Categories
ବିଶେଷ ଖବର ମତାମତ

ମୁଜାଫରପୁରର ସନ୍ତାନହରା ମାମାନଙ୍କ କାନ୍ଦ ଯେତେବେଳେ ହଜିଯାଏ କ୍ରିକେଟର କଳରୋଳରେ!!

ଜ୍ୟୋତି ନନ୍ଦ

ଥାଇଲାଣ୍ଡ ର ଗୋଟିଏ ଗୁମ୍ଫାରେ ୧୨ ଜଣ ବାଳକ ଅଟକି ରହିଥିଲେ।ଆଉ ସେମାନଙ୍କର ଉଦ୍ଧାର ପାଇଁ ଥାଇଲାଣ୍ଡ ସରକାର କହିବାକୁ ଗଲେ ଆକାଶପାତାଳ ଏକ କରିଦେଇଥିଲା। ଗୁମ୍ଫା ଭିତରେ ପାଣି ଭରିରହିଥିବାରୁ ପୃଥିବୀ ର ସବୁଠୁ ଦକ୍ଷ ବୁଡାଳି ମାନଙ୍କୁ ଆଣି କୋଟି କୋଟି ଟଙ୍କା ବିନିମୟରେ ସେମାନଙ୍କୁ ପରିଶେଷରେ ଉଦ୍ଧାର କରାଯାଇଥିଲା।

ଏହା ଥାଇଲାଣ୍ଡ ଭଳି ଗୋଟିଏ ଛୋଟ ଦେଶର କଥା।ଛୋଟଦେଶରେ ସଂଭବତଃ ଗୋଟିଏ ଗୋଟିଏ ଜୀବନ ଅଧିକ ମୂଲ୍ୟବାନ।

ଆମର ଦେଶ ବିରାଟ ଦେଶ।ତେଣୁ ଏଠି ସବୁ କାମ ବିରାଟ ।ଏଠି ଷାଠିଏ ହଜାର କୋଟି ଟଙ୍କା ନିର୍ବାଚନରେ ଖର୍ଚ୍ଚ ହୁଏ।ଆମର ସେଥିରେ ଅପାର ଆନନ୍ଦ।ଆମେ ବିଜୟୀ।

କିନ୍ତୁ ଗୋଟିଏ ବେମାରୀ ହଠାତ୍ ୧୧୪ ଜଣ ଶିଶୁଙ୍କୁ ପୋଛିନିଏ ଆଉ ଆମେ ବା ଆମ ସରକାର ଯେହେତୁ ବିରାଟ ଦେଶର ସରକାର ତେଣୁ ବିଭିନ୍ନ ବିରାଟ କାମରେ ଲାଗିଥାଉ ଏବଂ ଏହି ସବୁ ଶିଶୁ ମୃତ୍ୟୁ ଭଳି ଛୋଟଛୋଟ କାମରେ ଆମେ ମୁଣ୍ଡ ଖେଳାଇବୁ କାହିଁକି ?

ମୁଜାଫରପୁରର ମୃତ ଶିଶୁ ମାନେ ଆମର ସଂପର୍କୀୟ ନୁହଁନ୍ତି ତେଣୁ ଏଇ ଘଟଣା ଆମକୁ ବାଧିବ କାହିଁକି ?ଆମେ କ୍ରିକେଟ୍ ମ୍ୟାଚ୍ ର ୱିକେଟ୍ ଗଣିବା ଆଉ ସଂସଦରେ ଜୟ ଶ୍ରୀରାମ କି ଭାରତମାତାକୀ ଜୟ ଧ୍ୱନୀ ଦେଉଥିବା।ତାହା ଆମର ପ୍ରାଥମିକ କାର୍ଯ୍ୟ।

ଏନସେଫାଲାଟାଇଟିସ୍ ବୋଲି ଯେଉଁ ରୋଗଟି ଏଇ ଶିଶୁ ମରଣର କାରକ ସେଇଟି ହେଲେ ଗୋଟିଏ ମୁସଲମାନ ବ୍ୟାଧି ହୋଇଥାନ୍ତା ଯେମିତି ପଶ୍ଚିମବଙ୍ଗରେ ସେଦିନ ସେହି ଜୁନିଅର ଡାକ୍ତରଙ୍କୁ ପିଟିପିଟି ଅଧମରା କରିଥିବା ରୋଗୀର ଆତ୍ମୀୟଙ୍କ ଭଳି ମୁସଲମାନ ,ତେବେ ସମ୍ଭବତଃ ଗୋଟିଏ ଭାରତବ୍ୟାପୀ ପ୍ରତିକ୍ରିୟା ହୋଇଥାନ୍ତା।ମାତ୍ର ଆମର ଏଇ ରୋଗଟି କୁ ମୁସଲମାନ ରୋଗ ବୋଲି କୁହାଯାଇ ପାରୁନାହିଁ।ବଡ ଦୁଃଖର କଥା।ହିନ୍ଦୁ-ମୁସଲମାନ କଥା ଉଠାଯାଇପାରୁନଥିବା କାରଣରୁ ସବୁ ପ୍ରଚାରତନ୍ତ୍ର ଏବେ ଚୁପ୍।

ପ୍ରଚାରତନ୍ତ୍ରରେ ସବୁବେଳେ ହିନ୍ଦୁ-ମୁସଲମାନ ଖୋଜୁଥିବା ସେଇ ସୁନ୍ଦରୀ ଆଉ ଅହଙ୍କାରୀ ସାମ୍ବାଦିକା ଜଣକ ସିଧାସଳଖ ଆଇସିୟୁ କୁ ଯାଇ କର୍ତ୍ତବ୍ୟରତ ଡାକ୍ତରଙ୍କୁ ଧମକଚମକ ଦେବା ଘଟଣାରେ ଯେହେତୁ କୌଣସି ହିନ୍ଦୁ-ମୁସଲମାନ ପ୍ରସଂଗ ନାହିଁ ତେଣୁ ଆମର ଡାକ୍ତର ମାନଙ୍କର ଯେଉଁ ଭାରତୀୟ ମେଡିକାଲ୍ ଆସୋସିଏସନ୍ ବୋଲି ସଂସ୍ଥା ଅଛି ତାହା ଚୁପ୍ ହୋଇ ବସିବା ସ୍ୱାଭାବିକ।କାରଣ ସେହି ପ୍ରଭାବଶାଳୀ ସାମ୍ବାଦିକା ଙ୍କର ରୂପର ଅହଙ୍କାର ଅଛି ଆଉ ରାଜନୈତିକ ଛତ୍ରଛାୟାର ଅହଙ୍କାର ଅଛି।ତେଣୁ ସେ ଯେକୌଣସି ଆଇ ସିୟୁ ଭିତରକୁ କ୍ୟାମେରା ସହ ଅନୁପ୍ରବେଶ କରି ସେଠାରେ ଥିବା ଜୁନିଅର ଡାକ୍ତର ମାନଙ୍କୁ ଅତ୍ୟନ୍ତ ଉଗ୍ରଭାଷାରେ ଧମକଚମକ ଦେବାରେ ଡାକ୍ତର ମାନଙ୍କର କୌଣସି ଅପମାନ ହୋଇଛି ବୋଲି ତାଙ୍କର ସଂଘ ମନେ କରୁନାହିଁ।

ସେହି ରୂପବତୀ ଓ ଊଗ୍ରବାଦିନୀ ଙ୍କୁ କ୍ଷମା ପ୍ରାର୍ଥନା ମାଗିବାର ସାହସ କାହାର ଅଛି?

କିଛିଦିନ ତଳେ ପେଷାରେ ଜଣେ ଡାକ୍ତର ଏବଂ ପରେ ଜଣେ କବି ଓ ଲେଖିକା ଯିଏ ତାଙ୍କର ବାମାବାଦ ପାଇଁ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛନ୍ତି ,ତସଲିମା ନାସରିନ୍ ସେ ନିକଟରେ ଏକ ମନ୍ତବ୍ୟ ଦେଇଛନ୍ତି ଯେ ଯେଉଁମାନେ ଡାଇବେଟିସ୍ ,ହୃଦରୋଗ ଆଉ କାନସର୍ ଭଳି ବ୍ୟାଧିରେ ପୀଡିତ ଅଛନ୍ତି ସେମାନଙ୍କର ସନ୍ତାନ ଜନ୍ମରେ ଅଧିକାର ରହିବା ଉଚିତ୍ ନୁହଁ।କାରଣ ସେମାନେ ପରବର୍ତ୍ତି ପ୍ରଜନ୍ମକୁ ବ୍ୟାଧିଗ୍ରସ୍ତ କରିବାର ପ୍ରବୃତ୍ତିରୁ ନିଜକୁ ଦୂରେଇ ରଖିବା ଦରକାର।

ତସଲିମାଙ୍କ ର ଏହି ପ୍ରସଂଗଟି ଏକ ଭିନ୍ନ ପ୍ରସଂଗ।ତାହା ଉପରେ ପରେ କେବେ ବିସ୍ତୃତ ଚର୍ଚ୍ଚା କରାଯାଇପାରେ।ଏଠାରେ ତାଙ୍କୁ ଉଦ୍ଧୃତ କରିବାର କେବଳ ଗୋଟିଏ ଲକ୍ଷ୍ୟ ରହିଛି।ଆମର ସଂସଦ ଆମର ନିର୍ବାଚନ ଆଉ ଆମର ଯାବତୀୟ ଆନନ୍ଦ କୁ ନିରୁପଦ୍ରବରେ ବଳବତ୍ତର କରି ରଖିବାକୁ ଅର୍ଥାତ୍ ପରବର୍ତ୍ତି ପ୍ରଜନ୍ମକୁ ଏନସେଫାଲିଟିସ୍ ବ୍ୟାଧିଗ୍ରସ୍ତ ନକରିବା ପାଇଁ ସମସ୍ତ ଦରିଦ୍ର ମାନଙ୍କର ସନ୍ତାନ ଜନ୍ମ ଉପରେ ପ୍ରତିବଂଧ ଲଗାଯିବା ଆବଶ୍ୟକ।

ଏଇଟି କେବଳ ମୁଜାଫରପୁର୍ ନୁହଁ ,ପୂରା ଦେଶ ପାଇଁ ପ୍ରଯୁଜ୍ୟ ଯାହା ଫଳରେ ଆମେ ଆରାମ ରେ ଆମ ଟିଭି ସାମ୍ନାରେ ବସି କ୍ରିକେଟ୍ ମ୍ୟାଚ୍ ର ଛକ୍କା ଉପଭୋଗ କରିପାରିବୁ।

Categories
ଖେଳ ବିଶେଷ ଖବର

ବିରାଟ ବାହିନୀର ବିରାଟ ବିଜୟ : ପାକିସ୍ତାନକୁ ହରାଇ ଇତିହାସ ରଚିଲା ଭାରତ

ସମୀକ୍ଷା ବ୍ୟୁରୋ

ଭାରତ 89 ରନରେ ଜିତି ବିଶ୍ୱକପରେ ଆଉ ଏକ ବିଜୟ ସହ ପାକିସ୍ତାନକୁ ମୋଟ 7 ଟି ମ୍ୟାଚରୁ ସମସ୍ତ 7ଟି ମ୍ୟାଚ ଜିତି ଇତିହାସ ସୃଷ୍ଟି କରିଛି। ମାଞ୍ଚେଷ୍ଟରର ଓଲ୍‌ଡଟ୍ରାଫୋର୍ଡରେ ଖେଳାଯାଇଥିବା ବିଶ୍ବକପରେ ଭାରତ ପକ୍ଷରୁ ରୋହିତ ଶର୍ମା ଶତକ ହାସଲ କରିଥିବା ବେଳେ କେ ଏଲ୍‌ ରାହୁଲ ଏବଂ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ । ନିର୍ଦ୍ଧାରିତ ଓଭରରେ ଭାରତର ସ୍କୋର 5  ଓ୍ବିକେଟ ହରାଇ 336 ରନ୍‌ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ 140 ରନ୍‌ ସଂଗ୍ରହ କରିଥିଲେ । ରୋହିତ 113 ବଲ୍‌ରୁ 14ଟି ଚୌକା 3ଟି ଛକ୍କା ସହିତ 140 ରନ୍‌ ସଂଗ୍ରହ କରିଥିଲେ । ଲୋକେଶ ରାହୁଲ୍ 57 ରନ୍‌ ସଂଗ୍ରହ କରିଥିବା ବେଳେ କୋହଲି 77 ରନ୍‌ ସଂଗ୍ରହ କରି ଅପରାଜିତ ରହିଥିଲେ । ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା । ପ୍ରଥମ ଓ୍ବିକେଟ୍‌ ପାଇଁ ରାହୁଲ -ରୋହିତ 136 ରନ୍‌ ଯୋଡିଥିଲେ । ରାହୁଲ୍‌ 78 ବଲ୍‌ର ସମ୍ମୁଖୀନ ହୋଇ 57 ରନ୍‌ କରିଥିଲେ । ତୃତୀୟ ଓ୍ବିକେଟ୍‌ ପାଇଁ କୋହଲି(71, 62 ବଲ୍‌) ଏବଂ ରୋହିତ 98 ରନ୍‌ର ଭାଗିଦାରୀ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା 19 ବଲ୍‌ରୁ 26 ରନ୍‌ ସଂଗ୍ରହ କରିଥିବା ବେଳେ ଦ୍ରୁତ ରନ୍‌ ସଂଗ୍ରହ କରିବା ପାଇଁ ଆଉଟ ହୋଇଥିଲେ । ଏହାପରେ ଧୋନୀ ଅମିରଙ୍କ ଦ୍ବିତୀୟ ଶିକାର ହୋଇଥିଲେ । ପାକିସ୍ତାନ ପକ୍ଷରୁ ମହମ୍ମଦ ଆମିର 10 ଓଭରରେ ଗୋଟିଏ ମେଡେନ୍‌ ସହିତ 47  ରନ୍‌ କରି 3 ଓ୍ବିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହସନ ଅଲୀ ଏବଂ ଓ୍ବାହାବ ରିଆଜ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

ଭାରତୀୟ ଦଳର ବିଶାଳ ଲକ୍ଷକୁ ପୂରଣ କରିବା ପାଇଁ ପାକିସ୍ତାନ ଦ୍ଵିତୀୟ ପାଳିରେ ତାହାର ବ୍ୟାଟିଂ ଆରମ୍ଭ କରିଥିଲା | ପାକିସ୍ତାନର ଦଳୀୟ ସ୍କୋର ମାତ୍ର 13 ରନ ଥିବାବେଳେ ଇମାମ ଉଲ ହକ 7ରନ କରି ବିଜୟ ଶଙ୍କରଙ୍କ ପ୍ରଥମ ବଲରେ ଏଲ ବି ଡ଼ବ୍ଲୁ ହୋଇ ପ୍ୟାବିଲିଅନ ଫେରିଥିଲେ | ତାଙ୍କ ପରେ ବାବର ଆଜମ ପଡିଆ ମଧ୍ୟକୁ ଆସିଥିଲେ | ବାବର ଏବଂ ଓପନର ଫକର ଜମାନଙ୍କ ଯୋଡି ଦଳୀୟ ଖାତାରେ 104ରନ ଯୋଡିଥିଲେ| ଦଳୀୟ ସ୍କୋର 117ରନ ଥିବାବେଳେ ପାକିସ୍ତାନର ଦ୍ଵିତୀୟ ଉଇକେଟର ପତନ ଘଟିଥିଲା| ଏହାପରେ ପାକିସ୍ତାନର କ୍ରମାଗତ ଭାବରେ ଉଇକେଟ ପତନ ଘଟିବାରେ ଲାଗିଲା | ଯେତେବେଳେ 33 ଓଭରରେ ଦଳର ସ୍କୋର 166ରନରେ  6 ଟି ଉଇକେଟ ହରାଇ  ଦଳ ବିପଦରେ ଥିଲା ସେତେବେଳେ ବର୍ଷା ଆରମ୍ଭ ହୋଇ ଯାଇଥିଲା | ବର୍ଷା ଥମିବା ପରେ ପାକିସ୍ତାନ ଦଳକୁ 40 ଓଭରରେ 302 ରନର ଟାର୍ଗେଟ ପ୍ରଦାନ କରାଯାଇଥିଲା | କିନ୍ତୁ ଦଳ 40 ଓଭରରେ 6 ଉଇକେଟ ହରାଇ ମାତ୍ର 212 ରନ କରିପାରିଥିଲା|

ଭାରତୀୟ ଦଳ ପକ୍ଷରୁ ବିଜୟ ଶଙ୍କର 5.2 ଓଭରରେ 22 ରନ ବ୍ୟୟ କରି ଦୁଇଟି ଉଇକେଟ ଅକ୍ତିଆର କରିଥିଲେ| ସେହିପରି କୂଳଦୀପ ଯାଦବ 32 ରନ କରି ଦୁଇଟି ଉଇକେଟ ଅକ୍ତିଆର କରିଥିଲେ|

|

Categories
ଆଜିର ଖବର

ଆଜି ଭାରତ୍‌ ପାକ୍‌ ହାଇ ଭୋଲ୍‌ଟେଜ୍‌ ମୁକାବିଲା : ୭-୦ ଲକ୍ଷ୍ୟରେ ଭାରତ

ଚଳିତ କ୍ରିକେଟ୍‌ ବିଶ୍ବକପ୍‌ରେ ମୁକାବିଲା କରିବାକୁ ଯାଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଏବଂ ପାକିସ୍ତାନ। ମାଞ୍ଚେଷ୍ଟରରେ ଅନୁଷ୍ଠିତ ହେବାକୁ ଥିବା ଏହି ମୁକାବିଲାରୁ ଦର୍ଶକ ଏକ ପ୍ରତିଦ୍ବନ୍ଦିତାପୂର୍ଣ୍ଣ ମୁକାବିଲା ଆଶା କରୁଛନ୍ତି। ଦୁଇ ଦେଶର ମୁକାବିଲାରେ ଭାରତ ଆଗୁଆ ରହିଥିବା ବେଳେ ଏହି ମୁକାବିଲାରେ ବିଜୟୀ ହେବାକୁ ଚେଷ୍ଟା କରିବ ବିରାଟ କୋହଲିଙ୍କ ଭାରତୀୟ ଦଳ। ପୂର୍ବରୁ ଉଭୟ ଦଳ ପରସ୍ପର ସହିତ ବିଶ୍ବକପ୍‌ରେ ୬ଥର ସାମ୍ନାସାମ୍ନି ହୋଇଥିବା ବେଳେ ଭାରତ ସମସ୍ତ ଥର ବାଜି ମାରି ନେଇଛି। ଏହି ମୁକାବିଲାରେ ବିଜୟୀ ହୋଇ ଭାରତ ୭-୦ ର ଲକ୍ଷ୍ୟ ରଖିଛି। ପାକିସ୍ତାନ ପକ୍ଷରୁ ଭେଟେରାନ୍‌ ସୋଏବ ମଲ୍ଳିକ, ଫକର ଜମାନ ଏବଂ ମହମ୍ମଦ ଆମିରଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଭାରତ ପକ୍ଷରୁ ରୋହିତ ଶର୍ମା, ବିରାଟ କୋହଲି ଏବଂ ଜଶପ୍ରୀତ ବୁମ୍‌ରାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ସେହିପରି ମାଞ୍ଚେଷ୍ଟର ପିଚ୍‌ ସର୍ବଦା ପେସ୍‌ ବୋଲରଙ୍କୁ ସୁହାଉଥିବାରୁ ଭାରତ ପକ୍ଷରୁ କୁଲ୍‌ଦୀପ ଯାଦବଙ୍କ ସ୍ଥାନରେ ମହମ୍ମଦ ଶାମିଙ୍କୁ ଖେଳାଇପାରେ ଭାରତ।
ସ୍ଥାନ : ମାଞ୍ଚେଷ୍ଟର, ଓଲ୍‌ଡ ଟ୍ରାଫୋର୍ଡ
ସମୟ : ଅପରାହ୍ନ ୩:୦୦ଟା

 

Categories
ଖେଳ ବିଶେଷ ଖବର

କ୍ରିକେଟରେ ଏକ ଯୁଗର ଅନ୍ତ : ସଂକ୍ଷେପରେ ଲଢୁଆ ମହାନାୟକ ଯୁବରାଜଙ୍କ କ୍ୟାରିୟର

ସରୋଜ ଜେନା

ଭାରତୀୟ କ୍ରିକେଟର ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି। ଭାରତର ଦୁଇ ବିଶ୍ବକପ୍‌ ବିଜୟର ବିନ୍ଧାଣୀ ନିଜ ୧୭ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରକୁ ବିଦାୟ ଜଣାଇଛନ୍ତି। ଜଣେ ଷ୍ଟାଇଲିସ୍‌ ବାମହାତୀ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଭାବରେ କ୍ରିକେଟ ଆରମ୍ଭ କରିଥିବା ଯୁବରାଜ ଜଣେ ଉପଯୋଗୀ ପାର୍ଟଟାଇମ୍‌ ବୋଲର ଏବଂ ଚମତ୍କାର ଫିଲ୍ଡର ଭାବରେ ଖ୍ୟାତି ହାସଲ କରିଛନ୍ତି। ଯୁବରାଜଙ୍କୁ ଭାରତୀୟ କ୍ରିକେଟର ସୀମିତ ଓଭର ଖେଳର ଚାମ୍ପିୟନ୍‌ କହିଲେ ମଧ୍ୟ କିଛି ଅତ୍ୟୁକ୍ତି ହେବ ନାହିଁ। ଶ୍ରେଷ୍ଠ ଫର୍ମରେ ଥିବା ସମୟରେ ଯୁବରାଜ କେବଳ ଭାରତର ନୁହନ୍ତି ବରଂ ବିଶ୍ବର ସବୁଠାରୁ ବିଧ୍ବଂସକ ଏବଂ ଭରସାଯୋଗ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅଟନ୍ତି।

ଭାରତର ସପ୍ତମ ସର୍ବାଧିକ ରନ୍‌ ହାସଲକାରୀ ଭାବରେ ଅବସର ଗ୍ରହଣ କରିଥିବା ଯୁବରାଜ ୩୬.୪୭ର ହାରାହାରି ସହିତ ୮୬୦୯ ରନ୍‌ ସଂଗ୍ରହ କରିଛନ୍ତି। ୨୦୦୦ ମସିହାରେ ନିଜର ପ୍ରଥମ ମ୍ୟାଚ୍‌ରେ ନାଇରୋବିରେ ଅଷ୍ଟ୍ରେଲିଆ ବିପକ୍ଷରେ ୮୦ ବଲ୍‌ରୁ ୮୪ ରନ୍‌ ସଂଗ୍ରହ କରିଥିବା ବେଳେ କ୍ୟାରିୟରର ଶ୍ରେଷ୍ଠ ସ୍କୋର ୧୫୦ କଟକରେ ୨୦୧୭ ମସିହାରେ ହାସଲ କରିଥିଲେ। ମଧ୍ୟକ୍ରମରେ ଯୁବରାଜ ୮୧୯୩ ରନ୍‌ ସଂଗ୍ରହ କରିଥିବା ବେଳେ କେବଳ ମହେନ୍ଦ୍ର ସିଂ ଧୋନୀ ୯୨୪୫ ସହ ଆଗରେ ରହିଛନ୍ତି। ଦିନିକିଆରେ ଯୁବରାଜ ସମୁଦାୟ ୨୭ଟି ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ହାସଲ କରିଥିବା ବେଳେ ତନ୍ମଧ୍ୟରୁ ୪ଟି ୨୦୧୧ ବିଶ୍ବକପ୍‌ରେ ହାସଲ କରିଥିଲେ। ଏହା ସହିତ ୨୦୧୧ ବିଶ୍ବକପ୍‌ର ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ ମଧ୍ୟ ଘୋଷିତ ହୋଇଥିଲେ ଯୁବି।

ଜଣେ ସାମୟିକ ବୋଲର ହୋଇଥିଲେ ମଧ୍ୟ ଯୁବରାଜ ଦିନିକିଆରେ ୧୧୧ଟି ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି। ଯୁବରାଜ ବିଶ୍ବକପ୍‌ରେ ଗୋଟିଏ ଥର ପାଞ୍ଚ ଓ୍ବିକେଟ୍‌ (୫/୩୧ବନାମ ଆାୟାର୍ଲ୍ୟାଣ୍ଡ) ହାସଲ କରିଥିବା ବେଳେ ଅନେକ ଖେଳାଳିଙ୍କୁ ଏକାଧିକ ଥର ଆଉଟ କରିବାରେ ସକ୍ଷମ ହୋଇଛନ୍ତି। କେଭିନ୍‌ ପିଟରସନ୍‌ଙ୍କୁ ସର୍ବାଧିକ ୪ ଥର ଆଉଟ କରିଥିବା ବେଳେ ସାଙ୍ଗାକାରା, ଫ୍ଲିଣ୍ଟଫ୍‌ ଏବଂ ମୁସଫିକର ରହିମ୍‌ଙ୍କୁ ୩ ଥର ଲେଖାଏଁ ଆଉଟ୍‌ କରିଛନ୍ତି।

ଯୁବରାଜଙ୍କ କ୍ୟାରିୟରର କିଛି ସ୍ମରଣୀୟ ମୂହୂର୍ତ୍ତ :
୬୯ ବନାମ ଇଂଲଣ୍ଡ, ୨୦୦୨, ଲର୍ଡସ୍
ନାଟଓ୍ବେଷ୍ଟ ଟ୍ରଫିର ଫାଇନାଲ୍‌ରେ ଭାରତ ୩୨୬ ରନ୍‌ର ପିଛା କରୁଥିବା ବେଳେ ଭାରତ ୧୪୬ ରନ୍‌ରେ ୫ ଓ୍ବିକେଟ୍‌ ହରାଇ ସଙ୍କଟରେ ପଡିଥିଲା। ଏହି ସମୟରେ ଯୁବରାଜ(୬୯) ଅନ୍ୟତମ ଯୁବ ଖେଳାଳି ମହମ୍ମଦ କୈଫ୍‌ଙ୍କ ସହ ୧୨୧ ରନ୍‌ର ଭାଗିଦାରୀ କରି ଭାରତକୁ ସଙ୍କଟରୁ ବାହାର କରିବା ସହ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
୨ ରନ୍‌ ଆଉଟ୍‌, ବନାମ ଦକ୍ଷିଣ ଆଫ୍ରିକା, ଚାମ୍ପିୟନ୍ସ ଟ୍ରଫି, ୨୦୦୨, କଲମ୍ବୋ
୨୦୦୨ ଚାମ୍ପିୟନ୍ସ ଟ୍ରଫିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଏକ ଅସମ୍ଭବ ବିଜୟ ହାସଲ କରିଥିଲା। ମ୍ୟାଚ୍‌ର ଅନ୍ତିମ ଭାଗରେ ଯୁବରାଜ ଗ୍ରେମ୍‌ ସ୍ମିଥ୍‌ ଏବଂ ଜଣ୍ଟି ରୋଡ୍ସଙ୍କୁ ରନ୍‌ ଆଉଟ କରିଥିଲେ। ପେଙ୍ଗୁଇନ୍‌ ପରି ଡେଇଁ ପଏଣ୍ଟରେ ସ୍ମିଥ୍‌ଙ୍କ କ୍ୟାଚ୍‌ ଧରିବା ସହିତ ଜଣ୍ଟି ରୋଡ୍ସ ଏବଂ ଆଲାନ୍‌ ଡୋନାଲ୍ଡଙ୍କୁ ରନ୍‌ଆଉଟ୍‌ କରି ଦଳକୁ ବିଜୟୀ କରାଇଥିଲେ।
୬ ଛକ୍କା, ବନାମ ଇଂଲଣ୍ଡ, ଟି ୨୦ ବିଶ୍ବକପ୍‌ ୨୦୦୭, ଡର୍ବାନ
କ୍ରିକେଟ୍ ଇତିହାସରେ ମାତ୍ର  ୬ଜଣ ଖେଳାଳି ଗୋଟିଏ ଓଭରରେ ୬ ଛକା ମାରିଛନ୍ତି। ସେମାନଙ୍କ ମଧ୍ୟରୁ ଯୁବରାଜ ସିଂହ ଅନ୍ୟତମ। ଯୁବରାଜ ସିଂହ ୨୦୦୭ ଟି୨୦ ବିଶ୍ବକପ୍‌ରେ ଇଂଲଣ୍ଡ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ  ୬ଛକା ମାରିଥିଲେ।
୨ ଓ୍ବିକେଟ ଏବଂ ଅର୍ଦ୍ଧଶତକ, ବନାମ ଅଷ୍ଟ୍ରେଲିଆ,  ୨୦୧୧ବିଶ୍ବକପ୍‌, ଅହମଦାବାଦ
୨୦୧୧ କ୍ରିକେଟ୍‌ ବିଶ୍ବକପ୍‌ରେ ସମୁଦାୟ ୩୬୨ ରନ୍‌ ଏବଂ ୧୫ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ କ୍ବାର୍ଟର ଫାଇନାଲ୍‌ରେ ୨ ଓ୍ବିକେଟ୍‌ ସହିତ  ୫୨ରନ୍‌ ସଂଗ୍ରହ କରି ଦଳକୁ ସେମି ଫାଇନାଲ୍‌ରେ ପହଞ୍ଚାଇବା ସହିତ ଦଳକୁ ଚାମ୍ପିୟନ୍‌ କରାଇଥିଲେ।
ଯଦିଓ ଦିନିକିଆରେ ଯୁବରାଜ ଜଣେ ଶ୍ରେଷ୍ଠ ଖେଳାଳି ହୋଇଥିବା ବେଳେ ଟେଷ୍ଟ ଫର୍ମାଟରେ ଯୁବରାଜଙ୍କ ପ୍ରଦର୍ଶନ ସେତେ ଭଲ ରହିନାହିଁ। ୪୦ଟି ଟେଷ୍ଟରୁ ମାତ୍ର ୧୯୦୦ ରନ୍‌ କରିଥିବା ବେଳେ ତାମଧ୍ୟରେ ମାତ୍ର ତିନୋଟି ଶତକ ରହିଛି। ଟେଷ୍ଟରେ ଯୁବିଙ୍କ ସମସ୍ତ ଶତକ ପାକସ୍ତାନ ବିପକ୍ଷରେ ହିଁ ଆସିଛି।

ବରିଷ୍ଠ ଖେଳାଳିଙ୍କୁ ବିସିସିଆଇର ଅଣଦେଖା :
ବିଗତ ପାଞ୍ଚ ବର୍ଷ ମଧ୍ୟରେ ଅନେକ ବରିଷ୍ଠ ଖେଳାଳି ଅବସର ଗ୍ରହଣ କରିଥିଲେ ମଧ୍ୟ ଜଣଙ୍କୁ ବିସିସିଆଇ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ମିଳିନାହିଁ। କେବଳ ସଚିନ୍‌ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଏବଂ ଆଶିଷ ନେହେରାଙ୍କୁ ବିଦାୟ କାଳୀନ ମ୍ୟାଚ୍‌ ଖେଳିବାକୁ ମିଳିଥିବା ବେଳେ ଅନ୍ୟ କାହାକୁ ଏହି ସୌଭାଗ୍ୟ ମିଳିନାହିଁ। ବର୍ତ୍ତମାନ ଭାରତର ସର୍ବକାଳୀନ ଶ୍ରେଷ୍ଠ ମଧ୍ୟକ୍ରମ ବ୍ୟଟ୍ସମ୍ୟାନ୍‌ ତଥା ଭାରତକୁ ଦୁଇ ବିଶ୍ବକପ୍‌ ବିଜୟୀ କରାଇଥିବା ଯୁବରାଜ ସିଂ କ୍ରିକେଟ ପଡିଆ ବାହାରେ ଅବସର ନେବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ଭିଭିଏସ୍‌ ଲକ୍ଷ୍ମଣ, ରାହୁଲ ଦ୍ରାବିଡ, ଗୌତମ ଗମ୍ଭୀର ଏବଂ ବୀରେନ୍ଦ୍ର ସେହ୍ବାଗଙ୍କ ପରି ଖେଳାଳି ମଧ୍ୟ ସମାନ ଭାବରେ କ୍ରିକେଟ ପଡିଆ ବାହାରେ ଅବସର ଗ୍ରହଣ କରିଛନ୍ତି।

 

Categories
ଆଜିର ଖବର

ଯୁଗଳ ମୁକାବିଲାରେ ଇଂଲଣ୍ଡ-ବାଂଲାଦେଶ , ନ୍ୟୁଜିଲ୍ୟାଣ୍ଡ- ଆଫଗାନିସ୍ତାନ : ଅଲୋଡା ହ୍ୟାଟ୍ରିକ୍‌ ଏଡାଇବା ଲକ୍ଷ୍ୟରେ ଇଂଲଣ୍ଡ

ଆଜି କ୍ରିକେଟ ବିଶ୍ବକପ୍‌ ୨୦୧୯ରେ ଦୁଇଟି ମ୍ୟାଚ୍‌ ଦେଖିବାକୁ ମିଳିବ। ଘରୋଇ ଇଂଲଣ୍ଡ ବାଂଲାଦେଶର ସମ୍ମୁଖୀନ ହେଉଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଦଳ ଆଫଗାନିସ୍ତାନର ମୁକାବିଲା କରିବ। ପ୍ରଥମ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ବାଂଲାଦେଶର ମୁକାବିଲା କରିବ। ପୂର୍ବରୁ ଦୁଇଟି ବିଶ୍ବକପ୍‌ ମ୍ୟାଚ୍‌ରେ ବାଂଲାଦେଶ ଠାରୁ ପରାଜିତ ହୋଇଥିବା ଇଂଲଣ୍ଡ ଏହି ମ୍ୟାଚ୍‌ରେ ଅଲୋଡା ହ୍ୟାଟ୍ରିକ୍‌ରୁ ବଞ୍ଚିବାକୁ ଚେଷ୍ଟା କରିବ। ବାଂଲାଦେଶ ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଥିଲା। ଇଂଲଣ୍ଡର ବ୍ୟାଟିଂ ଉଭୟ ମ୍ୟାଚ୍‌ରେ ସଫଳ ହୋଇଥିଲେ ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଏହାର ଦୁର୍ବଳ ବୋଲିଂ ଦଳର ପରାଜୟର କାରଣ ସାଜିଥିଲା। ଘରୋଇ ପରିବେଶରେ ଇଂଲଣ୍ଡ ଫେବ୍ରିଟ୍‌ ରହିଥିବା ବେଳେ ଇଂଲଣ୍ଡର ପ୍ରଦର୍ଶନ ଜାସନ୍‌ ରୟ, ବଟଲର, ରୁଟ୍‌ ଏବଂ ଜୋଫ୍ରା ଆର୍ଚରଙ୍କ ଉପରେ ନିର୍ଭରଶୀଳ ରହିବ। ସେହିପରି ବାଂଲାଦେଶ ଖେଳାଳି ମହମ୍ମଦୁଲ୍ଳା, ସାକିବ୍‌ ଏବଂ ତାମିମ୍‌ ଇକ୍‌ବାଲ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ। କାର୍ଡିଫ୍‌ର ସୋଫିଆ ଗାର୍ଡେନ୍‌ରେ ଏହି ମ୍ୟାଚ୍‌ ଅପରାହ୍ନ ୨.୩୦ରେ ଅନୁଷ୍ଠିତ ହେବ। ଅନ୍ୟ ଏକ ମ୍ୟାଚ୍‌ରେ ପରସ୍ପରର ମୁକାବିଲା କରିବେ ନ୍ୟୁଜିଲ୍ୟାଣ୍ଡ ଏବଂ ଆଫଗାନିସ୍ତାନ। ଟଣ୍ଟନର କଣ୍ଟ୍ରି ଗାର୍ଡେନ୍‌ରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। ଉଭୟ ଦଳ ଯଥାକ୍ରମେ ଦୁଇଟି ଲେଖାଏଁ ବିଜୟ ଏବଂ ପରାଜୟ ହାସଲ କରିଛନ୍ତି। ଆଫଗାନିସ୍ତାନ ନିଜ ପରାଜୟ ଧାରା ଭାଙ୍ଗିବାର ଚେଷ୍ଟା କରିବ ଏବଂ ନ୍ୟୁଜିଲ୍ୟାଣ୍ଡ ନିଜର ବିଜୟ ଧାରା ବଜାୟ ରଖିବାକୁ ଚାହିଁବ। ମ୍ୟାଚ୍‌ଟି ସନ୍ଧ୍ୟା ୬ ଟା ସମୟରେ ଅନୁଷ୍ଠିତ ହେବ।

Categories
ଆଜିର ଖବର

ସମ୍ମାନ ରକ୍ଷା ପାଇଁ କାର୍ଡିଫ୍‌ରେ ମୁକାବିଲା କରିବେ ଶ୍ରୀଲଙ୍କା- ଆଫଗାନିସ୍ତାନ

ଚଳିତ ବିଶ୍ବକପ୍‌ରେ ନିଜର ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇଥିବା ଦୁଇ ଏସୀୟ ରାଷ୍ଟ୍ର ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ସମ୍ମାନ ରକ୍ଷା ପାଇଁ କାର୍ଡିଫ୍‌ରେ ପରସ୍ପରର ମୁକାବିଲା କରିବେ। ମଙ୍ଗଳବାର ଦିନ ତିନିଟା ସମୟରେ କାର୍ଡିଫ୍‌ର ସୋଫିଆ ଗାର୍ଡେନ୍‌ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କା ନ୍ୟୁଜିଲ୍ୟାଣ୍ଡ ନିକଟରୁ ଶୋଚନୀୟ ଭାବରେ ପରାସ୍ତ ହୋଇଥିବା ବେଳେ ଟପ୍‌ ଅର୍ଡର ଏବଂ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲେ। ନ୍ୟୁଜିଲ୍ୟାଣ୍ଡ ବୋଲିଂ ନିକଟରେ କରୁଣାରତ୍ନେଙ୍କ ବ୍ୟତିତ ସମସ୍ତ ଶ୍ରୀଲଙ୍କା ଖେଳାଳି ଆତ୍ମ ସମର୍ପଣ କରିଥିଲେ। ଶ୍ରୀଲଙ୍କା ଏହି ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନର ଆାଶ ରଖିଛି। ଅନ୍ୟ ପକ୍ଷରେ ଆଫଗାନ ବୋଲିଂ ଆକ୍ରମଣ ଠିକ୍‌ ଥିଲେ ମଧ୍ୟ ଏହାର ଟପ୍‌ ଏବଂ ଲୋୟର ଅର୍ଡର ଖେଳାଳିଙ୍କୁ ଏହି ମ୍ୟାଚ୍‌ରେ ରନ୍‌ ସଂଗ୍ରହ କରିବାକୁ ପଡିବ। ପୂର୍ବ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ଦୁଇ ଦଳର ଅଧିନାୟକ ଗୁଲବଦିନ୍‌ ନାଏବ ଏବଂ ଦିମୁଥ କରୁଣାରତ୍ନେଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ରଶିଦ୍‌ ଖାନ୍‌ ଏବଂ ମହମ୍ମଦ ନବିଙ୍କ ପ୍ରଦର୍ଶନ ମଧ୍ୟ ଦୁଇ ଦଳ ମଧ୍ୟରେ ପ୍ରଭେଦ ସୃଷ୍ଟି କରିବ।

ମ୍ୟାଚ୍‌ ସମୟ : ଅପରାହ୍ନ ୩.୦୦

ସ୍ଥାନ : ସୋଫିଆ ଗାର୍ଡେନ୍‌, କାର୍ଡିଫ୍‌

Categories
ଆଜିର ଖବର

ଆଇସିସି କ୍ରିକେଟ୍‌ ବିଶ୍ବକପ ପାଇଁ ଭାରତୀୟ ଟିମ୍‌ ଘୋଷଣା

ଆଇସିସି କ୍ରିକେଟ ବିଶ୍ୱକପ୍ ପାଇଁ ୧୫ ଜଣିଆ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି। ବିରାଟ କୋହଲି ଅଧିନାୟକ ଏବଂ ରୋହିତ ଶର୍ମା ଉପ-ଅଧିନାୟକ ରୂପେ ନିଜର ସ୍ଥାନ ସଂରକ୍ଷିତ କରିଥିବାବେଳେ, ଅଭିଜ୍ଞ ଖେଳାଳି ମହେନ୍ଦ୍ର ସିଂହ ଧୋନୀଙ୍କୁ ଚୟନକମିଟି ୱିକେଟକିପର-ବ୍ୟାଟ୍ସମ୍ୟାନ ରୂପେ ମନୋନୀତ କରିଛନ୍ତି। ରୋହିତ ଏବଂ ଶିଖରଙ୍କ ଯୋଡି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୂପେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇବା ସମ୍ଭାବନା ଥିବାବେଳେ, ଚତୁର୍ଥ ସ୍ଥାନରେ କେଉଁ ଖେଳାଳି ଖେଳିବ ତାକୁ ନେଇ ଦଳ ଚିନ୍ତାରେ ରହିଛି। ଭଲ ଫର୍ମରେ ଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଚତୁର୍ଥ ସ୍ଥାନରେ ବିଫଳ ହେଉଥିବାବେଳେ, ତାଙ୍କୁ ଦଳ କେଉଁ ସ୍ଥାନରେ ଖେଳାଇବ ତାକୁ ନେଇ ଖେଳପ୍ରେମୀଙ୍କ ମନରେ ପ୍ରଶ୍ନ ଉଠୁଛି। ୨୦୧୯ ବିଶ୍ଵକପ ଖେଳାଳି ତାଲିକାରେ ଚାରିଜଣ ସ୍ପେଶାଲ ବ୍ୟାଟ୍ସମ୍ୟାନ, ଦୁଇଜଣ ୱିକେଟକିପର-ବ୍ୟାଟ୍ସମ୍ୟାନ, ଚାରିଜଣ ଅଲରାଉଣ୍ଡର, ଦୁଇଜଣ ସ୍ପିନର ଏବଂ ତିନିଜଣ ଦ୍ରୁତବୋଲର ସ୍ଥାନ ପାଇଛନ୍ତି।

ଭାରତୀୟ କ୍ରିକେଟ ବିଶ୍ଵକପ ଖେଳାଳୀଙ୍କ ନାମ-

୧-ବିରାଟ କୋହଲି (ଅଧିନାୟକ)

୨-ରୋହିତ ଶର୍ମା (ଉପଅଧିନାୟକ)

୩-ଶିଖର ଧୱନ୍

୪-ଲୋକେଶ ରାହୁଲ୍

୫-ମହେନ୍ଦ୍ର ସିଂହ ଧୋନି (ୱିକେଟକିପର)

୬-ଦିନେଶ କାର୍ତ୍ତିକ (ୱିକେଟକିପର)

୭-ହାର୍ଦ୍ଦିକ ପାଣ୍ଡ୍ୟା

୮-ବିଜୟ ଶଙ୍କର

୯-କେଦାର ଯାଦବ

୧୦-ରବୀନ୍ଦ୍ର ଜାଡେଜା

୧୧-ୟୁଜବେନ୍ଦ୍ର ଚହଲ

୧୨-କୁଲଦୀପ ଯାଦବ

୧୩-ଭୁବନେଶ୍ୱର କୁମାର

୧୪-ଜସପ୍ରୀତ ବୁମ୍ରା

୧୫-ମହମ୍ମଦ ଶାମି

 

 

 

Categories
ଆଜିର ଖବର

ବିଶ୍ବକପ୍‌ ପାଇଁ ଏପ୍ରିଲ୍‌ ୧୫ରେ ଭାରତୀୟ ଦଳ ଘୋଷଣା

ବିଶ୍ବକପ୍‌ ନିମନ୍ତେ ଭାରତୀୟ ଦଳ ଆସନ୍ତା ଏପ୍ରିଲ୍‌ ୧୫ ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ହେବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ମେ ୩୦ରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ବକପ୍‌ ନିମନ୍ତେ ଭାରତୀୟ ଦଳ ବିରାଟ କୋହଲିଙ୍କ ନେତୃତ୍ବରେ ଖେଳିବ। ବିଶ୍ବକପ୍‌ର ଅନ୍ୟତମ ଦାବିଦାର ରହିଥିବା ଭାରତୀୟ ଦଳର ଖେଳାଳିମାନେ ବର୍ତ୍ତମାନ ଆଇପିଏଲ୍‌ରେ ବ୍ୟସ୍ତ ରହିଥିବା ବେଳେ ଆଇପିଏଲ୍‌ର ଦ୍ବିତୀୟ ଚରଣ ପରେ କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯିବ ବୋଲି କୁହାଯାଇଛି। ଭାରତୀୟ ଦଳରେ ବିଭିନ୍ନ ଖେଳାଳିଙ୍କ ସ୍ଥାନ ଆପାତତଃ ସ୍ଥିର ରହିଥିବା ବେଳେ କେବଳ ୪ ନମ୍ବର ସ୍ଥାନ ପାଇଁ ଦଳ ଦ୍ବନ୍ଦରେ ରହିଛି। ଏହି ସ୍ଥାନ ପାଇଁ ଅମ୍ବାତି ରାୟୁଡୁ, ବିଜୟ ଶଙ୍କର, ଋଷଭ ପନ୍ତ ଏବଂ ଦୀନେଶ କାର୍ତ୍ତିକ ମୁଖ୍ୟ ଦାବିଦାର ରହିଛନ୍ତି। ଆଇପିଏଲ୍‌ ପ୍ରଦର୍ଶନ ଭାରତୀୟ ଦଳ ଚୟନ ନିମନ୍ତେ ବିଚାରକୁ ନିଆଯିବ ନାହିଁ ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି।