ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ବାଲାଘାଟରେ ଜଣେ ପୁତ୍ରକୁ ପିତା ହତ୍ୟା କରିଛନ୍ତି । ପୁତ୍ର କ୍ବାରେଣ୍ଟାଇନ୍ ଅବଧି ପୂରଣ ନ କରି ଘରକୁ ଯିବାକୁ ଚାହୁଁଥିବାରୁ ତାଙ୍କ ବାପା ପୁଅକୁ ହତ୍ୟା କରିଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପୁଅ ଜଣକ ନିକଟରେ ହାଇଦ୍ରାବାଦରୁ ଫେରିଥିଲେ। ଏଥିପାଇଁ ପିତାଙ୍କୁ କରୋନା ସଂକ୍ରମଣର ଭୟ ଲାଗି ରହିଥିଲା । ଏଥିପାଇଁ ସେ ତାଙ୍କ ପୁଅକୁ ଘରକୁ ଆସିବାକୁ ମନା କରିଥିଲେ । କିନ୍ତୁ ପୁଅ ପିତାଙ୍କ କଥାକୁ ଅମାନ୍ୟ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପିତା ଜଣକ ପୁତ୍ରକୁ ବାଡି ଦ୍ବାରା ବାଡେଇ ବାଡେଇ ହତ୍ୟା କରିଦେଇଛନ୍ତି। ଦେଶରେ ଏହା ବୋଧେ ପ୍ରଥମ ମାମଲା, ଯେଉଁଥିରେ କରୋନକୁ ଡରି ଜଣେ ପିତା ପୁତ୍ରର ହତ୍ୟା କରିଛି ।
ମିଳିଥିବା ସୂଚନା ଅନୁସାରେ ମୃତକ ନାମ ହେଉଛି ଟେକଚନ୍ଦ୍ର । ବାଲଘାଟ ଗଢୀର ବାସିନ୍ଦା ଟେକଚନ୍ଦ୍ର ହାଇଦ୍ରାବାଦରେ କାମ କରୁଥିଲେ । ଲକ୍ ଡାଉନ ପରେ ସେ ଚାଲି ଚାଲି ନିଜ ଗ୍ରାମକୁ ଫେରିଥିଲେ । ପୁଅ ହାଇଦ୍ରାବାଦର ରେଡ୍ ଜୋନରୁ ଫେରିଥିବାବେଳେ କାଳେ ତାଙ୍କ ପୁଅ ଯୋଗୁଁ ସାରା ଗ୍ରାମରେ କରୋନା ନ ବ୍ୟାପୁ ଏଥିପାଇଁ ତାଙ୍କ ବାପା ତାଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ପୁଅ ବାପାଙ୍କ କଥା ନ ମାନିବାରୁ ବାପା ରାଗରେ ପୁଅର ହତ୍ୟା କରିଦେଇଛନ୍ତି ।
ମେ ତିନି ତାରିଖରେ ଟେକଚନ୍ଦ ହାଇଦ୍ରାବାଦରୁ ଚାଲି ଚାଲି ନିଜ ଘରେ ପହଞ୍ଚିଥିଲେ । ତାଙ୍କ ପିତା ଭୀମଲାଲ୍ କରୋନା ଆଶଙ୍କା କରି ତାଙ୍କୁ ଗ୍ରାମରେ ଥିବା କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ସେ ସେଠାରେ ନ ରହି ଘରକୁ ଆସିବାକୁ ଚାହିଁଥିଲେ । ପରେ ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ରାଗରେ ଭୀମଲାଲ୍ ପୁଅ ମୁଣ୍ଡକୁ ବାଡିରେ ତିନି ଚାରି ଥର ବାଡେଇ ଦେଇଥିଲେ । ଏଥିରେ ପୁଅ ଗୁରୁତର ହୋଇପଡିଥିଲେ । ତାଙ୍କୁ ତତ୍କ୍ଷଣାତ ହସ୍ପିଟାଲ୍ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ୍ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଥିବାର ଜଣାପଡିଛି ।