Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପୂର୍ବ ଲଦାଖ ସ୍ଥିତି ସମ୍ପର୍କରେ ଭାରତ ଦେଲା ତାହାର ସ୍ପଷ୍ଟୀକରଣ

ନୂଆଦିଲ୍ଲୀ, ଭାରତ ସୀମାରେ ଚୀନର ନିୟମ ଉଲ୍ଲଘଂନ କାର୍ଯ୍ୟକଳାପ ସଂପର୍କରେ ଭାରତ ତାହାର ସ୍ପଷ୍ଟୀକରଣ ରଖିଛି। ଏଥିରେ କୁହାଯାଇଛି ଯେ, ପୂର୍ବ ଲଦାଖରେ ଜାରି ରହିଥିବା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ଏକାଧିକ ସେନା ଓ କୂଟନୈତିକ ସ୍ତରରେ ଆଲୋଚନା ହୋଇଥିଲା। ସ୍ଥିତି ସ୍ୱାଭାବିକ କରିବା ଲାଗି ସହମତି ପ୍ରକାଶ ପାଇଥିଲା। କିନ୍ତୁ ଚୀନର ପିଏଲଏ ସେନା ସ୍ଥିତି ବିଗାଡ଼ିବା ପାଇଁ ଅହରହ ପ୍ରୟାସ ଚଳାଇଛି। ସେମାନେ ସମସ୍ତ ପୂର୍ବ ସହମତିକୁ ଉଲ୍ଲଂଘନ କରି ଅଗଷ୍ଟ ୨୯-୩୦ ରାତ୍ରିରେ ସୀମା ଅଞ୍ଚଳରେ ଉତ୍ତେଜକ ସାମରିକ କାର୍ଯ୍ୟକଳାପ ଜାରି ରଖିଥିଲେ । କିନ୍ତୁ ଭାରତୀୟ ସେନା ପ୍ୟାଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ ତଟରେ ପିଏଲଏର ଏଭଳି କାର୍ଯ୍ୟକଳାପ ନିଷ୍କ୍ରିୟ କରିଦେଇଛି।

ଚୀନ ସେନା ଯେଉଁ ଉଦ୍ଦେଶ୍ୟ ରଖି ଏଭଳି ଏକତରଫା କାର୍ଯ୍ୟକଳାପ ଚଳାଇଥିଲା, ଭାରତୀୟ ସେନା ତାହାକୁ ପଣ୍ଡ କରିଦେଇଛି। ଆଲୋଚନା ମାଧ୍ୟମରେ ଉକ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଲାଗି ଭାରତୀୟ ସେନା ପ୍ରତିଶ୍ରୁତିବଦ୍ଧ। ତତସହିତ ଆଞ୍ଚଳିକ ଅଖଣ୍ଡତାର ସୁରକ୍ଷା ପାଇଁ ମଧ୍ୟ ଭାରତ ସମ ପରିମାଣରେ ସଂକଳ୍ପବଦ୍ଧ। ତେବେ ଏଭଳି ସମସ୍ୟାର ପ୍ରତିକାର ପାଇଁ ଚୁସୁଲଠାରେ ଏକ ବ୍ରିଗେଡ କମାଣ୍ଡର ସ୍ତରୀୟ ଫ୍ଲାଗ ମିଟିଙ୍ଗ ଜାରି ରହିଛି ।