ବର୍ତ୍ତମାନ ଭାରତ ନିର୍ମିତ ଜିନିଷ ପ୍ରତି ଦେଶବାସୀଙ୍କ ବିଶ୍ୱାସ ବୃଦ୍ଧି ପାଇଛି : ପ୍ରଧାନମନ୍ତ୍ରୀ

Published: Aug 11, 2021, 11:52 pm IST

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ ବୈଠକ ୨୦୨୧ରେ ଉଦବୋଧନ ଦେଇଛନ୍ତି। ଏହି ବୈଠକରେ ଉଦ୍ୟୋଗ ଜଗତର ଶୀର୍ଷ ନେତୃବୃନ୍ଦ ଅଂଶଗ୍ରହଣ କରି ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆଣିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ।

ବୈଠକର ବିଷୟବସ୍ତୁ India@75: Government and Business working together for AatmaNirbhar Bharat’ (ଇଣ୍ଡିଆ@ ୭୫ : ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ସରକାର ଏବଂ ବ୍ୟବସାୟ ଜଗତ ମିଳିତ ଭାବେ କାର୍ଯ୍ୟରତ) ଉପରେ ଆଲୋଚନା କରି ସେମାନେ ଭିତ୍ତିଭୂମି ଜନିତ ଆହ୍ୱାନର ମୁକାବିଲା କରିବା, ଉତ୍ପାଦନ କ୍ଷମତା ବୃଦ୍ଧି କରିବା, ଆର୍ଥିକ କ୍ଷେତ୍ରକୁ ଆହୁରି ସକ୍ରିୟ କରିବା, ପ୍ରଯୁକ୍ତି କ୍ଷେତ୍ରରେ ନେତୃତ୍ୱ ହାସଲ କରିବା ଲାଗି ଭାରତର ବୈଷୟିକ ସାମର୍ଥ୍ୟକୁ ଆହୁରି ବୃଦ୍ଧି କରିବା ସମେତ ବିଭିନ୍ନ ବିଷୟରେ ମତାମତ ଓ ପରାମର୍ଶ ଦେଇଥିଲେ।

ସମାବେଶରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସିଆଇଆଇର ଏହି ବୈଠକ ସ୍ୱାଧୀନତାର ୭୫ତମ ଦିବସ ଅବ୍ୟବହିତ ପୂର୍ବରୁ ଆୟୋଜିତ ହେଉଥିବା ଆଜାଦୀ କା ଅମ୍ରିତ ମହୋତ୍ସବ ସମୟରେ ଅନୁଷ୍ଠିତ ହେଉଛି। ସେ କହିଥିଲେ ଯେ ଭାରତୀୟ ଉଦ୍ୟୋଗ ଜଗତ ପାଇଁ ନୂତନ ସଂକଳ୍ପ ଓ ନୂତନ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ନିମନ୍ତେ ଏହାକ ଏକ ସୁବର୍ଣ୍ଣ ସୁଯୋଗ। ସେ ଆହୁରି କହିଥିଲେ ଯେ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ଭାରତୀୟ ଉଦ୍ୟୋଗ ଜଗତର ଏକ ପ୍ରମୁଖ ଭୂମିକା ରହିଛି। ମହାମାରୀ ସମୟରେ ଉଦ୍ୟୋଗ ଜଗତର ସହନଶୀଳତା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଏକ ସମୟ ଥିଲା ଯେତେବେଳେ ଯାହାକିଛି ବିଦେଶୀ, ତାହା ଉନ୍ନତ ବୋଲି ବିବେଚନା କରାଯାଉଥିଲା। ଏହି ମାନସିକତାର ପରିଣାମ କ’ଣ ହେଲା, ତାହା ଆପଣଙ୍କ ଭଳି ଉଦ୍ୟୋଗ ଜଗତର ବିଶିଷ୍ଟ ବ୍ୟକ୍ତିମାନେ ଭଲ ଭାବେ ଜାଣନ୍ତି। ସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ଆମର ନିଜ ବ୍ରାଣ୍ଡ ମଧ୍ୟ, ଯାହାକୁ ଆମେ ଅନେକ ପରିଶ୍ରମ କରି ଛିଡ଼ା କରିଥିଲୁ, ସେଗୁଡ଼ିକୁ ବିଦେଶୀ ନାମରେ ହିଁ ପ୍ରଚାରିତ କରାଯାଉଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସ୍ଥିତି ଦ୍ରୁତ ଗତିରେ ବଦଳୁଛି। ଆଜି ଦେଶବାସୀଙ୍କ ଭାବନା ଭାରତରେ ନିର୍ମିତ ଉତ୍ପାଦ ସହିତ ରହିଛି। ସେ କହିଥିଲେ ଯେ କମ୍ପାନୀ ଭାରତୀୟ ହେବା ଜରୁରି ନୁହେଁ, କିନ୍ତୁ ଆଜି ପ୍ରତ୍ୟେକ ଭାରତୀୟ, ଭାରତରେ ନିର୍ମିତ ଉତ୍ପାଦକୁ ହିଁ ଆପଣାଇବାକୁ ଚାହୁଁଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଦେଶରେ ଏପରି ଏକ ସରକାର ଅଛି ଯାହା ରାଷ୍ଟ୍ର ହିତରେ ସବୁଠୁ ବଡ଼ ରିସ୍କ ନେବାକୁ ମଧ୍ୟ ପ୍ରସ୍ତୁତ। ସେ ଏଥିପ୍ରତି ଜୋର ଦେଇ କହିଥିଲେ ଯେ ଜିଏସଟି ଏତେ ବର୍ଷ ଧରି ଅଟକି ରହିଥିଲା କାରଣ ପୂର୍ବର ସରକାର ରାଜନୈତିକ ରିସ୍କ ନେବାର ସାହସ ଜୁଟାଇ ପାରୁନଥିଲା। ସେ କହିଥିଲେ ଯେ ଆମେ କେବଳ ଜିଏସଟି ଲାଗୁ କରିନାହୁଁ ବରଂ ଆଜି ଆମେ ରେକର୍ଡ ପରିମାଣର ଜିଏସଟି ସଂଗ୍ରହ ମଧ୍ୟ ସମସ୍ତେ ଦେଖିପାରୁଛନ୍ତି।

Related posts