ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମାଇଲଖୁଣ୍ଟ : ଗୋଟିଏ ଦିନରେ 1038 ନୂତନ ଡାକ୍ତରଙ୍କୁ ନିଯୁକ୍ତି

Published: Mar 7, 2020, 9:07 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂତନ ମାଇଲଖୁଣ୍ଟ ହାସଲ କରିଛି ଓଡିଶା । ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ 1038 ଜଣ ନୂତନ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ନବନିଯୁକ୍ତ ଡାକ୍ତରଙ୍କ ଇଣ୍ଡକ୍ସନ୍‌ ଟ୍ରେନିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଆଜିର ଦିନଟି ଓଡିଶା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ଐତିହାସିକ ଦିନ ବୋଲି ନବୀନ ପ୍ରକାଶ କରିଥିଲେ । ଲୋକଙ୍କ ସେବାକୁ ନିଜର ଧର୍ମ ଭାବରେ ବିବେଚନା କରି କାର୍ଯ୍ୟ କରିବା ପାଇଁ ନବନିଯୁକ୍ତ ଡାକ୍ତରଙ୍କୁ ନବୀନ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରମୁଖ ଯୋଗ ଦେଇଥିଲେ । 5ଟି ସଚିବ ଭି କେ ପାଣ୍ଡିଆନ୍‌ 5ଟି କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିବା ସହିତ ମୋ ସରକାରର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବୁଝାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ 8719 ଡାକ୍ତର ପଦବୀ ମଧ୍ୟରୁ 5414 ଜଣ ନିୟମିତ ଡାକ୍ତର କାର୍ଯ୍ୟ କରୁଛନ୍ତି । ନିକଟରେ ଓପିଏସ୍‌ସି ପକ୍ଷରୁ 1403 ଜଣ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟରେ 1038 ଜଣ କାର୍ଯ୍ୟରେ ଯୋଗ ଦେଇଛନ୍ତି । ବାକି ଡାକ୍ତର ଖୁବ୍‌ ଶୀଘ୍ର ଦାୟିତ୍ବ ଗ୍ରହଣ କରିବେ ବୋଲି କୁହାଯାଇଛି ।

Related posts