Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

‘ଡିଜେଲ କାର ଉତ୍ପାଦନ ବନ୍ଦ କରନ୍ତୁ କମ୍ପାନୀ’: କାହିଁକି ଏମତି ନିବେଦନ କଲେ ନିତିନ ଗଡକରୀ?

ନୂଆଦିଲ୍ଲୀ: ସିଆଇଆଇ ର ଏକ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଡିଜେଲ ବିଷୟରେ ଏକ ବଡ଼ କଥା କହିଛନ୍ତି। ଶୀଘ୍ର ଡିଜେଲକୁ ବିଦାୟ କହିବା ପାଇଁ ଶ୍ରୀ ଗଡକରୀ ପରାମର୍ଶ ଦେଇଛନ୍ତି। କେବଳ ଏତିକି ନୁହେଁ ଡିଜେଲ ଯାନ ଉତ୍ପାଦନ ବନ୍ଦ କରିବାକୁ ମନ୍ତ୍ରୀ କାର ଉତ୍ପାଦନକାରୀ କମ୍ପାନୀମାନଙ୍କୁ ମଧ୍ୟ ନିବେଦନ କରିଛନ୍ତି।

ନିତିନ ଗଡକରୀ କହିଛନ୍ତି ଯେ, ଯଦି ଡିଜେଲ ଯାନ ଉତ୍ପାଦନ ଶୀଘ୍ର ବନ୍ଦ ନହୁଏ, ତେବେ ସେମାନେ ଏହି ଯାନ ଉପରେ ଏତେ ଟିକସ ଲାଗୁ କରିବେ ଯେ ଏହାକୁ ବିକ୍ରୟ କରିବା କଷ୍ଟକର ହୋଇଯିବ। ନିତିନ ଗଡକରୀଙ୍କ ଅନୁଯାୟୀ, ଆମକୁ ଶୀଘ୍ର ପେଟ୍ରୋଲ ଏବଂ ଡିଜେଲ ଛାଡି ପ୍ରଦୂଷଣମୁକ୍ତ ହେବା ପାଇଁ ଏକ ନୂତନ ରାସ୍ତାରେ ଯିବାକୁ ପଡିବ।

ଇନ୍ଧନରୁ ହେଉଥିବା ପ୍ରଦୂଷଣ ଏବଂ ଏହାର ଆମଦାନୀ ହ୍ରାସ କରିବାକୁ ଗଡକରୀ ନିରନ୍ତର ଉଦ୍ୟମ କରୁଛନ୍ତି। ଗଡକରୀ ଏହା ମଧ୍ୟ କହିଛନ୍ତି ଯେ, ମୁଁ ଅର୍ଥମନ୍ତ୍ରୀଙ୍କ ଠାରୁ ଡିଜେଲ ଯାନ ଉପରେ ୧୦ ପ୍ରତିଶତ ଅତିରିକ୍ତ ଜିଏସ୍ଟି ଦାବି କରିବି।

ଏହାପୂର୍ବରୁ ନିତିନ ଗଡକରୀ ତାଙ୍କ କାର ବିଷୟରେ କହିଥଲେ ଯେ, ମୋ କାର ଇଥାନଲରେ ଚାଲିଥାଏ। ଯଦି ଆପଣ ଏହି କାରକୁ ପେଟ୍ରୋଲ ସହିତ ତୁଳନା କରନ୍ତି, ତେବେ ଏହାର କିଲୋମିଟର ପିଛା ୨୫ ଟଙ୍କା ଥିବାବେଳେ ଇଥାନଲ ସହିତ ଏହାର ମୂଲ୍ୟ ମଧ୍ୟ କମ୍ ଅଟେ। ଗୋଟିଏ ଲିଟର ଇଥାନଲ ମୂଲ୍ୟ ୬୦ ଟଙ୍କା ଥିବାବେଳେ ପେଟ୍ରୋଲ ଦର ୧୨୦ ଟଙ୍କାରୁ ଅଧିକ ଅଟେ।

ନିତିନ ଗଡକରୀ ଏହା ମଧ୍ୟ କହିଛନ୍ତି ଯେ, ମୁଁ ଚାହୁଁଛି ଯେ ପେଟ୍ରୋଲ ଏବଂ ଡିଜେଲରେ ଚାଲୁଥିବା ଯାନଗୁଡିକ ଆସନ୍ତା ୧୦ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଉ। ଗଡକରୀ ଏହି ପେଟ୍ରୋଲ ଏବଂ ଡିଜେଲ ଚାଲୁଥିବା ଯାନ ବଦଳରେ ବଜାରରେ ବୈଦ୍ୟୁତିକ ଯାନ ପ୍ରବର୍ତ୍ତନ ବିଷୟରେ କହିଥିଲେ।

ନିତିନ ଗଡକରୀ କହିଛନ୍ତି ଯେ, ଆଜିର ସମୟରେ ବୈଦ୍ୟୁତିକ ସ୍କୁଟର, କାର ଏବଂ ବସ୍ ଏକ ଉତ୍ତମ ବିକଳ୍ପ ଭାବରେ ଉଭା ହୋଇଛି। ଯଦି ଆପଣ ଡିଜେଲ ପାଇଁ ୧୦୦ ଟଙ୍କା ଖର୍ଚ୍ଚ କରନ୍ତି, ତେବେ ବିଦ୍ୟୁତ୍ ପାଇଁ ମାତ୍ର ୪ ଟଙ୍କା ଲାଗିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ସିଆଇଆଇ ପକ୍ଷରୁ ସିଏସ୍‌ଆର୍ ସମ୍ମିଳନୀ, କର୍ପୋରେଟ୍ ଜଗତକୁ ସରକାରଙ୍କ ଆହ୍ୱାନ

ଭୁବନେଶ୍ୱର: ଏକତ୍ର ହୋଇ ସାମାଜିକ କଲ୍ୟାଣମୂଳକ କ୍ଷେତ୍ରରେ କାମ କରିବା ଲାଗି ଆଗେଇ ଆସିବାକୁ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା କହିଛନ୍ତି ।

ମାତୃତ୍ୱ ସ୍ୱାସ୍ଥ୍ୟ ଏବଂ କିଶୋର ସ୍ୱାସ୍ଥ୍ୟ ଉପରେ ସିଆଇଆଇ ଓଡ଼ିଶା ଚାପ୍ଟର ପକ୍ଷରୁ ଆୟୋଜନ କରାଯାଇଥିବା ସିଏସ୍‌ଆର୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯଦି କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଉଭୟ ସରକାର ଓ କର୍ପୋରେଟ୍ ଜଗତ ମିଳିତ ଭାବେ କାମ କରିବେ ତେବେ ସମ୍ବଳ ପାରଦର୍ଶୀ ଢଙ୍ଗରେ ଖର୍ଚ୍ଚ ହୋଇପାରିବ ଏବଂ କୌଣସି କାର୍ଯ୍ୟକୁ ଏକାଧିକ ଥର କରିବାକୁ ପଡ଼ିବ ନାହିଁ ।

ସିଏସ୍‌ଆର୍ କାର୍ଯ୍ୟ କରିବା ଲାଗି ନାଗରିକ ସମାଜ ସଂଗଠନଗୁଡ଼ିକୁ ସାମିଲ କରିବା ବେଳେ ଅଧିକ ସଚେତନ ରହିବା ଲାଗି ସେ କଂପାନିଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଅନେକ ସମୟରେ ଏହି ସଂସ୍ଥାଗୁଡ଼ିକ କେବଳ ବୈଠକ ଆୟୋଜନ, ଦକ୍ଷତା ଗଠନ ଏବଂ ପ୍ରଶିକ୍ଷଣ ଭିତରେ ସେମାନଙ୍କ କାର୍ଯ୍ୟକୁ ସୀମିତ ରଖୁଛନ୍ତି ।

ସେଥିରୁ କୌଣସି ଆଖିଦୃଶିଆ ଲାଭ ମିଳୁନି । ମାତ୍ର ୩୦% ମାମଲାରେ ଯାହା କିଛି ଲାଭ ମିଳୁଛି । ବୁଝାମଣା ସ୍ୱାକ୍ଷର କରିବା ବେଳେ ବାସ୍ତବ ପରିବର୍ତନ ଆଣିବା ବିଷୟରେ ସେଭଳି ସଂସ୍ଥାଗୁଡ଼ିକୁ କହିବା ପାଇଁ ସେ କଂପାନିଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ।

ଏହି ଅବସରରେ ସିଆଇଆଇ ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ଶ୍ରୀଧର ପାତ୍ର କହିଛନ୍ତି ଯେ ମୋ ପାଇଁ ସିଏସ୍‌ଆର୍‌ର ଅର୍ଥ ହେଉଛି ଆଗେଇ ଆସ, ଦେଖ ଏବଂ ଲୋକମାନଙ୍କ ଜୀବନ ବଦଳାଅ । ପ୍ରତି ବ୍ୟବସାୟ ସମାଜର ସମ୍ବଳକୁ ବ୍ୟବହାର କରୁଛନ୍ତି । ତେଣୁ ସମାଜର କଲ୍ୟାଣ ପାଇଁ କାମ କରିବା ଲାଗି ସବୁ ବ୍ୟବସାୟ ଲକ୍ଷ୍ୟ ରଖିବା ଉଚିତ । ସେଥିପାଇଁ ସିଏସ୍‌ଆର୍‌କୁ ଏକ ଆଇନରେ ପରିଣତ କରାଯାଇଛି ।

ଏହାର ପଛର ଉଦ୍ଦେଶ୍ୟ ହେଉଛି ସମାଜ ଲାଗି କାମ କରିବା ପାଇଁ କଂପାନିଗୁଡ଼ିକୁ ଆଗେଇ ଆସିବାକୁ ଉତ୍ସାହିତ କରିବା । ରାଜସ୍ୱ କିମ୍ବା ଟିକସ ସଂଗ୍ରହ ଏହାର ଲକ୍ଷ୍ୟ ନୁହେଁ । ଆଗାମୀ ଦିନରେ ଦେଖାଦେବାକୁ ଥିବା ସଙ୍କଟ ବେଳେ କିଭଳି ସହାୟକ ହୋଇପାରିବେ ତାହା ଭାବି ନିଜର ସିଏସ୍‌ଆର୍ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ସେ କର୍ପୋରେଟ୍ ଜଗତକୁ କହିଛନ୍ତି । ଲୋକମାନଙ୍କ ପାଖରେ ପହଂଚି ସେମାନଙ୍କ ଜୀବନରେ ପରିବର୍ତନ ଆଣିବାକୁ ସେ ପରାମର୍ଶ ଦେଇଛନ୍ତି ।

ଓଡ଼ିଶା କୋଠା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ, ଶ୍ରୀମୟୀ ମିଶ୍ର କହିଛନ୍ତି ଯେ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟ ବିଷୟରେ ପିଲାମାନଙ୍କୁ ପିତାମାତାମାନେ ବୁଝାଇବା ଦରକାର । ଛାତ୍ରଛାତ୍ରୀ ଏବଂ ଯୁବପିଢ଼ି ଏବିଷୟରେ ସଚେତନ ହେବା ଉଚିତ । ଏହା ହେଲେ ସେମାନଙ୍କୁ ଯେତେବେଳେ ଦାୟିତ୍ୱ ଦିଆଯିବ ତାହାକୁ ସେମାନେ ସୁୁଚାରୁ ରୂପେ ସମ୍ପାଦନ କରିପାରିବେ ।

ସିଆଇଆଇ ଓଡ଼ିଶା ଚାପ୍ଟରର ସିଏସ୍‌ଆର୍ ପ୍ୟାନେଲ୍ ସଂଯୋଜକ, ପ୍ରଶାନ୍ତ ହୋତା କହିଛନ୍ତି ଯେ କୌଟିଲ୍ୟଙ୍କ ଲିଖିତ ଅର୍ଥଶାସ୍ତ୍ରରେ ଏକ ବ୍ୟବସାୟ କିଭଳି ପରିଚାଳିତ ହେବା ଦରକାର ତାହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ଲୋକମାନଙ୍କ ବନ୍ଧୁ ହୋଇ ବ୍ୟବସାୟ ଆଗକୁ ଚାଲିବା ଦରକାର ବୋଲି କୌଟିଲ୍ୟ ଲେଖିଛନ୍ତି । ତେଣୁ ଲାଭ କରୁଥିବା ସଂସ୍ଥାଗୁଡ଼ିକ ଲୋକମାନଙ୍କ ଦୁଃଖ ଦୁଦ୍ଦର୍ଶା ଏବଂ ସଙ୍କଟ ସମୟରେ ଠିଆ ହେବା ଉଚିତ ।

ଏହି ଅବସରରେ ଦୁଇଟି ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯାଇଥିଲା । ପ୍ରଜନନ ଏବଂ ମାତୃତ୍ୱ ସ୍ୱାସ୍ଥ୍ୟ ଓ ଅଧିକାର ସମ୍ପର୍କିତ ପ୍ଲେନାରି ଅଧିବେଶନରେ ହାଇଟେକ୍ ମେଡିକାଲ୍‌ର ଡାକ୍ତର ଡାକ୍ତର ସୌମ୍ୟା ଦାଶ, କିଟ୍ ଇଟଂରନ୍ୟାସନାଲ୍ ସ୍କୁଲ୍‌ର ଅଧ୍ୟକ୍ଷା, ଡକ୍ଟର ମୋନାଲିସା ବଳ, ସେଂଟର ଫର କାଟାଲାଇଜିଂ ଚେଂଜ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକ, ଡକ୍ଟର ଅପରାଜିତା ଗୋଗୋଇ, ଇଣ୍ଡିଆ ଅଏଲ୍‌ର ଡିଜିଏମ୍‌-ସିଏସ୍‌ଆର୍ ପି କେ ପଣ୍ଡା, ଏନ୍‌ଟିପିସି-ତାଳଚେରର ଓଆଣ୍ଡ୍‌ଜି ସ୍ପେସିଆଲିଷ୍ଟ୍ ଡକ୍ଟର ପୁଷ୍ପାଞ୍ଜଳି ନାୟକ ଓ ଜିନ୍ଦଲ ପାୱାର ଲିମିଟେଡ୍‌ର ଜିଏମ୍‌-ସିଏସ୍‌ଆର୍ ଋଷିକେଶ ଶର୍ମା ଯୋଗ ଦେଇଥିଲେ ।

ସେହିପରି, କିଶୋର ଓ ଯୁବକଯବତୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ଲେନାରି ଅଧିବେଶନରେ ସିଆଇଆଇ ଓଡ଼ିଶା ସିଏସ୍‌ଆର୍ ପ୍ୟାନେଲ୍‌ର ସହ ସଂଯୋଜକ ପ୍ରଶାନ୍ତ କୁମାର ବିଶ୍ୱାଳ, ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ପୂର୍ବତନ ଅଧ୍ୟକ୍ଷ ଜେ ବି ପାଣି, କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ସସ୍ମିତା ସାମନ୍ତ, ସ୍ୱାସ୍ଥ୍ୟ ଲ୍ୟାବ୍‌ସର ଏମ୍‌ଡି ଡକ୍ଟର ପ୍ରସ୍ମିତା ତେଜସ୍ୱିନୀ, ସେଂଟର ଫର କାଟାଲାଇଜିଂ ଚେଂଜ୍‌ର ଲିଡ୍ ବନ୍ଦନା ନାୟାର, ଆମ୍ରି ହସ୍ପିଟାଲ୍‌ସର ବରିଷ୍ଠ କନସଲଟାଂଟ୍ ଡକ୍ଟର ଜାନକୀ ବଲ୍ଲଭ ପ୍ରଧାନ ଏବଂ ଅଜିମ ପ୍ରେମଜୀ ଫାଉଣ୍ଡେସନର ପ୍ରୋଗ୍ରାମ୍ ଟିମ୍ ଅର୍ଚନା ରେଲାନ ଉପସ୍ଥିତ ଥିଲେ।

Categories
PIB_NEWS ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବର୍ତ୍ତମାନ ଭାରତ ନିର୍ମିତ ଜିନିଷ ପ୍ରତି ଦେଶବାସୀଙ୍କ ବିଶ୍ୱାସ ବୃଦ୍ଧି ପାଇଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ ବୈଠକ ୨୦୨୧ରେ ଉଦବୋଧନ ଦେଇଛନ୍ତି। ଏହି ବୈଠକରେ ଉଦ୍ୟୋଗ ଜଗତର ଶୀର୍ଷ ନେତୃବୃନ୍ଦ ଅଂଶଗ୍ରହଣ କରି ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆଣିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ।

ବୈଠକର ବିଷୟବସ୍ତୁ India@75: Government and Business working together for AatmaNirbhar Bharat’ (ଇଣ୍ଡିଆ@ ୭୫ : ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ସରକାର ଏବଂ ବ୍ୟବସାୟ ଜଗତ ମିଳିତ ଭାବେ କାର୍ଯ୍ୟରତ) ଉପରେ ଆଲୋଚନା କରି ସେମାନେ ଭିତ୍ତିଭୂମି ଜନିତ ଆହ୍ୱାନର ମୁକାବିଲା କରିବା, ଉତ୍ପାଦନ କ୍ଷମତା ବୃଦ୍ଧି କରିବା, ଆର୍ଥିକ କ୍ଷେତ୍ରକୁ ଆହୁରି ସକ୍ରିୟ କରିବା, ପ୍ରଯୁକ୍ତି କ୍ଷେତ୍ରରେ ନେତୃତ୍ୱ ହାସଲ କରିବା ଲାଗି ଭାରତର ବୈଷୟିକ ସାମର୍ଥ୍ୟକୁ ଆହୁରି ବୃଦ୍ଧି କରିବା ସମେତ ବିଭିନ୍ନ ବିଷୟରେ ମତାମତ ଓ ପରାମର୍ଶ ଦେଇଥିଲେ।

ସମାବେଶରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସିଆଇଆଇର ଏହି ବୈଠକ ସ୍ୱାଧୀନତାର ୭୫ତମ ଦିବସ ଅବ୍ୟବହିତ ପୂର୍ବରୁ ଆୟୋଜିତ ହେଉଥିବା ଆଜାଦୀ କା ଅମ୍ରିତ ମହୋତ୍ସବ ସମୟରେ ଅନୁଷ୍ଠିତ ହେଉଛି। ସେ କହିଥିଲେ ଯେ ଭାରତୀୟ ଉଦ୍ୟୋଗ ଜଗତ ପାଇଁ ନୂତନ ସଂକଳ୍ପ ଓ ନୂତନ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ନିମନ୍ତେ ଏହାକ ଏକ ସୁବର୍ଣ୍ଣ ସୁଯୋଗ। ସେ ଆହୁରି କହିଥିଲେ ଯେ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ଭାରତୀୟ ଉଦ୍ୟୋଗ ଜଗତର ଏକ ପ୍ରମୁଖ ଭୂମିକା ରହିଛି। ମହାମାରୀ ସମୟରେ ଉଦ୍ୟୋଗ ଜଗତର ସହନଶୀଳତା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଏକ ସମୟ ଥିଲା ଯେତେବେଳେ ଯାହାକିଛି ବିଦେଶୀ, ତାହା ଉନ୍ନତ ବୋଲି ବିବେଚନା କରାଯାଉଥିଲା। ଏହି ମାନସିକତାର ପରିଣାମ କ’ଣ ହେଲା, ତାହା ଆପଣଙ୍କ ଭଳି ଉଦ୍ୟୋଗ ଜଗତର ବିଶିଷ୍ଟ ବ୍ୟକ୍ତିମାନେ ଭଲ ଭାବେ ଜାଣନ୍ତି। ସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ଆମର ନିଜ ବ୍ରାଣ୍ଡ ମଧ୍ୟ, ଯାହାକୁ ଆମେ ଅନେକ ପରିଶ୍ରମ କରି ଛିଡ଼ା କରିଥିଲୁ, ସେଗୁଡ଼ିକୁ ବିଦେଶୀ ନାମରେ ହିଁ ପ୍ରଚାରିତ କରାଯାଉଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସ୍ଥିତି ଦ୍ରୁତ ଗତିରେ ବଦଳୁଛି। ଆଜି ଦେଶବାସୀଙ୍କ ଭାବନା ଭାରତରେ ନିର୍ମିତ ଉତ୍ପାଦ ସହିତ ରହିଛି। ସେ କହିଥିଲେ ଯେ କମ୍ପାନୀ ଭାରତୀୟ ହେବା ଜରୁରି ନୁହେଁ, କିନ୍ତୁ ଆଜି ପ୍ରତ୍ୟେକ ଭାରତୀୟ, ଭାରତରେ ନିର୍ମିତ ଉତ୍ପାଦକୁ ହିଁ ଆପଣାଇବାକୁ ଚାହୁଁଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଦେଶରେ ଏପରି ଏକ ସରକାର ଅଛି ଯାହା ରାଷ୍ଟ୍ର ହିତରେ ସବୁଠୁ ବଡ଼ ରିସ୍କ ନେବାକୁ ମଧ୍ୟ ପ୍ରସ୍ତୁତ। ସେ ଏଥିପ୍ରତି ଜୋର ଦେଇ କହିଥିଲେ ଯେ ଜିଏସଟି ଏତେ ବର୍ଷ ଧରି ଅଟକି ରହିଥିଲା କାରଣ ପୂର୍ବର ସରକାର ରାଜନୈତିକ ରିସ୍କ ନେବାର ସାହସ ଜୁଟାଇ ପାରୁନଥିଲା। ସେ କହିଥିଲେ ଯେ ଆମେ କେବଳ ଜିଏସଟି ଲାଗୁ କରିନାହୁଁ ବରଂ ଆଜି ଆମେ ରେକର୍ଡ ପରିମାଣର ଜିଏସଟି ସଂଗ୍ରହ ମଧ୍ୟ ସମସ୍ତେ ଦେଖିପାରୁଛନ୍ତି।