେ ପରାଜିତ ହୋଇଥିଲା ଭାରତ।
କପିଳଙ୍କ ଧୂଆଁଧାର ୧୭୫ :

ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ଭାରତ ବିଶ୍ବକପ୍‌ରେ ନିଜର ସ୍ଥାନ ସଂରକ୍ଷଣ ପାଇଁ ଖେଳୁଥିଲା। ନିଶ୍ଚିତ ବିଜୟ ହାସଲ କରୁଥିବା ଭାରତ ବିନା କୌଣସି ରନ୍‌ରେ ଗାଭାସ୍କର ଏବଂ ୬ ରନ୍‌ ମଧ୍ୟରେ ଦୁଇ ଓପ୍‌ନରଙ୍କୁ ହରାଇଥିଲା। ମାତ୍ର୧୭ ରନ୍‌ରେ ଦଳ ୫ ଓ୍ବିକେଟ୍‌ ହରାଇ ସଂଘର୍ଷ କରୁଥିବା ସମୟରେ କପିଳ ଦେବ କ୍ରିଜଙ୍କୁ ଆସିଥିଲେ। ବିଶ୍ବ କ୍ରିକେଟର ଅନ୍ୟତମ ବିସ୍ଫୋରକ ଇନିଂସ୍‌ ଖେଳିଥିବା କପିଳ ଏକାକୀ ୧୭୫ ରନ୍‌ ସଂଗ୍ରହ କରିବା ସହିତ ମ୍ୟାଚ୍‌ରେ ଭାରତକୁ ବିଜୟୀ କରାଇଥିଲେ। ଏହି ୧୭୫ ରନ୍‌ର ଇନିଂସରେ କପିଳ ୧୬ ଟି ଚୌକା ଏବଂ ୬ଟି ବିଶାଳ ଛକ୍କା ମାରିଥିଲେ। ରୋଜର ବିନ୍ନୀ (୨୨)ଙ୍କ ସହିତ ୬୧ ଏବଂ ମଦନ ଲାଲ(୧୭)ଙ୍କ ସହ ୬୨ ରନ୍‌ ଯୋଡିବା ପରେ ୧୪୦ ରନ୍‌ରେ ଅଷ୍ଟମ ଓ୍ବିକେଟର ପତନ ଘଟିଥିଲା। ଅଷ୍ଟମ ଓ୍ବିକେଟର ପତନ ପରେ ଜିମ୍ବାଓ୍ବେ ବୋଲରଙ୍କୁ ଆକ୍ରମଣ ଆରମ୍ଭ କରିଥିଲେ କପିଳ। ହରିୟାଣା ହରିକେନ କପିଳ ସୟଦ କୀରମାନୀ(୨୪)ଙ୍କ ସହିତ ୧୨୬ ରନ୍‌ର ଭାଗିଦାରୀ କରିଥିଲେ ଯେଉଁଥିରୁ କପିଳ ଏକାକୀ ୧୦୨ ରନ୍‌ ସଂଗ୍ରହ କରିଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ ଭାରତ ୮/୨୬୬ ସଂଗ୍ରହ କରିଥିଲା। ଜବାବରେ ମଦନ ଲାଲଙ୍କ ୩/୪୫ ଏବଂ ବିନ୍ନିଙ୍କ  ୨/୪୫ ଫଳରେ ଜିମ୍ବାଓ୍ବେ ୨୩୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ପରବର୍ତ୍ତୀ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୧୧୮ ରନ୍‌ରେ ପରାଜିତ କରି ସେମିରେ ସ୍ଥାନ ସୁରକ୍ଷିତ କରିଥିଲା। ଭାରତ ପକ୍ଷରୁ ବ୍ୟାଟିଂରେ ୟଶପାଲ ଶର୍ମା(୪୦) କରିଥିବା ବେଳେ ଭାରତ ୨୪୭ ରନ୍‌ ସଂଗ୍ରହ କରିଥିଲା। ଜବାବରେ ରୋଜର ବିନ୍ନୀ (୪/୨୦) ଏବଂ ମଦନ ଲାଲ(୪/୨୯)ଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ମାତ୍ର ୧୨୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା।
ସେମି ଫାଇନାଲ୍‌ :
ଭାରତ ପ୍ରଥମ ଥର ପାଇଁ ସେମିରେ ପ୍ରବେଶ କରିଥିବା ବେଳେ ପଡୋଶୀ ରାଷ୍ଟ୍ର ପାକିସ୍ତାନ ଦ୍ବିତୀୟ ଥର ପାଇଁ ସେମିରେ ପ୍ରବେଶ କରିଥିଲା । ଆୟୋଜକ ତଥା ପୂର୍ବ ସଂସ୍କରଣର ଉପ ବିଜେତା ଇଂଲଣ୍ଡର ମୁକାବିଲା କରିଥିଲା ଭାରତ। ମୁକାବିଲାକୁ ୬ ଓ୍ବିକେଟରେ ଜିତିନେବା ସହିତ ପ୍ରଥମ ଥର ଫାଇନାଲ୍‌ରେ ପ୍ରବେଶ କରିଥିଲା ଭାରତ। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ଗ୍ରୀମ ଫ୍ଲାଓ୍ବାରଙ୍କ ୩୩ ରନ୍‌ ବଳରେ ୨୧୩ରନ୍‌ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ କପିଳ ଦେବ ୩୫ ରନ୍‌ରେ ତିନୋଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ବିନ୍ନି ଏବଂ ମହିନ୍ଦର ଅମରନାଥ ଦୁଇଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ। ଜବାବରେ ଭାରତ ମହିନ୍ଦର ଅମରନାଥ(୪୬), ୟଶପାଲ ଶର୍ମା (୬୧) ଏବଂ ସନ୍ଦୀପ ପାଟିଲ (୫୧)ଙ୍କ ବ୍ୟାଟିଂ ସହାୟତାରେ ଫାଇନାଲରେ ପହଞ୍ଚିଥିଲା। ଅନ୍ୟ ସେମି ଫାଇନାଲ୍‌ରେ ପାକିସ୍ତାନ ବିପକ୍ଷରେ ୮ ଓ୍ବିକେଟର ସହଜ ବିଜୟ ସହିତ ଫାଇନାଲ୍‌ରେ ପହଞ୍ଚିଥିଲା ଇଣ୍ଡିଜ୍‌। ଫାଇନାଲ୍‌ରେ ଇଣ୍ଡିଜ୍‌ର ଏହା କ୍ରମାଗତ ତୃତୀୟ ପ୍ରବେଶ ଥିଲା।

ଟାଇଟଲ୍‌ ମୁକାବିଲା :
ଫାଇନାଲ୍‌ରେ ଇଣ୍ଡିଜ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଭାରତ ପକ୍ଷରୁ କ୍ରିଷ୍ଣମଚାରୀ ଶ୍ରୀକାନ୍ତ ସର୍ବାଧିକ ୩୮ ରନ୍‌ ସଂଗ୍ରହ କରିଥିବା ବେଳେ ମହିନ୍ଦର ଅମରନାଥ(୨୬) ଏବଂ ସନ୍ଦୀପ ପାଟିଲ ଉପଯୋଗୀ ପାଳି ଖେଳିଥିଲେ। ଭାରତ ମାତ୍ର ୧୮୩ ରନ୍‌ରେ ଅଲ୍‌ଆଉଟ୍‌ ହେବା ପରେ ସମସ୍ତେ ଆପାତତଃ ଇଣ୍ଡିଜ ବିଜୟୀ ହେବା ନେଇ ଅନୁମାନ ଲଗାଇଥିଲେ । ମାତ୍ର ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ଫଳରେ ୭ଜଣ ଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କରେ ପହଞ୍ଚି ପାରିନଥିଲେ ଏବଂ ଦଳ ମାତ୍ର ୧୪୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଭାରତ ପକ୍ଷରୁ ମହିନ୍ଦର ଅମରନାଥ ଏବଂ ମଦନ ଲାଲ ୩ଟି ଲେଖାଏଁ ଓ୍ବିକେଟ ହାସଲ କରିଥିବା ବେଳେ ବଲବିନ୍ଦର ସାନ୍ଧୁ ୨ଟି ଏବଂ କପିଳ ଓ ବିନ୍ନି ଗୋଟିଏ ଲେଖାଏଁ ଓ୍ବିକେଟ ହାସଲ କରିଥିଲେ। ଅଧିନାୟକ କପିଳ ଦେବ ଭିଭ୍‌ ରିଚାର୍ଡସଙ୍କ କ୍ୟାଚ୍‌ ନେଇ ଦଳର ବିଜୟରେ ମୁଣ୍ଡି ମାରିଥିଲେ। ପ୍ରଥମ ଥର ପାଇଁ ଭାରତ ବିଶ୍ବକପ୍‌ ହାସଲ କରିଥିଲା । ମହିନ୍ଦର ଅମରନାଥଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।


ରେକର୍ଡ :
ଏହି ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡର ଡେଭିଡ୍‌ ଗାଓ୍ବାର ସର୍ବାଧିକ ୩୮୪ ରନ୍‌ ସଂଗ୍ରହ କରିଥିଲେ। ଭାରତୀୟ ଅଧିନାୟକ କପିଳ ଦେବ ବ୍ୟାଟିଂ ତାଲିକାରେ ପଞ୍ଚମ ସ୍ଥାନରେ ରହିଥିଲେ। ସମୁଦାୟ ୩୦୩ରନ୍‌ ସଂଗ୍ରହ କରିଥିଲେ କପିଳ। ସେହିପରି ବୋଲିଂରେ ରୋଜର ବିନ୍ନି ସର୍ବାଧିକ ୧୮ଟି ଓ୍ବିକେଟ ନେଇଥିବା ବେଳେ ମଦନ ଲାଲ ୧୭ ଓ୍ବିକେଟ୍‌ ସହ ତୃତୀୟ ଏବଂ ୧୨ ଓ୍ବିକେଟ ସହ କପିଳ ଦେବ ଅଷ୍ଟମ ସ୍ଥାନରେ ରହିଥିଲେ। ଜେଫ୍‌ ଡୁଜୋନ୍‌ ସର୍ବାଧିକ ୧୬ଟି କ୍ୟାଚ୍‌ ଏବଂ ଷ୍ଟମ୍ପିଂ କରିଥିବା ବେଳେ ୧୪ଟି କ୍ୟାଚ୍‌ ଏବଂ ଷ୍ଟମ୍ପିଂ ସହ ସୟଦ କିର୍‌ମାନୀ ଦ୍ବିତୀୟ ସ୍ଥାନରେ ରହିଥିଲେ। ଭାରତର କପିଳ ଦେବ ସର୍ବାଧିକ କ୍ୟାଚ୍‌(୮)ର ରେକର୍ଡ ହାସଲ କରିଥିଲେ।