Categories
ଆଜିର ଖବର

‘ଚୌକିଦାର ଚୋର ହେ’ ସ୍ଲୋଗାନ ପାଇଁ ରାହୁଲଙ୍କ ବିରୋଧରେ ମାମଲା

କଂଗ୍ରେସ ସଭାପତି ନିଜର ଚୌକିଦାର ଚୋର ଅଟେ ମନ୍ତବ୍ୟ ପାଇଁ ଅଦାଲତରେ କ୍ଷମା ପ୍ରାର୍ଥନା କରିଥିବା ବେଳେ ପୁନର୍ବାର ଏକ ରାଲିରେ ସମାନ ସ୍ଲୋଗାନ ଦେଇ ଅଡୁଆରେ ପଡିଛନ୍ତି। ରାହୁଲ ଉପସ୍ଥିତ ଜନତାଙ୍କୁ ଚୌକିଦାର ଚୋର ହେ ସ୍ଲୋଗାନ୍‌ ଦେବାକୁ କହିଥିଲେ। ଏନେଇ ବିହାରର ଆରା କୋର୍ଟରେ ରାହୁଲଙ୍କ ବିପକ୍ଷରେ ଏକ ମାମଲା ରୁଜୁ ହୋଇଛି। ବିହାରର ସମଷ୍ଟିପୁରରେ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ରାହୁଲ ଏହା କହିଥିଲେ। ଏହି ସଭାରେ ପୂର୍ବତନ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ। ତେଜସ୍ବୀଙ୍କ ନାମରେ ମଧ୍ୟ ମାମଲା ଦାଏର କରାଯାଇଥିବା ଜଣା ପଡିଛି। ସତ୍ୟବ୍ରତ ନାମକ ଜନୈକ ଓକିଲ ଧାରା ୧୨୪(ଏ) ଏବଂ ୫୦୫ (୧) ଅନୁଯାୟୀ ମାମଲା ଦାଏର କରାଯାଇଛି। ଆସନ୍ତା ଏପ୍ରିଲ୍‌ ୨୯ ତାରିଖରେ ମାମଲାର ଶୁଣାଣି ହେବ।

Categories
ଆଜିର ଖବର

ମଧ୍ୟପ୍ରଦେଶରେ ‘ଚୌକିଦାର ଚୋର ହୖ’ ଉପରେ ପ୍ରତିବନ୍ଧକ ଲଗାଇଲେ ଇସି

ମଧ୍ୟପ୍ରଦେଶର ମୁଖ୍ୟ ନିର୍ବାଚନର ଅଧିକାରୀ କଂଗ୍ରେସର ‘ଚୌକିଦାର ଚୋର’ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ରାତେଶ କୌଲ ବୁଧବାର ଦିନ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏହି ବିଜ୍ଞାପନର ପ୍ରସାରଣ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ‘ଚୌକିଦାର ଚୋର’ ବିଜ୍ଞାପନର ଆଞ୍ଚଳିକ ଗଣମାଧ୍ୟମରେ ପ୍ରସାରଣ ବନ୍ଦ କରିବାକୁ କୁହାଯାଇଛି। ଏହା ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ‘ଚୌକିଦାର ଚୋର’ କୁ ନେଇ ରାହୁଲ ଗାନ୍ଧୀଙ୍କୁ ଜବାବ ମାଗିଛନ୍ତି।  ଭାରତୀୟ ଜନତା ପାର୍ଟି ତରଫରୁ ‘ଚୌକିଦାର ଚୋର ହୖ’ ବିଜ୍ଞାପନକୁ ନେଇ ନିର୍ବାଚନ ପଦାଧିକାରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଥିଲା। ବିଜ୍ଞାପନଟି ଅପମାନଜନକ ଓ ଆପତ୍ତିଜନକ ବୋଲି ଏହି ଅଭିଯୋଗରେ କୁହାଯାଇଥିଲା। ନିର୍ବାଚନ ଆୟୋଗଙ୍କ ଗଣମାଧ୍ୟମ ପ୍ରାମାଣିକତା ଏବଂ ପର୍ଯ୍ୟବେକ୍ଷଣ କମିଟି ବିନା ଅନୁମତିରେ ଏହି ବିଜ୍ଞାପନର ପ୍ରସାରଣ କରାଯାଉଥିବା ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବକ ଏହି ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

Categories
ବିଶେଷ ଖବର

“ଚୌକିଦାର ଚୋର ହୈ” ବନାମ “ମେ ଭି ଚୌକିଦାର” ; କଂଗ୍ରେସ ଓ ବିଜେପିର ସ୍ଲୋଗାନ ଯୁଦ୍ଧ

କେଦାର ମିଶ୍ର

ଭାରତରେ ନିର୍ବାଚନ ଆଉ ରାଜରାସ୍ତାରେ ଲଢା ଯାଉନାହିଁ। ଏବେ ନିର୍ବାଚନର ରଣାଙ୍ଗନ ହେଉଛି ଟେଲିଭିଜନ ପରଦା ଓ ସୋସିଆଲ ମିଡିଆର କାନ୍ଥ। ରାଲି ଏବଂ ରୋଡ ସୋ ତୁଳନାରେ ଟିଭି ବିତର୍କ ଏବେ ଲୋକମତକୁ ଅଧିକ ପ୍ରଭାବିତ କରୁଛି। ଟିଭି ତୁଳନାରେ ଅଧିକ ପ୍ରଭାବଶାଳୀ ହୋଇ ଉଠୁଛି ସୋସିଆଲ ମିଡିଆ। ଫେସବୁକ, ଟୁଇଟର, ୱ୍ହାଟସାପ ଓ ଅନ୍ୟାନ୍ୟ ଡିଜିଟାଲ ମାଧ୍ୟମରେ ନିର୍ବାଚନ ଯୁଦ୍ଧର ତୀବ୍ରତା ଭୟଙ୍କର ଭାବରେ ଅନୁଭୂତ ହେଉଛି। ଏକଦା ଭାରତୀୟ ଗଣମାଧ୍ୟମ ନିଜର ନିରପେକ୍ଷତାକୁ ନେଇ ଗର୍ବ କରୁଥିଲା। ଆଜି କିନ୍ତୁ ଗଣମାଧ୍ୟମ ନିଜକୁ ବିଭିନ୍ନ ଦଳର ପ୍ରଚାର ମାଧ୍ୟମ ଭାବରେ ନିଲାମ କରି ସାରିଛି। ଏବେ ଟେଲିଭିଜନରେ ଆଉ ନିଷ୍ପକ୍ଷ ବିତର୍କ ଆଉ ସମ୍ଭବପର ନୁହେଁ। ସବୁ ଟିଭି ଚାନେଲ ଏବେ ନିଜ ନିଜର ଶକ୍ତିକୁ କୌଣସି ନା କୌଣସି ଦଳ ପାଇଁ ବିନିଯୋଗ କରିବାର ଠିକା ନେଇ ସାରିଛନ୍ତି। ସେଇ ପୃଷ୍ଠଭୂମିରେ ୨୦୧୯ ନିର୍ବାଚନର ପ୍ରଚାର ପର୍ବକୁ ଆମେ ବିଶ୍ଳେଷଣ କରିବା।

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାର କହୁ କହୁ କହିଦେଲେ ଯେ ଜଣେ ଚା’ ବାଲା ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଅଯୋଗ୍ୟ। ବାସ, ସେହି କଥାରୁ ବିଜେପିକୁ ନିଜର ସବୁଠୁ ସଫଳ ସ୍ଲୋଗାନ ମିଳିଗଲା। ନରେନ୍ଦ୍ର ମୋଦୀ ଜଣେ ସାଧାରଣ ଚା’ ବାଲା ଓ ଗଣତନ୍ତ୍ରରେ ସେ ସବୁଠୁ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପାଇବା ଉଚିତ ବୋଲି ଏକ ଅଭିଯାନ ବିଜେପି ଆରମ୍ଭ କଲା।  “ଚାଏ ପେ ଚର୍ଚ୍ଚା” ଜରିଆରେ ହାଇ ଟେକ ପ୍ରଚାର ସେତେବେଳେ ବିଜେପିକୁ ବେଶ ଲାଭ ଦେଇଥିଲା। ୨୦୧୪ରେ କଂଗ୍ରେସ ନିଜ ଜାଲରେ ନିଜେ ଫସିଗଲା ଓ ତାର ସର୍ବାଧିକ ଲାଭ ନରେନ୍ଦ୍ର ମୋଦୀଙ୍କୁ ମିଳିଲା। ଯଦିଓ ସାଧାରଣ ଭାବରେ ଜଣେ ଚା’ ବାଲାର ଯେଉଁ ମର୍ୟାଦାବୋଧ ବା ବିନମ୍ରତା ମୋଦୀଙ୍କର କେବେ ବି ନଥିଲା କିନ୍ତୁ ଚା’ ବାଲାର ପରିଚୟକୁ ସବୁଠୁ ବଡ ରାଜନୈତିକ ବ୍ରାଣ୍ଡ ଭାବରେ ସେ ବ୍ୟବହାର କରିବାରେ ସଫଳ ହେଲେ।

୨୦୧୯ ବେଳକୁ ସେଦିନର ଚା’ ବାଲା ଆଜିର ଶୁଟ ବୁଟ ପିନ୍ଧା ପ୍ରଧାନମନ୍ତ୍ରୀ। ନରେନ୍ଦ୍ର ମୋଦୀ ବଡ ପୋଷାକ ପ୍ରିୟ ଓ ଫେସନ ସଚେତନ। ଦିନକୁ ଅତିକମରେ ଅଧ ଡଜନ ପୋଷାକ ବଦଳାଉଥିବା ପ୍ରଧାନମନ୍ତ୍ରୀ  ଏବେ ଆଉ ନିଜକୁ ଚା’ ବାଲା ବୋଲି କହିପାରିବେ ନାହିଁ। ତେଣୁ ୨୦୧୯ ନିର୍ବାଚନ ପୂର୍ବରୁ ଗୋଟେ ନୂଆ ବ୍ରାଣ୍ଡ ଓ ନୂଆ ସ୍ଲୋଗାନ ବିଜେପି ଲାଗି ଜରୁରୀ ଥିଲା। ଏଥର ମଧ୍ୟ ବିଜେପି ନିଜ ସ୍ଲୋଗାନ କଂଗ୍ରେସ ସୌଜନ୍ୟରୁ ପାଇଛି। ଗତ ନଭେମ୍ବର-ଡିସେମ୍ବରରେ ଅନୁଷ୍ଠିତ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ରାଫାଲେ ଜାହାଜ କିଣା ମାମଲାରେ ଦୁର୍ନୀତି ପ୍ରସଙ୍ଗ ଉଠାଇ କଂଗ୍ରେସ ସଭାପତି “ଚୌକିଦାର ଚୋର ହୈ” ର ସ୍ଲୋଗାନ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଭାବରେ ନୁହେଁ ବରଂ ଦେଶର ଚୌକିଦାର ଭାବରେ ଦେଶର ଟଙ୍କାଟିଏ ବି ବାହାରକୁ ଯିବାକୁ ଦେବିନାହିଁ ବୋଲି ଏକଦା ପ୍ରଧାନମନ୍ତ୍ରୀ ଦେଇଥିବା ବକ୍ତବ୍ୟର ଜବାବରେ ରାହୁଲ ଗାନ୍ଧୀ ଏ ସ୍ଲୋଗାନ ଦେଇଥିଲେ ଓ ତାହା ଅନେକାଂଶରେ ଲୋକମତକୁ ପ୍ରଭାବିତ ମଧ୍ୟ କରିଥିଲା।

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ଏହି ପ୍ରଭାବଶାଳୀ ସ୍ଲୋଗାନ ବିରୋଧରେ ଏକ ସ୍ଲୋଗାନ ତିଆରି କରିବା ବିଜେପି ଲାଗି ନିହାତି ଜରୁରୀ ଥିଲା। ଶେଷରେ ଗତକାଲି ବିଜେପି “ମେ ଭି ଚୌକିଦାର’ ଅଭିଯାନ ଆରମ୍ଭ କରିଛି। ଅର୍ଥାତ ଗତଥର ଚା’ ବାଲା ଓ ଏଥର ଚୌକିଦାର। ତେବେ ଗତଥର ଚା’ ବାଲାଟି ଥିଲା ସରଳ ଓ ପ୍ରାୟ ଅପରିଚିତ, ଏଥରର ଚୌକିଦାର କିନ୍ତୁ ବେଶ ପରିଚିତ ଓ ତାଙ୍କର କାର୍ୟକଳାପକୁ ନେଇ ପ୍ରଶ୍ନ ପଚାରିବାର ଯଥେଷ୍ଟ ଅବକାଶ ରହିଛି। କଂଗ୍ରେସର ଛାଟରେ କଂଗ୍ରେସକୁ ମାରିବାର ପୁରୁଣା ତରିକାକୁ ନେଇ ବିଜେପି ଓ ଏହାର ସୋସିଆଲ ମିଡିଆ ସେଲ ବେଶ ଉତ୍ସାହିତ । ହେଲେ କଂଗ୍ରେସ ଏଥର ୨୦୧୪ ପରି ଦୁର୍ବଳ ନୁହଁ। ପ୍ରଧାନମନ୍ତ୍ରୀ ‘ମେ ଭି ଚୌକିଦାର’ ଅଭିଯାନ ଆରମ୍ଭ କଲା କ୍ଷଣି କଂଗ୍ରେସ ତାର ଜବାବରେ ପ୍ରଧାନମନ୍ତ୍ରୀଙ୍କ ସହିତ ଗତ ପାଞ୍ଚ ବର୍ଷ ହେଲା ବିଭିନ୍ନ ବ୍ୟାଙ୍କରୁ ଲୁଟି ନେଇ ଫେରାର ଥିବା ବିଜୟ ମାଲ୍ୟା, ମେହୁଲ ଚୋକସି, ନୀରବ ମୋଦୀ ପ୍ରମୁଖଙ୍କ ଫଟୋ ଯୋଡି ପ୍ରଚାର ଆରମ୍ଭ କରିଛି।

ବିଜେପି ନିଜର ପ୍ରଚାର ଅଭିଯାନରେ ମୋଦୀଙ୍କ ନିଜସ୍ଵ ଟୁଇଟର ହାଣ୍ଡଲରୁ ଲକ୍ଷ ଲକ୍ଷ ଲୋକଙ୍କୁ “ମେ ଭି ଚୌକିଦାର’’ ବାର୍ତ୍ତା ପଠାଇ ଚାଲିଛି। ଚା’ ବାଲା ପରି ଚୌକିଦାରକୁ  ମଧ୍ୟ ଏକ ପ୍ରଭାବଶାଳୀ ରାଜନୈତିକ ବ୍ରାଣ୍ଡ ଭାବରେ ବ୍ୟବହାର କରିବାକୁ ବିଜେପି ଉଦ୍ୟମ ଆରମ୍ଭ କରିଛି। ବିଜେପିର ଉଦ୍ୟମରେ ଦେଶର ପ୍ରମୁଖ ଟିଭି ଚାନେଲ ତାକୁ ପୂର୍ଣ ସମର୍ଥନ କରୁଛନ୍ତି। ହେଲେ ଏ ପ୍ରକାର ଆକ୍ରାମକ ପ୍ରଚାର ଅଭିଯାନକୁ କଂଗ୍ରେସ କେମିତି ମୁକାବିଲା କରୁଛି, ତାରି ଉପରେ ସମସ୍ତଙ୍କ ନଜର ରହିବ।