ଭାରତୀୟ ବାୟୁସେନା ଏଲ୍ଓସି ଅତିକ୍ରମ କରି ପାକିସ୍ତାନର ବାଲାକୋଟ୍ଠାରେ ପୁଲ୍ୱାମାର ବଦ୍ଲା ନେବାପରେ ପ୍ରତିକ୍ରିୟା ରଖିଛି ଚୀନ୍ । ପାକିସ୍ତାନକୁ ଅହେତୁକ ସମର୍ଥନ ଜଣାଇ ଆସୁଥିବା ଚୀନ୍ ଏହି ଆକ୍ରମଣ ପରେ ଉଭୟ ଭାରତ ଏବଂ ପାକିସ୍ତାନକୁ ସଂଯମ ରକ୍ଷା ପାଇଁ ଆହ୍ୱାନ ଜଣାଇଛି । ଉଭୟ ପଡ଼ୋଶୀ ରାଷ୍ଟ୍ର ସଂଯମ ଅବଲମ୍ବନ କରନ୍ତୁ ବୋଲି ଚୀନ୍ କହିଛି । ଚୀନ୍ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲୁ କାଙ୍ଗ କହିଛନ୍ତି, ଆମେ ଆଶା କରୁଛୁ ଉଭୟ ରାଷ୍ଟ୍ର ସଂଯମ ରହି ସେଭଳି କିଛି ପଦକ୍ଷେପ ନେବେ ଯାହା ଦ୍ୱାରା ଏହି ଦୁଇ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରହିବ। ଗତ ଫେବୃଆରୀ ୧୪ ତାରିଖରେ ପୁଲ୍ୱାମାଠାରେ ହୋଇଥିବା ଜୈଶ୍-ଏ-ମହମ୍ମଦ ଦ୍ବାରା ହୋଇଥିବା ବଡ଼ ଆତଙ୍କୀ ଆକ୍ରମଣରେ ୪୦ ଜଣ ଭାରତୀୟ ଯବାନ୍ ଶହୀଦ୍ ହୋଇଥିଲେ । ଏହି ଘଟଣାରେ ଚୀନ୍ ଦୋମୁହାଁ ନୀତି ଆପଣାଇଥିଲା । ଫୁଲ୍ଓ୍ବାମା ଆକ୍ରମଣ ଘଟଣା ନିନ୍ଦା କରିଥିବାବେଳେ ଜୈଶ୍-ଏ-ମହମ୍ମଦ ସଂଗଠନର ମୁଖ୍ୟ ମସୁଦ୍ ଅଜହରକୁ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦ ଘାେଷଣାକୁ ବିରୋଧ କରିଥିଲା ।
