ଭୁବନେଶ୍ବର: ଆଜି ଶୁଭ ଦିନରେ ନୂଆ ସରକାରୀ ବାସଭବନକୁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ବାସଭବନଟି ରହିଛି ରାଜଭବନ ସମ୍ମୁଖ ଦେଇ ଯାଇଥିବା ରାସ୍ତାର ବାମ ପାର୍ଶ୍ବରେ ଥିବା ଏକ ସରକାରୀ କ୍ବାଟର। ଏହା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପାଖରେ ଅବସ୍ଥିତ। ପୂର୍ବରୁ ମୁଖ୍ୟମନ୍ତ୍ରୀ ପିଏମଜି ପାଖରେ ଥିବା ଏକ କ୍ବାଟରରେ ରହୁଥିଲେ।
ବର୍ତ୍ତମାନ ଏହି କ୍ବାଟରକୁ ବେଶ ଭଲଭାବରେ ନିର୍ମାଣ କରାଯାଇ ସଜାଇ ଦିଆଯାଇଛି। ପୁରୀରୁ ଏଗାର ଜଣ ପଣ୍ଡିତ ଆସି ପ୍ରଥମେ ପୂଜାପାଠ କରିଥିଲେ। ଏହାପରେ ଘରେ ପ୍ରଥମେ ଦୁଇଟି ଗାଈକୁ ପୂଜା କରାଯାଇ ପ୍ରବେଶ କରାଯାଇଥିଲା। ଏହି ଦୁଇଟି ଗାଈର ନାମ ହେଉଛି ନନ୍ଦା ଓ ନନ୍ଦିନୀ। ଏହାପରେ ମୋହନ ମାଝୀ ସସ୍ତ୍ରୀକ ସେହି ଗୃହରେ ପ୍ରବେଶ କରିଥିଲେ। ତେବେ ଗୃହରେ ପ୍ରଥମେ ଗୋମାତା ପ୍ରବେଶ କଲେ ଶୁଭ ହୋଇଥାଏ ବୋଲି ବିଶ୍ବାସ ରହିଛି।
ତେବେ ଏହି ଘରଟି ବହୁଦିନ ଧରି ବ୍ୟବହାର କରାଯାଇ ନ ଥିଲା। ଏହି ବାସଭବନଟି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭାବେ ପରିଚିତ। ପୂର୍ବରୁ ଏହି ଘରେ ଜାନକୀ ବଲ୍ଲଭ ପଟ୍ଟନାୟକ ରହୁଥିଲେ। ଏହାପରେ ଶେଷ ଥର ପାଇଁ ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ବେଳେ ରହିଥିଲେ। ହେଲେ ଗିରିଧରଙ୍କ ପରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲେ। ତାଙ୍କର ନିଜର ବାସଭବନ ଥିବାରୁ ସେ ଏହାକୁ ବ୍ୟବହାର କଲେ ନାହିଁ।
ଫଳରେ ଏହି ଘରଟି ବହୁଦିନ ଧରି ଅବ୍ୟବହୃତ ହୋଇ ପଡିରହିଥିଲା। ଘରର ଅବସ୍ଥା ମଧ୍ୟ ଭଲ ନ ଥିଲା। ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି ଘରଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରହିବାକୁ ପସନ୍ଦ କଲେ। ପ୍ରଥମେ ରାଜ୍ୟ ସରକାର ତାଙ୍କୁ ଗାନ୍ଧି ମାର୍ଗରେ ଥିବା ଏକ କ୍ବାଟରକୁ ରହିବା ପାଇଁ ଦେଇଥିଲେ। ହେଲେ ସେଠାରେ ସବୁବେଳେ ଆନ୍ଦୋଳନ ଓ ଘେରାଉ ହେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ବିପଦ ସୃଷ୍ଟି କଲା। ଫଳରେ ସେଠାରୁ ତାଙ୍କର ବାସଭବନ ପରିବର୍ତ୍ତନ କରାଯାଇ ରାଜଭବନ ସମ୍ମୁଖକୁ ଅଣାଗଲା।