Categories
ଆଜିର ଖବର ଜାତୀୟ ଖବର

ଜେକେସିଏ ଦୁର୍ନୀତି ମାମଲାରେ ଫାରୁକ ଅବଦୁଲ୍ଲାଙ୍କୁ ଇଡିର ଜେରା

ଶ୍ରୀନଗର : ଜମ୍ମୁ କାଶ୍ମୀର କ୍ରିକେଟ ସଂଘର ଏକ ଦୁର୍ନୀତି ମାମଲାରେ ଫାରୁକ ଅବଦୁଲ୍ଲାଙ୍କୁ ପଚରା ଉଚୁରା କରିଛି ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ । ଶ୍ରୀନଗର ସ୍ଥିତ ଇଡି କାର୍ଯ୍ୟାଳୟରେ ଅବଦୁଲ୍ଲାଙ୍କୁ ଜେରା କରାଯାଉଥିବା ବେଳେ ଓମାର ଅବଦୁଲ୍ଲା ଏହି ଘଟଣାକୁ ନିନ୍ଦା କରିଛନ୍ତି । ଜମ୍ମୁ କାଶ୍ମୀରରେ କ୍ରିକେଟର ବିକାଶ ପାଇଁ 112 କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଏହା ମଧ୍ୟରୁ 43 କୋଟି ହେରଫେର ହୋଇଥିବା ନେଇ ଅଭିଯୋଗ ଆସିଥିଲା । ଏହି ଦୁର୍ନୀତି ମାମଲାକୁ ନେଇ 2019ରୁ ଇଡି ପକ୍ଷରୁ ପଚରାଉଚୁରା କରାଯାଉଛି । 2002ରୁ 2011 ମଧ୍ୟରେ ଅବଦୁଲ୍ଲା କ୍ରିକେଟ ବୋର୍ଡର ଚେୟାରମ୍ୟାନ ରହିଥିବା ସମୟରେ ଏହି ହେରଫେର ହୋଇଥିବା ଜଣାପଡିଛି । ତେବେ ଫାରୁକଙ୍କ ପୁଅ ଓମାର ଅବଦୁଲ୍ଲା ଏହି ଘଟଣାରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଗୁପକାର ରାଜିନାମାରେ ଭୟଭୀତ ହୋଇ କେନ୍ଦ୍ର ସରକାର ଇଡି ଜରିଆରେ ପ୍ରତିଶୋଧପରାୟଣ ରାଜନୀତି କରୁଛି ବୋଲି ଓମାର ଟ୍ୱିଟ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ତିର୍ତ୍ତୋଲ ବ୍ଲକ୍ ଭତ୍ତା ଦୁର୍ନୀତି ଘଟଣା: ଜିପିଓ ପଦରୁ ବିଦା ହୋଇଥିଲେ ଏବେ ଚାକିରୀରୁ ନିଳମ୍ବିତ ହେଲେ ହିମାଂଶୁ ନାୟକ

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ୍ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।। ଭତ୍ତା ଦୁର୍ନୀତି ସହିତ ବିଭିନ୍ନ ସରକାରୀ ଯୋଜନାରେ ହୋଇଥିବା ଦୁର୍ନୀତି ସମ୍ବନ୍ଧରେ ତଥ୍ୟଗତ ପ୍ରମାଣ ଓ ସରକାରୀ ତଦନ୍ତ ପରେ ଉକ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ହିମାଂଶୁ ଭୂଷଣ ନାୟକଙ୍କୁ ଜିପିଓ ପଦରୁ ବିଦା କରାଯାଇଥିଲା। ଏବେ ତାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। ଉକ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ହିମାଂଶୁ ଭୂଷଣ ନାୟକଙ୍କ ନାମରେ ଗୋଟିଏ ବର୍ଷ ମଧ୍ୟରେ ଅନେକ ଅଭିଯୋଗ ତିର୍ତୋଲ ବିଡିଓ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଜଗତସିଂହପୁରଙ୍କ ନିକଟରେ ହୋଇଥିଲା। ସୂଚନାନୁଯାୟୀ ମନରେଗା ଯୋଜନାରେ ବ୍ୟାପକ ହରିଲୁଟ ଓ ମିଥ୍ୟା ବିଲକୁ ନେଇ ଜିପିଓଙ୍କ ନାମରେ ଅଭିଯୋଗ ହୋଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ମଧ୍ୟ କେଳେଙ୍କାରି ନେଇ ଅଭିଯୋଗ ରହିଥିଲା। ଫନି ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ତାଲିକା ପ୍ରସ୍ତୁତିରେ ଅନିୟମିତତା ନେଇ ମଧ୍ୟ ତିର୍ତ୍ତୋଲ ବିଡିଓଙ୍କୁ ଅଭିଯୋଗ ହୋଇଥିଲା।

ଉକ୍ତ ପଞ୍ଚାୟତର ସୂଚନାଅଧିକାର କର୍ମୀ ରଶ୍ମିରଞ୍ଜନ ଦାଶଙ୍କ ଦ୍ଵାରା ପର୍ଦାଫାଶ ହୋଇଥିବା ବହୁଚର୍ଚ୍ଚିତ ୨୫୦ରୁ ଉର୍ଦ୍ଧ ଯୁବକଙ୍କ ବୟସ ଜାଲିଆତି କରାଯାଇ ସେମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ଭଳି କେଳେଙ୍କାରି ହୋଇଥିବା ଘଟଣାକୁ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେବାର ୪ ମାସ ବିତିଗଲାପରେ ୦୩. ୦୪. ୨୦୨୦ ରିଖରେ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଏହିସବୁ ରିପୋର୍ଟ ଆଧାରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି। ଉକ୍ତ ଘଟଣାରେ ସରପଞ୍ଚଙ୍କ କାର୍ଯ୍ୟ ମଧ୍ୟ ସଂଦେହ ଘେରକୁ ଆସିଥିଲା। ଏମିତିକି ଉକ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହିମାଂଶୁ ଭୂଷଣ ନାୟକଙ୍କ ସହାୟତାରେ ୨୦୧୭ ମସିହା ତ୍ରିସ୍ତରୀୟ ଗ୍ରାମପଞ୍ଚାୟତ ନିର୍ବାଚନ ଭୋଟର ତାଲିକାକୁ ଜାଲିଆତି କରାଯାଇ ଯୁବକ ମାନଙ୍କୁ ବୃଦ୍ଧ କରାଯାଇଥିବା ଅଭିଯୋଗ ହୋଇଥିଲା।

ଉକ୍ତ ଘଟଣାର ପ୍ରମାଣ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିବା ପରେ ହିମାଂଶୁ ଭୂଷଣ ନାୟକଙ୍କୁ ଅତିରିକ୍ତ ଭାବେ ଦିଆଯାଇଥିବା ଜି.ପି.ଓ ପଦବୀରୁ ତୁରନ୍ତ ହଟାଇ ଦିଆଯାଇଥିଲା ଏବେ ତାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। ଏଠି ପ୍ରଶ୍ନ ଉଠୁଛି ଏହି କାର୍ଯ୍ୟନିର୍ବାହୀ ଅଧିକାରୀ ଜଣକ ଉକ୍ତ ପଞ୍ଚାୟତରେ ପାଖାପାଖି ୨ବର୍ଷ ରହି ଯଦି ଏତେ ଦୁର୍ନୀତି ବାହାରୁଛି ତେବେ ପ୍ରାୟ ସାତ ବର୍ଷ ହେବ ରହିଥିବା ସାମନ୍ତରାପୁର ପଞ୍ଚାୟତରେ କେତେ ପରିମାଣର ଦୁର୍ନୀତି ହୋଇଥିବ ଏନେଇ ଚର୍ଚ୍ଚା ହେଉଛି।ଏହି ଦୁର୍ନୀତିର ଚେର କେଉଁ ଯାଏ ଲମ୍ବିଛି ତାହା ତଦନ୍ତ ସାପେକ୍ଷ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଦାବୀ ହେଉଛି।

Categories
ଆଞ୍ଚଳିକ

କୁକୁଡାଖଣ୍ଡିରେ ଶୌଚାଳୟ ନିର୍ମାଣରେ ମହା ଦୁର୍ନୀତି: ତଦନ୍ତ ଦାବି

ହେମାଙ୍ଗ ପ୍ରସାଦ ରାଉଳ
କୁକୁଡାଖଣ୍ଡି: ଶୌଚାଳୟ କାମରେ ମହା ଦୁର୍ନୀତି। କୁକୁଡାଖଣ୍ଡି ବ୍ଲକରେ ଶୌଚାଳୟ ଦୁର୍ନୀତି ଲୋକ ଲୋଚନକୁ ଆସିଛି। କେବଳ କୁକୁଡାଖଣ୍ଡି ବ୍ଲକ ନୁହଁ ଗଞ୍ଜାମ ଜିଲ୍ଲାରେ ପ୍ରାୟ ପ୍ରତ୍ୟେକ ବ୍ଲକରେ ଶୌଚାଳୟ ନିର୍ମାଣକୁ ନେଇ ଅଭିଯୋଗ ହୋଇ ଆସୁଛି। ବ୍ଲକ କର୍ମଚାରୀଙ୍କୁ ହାତ କରି ଏହି ଦୁର୍ନୀତି କରାଯାଉଛି। ଗୋଟିଏ ଶୌଚାଳୟ ପାଇଁ ବାର ହଜାର ଟଙ୍କା ଅନୁଦାନ ରାଶି ଆସୁଥିବା ବେଳେ କାମ ଅତ୍ୟନ୍ତ ନିମ୍ନ ମାନର କରାଯାଉଛି। ନିମ୍ନ ମାନର କାମ ସାଙ୍ଗକୁ ପିସି କାରବାର ହେବାର ନଜିର ଥିଲା କିନ୍ତୁ ସବୁକିଛିଠୁ ବଳି ଗଲା ଏହି ଦୁର୍ନୀତିର ଆଉ ଏକ ଦିଗ। ଗୋଟିଏ ଶୌଚାଳୟକୁ ରଙ୍ଗକରି ଅନ୍ୟନାମରେ ବିଲ୍‌ କରାଯାଇ ଅର୍ଥକୁ ହରିଲୁଟ୍‌ କରାଯାଉଛି। ବ୍ଲକ୍‌ କର୍ମଚାରୀଙ୍କ ଆଗୋଚରରେ ଏପରି ହେଉଥିବାରୁ ଏହାର ତଦନ୍ତ କରାଯିବା ପାଇଁ ଦାବି କରାଯାଉଛି।

Categories
ବିଶେଷ ଖବର ମତାମତ

ଦୁର୍ନୀତି ଜାଲରେ ପଡିଥିବା ଅମଲାତନ୍ତ୍ରର ବଡମାଛମାନଙ୍କ ପ୍ରତି ଆମ ଗଣମାଧ୍ୟମ ଓ ବିରୋଧୀ ନେତାଙ୍କର କରୁଣା ବୋହି ପଡୁଛି କାହିଁକି?

କେଦାର ମିଶ୍ର

ଦୁର୍ନୀତି ନିବାରଣ ବିଭାଗ ଯଦି କେଉଁ ଛୋଟିଆ କର୍ମଚାରୀଙ୍କୁ ଧରିପକାଏ, ତାହେଲେ ଆମର ଗଣମାଧ୍ୟମ ସେମାନଙ୍କ ବିରୋଧରେ ଲମ୍ବା ଅଭିଯୋଗର ଫର୍ଦ୍ଦ ପ୍ରସ୍ତୁତ କରିପକାଏ। କୋଟିପତି କିରାଣୀ ବା ପିଅନଙ୍କ ବିଳାସପୂର୍ଣ୍ଣ ପ୍ରାସାଦ ଭଳି ଅପେରା ମାର୍କା ଶୀର୍ଷକ ଲେଖିବାରେ ଆମ ସାମ୍ବାଦିକତାର ହାତ ଥକି ପଡେ ନାହିଁ। ହେଲେ ଦୁର୍ନୀତି ନିବାରଣ ବିଭାଗ ଯଦି କୌଣସି ବଡ ଅମଲାଙ୍କୁ କାବୁ କରେ, ତାହେଲେ ସେଠି ସାଙ୍ଗେ ସାଙ୍ଗେ ଆମର ଶୀର୍ଷକ ବଦଳି ଯାଏ। କିରାଣୀ ଓ ପିଅନଙ୍କ ଦୁର୍ନୀତି ବିରୋଧରେ ଆମେ ଯେଉଁ ଭାଷା ପ୍ରୟୋଗ କରୁ, ଆଇଏଏସଙ୍କ କ୍ଷେତ୍ରରେ ସେ ଭାଷା ବଦଳିଯାଏ। ସାଙ୍ଗେ ସାଙ୍ଗେ ଆମର ଶୀର୍ଷକ ହୋଇଯାଏ– “ଅଧିକାରୀଙ୍କୁ ଫସେଇଦେବାକୁ ଉଚ୍ଚ ସ୍ତରୀୟ ଷଡଯନ୍ତ୍ର” କିମ୍ବା “ନିଜ ପତିଆରା ଜାହିର କରିବାକୁ ଅମୁକ ଅଧିକାରୀଙ୍କୁ ଫସେଇ ଦେଇଛନ୍ତି ସମୁକ ଅଧିକାରୀ”। ବଡ ବିଚିତ୍ର ଯୁକ୍ତି!

ଗଣମାଧ୍ୟମର ପାତର ଅନ୍ତର ନୀତିର ଗୋଟେ ବଢିଆ ନମୂନା ଆମେ ଏବେ ଦେଖୁଛୁ ରାଜ୍ୟର ଜଣେ ବରିଷ୍ଠ ଆଇଏଏସ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କ କ୍ଷେତ୍ରରେ। କିଛିଦିନ ତଳେ ରାଜ୍ୟ ଉଦ୍ୟାନକୃଷି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଉପାଧ୍ୟାୟଙ୍କୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରିଥିଲା। ୨୦୦୯ ବ୍ୟାଚର ଆଇଏଏସ ଅଧିକାରୀ ବିଜୟ କେତନ ଲାଞ୍ଚ ନେଉଥିବାର ଅଭିଯୋଗ କେତେ ସତ ବା ମିଛ, ତାର ପ୍ରମାଣ ଆଗାମୀ ଦିନରେ ଅଦାଲତରେ ହେବ। ତେବେ ଜଣେ ବରିଷ୍ଠ ଅଧିକାରୀଙ୍କ ନାଁରେ ଏ ପ୍ରକାର ଅଭିଯୋଗ ଆସିବା ଅତ୍ୟନ୍ତ ଗୁରୁତର ବିଷୟ। ତୁରନ୍ତ ଏହା ଉପରେ ରାଜ୍ୟ ସରକାର କାର୍ୟାନୁଷ୍ଠାନ ନେବା ଜରୁରୀ ଥିଲା। ଅଭିଯୋଗ ଆସିବା ପରେ ସମ୍ପୃକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିଲମ୍ବିତ କରିଛନ୍ତି ଓ ଦୁର୍ନୀତି ନିବାରଣ ବିଭାଗ ତାଙ୍କୁ ରିମାଣ୍ଡରେ ଆଣି ପଚରା ଉଚୁରା କରୁଛନ୍ତି। ଆଇନ ଅନୁସାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ରାଜ୍ୟ ସରକାରଙ୍କର ରହିଛି। ସବୁଠୁ ମଜା କଥା ହେଉଛି ଏହି ଅଧିକାରୀଙ୍କ ସପକ୍ଷରେ ଜଣେ ବରିଷ୍ଠ କଂଗ୍ରେସ ନେତା ଓକିଲାତି କରିବା ଆରମ୍ଭ କରିଛନ୍ତି।

ଏ କ୍ଷେତ୍ରରେ ଗଣମାଧ୍ୟମର ଦାୟିତ୍ଵ କଣ ହେବା ଉଚିତ? ଯେଉଁ ଅଧିକାରୀଙ୍କ ବିରୋଧରେ ସରକାର ଅଭିଯୋଗ ଆଣିଛନ୍ତି, ତାହାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ଆମର ପ୍ରାଥମିକ ଦାୟିତ୍ଵ। ହେଲେ ଆମେ କରୁଛୁ କଣ? ଆମେ ସାକ୍ଷ୍ୟ ପ୍ରମାଣରେ ଆମେ  କହିବାକୁ ଚାହୁଁଛୁ ଯେ ବାବୁ ଜଣକ ନିରୀହ ଓ ତାଙ୍କୁ ଫସାଇ ଦେବାକୁ କେହିଜଣେ “ବଡ କ୍ଷମତାଶାଳୀ ଲୋକ” ଉଦ୍ୟମ କରୁଛନ୍ତି। ଇଏ ଏକ ବିଚିତ୍ର ଯୁକ୍ତି। ବଡ ବଡ ଅଧିକାରୀଙ୍କ ଦୁର୍ନୀତିକୁ ବିଶ୍ଵାସ କରିବାକୁ ଆମେ ପ୍ରସ୍ତୁତ ନୋହୁ। ଯେତେବେଳେ ବି ରାଜ୍ୟ ସରକାର କୌଣସି ବଡ ଅଧିକାରୀଙ୍କ ବିରୋଧରେ କିଛି ପଦକ୍ଷେପ ନେବାକୁ ଉଦ୍ୟମ କରନ୍ତି, ତୁରନ୍ତ ଆମର ଗଣମାଧ୍ୟମ ସେହି ଅଧିକାରୀଙ୍କର ରକ୍ଷା କବଚ ହୋଇ ଠିଆ ହୋଇପଡେ। ଓଡିଆ ଗଣମାଧ୍ୟମ, ବିଶେଷ କରି ଟେଲିଭିଜନ ସାମ୍ବାଦିକତାର ଏହା ଏକ ବିଶେଷ ଲକ୍ଷଣ। ଯଦି ରାଜ୍ୟ ସରକାର କୌଣସି ବଡ ଅଧିକାରୀଙ୍କୁ ନିଲମ୍ବିତ କାଲେ, ତାହେଲେ ଟେଲିଭିଜନ ଷ୍ଟୁଡିଓରେ ତାଙ୍କ ଲାଗି ଜାଗା ମିଳିବା ପକ୍କା। ଆମର ସେଲେବ୍ରିଟି ଟିଭି ସାମ୍ବାଦିକମାନେ ଅଭିଯୁକ୍ତ ବାବୁମାନଙ୍କୁ ନିଜକୁ ମହାପୁରୁଷ ଭାବେ ପ୍ରମାଣିତ କରାଇବାର ବ୍ୟାପକ ସୁଯୋଗ ସୃଷ୍ଟି କରାନ୍ତି।

ଏହାର ସବୁଠୁ ବଡ ଉଦାହରଣ ହେଉଛି ପିପିଲିରେ ଗଣଧର୍ଷଣ ଓ ହତ୍ୟାର ଶିକାର ହୋଇଥିବା ବେବିନା ବେହେରାଙ୍କ ଏଫଆଇଆର ରଖିନଥିବା ପୋଲିସ ଅଧିକାରୀଙ୍କୁ ଯେତେବେଳେ ରାଜ୍ୟ ସରକାର ନିଲମ୍ବିତ କଲେ, ସେହି ପୋଲିସ ଅଧିକାରୀଙ୍କୁ ଓଡିଶାର ଏକ ବଡ ଟିଭି ଚାନେଲରେ ନିଜର ପକ୍ଷ ରଖିବାକୁ ତୁରନ୍ତ ସୁଯୋଗ ଦିଆଗଲା। ଅଦାଲତରେ ନିଜର ପକ୍ଷ ରଖିବା ପୂର୍ବରୁ ଗଣମାଧ୍ୟମରେ ଏହି ମହାଶୟ ନିଜକୁ “ହିରୋ” ବନାଇବାର ଗୋଟେ ଭଲ ସୁଯୋଗ ପାଇଗଲେ। 

ଆଜିର ତାରିଖରେ ବିଜୟ କେତନ ଉପାଧ୍ୟାୟଙ୍କ ପ୍ରତି ମଧ୍ୟ ସେଇ ସମାନ ନୀତି ଲାଗୁ ହେବାକୁ ଯାଉଛି। ସରକାରଙ୍କ ଫାଇଭ ଟି କାର୍ୟକ୍ରମକୁ ସମାଲୋଚନା କରିବାକୁ ଯାଇ ଏବେ ବିଜୟ କେତନଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗକୁ ହାଲୁକା କରିଦେବାର ଉଦ୍ୟମ ଆରମ୍ଭ ହେଲାଣି। ଏହି ଅଧିକାରୀ ଜାମିନ ପାଇଲା କ୍ଷଣି ବିଭିନ୍ନ ଟେଲିଭିଜନ ଚାନେଲରେ ବୁଲି ବୁଲି ନିଜକୁ ନିର୍ଦ୍ଦୋଷ ବୋଲି କହିବେ। ସେଥିଲାଗି ଆମର ଷ୍ଟୂଡିଓ ଗୁଡିକ ପ୍ରସ୍ତୁତ ହୋଇ ରହିଛନ୍ତି।

ଏଠି ଆମର ପ୍ରଶ୍ନ ହେଉଛି, ଯେତେବେଳେ ସାଧାରଣ କିରାଣୀ ବା କନେଷ୍ଟବଳ ଟି ବିରୋଧରେ ଦୁର୍ନୀତି ନିବାରଣ ବିଭାଗ ଚଢାଉ କରେ, ସେତେବେଳେ ବି ଆମେ ତାଙ୍କୁ ଏତିକି ସୁଯୋଗ ଦେଇଥାଉ କି? ଦୁର୍ନୀତି ନିବାରଣ ପାଇଁ ବଡମାଛଙ୍କୁ ଛାଡି ଦିଆଯାଉଛି ବୋଲି ଆମେ ସବୁବେଳେ ଅଭିଯୋଗ କରି ଆସିଛୁ। ହେଲେ ଜାଲରେ ବଡମାଛ ପଡିଲେ, ଆମେ ନିଜେ ମାଛକୁ ଜାଲରୁ ଖସାଇ ଦେବାକୁ ତତ୍ପର ହୋଇପଡୁ କାହିଁକି?

 ବିଜୟ କେତନ ଉପାଧ୍ୟାୟ ଦୋଷୀ କି ନିର୍ଦ୍ଦୋଷ, ସେ କଥା ଅଦାଲତ ବିଚାର କରିବେ। ତାଙ୍କୁ ସାମ୍ବାଦିକମାନେ ଆରମ୍ଭରୁ “କ୍ଳିନ ଚିଟ” ଦେବାର ଅର୍ଥ ହେଉଛି, ଦୁର୍ନୀତି ସହିତ ନିଜକୁ ଛିଡା କରାଇବା।                             

Categories
ବିଶେଷ ଖବର

ଦୁର୍ନୀତି ହଟୁଛି ଯଦି ବ୍ୟାଙ୍କ ଠକେଇ ବଢୁଛି କେମିତି? 

କେଦାର ମିଶ୍ର 

ନିକଟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ସମ୍ପର୍କରେ ସତର୍କ ଦୃଷ୍ଟି ରଖୁଥିବା ସଂସ୍ଥା ଟ୍ରାଂସପେରେନ୍ସି ଇଣ୍ଟରନେସନାଲ ଏକ ରିପୋର୍ଟ ଜାରି କରି କହିଛନ୍ତି ଯେ ଦେଶର ୫୧% ଲୋକ ଆଜି ମଧ୍ୟ ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ ଦେବାକୁ ବାଧ୍ୟ ହେଉଛନ୍ତି। ଯଦିଓ ୨୦୧୮ ତୁଳନାରେ ଲାଞ୍ଚର ମାତ୍ରା ସାମାନ୍ୟ କମିଛି, ତଥାପି ୫୧% କିଛି କମ ସଂଖ୍ୟା ନୁହେଁ। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଗୁଡିକରେ ଦୁର୍ନୀତି ଯଥା ପୂର୍ବମ ତଥା ପରଂ ରହିଛି। ଏହି ରିପୋର୍ଟରେ ଦିଲ୍ଲୀ, ଓଡିଶା, ଗୁଜରାଟ, କେରଳ, ଗୋଆ ଓ ହରିଆଣା ଭଳି ରାଜ୍ୟରେ ଲାଞ୍ଚ କାରବାର କମିଥିବା ବେଳେ ରାଜସ୍ଥାନ, ଉତ୍ତର ପ୍ରଦେଶ, ବିହାର, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ,ଝାଡଖଣ୍ଡ ଓ ପଞ୍ଜାବ ଭଳି ରାଜ୍ୟରେ ଦୁର୍ନୀତି ବଢିଛି। ମୋଟାମୋଟି ଦେଶରେ ଦୁର୍ନୀତିର ଧାରା ୨୦୧୪ ପୂର୍ବରୁ ଯାହାଥିଲା, ଆଜି ବି ତାହା ରହିଛି।

ସମାନ ଦୁର୍ନୀତି ଓ ଭ୍ରଷ୍ଟାଚାରର ଅଭିଯୋଗ ସତ୍ତ୍ୱେ ମୋଦୀ ସରକାର ନିଜକୁ ଦୁର୍ନୀତିମୁକ୍ତ ବୋଲି ଏକ ବିଜ୍ଞାପନ ବ୍ୟବସ୍ଥା କରୁଛନ୍ତି। ଦୁର୍ନୀତି ବିରୋଧୀ ସଂଶୋଧନ ଆଇନ-୨୦୧୮ ପରେ ଏହାର ସାମାନ୍ୟ ପ୍ରଭାବ ଲୋକଙ୍କ ଉପରେ ପଡିନାହିଁ। ଉପର ସ୍ତରରେ ଦୁର୍ନୀତିକୁ ନେଇ ଏକ ପ୍ରକାର ଚଳେଇ ନେବାର ବାତାବରଣ ସୃଷ୍ଟି ହୋଇଛି। ବିଭିନ୍ନ ରାଜ୍ୟରେ ବିଧାୟକଙ୍କ ଘୋଡା ବେପାର ଫଳରେ ଉଲଗ୍ନ ଚେହେରା ଆମକୁ ଆଉ ଆଗପରି ବ୍ୟତିବ୍ୟସ୍ତ କରୁନାହିଁ। କର୍ଣ୍ଣାଟକରେ ଜଣେ ବିଧାୟକ ଦଳ ବଦଳ କଲାପରେ ତାଙ୍କ ସମ୍ପତ୍ତି ୧୮୦ ଗୁଣ ବଢିଗଲା। ଏହାକୁ ଆଜି ଆଉ ଦୁର୍ନୀତି କୁହାଯାଉନି।  ଏତେ ସବୁ ଭ୍ରଷ୍ଟାଚାରର ପ୍ରମାଣ ସତ୍ତ୍ୱେ ମୋଦୀ ସରକାର ନିଜକୁ ସ୍ବଚ୍ଛ ବୋଲି କହି ହେବାରେ ସଫଳ ହୋଇଛନ୍ତି।

ଏକ ଦୁର୍ନୀତିମୁକ୍ତ ବ୍ୟବସ୍ଥାର ହାସ୍ୟାସ୍ପଦ ଚେହେରା ଆଉ ଏକ ତଥ୍ୟରୁ ଆମେ ପାଇପାରିବା। ନିକଟରେ ଦେଶର ସବୁଠୁ ବଡ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରେ ଗତ ଏପ୍ରିଲ ରୁ ନଭେମ୍ବର ପର୍ୟନ୍ତ ପ୍ରାୟ ୨୪,୭୫୭ କୋଟି ଟଙ୍କାର ହେରାଫେରି ହୋଇଛି। ଏହି ବ୍ୟାପକ ବ୍ୟାଙ୍କ ଠକେଇକୁ ସବୁଠୁ ବଡ କର୍ପୋରେଟ ହେରାଫେରି ବୋଲି କୁହାଯାଉଛି। ଏହି ରିପୋର୍ଟ କେବଳ ୧୦୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ହେରଫେର କଥା କହିଛି। ୮ ମାସ ରେ ଏତେ ପରିମାଣର ଟଙ୍କା କର୍ପୋରେଟ ଗୁଡିକ କେବଳ ଗୋଟିଏ ବ୍ୟାଙ୍କରୁ ଖାଇଯାଇଛନ୍ତି। ଅନ୍ୟ ବ୍ୟାଙ୍କ ଗୁଡିକର ଅବସ୍ଥା ମଧ୍ୟ ପାଖାପାଖି ସେଇଆ। ବିନା ଭୟ ଓ ଦ୍ଵିଧାରେ ବ୍ୟାଙ୍କ ଗୁଡିକରେ ରହିଥିବା ଲୋକଙ୍କ ଟଙ୍କା ଖାଇ ଯାଉଥିବା ଶିଲ୍ପପତି ଓ ବ୍ୟବସାୟୀଙ୍କ ବିରୋଧରେ କାର୍ୟାନୁଷ୍ଠାନ ନେବାରେ ସରକାରଙ୍କର ବିଶେଷ ଆଗ୍ରହ ନାହିଁ।କର୍ପୋରେଟ ଠକ ଓ ଦଲାଲମାନେ ବିଭିନ୍ନ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଚଳୁ କରି ରାତାରାତି ଫେରାର ହୋଇ ଯାଉଥିବା ବେଳେ ଏ ପ୍ରସଙ୍ଗରେ ସାଧାରଣ ଲୋକ ବିଶେଷ କିଛି ଜାଣିବାର ସୁଯୋଗ ନାହିଁ।

ଷ୍ଟେଟ ବ୍ୟାଙ୍କର ଏହି ଉଦବେଗଜନକ ରିପୋର୍ଟ ସମ୍ପର୍କରେ ଅର୍ଥନୀତି ଓ ବାଣିଜ୍ୟ ସମ୍ପର୍କିତ ଖବର କାଗଜ ଗୁଡିକ କିଛି ଲେଖିଥିବା ବେଳେ ସାଧାରଣ ଖବର କାଗଜ ଏହାକୁ ବିଶେଷ ଗୁରୁତ୍ଵ ଦେଇ ନାହାନ୍ତି। ଟେଲିଭିଜନରେ ଏହାକୁ ନେଇ କୌଣସି ଆଲୋଚନା ହୋଇନାହିଁ। ବାସ୍ତବରେ ବୁଝି ହେଉନାହିଁ ଯେ କର୍ପୋରେଟ ଘୋଟାଲା ସମ୍ପର୍କିତ ଏତେ ବଡ ଖବରକୁ ଚାପି ଦେବାର କାରଣ କଣ? ମାତ୍ର ୮ ମାସରେ କେବଳ ଗୋଟିଏ ବ୍ୟାଙ୍କରେ ୨୪,୭୫୭ କୋଟି ଟଙ୍କା ଖାଇ ଯାଇଥିବା କର୍ପୋରେଟ ଗୁଡିକୁ ସୁରକ୍ଷା ଦେଉଛି କିଏ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଜ ଭାଷାରେ, ଏହି ଦୁର୍ନୀତିଖୋରଙ୍କୁ ଚାରାପାଣି ଖୁଆଉଛି କିଏ? ଆମେ ଜାଣିଛୁ, ଏହି ପ୍ରଶ୍ନର ଉତ୍ତର ମିଳିବ ନାହିଁ।

ବିଭିନ୍ନ ବ୍ୟାଙ୍କରେ ଉଚ୍ଚ ପଦବୀରେ ଥିବା କର୍ମକର୍ତ୍ତାମାନେ ଅବସର ପରେ କର୍ପୋରେଟ ଗୁଡିକରେ ମୋଟା ଅଙ୍କର ଦରମା ପାଇ ଥଇଥାନ ହେଉଛନ୍ତି। ଏହାର ବଡ ଉଦାହରଣ ହେଉଛନ୍ତି ପୂର୍ବତନ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଅଧ୍ୟକ୍ଷ ଅରୁନ୍ଧତୀ ଭଟ୍ଟାଚାର୍ୟ। ଚାକିରିରୁ ଅବସର ନେବା ପରେ ଶ୍ରୀମତୀ ଭଟ୍ଟାଚାର୍ୟ ମୁକେଶ ଆମ୍ବାନୀଙ୍କ ରିଲାଏନ୍ସ କମ୍ପାନୀରେ ନିର୍ଦ୍ଦେଶକ ପଦ ପାଇଛନ୍ତି। ଏମିତି ଅନେକ ବ୍ୟାଙ୍କର ବଡ ବାବୁ ଅଛନ୍ତି, ଯେଉଁମାନେ କର୍ପୋରେଟଙ୍କୁ ସାହାଯ୍ୟ କରି ବ୍ୟାଙ୍କକୁ ଖୋଳ କରିଦିଅନ୍ତି। ସେ ସମ୍ପର୍କରେ ଆମର କୌଣସି ଠୋସ ନୀତି ମଧ୍ୟ ନାହିଁ। ଯଦି କୌଣସି ବ୍ୟାଙ୍କର ଉଚ୍ଚ ପଦସ୍ଥ ଅଧିକାରୀ ଅବସର ପରେ କର୍ପୋରେଟ ଚାକିରିରେ ଯୋଗ ଦିଅନ୍ତି, ତେବେ ସେ ପୂର୍ବରୁ ଦେଇଥିବା ଋଣ ଓ ଋଣ ଖିଲାପି ସମ୍ପର୍କରେ ବ୍ୟାପକ ତଦନ୍ତ ହେବା ଉଚିତ।

ବ୍ୟାଙ୍କ ଠକେଇ ର ଏହି ନୂଆ ଯୁଗ କୁ ଆମେ ମୋଦୀଙ୍କ ନୂଆ ଭାରତର ନୂଆ ନୈତିକତା ବୋଲି ଗ୍ରହଣ କରିନେବା ନା ଏହା ବିରୋଧରେ କିଛି କହିବା?

Categories
ଆଜିର ଖବର

ଲୋକପାଳ ପାଇଁ ବର୍ଷକରେ ଖର୍ଚ୍ଚ ୩.୮୫ କୋଟି, ହେଲେ ଶୁଣାଣି ହୋଇନାହିଁ ଗୋଟିଏ ବି ମାମଲା

ନୂଆଦିଲ୍ଲୀ, ୧/୧୨ : ଭାରତ ସରକାରଙ୍କ ଦୁର୍ନୀତି ବିରୋଧୀ ସଂସ୍ଥା ଲୋକପାଳ ସ୍ଥାପନକୁ ବର୍ଷେ ପୁରିଲାଣି। ସଂସ୍ଥା ପକ୍ଷରୁ ଏପର୍ଯ୍ୟନ୍ତ ଗୋଟିଏ ବି ମାମଲାର ବିଚାର କରାଯାଇନାହିଁ କିନ୍ତୁ ରହଣି ବାବଦରେ ଖର୍ଚ୍ଚ ହୋଇଛି ୩.୮୫ କୋଟି। ୧୦୦୦ରୁ ଅଧିକ ଦୁର୍ନୀତି ସମ୍ପର୍କିତ ମାମଲା ରୁଜୁ କରାଯାଇଥିବା ବେଳେ ତନ୍ମଧ୍ୟରୁ ଗୋଟିଏ ବି ମାମଲାର ଶୁଣାଣି ହୋଇନାହିଁ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ଲୋକପାଳଙ୍କ ରହଣୀ ବାବଦରେ ନୂଆଦିଲ୍ଲୀ ସ୍ଥିତ ଅଶୋକା ହୋଟେଲକୁ ମାଳସିକ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ।

 

ବର୍ତ୍ତମାନ ସୁଦ୍ଧା ସମୁଦାୟ ୩.୮୫ କୋଟି ଟଙ୍କାର ଭଡା ପ୍ରଦାନ କରାଯାଇସାରିଛି। ସେହିପରି ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ ଅକ୍ଟୋବର ୩୧, ୨୦୧୯ ସୁଦ୍ଧା ୧୧୬୦ଟି ମାମଲା ଲୋକପାଳଙ୍କ ନିକଟରେ ପଞ୍ଜୀକୃତ ହୋଇଛି। ଜଣେ ୧୮ ବର୍ଷୀୟ ଛାତ୍ର ଶୁଭମ୍‌ ଖତ୍ରୀ ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ହାସଲ କରିଥିଲେ। (ଏଜେନ୍ସି)

 

Categories
ଆଜିର ଖବର

୩୩୯ କୋଟିର ବିମାନ କିଣା ଦୁର୍ନୀତି : ଭାରତୀୟ ବାୟୁସେନା ଅଧିକାରୀଙ୍କ ବିରୋଧରେ ସିବିଆଇର ମାମଲା

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ପକ୍ଷରୁ ଭାରତୀୟ ବାୟୁସେନାର କିଛି ଅଧିକାରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି। କେବଳ ବାୟୁସେନା ଅଧିକାରୀ ନୁହନ୍ତି ବରଂ ପ୍ରତିରକ୍ଷା ମନ୍ତ୍ରାଳୟ ଏବଂ ଅସ୍ତ୍ରଶସ୍ତ୍ର ଡିଲର ସଞ୍ଜୟ ଭଣ୍ଡାରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ ଯେ, ୨୦୦୯ରେ ସ୍ବିଜରଲ୍ୟାଣ୍ଡ ନିକଟରୁ ୭୫ଟି ବିମାନ କିଣାଯାଇଥିଲା। ଏହି ବିମାନ କିଣିବାରେ ୩୩୯ କୋଟି ଟଙ୍କାର ଦୁର୍ନୀତିର ଅଭିଯୋଗ ହୋଇଥିଲା। ଭଣ୍ଡାରୀଙ୍କ ବିପକ୍ଷରେ ମାମଲା ରୁଜୁ କରାଯିବା ସହିତ ଭଣ୍ଡାରୀଙ୍କ ଅଫିସ୍‌ରେ ମଧ୍ୟ ସିବିଆଇ ପକ୍ଷରୁ ରେଡ୍‌ କରାଯାଇଛି। ସ୍ବିଜରଲ୍ୟାଣ୍ଡ ନିକଟରୁ ଏହି ସମୟରେ ପିଲାକ୍ଟସ୍‌ ପିସି-୭ ଏମ୍‌କେ-୨ ଏବଂ ଏଚ୍‌ଟିପି-୩୨ ବିମାନ କିଣାଯାଇଥିଲା।