ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ଼ ଗୁଜୁରାଟରେ କଂଗ୍ରେସ ନିର୍ବାଚନ ବିଗୁଲ୍ ବଜାଇବ। ଗୁଜରାଟ ଅହମ୍ମଦାବାଦରେ ନିର୍ବାଚନୀ ସଭାରେ ରାହୁଲ ଯୋଗଦେବେ। ଏଠାରେ ୫୮ ବର୍ଷ ପରେ କଂଗ୍ରେସ ସମିତି ବୈଠକ ଅନୁଷ୍ଠିତ ହେଉଛି। ୧୯୬୧ରେ ଶେଷ ଥର ପାଇଁ ଏଠାରେ କଂଗ୍ରେସ ବୈଠକ ହୋଇଥିଲା। ଏହି ବୈଠକରେ କଂଗ୍ରେସର ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସମେତ ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ମଧ୍ୟ ଯୋଗଦେବେ । ପ୍ରିୟଙ୍କାଙ୍କ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ବୈଠକ, ଯେଉଁଠାରେ ପ୍ରଥମଥର ପାଇଁ ପ୍ରିୟଙ୍କା ଆଜି ଏହି ବୈଠକକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ କଂଗ୍ରେସ ତା’ର ନିର୍ବାଚନ ରଣନୀତି ପ୍ରସ୍ତୁତ କରିବ । ଗୁଜରାଟରେ ମୋଟ ୨୬ ଲୋକସଭା ଆସନ ରହିଛି। ବିମୁଦ୍ରାକରଣ , ଜିଏସ୍ଟି, କୃଷକ ସମସ୍ୟା ଏବଂ ବେକାରୀ ସମସ୍ୟା ପ୍ରମୁଖକୁ ପ୍ରସଙ୍ଗ କରାଯିବା ନେଇ ଏହି ବୈଠକରେ ମୁଖ୍ୟ ଏଜେଣ୍ଡା ରହିଛି । ଏହି ବୈଠକରେ ପଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ ପଟେଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେ ରାହୁଲ୍ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସର ସାମିଲ୍ ହେବେ ବୋଲି କିଛିଦିନ ହେବ ଚର୍ଚ୍ଚା ଲାଗି ରହିଥିଲା । ସେ ଜାମନଗର ଲୋକସଭା ଆସନରୁ ନିର୍ବାଚନ ଲଢିପାରନ୍ତି ବୋଲି ସୂଚନା ରହିଛି ।