Categories
ଆଜିର ଖବର

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ, ବନ୍ୟା ବିପତ୍ତି ଆଟଲାସ୍‌ ଉନ୍ମୋଚିତ

ସଚିବାଳୟରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବନ୍ୟା ବିପତ୍ତି ଆଟଲାସ୍‌ ଉନ୍ମୋଚିତ କରିଛନ୍ତି। ଏହି ଆଟ୍‌ଲାସରେ ଚିହ୍ନଟ ହୋଇଛି ରାଜ୍ୟର ସ୍ବତନ୍ତ୍ର ବିପତ୍ତି ଅଞ୍ଚଳ। ୨୦୦୦ରୁ ୨୦୧୮ ଯାଏ ସବୁ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଆଟ୍‌ଲାସ ପ୍ରସ୍ତୁତ କରାଯାଇଛି। ଆଟଲାସ୍‌ରେ ରାଜ୍ୟର ସ୍ବତନ୍ତ୍ର ବିପତ୍ତି ଅଞ୍ଚଳ ଚିହ୍ନଟ କରାଯାଇଛି। ବର୍ଷକୁ ୧୪ ଲକ୍ଷ ହେକ୍ଟର ଚାଷଜମି ବନ୍ୟାରେ କ୍ଷତିଗ୍ରସ୍ତ ହେଉଛି ବୋଲି ସୂଚନା ରହିଥିବାବେଳେ ବିଶେଷ କ୍ଷତିଗ୍ରସ୍ତ ଅଞ୍ଚଳକୁ ସହାୟତା ପ୍ରଦାନରେ ବେଶ୍‌ ସହାୟକ ହେବ ଏହି ଆଟଲାସ୍‌। ସେହିପରି ବାତ୍ୟା ଫୋନି ପରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି  ଆଟାଲସ୍‌ ଜରିଆରେ ଓଡ଼ିଶାର ଅଧିକ ବିପତ୍ତି ଅଞ୍ଚଳ ସମ୍ପର୍କରେ ସୂଚନା ମିଳିବା ସହିତ ସହାୟତା କରିବ ବୋଲି ସୂଚନା ରହିଛି।

Categories
ବିଶେଷ ଖବର

ପଦାକୁ ଆସିଲା ବିଜେଡି ବିଜେପି ଭିତିରିଆ ସଂପର୍କ, ଓଡିଶାର ଗୋଟିଏ ରାଜ୍ୟସଭା ଆସନ ବିଜେପି ହାତକୁ ଟେକିଦେଲା ବିଜେଡି

ସମୀକ୍ଷା ବ୍ୟୁରୋ

ରାଜନୀତିରେ ଅସମ୍ଭବ ବୋଲି କିଛି ନାହିଁ। ବିଜେଡି ଏହି କଥାକୁ ଅକ୍ଷରେ ଅକ୍ଷରେ କରି ଦେଖାଇ ଦେଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ରାଜ୍ୟସଭା ଆସନ ଜାଣିଶୁଣି ବିଜେପି ହାତରେ ଟେକିଦେଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ନବୀନ ନିବାସରେ ନବୀନ ପଟ୍ଟନାୟକ ଓଡିଶାର ଖାଲି ପଡିଥିବା ତିନୋଟି ରାଜ୍ୟସଭା ଆସନ ପାଇଁ ନାମ ଘୋଷଣା କରିଥିଲେ। ପ୍ରଥମେ ସେ ତିନିଜଣ ନାମ ଘୋଷଣା କରିଥିଲେ। ସେମାନେ ହେଲେ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଏବଂ ପୂର୍ବତ୍ତନ ଆଇଏଏସ ଅଫିସର ଅଶ୍ବିନୀ ବୈଷ୍ଣବ। ଏମାନେ ବିଜେଡି ପ୍ରାର୍ଥୀ ବୋଲି କୁହାଗଲା। ଏପରିକି ନବୀନ ଅଶ୍ବିନୀଙ୍କ ସଂପର୍କରେ ସଫେଇ ଦେଇ କହିଲେ ଯେ ସେ ହେଉଛନ୍ତି ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ। ହେଲେ ଏହାପରେ କଥାଟା ବିଗିଡି ଗଲା ଯେତେବେଳେ ଅଶ୍ବିନୀଙ୍କୁ ବିଜେପି ଓଡିଶା ପାଇଁ ତାଙ୍କ ଦଳୀୟ ରାଜ୍ୟସଭା ପ୍ରାର୍ଥୀ ବୋଲି ଟ୍ବିଟ୍ କରି ସ୍ପଷ୍ଟ କଲା। ଏହାପରେ ଅଶ୍ବିନୀ କେଉଁ ଦଳର ପ୍ରାର୍ଥୀ ହେବେ ତାହାକୁ ନେଇ ଦ୍ବନ୍ଦ ସୃଷ୍ଟି ହେଲା।

ନବୀନ ନିବାସରେ ଏପରି ଦ୍ବନ୍ଦ ଉପୁଜିବା ପରେ ନବୀନ ପୁଣି ଥରେ ଗଣମାଧ୍ୟମ ଆଗକୁ ଆସି ସଫେଇ ଦେଇ କହିଲେ ଅଶ୍ବିନୀ ହେଉଛନ୍ତି ବିଜେପି ପ୍ରାର୍ଥୀ। ବିଜେପି ଅଶ୍ବିନୀଙ୍କୁ ପ୍ରାର୍ଥୀ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ସହିତ କଥା ହୋଇଥିଲେ। ଅଶ୍ବିନୀଙ୍କୁ ବିଜେଡି ସମର୍ଥନ କରୁ ବୋଲି ଉଭୟ ଅନୁରୋଧ କରିଥିଲେ। ଫଳରେ ବିଜେପି ପ୍ରାର୍ଥୀ ଅଶ୍ବିନୀଙ୍କୁ ବିଜେଡି ସମର୍ଥନ ଦେବ ବୋଲି ନବୀନ ପୁଣି ଘୋଷଣା କଲେ। ପ୍ରଶ୍ନ ଉଠୁଛି ଯେ, ଯଦି ନବୀନ ମୋଦି ଓ ଶାହଙ୍କ ସହିତ କଥା ହୋଇଥିଲେ ତେବେ ସେ ପ୍ରଥମରୁ କାହିଁକି ଏକଥା ସ୍ପଷ୍ଟ କଲେ ନାହିଁ। ଥରେ ବିଜେଡି ପ୍ରାର୍ଥୀ ବୋଲି ଘୋଷଣା କରିବା ପରେ ପୁଣି ତାହା ପରିବର୍ତ୍ତନ କରି ସେ ବିଜେପି ପ୍ରାର୍ଥୀ ବୋଲି କାହିଁକି କହିଲେ।

ଜଣେ ବରିଷ୍ଠ ନେତାଙ୍କ ଖବର ଅନୁସାରେ ଅଶ୍ବିନୀଙ୍କୁ ନେଇ ବିଜେପି ଓ ବିଜେଡି ଭିତରେ ଏକ ବୁଝମାଣା ହୋଇଥିଲା। କଥା ଥିଲା ଯେ, ବିଜେଡି ତିନି ଜଣଙ୍କ ନାମ ଘୋଷଣା କରିବ। ସେଥିରେ ଦୁଇଜଣ ରହିବେ ଦଳୀୟ ପ୍ରାର୍ଥୀ, ଆଉ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ଅଶ୍ବନୀ ବୈଷ୍ଣବଙ୍କ ନାମ ଘୋଷଣା କରାଯିବ। ଘୋଷଣା ପରେ ରାଜ୍ୟ ବିଜେପି ତାଙ୍କୁ ସମର୍ଥନ କରିବ ବୋଲି କହିବ। ହେଲେ କଥାଟା ବିଗିଡିଗଲା। କାରଣ ବିଜେପି ନେତାମାନେ ଚାହୁଁ ନ ଥିଲେ ବିଜେଡି ଘୋଷଣା କରିଥିବା ପ୍ରାର୍ଥୀଙ୍କୁ ତାଙ୍କ ଦଳ ସମର୍ଥନ କରିବ। ତାଙ୍କର ଦାବି ହେଲା ଯେ, ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେଉ। ଫଳରେ ନବୀନ ଥରେ ତାଙ୍କ ଦଳର ପ୍ରାର୍ଥୀ ବୋଲି କହିବା ପରେ ପୁଣି ଥରେ ସେଥିରେ ପରିବର୍ତ୍ତନ କରି ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବ ବୋଲି ଘୋଷଣା କରିଥିଲେ। ବର୍ତ୍ତମାନ ସଂଖ୍ୟା ଅନୁସାରେ ଦେଖିଲେ ଖାଲିପଡିଥିବା ତିନୋଟି ରାଜ୍ୟସଭା ଆସନରେ ବିଜେଡି ଜିତିବା ନିଶ୍ଚିତ ଥିଲା। ଏସବୁ ସତ୍ଵେ ଗୋଟିଏ ଆସନ ବିଜେପିକୁ ଟେକିଦେବା ଉଭୟ ଦଳ ଭିତରେ ଥିବା ସୁସଂପର୍କ ପଦାକୁ ଆସିଛି।

ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ବିଜେଡି ବିଜେପିକୁ ସମର୍ଥନ କରିଛି। ତାହା ରାଷ୍ଟ୍ରପତି ନିର୍ବାଚନ ହେଉ କିମ୍ବା ନିକଟରେ ହୋଇଥିବା ଲୋକସଭା ବାଚସ୍ପତି ନିର୍ବାଚନ। ସବୁଥିରେ ବିଜେଡି ଅଯାଚିତ ଭାବେ ବିଜେପିକୁ ସମର୍ଥନ କରିଆସିଛି। ହେଲେ ଏସବୁ ସମର୍ଥନ ଜାତୀୟ ସ୍ତରରେ ଥିଲା। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେଉ ନ ଥିଲା। ହେଲେ ବର୍ତ୍ତମାନ ରାଜ୍ୟ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେଡି ଜିତିବାକୁ ଥିବା ଗୋଟିଏ ରାଜ୍ୟସଭା ଆସନକୁ ବିଜେପି ହାତରେ ସିଧା ଟେକିଦେବା ପ୍ରମାଣିତ କରିଛି ବିଜେଡି ବିଜେପି ଭିତରେ ଯେଉଁ ଭିତିରିଆ ସଂପର୍କ ରହିଛି ତାହା ସତ। ଏବେ ସେହି ଭିତିରଆ ସଂପର୍କ ପୁରା ବାହାରକୁ ଆସିଯାଇଛି। ହେଲେ ବିଜେଡିର ଯୁକ୍ତି ହେଲା ଯେ, ରାଜ୍ୟର ସ୍ବାର୍ଥ ପାଇଁ ବିଜେଡି ବିଜେପିକୁ ସମର୍ଥନ ଯୋଗାଇ ଦେବ। ପୂର୍ବରୁ ଖୋଦ ବିଜେଡି ସୁପ୍ରିମୋ ଜାତୀୟ ଗଣମାଧ୍ୟମରେ ସ୍ପଷ୍ଟ ଉତ୍ତର ମଧ୍ୟ ରଖିଛନ୍ତି। ତାହା ହେଉଛି ଓଡିଶା ସ୍ବାର୍ଥ ପାଇଁ ବିଜେଡି ସମର୍ଥନ କରିବାରେ କୈଣସି ଅସୁବିଧା ନାହିଁ। ସେହି କଥା ବର୍ତ୍ତମାନ ସତ ବୋଲି ପ୍ରମାଣିତ ହୋଇଛି। ଏହି ଘଟଣା ପରେ ବିଜେଡି ବିଜେପି ମଧ୍ୟରେ ଆହୁରି ଅନେକ କଥା ଆଗକୁ ଘଟିବ ବୋଲି ସମ୍ଭାବନା ସୃଷ୍ଟି ହେଲାଣି।

Categories
ବିଶେଷ ଖବର

ପୁଣି ଥରେ ଆରମ୍ଭ ହେଲା ନବୀନଙ୍କ ପଞ୍ଚମ ଇନିଂସ୍‌, ନବୀନଙ୍କ ସହ ଶପଥ ନେଲେ ୨୦ ଜଣିଆ ଟିମ୍‌

ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ଇନିଂସ୍‌। ନବୀନଙ୍କ ସହ ତାଙ୍କ ପୂରା ଟିମ୍‌ ଅର୍ଥାତ୍‌ ନବୀନଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନବୀନଙ୍କ ସମେତ ସମସ୍ତ କ୍ୟାବିନେଟ୍‌ ଓ ରାଷ୍ଟ୍ର ପାହ୍ୟା ମନ୍ତ୍ରୀଙ୍କ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଶପଥ ପାଠ ସମାରୋହରେ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି। ପ୍ରଥମେ କ୍ୟାବିନେଟ୍‌ ମନ୍ତ୍ରୀଗଣ ଶପଥ ନେଇଥିଲେ ପ୍ରଫୁଲ ମଲ୍ଲିକ। ଏହାପରେ ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଡାକ୍ତର ଅରୁଣ କୁମାର ସାହୁ, ପ୍ରତାପ ଜେନା, ସୁଦାମ ମାରାଣ୍ଡି, ପଦ୍ମନାଭ ବେହେରା, ନବ କିଶୋର ଦାସ ଓ ସୁଶାନ୍ତ ସାହୁ ସିଂହ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ସୁଦାମା ମାରାଣ୍ଡି ସାନ୍ତାଳୀ ଭାଷାରେ ଶପଥ ଗ୍ରହଣ କରିଛନ୍ତି। ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବରେ ଅଶୋକ ପଣ୍ଡା, ସମୀର ଦାଶ, ପଦ୍ମିନୀ ଦିଆନ୍‌, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା, ଜଗନ୍ନାଥ ସାରକା ପ୍ରମୁଖ ଶପଥ ଗ୍ରହଣ କରିଛନ୍ତି।

ଏହି ଉତ୍ସବରେ ପ୍ରାୟ 6 ହଜାର ଦର୍ଶକ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ଏହି ଉତ୍ସବରେ ଦେଶର ଅନେକ ଶିଳ୍ପପତି ଯୋଗଦେଇଥିଲେ। ସେହିପରି ପ୍ରଥମ ଥର ପାଇଁ ନବୀନଙ୍କ ଶପଥ ଉତ୍ସବରେ ଯୋଗଦେଇଥିଲେ ତାଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକ ଏବଂ ଭଉଣୀ ଗୀତା ମେହେଟ୍ଟା। ଶପଥ ଗ୍ରହଣ ଶେଷ ହେବା ପରେ ନବୀନ ସଚିବାଳୟ ଯାଇ ନିଜ ଚ୍ୟାମ୍ବରରେ କାମ ଆରମ୍ଭ କରିଥିଲେ। ସଚିବାଳୟରେ ବିଭିନ୍ନ କର୍ମଚାରୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡା ଦେଇ ସ୍ବାଗତ କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ତାଙ୍କ କର୍ମଚାରୀଗଣ। ଏହାପରେ ଡିଜିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ନବୀନଙ୍କୁ ସ୍ବାଗତ କରିଥିଲେ। ବାହାରୁ ଆସିଥିବା ଶିଳ୍ପପତିମାନେ ମଧ୍ୟ ସଚିବାଳୟ ଯାଇ ନବୀନଙ୍କୁ ସ୍ବାଗତ କରି ଓଡିଶାର ପ୍ରଗତି ସହିତ ସାମିଲ ହେବେ ବୋଲି ଜଣାଇଥିଲେ।

ଲକି ଚ୍ୟାୟାର

ନିର୍ବାଚନ ଘୋଷଣା ପରେ ନବୀନ ସଚିବାଳୟ ଯାଇ ନ ଥିଲେ। ଏପରିକି ନିର୍ବାଚନ ସରିବା ପରେ ମଧ୍ୟ ଯାଇ ନ ଥିଲେ। ହେଲେ ଫନୀ ବାତ୍ୟା ସମୀକ୍ଷା ବୈଠକ କରିବାକୁ ଦୀର୍ଘ ଏକ ମାସ ପରେ ସଚିବାଳୟ ଯାଇ ବାତ୍ୟା ମୁକାବିଲା ବୈଠକ କରିଥିଲେ। ଏହାପରେ ଆଉ ନବୀନ ସଚିବାଳୟ ଯାଇ ନ ଥିଲେ। ହେଲେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନବୀନ ତାଙ୍କର ଚିରାଚରିତ ତୃତୀୟ ମହଲାକୁ ଯାଇ କାର୍ଯ୍ୟ ଆରମ୍ଭ କରିଥିଲେ। ତାଙ୍କ ସାଥୀରେ ସମସ୍ତ କର୍ମଚାରୀ ମଧ୍ୟ ଥାଆନ୍ତି। ସେ ମୁଖ୍ୟମନ୍ତ୍ରୀ ବସିବା ପାଇଁ ଉଦ୍ଧିଷ୍ଠ କାଠ ଚ୍ୟାୟରେ ବସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ ‘ଲକି ଚ୍ୟାୟାର’। ଏହାପରେ ସେ ସେହି ଚ୍ୟାୟରରେ ବସି କାମ ଆରମ୍ଭ କରିଥିଲେ

Categories
ଆଜିର ଖବର

ଉତ୍ତର ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର

କ୍ରମାଗତ ଦ୍ବିତୀୟ ଦିନ ପାଇଁ ଉତ୍ତର ଓଡିଶା ଗସ୍ତରେ ରହି ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାରିପଦା, କପ୍ତିପଦା ଏବଂ ମୋରଡାରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଚାର ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରଥମେ ବାରିପଦାର ଜଗନ୍ନାଥ ମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ଏହା ପରେ କପ୍ତିପଦାରେ ଦଳ ପକ୍ଷରୁ ଆୟୋଜିତ ଏକ ଜନସଭାରେ ସାମିଲ ହୋଇଥିଲେ ନବୀନ। ଏହି ଅବସରରେ ନବୀନ ନିଜ ଅଭିଭାଷଣରେ କାଳିଆ ଯୋଜନାର ସଫଳତା ବଖାଣିବା ସହ କେନ୍ଦ୍ରକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି ବୋଲି ଅଭିଯୋଗ କରିଛନ୍ତି ନବୀନ। ମୁଁ ଥିବା ପର୍ଯ୍ୟନ୍ତ କାଳିଆକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ଦମ୍ଭ ଦେଖାଇବା ସହ ବିଜୁ ଜନତା ଦଳ ପୁନର୍ବାର କ୍ଷମତାକୁ ଆସିଲେ ସରକାର ଗଠନର ପ୍ରଥମ ଦିନରେ ହିଁ କାଳିଆର ଦୁଇଟି କିସ୍ତିର ଟଙ୍କା ଚାଷୀଙ୍କୁ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାପରେ କପ୍ତିପଦା ନିର୍ବାଚନୀ ସଭାରୁ ବି କେନ୍ଦ୍ରକୁ କଡା ଭାଷାରେ ସମାଲୋଚନା କରିଥିଲେ ନବୀନ। ନିର୍ବାଚନ ସମୟରେ କେନ୍ଦ୍ରର ବଡ ବଡ ନେତା ଓଡିଶା ଧାଇଁ ଆସୁଛନ୍ତି ହେଲେ ବିପର୍ଯ୍ୟୟ ବେଳେ ସେମାନଙ୍କର କାହାର ବି ଦେଖାମିଳେନି ବୋଲି ନବୀନ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ, ମୟୂରଭଂଜ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୮୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବା ବେଳେ କେନ୍ଦ୍ର ସରକାର ମାତ୍ର ୨୦ ପ୍ରତିଶତ ଅର୍ଥ ଦେଇଛନ୍ତି। ସେହିପରି ଚଳିତ ଲୋକସଭା ନିର୍ବାଚନରେ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ପାରିବେ ନାହିଁ ଏବଂ ବିଜେଡି ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ନବୀନ କହିଥିଲେ।

Categories
ଆଜିର ଖବର

କୁଚିଣ୍ଡାରେ ନବୀନ : ମୁଁ ବଞ୍ଚିଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରିପାରିବେ ନାହିଁ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଉଛି ଶେଷ ପ୍ରଚାର ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରର କୁଚିଣ୍ଡା ସହରର ମୁକୁନ୍ଦି ଖେଳ ପଡ଼ିଆରେ ନିର୍ବାଚନ ପ୍ରଚାର କରିଛନ୍ତି। ରବିବାର ଦିନ ଆୟୋଜିତ ଏହି ସଭାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି। ସେ ନିଜର ଅଭିଭାଷଣରେ କହିଛନ୍ତି, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି। କିନ୍ତୁ କେନ୍ଦ୍ର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। ସେ ଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରିପାରିବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ନବୀନ। ସେପରି ରାଜ୍ୟର ସରକାର ଆସିବାର ପ୍ରଥମ ଦିନରେ କାଳିଆ ଯୋଜନାର ଦୁଇଟି କିସ୍ତିର ୧୦ ହଜାର ଟଙ୍କା ଏକାସାଙ୍ଗରେ ବ୍ୟାଙ୍କ ଖାତାକୁ ଯିବ ବୋଲି କହିଛନ୍ତି ନବୀନ। ସେହିପରି ମହିଳାଙ୍କ ହକ୍‌ ପାଇଁ ବିଜେଡ଼ି ସଦାସର୍ବଦା ତତ୍ପରତା ଦେଖାଇଛି। ମିଶନ ଶକ୍ତି ମହିଳାଙ୍କୁ ସହାୟତା ଦେଉଛି। ଏହି ନିର୍ବାଚନୀ ପ୍ରଚାରରେ କେନ୍ଦ୍ର ଉପରକୁ ଆକ୍ରମଣ କରିଛନ୍ତି ନବୀନ। କେବଳ ଭୋଟ ସମୟ ଆସିବାରୁ କେନ୍ଦ୍ରୀୟ ନେତାମାନେ ଓଡ଼ିଶାକୁ ଆସୁଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେମାନେ କୁଆଡ଼େ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ସମବେତ ଜନତାଙ୍କୁ କହିଥିଲେ। କେନ୍ଦ୍ର ଅନୁସୂଚୀତ ଜାତି/ଜନଜାତି ବିଦ୍ୟାର୍ଥୀଙ୍କ ବୃତ୍ତି ଅର୍ଥ ବନ୍ଦ କଲେ। କୋଶଳୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦେଲେ ନାହିଁ। ସେପରି ଚଳିତ ନିର୍ବାଚନରେ ବିଜେପି ବହୁତ କମ୍‌ ଆସନ ପାଇବ, ବିଜେପିର ନେତାମାନେ ବିଭ୍ରାନ୍ତିକର କଥା କହୁଛନ୍ତି ବୋଲି ନବୀନ କହିଛନ୍ତି। ସାଢେ ଚାରିକୋଟି ରାଜ୍ୟବାସୀ ହେଉଛନ୍ତି ତାଙ୍କ ପରିବାର। ଜନତାଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଛନ୍ତି ନବୀନ।

Categories
ଆଜିର ଖବର

ନବୀନଙ୍କ ମେନ୍‌ ଇଞ୍ଜିନ୍‌ ଟାର୍ଗେଟ୍‌ : ମେ ୨୩ରେ ହେବ ଲାଇନ୍‌ଚ୍ୟୁତ ହେବ ମେନ୍‌ ଇଞ୍ଜିନ୍‌

ପ୍ରଚାର ମଇଦାନରେ ନବୀନ କେନ୍ଦ୍ର ଉପରେ ବରଷୁଥିବାବେଳେ ବାଙ୍କୀ – ବଡ଼ମ୍ବାରେ ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି ନବୀନ।  ଆଜି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମୋଦିଙ୍କ ଡବଲ୍‌ ଇଞ୍ଜିନ୍‌କୁ ସମାଲୋଚନା କରିଛନ୍ତି। ନବୀନ କହିଛନ୍ତି, “ବିଜେପିର ବଡ ବଡ ନେତାମାନେ ପ୍ରଚାର ସମୟରେ ସବୁବେଳେ ଡବଲ ଇଞ୍ଜିନର କଥା କହୁଛନ୍ତି। ତେବେ ଓଡିଶାର ଇଞ୍ଜିନ କିଏ ବୋଲି ପ୍ରଶ୍ନ କରିବା ସହିତ ଓଡିଶା ବାଦ ବିଜେପି ଶାସିତ ରାଜ୍ୟରେ ଯେଉଁଠି ଡବଲ ଇଞ୍ଜିନ ଲାଗିଥିଲା, ସେଠାରେ ବିଜେପି କାହିଁକି ହାରିଲା” ବୋଲି କହିଛନ୍ତି ନବୀନ। ବିଜେପିର ଡବଲ୍‌ ଇଞ୍ଜିନରୁ ୫ଟି ଇଞ୍ଜିନ୍‌ ଲାଇନଚ୍ୟୁତ ହୋଇଛି, ଆଉ ଆସନ୍ତା ମେ ୨୩ ତାରିଖରେ ଦିଲ୍ଲୀର ମେନ ଇଞ୍ଜିନ୍‌ ମଧ୍ୟ ଲାଇନ୍‌ଚ୍ୟୁତ ହୋଇଯିବ ବୋଲି କଟାକ୍ଷ କରିଛନ୍ତି ନବୀନ। ନିର୍ବାଚନ ଆସିଲେ, କେନ୍ଦ୍ରରେ ଥିବା ବିଜେପି ନେତାମାନେ ଓଡିଶାକୁ ଆସୁଛନ୍ତି। ଗରିବଙ୍କ କଥା ଏବେ ମନେ ପଡୁଛି ବୋଲି ନବୀନ କହିଛନ୍ତି।

Categories
ଆଜିର ଖବର

ବିଜେପି ନେତାଙ୍କ ହତ୍ୟା ଘଟଣାକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରବିବାର ବିଳମ୍ବିତ ରାତ୍ରୀରେ ଖୋର୍ଦ୍ଧାର ନବୀନବାଗ ଠାରେ ଖୋର୍ଦ୍ଧାରେ ବିଜେପି ନେତା ତଥା ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ବାଚନ କମିସନଙ୍କୁ ଅନୁରୋଧ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ ମଧ୍ୟ କରିଛନ୍ତି।  ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଖୋର୍ଦ୍ଧାରେ ହୋଇଥିବା ହିଂସାକୁ ସେ ଦୃଢ଼ ନିନ୍ଦା କରିଛନ୍ତି। ଏବଂ ନିର୍ବାଚନ କମିଶନଙ୍କୁ ଏହି ଘଟଣାରେ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ପୋଲିସ୍‌କୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛନ୍ତି। ଯେପରିକି ପରବର୍ତ୍ତୀ ସମୟରେ ଏପରି ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ନବୀନ କହିଛନ୍ତି। ସମ୍ପୃକ୍ତ ବିଜେପି ନେତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ନବୀନ ପଟ୍ଟନାୟକ।

Categories
ଆଜିର ଖବର

କାଳିଆ ଯୋଜନା ନେଇ ମୁଖ୍ୟମନ୍ତ୍ରୀଙ୍କ ସିଇଓଙ୍କ ନିକଟରେ ଫେରାଦ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି। ଚାଷୀଙ୍କ ପାଇଁ କରାଯାଇଥିବା କାଳିଆ ଯୋଜନାକୁ ନେଇ ସେ ସିଇଓଙ୍କ ପାଖରେ ଫେରାଦ ହୋଇଛନ୍ତି। ବିଜେପିର ଅଭିଯୋଗ ପରେ ଏହି ଯୋଜନାକୁ ବନ୍ଦ କରାଯାଇଛି ବୋଲି କହିଛନ୍ତି ନବୀନ। ଲୋକେ ଏହାର ଦୃଢ ଜବାବ ଦେବେ। ପୂର୍ବରୁ ଏହି ଯୋଜନା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କୁହାଯାଇଥିଲା, କିନ୍ତୁ ବିଜେପିର ଅଭିଯୋଗ ପରେ  ଆଦର୍ଶ ଆଚରଣ ଭଙ୍ଗ ନେଇ ଏହି ଯୋଜନା ଉପରେ ନିର୍ବାଚନ କମିଶନ ଅଙ୍କୁଶ ଲଗାଇଥିଲେ। ପୂର୍ବରୁ ବିଜେଡ଼ି ତରଫରୁ କାଳିଆ ଯୋଜନାକୁ ନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିବାବେଳେ ଆଜି ଖୋଦ୍‌ ବିଜେଡି ସୁପ୍ରିମୋ କାଳିଆ ଯୋଜନା ପାଇଁ ସିଇଓଙ୍କ ଦ୍ବାରସ୍ଥ ହୋଇଛନ୍ତି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ସାଢେ ୪ କୋଟି ଓଡ଼ିଆ ମୋ ପରିବାର, ଶେଷ ନିଃଶ୍ବାସ ଯାଏ ସେବା କରିବି – ନବୀନ ପଟ୍ଟନାୟକ

ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ରାୟଗଡ଼ା ଓ ଗୁଣୁପୁର ଗସ୍ତ କରିଛନ୍ତି। ଏଠାରେ ରୋଡ୍‌ ଶୋ’ କରିଥିଲେ ଏବଂ ରୋଡ୍‌ ଶୋ’ ପରେ ଏକ ସାଧାରଣ ସଭାରେ ନବୀନ ଉଦ୍‌ବୋଧନ ଦେଇଥିଲେ। ଏଠାରେ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଟାର୍ଗେଟ୍‌ କରିଥିଲେ। ବିଜେଡ଼ି ସରକାର ଗରିବଙ୍କ ପାଇଁ ଆହାର ଯୋଜନା କରିଛି, କିନ୍ତୁ  ଗରିବଙ୍କୁ ଟଙ୍କିକିଆ ଚାଉଳ ଦେବାକୁ କେନ୍ଦ୍ର  ମନା କଲା। ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୭ଲକ୍ଷ ଟଙ୍କା ରାଜ୍ୟ ସରକାର ଦେଇଛନ୍ତି। ପାନୀୟ ଜଳ ପାଇଁ କେନ୍ଦ୍ର ଏକ ହଜାର କୋଟି ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ଖର୍ଚ୍ଚ କରିଛି ୧୨ ହଜାର କୋଟି ଟଙ୍କା। ସବୁବେଳେ ରାଜ୍ୟକୁ ଅବହେଳା କରିଆସିଛି କେନ୍ଦ୍ର। ସାଢେ ୪ କୋଟି ଓଡ଼ିଆ ହେଉଛନ୍ତି ମୋ ପରିବାର, ଶେଷ ନିଃଶ୍ବାସ ଯାଏ ସେବା କରିବି ବୋଲି କହି ଭୋଟ୍‌ ପାଇଁ ଅପିଲ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ବିଜେଡ଼ିର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।

ବିଜେଡ଼ିର ଲୋକସଭା ପ୍ରାର୍ଥୀ

୧-ଭୁବନେଶ୍ବର – ଅରୂପ ପଟ୍ଟନାୟକ

୨-କେନ୍ଦ୍ରାପଡ଼ା : ଅନୁଭବ ମହାନ୍ତି

୩-ପୁରୀ  – ପିନାକୀ  ମିଶ୍ର

୪-ମୟୂରଭଂଜ – ଡାକ୍ତର ଦେବାଶିଷ ମାରାଣ୍ଡି

୫-ଯାଜପୁର – ସସ୍ମିତା ସେଠୀ

୬-ଜଗତସିଂହପୁର – ରାଜଶ୍ରୀ ମଲ୍ଲିକ

୭-ସମ୍ବଲପୁର – ନଳିନୀ ପ୍ରଧାନ

୮-ବାଲେଶ୍ବର – ରବୀନ୍ଦ୍ର ଜେନା

୯-ଭଦ୍ରକ – ମଂଜୁଲତା ମଣ୍ଡଳ

 

Categories
ଆଜିର ଖବର

ନବୀନଙ୍କ ବିରୋଧରେ କୋଇଲା ଖଣି ଆବଣ୍ଟନ ମାମଲା : ତୁରନ୍ତ ତଦନ୍ତ ସାରିବାକୁ ସୁପ୍ରିମକୋର୍ଟରେ ଆବେଦନ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ରୁଜୁ ହୋଇଥିବା କୋଲ୍‌ ବ୍ଲକ୍‌ ଆବଣ୍ଟନ ମାମଲାର ତୁରନ୍ତ ତଦନ୍ତ ଶେଷ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ ହୋଇଛି। ଏହାର ତଦନ୍ତଭାର ନେଇଥିବା ସିବିଆଇକୁ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଅନୁରୋଧ କରିଛନ୍ତି। କୋଇଲା ଖଣି ଆବଣ୍ଟନ ନେଇ ୨୦୧୪, ମାର୍ଚ୍ଚ ୨୬ରେ ନବୀନ ପଟ୍ଟନାୟକଙ୍କ ନାଁରେ ମାମଲା ପଞ୍ଜିକୃତ ହୋଇଥିଲା। କିନ୍ତୁ ଏ ଯାଏ ମାମଲା ତଦନ୍ତାଧୀନ ରହିଛି। ତେଣୁ ଏହାର ତଦନ୍ତ କରି ତ୍ୱରିତ ଶୁଣାଣୀ କରିବାକୁ ପିଟିସନ୍‌ରେ ଦର୍ଶାଯାଇଛି। ଅଭିଯୋଗ ମୁତାବକ, ୧୯୯୮ ମସିହାରେ ଏମ୍‌/ଏସ୍‌ ସେଣ୍ଟ୍ରାଲ କୋଲିଆରିଜ୍‌ କୋ. ଲିମିଟେଡ୍‌କୁ କୋଇଲା ଖଣି ମିଳିଥିଲା। ମହାରାଷ୍ଟ୍ର ତକ୍‌ଲି-ଜେନା ବେଲୋରା କୋଲ୍‌ ଫିଲ୍ଡକୁ କମ୍ପାନୀକୁ ଦିଆଯାଇଥିଲା। କିନ୍ତୁ ପଞ୍ଜିକୃତ ହେବା ପୂର୍ବରୁ କମ୍ପାନୀକୁ ଏହି କୋଇଲା ଖଣି ମିଳିଥିଲା ବୋଲି ପରେ ଅଭିଯୋଗ ଆସିଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ଥିଲେ। ତେଣୁ ଏହି ମାମଲାରେ ନବୀନଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲା। ଯାହାକୁ ନେଇ ୨୦୧୪ରେ ମାମଲା ଦାୟର ହୋଇଥିଲା।

 

Categories
ଆଜିର ଖବର

ନୟାଗଡ଼ରୁ ନବୀନଙ୍କ ପ୍ରଚାର ଆରମ୍ଭ : ୨୧ ରୁ ୨୧ ଏମ୍‌ପି ଆସନ ଜିତିବା ନେଇ ଦୃଢୋକ୍ତି

ନିର୍ବାଚନୀ ବିଗୁଲ୍‌ ବାଜିସାରିଛି । ସବୁ ଦଳମାନେ ନିଜର ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ଏହି କ୍ରମରେ ଓଡ଼ିଶାର କ୍ରମାଗତ ୪ଥର ସରକାର ଗଠନ କରି ରେକର୍ଡ ସୃଷ୍ଟି କରିଥିବା ବିଜୁ ଜନତା ଦଳ ଆଜି ନୟାଗଡ଼ରୁ ନିଜର ନିର୍ବାଚନୀ ପ୍ରଚାର ଆରମ୍ଭ କରିଛି । ଏହି ପ୍ରଚାରର ମଙ୍ଗ ଧରିଛନ୍ତି ଦଳର ମଙ୍ଗୁଆଳ ନିଜେ ନବୀନ ପଟ୍ଟନାୟକ । ନୟାଗଡ଼ରେ ଆୟୋଜତ ଏକ ସାଧାରଣ ସଭାରେ ସେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବା ସହିତ ୨୧ର ଏମ୍‌ପିରୁ ୨୧ ଏମ୍‌ପି ସିଟ୍‌ ଜିତିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ଅବସରରେ ଉଭୟ ବିଜେପି ଓ କଂଗ୍ରେସ ସରକାରକୁ ଟାର୍ଗେଟ୍‌ କରିଛନ୍ତି । ଗତ ଥର କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ବରଗଡ଼ ଅବସରରେ ନବୀନ ସରକାରଙ୍କୁ ରିମୋଟ୍‌ କଣ୍ଟ୍ରୋଲ୍‌ କହିଥିବାବେଳେ ଆଜି ନବୀନ ଏହାର କଡ଼ା ଜବାବ୍‌ ଦେଇଛନ୍ତି । ନବୀନ କହିଛନ୍ତି ଯେ, ଆମର ହାଇକମାଣ୍ଡ ହେଉଛନ୍ତି ଓଡ଼ିଶାବାସୀ ।  ଓଡ଼ିଶାବାସୀଙ୍କ ପାଖରେ ରିମୋଟ୍‌ କଣ୍ଟ୍ରୋଲ୍‌ ରହିଛି । କେନ୍ଦ୍ରରେ ସରକାର ଗଠନରେ ଓଡ଼ିଶାବାସୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ । ସେହିପରି କାଳିଆ ଯୋଜନାରେ ସରକାର ଚାଷୀଙ୍କ ଉନ୍ନତି ପାଇଁ ସବୁପ୍ରକାର ଚେଷ୍ଟା କରୁଥିବାବେଳେ ୩୫ ଲକ୍ଷ ପରିବାର ଏହାର ସୁବିଧା ପାଇଛନ୍ତି ।  ମିଶନ ଶକ୍ତି ଜରିଆରେ ମା‘ମାନଙ୍କୁ ବିନା ସୁଧରେ ଋଣ ଯୋଗାଇ ଦିଆଯାଉଛି । ସେହିପରି ଚଳିତ ନିର୍ବାଚନରେ ୩୩% ମହିଳାଙ୍କ ପାଇଁ ସଂରକ୍ଷଣ ଆସନ ରଖିଥିବାବେଳେ ଆସ୍କାରୁ ମିଶନ୍‌ଶକ୍ତିର କର୍ମକର୍ତ୍ତା ପ୍ରମିଳା ବିଷୋୟୀଙ୍କୁ ଲୋକସଭା ଟିକେଟ ଦେଇଛି ।  ମହିଳାଙ୍କ ଶକ୍ତି ବୃଦ୍ଧି ହେଲେ ଦେଶ ପ୍ରଗତି କରିବ ବୋଲି କହିଛନ୍ତି ନବୀନ ।  ସେହିପରି କେନ୍ଦ୍ରର ଓଡ଼ିଶା ପ୍ରତି ଅବହେଳାକୁ ନେଇ ବର୍ଷିଛନ୍ତି ନବୀନ । ସ୍ବତନ୍ତ୍ର ରାଜ୍ୟପାହା ପ୍ରସଙ୍ଗକୁ ସେ ଗୁରୁତ୍ବାରୋପ କରିଛନ୍ତି । ଓଡ଼ିଶାରୁ କେନ୍ଦ୍ର କୋଇଲା, ଓ ରେଲ୍‌ଓ୍ବେ ବାବଦରେ ବହୁଳ ଅର୍ଥ ପାଉଥିବାବେଳେ ଓଡ଼ିଶାକୁ ଅଣଦେଖା କରାଯାଉଛି ବୋଲି ନବୀନ କହିଛନ୍ତି ।

Categories
ଆଜିର ଖବର

ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀପତ୍ର ଦାଖଲ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଗଞ୍ଜାମର ହିଞ୍ଜିଳି ବିଧାନସଭା ଆସନରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ନବୀନ। ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ ଗଞ୍ଜାମ ବିଜେଡିର ଅନେକ ବରିଷ୍ଠ ନେତା ନବୀନଙ୍କ ସହିତ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଶ୍ରୀ ପଟ୍ଟନାୟକ ଚଳିତ ନିର୍ବାଚନରେ  ଦୁଇଟି ବିଧାନସଭା ଆସନ ବିଜେପୁର ଏବଂ ହିଞ୍ଜିଳିରୁ ନିର୍ବାଚନ ଲଢୁଥିବା ବେଳେ ପ୍ରଥମେ ହିଞ୍ଜିଳିରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ କରିବା ପରେ ଗଣମାଧ୍ୟମଙ୍କ କେତୋଟି ଆସନ ଜିତିବେ ପ୍ରଶ୍ନର ଉତ୍ତରରେ ଆସନ୍ତା ନିର୍ବାଚନରେ ପ୍ରଚୁର ଆସନ ଜିତି ସରକାର ଗଠନ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ବିଶେଷ ଖବର

ବିଜେଡି ଜାରି କଲା ପ୍ରାର୍ଥୀ ତାଲିକା; ଏଥର ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ସମୀକ୍ଷା ବ୍ୟୁରୋ

ସାଧାରଣ ନିର୍ବାଚନ ପାଇଁ ବିଜେଡି ଆଜି ତା’ର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ନବୀନ ନିବାସରେ ଏହି ତାଲିକାକୁ ଘୋଷଣା କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟର ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ଅଥାର୍ତ ଏପ୍ରିଲ ୧୧ ଓ ୧୮ରେ ହେବାକୁ ଥିବା ୯ଟି ଲୋକସଭା ସହ ଏହା ଅଧିନରେ ଆସୁଥିବା ୫୪ଟି ବିଧାନସଭା ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡି ପ୍ରଥମେ ଟିକେଟ ଘୋଷଣା କରିଛି। ୯ଟି ଲୋକସଭା ଆସନରେ ଏଥର ୮ଟି ଆସନରେ ନୂଆମୁହଁକୁ ଛିଡ଼ା କରାଇଥିବାବେଳେ କେବଳ ବଲାଙ୍ଗୀର ଲୋକସଭା ଆସନରେ କଳିକେଶ ସିଂହଙ୍କୁ ପୁନରାବୃତ୍ତି କରାଯାଇଛି। କଳାହାଣ୍ଡିରୁ ପୁଷ୍ପେନ୍ଦ୍ର ସିଂହଦେଓ, ନବରଙ୍ଗପୁରରୁ ରମେଶ ମାଝୀ, କୋରାପୁଟରୁ କୌଶଲ୍ୟା ହିକକା, ବଲାଙ୍ଗୀରରୁ କଳିକେଶ ନାରାୟଣ ସିଂହଦେଓ, ବ୍ରହ୍ମପୁରରୁ ଚନ୍ଦ୍ରଶେଖର ସାହୁ, ବରଗଡରୁ ପ୍ରସନ୍ନ ଆଚାର୍ଯ୍ୟ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ ଓ ସୁନ୍ଦରଗଡ଼ରୁ ସୁନୀତା ବିଶ୍ବାଳଙ୍କୁ ଲୋକସଭା ପାଇଁ ପ୍ରାର୍ଥୀ କରିଛି ବିଜେଡି। ସେହିପରି ଏଥର ବିଜେଡ଼ି ସୁପ୍ରିମୋ ଦୁଇଟି ଦୁଇଟି ଆସନରୁ ନିର୍ବାଚନ ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି। ହିଞ୍ଜିଳି  ଓ ବିଜେପୁର ଦୁଇଟି ବିଧାନସଭା ଆସନରୁ ନବୀନ ପଟ୍ଟନାୟକ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ସୂଚନା ରହିଛି। ବିଜେପୁର ଆସନକୁ ନେଇ ବହୁତ ଚର୍ଚ୍ଚା ଲାଗି ରହିଥିଲା। ଏହି ବିଜେପୁର ଆସନରୁ ନିଜେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ରାଜନୈତିକ ମହଲରେ ଚର୍ଚ୍ଚାର ଶରବ୍ୟ ପାଲଟିଛି। ମହିଳାଙ୍କୁ ଲୋକସଭାରେ ୩୩% ସ୍ଥାନ ସଂରକ୍ଷଣ ଦେବାପାଇଁ ନିଶ୍ଚୟ କରିଥିବାବେଳେ ବିଜେଡ଼ି ସୁପ୍ରିମୋ ଏହି ୯ଟି ଲୋକସଭା ଆସନରେ ୩ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇଛନ୍ତି।

ବିଜେଡ଼ିର ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା :

୧-ସୁନ୍ଦରଗଡ଼ ଲୋକସଭା- ସୁନୀତା ବିଶ୍ବାଳ

ବିଧାନସଭା

ସୁନ୍ଦରଗଡ଼-ଯୋଗେଶ କୁମାର ସିଂ, ରାଜଗାଙ୍ଗପୁରର- ଶ୍ରୀ ମଙ୍ଗଳା କିଶାନ୍‌, ତଳସରାର- ଷ୍ଟିଫେନ୍‌ ସୋରେନ୍‌, ରାଉରକେଲାର- ଶ୍ରୀ ସାରଦା ପ୍ରସାଦ ନାୟକ, ରଘୁନାଥପାଲ୍ଲୀର- ସୁବ୍ରତ ତରାଇ, ବଣାଇ- ରଂଜିତ୍‌ କିଶାନ୍‌

୨-ବ୍ରହ୍ମପୁର ଲୋକସଭା-ଚନ୍ଦ୍ରଶେଖର ସାହୁ

ବିଧାନସଭା

ବ୍ରହ୍ମପୁର- ବିକ୍ରମ କୁମାର ପଣ୍ଡା, ଗୋପାଳପୁର- ପ୍ରଦୀପ କୁମାର ପାଣିଗ୍ରାହୀ, ଦିଗପହଣ୍ଡି-ସୂର୍ଯ୍ୟନାରାୟଣ ପାତ୍ର, ଚିକିଟି- ଉଷା ଦେବୀ, ଛତ୍ରପୁର- ଶ୍ରୀ ସୁବାସ ଚନ୍ଦ୍ର ବେହେରା, ପାରଳାଖେମୁଣ୍ଡି- କଲ୍ୟାଣୀ ଗଜପତି, ମୋହନା- ପୂର୍ଣ୍ଣବାସୀ ନାୟକ

୩-କଳାହାଣ୍ଡି ଲୋକସଭା-ପୁଷ୍ପେନ୍ଦ୍ର ସିଂହଦେଓ

ବିଧାନସଭା

ଭବାନୀପାଟଣା- ଶ୍ରୀ ଦୁଷ୍ମନ୍ତ ନାଏକ, ନର୍ଲା- ଭୁପିନ୍ଦର ସିଂ, ଜୁନାଗଡ଼- ଦିବ୍ୟ ଶଙ୍କର ମିଶ୍ର, ଧର୍ମଗଡ଼- ମୌସୁଦୀ ବାଗ୍‌, ନୂଆପଡ଼ା-ରାଜେନ୍ଦ୍ର ଢୋଲକିଆ, ଖଇରା- ଲମ୍ବୋଦର ନିଆଲ

୪-କନ୍ଧମାଳ ଲୋକସଭା-ଅଚ୍ୟୁତ ସାମନ୍ତ

ବିଧାନସଭା

ବାଲିଗୁଡ଼ା- ଚକ୍ରଧର କଅଁର, ଜି. ଉଦୟଗିରି- ସାଲୁଗା ପ୍ରଧାନ, ବୌଦ୍ଧ-ପ୍ରଦୀପ କୁମାର ଅମାତ୍‌,  କଣ୍ଟାମାଳ- ଶ୍ରୀ ମହୀଧର ରାଣା, ଭଞ୍ଜନଗର-ବିକ୍ରମ କେଶରୀ ଆରୁଖ, ଦଶପଲ୍ଲା-ରମେଶ ବେହେରା

୫-ଆସ୍କା ଲୋକସଭା-ପ୍ରମିଳା ବିଶୋଇ

ବିଧାନସଭା

ଆସ୍କା- ମଂଜୁଳା ସ୍ବାଇଁ, ସୋରଡ଼ା- ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ସାନଖେମୁଣ୍ଡଡ଼ି- ନନ୍ଦିନୀ ଦେବୀ, ପୋଲସରା- ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର- ଲତିକା ପ୍ରଧାନ, ହିଞ୍ଜିଳି- ନବୀନ ପଟ୍ଟନାୟକ,  ଖଲିକୋଟ- କେକେ ସୂର୍ଯ୍ୟମଣି ବୈଦ୍ୟ

୬-ବରଗଡ଼ ଲୋକସଭା-ପ୍ରସନ୍ନ ଆଚାର୍ଯ୍ୟ

ବିଧାନସଭା

ବରଗଡ଼- ଦେବେଶ ଆଚାର୍ଯ୍ୟ, ଅତାବିରା- ସ୍ନେହାଙ୍ଗିନୀ ଛୁରିଆ, ଭଟଲି- ସୁଶାନ୍ତ ସିଂ, ବିଜେପୁର- ନବୀନ ପଟ୍ଟନାୟକ,  ପଦ୍ମପୁର- ବିଜୟ ରଞ୍ଜନ ବରିହା,  ଝାରସୁଗୁଡ଼ା- ନବ କିଶୋର ଦାସ

୭-ବଲାଙ୍ଗିର ଲୋକସଭା- କଳିକେଶ ନାରାୟଣ ସିଂହଦେଓ

ବିଧାନସଭା

ଟିଟିଲାଗଡ଼- ଟୁକୁନି ସାହୁ, ପାଟଣାଗଡ଼- ସରୋଜ ମେହେର, ସୋନପୁର- ନିରଞ୍ଜନ ପୂଜାରୀ, କଣ୍ଟାବାଞ୍ଜି- ଅଜୟ ଦାସ, ବୀରମହାରାଜାପୁର- ପଦ୍ମନାଭ ବେହେରା

୮-ନବରଙ୍ଗପୁର ଲୋକସଭା-ରମେଶ ଚନ୍ଦ୍ର ମାଝୀ

ବିଧାନସଭା

ନବରଙ୍ଗପୁର-ସଦାଶିବ ପ୍ରଧାନୀ, ଉମରକୋଟ- ସୁବାସ ଗଣ୍ଡ, ଡାବୁଗାଁ- ମନୋହର ରାନ୍ଧାରୀ  , କୋଟପାଟ- ପଦ୍ମିନୀ ଦିଆନ୍‌,  ଚିତ୍ରୋକୋଣ୍ଡା- ପୂର୍ଣ୍ଣଚନ୍ଦ୍ର ସିକ୍କା

୯-କୋରାପୁଟ ଲୋକସଭା-କୌଶଲ୍ୟା ହିକ୍‌କା

ବିଧାନସଭା

ବିଷମ କଟକ- ଶ୍ରୀ ଜଗନ୍ନାଥ ସାରିକା, ଗୁଣପୁର- ଶ୍ରୀ ରଘୁନାଥ ଗମାଙ୍ଗ, ରାୟଗଡ଼ା- ଲାଲବିହାରୀ ହିମରିକା, କୋରାପୁଟରୁ  ରଘୁନାଥ ପେଡାଲ୍‌, ଲକ୍ଷ୍ମୀପୁର-ପ୍ରଭୁ ଜାନି, ଜୟପୁର- ରବିନାରାୟଣ ନନ୍ଦ

ଏହି ପର୍ଯ୍ୟାୟ ତାଲିକାରେ ଦୁଇଟି ବିଧାନସଭାର ଆସନ ଘୋଷଣା କରାଯାଇ ନାହିଁ। ସେ ଦୁଇଟି ହେଲା ବ୍ରଜରାଜନଗର ଏବଂ ବଲାଙ୍ଗିର। ବ୍ରଜରାଜନଗରରେ ବର୍ତ୍ତମାନ ବିଜେପି ବିଧାୟିକା ରାଧାରାଣୀ ପଣ୍ଡା ଦଳ ପ୍ରତି ଅସନ୍ତୁଷ୍ଠ ଅଛନ୍ତି। ସେ ଇସ୍ତଫା ଦେଲେ ବିଜେଡି ତାଙ୍କୁ ଟିକେଟ ଦେବ ବୋଲି ଜଣାପଡିଛି। ସେହିପରି ବଲାଙ୍ଗିରରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଟିକେଟ ମିଳିବା କଥା। ହେଲେ କେଉଁଠି କଣ ଅଟକିଛି ଯାହା ଫଳରେ ସେହି ଆସନ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ।

Categories
ଆଜିର ଖବର

ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦଳ ଟିକେଟ୍ ଦେବ: ନବୀନ

ନିର୍ବାଚନ ତାରିଖ ଘୋଷଣା ସରିବା ପରେ ପ୍ରାର୍ଥୀ ଚୟନକୁ ନେଇ ରାଜେନୖତିକ ଦଳଗୁଡ଼ିକ ବେଶ୍‌ ସରଗରମ ରହିଛନ୍ତି। ରାଜନୈତିକ ଦଳ ଗୁଡିକର ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଜୁ ଜନତା ଦଳରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ସର୍ବାଧିକ ରହିଛି। ଟିକେଟ ବଣ୍ଟନ ପ୍ରକ୍ରିୟାକୁ ନେଇ ବିଜେଡ଼ି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏଥର ପ୍ରାର୍ଥୀ ଚୟନରେ ବିଜୟ ସମ୍ଭାବନାକୁ ଗୁରୁତ୍ବ ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି। ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦଳ ଟିକେଟ୍ ଦେବ। ନିର୍ବାଚନ ତାରିଖ  ଘୋଷଣା ସରିଥିବାରୁ ଖୁବଶୀଘ୍ର ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି କହିଛନ୍ତି ନବୀନ। ଏହାସହିତ ଚଳିତ ଥର ବିଜେଡ଼ି ଏକାକୀ ନିର୍ବାଚନ ଲଢ଼ିବ ବୋଲି ସ୍ପଷ୍ଟ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ୪ ପାଳିର ଶାସନ ପରେ ପୁଣି କ୍ଷମତା ହାତେଇବାକୁ ଉଦ୍ୟମ ଜାରି ରଖିଛି ବିଜେଡ଼ି ।