Categories
ଆଜିର ଖବର ରାଜ୍ୟ ଖବର

କୋଭିଡ୍‌ ସଂକ୍ରମିତଙ୍କ ସହ ମିଠା କଥା ହୁଅ : ନବୀନ ପଟ୍ଟନାୟକ

ଭୁବନେଶ୍ବର : କରୋନା ସହ ଚାଲିଥିବା ଯୁଦ୍ଧକୁ ଯଦି ସମେସ୍ତ ଏକ ହୋଇ ଲଢିବା ତେବେ ଏହି ଯୁଦ୍ଧ ସହଜ ହେବ । କୋଭିଡ୍‌ ସଂକ୍ରମିତଙ୍କ ସହ ଉତ୍ତମ ବ୍ୟବହାର ଓ କେଇପଦ ମିଠା କଥା କହିଲେ ସେମାନଙ୍କ କଷ୍ଟ ଲାଘବ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କରୋନା ବିରୋଧରେ ଆମକୁ ମିଳିତ ହୋଇ ଲଢ଼ିବାକୁ ପଡ଼ିବ ଏବଂ କୋଭିଡ ରୋଗୀଙ୍କୁ ମିଠା କଥା କହି ସେମାନଙ୍କ କଷ୍ଟ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ମିଠା କଥା କହିଲେ କୋଭିଡ ରୋଗୀଙ୍କ କଷ୍ଟ ଲାଘବ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଯେଉଁମାନେ କରୋନାରେ ପୀଡ଼ିତ ହୋଇଛନ୍ତି, ବହୁତ କଷ୍ଟ ସହୁଛନ୍ତି । ଆମେମାନେ ତାଙ୍କୁ ସାହସ ଦେବା ଦରକାର । ତାଙ୍କ ସହ ମିଠା କଥା ହେବା । ସେମାନେ ଚିକିତ୍ସିତ ହେବାକୁ ଯିବାବେଳେ ହସିବା ସହିତ ଥମ୍ପସପ୍‌ ଦେଖାଇବା, ସେମାନେ ସୁସ୍ଥ ହୋଇ ଫେରିଲେ ତାଳି ମାରି ସ୍ବାଗତ କରିବା ।  କରୋନା ଆକ୍ରାନ୍ତଙ୍କ ମନୋବଳ ଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଏହି ବାର୍ତ୍ତା ଦେଇଛନ୍ତି ।ତେଣୁ ସେମାନଙ୍କୁ ନିଜର କରିବା ସହ କୋଭିଡ ଯୁଦ୍ଧକୁ ଦୃଢ଼ତାର ସହ ଲଢ଼ିବାକୁ ହେବ । ଅପରପକ୍ଷରେ ରାଜ୍ୟ ସରକାର କୋଭିଡ୍‌-19 ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବାକୁ ଏକ ହ୍ୱାଟସ୍ ଆପ୍ ନମ୍ବର 9937564066 ଜାରି କରିଛନ୍ତି । ଏହି ନମ୍ବର ମାଧ୍ୟମରେ ବିଶିଷ୍ଟ ଡାକ୍ତରମାନଙ୍କୁ କୋଭିଡ ସମ୍ପର୍କିତ ପ୍ରଶ୍ନ ପଚାରି ମତାମତ ନେଇ ହେବ ।

Categories
ଆଜିର ଖବର ରାଜ୍ୟ ଖବର

ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ପାଇଁ ପ୍ୟାକେଜ୍‌ ଘୋଷଣା କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର : କରୋନାରେ କ୍ଷତିଗ୍ରସ୍ତ ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ପାଇଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍‌‌ – 19 ସହାୟତା ପ୍ୟାକେଜ୍‌କୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗ୍ରାମାଞ୍ଚଳରେ ରହୁଥିବା ଗରିବ ଓ ଅତିଗରିବ ପରିବାର ତଥା ପ୍ରବାସୀଙ୍କ ପାଇଁ ପ୍ୟାକେଜ ଘୋଷଣା କରାଯାଇଛି । ଜୀବିକା ବିକାଶ ପାଇଁ 4ଟି ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ବ୍ୟବସ୍ଥା ହୋଇଛି ।

ଏହି କ୍ରମରେ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ 50ହଜାର ଋଣର ବ୍ୟବସ୍ଥା ହୋଇଛି । ଏହି ପ୍ୟାକେଜ୍‌ରେ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କ ପରିବାର ସଦସ୍ୟ କୃଷି ଓ ଅଣକୃଷି ଉଦ୍ୟୋଗର ବିକାଶ ପାଇଁ ଋଣ ନେଇପାରିବେ । ସେହିପରି କୃଷି, ଅଣକୃଷି କ୍ଷେତ୍ରରେ ଗଠିତ ଗୋଷ୍ଠୀଙ୍କୁ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ଯୋଗାଇ ଦିଆଯିବାର ସୂଚନା ରହିଛି  । ଏହି ପ୍ୟାକେଜ୍‌‌ ଜରିଆରେ 6 ମାସରୁ ଊର୍ଦ୍ଧ୍ୱ ଉଦ୍ୟୋଗ ଗୋଷ୍ଠୀ ଏବଂ ଏକ ବର୍ଷରୁ ଊର୍ଦ୍ଧ୍ୱ ଉତ୍ପାଦକ ଗୋଷ୍ଠୀ ଋଣ ନେଇପାରିବେ । ଅତିଗରିବ କିମ୍ବା ଅସହାୟ ପରିବାରର ଦ୍ୱାରା ପରିଚାଳିତ ଉଦ୍ୟୋଗ ତଥା ଜୀବିକା ଉନ୍ନତି ପାଇଁ 20ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ଏହି ସ୍ବତନ୍ତ୍ର ପ୍ୟାକେଜ୍‌ରେ ରାଜ୍ୟକୁ ଫେରିଥିବା କୁଶଳୀ ଓ ଅର୍ଦ୍ଧକୁଶଳୀ ପ୍ରବାସୀଙ୍କ ମଧ୍ୟ ବ୍ୟବସ୍ଥା ରହିଛି । ଏହି କ୍ରମରେ  ପ୍ରବାସୀ ଫେରନ୍ତାଙ୍କ ଦ୍ୱାରା ଉଦ୍ୟୋଗର ଆରମ୍ଭ ପାଇଁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ଦିଆଯିବ ।

Categories
ଆଜିର ଖବର ରାଜ୍ୟ ଖବର

ଅର୍ଥ ଅଭାବରୁ କେହି କରୋନା ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : କରୋନା କଟକଣା ମଧ୍ୟରେ ଆଜି ସମଗ୍ର ଦେଶରେ 74 ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Image

ଏହି ସମୟରେ ସେ ଓଡ଼ିଶାର ବୀରପୁତ୍ରଙ୍କ ସ୍ମୃତିଚାରଣ କରିବା ସହ ସମ୍ମାନ ଜଣାଇଛନ୍ତି। ଏଥିସହ ବୀର ଯବାନ ଓ ଶହୀଦ କରୋନା ଯୋଦ୍ଧାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଦେଶ ଓ ରାଜ୍ୟରେ ଜାରି ରହିଥିବା କରୋନା ସଙ୍କଟର ମୁକାବିଲା ପାଇଁ ସାହାସର ସହ କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି । କରୋନା ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ ହୋଇଛି । ସେହିପରି ରାଜ୍ୟରେ ପ୍ଲାଜ୍‌ମା ଥେରାପି ଚିକିତ୍ସା ପାଇଁ ପ୍ଲାଜମା ବ୍ୟାଙ୍କ ହୋଇଛି । ଅର୍ଥ ଅଭାବରୁ କେହି କରୋନା ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିଜ ସମ୍ବୋଧନରେ କହିଛନ୍ତି।

କରୋନା ଯୋଗୁଁ  ଏଥିପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ଅର୍ଥନୀତି, ପରିବହନ ଓ ପର୍ଯ୍ୟଟନ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ନବୀନ । ତେବେ ଖୁବ୍‌ଶୀଘ୍ର ଦେଶରୁ କରୋନା ମୁକ୍ତ ହେବ ବୋଲି ବିଶ୍ୱାସ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭ୍ୟାକସିନ୍‌ ସମ୍ପର୍କରେ ଅଦର ପୁନାଓ୍ବାଲାଙ୍କ ସହକଥା ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର : ଓଡ଼ିଶାରେ କରୋନା କାୟା ବିସ୍ତାର କରି ଚାଲିଥିବାବେଳେ ଆଜି ନବୀନ ପଟ୍ଟନାୟକ ଭ୍ୟାକସିନ୍‌ ସମ୍ପର୍କରେ ଅଦର ପୁନାଓ୍ବାଲାଙ୍କ ସହ ଆଲୋଚନା କରିଛନ୍ତି । ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ସିଇଓ ଅଦର ପୁନାଓ୍ବାଲାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ । କରୋନା ଭ୍ୟାକସିନ୍‌ ସମ୍ପର୍କରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ନବୀନ । ଭ୍ୟାକ୍‌ସିନର ସଫଳ ଅଗ୍ରଗତି ନେଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ।

ଓଡ଼ିଶାକୁ ଟୀକା ଯୋଗାଣରେ ସହଯୋଗ ଆଶା କରିଛନ୍ତି ନବୀନ ।  କ୍ଲିୟରାନ୍ସ ମିଳିବା ପରେ ଓଡ଼ିଶାକୁ ଆଗ ଟୀକା ମିଳିବା ନେଇ ଆଶା ପ୍ରକାଶ ପାଇଛି । ଟୀକା ଅଗ୍ରଗତିକୁ ନିରୀକ୍ଷଣ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପୁନାଓ୍ବାଲା ପ୍ରଶଂସା କରିଛନ୍ତି । ଅଗଷ୍ଟ ମଧ୍ୟଭାଗରେ ଟିକାର ପରବର୍ତ୍ତୀ ପରୀକ୍ଷଣ ହେବ ବୋଲି କହିଛନ୍ତି ପୁନାଓ୍ବାଲା। ଅକ୍ଟୋବର-ନଭେମ୍ବର ବେଳକୁ ଟୀକା ପ୍ରସ୍ତୁତ ହୋଇଯିବ ବୋଲି କହିଛନ୍ତି ପୁନାଓ୍ବାଲା । ଟୀକା ପାଇଁ ସେରମ-ରାଜ୍ୟ ସରକାର ଯୋଗାଯୋଗରେ ରହିବେ ବୋଲି କହିଛନ୍ତି ପୁନାଓ୍ବାଲା ।

Categories
ଆଜିର ଖବର

ଘରକୁ ଫେରିବେ ତାମିଲନାଡୁରେ ରହୁଥିବା ଓଡ଼ିଆମାନେ, ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲେ ନବୀନ

ଭୁବନେଶ୍ବର : ଏବେ  ବାହାର ରାଜ୍ୟରେ ରହୁଥିବା ଘରବାହୁଡା ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସ୍ବାମୀଙ୍କ ସହିତ ତାମିଲନାଡୁରେ ଅଟକି ରହିଥିବା ଓଡ଼ିଆମାନଙ୍କ ଫେରିବା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ କେନ୍ଦ୍ର ପେଟ୍ରାଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡିଓ କନ୍‌ଫରେନ୍ସିଂରେ ଯୋଗ ଦେଇଥିଲେ ।

ଲକ୍ ଡାଉନ ସମୟରେ ତାମିଲନାଡୁ ସରକାର ସେଠାରେ ଅଟକି ରହିଥିବା ଓଡ଼ିଆମାନଙ୍କ ଉପଯୁକ୍ତ ଯତ୍ନ ନେଇଥିବାରୁ ମୁଖ୍ୟମନ୍ତ୍ରୀ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ତାମିଲନାଡୁର ଓଡ଼ିଶା ଫେରିବାକୁ ଚାହୁଁଥିଲା ଓଡ଼ିଆ ଲୋକ ଯେପରି ସୁବିଧାରେ ଓଡ଼ିଶା ଫେରି ଆସିପାରିବେ ସେ ଦିଗରେ ସହଯୋଗ ଯୋଗାଇ ଦେବା ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାନିସ୍ବାମୀଙ୍କୁ ଅନୁରୋଧ କରିଥିଲେ । ତାମିଲନାଡୁ ସରକାର ମଧ୍ୟ ଏ ଦିଗରେ ସବୁପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଚେନ୍ନାଇର ଗୁରୁ ନାନକ କଲେଜରେ କରାଯାଇଥିବା ଶିବିରରେ ରହିଥିବା ଓଡ଼ିଆମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କଥା ହୋଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

କରୋନା ମୁକାବିଲା ନେଇ ସରପଞ୍ଚମାନଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍-୧୯ ପରିଚାଳନା ନେଇ ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଆଲୋଚନା କରାଯାଇଥିଲା। ମୋଟ ୬ ହଜାର ୭ ଶହ ୯୮ ପଞ୍ଚାୟତର ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି। ପଞ୍ଚାୟତରେ କରୋନା ସଂକ୍ରମଣ ରୋକିବାକୁ ସବୁ ସରପଞ୍ଚକୁ ଶପଥ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାହାରୁ ଆସୁଥିବା ଲୋକଙ୍କୁ କ୍ବାରେଣ୍ଟିନ୍‌ରେ ରଖିବା ବ୍ୟବସ୍ଥାକୁ ଗୁରୁତ୍ବ ଦେଇଛନ୍ତି।  କରୋନା ମୁକାବିଲା କ୍ଷେତ୍ରରେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଦେଖନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

ଭୁବନେଶ୍ବର : କରୋନା ମୁକାବିଲା ଲଢେଇରେ ଆଗଧାଡିରେ ରହିଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ 50 ଲକ୍ଷର ସହାୟତା ରାଶି ଘୋଷଣା କରାଯାଇଛି । କରୋନା ରୋଗୀଙ୍କ ଚିକିତ୍ସା ସମୟରେ କୌଣସି ଡାକ୍ତର କିମ୍ବା ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଲେ ପରିବାରକୁ 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହିତ ପେନ୍‌ସନ୍‌ ପ୍ରଦାନ କରାଯିବ । ଏପରିକି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଏହି କରୋନା ଯୋଦ୍ଧାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ସେହିପରି ଡାକ୍ତର କିମ୍ବା ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରାଗଲେ ଏନଏସ୍‌ଏ ଆଧାରରେ ଦଣ୍ଡବିଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗତକାଲିର ଚେନ୍ନାଇରେ ଡାକ୍ତରଙ୍କ ଅନ୍ତ୍ୟୋଷ୍ଟି କ୍ରିୟାକୁ ନେଇ ଭିଡ ହିଂସା ଦେଖାଦେବା ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ କରୋନା ସ୍ଥିତିକୁ ମନିଟରିଂ  କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ରାଜ୍ୟରେ କରେନା ସ୍ଥିତି ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ । ଏନେଇ ଟୁଇଟ୍‌ କରି ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସଂକ୍ରମିତ ଅଞ୍ଚଳରେ ଜରୁରୀ ସାମଗ୍ରୀ ପହଞ୍ଚାଇବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ପଟ୍ଟନାୟକ । ଘର ଘର ବୁଲି ସର୍ଭେ କରୁଥିବା ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ସମ୍ପ୍ରତି ରାଜ୍ୟରେ 39 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଭୁବନେଶ୍ବର ଅଞ୍ଚଳରୁ 18 ଜଣ କୋରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବମିଖାଲରୁ 16 ଜଣ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ଥାନକୁ ସମ୍ପୂର୍ଣ୍ଣ ରୂପେ ସିଲ୍‌ କରାଯାଇ ସର୍ଭେଲାନ୍ସରେ ରଖାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ରାଷ୍ଟ୍ରପତି, ପୂର୍ବତନ ପ୍ରଧାନମନ୍ତ୍ରୀ ଓ ରାଜନୈତିକ ଦଳମାନଙ୍କର ମୁଖିଆଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ : ଦେଶରେ କରୋନାର ବ୍ୟାପକ ପ୍ରସାର ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରତିଭା ପାଟିଲ୍‌ଙ୍କ ସହ କଥା ହୋଇଛନ୍ତି। ଏହାପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ର ମନେମାହନ ସିଂ ଓ ଏଚଡି ଦେବେଗୌଡାଙ୍କ ସହ ମଧ୍ୟ କରୋନା ସମ୍ପର୍କରେ ଆଲୋଚନା କରିଛନ୍ତି । ପୂର୍ବ ରାଷ୍ଟ୍ରପତି ଓ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ସମେତ ନରେନ୍ଦ୍ର ମୋଦି ଭିନ୍ନ ଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହ ମଧ୍ୟ ଏହା ବିଷୟରେ ଚର୍ଚ୍ଚା କରିଛନ୍ତି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ମୁଲାୟମ ସିଂ, ଅଖିଳେଶ ଯାଦବ, ମମତା ବାନାର୍ଜୀ, କେ. ଚନ୍ଦ୍ରଶେଖର ରାଓ, ଷ୍ଟାଲିନ୍‌ ଓ ପ୍ରକାଶ ସିଂ ବାଦଲ୍‌ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି । ଦେଶରେ କରୋନା ମୁକାବିଲା ନେଇ ସରକାରଙ୍କ ପ୍ରସ୍ତୁତିକୁ ନେଇ ପ୍ରଧାନମନ୍ତ୍ରୀ ଚର୍ଚ୍ଚା କରିଛନ୍ତି ।

ପୂର୍ବରୁ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥା ମଧ୍ୟ ହୋଇଥିଲେ ।  କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ବୈଠକ କରୁଛନ୍ତି। କରୋନା ମୁକାବିଲା ପାଇଁ ଦେଶରେ 21 ଦିନିଆ ଲକ୍‌ ଡାଉନ୍‌ର ଘୋଷଣା କରିଥିବାବେଳେ ଆଜି ରାତ୍ରି 9ଟା ସମୟରେ 9 ମିନିଟ୍‌ ପାଇଁ ଘରର ଆଲୁଅ ବନ୍ଦ ରଖି ଦୀପ, ମହମବତୀ, ଟର୍ଚ୍ଚ ଲାଇଟ୍‌ କିମ୍ବା ମୋବାଇଲ୍‌ର ଫ୍ଲାଶ୍‌ ଲାଇଟ୍‌ ଜାଳିବାକୁ କହିଛନ୍ତି । ତେବେ ଏହି ଦୀପ ଜାଳିବା ସମୟରେ ସାମାଜିକ ଦୂରତ୍ବକୁ ଧ୍ୟାନରେ ରଖିବାକୁ କହିଛନ୍ତି । ନିଜ ଘରର ଦ୍ବାର ମୁହଁ କିମ୍ବା ବାଲ୍‌କୋନି ସମ୍ମୁଖରେ ଦୀପ, ମହମବତୀ କିମ୍ବା ଟର୍ଚ୍ଚ ଜାଳି ଦେଶର ଏଭଳି ଘଡିସନ୍ଧି ମୁହୂର୍ତ୍ତରେ  ସାରା ଦେଶବାସୀ ଏକାଠି ହୋଇ କରୋନା ବିରୋଧରେ ଲଢିବାକୁ ଚେଷ୍ଟା ଜାରି ରଖିବାର ପ୍ରମାଣ ଦେବାକୁ କହିଛନ୍ତି ମୋଦି। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମାଇଲଖୁଣ୍ଟ : ଗୋଟିଏ ଦିନରେ 1038 ନୂତନ ଡାକ୍ତରଙ୍କୁ ନିଯୁକ୍ତି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂତନ ମାଇଲଖୁଣ୍ଟ ହାସଲ କରିଛି ଓଡିଶା । ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ 1038 ଜଣ ନୂତନ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ନବନିଯୁକ୍ତ ଡାକ୍ତରଙ୍କ ଇଣ୍ଡକ୍ସନ୍‌ ଟ୍ରେନିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଆଜିର ଦିନଟି ଓଡିଶା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ଐତିହାସିକ ଦିନ ବୋଲି ନବୀନ ପ୍ରକାଶ କରିଥିଲେ । ଲୋକଙ୍କ ସେବାକୁ ନିଜର ଧର୍ମ ଭାବରେ ବିବେଚନା କରି କାର୍ଯ୍ୟ କରିବା ପାଇଁ ନବନିଯୁକ୍ତ ଡାକ୍ତରଙ୍କୁ ନବୀନ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରମୁଖ ଯୋଗ ଦେଇଥିଲେ । 5ଟି ସଚିବ ଭି କେ ପାଣ୍ଡିଆନ୍‌ 5ଟି କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିବା ସହିତ ମୋ ସରକାରର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବୁଝାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ 8719 ଡାକ୍ତର ପଦବୀ ମଧ୍ୟରୁ 5414 ଜଣ ନିୟମିତ ଡାକ୍ତର କାର୍ଯ୍ୟ କରୁଛନ୍ତି । ନିକଟରେ ଓପିଏସ୍‌ସି ପକ୍ଷରୁ 1403 ଜଣ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟରେ 1038 ଜଣ କାର୍ଯ୍ୟରେ ଯୋଗ ଦେଇଛନ୍ତି । ବାକି ଡାକ୍ତର ଖୁବ୍‌ ଶୀଘ୍ର ଦାୟିତ୍ବ ଗ୍ରହଣ କରିବେ ବୋଲି କୁହାଯାଇଛି ।

Categories
ବିଶେଷ ଖବର ରାଜ୍ୟ ଖବର

ପୂର୍ବାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିବାକୁ ଦାବି ଜଣାଇଲେ ନବୀନ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଜି ଲୋକସେବା ଭବନରେ 24ତମ ପୂର୍ବାଞ୍ଚଳ ପରିଷଦ ବୈଠକ ଅନୁଷ୍ଠିତ ହେଉଛି । ଜାତୀୟ ସଂହତି ଓ କେନ୍ଦ୍ର-ରାଜ୍ୟ ସମ୍ପର୍କ ବୃଦ୍ଧି ବୈଠକର ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହା ଉପସ୍ଥିତ ରହିଛନ୍ତି । ଏହି ବୈଠକରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାରର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଛନ୍ତି। ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣ ରଖିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟରେ ଓଡ଼ିଶା ଯୁଝୁଥିବାର ଓଡ଼ିଶାକୁ ସ୍ପେଶାଲ୍‌ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ପାଇଁ ଦାବି ଜଣାଇଛନ୍ତି ନବୀନ। ଏହି ଅବସରରେ ଫୋନି ସହାୟତା ପାଇଁ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ବୈଠକରେ ବ୍ୟାକିଂକ, ଟେଲି ଘନତ୍ବ, କୋଇଲା ରୟାଲଟି ବୃଦ୍ଧି, ରେଳ ଓ ସଡକକୁ ନେଇ ଦାବି ଜଣାଇଛନ୍ତି ।

ଟେଲି, ବ୍ୟାଙ୍କ, ରେଳ ଓ ସଡକରେ ପୂର୍ବାଞ୍ଚଳ ନିମ୍ନରେ ରହିଥିବାରୁ ଏସବୁ କ୍ଷେତ୍ରରେ ଅନୁଦାନ ଦୁଇ ଗୁଣା କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଦେଶର ଖଣି ସମ୍ପଦ କ୍ଷେତ୍ରରେ ପୂର୍ବାଞ୍ଚଳର ଅବଦାନ ସର୍ବାଧିକ ରହିଥିବାରୁ ପୂର୍ବାଞ୍ଚଳ ଅର୍ଥନୈତିକର ବିକାଶରେ ଏହାର ଫଳ ବିନିଯୋଗ କରିବାକୁ ଦାବି କରିଛନ୍ତି । କେବଳ ଓଡ଼ିଶା ନୁହେଁ,  ପୂର୍ବାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ  ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିବାକୁ ନେଇ ମଧ୍ୟ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି କୋଇଲା ରୟାଲିଟିକୁ ନେଇ ମଧ୍ୟ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । 2012ରୁ ଏଯାଏ କୋଇଲା ରୟାଲିଟି ନବୀକରଣ କରାଯାଇନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କୋଇଲା ରୟାଲିଟି ବୃଦ୍ଧି ଓ କ୍ଲିନ୍‌ ଏନର୍ଜି ସେସ୍‌ ଭାଗ ମିଳିବା ନେଇ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସମ୍ବିଧାନ ଅଷ୍ଟମ ପରିଚ୍ଛେଦରେ ହୋ, ଭୂମିଜ, ମୁଣ୍ଡାରି ଭାଷା ସାମିଲ୍‌ ହେବାକୁ ଦାବି ଜଣାଇବା ସହିତ ଧାନ କିଣା ସବସିଡି ମିଳୁ ନଥିବାରୁ ଚାଷୀଙ୍କ ପାଇଁ ସମସ୍ୟା ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ରେଳ ଭିତ୍ତିଭୂମି ପାଇଁ ରାଜ୍ୟ ମାଗଣା ଜମି ଓ ୫୦% ପାଣ୍ଠି ଯୋଗାଇବା ପରେ ବି ରେଳ ପ୍ରକଳ୍ପ ଆଗଉନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆର୍ଥିକ, ଭିତ୍ତିଭୂମି ଓ ବୈଷୟିକ କ୍ଷେତ୍ରରେ ସଂହତି ଆସିବା ଜରୁରୀ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

Categories
ଆଜିର ଖବର ରାଜ୍ୟ ଖବର

ଖଣ୍ଡଗିରିଠାରେ ‘ଗାନ୍ଧି ଶାନ୍ତି କେନ୍ଦ୍ର’ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବରର ଖଣ୍ଡଗିରିଠାରେ ଗାନ୍ଧି ଶାନ୍ତି କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି। ଯୁବପିଢିଙ୍କୁ ବାପୁଙ୍କ ଅହିଂସା ନୀତି ଓ ଆଦର୍ଶ ବିଷୟରେ ଜଣାଇବା ଉଦ୍ଦେଶ୍ୟରେ ଆଦିତ୍ୟ ବିର୍ଲା ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହା ପୁନରୁଦ୍ରେକ କରାଯାଇଛି। ଏହି ଶାନ୍ତି କେନ୍ଦ୍ରରେ ଗାନ୍ଧିଙ୍କ ସ୍ମୃତି, ବିରଳ ସାମଗ୍ରୀ, ଫଟୋ ଏବଂ ବାଣୀକୁ ସ୍ଥାନିତ କରାଯାଇଛି। କେନ୍ଦ୍ର ମଝିରେ ଏକ ଶାନ୍ତି ସ୍ତମ୍ଭ ପ୍ରତିଷ୍ଠା ହୋଇଛି । ଗାନ୍ଧିଜୀଙ୍କ ଜୀବନୀକୁ ନେଇ ଏଠାରେ ରହିଛି ଭିନ୍ନ ଭିନ୍ନ ଗ୍ୟାଲେରୀ । ଗାନ୍ଧିଙ୍କ ଦର୍ଶନକୁ ହିନ୍ଦି, ଇଂରୀଜୀ ଏବଂ ଓଡ଼ିଆ ଭାଷାରେ ପ୍ରସାରଣ କରାଯିବ। ଖଣ୍ଡଗିରିଠାରେ ପାଞ୍ଚ ଏକର ଜମିରେ ଏହି ଶାନ୍ତି କେନ୍ଦ୍ର ନିର୍ମିତ ହୋଇଥିବାବେଳେ ଏହା 2013ରୁ ଆରମ୍ଭ କରାଯାଇଥିଲା ।

Categories
ବିଶେଷ ଖବର

ଦିଲ୍ଲୀ ସରକାର ଯାହା କରିପାରିଲେ ଓଡିଶା ସରକାର ତାହା କରି ପାରିବେ କି?

କେଦାର ମିଶ୍ର

ଏବେ ଦିଲ୍ଲୀର ରାଜ୍ୟ ସରକାର ନିଜ ଶାସନର ମଡେଲକୁ ନେଇ ଲୋକଙ୍କ ପାଖକୁ ଯାଇଥିଲେ ଓ ଲୋକେ ତାଙ୍କୁ ତାଙ୍କ କାମ ଆଧାରରେ  ଆଉ ପାଞ୍ଚ ବର୍ଷ ଶାସନ କରିବାର ସୁଯୋଗ ଦେଲେ। ଦିଲ୍ଲୀ ସରକାରଙ୍କର ଦୁଇଟି କଥାକୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଛି। ପ୍ରଥମଟି ହେଲା ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ଓ ଲୋକଙ୍କୁ ବିଜୁଳି,ପାଣି ଭଳି ଅତ୍ୟାବଶ୍ୟକ ସୁବିଧା ମାଗଣାରେ ବା ଶସ୍ତାରେ ଦେଇ ପାରିବାର ସଫଳତା। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ କାମକୁ ପ୍ରଶଂସା କରିବାକୁ ତାଙ୍କର ଶତ୍ରୁ ମଧ୍ୟ ବାଧ୍ୟ ହେବେ। ତେବେ ମାଗଣା ବା ଶସ୍ତା ବିଜୁଳି-ପାଣିକୁ “ମାଗଣାଖିଆ କାରବାର” (ଇଂରାଜୀରେ ଫ୍ରିବି) ବୋଲି କେହି କେହି କହୁଛନ୍ତି। ତେବେ ସରକାର ଏଠି କାହା ବୋପାର ସମ୍ପତ୍ତି ନୁହଁ ଯେ ସେ ମାଗଣାରେ କିଛି ବାଣ୍ଟୁଛନ୍ତି। ଗୋଟେ ଜନକଲ୍ୟାଣକାରୀ ରାଷ୍ଟ୍ରର ଦାୟିତ୍ଵ ହେଉଛି, ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇଦେବା। ଶିକ୍ଷା କୁ ଆମେ ସମ୍ବିଧାନର ମୌଳିକ ଅଧିକାର ଭାବେ ଗ୍ରହଣ କରିଥିଲେ ମଧ୍ୟ, ଆଜି ମଧ୍ୟ ସବୁ ନାଗରିକଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବାରେ ଆମେ ଅସମର୍ଥ ହୋଇଛୁ। ତେଣୁ ଗୋଟେ ରାଜ୍ୟ ସରକାର ଯେତେବେଳେ ଶିକ୍ଷା ଓ ସ୍ୱାସ୍ଥ୍ୟ ଲାଗି ସର୍ବାଧିକ ସମ୍ବଳ ବିନିଯୋଗ କରୁଛନ୍ତି, ତାକୁ ସମାଲୋଚନା କରିବାର କୌଣସି ଅର୍ଥ ନାହିଁ।

ଅନେକ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମର୍ଥକମାନେ ଗୋଟେ ପ୍ରଶ୍ନ କରୁଛନ୍ତି- ଦିଲ୍ଲୀ ସରକାର ଯାହା କରୁଛନ୍ତି, ଅନ୍ୟ ରାଜ୍ୟ ସରକାର ଗୁଡିକ ତାହା କରୁନାହାନ୍ତି କାହିଁକି। ଏହାର ସରଳ ଉତ୍ତର ହେଉଛି, ଲୋକ କଲ୍ୟାଣକାରୀ ଯୋଜନା ପାଇଁ ଦିଲ୍ଲୀ ସରକାରଙ୍କ ପାଖରେ ଯେଉଁ ବଳକା ରାଜସ୍ଵ ରହିଛି, ତାହା ଅନ୍ୟ କୌଣସି ରାଜ୍ୟଙ୍କ ପାଖରେ ନାହିଁ। ଭାରତର ଯେଉଁ ଦୁଇଟି ରାଜ୍ୟ ପାଖରେ ବଳକା ରାଜସ୍ୱ ରହିଛି, ସେମାନେ ହେଲେ ଦିଲ୍ଲୀ ଓ ମହାରାଷ୍ଟ୍ର। ରିଜର୍ଭ ବ୍ୟାଙ୍କର କହିବା ଅନୁସାରେ ଚଳିତ ବର୍ଷ ଦିଲ୍ଲୀ ସରକାର ୨୦,୧୪୨କୋଟି ଟଙ୍କାର ଲୋକ କଲ୍ୟାଣ ଯୋଜନା କରି ପାରିବେ। ଏତେ ଟଙ୍କା ଖର୍ଚ୍ଚ କଲେ ମଧ୍ୟ ସରକାରୀ ବଜେଟରେ ଚାପ ପଡିବାର ସମ୍ଭାବନା ନାହିଁ।

ଦିଲ୍ଲୀ ର ବଳକା ବଜେଟ ପାଇଁ କିଛିଟା ଶ୍ରେୟ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପାଖକୁ ମଧ୍ୟ ଯିବ। ୨୦୧୦-୧୧ ବେଳକୁ ରାଜ୍ୟ ଜିଡିପିର ୪.୨% ଅର୍ଥ ରାଜସ୍ଵ ବଳକା ଭାବରେ ରାଜକୋଷରେ ରହିଥିଲା। ବଜେଟ ବଢିବା ସହିତ ଏହା ୪.୨% ରୁ କମି ୦.୭% ପହଞ୍ଚିଛି। ଦିଲ୍ଲୀ ଭଳି ଛୋଟିଆ ରାଜ୍ୟ ପାଇଁ ଏହା ବହୁତ ବଡ ଆର୍ଥିକ ବିଳାସ ବୋଲି କୁହାଯାଇପାରେ। ତେଣୁ କେଜ୍ରିୱାଲଙ୍କ ପାଖରେ ରାଜସ୍ଵର ଏକ ବଡ ସ୍ରୋତ ରହିଛି। ଏହା ଅନ୍ୟ ରାଜ୍ୟମାନଙ୍କ ପାଖରେ ନାହିଁ।

ଓଡିଶା ଦିଲ୍ଲୀ ଭଳି କାହିଁକି କରି ପାରୁନାହିଁ ବୋଲି ଅନେକ ସମୟରେ ପ୍ରଶ୍ନ ଉଠୁଛି। ଏହାର ଅତି ସହଜ ଉତ୍ତର ହେବ- ଓଡିଶା ଦିଲ୍ଲୀ ନୁହେଁ। ଓଡିଶା ବା ଅନ୍ୟାନ୍ୟ ରାଜ୍ୟ ସରକାର ଗୁଡିକ କୃଷି, ଆଇନ ଶ୍ରୁଙ୍ଖଳା, ଆଦିବାସୀ କଲ୍ୟାଣ ଇତ୍ୟାଦି କ୍ଷେତ୍ରରେ ଯାହା ଖର୍ଚ୍ଚ କରନ୍ତି, ତାହା ଦିଲ୍ଲୀରେ ହେବାର ସମ୍ଭାବନା କମ। ଏକ କସ୍ମୋପଲିଟାନ ରାଜ୍ୟ ଭାବରେ କୃଷି ଲାଗି ଦିଲ୍ଲୀର ଖର୍ଚ୍ଚ ସେତେ ବେଶୀ ନୁହଁ।ଭୂ ରାଜସ୍ଵ ଏବଂ ଆଇନ ଶ୍ରୁଙ୍ଖଳା ଦିଲ୍ଲୀର ଦାୟିତ୍ବରେ ନାହିଁ। ତେଣୁ ଏ କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କର ଖର୍ଚ୍ଚ ଯଥେଷ୍ଟ କମ। ଓଡିଶାରେ ଭୂ ରାଜସ୍ୱ ତଥା ଆଇନ ଶୃଙ୍ଖଳା ବାବଦକୁ ବଜେଟର ଏକ ବଡ ଅଂଶ ଖର୍ଚ୍ଚ ହୋଇଥାଏ। ତେଣୁ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଭଳି ଅତ୍ୟାବଶ୍ୟକ ଯୋଜନା ବାବଡକୁ ଖର୍ଚ୍ଚ କରିବାରେ ଓଡିଶା ସରକାରଙ୍କୁ ଅର୍ଥର ଅଭାବ ପଡିଥାଏ।

ଗତ ପାଞ୍ଚ ବର୍ଷରେ କେନ୍ଦ୍ର ସରକାର ଦିଲ୍ଲୀ ସରକାରକୁ କେନ୍ଦ୍ରୀୟ ଅନୁଦାନ ଏବଂ ଟିକସର ରାଜ୍ୟଭାଗ କମାଇ ଦେବା ସତ୍ତ୍ୱେ ଦିଲ୍ଲୀ ସରକାର ଲୋକଙ୍କୁ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ସୁବିଧା ଯୋଗାଇ ପାରୁଛନ୍ତି। ଏହା ଅନ୍ୟ ରାଜ୍ୟଙ୍କ ପାଖରେ ସମ୍ଭବ ନୁହେଁ। କେଜ୍ରିୱାଲ ନିଜର “ନୀତି ଓ ନିୟତ” କଥା କହିବା ଅବଶ୍ୟ ଠିକ, ହେଲେ ନୀତି ଓ ଉଦ୍ଦେଶ୍ୟ ଠିକ ଥିଲେ ମଧ୍ୟ ଅନ୍ୟାନ୍ୟ ରାଜ୍ୟ ଗୁଡିକ ଦିଲ୍ଲୀ ଭଳି ଆର୍ଥିକ ସୁଯୋଗ ରୁ ବଞ୍ଚିତ। ରାଜଧାନୀ ସହର ଭାବରେ ବ୍ୟବସାୟର ଏକ ସ୍ଵାଭାବିକ ପରିବେଶ ଦିଲ୍ଲୀରେ ରହିଛି। ଏହା ଅନ୍ୟ ରାଜ୍ୟଙ୍କ ପାଖରେ ନାହିଁ। ମହାରାଷ୍ଟ୍ର ସରକାରଙ୍କ ପାଖରେ ବଳକା ରାଜସ୍ୱ ଥିଲେ ମଧ୍ୟ, ମହାରାଷ୍ଟ୍ରର ଭୌଗୋଳିକ ବିସ୍ତୃତି ଏବଂ ଆଇନ ଶ୍ରୁଙ୍ଖଳାର ଜଟିଳତା ଯୋଗୁଁ, ସେଠାରେ ମଧ୍ୟ ଦିଲ୍ଲୀ ଭଳି ସୁଯୋଗ ନାହିଁ। ରାଜସ୍ୱ ଦୃଷ୍ଟିରୁ ଦିଲ୍ଲୀ ସରକାରଙ୍କ ହାତରେ ପୁଲିସ ବିଭାଗ ନ ରହିବା, ତାଙ୍କ ପାଇଁ ଏକ ପ୍ରକାର ବରଦାନ ପାଲଟିଛି। ଓଡିଶା ବା ଅନ୍ୟ ରାଜ୍ୟଙ୍କ ପାଖରେ ସେ ସୁଯୋଗ ବିଲକୁଲ ନାହିଁ।

ତେବେ ନେତାଙ୍କ “ନୀତି ଓ ନିୟତ” ଠିକ ରହିଲେ, ଲୋକଙ୍କ ଲାଗି ଅନେକ କିଛି ଅବଶ୍ୟ କରିହେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସରକାର ଗଠନ ପାଇଁ କେଜ୍ରିଓ୍ବାଲଙ୍କୁ ନବୀନଙ୍କ ଶୁଭେଚ୍ଛା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟନାୟକ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବୃହତ ବିଜୟ ପାଇଁ କେଜ୍ରିଓ୍ବାଲଙ୍କୁ ଏବଂ ଆମ୍‌ ଆଦମୀ ପାର୍ଟି (ଆପ୍‌)କୁ ଧନ୍ୟବାଦ ଜଣାଇଛନ୍ତି। ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ କେଜ୍ରିଓ୍ବାଲଙ୍କୁ ନବୀନ ଧନ୍ୟବାଦ ଜଣାଇଛନ୍ତି। ହ୍ୟାଟ୍ରିକ୍‌ ବିଜୟ ପାଇଁ କେଜ୍ରିଓ୍ବାଲଙ୍କୁ ଧନ୍ୟବାଦ ବୋଲି ନବୀନ ଟ୍ବିଟ୍‌ କରିଛନ୍ତି।

Categories
ବିଶେଷ ଖବର

କେନ୍ଦ୍ର ସରକାରଙ୍କ ନାଗରିକତା ନୀତି, ବିଶ୍ଵାସ ଓ ଅବିଶ୍ଵାସର ଦୋ ଛକିରେ ବିଜୁ ଜନତା ଦଳ

କେଦାର ମିଶ୍ର

ଏକଥା ସମସ୍ତେ ଜାଣନ୍ତି ଯେ ବିଜୁ ଜନତା ଦଳର ସମର୍ଥନ ବିନା ସଂସଦରେ ନାଗରିକତା ସଂଶୋଧନ ଆଇନ ଗୃହିତ ହୋଇ ପାରି ନଥାନ୍ତାକେବଳ ଏହି ବିଲ ନୁହଁ, ଗତ ଛଅ ମାସ ଭିତରେ ସଂସଦରେ ଅନେକ ବିଲ ଆସିଛି, ଯାହାକୁ ବିଜେଡ଼ିର ସମର୍ଥନ ବିନା ଗୃହିତ କରାଇବା ସମ୍ଭବ ହୋଇନଥାନ୍ତା। ସଂସଦୀୟ ରଣନୀତିରେ ବିଜେପି ପାଇଁ ବିଜେଡି ଏକ ପ୍ରକାର ତ୍ରାଣକର୍ତ୍ତା ଭୂମିକା ନିଭାଇ ଆସୁଛିଜାତୀୟ ରାଜନୀତିରେ ବିଜେଡ଼ିର ବିଶେଷ କିଛି ସ୍ଵାର୍ଥ ନ ଥିବାରୁ ଏହା ତଥାକଥିତ “ରାଜ୍ୟର ସ୍ଵାର୍ଥ” ସ୍ଵାର୍ଥ ପାଇଁ ବିଜେପି ସହିତ କେତେବେଳେ ବୁଝାମଣା ଓ ପୁଣି କେବେ ମୂଲଚାଲ କରିବାକୁ ଉଚିତ ମନେ କରୁଛି। ତେବେ ବିଜେପି କୁ ନିଃସର୍ତ୍ତ ସମର୍ଥନ ଦେଇ ବିଜେଡି ଜାତୀୟ ରାଜନୀତିରେ ଏକ ପ୍ରକାର ଅଲୋଡା ହୋଇପଡିଥିବା ବେଳେ ରାଜ୍ୟ ରାଜନୀତିରେ ନିଜର ଚରମ ଶତ୍ରୁ ବିଜେପିକୁ କୋଣଠେସା କରିଦେଇଛି ବୋଲି ଭାବୁଛି। କାଶ୍ମୀର ଓ ନାଗରିକତା ନୀତି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କର ବିଭାଜନକାରୀ ରାଜନୀତି ସହିତ ନିଜର ସମର୍ଥନ ଦେଇ ବିଜେଡି ଅନ୍ତତଃ ଜାତୀୟ ରାଜନୀତିରେ ସାମ୍ପ୍ରଦାୟିକ ରାଜନୀତିର ନୀରବ ସମର୍ଥକ ବୋଲି ପ୍ରମାଣିତ କରିଛି।

ବିଜେଡି ଲାଗି ବୈଚାରିକ ଦୃଷ୍ଟିରୁ ଏହା ଏକ ପ୍ରକାର ଦୋ ଛକି ବୋଲି କୁହା ଯାଇପାରେ। ବିଜେଡି ମୁଖିଆ ନବୀନ ପଟ୍ଟନାୟକ ନିଜକୁ ଗାନ୍ଧୀବାଦର ସମର୍ଥକ ଓ ସାମ୍ପ୍ରଦାୟିକ ରାଜନୀତିର ଘୋର ବିରୋଧୀ ବୋଲି ବିଭିନ୍ନ ସମୟରେ କହି ଆସିଛନ୍ତି। ହେଲେ କାର୍ୟତଃ ତାଙ୍କ ନେତୃତ୍ବରେ ବିଜେଡି ସବୁ ବେଳେ ବିଜେପିର ବିଭାଜନକାରୀ ନୀତି ରାଜନୀତିକୁ ସମର୍ଥନ ଦେଇଛି। ୨୦୦୯ ମସିହା ପରଠୁ ଓଡିଶାରେ ଯଦିଓ ସାମ୍ପ୍ରଦାୟିକ ରାଜନୀତିର ପ୍ରଭାବ କମିଛି, ତଥାପି ବିଜେପି ତରଫରୁ ଯେ କୌଣସି ସମୟରେ ସାମ୍ପ୍ରଦାୟିକ ରାଜନୀତିର ସମ୍ଭାବନାକୁ ଅସ୍ଵୀକାର କରି ହେବନାହିଁ। ଓଡିଶାରେ ମାତ୍ର ୪% ସଂଖ୍ୟାଲଘୁ ଭୋଟ ଯୋଗୁଁ, ଏଠାରେ ଧୃବୀକରଣ ରାଜନୀତି କାମ ଦେଉନାହିଁ। ହେଲେ ନାଗରିକତା ସଂଶୋଧନ ଆଇନ ଆସିଲା ପରେ ଓ ପ୍ରସ୍ତାବିତ ଜାତୀୟ ନାଗରିକ ପଞ୍ଜିକାର ଭୟ ଲୋକଙ୍କୁ ଗ୍ରାସିବା ପରେ, ଏକ ନୂଆ ରାଜନୈତିକ ଧୃବିକରଣ ଆରମ୍ଭ ହୋଇଛି

କେନ୍ଦ୍ର ସରକାରଙ୍କ ନାଗରିକତା ନୀତିର ସବୁଠୁ ବଡ ପ୍ରଭାବ କେବଳ ସଙ୍ଖ୍ୟାଲଘୁଙ୍କ ଉପରେ ପଡିବ ନାହିଁ। “କାଗଜ ଦେଖାଇଲେ ଯାଇ ନାଗରିକତା ମିଳିବ” ବୋଲି ଯେଉଁ ନୀତି ବିଜେପି ସରକାର ତିଆରି କରୁଛନ୍ତି, ତାହା ସିଧାସଳଖ ଏ ଦେଶର ଦଳିତ, ପଛୁଆ ବର୍ଗ, ଭୂମିହୀନ, ଆଦିବାସୀ, ମହିଳା, ସଂଖ୍ୟାଲଘୁ ଓ ଯାଯାବର ଜାତିମାନଙ୍କ ଉପରେ ପଡିବ। ଏହି ସବୁ ବଞ୍ଚିତ ବର୍ଗ ଏବେ ନାଗରିକତା ନୀତି ବିରୋଧରେ ଏକାଠି ହେବା ଆରମ୍ଭ କରିଛନ୍ତି। ଆରମ୍ଭରୁ ନାଗରିକତା ସଂଶୋଧନ ବିରୋଧୀ ଆଇନକୁ ହିନ୍ଦୁ-ମୁସଲମାନ ବିଭାଜନର ଏକ ସୁଯୋଗ ଭାବେ ବ୍ୟବହାର କରିବାକୁ ବିଜେପି ଚାହୁଁଥିଲା। ଏବେ କିନ୍ତୁ ଏହା ବିଜେପିର ଧାର୍ମିକ ଧୃବିକରଣ ବିରୋଧରେ ଦଳିତ-ସଂଖ୍ୟାଲଘୁ-ଆଦିବାସୀ ଓ ମହିଳାଙ୍କର ଏକ ପ୍ରତି ଧୃବିକରଣ (Counter polarization) ତିଆରି କରୁଛି। ଏ ପ୍ରକାର ରାଜନୈତିକ ପରିବର୍ତ୍ତନକୁ ସାମ୍ନା କରିବା ଲାଗି ବିଜେଡି ଏବେ ଏନପିଆର ଓ ଏନଆରସିକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରିବା ଆରମ୍ଭ କରିଛି

ମୂଳରୁ ରାଜ୍ୟରେ ଏନସିଆର ଲାଗୁ କରାଇ ଦିଆଯିବ ନାହିଁ ବୋଲି ବିଜେଡି ସ୍ପଷ୍ଟ କରିଥିଲାତେବେ ଜାତୀୟ ଜନସଂଖ୍ୟା ପଞ୍ଜିକା ତିଆରି ବେଳେ ଏହାକୁ ଏନସିଆର ର ଆଧାର ବୋଲି କେନ୍ଦ୍ର ସରକାର ଯାହା ଲେଖିଛନ୍ତି, ତାହା ବିଜେଡି ଲାଗି ମୁଣ୍ଡବିନ୍ଧାର କାରଣ ହୋଇଛିଏନପିଆର କୁ କେନ୍ଦ୍ର ସରକାରଙ୍କ ଇଚ୍ଛା ମୁତାବକ ଲାଗୁ ନକରି ଓଡିଶା ସରକାର ଏଥିରେ କିଛି ପରିବର୍ତ୍ତନର ପ୍ରସ୍ତାବ ଦେଇଛନ୍ତିଏନପିଆର ମାଧ୍ୟମରେ ପଛୁଆ ବର୍ଗଙ୍କର ଗଣନା, ନାଗରିକର ପିତାମାତା ଙ୍କ ଜନ୍ମସ୍ଥାନ ଓ ତାରିଖ ଜାଣିବା ଭଳି ପ୍ରସଙ୍ଗକୁ ବାଦ ଦେବାକୁ ଓଡିଶା ସରକାର କହୁଛନ୍ତି। ହେଲେ ଏଠି ପ୍ରଶ୍ନ ଉଠୁଛି, କେନ୍ଦ୍ର ସରକାର ଓଡିଶା ପାଇଁ ଏକ ଭିନ୍ନ ଫର୍ମାଟ ତିଆରି କରିବେ କି?

ପଛୁଆ ବର୍ଗ ପ୍ରସଙ୍ଗ ଉଠାଇ ବିଜେଡି ବିଜେପି ପାଇଁ ଏକ ବଡ ଆହ୍ଵାନ ସୃଷ୍ଟି କରିଛିବିଜେପିର ଧାର୍ମିକ ଧୃବିକରଣରେ ପଛୁଆ ବର୍ଗର ସମର୍ଥନ ଅପରିହାର୍ୟ। ଏଥିରେ ପ୍ରଶ୍ନଚିହ୍ନ ଲଗାଇ ବିଜେଡି ପୂରା ଗଣିତକୁ ବିଗାଡି ଦେଇଛି। ଏବେ ପଛୁଆ ବର୍ଗଙ୍କର ଗଣନା ଲାଗି ଜାତୀୟ ନୀତି କଣ ହେବ, ତାହା ଭାବିବାକୁ କେନ୍ଦ୍ର ସରକାର ବାଧ୍ୟ ହେବେ। ଏନପିଆର ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାର ଦିଲ୍ଲୀ ନିର୍ବାଚନ ପରେ ନିଜର ନୀତି ସ୍ପଷ୍ଟ କରିପାରନ୍ତି। ଏପରିକି ନାଗରିକତା ସଂଶୋଧନ ଆଇନରେ କିଛିଟା ସଂଶୋଧନ ପ୍ରସଙ୍ଗ ମଧ୍ୟ ଚର୍ଚ୍ଚା ଚାଲିଛି। ଦିଲ୍ଲୀ ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗରେ ପଛଘୁଞ୍ଚା ଦେବାର ବାର୍ତ୍ତା ଲୋକଙ୍କ ପାଖକୁ ଯାଉ ବୋଲି ବିଜେପି ଚାହୁଁ ନାହିଁ।

ନାଗରିକତା ପ୍ରସଙ୍ଗରେ ବିଜୁ ଜନତା ଦଳ ଏବେ କୌଣସି ସ୍ପଷ୍ଟ ନୀତି ଅନୁସରଣ କରିବା ଅବସ୍ଥାରେ ନାହିଁ। ଅମିତ ଶାହାଙ୍କ ନେତୃତ୍ବରେ ଗୃହ ବିଭାଗର ଉଦ୍ଦେଶ୍ୟକୁ ବିଶ୍ଵାସ କରିବା ବିଜେଡି ଲାଗି ଯେତିକି ସଙ୍କଟଜନକ, ତାଙ୍କୁ ବିଶ୍ବାସକୁ ନ ନେବା ତାଠୁ ଅଧିକ ବିପଜ୍ଜନକ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ବଜେଟ୍‌ ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ବିଜେଫିର ସଂସଦୀୟ ବୈଠକ ଅନୁଷ୍ଠିତ ହେବ । ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ ।  ବିଜେଡିର ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଏହି ବୈଠକରେ ସାମିଲ ହେବେ। ଏହି ବୈଠକରେ ରେଳ ପ୍ରକଳ୍ପ, ଆୟୁଷ୍ମାନ ଭାରତ, ସିଏଏ, ଏନ୍‌ଆରସି, କୋଇଲା ରୟାଲିଟି, ଗ୍ରୀନ୍‌ ସେସ୍‌ ଆଦି ଉପରେ ଆଲୋଚନା ହେବା ନେଇ ସମ୍ଭାବନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଏସ୍‌ସିବି ପୁନର୍ବିନ୍ୟାସ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କଟକ ଏସ୍‌ସିବି ପୁନର୍ବିନ୍ୟାସ, ଥଇଥାନ ଓ ସହାୟତା ପ୍ୟାକେଜ୍‌କୁ ମଂଜୁରୀ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥାୟୀ ଘର, ଦୋକାନ, ଅନଧିକୃତ ଘର, ଦୋକାନ ପାଇଁ ପ୍ୟାକେଜ୍‌ର ଘୋଷଣା କରିଛନ୍ତି । ସରକାରୀ ଅନୁମୋଦିତ ପ୍ରକ୍ରିୟାରେ ଜମି ମାଲିକଙ୍କଠାରୁ ଜମି ଅଧିଗ୍ରହଣ ହେବା ସହିତ ରାଜ୍ୟ ସରକାରଙ୍କ କ୍ଷତିପୂରଣ ଆଇନ ଅନୁସାରେ କ୍ଷତିପୂରଣ ରାଶି ମିଳିବ ବୋଲି ସୂଚନା ଦିଆଯାଇଛି । ଏହି କ୍ରମରେ ଜମି, ବାସହରା ପରିବାରକୁ ଜରୁରୀ ବ୍ୟବସ୍ଥା ପାଇଁ 1 ଲକ୍ଷ ସହାୟତା ରାଶି ଦିଆଯିବ । ସେହିପରି ଅନଧିକୃତ ବାସଗୃହ କ୍ଷତିଗ୍ରସ୍ତଙ୍କ ପାଇଁ ଏକକାଳୀନ 50ହଜାର ଟଙ୍କା ମିଳିବ ବୋଲି ସୂଚନା ରହିଛି ।  ପ୍ରତି ପରିବାର ପାଇଁ 15 x15 ପ୍ଲଟରେ ଅସ୍ଥାୟୀ ଗୃହ ନିର୍ମାଣ ପାଇଁ ଲାଇସେନ୍ସ । ଅସ୍ଥାୟୀ ଆବାସସ୍ଥଳୀରେ ଆଶ୍ରିତ ଲୋକଙ୍କୁ 8 ଦିନ ପର୍ଯ୍ୟନ୍ତ ଖାଦ୍ୟ ଦିଆଯିବ ଓ ଲୋକଙ୍କ ସ୍ଥାନାନ୍ତର ପାଇଁ ମହାନଗର ନିଗମପକ୍ଷରୁ ପରିବହନ ବ୍ୟବସ୍ଥା ମଧ୍ୟ କରାଯିବ। ସିଏମ୍‌ସି ରେଜଷ୍ଟ୍ରିଭୁକ୍ତ ଦୋକାନୀଙ୍କୁ ଏକକାଳୀନ 1ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ । ସ୍ଥିତିବାନ ସତ୍ତ୍ବେ ଥିବା ସ୍ଥାୟୀ ଦୋକାନ ଘରକୁ ସିଧା କ୍ରୟ କରାଯିବ । ସ୍ଥାୟୀ ଦୋକାନ ପରିବହନ ବ୍ୟବସ୍ଥା ପାଇଁ 2ଟି କିସ୍ତିରେ 1 ଲକ୍ଷଟଙ୍କା ମିଳିବ । ଅନଧିକୃତ ଦୋକାନ ଘର ପାଇଁ ଏକକାଳୀନ 30 ହଜାର ଟଙ୍କା ସେହିପରି ପ୍ରତି ଉଠା ଦୋକାନୀଙ୍କୁ ଏକକାଳୀନ 20 ହଜାର ଟଙ୍କାର ସହାୟତା ରାଶି ରହିଥିବାବେଳେ ସ୍ଥାନାନ୍ତରିତ ଧାର୍ମିକ ଅନୁଷ୍ଠାନ, କ୍ଲବ ପାଇଁ ଏକକାଳୀନ 1 ଲକ୍ଷ ଟଙ୍କାର ମିଳିବ। ସ୍ଥାନାନ୍ତରିତ ପ୍ରତି ଗାଈ  ଗୁହାଳ ପିଛା ଏକକାଳୀନ 20 ହଜାର ଟଙ୍କା ସହାୟତା ରାଶି ଦିଆଯିବ ବୋଲି ଘୋଷଣା କରାଯାଇଛି । ସରକାରୀ କ୍ବାର୍ଟର୍ସ ହରାଉଥିବା କର୍ମଚାରୀଙ୍କୁ ଘରଭଡା ଓ ସ୍ବତନ୍ତ୍ର ସହାୟତା ଦିଆଯିବ । 12 ମାସ କିମ୍ବା ନୂଆ କ୍ବାର୍ଟର୍ସ ମିଳିବା ଯାଏ ମାସିକ ସହାୟତା ମିଳିବ । ଚତୁର୍ଥ ଶ୍ରେଣୀଙ୍କୁ 5 ହଜାର ଟଙ୍କା, ତୃତୀୟ ଶ୍ରେଣୀ କର୍ମଚାରୀଙ୍କୁ ସାତହଜାର ପାଞ୍ଚଶହ ଟଙ୍କା, ଦ୍ବିତୀୟ ଶ୍ରେଣୀ କର୍ମଚାରୀଙ୍କୁ ଦଶହଜାର ଟଙ୍କା ଓ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ବାରହଜାର ପାଞ୍ଚଶହ ଟଙ୍କାର ସହାୟତା ରାଶି ମିଳିବ ବୋଲି ସୂଚନା ରହିଛି ।

କଟକ ବଡ଼ ମେଡିକାଲକୁ ଏମ୍‌ସ ପ୍ଲସ୍‌ କରିବା ନେଇ ରାଜ୍ୟସରକାର ବିଶେଷ ପଦକ୍ଷେପ ନେଇଛନ୍ତି । ଗତ ଗୁରୁବାରଦିନ ହାଡ଼ିଆପଠାଠାରେ ହେବାକୁ ଥିବା ଏସ୍‌ସିବିର ଦ୍ଵିତୀୟ କ୍ୟାମ୍ପସ୍‌ର ଭିତ୍ତିଭୂମି ପରିଦର୍ଶନ କରିଥିଲେ। ସେ ପ୍ରସ୍ତାବିତ ଏସ୍‌ସିବି ଦ୍ୱିତୀୟ କ୍ୟାମ୍ପସ୍‌ର ନକ୍ସା ମଧ୍ୟ ସମୀକ୍ଷା କରିଛନ୍ତି।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକ ବଡ଼ ମେଡିକାଲ ତଥା କଟକବାସୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । କଟକ ସହର ଚତୁଃପାଶ୍ୱର୍ ରିଂ ରୋଡ଼ ୬ ଲେନ ବିଶିଷ୍ଟ କରାଯିବା ପାଇଁ ଘୋଷଣା କରିଛନ୍ତି । ପୂର୍ବରୁ ଫାଇଭ୍‌ ଟି ସଚିବ ମେଡିକାଲ ଓ ପ୍ରସ୍ତାବିତ ମେଡିକାଲର ଦ୍ବିତୀୟ କ୍ୟାମ୍ପସ୍‌ର ଭିତ୍ତିଭୂମି ପରିଦର୍ଶନ କରିବା ସହିତ ସ୍ଥିତିର ସମୀକ୍ଷା ମଧ୍ୟ କରିଥିଲେ । ଏସ୍‌ସିବିର ନବକଳେବର କାମ ମାର୍ଚ୍ଚରୁ ଆରମ୍ଭ ହେବ ବୋଲି ସୂଚନା ରହିଛି ।

Categories
ଆଜିର ଖବର

ଆଇଏଏସ୍‌ ସମ୍ମିଳନୀ ଅନୁଷ୍ଠିତ : ଅଫିସରଙ୍କୁ ମାର୍ଗଦର୍ଶନ କରାଇଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଆଜି ଲୋକସେବା ଭବନରେ ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ନବନିର୍ମିତ ସମ୍ମିଳନୀ କକ୍ଷରେ ହେବାକୁ ଥିବା ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଏହି ସମ୍ମିଳନୀରେ ମୁଖ୍ୟ ସଚିବ, ବିଭାଗୀୟ ସଚିବ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହିଛନ୍ତି । ଏହି ଅବସରରେ ଉପସ୍ଥିତ ଅଫିସରଙ୍କୁ ମାର୍ଗଦର୍ଶନ କରାଇଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଅଫିସରମାନଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସାଢେ ଚାରିକୋଟି ଓଡ଼ିଶାବାସୀ ହିଁ ତାଙ୍କର ପରିବାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକମାନେ ହିଁ ଆମର ପ୍ରଭୁ, ସେମାନଙ୍କର ସେବା କରିବା ଆମର କର୍ତ୍ତବ୍ୟ ବୋଲି କହିଛନ୍ତି। ସରକାରଙ୍କ ଫୋକସ୍‌ରେ ‘୫-ଟି’ ଓ ‘ମୋ ସରକାର’ ରହୁଥିବାରୁ ଏହାକୁ ବ୍ୟାପକ ଓ ସଫଳ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁ ମନ୍ତ୍ର ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଦୁର୍ନୀତି ବିରୋଧରେ ରାଜ୍ୟସରକାରଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ : ଦୁଇ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ଚାରି ଅଧିକାରୀଙ୍କୁ ନିଲମ୍ବନ

ସମୀକ୍ଷାବ୍ୟୁରୋ

ଭୁବନେଶ୍ବର :

ରାଜ୍ୟସରକାର ଦୁର୍ନୀତି ବିରୋଧରେ ଜିରୋ ଟରେଲନ୍ସ ନୀତି ଆପଣାଉଛନ୍ତି। ନବୀନ ସରକାର ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଅଭିଯାନ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହିକ୍ରମରେ ୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ୪ ଜଣ ଅଧିକାରୀ ଚାକିରିରୁ ନିଲମ୍ବିତ  ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ସରକାର ସହକାରୀ ଯନ୍ତ୍ରୀ ନାରାୟଣ ତିଆଡ଼ିଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ବରଗଡ଼ ଆରଡବ୍ଲ୍ୟୁଏସଏସରେ ଚାକିରି କରୁଥିବା ତିଆଡ଼ିଙ୍କୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ କର୍ତ୍ତବ୍ୟରେ ଅବହେଳା ଯୋଗୁଁ  ଅବସର ଦିଆଯାଇଛି। ଅନ୍ୟ ଜଣକ ହେଲେ ଦୀର୍ଘ ଦିନ ଧରି କାର୍ଯ୍ୟରେ ଯୋଗ ଦେଇ ନ ଥିବା ସହକାରୀ ଯନ୍ତ୍ରୀ ଶ୍ରୀ ଜ୍ଞାନେନ୍ଦ୍ର ପଟେଲ ।ସେ ଜନସ୍ୱାସ୍ଥ୍ୟ ବିଭାଗର ସହାକାରୀ ଯନ୍ତ୍ରୀ ରହିଥିଲେ ।

ସେହିପରି ୪ଜଣ ଅଧିକାରୀଙ୍କୁ  ସରକାରୀ କାର୍ଯ୍ୟରୁ ନିବୃତ୍ତ କରାଯାଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି – ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ପୂର୍ବତନ ଯନ୍ତ୍ରୀ ସଂଜୟ ଚୌଧୁରୀ, ଖଦୀ ବୋର୍ଡର ପୂର୍ବତନ ସୁପରଭାଇଜର ପ୍ରଦୀପ ରାୟ, କଟକ ଜିଲ୍ଲାର ବାଙ୍କୀ ବ୍ଲକର ପୂର୍ବତନ ଯନ୍ତ୍ରୀ ବିଜ୍ଞାନ କୁମାର ବେଉରିଆ, ବର୍ତ୍ତମାନ ରାୟଗଡା ଜନସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିବା ତଥା ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଜେଇ ଅମିୟ କୁମାର ସେଠୀଙ୍କୁ ସରକାର ଚାକିରିରୁ ବହିଷ୍କାର କରିଛନ୍ତି। ଏହି ୪ ଅଧିକାରୀ ନିକଟରେ ସେମାନଙ୍କ ବିରୋଧରେ ଚାଳିଥିବା ଭିଜିଲାନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳିଙ୍ଗ ଷ୍ଟାଡିୟମ୍‌ଠାରେ ହୋସ୍‌ଲା-୨୦୧୯ କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଦେଶର ବିଭିନ୍ନ ଶିଶୁ ଯତ୍ନ ଗୃହମାନଙ୍କରେ ରହୁଥିବା ପିଲାମାନଙ୍କ ଜାତୀୟ ପ୍ରତିଯୋଗିତା ‘ହୋସ୍‌ଲା -2019ରେ ଓଡ଼ିଶା ପ୍ରତିଯୋଗୀମାନେ ସର୍ବମୋଟ 30ଟି ପଦକ ଜିତି ଜାତୀୟ ଚାମ୍ପିଆନ ହୋଇଛନ୍ତି। ଗତ ଡିସେମ୍ବର ନୂଆଦିଲ୍ଲୀଠାରେ ହୋସ୍‌ଲା-2019 ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ପ୍ରତିଯୋଗୀମାନେ 14ଟି ସ୍ବର୍ଣ୍ଣ, 12ଟି ରୌପ୍ୟ ଏବଂ 4ଟି କାଂସ୍ୟ ପଦକ ଜିତିଛନ୍ତି।

ଜାତୀୟସ୍ତରରେ ଓଡ଼ିଶାର ପିଲାମାନଙ୍କର ଏହି ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଆଜି କଳିଙ୍ଗଷ୍ଟାଡିୟମଠାରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସଫଳ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ।

ହୋସ୍‌ଲା-2019ରେ ଏକାଧିକ ପଦକ ଜିତିଥିବା ରଞ୍ଜିତା ପାତ୍ରଙ୍କୁ ଏକ ଲକ୍ଷ ପଚାଶ ହଜାର ଟଙ୍କା, ନନ୍ଦିତା ନାୟକଙ୍କୁ ଏକ ଲକ୍ଷ କୋଡିଏ ହଜାର ଟଙ୍କାର, ଅର୍ଚ୍ଚିତା ଗୁପ୍ତାଙ୍କୁ 95 ହଜାର ଟଙ୍କା, ପ୍ରସାଦ ଗମାଙ୍ଗଙ୍କୁ 85ହଜାରଟଙ୍କା ଏବଂ ବିରାମ ହେମ୍ବ୍ରମ୍‌ଙ୍କୁ 75 ହଜାର ଟଙ୍କାର ଚେକ୍‌ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଏବଂ ଅନ୍ୟ ବରିଷ୍ଠ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସାତ ମହଲା ବିଶିଷ୍ଟ ହେବ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ : ଶଯ୍ୟା ସଂଖ୍ୟା 300କୁ ବୃଦ୍ଧି ନିଷ୍ପତ୍ତି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,06/01: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ 7 ମହଲା ବିଶିଷ୍ଟ ଏବଂ ଶଯ୍ୟା ସଂଖ୍ୟା 300କୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ଘୋଷଣା କରିଛନ୍ତି । ମୋ ସରକାର ଟିମ୍‌ ପକ୍ଷରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ପରେ ସୋମବାର ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ନୂତନ ଭାବରେ ପ୍ରସ୍ତୁତ ହେବାକୁ ଥିବା ମୁଖ୍ୟ ଚିକିତ୍ସାଳୟଟି 7 ମହଲା ବିଶିଷ୍ଟ ରହିବ ଏବଂ ଏଥିରେ 300 ଶଯ୍ୟା ରହିବ । ବର୍ତ୍ତମାନର ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା 191 ରହିଛି । ସେହିପରି 20 ଲକ୍ଷ ଟଙ୍କା ବିନିମୟରେ ରୋଗୀଙ୍କ ସହଯୋଗୀଙ୍କ ପାଇଁ ଏକ ଆଶ୍ରୟସ୍ଥଳ ନିର୍ମାଣ କରାଯିବ । ଓପିଡି ପଞ୍ଜୀକରଣ ପାଇଁ ଅଧିକ କାଉଣ୍ଟର ଖୋଲାଯିବ ବୋଲି ଜଣାପଡିଛି । ଏହା ସହିତ ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ପାର୍କିଂ ଏରିଆର ବିକାଶ କରାଯିବ ବୋଲି କୁହାଯାଇଛି । ଭଦ୍ରକ ଜିଲ୍ଲାର ସଦର ମହକୁମା ଚିକିତ୍ସାଳୟକୁ ରୋଗୀ କଲ୍ୟାଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ 15 ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଜଣାପଡିଛି ।