ନୂଆଦିଲ୍ଲୀ: ଛତିଶଗଡର ଜାଞ୍ଜଗିର ଚମ୍ପାରେ କଂଗ୍ରେସ ନେତା ପଞ୍ଚରାମ ଯାଦବଙ୍କ ସମେତ ପରିବାରର ଚାରିଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସମସ୍ତ ଚାରିଜଣଙ୍କୁ ବିଳାସପୁରର ସିଆଇଏମ୍ଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ବଡ ପୁଅ ନୀରଜ ଯାଦବଙ୍କ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ କଂଗ୍ରେସ ନେତା ପଞ୍ଚରାମ, ତାଙ୍କ ପତ୍ନୀ ଏବଂ ସାନପୁଅ ସୁରଜ ଯାଦବଙ୍କ ମଧ୍ୟ ଦେହାନ୍ତ ହୋଇଛି। ଋଣ ଭାର ହେତୁ ସେମାନେ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। କୋତୱାଲି ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
କଂଗ୍ରେସ ନେତା ପଞ୍ଚରାମ ଯାଦବ ଜାଞ୍ଜଗିର ପୌରସଂସ୍ଥାରେ ଠିକାଦାର ଭାବରେ କାର୍ଯ୍ୟ କରୁଥିଲେ। ସେଥିପାଇଁ ସେ ଋଣ ନେଇଥିବା କୁହାଯାଉଛି। ଋଣ ଯୋଗୁଁ ପୁରା ପରିବାର ଚାପରେ ଥିଲେ। ପଞ୍ଚରାମ ତାଙ୍କ ପତ୍ନୀ ନନ୍ଦିନୀ ଯାଦବ, ପୁଅ ନୀରଜ ଯାଦବ ଏବଂ ସୁରଜ ଯାଦବଙ୍କ ସହ କୀଟନାଶକ ପିଇଥିଲେ। ଏସପି ରାଜେନ୍ଦ୍ର କୁମାର ଜୟସ୍ଵାଲ କହିଛନ୍ତି ଯେ, ସମସ୍ତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜିଲ୍ଲା ଡାକ୍ତରଖାନାର ଡାକ୍ତରମାନେ ଚାରିଜଣଙ୍କୁ ସିଆଇଏମ୍ଏସ୍ ବିଳାସପୁରକୁ ପଠାଇଥିଲେ। ବଡ ପୁଅ ନୀରଜ ରାସ୍ତାରେ ମୃତ୍ୟୁ ବରଣ କରିଥିଲେ। SIMS ବିଳାସପୁରରେ ଅନ୍ୟ ସମସ୍ତଙ୍କ ଚିକିତ୍ସା ଜାରି ରହିଥିଲା।
ଆଜି ସକାଳେ ପଞ୍ଚରାମଙ୍କ ସହ ତାଙ୍କ ପତ୍ନୀ ଏବଂ ସାନ ପୁଅ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ କଂଗ୍ରେସ ନେତାଙ୍କ ଘରକୁ ଯାଇ ଏସପି ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଘରକୁ ସିଲ୍ କରାଯାଇଛି। ରାଜେନ୍ଦ୍ର କୁମାର ଜୟସ୍ଵାଲ କହିଛନ୍ତି ଯେ, କଂଗ୍ରେସ ନେତାଙ୍କ ମୃତ୍ୟୁ ପଛରେ ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।
ସର୍ବଶେଷରେ ସେ ଏବଂ ତାଙ୍କ ପରିବାର ବିଷ ପିଇ ଆତ୍ମହତ୍ୟା କଲେ କାହିଁକି? କଂଗ୍ରେସ ନେତା ବ୍ୟବସାୟ ଯୋଗୁଁ ଅସୁବିଧାରେ ପଡ଼ିଥିଲେ କି? ଋଣ ପୁନରୁଦ୍ଧାର ପାଇଁ କଂଗ୍ରେସ ନେତାଙ୍କ ଉପରେ ଚାପ ପକାଯାଉଥିଲା କି? ପଞ୍ଚରାମ ଯାଦବଙ୍କ ଉପରେ କେତେ ଋଣ ଭାର ଥିଲା? ଏହିପରି ଅନେକ ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ମିଳିନାହିଁ। ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ପୋଲିସ ଏହି ଘଟଣାର ତଦନ୍ତ କରୁଛି।