ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ପାଇଁ ପ୍ୟାକେଜ୍‌ ଘୋଷଣା କଲେ ନବୀନ ପଟ୍ଟନାୟକ

Published: Aug 25, 2020, 2:21 pm IST

ଭୁବନେଶ୍ବର : କରୋନାରେ କ୍ଷତିଗ୍ରସ୍ତ ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ପାଇଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍‌‌ – 19 ସହାୟତା ପ୍ୟାକେଜ୍‌କୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗ୍ରାମାଞ୍ଚଳରେ ରହୁଥିବା ଗରିବ ଓ ଅତିଗରିବ ପରିବାର ତଥା ପ୍ରବାସୀଙ୍କ ପାଇଁ ପ୍ୟାକେଜ ଘୋଷଣା କରାଯାଇଛି । ଜୀବିକା ବିକାଶ ପାଇଁ 4ଟି ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ବ୍ୟବସ୍ଥା ହୋଇଛି ।

ଏହି କ୍ରମରେ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ 50ହଜାର ଋଣର ବ୍ୟବସ୍ଥା ହୋଇଛି । ଏହି ପ୍ୟାକେଜ୍‌ରେ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କ ପରିବାର ସଦସ୍ୟ କୃଷି ଓ ଅଣକୃଷି ଉଦ୍ୟୋଗର ବିକାଶ ପାଇଁ ଋଣ ନେଇପାରିବେ । ସେହିପରି କୃଷି, ଅଣକୃଷି କ୍ଷେତ୍ରରେ ଗଠିତ ଗୋଷ୍ଠୀଙ୍କୁ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ଯୋଗାଇ ଦିଆଯିବାର ସୂଚନା ରହିଛି  । ଏହି ପ୍ୟାକେଜ୍‌‌ ଜରିଆରେ 6 ମାସରୁ ଊର୍ଦ୍ଧ୍ୱ ଉଦ୍ୟୋଗ ଗୋଷ୍ଠୀ ଏବଂ ଏକ ବର୍ଷରୁ ଊର୍ଦ୍ଧ୍ୱ ଉତ୍ପାଦକ ଗୋଷ୍ଠୀ ଋଣ ନେଇପାରିବେ । ଅତିଗରିବ କିମ୍ବା ଅସହାୟ ପରିବାରର ଦ୍ୱାରା ପରିଚାଳିତ ଉଦ୍ୟୋଗ ତଥା ଜୀବିକା ଉନ୍ନତି ପାଇଁ 20ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ଏହି ସ୍ବତନ୍ତ୍ର ପ୍ୟାକେଜ୍‌ରେ ରାଜ୍ୟକୁ ଫେରିଥିବା କୁଶଳୀ ଓ ଅର୍ଦ୍ଧକୁଶଳୀ ପ୍ରବାସୀଙ୍କ ମଧ୍ୟ ବ୍ୟବସ୍ଥା ରହିଛି । ଏହି କ୍ରମରେ  ପ୍ରବାସୀ ଫେରନ୍ତାଙ୍କ ଦ୍ୱାରା ଉଦ୍ୟୋଗର ଆରମ୍ଭ ପାଇଁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ଦିଆଯିବ ।

Related posts