Categories
ଆଜିର ଖବର ଜାତୀୟ ଖବର

କୋଇଲା /ଲିଗ୍‌ନାଇଟ୍ ଗ୍ୟାସିଫିକେସନ ପ୍ରକଳ୍ପକୁ ପ୍ରୋତ୍ସାହନ ପ୍ରଦାନ ନିଷ୍ପତ୍ତିକୁ କ୍ୟାବିନେଟରେ ଅନୁମୋଦନ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  କେନ୍ଦ୍ର କ୍ୟାବିନେଟ ବୈଠକରେ ରାଷ୍ଟ୍ରାୟତ୍ତ ଓ ଘରୋଇ କ୍ଷେତ୍ରରେ କୋଇଲା ଏବଂ ଲିଗ୍‌ନାଇଟ୍ ଗ୍ୟାସିଫିକେସନ ପ୍ରକଳ୍ପକୁ ସରକାରୀ ପ୍ରୋତ୍ସାହନ ଯୋଗାଣ ସଂକ୍ରାନ୍ତ ନିଷ୍ପତ୍ତିକୁ  ଅନୁମୋଦନ କରାଯାଇଛି। କୋଇଲା ଓ ଲିଗ୍‌ନାଇଟ୍‌କୁ ଗ୍ୟାସରେ ପରିଣତ କରିବାକୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହନ ଆକାରରେ ମୋଟ ୮୫୦୦ କୋଟି ଟଙ୍କା ସରକାର ଯୋଗାଇଦେବ। ସମ୍ପୃକ୍ତ ଉଦ୍ୟୋଗକୁ ତିନି ବର୍ଗରେ ବିଭକ୍ତ କରାଯାଇ ଏହି ପ୍ରୋତ୍ସାହନ ରାଶି ମିଳିବ। କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଏହି ପ୍ରୋତ୍ସାହନ ଯୋଜନା ନିମ୍ନମତେ କାର୍ଯ୍ୟକାରୀ ହେବ:

(କ) କୋଇଲାରୁ ଗ୍ୟାସ ପ୍ରସ୍ତୁତି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ତିନିଟି ବର୍ଗର ସମ୍ପୃକ୍ତ ଉଦ୍ୟୋଗକୁ ୮୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇବେ।

(ଖ) ପ୍ରଥମ ବର୍ଗରେ ସରକାରୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ପିଏସ୍‌ୟୁ ଗୁଡିକ ପାଇଁ ସର୍ବାଧିକ ତିନିଟି ଗ୍ୟାସିଫିକେସନ ପ୍ରକଳ୍ପ ନିମନ୍ତେ ସରକାର ମୋଟ ୪୦୫୦ କୋଟି ଟଙ୍କା ପ୍ରୋତ୍ସାହନ ବାବଦରେ ଯୋଗାଇବେ। ଏଥିରେ ପ୍ରତ୍ୟେକ ପ୍ରକଳ୍ପ ପାଇଁ ଏକକାଳୀନ ୩୫୦ କୋଟି ଟଙ୍କା ଲେଖାଏଁ କିମ୍ବା ମୋଟ ପ୍ରକଳ୍ପ ଖର୍ଚ୍ଚ (କ୍ୟାପେକ୍ସ)ର ୧୫ ଶତାଂଶ -ଏହା ଭିତରୁ ଯେଉଁଟି ସର୍ବନିମ୍ନ ସେହି ଅର୍ଥ ରାଶି ଯୋଗାଇବେ।

ଗ) ଦ୍ୱିତୀୟ ବର୍ଗରେ ଘରୋଇ କ୍ଷେତ୍ରଙ୍କ ପାଇଁ କୋଇଲା / ଲିଗ୍‌ନାଇଟ ଗ୍ୟାସିଫିକେସନ ପ୍ରକଳ୍ପ ନିମନ୍ତେ ମୋଟ ୩୮୫୦କୋଟି ଟଙ୍କାର ପ୍ରୋତ୍ସାହନ ରାଶି ସରକାର ଯୋଗାଇବେ। ଏଥିରେ ମଧ୍ୟ ସରକାରୀ ରାଷ୍ଟ୍ରାୟତ ଉଦ୍ୟୋଗକୁ ସାମିଲ କରାଯାଇଛି। ଏହି ବର୍ଗରେ ସହାୟତା ବାବଦରେ ଏକାକାଳୀନ ୧୦୦୦ କୋଟି କିମ୍ବା ପ୍ରକଳ୍ପ ଖର୍ଚ୍ଚର ସର୍ବାଧିକ ୧୫ଶତାଂଶ-ଏହା ମଧ୍ୟରୁ ଯେଉଁଟି ସର୍ବନିମ୍ନ ସେହି ପରିମାଣର ଅର୍ଥ ସହାୟତା ବାବଦରେ ଯୋଗାଇ ଦିଆଯିବ। ଟାରିଫ  ଭିତ୍ତିକ ନିଲାମ ପ୍ରକ୍ରିୟାରେ ଅତିକମ୍‌ରେ ଗୋଟିଏ ପ୍ରକଳ୍ପକୁ ସାମିଲ କରାଯିବ ଏବଂ ଏହାର ସର୍ତ୍ତାବଳୀ ନୀତି ଆୟୋଗ ପ୍ରସ୍ତୁତ କରିବ।

ଘ) ତୃତୀୟ ବର୍ଗରେ ଦେଶୀ ପ୍ରଯୁକ୍ତିର ଉପଯୋଗ କରି ଛୋଟ ଗ୍ୟାସିଫିକେସନ ପ୍ରକଳ୍ପ କରିବାକୁ ଆଗ୍ରହୀ ସଂସ୍ଥା ବା ଉଦ୍ୟୋଗକୁ ସର୍ବାଧିକ ୧୦୦କୋଟି କିମ୍ବା ମୋଟ ପ୍ରକଳ୍ପର ଖର୍ଚ୍ଚର ୧୫ ଶତାଂଶରୁ ଯେଉଁଠି କମ୍ ତାହା ସହାୟତା ଆକାରରେ ସରକାର ଯୋଗାଇବେ। ତେବେ ଏଥିପାଇଁ ସମ୍ପୃକ୍ତ ଉଦ୍ୟୋଗକୁ ପ୍ରକଳ୍ପ ନିମନ୍ତେ ସର୍ବନିମ୍ନ ୧୦୦କୋଟି ଟଙ୍କା ବିନିଯୋଗ କରିବା ସହିତ 1500 Nm3/hr ସିଏନ୍‌ଜି ଗ୍ୟାସ ଉତ୍ପାଦନ କରିବାକୁ ହେବ।

(ଛ) ଏହି ପ୍ରକଳ୍ପ ପାଇଁ ସରକାର ଯେଉଁ ପ୍ରୋତ୍ସାହନ ଦେବେ ତାହାର ମୋଟ ପରିମାଣ ୮୫୦୦ କୋଟି ମଧ୍ୟରେ ସୀମିତ ରହିବ।

(ଜ) କୋଇଲା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଇଜିଓଏସ୍ ଏହି ଯୋଜନାରେ ଆବଶ୍ୟକ ପରିବର୍ତ୍ତନ କରିବାର ଅଧିକାର ପାଇଛି।

Categories
ଆଜିର ଖବର ଜାତୀୟ ଖବର

ଭାରତରେ ବ୍ୟବସାୟିକ କୋଇଲା ଉତ୍ତୋଳନ ପାଇଁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ

ନୂଆଦିଲ୍ଲୀ: ଭାରତରେ ବ୍ୟାବସାୟିକ ଭିତ୍ତିରେ କୋଇଲା ଉତ୍ତୋଳନ ପାଇଁ କୋଇଲା ଖଣିଗୁଡିକର ଯେଉଁ ନିଲାମ ପ୍ରକ୍ରିୟା ଚାଲିଛି ସେହି କାର୍ଯ୍ୟଟି ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟର ଏକ ମନୋନୀତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗତ ଜୁନ୍‌ ମାସରେ ଆରମ୍ଭ ହୋଇଥିଲା। ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ବ୍ୟବସାୟିକ ଖନନ ପାଇଁ କୋଇଲା ଖଣିକୁ ମୁକ୍ତ କରି ପ୍ରତ୍ୟକ୍ଷ ପୁଞ୍ଜି ନିବେଶର ସୁଯୋଗ ସୃଷ୍ଟି କରିବା। ସେଥିପାଇଁ 2017ରେ ପ୍ରଣୀତ ହୋଇଥିବା ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ନୀତିରେ ଆବଶ୍ୟକ ସଂଶୋଧନ କରାଯାଇଛି ଏବଂ ଏଥିପାଇଁ କେନ୍ଦ୍ର ସରକାର ପ୍ରେସନୋଟ ଜାରି କରିଛନ୍ତି। ତଦନୁସାରେ କୋଇଲା ଖନନ ଓ ଉତ୍ତୋଳନ ଆଦି କାର୍ଯ୍ୟରେ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ କରାଯାଇପାରିବ ଏବଂ ଏହା ଅଟୋମେଟିକ୍‌ ରୁଟ୍‌ରେ କାର୍ଯ୍ୟକାରୀ ହେବ।

ଏହି ବିଦେଶୀ ପୁଞ୍ଜି ନିବେଶ ମଧ୍ୟ କୋଇଲା ଖନନ ସହ ସଂପୃକ୍ତ ଭିତ୍ତିଭୂମି, ନିର୍ମାଣ, କୋଇଲା ବିକ୍ରି ଏବଂ ତତ୍‌ସଂକ୍ରାନ୍ତ ଅନ୍ୟାନ୍ୟ କ୍ଷେତ୍ରରେ କରାଯାଇପାରିବ। ତଦନୁସାରେ ଟେଣ୍ଡର କାଗଜପତ୍ରରେ ଏସବୁର ଉଲ୍ଲେଖ କରାଯାଇଥିଲା ଏବଂ ଭାରତ ସରକାରଙ୍କ 2019 ପ୍ରେସନୋଟ 4ରେ 2017ର ସଂଶୋଧିତ ପୁଞ୍ଜି ନିବେଶ ନୀତି ଅଟୋମେଟିକ ରୁଟ୍‌ରେ ଶତପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ ଏବଂ ଅନ୍ୟାନ୍ୟ ବିଷୟ ଉଲ୍ଲେଖ କରାଯାଇଛି। ଆହୁରି ମଧ୍ୟ ଆଇନର ସଂଶୋଧନ ଫଳରେ ନୂଆକରି ଲାଗୁ ହେବାକୁ ଥିବା ନୀତିନିୟମ ଓ କୋଇଲାର ବିକ୍ରିବଟା ଆଦି ଏଥିରେ ଉଲ୍ଲେଖ ରହିଛି। ଏହି ପ୍ରେସନୋଟ ଅନୁସାରେ ଭାରତର ସୀମାସରହଦକୁ ଲାଗିଥିବା ଯେକୌଣସି ଦେଶର ବ୍ୟକ୍ତିବିଶେଷ ଓ ସଂସ୍ଥା କେବଳ ସରକାରୀ ରୁଟରେ ହିଁ ପୁଞ୍ଜି ନିବେଶ କରିପାରିବେ।

ପାକିସ୍ତାନର ନାଗରିକ କିମ୍ବା ସଂସ୍ଥା ମଧ୍ୟ ଏଥିପାଇଁ ସରକାରୀ ରୁଟ୍‌ରେ ଏହି କ୍ଷେତ୍ରରେ ପୁଞ୍ଜି ନିବେଶ କରିପାରିବେ। ତେବେ ପାକିସ୍ତାନ ସମେତ ବିଦେଶର କୌଣସି ବ୍ୟକ୍ତିବିଶେଷ ବା ସଂସ୍ଥା ମହାକାଶ, ପ୍ରତିରକ୍ଷା, ଆଣବିକ ଶକ୍ତି ସମେତ ବିଦେଶୀଙ୍କ ନିମନ୍ତେ ନିଷିଦ୍ଧ ଥିବା ଅନ୍ୟାନ୍ୟ କ୍ଷେତ୍ରରେ ପୁଞ୍ଜି ନିବେଶ କରିପାରିବେ ନାହିଁ। ଟେଣ୍ଡର କାଗଜପତ୍ରରେ ଏ ସଂକ୍ରାନ୍ତ ଏକ ଶୁଦ୍ଧିପତ୍ର ଯୋଡାଯାଇଛି। (ପିଆଇବି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆଫଗାନିସ୍ତାନ କୋଇଲା ଖଣିରେ ବିସ୍ଫୋରଣ : 16 ଜଣଙ୍କ ପ୍ରାଣହାନି

କାବୁଲ : ଆଫଗାନିସ୍ତାନରେ ଏକ କୋଇଲା ଖଣିରେ ବିସ୍ଫୋରଣ ଘଟି 16 ଜଣଙ୍କ ପ୍ରାଣହାନି ଘଟିଛି । ବୁଧବାର ଦିନ ଆଫଗାନିସ୍ତାନର ସମାଙ୍ଗନ ଅଞ୍ଚଳରେ ରହିଥିବା ଏକ କୋଇଲା କାରଖାନାରେ ବିସ୍ଫୋରଣ ଘଟି 16 ଜଣ ଶ୍ରମିକଙ୍କ ପ୍ରାଣହାନି ଘଟିଛି । ସମୁଦାୟ 30 ଜଣ ଶ୍ରମିକ ଦୁର୍ଘଟଣା ସମୟରେ ଖଣିରେ ଉପସ୍ଥିତ ଥିଲେ । 14 ଜଣଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିବା ବେଳେ 16 ଜଣ ଶ୍ରମିକ ଫସି ରହିଥିଲେ । ଫସି ରହିଥିବା 16 ଶ୍ରମିକଙ୍କ ମଧ୍ୟରୁ 6 ଜଣଙ୍କୁ ଉଦ୍ଧାର କରାଯାଇଥବା ବେଳେ ଅନ୍ୟ ମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଖଣିର ବୈଧତା ଶେଷ ହୋଇଥିବା ବେଳେ ଦୁଇ ବର୍ଷ ଧରି ବେଆଇନ୍‌ ଭାବରେ ଖନନ ଜାରି ରହିଥିବା ଜଣାପଡିଛି । (ଏଜେନ୍ସି)

Categories
ବିଶେଷ ଖବର

ଆତ୍ମନିର୍ଭର ଭାରତ ଯୋଜନା: ପ୍ରତିରକ୍ଷା କ୍ଷେତ୍ରରେ ଏଫ୍‌ଡିଆଇ 70 ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଯୋଜନାରେ 20 ଲକ୍ଷ କୋଟି ଟଙ୍କାର ଯୋଜନାର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲଗାତାର ଚତୁର୍ଥ ଦିନ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥକ ସଚିବ ପ୍ରେସ୍‌ ମିଟ୍‌ କରିଥିଲେ। ଚତୁର୍ଥ ଦିନରେ ଭିତ୍ତିଭୂମି କ୍ଷେତ୍ରରେ ନିବେଶ ଉପରେ ସୀତାରମଣ ସୂଚନା ଦେଇଥିଲେ। ଭାରତରେ ଏଫ୍‌ଡିଆଇ ଆଗମନରେ ବୃଦ୍ଧି ଘଟାଇବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୀତାରମଣ ଘୋଷଣା କରିଥିଲେ। ଭାରତକୁ ନିଜର ବ୍ୟବସାୟିକ ନୀତିରେ ପରିବର୍ତ୍ତନ କରିବାକୁ ପଡିବ ଯାହାଦ୍ବାରା ଭାରତ ଏଫ୍‌ଡିଆଇକୁ ଆକର୍ଷିତ କରିବ। ସେହିପରି ବୈଷୟିକ କୌଶଳ ଦ୍ବାରା ରାଜ୍ୟ ମାନଙ୍କର ନିବେଶ ଯୋଜନାର ରାଙ୍କିଙ୍ଗ ପ୍ରସ୍ତୁତ କରାଯିବ ବୋଲି ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ପ୍ରକାଶ କରିଛନ୍ତି। ଦେଶରେ 3376ଟି ଇଣ୍ଡଷ୍ଟ୍ରିଆଲ ପାର୍କ ଏବଂ ଏସ୍‌ଇଜେଡ୍ ରହିଥିବା ବେଳେ ଏହା 5 ଲକ୍ଷ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ। ଜିଆଇଏସ୍‌ ମ୍ୟାପିଂ ଦ୍ବାରା ବିଭିନ୍ନ ନିବେଶକଙ୍କୁ ଜମି ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଚତୁର୍ଥ ଦିନରେ କୋଇଲା, ଖଣିଜ ପଦାର୍ଥ, ପ୍ରତିରକ୍ଷା ଉତ୍ପାଦ, ବିମାନ ବନ୍ଦର, ବିତରଣ କମ୍ପାନୀ, ମହାକାଶ ବିଜ୍ଞାନ କ୍ଷେତ୍ରରେ ନିବେଶ ସମ୍ପର୍କରେ ପ୍ୟାକେଜ୍‌ର ଘୋଷଣା କରିଛନ୍ତି ସୀତାରମଣ।

କୋଇଲା ଉତ୍ପାଦନରେ ବ୍ୟବସାୟିକ ଖଣିଖାଦାନ ଉତ୍ପାଦନ କରାଯିବାର ନିଷ୍ପତ୍ତି ନେଇଛନ୍ତି ସରକାର। କୋଇଲା ଖଣି କ୍ଷେତ୍ରରେ ଆତ୍ମନିର୍ଭରତା ପାଇଁ ସରକାର 50 ହଜାର କୋଟିର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଆଗାମୀ ଦିନରେ 50ରୁ ଅଧିକ ନୂତନ କୋଇଲା ବ୍ଲକ୍‌ର ନିଲାମୀ କରାଯିବ ଏବଂ ଅର୍ଦ୍ଧଖନନ କୋଇଲା ବ୍ଲକ୍‌ଗୁଡିକର ପୁନଃନିଲାମୀ କରାଯିବ। ଏହି ପ୍ରକ୍ରିୟାର ସରଳୀକରଣ କରାଯିବା ସହିତ ନିଲାମୀ ପାଇଁ ଆଗୁଆ ଅର୍ଥ ପୈଠ କରିବାକୁ ପଡିବ ନାହିଁ ବୋଲି ଜଣାପଡିଛି। ନିଜ ଖନନ ସମୟରୁ କମ୍‌ ସମୟରେ ଖନନ ସାରିଲେ କମ୍ପାନୀକୁ ଇନ୍‌ସେଣ୍ଟିଭ୍‌ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସେହିପରି କୋଲ୍‌ ଇଣ୍ଡିଆର ଖଣି ଗୁଡିକୁ ବିଭିନ୍ନ ଘରୋଇ ସଂସ୍ଥାକୁ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। କୋଇଲା ପରିବହନ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା କୋଇଲା ଖଣି ଉପରେ ରହିଥିବା ସରକାରଙ୍କ ଏକଚାଟିଆ ଅଧିକାର ସମାପ୍ତ ହେବ।

ନିଲାମୀ ସମୟରେ ପରସ୍ପର ପରିପୂରକ ଦୁଇଟି ଖଣିଜ ପଦାର୍ଥର ନିଲାମୀ ଏକତ୍ର କରାଯିବ ବୋଲି କୁହାଯାଇଛି। ବିଭିନ୍ନ ଖଣିରେ ରହିଥିବା ଅବ୍ୟବହୃତ ଖଣିଜ ଦ୍ରବ୍ୟକୁ ଅନ୍ୟ କମ୍ପାନୀ ବ୍ୟବହାର କରିବାର ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବିଭିନ୍ନ ଖଣିରୁ ଉତ୍ପାଦିତ ସାମଗ୍ରୀର ପରିବହନ ପାଇଁ କନ୍‌ଭେୟର ମଧ୍ୟ ନିର୍ମାଣ କରାଯିବ। କୋଇଲା ଖଣିଜ ପଦାର୍ଥର ବିକାଶ ପାଇଁ ସରକାରଙ୍କ ପକ୍ଷରୁ 18 ହଜାର କୋଟିର ଘୋଷଣା କରାଯାଇଛି।

ପ୍ରତିରକ୍ଷା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ 49 ରୁ 74 ପ୍ରତିଶ୍ରତକୁ ବୃଦ୍ଧି କରାଯାଇଛି। ଘରୋଇ ଭାବରେ ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯିବା ନେଇ ଘୋଷଣା କରାଯାଇଛି। ଏହା ସହିତ ଆଗାମୀ ଦିନରେ ଭାରତରେ ପ୍ରତିରକ୍ଷା ପାଇଁ ଏକ ସ୍ବତନ୍ତ୍ର ବଜେଟ୍‌ ଉପସ୍ଥାପନ କରାଯିବ। ଅସ୍ତ୍ରଶସ୍ତ୍ର ନିର୍ମାଣରେ କର୍ପୋରେଟାଇଜେସନ୍‌ କରିବାର ନିଷ୍ପତ୍ତି ନେଇଛନ୍ତି ସରକାର। ଏହା ଦ୍ବାରା ଅସ୍ତ୍ରଶସ୍ତ୍ର ନିର୍ମାଣ ସୁଗମ ହୋଇପାରିବ ଏବଂ ସରକାରଙ୍କ ନିୟନ୍ତ୍ରଣାଧୀନ ମଧ୍ୟ ରହିବ। ଭାରତରେ ଅସ୍ତ୍ରଶସ୍ତ୍ର ନିର୍ମାଣ ଦ୍ବାରା ଭାରତର ବିଦେଶୀ ଅସ୍ତ୍ରଶସ୍ତ୍ର କିଣିବା ବଜେଟ୍‌ରେ ହ୍ରାସ ଘଟିବ ଏବଂ ଅର୍ଥ ଭାରତୀୟ ନିର୍ମାଣକାରୀଙ୍କ ନିକଟରେ ରହିବ।

ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବିଭିନ୍ନ ସଂସ୍କାର ସମ୍ପର୍କରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବେସାମରିକ ବିମାନ ଚଳାଚଳ ପାଇଁ 60 ପ୍ରତିଶତ ଏୟାର ସ୍ପେସ୍‌କୁ ପୁନଃବ୍ୟବସ୍ଥିତ କରାଯିବ ଯାହାଦ୍ବାରା ସମସ୍ତ ବିମାନ କମ୍‌ ଦୂରତ୍ବ ରାସ୍ତା ଆପଣେଇବେ। ଏହାଦ୍ବାରା ଯାତ୍ରୀଙ୍କ ସମୟ ଏବଂ ବିମାନ ଇନ୍ଧନ ବଞ୍ଚିବ। ଏହାଦ୍ବାରା ପ୍ରାୟ 1 ହଜାର କୋଟି ଟଙ୍କାର ଫଇଦା ହେବ ଏବଂ ପ୍ରଦୂଷଣ ମଧ୍ୟ କମ୍‌ରହିବ। ସେହିପରି 6ଟି ବିମାନବନ୍ଦରର ପରିଚାଳନା ଦାୟିତ୍ବ ଅନ୍ୟକମ୍ପାନୀକୁ ହସ୍ତାନ୍ତର କରିବ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ। ଏଥିରୁ 2300 କୋଟିର ଫାଇଦା ହେବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ବିମାନ ଇଞ୍ଜିନ୍‌ ମରାମତି କେନ୍ଦ୍ର ଭାରତରେ ନିର୍ମାଣ କରାଯିବ। ଏହା ଫଳରେ ପ୍ରତିରକ୍ଷା ଏବଂ ବେସାମରିକ ବିମାନ ଚଳାଚଳ କମ୍ପାନୀ ଗୁଡିକ ଏହାଦ୍ବାରା ଲାଭବାନ ହୋଇପାରିବେ।

Categories
ଆଜିର ଖବର

ନବୀନଙ୍କ ବିରୋଧରେ କୋଇଲା ଖଣି ଆବଣ୍ଟନ ମାମଲା : ତୁରନ୍ତ ତଦନ୍ତ ସାରିବାକୁ ସୁପ୍ରିମକୋର୍ଟରେ ଆବେଦନ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ରୁଜୁ ହୋଇଥିବା କୋଲ୍‌ ବ୍ଲକ୍‌ ଆବଣ୍ଟନ ମାମଲାର ତୁରନ୍ତ ତଦନ୍ତ ଶେଷ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ ହୋଇଛି। ଏହାର ତଦନ୍ତଭାର ନେଇଥିବା ସିବିଆଇକୁ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଅନୁରୋଧ କରିଛନ୍ତି। କୋଇଲା ଖଣି ଆବଣ୍ଟନ ନେଇ ୨୦୧୪, ମାର୍ଚ୍ଚ ୨୬ରେ ନବୀନ ପଟ୍ଟନାୟକଙ୍କ ନାଁରେ ମାମଲା ପଞ୍ଜିକୃତ ହୋଇଥିଲା। କିନ୍ତୁ ଏ ଯାଏ ମାମଲା ତଦନ୍ତାଧୀନ ରହିଛି। ତେଣୁ ଏହାର ତଦନ୍ତ କରି ତ୍ୱରିତ ଶୁଣାଣୀ କରିବାକୁ ପିଟିସନ୍‌ରେ ଦର୍ଶାଯାଇଛି। ଅଭିଯୋଗ ମୁତାବକ, ୧୯୯୮ ମସିହାରେ ଏମ୍‌/ଏସ୍‌ ସେଣ୍ଟ୍ରାଲ କୋଲିଆରିଜ୍‌ କୋ. ଲିମିଟେଡ୍‌କୁ କୋଇଲା ଖଣି ମିଳିଥିଲା। ମହାରାଷ୍ଟ୍ର ତକ୍‌ଲି-ଜେନା ବେଲୋରା କୋଲ୍‌ ଫିଲ୍ଡକୁ କମ୍ପାନୀକୁ ଦିଆଯାଇଥିଲା। କିନ୍ତୁ ପଞ୍ଜିକୃତ ହେବା ପୂର୍ବରୁ କମ୍ପାନୀକୁ ଏହି କୋଇଲା ଖଣି ମିଳିଥିଲା ବୋଲି ପରେ ଅଭିଯୋଗ ଆସିଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ଥିଲେ। ତେଣୁ ଏହି ମାମଲାରେ ନବୀନଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲା। ଯାହାକୁ ନେଇ ୨୦୧୪ରେ ମାମଲା ଦାୟର ହୋଇଥିଲା।