ନବୀନଙ୍କ ବିରୋଧରେ କୋଇଲା ଖଣି ଆବଣ୍ଟନ ମାମଲା : ତୁରନ୍ତ ତଦନ୍ତ ସାରିବାକୁ ସୁପ୍ରିମକୋର୍ଟରେ ଆବେଦନ

Published: Mar 26, 2019, 11:59 am IST

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ରୁଜୁ ହୋଇଥିବା କୋଲ୍‌ ବ୍ଲକ୍‌ ଆବଣ୍ଟନ ମାମଲାର ତୁରନ୍ତ ତଦନ୍ତ ଶେଷ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ ହୋଇଛି। ଏହାର ତଦନ୍ତଭାର ନେଇଥିବା ସିବିଆଇକୁ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଅନୁରୋଧ କରିଛନ୍ତି। କୋଇଲା ଖଣି ଆବଣ୍ଟନ ନେଇ ୨୦୧୪, ମାର୍ଚ୍ଚ ୨୬ରେ ନବୀନ ପଟ୍ଟନାୟକଙ୍କ ନାଁରେ ମାମଲା ପଞ୍ଜିକୃତ ହୋଇଥିଲା। କିନ୍ତୁ ଏ ଯାଏ ମାମଲା ତଦନ୍ତାଧୀନ ରହିଛି। ତେଣୁ ଏହାର ତଦନ୍ତ କରି ତ୍ୱରିତ ଶୁଣାଣୀ କରିବାକୁ ପିଟିସନ୍‌ରେ ଦର୍ଶାଯାଇଛି। ଅଭିଯୋଗ ମୁତାବକ, ୧୯୯୮ ମସିହାରେ ଏମ୍‌/ଏସ୍‌ ସେଣ୍ଟ୍ରାଲ କୋଲିଆରିଜ୍‌ କୋ. ଲିମିଟେଡ୍‌କୁ କୋଇଲା ଖଣି ମିଳିଥିଲା। ମହାରାଷ୍ଟ୍ର ତକ୍‌ଲି-ଜେନା ବେଲୋରା କୋଲ୍‌ ଫିଲ୍ଡକୁ କମ୍ପାନୀକୁ ଦିଆଯାଇଥିଲା। କିନ୍ତୁ ପଞ୍ଜିକୃତ ହେବା ପୂର୍ବରୁ କମ୍ପାନୀକୁ ଏହି କୋଇଲା ଖଣି ମିଳିଥିଲା ବୋଲି ପରେ ଅଭିଯୋଗ ଆସିଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ଥିଲେ। ତେଣୁ ଏହି ମାମଲାରେ ନବୀନଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲା। ଯାହାକୁ ନେଇ ୨୦୧୪ରେ ମାମଲା ଦାୟର ହୋଇଥିଲା।

 

Related posts