Categories
ବିଶେଷ ଖବର

କୋଚିଂ ସେଣ୍ଟର ଉପରେ କରୋନା ମାଡ଼

ଲିଙ୍ଗରାଜ ମିଶ୍ର

ମନ୍ଦିର ମାଳିନୀ ଭୁବନେଶ୍ବର । କିଛି ବର୍ଷ ହେଲା ଏହା ଦେଶର ଅନ୍ୟତମ ଏଡୁକେସନାଲ ହବ୍ ବା ଶିକ୍ଷା ନଗରୀ ଭାବେ ସୃଷ୍ଟି କରି ପାରିଛି ତାର ନୂଆ  ପରିଚୟ। ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶେଷ ଆଗ୍ରହ ଯୋଗୁଁ ଆଇଆଇଟି, ଟ୍ରିପଲ ଆଇଟି, ଏମସ ଆଦି ସର୍ବଭାରତୀୟ ସଂସ୍ଥା ପ୍ରତିଷ୍ଠା ହୋଇଛି । ଏସବୁ ସଂସ୍ଥାର ଖ୍ୟାତି ମଧ୍ୟ ଜାତୀୟସ୍ତରରେ ଦିନକୁ ଦିନ ବଢିବାରେ ଲାଗିଛି । ଏଥିସହିତ ବୈଷୟିକ ଶିକ୍ଷା କ୍ଷେତ୍ରରେ ଘରୋଇ ଉଦ୍ୟମରେ ପରିଚାଳିତ ଦୁଇ ଦୁଇଟି ୟୁନିଭର୍ସିଟିର ସୁନାମ ମଧ୍ୟ ରହିଛି । ରାଜସ୍ଥାନର କୋଟା ଭଳି ଭୁବନେଶ୍ବର ମଧ୍ୟ ମେଡିକାଲ ଓ ଇଂଜିନିୟରିଂ କୋଚିଂ ପ୍ରଦାନରେ ପୂର୍ବ ଭାରତର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି । ଉଚ୍ଚଶିକ୍ଷା ଓ ଉନ୍ନତ ମାନର କୋଚିଂ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଶହ ଶହ ଛାତ୍ରଛାତ୍ରୀ ଭୁବନେଶ୍ବର ଉପରେ ନିର୍ଭର କରିଥାନ୍ତି । ଚାହିଦାକୁ ଦେଖି ଏଠାରେ ଗତ କିଛି ବର୍ଷ ମଧ୍ୟରେ ଆଗଧାଡିର ଅନେକ ଜାତୀୟ ସ୍ତରୀୟ କେନ୍ଦ୍ର ସମେତ ଛୋଟବଡ଼ ଲୋକାଲ କୋଚିଂ ସେଣ୍ଚର ରହି ଆସିଛି ।  ଯାହାକି ପିଲାଙ୍କୁ ଉନ୍ନତ ମାନର ପାଠପଢ଼ା ଯୋଗାଇ ଦେବା ସହ ଅନେକଙ୍କୁ ନିଯୁକ୍ତି ଓ କାମଧନ୍ଦାର ସୁଯୋଗ ଦେଇ ଆସିଛି । ହେଲେ ଏବେ କରୋନା ମାଡ଼ରେ ସବୁ କିଛି ଓଲଟପାଲଟ ହୋଇ ଯାଇଛି । କରୋନା ସଂକଟ ପରେ କୋଚିଂ ସେଣ୍ଚରଗୁଡ଼ିକ ଉପରେ ଲାଗିଛି କଟକଣା ।  ଅଗଷ୍ଟ 31 ଯାଏଁ କୋଚିଂ ସେଣ୍ଟର ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦେଶନାମା ଜାରି କରିଛନ୍ତି । ଅନେକ ସଂସ୍ଥା ଅନ ଲାଇନ ଶିକ୍ଷା ବ୍ୟବସ୍ଥା ଆରମ୍ଭ କରିଥିଲେ ସୁଦ୍ଧା ଏହା ଅଳ୍ପ କିଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୀମିତ ରହୁଛି ।

ସାରା ଦେଶର ଅର୍ଥନୀତି କରୋନା ମାଡ଼ରେ କବଳିତ ହୋଇଥିବା ବେଳେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଶିକ୍ଷା ବ୍ୟବସ୍ଥା । ଶିକ୍ଷାର ଗୁଣାତ୍ମକ ମାନ ବଢାଇବାରେ ଘରୋଇ ଅନୁଷ୍ଠାନ ଗୁଡ଼ିକ ବ୍ୟାବସାୟିକ ଭିତ୍ତିରେ ଏହାକୁ ଆଗେଇ ନେଉଥିବା ବେଳେ କୋଭିଡ-19 ସେମାନଙ୍କର ଆର୍ଥିକ ସ୍ଥିତିକୁ ସଂପୂର୍ଣ୍ଣ ଦୋହଲାଇ ଦେଇଛି । ଅନଲାଇନ ଶିକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଉଥିଲେ ହେଁ, ମାତ୍ର ବହୁତ କମ୍ ସଂଖ୍ୟାରେ ଛାତ୍ରଛାତ୍ରୀ ଏହାର ସୁଯୋଗ ନେଉଛନ୍ତି । ବୈଷୟିକ କାରଣରୁ ହେଉ ବା ଅନ୍ୟାନ୍ୟ କାରଣରୁ ଅଧାରୁ ଅଧିକ ପିଲାଙ୍କ ପାଖରେ ଅନଲାଇନ ପାଠପଢ଼ା ପହଞ୍ଚି ପାରୁନାହିଁ । ସ୍କୁଲ କଲେଜରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ୟ୍ୟନ୍ତ ସବୁଠି ଗୋଟିଏ ସମସ୍ୟା । ପିଲାଏ ସେମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ । ଗୋଟିଏ ବର୍ଷ ଯଦି ନଷ୍ଟ ହୋଇଯାଏ ତାହାର ସାମଗ୍ରିକ ପ୍ରଭାବ ଯେ କେତେ ସଂଗୀନ ତାହା ସହଜେ ଅନୁମେୟ  ।

ପ୍ରବେଶିକା ପରୀକ୍ଷା ହେଉ ବା ଯେ କୌଣସି ବୋର୍ଡ ପରିଚାଳିତ ଦଶମ ଓ ଦ୍ବାଦଶ ପରୀକ୍ଷା ହେଉ ସବୁ କ୍ଷେତ୍ରରେ ଲାଗି ରହିଛି ଅନିଶ୍ଚିତତା । ଜୀବନ ଓ ଜୀବିକାର ସଂଘର୍ଷ ଭିତରେ ଶିକ୍ଷା କ୍ଷେତ୍ରଟି କେଉଁଠି ନା କେଉଁଠି ଆଢୁଆଳରେ ରହିଯିବା ଭଳି ମନେ ହେଉଛି । କରୋନା ସହ ଲଢେଇ ବେଳେ ଆମକୁ ଜୀବନ ବଞ୍ଚାଇବାକୁ ହେବ, ତା ସହିତ ଆମ ପିଲାଙ୍କ ଭବିଷ୍ୟତ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ । ସୁତରାଂ କେନ୍ଦ୍ର ଏବଂ ରାଜ୍ୟ ସରକାର କୋଭିଡ ପରିଚାଳନା ବେଳେ ଯେଭଳି ଅନ୍ୟ ସମସ୍ତ କ୍ଷେତ୍ର ପ୍ରତି ଗୁରୁତ୍ବ ଦେଉଛନ୍ତି, ଶିକ୍ଷା କ୍ଷେତ୍ର ପ୍ରତି ମଧ୍ୟ ଦୃଷ୍ଟି ଦେଇ ଏହାକୁ କିପରି ବଞ୍ଚାଇ ରଖିବାକୁ ହେବ ସେଥିପ୍ରତି ଚିନ୍ତା କରିବାର ସମୟ ଆସିଛି । କରୋନା ସହିତ ଲଢି ଶିକ୍ଷା ବ୍ୟବସ୍ଥାକୁ କିପରି ନିୟମିତ ଢାଞ୍ଚାରେ ପକାଯାଇ ପାରିବ, ସେ ଦିଗରେ ଶିକ୍ଷାବିତଙ୍କ ସୁଚିନ୍ତିତ ପରାମର୍ଶ ନିଆଯାଇ ସରକାର ବ୍ୟବସ୍ଥା କରିବା ଉଚିତ୍  ।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁରରେ କୋଚିଂ ସେଣ୍ଟର ସିଲ୍‌

ବ୍ରହ୍ମପୁର : ଗଜପତି ନଗରରେ ଥିବା ଏକ କୋଚିଂ ସେଣ୍ଟର ସିଲ୍‌ । କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍‌ କରିଛି ପ୍ରଶାସନ । କୋଚିଂ ସେଣ୍ଟର ଖୋଲିବାକୁ ବାରଣ ସତ୍ତ୍ବେ କ୍ଲାସ୍‌ ଚାଲିଥିବାରୁ ପ୍ରଶାସନ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତ ବଢୁଥିବାରୁ ଜିଲ୍ଲା ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିଛି । କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ କୋଚିଂ ସେଣ୍ଟର ସିଲ୍‌ କରାଯାଇଛି ।

ସୂଚନାଯୋଗ୍ୟ, ଗଞ୍ଜାମରେ ବରିଷ୍ଠ ସରକାରୀ ଅଧିକାରୀମାନେ କୋଭିଡ୍‌ ପଜିଟିଭ୍‌  ଚିହ୍ନଟ ହେବା ପରେ ଆସନ୍ତା ଦଶ ଦିନ ଯାଏ ଜିଲ୍ଲାରେ ଥିବା କୌଣସି ସରକାରୀ ଅଫିସ୍‌କୁ ସର୍ବସାଧାରଣ ଯାଇ ପାରିବେନାହିଁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । କରେନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି।