ଉତ୍ତର ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର

Published: Apr 25, 2019, 12:12 pm IST

କ୍ରମାଗତ ଦ୍ବିତୀୟ ଦିନ ପାଇଁ ଉତ୍ତର ଓଡିଶା ଗସ୍ତରେ ରହି ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାରିପଦା, କପ୍ତିପଦା ଏବଂ ମୋରଡାରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଚାର ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରଥମେ ବାରିପଦାର ଜଗନ୍ନାଥ ମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ଏହା ପରେ କପ୍ତିପଦାରେ ଦଳ ପକ୍ଷରୁ ଆୟୋଜିତ ଏକ ଜନସଭାରେ ସାମିଲ ହୋଇଥିଲେ ନବୀନ। ଏହି ଅବସରରେ ନବୀନ ନିଜ ଅଭିଭାଷଣରେ କାଳିଆ ଯୋଜନାର ସଫଳତା ବଖାଣିବା ସହ କେନ୍ଦ୍ରକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି ବୋଲି ଅଭିଯୋଗ କରିଛନ୍ତି ନବୀନ। ମୁଁ ଥିବା ପର୍ଯ୍ୟନ୍ତ କାଳିଆକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ଦମ୍ଭ ଦେଖାଇବା ସହ ବିଜୁ ଜନତା ଦଳ ପୁନର୍ବାର କ୍ଷମତାକୁ ଆସିଲେ ସରକାର ଗଠନର ପ୍ରଥମ ଦିନରେ ହିଁ କାଳିଆର ଦୁଇଟି କିସ୍ତିର ଟଙ୍କା ଚାଷୀଙ୍କୁ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାପରେ କପ୍ତିପଦା ନିର୍ବାଚନୀ ସଭାରୁ ବି କେନ୍ଦ୍ରକୁ କଡା ଭାଷାରେ ସମାଲୋଚନା କରିଥିଲେ ନବୀନ। ନିର୍ବାଚନ ସମୟରେ କେନ୍ଦ୍ରର ବଡ ବଡ ନେତା ଓଡିଶା ଧାଇଁ ଆସୁଛନ୍ତି ହେଲେ ବିପର୍ଯ୍ୟୟ ବେଳେ ସେମାନଙ୍କର କାହାର ବି ଦେଖାମିଳେନି ବୋଲି ନବୀନ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ, ମୟୂରଭଂଜ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୮୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବା ବେଳେ କେନ୍ଦ୍ର ସରକାର ମାତ୍ର ୨୦ ପ୍ରତିଶତ ଅର୍ଥ ଦେଇଛନ୍ତି। ସେହିପରି ଚଳିତ ଲୋକସଭା ନିର୍ବାଚନରେ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ପାରିବେ ନାହିଁ ଏବଂ ବିଜେଡି ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ନବୀନ କହିଥିଲେ।

Related posts