Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»“ଚୌକିଦାର ଚୋର ହୈ” ବନାମ “ମେ ଭି ଚୌକିଦାର” ; କଂଗ୍ରେସ ଓ ବିଜେପିର ସ୍ଲୋଗାନ ଯୁଦ୍ଧ
ବିଶେଷ ଖବର

“ଚୌକିଦାର ଚୋର ହୈ” ବନାମ “ମେ ଭି ଚୌକିଦାର” ; କଂଗ୍ରେସ ଓ ବିଜେପିର ସ୍ଲୋଗାନ ଯୁଦ୍ଧ

March 17, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଭାରତରେ ନିର୍ବାଚନ ଆଉ ରାଜରାସ୍ତାରେ ଲଢା ଯାଉନାହିଁ। ଏବେ ନିର୍ବାଚନର ରଣାଙ୍ଗନ ହେଉଛି ଟେଲିଭିଜନ ପରଦା ଓ ସୋସିଆଲ ମିଡିଆର କାନ୍ଥ। ରାଲି ଏବଂ ରୋଡ ସୋ ତୁଳନାରେ ଟିଭି ବିତର୍କ ଏବେ ଲୋକମତକୁ ଅଧିକ ପ୍ରଭାବିତ କରୁଛି। ଟିଭି ତୁଳନାରେ ଅଧିକ ପ୍ରଭାବଶାଳୀ ହୋଇ ଉଠୁଛି ସୋସିଆଲ ମିଡିଆ। ଫେସବୁକ, ଟୁଇଟର, ୱ୍ହାଟସାପ ଓ ଅନ୍ୟାନ୍ୟ ଡିଜିଟାଲ ମାଧ୍ୟମରେ ନିର୍ବାଚନ ଯୁଦ୍ଧର ତୀବ୍ରତା ଭୟଙ୍କର ଭାବରେ ଅନୁଭୂତ ହେଉଛି। ଏକଦା ଭାରତୀୟ ଗଣମାଧ୍ୟମ ନିଜର ନିରପେକ୍ଷତାକୁ ନେଇ ଗର୍ବ କରୁଥିଲା। ଆଜି କିନ୍ତୁ ଗଣମାଧ୍ୟମ ନିଜକୁ ବିଭିନ୍ନ ଦଳର ପ୍ରଚାର ମାଧ୍ୟମ ଭାବରେ ନିଲାମ କରି ସାରିଛି। ଏବେ ଟେଲିଭିଜନରେ ଆଉ ନିଷ୍ପକ୍ଷ ବିତର୍କ ଆଉ ସମ୍ଭବପର ନୁହେଁ। ସବୁ ଟିଭି ଚାନେଲ ଏବେ ନିଜ ନିଜର ଶକ୍ତିକୁ କୌଣସି ନା କୌଣସି ଦଳ ପାଇଁ ବିନିଯୋଗ କରିବାର ଠିକା ନେଇ ସାରିଛନ୍ତି। ସେଇ ପୃଷ୍ଠଭୂମିରେ ୨୦୧୯ ନିର୍ବାଚନର ପ୍ରଚାର ପର୍ବକୁ ଆମେ ବିଶ୍ଳେଷଣ କରିବା।

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାର କହୁ କହୁ କହିଦେଲେ ଯେ ଜଣେ ଚା’ ବାଲା ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଅଯୋଗ୍ୟ। ବାସ, ସେହି କଥାରୁ ବିଜେପିକୁ ନିଜର ସବୁଠୁ ସଫଳ ସ୍ଲୋଗାନ ମିଳିଗଲା। ନରେନ୍ଦ୍ର ମୋଦୀ ଜଣେ ସାଧାରଣ ଚା’ ବାଲା ଓ ଗଣତନ୍ତ୍ରରେ ସେ ସବୁଠୁ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପାଇବା ଉଚିତ ବୋଲି ଏକ ଅଭିଯାନ ବିଜେପି ଆରମ୍ଭ କଲା।  “ଚାଏ ପେ ଚର୍ଚ୍ଚା” ଜରିଆରେ ହାଇ ଟେକ ପ୍ରଚାର ସେତେବେଳେ ବିଜେପିକୁ ବେଶ ଲାଭ ଦେଇଥିଲା। ୨୦୧୪ରେ କଂଗ୍ରେସ ନିଜ ଜାଲରେ ନିଜେ ଫସିଗଲା ଓ ତାର ସର୍ବାଧିକ ଲାଭ ନରେନ୍ଦ୍ର ମୋଦୀଙ୍କୁ ମିଳିଲା। ଯଦିଓ ସାଧାରଣ ଭାବରେ ଜଣେ ଚା’ ବାଲାର ଯେଉଁ ମର୍ୟାଦାବୋଧ ବା ବିନମ୍ରତା ମୋଦୀଙ୍କର କେବେ ବି ନଥିଲା କିନ୍ତୁ ଚା’ ବାଲାର ପରିଚୟକୁ ସବୁଠୁ ବଡ ରାଜନୈତିକ ବ୍ରାଣ୍ଡ ଭାବରେ ସେ ବ୍ୟବହାର କରିବାରେ ସଫଳ ହେଲେ।

୨୦୧୯ ବେଳକୁ ସେଦିନର ଚା’ ବାଲା ଆଜିର ଶୁଟ ବୁଟ ପିନ୍ଧା ପ୍ରଧାନମନ୍ତ୍ରୀ। ନରେନ୍ଦ୍ର ମୋଦୀ ବଡ ପୋଷାକ ପ୍ରିୟ ଓ ଫେସନ ସଚେତନ। ଦିନକୁ ଅତିକମରେ ଅଧ ଡଜନ ପୋଷାକ ବଦଳାଉଥିବା ପ୍ରଧାନମନ୍ତ୍ରୀ  ଏବେ ଆଉ ନିଜକୁ ଚା’ ବାଲା ବୋଲି କହିପାରିବେ ନାହିଁ। ତେଣୁ ୨୦୧୯ ନିର୍ବାଚନ ପୂର୍ବରୁ ଗୋଟେ ନୂଆ ବ୍ରାଣ୍ଡ ଓ ନୂଆ ସ୍ଲୋଗାନ ବିଜେପି ଲାଗି ଜରୁରୀ ଥିଲା। ଏଥର ମଧ୍ୟ ବିଜେପି ନିଜ ସ୍ଲୋଗାନ କଂଗ୍ରେସ ସୌଜନ୍ୟରୁ ପାଇଛି। ଗତ ନଭେମ୍ବର-ଡିସେମ୍ବରରେ ଅନୁଷ୍ଠିତ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ରାଫାଲେ ଜାହାଜ କିଣା ମାମଲାରେ ଦୁର୍ନୀତି ପ୍ରସଙ୍ଗ ଉଠାଇ କଂଗ୍ରେସ ସଭାପତି “ଚୌକିଦାର ଚୋର ହୈ” ର ସ୍ଲୋଗାନ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଭାବରେ ନୁହେଁ ବରଂ ଦେଶର ଚୌକିଦାର ଭାବରେ ଦେଶର ଟଙ୍କାଟିଏ ବି ବାହାରକୁ ଯିବାକୁ ଦେବିନାହିଁ ବୋଲି ଏକଦା ପ୍ରଧାନମନ୍ତ୍ରୀ ଦେଇଥିବା ବକ୍ତବ୍ୟର ଜବାବରେ ରାହୁଲ ଗାନ୍ଧୀ ଏ ସ୍ଲୋଗାନ ଦେଇଥିଲେ ଓ ତାହା ଅନେକାଂଶରେ ଲୋକମତକୁ ପ୍ରଭାବିତ ମଧ୍ୟ କରିଥିଲା।

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ଏହି ପ୍ରଭାବଶାଳୀ ସ୍ଲୋଗାନ ବିରୋଧରେ ଏକ ସ୍ଲୋଗାନ ତିଆରି କରିବା ବିଜେପି ଲାଗି ନିହାତି ଜରୁରୀ ଥିଲା। ଶେଷରେ ଗତକାଲି ବିଜେପି “ମେ ଭି ଚୌକିଦାର’ ଅଭିଯାନ ଆରମ୍ଭ କରିଛି। ଅର୍ଥାତ ଗତଥର ଚା’ ବାଲା ଓ ଏଥର ଚୌକିଦାର। ତେବେ ଗତଥର ଚା’ ବାଲାଟି ଥିଲା ସରଳ ଓ ପ୍ରାୟ ଅପରିଚିତ, ଏଥରର ଚୌକିଦାର କିନ୍ତୁ ବେଶ ପରିଚିତ ଓ ତାଙ୍କର କାର୍ୟକଳାପକୁ ନେଇ ପ୍ରଶ୍ନ ପଚାରିବାର ଯଥେଷ୍ଟ ଅବକାଶ ରହିଛି। କଂଗ୍ରେସର ଛାଟରେ କଂଗ୍ରେସକୁ ମାରିବାର ପୁରୁଣା ତରିକାକୁ ନେଇ ବିଜେପି ଓ ଏହାର ସୋସିଆଲ ମିଡିଆ ସେଲ ବେଶ ଉତ୍ସାହିତ । ହେଲେ କଂଗ୍ରେସ ଏଥର ୨୦୧୪ ପରି ଦୁର୍ବଳ ନୁହଁ। ପ୍ରଧାନମନ୍ତ୍ରୀ ‘ମେ ଭି ଚୌକିଦାର’ ଅଭିଯାନ ଆରମ୍ଭ କଲା କ୍ଷଣି କଂଗ୍ରେସ ତାର ଜବାବରେ ପ୍ରଧାନମନ୍ତ୍ରୀଙ୍କ ସହିତ ଗତ ପାଞ୍ଚ ବର୍ଷ ହେଲା ବିଭିନ୍ନ ବ୍ୟାଙ୍କରୁ ଲୁଟି ନେଇ ଫେରାର ଥିବା ବିଜୟ ମାଲ୍ୟା, ମେହୁଲ ଚୋକସି, ନୀରବ ମୋଦୀ ପ୍ରମୁଖଙ୍କ ଫଟୋ ଯୋଡି ପ୍ରଚାର ଆରମ୍ଭ କରିଛି।

ବିଜେପି ନିଜର ପ୍ରଚାର ଅଭିଯାନରେ ମୋଦୀଙ୍କ ନିଜସ୍ଵ ଟୁଇଟର ହାଣ୍ଡଲରୁ ଲକ୍ଷ ଲକ୍ଷ ଲୋକଙ୍କୁ “ମେ ଭି ଚୌକିଦାର’’ ବାର୍ତ୍ତା ପଠାଇ ଚାଲିଛି। ଚା’ ବାଲା ପରି ଚୌକିଦାରକୁ  ମଧ୍ୟ ଏକ ପ୍ରଭାବଶାଳୀ ରାଜନୈତିକ ବ୍ରାଣ୍ଡ ଭାବରେ ବ୍ୟବହାର କରିବାକୁ ବିଜେପି ଉଦ୍ୟମ ଆରମ୍ଭ କରିଛି। ବିଜେପିର ଉଦ୍ୟମରେ ଦେଶର ପ୍ରମୁଖ ଟିଭି ଚାନେଲ ତାକୁ ପୂର୍ଣ ସମର୍ଥନ କରୁଛନ୍ତି। ହେଲେ ଏ ପ୍ରକାର ଆକ୍ରାମକ ପ୍ରଚାର ଅଭିଯାନକୁ କଂଗ୍ରେସ କେମିତି ମୁକାବିଲା କରୁଛି, ତାରି ଉପରେ ସମସ୍ତଙ୍କ ନଜର ରହିବ।

 

BJP chowkidarchorhai Congress mainbhichowkidar
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କଲେ ନେତାନ୍ୟାହୁ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 6, 2026

ଆଞ୍ଚଳିକ ଦଳଗୁଡ଼ିକର ଚାନ୍ଦାରେ ଉଲ୍ଲେଖନୀୟ ବୃଦ୍ଧି: ସର୍ବାଧିକ ଡିଏମକେ, ଜାଣନ୍ତୁ ବିଜେଡ଼ି କୁ କେତେ?

August 6, 2026

“ଯଦି ଭାରତ ଏକ ହିନ୍ଦୁ ରାଷ୍ଟ୍ର ହୋଇଯାଏ…”: କାହାକୁ ଚେତାବନୀ ଦେଲେ ସିଦ୍ଧରମୈୟାଙ୍କ ପୁଅ?

August 6, 2026

‘ବାଂଲାଦେଶ ଏବେ ଦ୍ଵିତୀୟ ପାକିସ୍ତାନ’: ଜାଣନ୍ତୁ ଭାରତ ବିଷୟରେ କ’ଣ କହିଲେ ଶେଖ ହସିନାଙ୍କ ପୁଅ?

August 6, 2026
Latest News

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026

ଘର ପ୍ରତିଷ୍ଠା ଭୋଜି ପଡ଼ିଲା ମହଙ୍ଗା, ଝାଡ଼ାବାନ୍ତିରେ ୧୦୦ରୁ ଅଧିକ ଆକ୍ରାନ୍ତ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.