Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଅଶ୍ବିନୀ ରାଜ୍ୟସଭାକୁ ଯିବା ପରେ କଟକ ଲୋକସଭାରୁ କିଏ ହେବ ବିଜେପି ପ୍ରାର୍ଥୀ, ଆସିଲା ଜଣଙ୍କ ନାମ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟସଭାକୁ ଅଶ୍ବିନୀ ବୈଷ୍ଣବ ଯିବା ପରେ ସେ କଟକରୁ ଲଢିବେ ବୋଲି ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ତାହାର ଅନ୍ତ ଘଟିଛି। କାରଣ ଅଶ୍ବିନୀ ସେଠାରୁ ପ୍ରାର୍ଥୀ ହେବେ ବୋଲି ଲଗାତର କଟକ ଗସ୍ତ କରୁଥିଲେ। ବିଭିନ୍ନ ଉନ୍ନୟନ କାମର ଭିତ୍ତି ପ୍ରସ୍ତର ଉଦଘାଟନ ମଧ୍ୟ କରିଥିଲେ। ମନ୍ଦିର ଯାଇ ପ୍ରାର୍ଥନା କରୁଥିଲେ। ହେଲେ ପୁରା ଗଣିତ ଓଲଟି ଗଲା।

ସେ ରାଜ୍ୟସଭାକୁ ଯିବା ପରେ ବର୍ତ୍ତମାନ କଟକ ଲୋକସଭାରୁ କିଏ ପ୍ରାର୍ଥୀ ହେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ଗତ ନିର୍ବାଚନରେ କଟକ ଲୋକସଭା ପାଇଁ ବିଜେପିରୁ ପ୍ରାର୍ଥି ହୋଇଥିଲେ ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର। ହେଲେ ନିର୍ବାଚନରେ ହାରିବା ପରଠାରୁ ସେ ଆଉ ଦଳୀୟ କାର୍ଯ୍ୟରେ ଯୋଗ ଦେଉ ନାହାଁନ୍ତି। ଏପରିକି ସେ ଲୋକସଂପର୍କ ମଧ୍ୟ ରଖି ନାହାଁନ୍ତି।

ପ୍ରକାଶ ମିଶ୍ରଙ୍କ ହାବଭାବ ଦେଖି ସ୍ପଷ୍ଟ ହୋଇଛି ଯେ, ସେ ନିଜେ ପ୍ରାର୍ଥୀ ହେବା ପାଇଁ ଇଚ୍ଛୁକ ନାହାଁନ୍ତି ଅନ୍ୟପଟେ ଦଳ ମଧ୍ୟ ତାଙ୍କୁ ପ୍ରାର୍ଥୀ କରିବ ନାହିଁ। ସେଥିପାଇଁ କଟକ ଲୋକସଭା ଅଞ୍ଚଳରେ ଅଶ୍ବିନୀଙ୍କ ଆର୍ବିଭାବ ଦେଖିବାକୁ ମିଳିଥିଲା। ତେବେ ତା ପୂର୍ବରୁ ଏକ ଚର୍ଚ୍ଚା ଚାଲିଥିଲା ଯେ, କଟକ ସାଂସଦ ଭର୍ତ୍ତୁହରି ମହତାବ ବିଜେଡି ଛାଡି ବିଜେପିରେ ଯୋଗଦେବେ। ତାଙ୍କୁ ବିଜେପି କଟକ ଲୋକସଭା ପ୍ରାର୍ଥୀ କରିବ। ହେଲେ ସେଥିରେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସମ୍ଭାବନା ପରିଦୃଶ୍ୟ ହେଉ ନାହିଁ।

ତେବେ ବର୍ତ୍ତମାନ କଟକ ପାଇଁ ଯେଉଁ ନାମଟି ଚର୍ଚ୍ଚା ହେଉଛି ସେ ହେଲେ କଟକର ପ୍ରସିଦ୍ଧ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ସେ ବର୍ତ୍ତମାନ ଦଳର ଉପସଭାପତି ଏବଂ ମହିଳା ମୋର୍ଚ୍ଚାର ପ୍ରଭାରୀ ଅଛନ୍ତି। ଆଶ୍ଚର୍ଯ୍ୟର କଥା ସେ କେବେ ଦଳରେ ଥିଲେ କି ନ ଥିଲେ କାହା ପାଖରେ ଖବର ନ ଥିଲା। ହେଲେ ହଠାତ ତାଙ୍କ ନାମ କେନ୍ଦ୍ର ବିଜେପିରୁ ଘୋଷଣା ହେଲାଯେ, ସେ ହେଉଛନ୍ତି ରାଜ୍ୟର ଉପସଭାପତି। ଏହାପରେ ତାଙ୍କୁ କାଁ ଭାଁ ଦଳୀୟ କାର୍ଯ୍ୟରେ ଦେଖିବାକୁ ମିଳୁଛି।

ତାଙ୍କ ନାମ ପୂର୍ବରୁ ଯାହା ଚର୍ଚ୍ଚା ହେଉଥିଲା ତାହା ଆହୁରି ଜୋର ଧରିବାରେ ଲାଗିଛି। କାରଣ ନିକଟରେ କଟକ ଗସ୍ତରେ ଆସିଥିଲେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସି ଚୌହ୍ବାନ। ସେ କଟକ ଜନସମାବେଶକୁ ଉଦବୋଧନ ଦେଇଥିଲେ। ସେହି ସଭାର ମୁଖ୍ୟ ପୁରୋଧା ସାଜି ଥିଲେ ପୂର୍ଣ୍ଣଚନ୍ଦ୍ର। ଏପରିକି ସେ ଦିଲ୍ଲୀ ଯାଇ କେନ୍ଦ୍ରର ବରିଷ୍ଠ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଆସିଛନ୍ତି ବୋଲି କୁହାଯାଉଛି। ତେଣୁ ସେ ହିଁ ବର୍ତ୍ତମାନ କଟକ ଲୋକସଭା ପ୍ରାର୍ଥୀ ହେବେ ବୋଲି ଅନୁମାନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଓଡ଼ିଶା ଗସ୍ତରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ଵର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ଦୁଇ ଦିନିଆ ଓଡିଶା ଗସ୍ତରେ ଆସି 27 ଜାନୁୟାରୀ 2024 (ଶନିବାର) ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ।

ତାଙ୍କର ଏହି ଗସ୍ତ ସମୟରେ ଅଶ୍ୱିନୀ ବୈଷ୍ଣବ କଟକର ବିରିବାଟି ଅନ୍ତର୍ଗତ ପରମହଂସ ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ଯୋଗଦେବେ।

ଶ୍ରୀ ବୈଷ୍ଣବ 27 ଏବଂ 28 ଜାନୁୟାରୀ 2024 ରେ କଟକ ଏବଂ ଭୁବନେଶ୍ୱରରେ କିଛି ସ୍ଥାନୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର କଳିଙ୍ଗ କନ୍ୟା କଳା ପରିଷଦର ମୁଖ୍ୟ ସଙ୍ଗଠିକା ରଞ୍ଜୁବାଳାଙ୍କୁ ବିଶ୍ଵ ନାଟ୍ୟମେଳାରେ ‘କଳା ଗୌରବ’ ସମ୍ମାନ

ଭୁବନେଶ୍ଵର: ବରିଷ୍ଠ ଶିକ୍ଷୟତ୍ରୀ ତଥା ନାଟ୍ୟ ସଙ୍ଗଠିକା ରଞ୍ଜୁବାଳାଙ୍କୁ ଚଳିତ ବର୍ଷ ବିଶ୍ଵ ନାଟ୍ୟ ମେଳାରେ ‘କଳା ଗୌରବ’ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରାଯାଇଛି। ପେଶାରେ ଶିକ୍ଷକତା ମାତ୍ର ନିଶାରେ ଓଡିଆ ମଞ୍ଚ ନାଟକର ଅଭିବୃଦ୍ଧି ପାଇଁ ସେ କାର୍ଯ୍ୟରତ।

ରଞ୍ଜୁବାଳା ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ କଳିଙ୍ଗ କନ୍ୟା କଳା ପରିଷଦର ମୁଖ୍ୟ ସଙ୍ଗଠିକା। ତାଙ୍କ ମାନସ କନ୍ୟା ‘କଳିଙ୍ଗ କନ୍ୟା କଳା ପରିଷଦ’ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବହୁ ନାଟକ ପରିବେଷଣ କରି ଖ୍ୟାତି ଲାଭ କରିଛି।

ସ୍ଵାମୀ ମଞ୍ଚ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ଵାଇଁଙ୍କର ସେ ଅନ୍ୟତମ ପ୍ରେରଣାଦାତ୍ରୀ ହୋଇ ଏହି ନାଟ୍ୟ ଦମ୍ପତି ଅଶି ଦଶକରୁ ଓଡିଆ ମଞ୍ଚ ନାଟକ ପାଇଁ କାମ କରିଆସୁଛନ୍ତି।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନୂଆପଡା ପଦ୍ମମୁକୁନ୍ଦ ବିଦ୍ୟାନିକେତନରେ କାର୍ଯ୍ୟରତ ରଞ୍ଜୁବାଳାଙ୍କୁ ‘କଳା ଗୌରବ’ ସମ୍ମାନ କଟକ କଳା ବିକାଶ କେନ୍ଦ୍ରରେ ବିଶ୍ଵ ନାଟ୍ୟମେଳା-୨୦୨୪ ଅବସରରେ ବିଶିଷ୍ଟ ନାଟ୍ୟବିତ ତଥା ନାଟ୍ୟ ପ୍ରତିଯୋଗିତାରେ ବିଚାରକ ମଣ୍ଡଳୀଙ୍କ ଉପସ୍ଥିତିରେ ସ୍ଵତନ୍ତ୍ର ଅତିଥି ରବି ରଞ୍ଜନ ସାହୁଙ୍କଠାରୁ ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଏହାସହିତ ସେ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଫେବୃୟାରୀରେ ମିଳିତ ଆନ୍ଦୋଳନକୁ ଓହ୍ଲାଇବ ଓଷ୍ଟା: ଅବସର ନେଉଥିବା ଶିକ୍ଷକମାନଙ୍କୁ ପେନସନ୍ ଦାବି

କଟକ: ବିଭିନ୍ନ ସମସ୍ୟା ନେଇ ହଜାର ହଜାର ଶିକ୍ଷକ, ଅଭିଭାବକ, ପୁରାତନ ଛାତ୍ର ଓ ପରିଚାଳନା କମିଟି ସଦସ୍ୟ ମାନଙ୍କ ସହ ରାଜ୍ୟରେ ଥିବା ସୌଭ୍ରାତୃତ୍ୱ ଗଣ ସଂଗଠନଗୁଡ଼ିକୁ ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆଗାମୀ ଫେବୃୟାରୀ ମାସ ପ୍ରଥମ ସପ୍ତାହରେ ରାଜଧାନୀର ରାଜରାସ୍ତାକୁ ଓହ୍ଲାଇବ ବୋଲି ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଗଣମାଧ୍ୟମକୁ ଜଣାଇଛନ୍ତି। ଅବସର ନେଉଥିବା ଶିକ୍ଷକମାନଙ୍କୁ ପେନସନ୍ ପ୍ରଦାନ, ଅବସରକାଳୀନ ସୁବିଧା, ଚାକିରୀ ସର୍ତ୍ତାବଳୀ, ସପ୍ତମ ବେତନ ଓ ନୂତନ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ ଇତ୍ୟାଦି ଦାବିକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ଏହାକୁ ପାଳନ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ଏକ ଜନପ୍ରିୟ ସରକାର ଜନମଙ୍ଗଳ ରାଷ୍ଟ୍ରରେ ସବୁବର୍ଗର କର୍ମଚାରୀଙ୍କ କଥା ବିଚାର କରୁଥିବା ବେଳେ ଶିକ୍ଷକମାନଙ୍କ ପ୍ରତି ଏ ଅବିଚାର କାହିଁକି ବୋଲି ଶ୍ରୀ ଦାଶ ପ୍ରଶ୍ନ କରିଛନ୍ତି। ଜାନୁୟାରୀ ୩୧ ସୁଦ୍ଧା ଯଦି ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନକରନ୍ତି ତେବେ ଆଗାମୀ ଫେବୃୟାରୀ ମାସ ପ୍ରଥମ ସପ୍ତାହରେ ଓଷ୍ଟା ମିଳିତ ଆନ୍ଦୋଳନକୁ ଓହ୍ଲାଇବ।

ସୂଚନାଥାଉକି, ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ଚାକିରୀ କରି ଶିକ୍ଷକ କର୍ମଚାରୀଟିଏ ଅବସର ନେବା ପରଦିନ ଟଙ୍କାଟିଏ ଔଷଧ କିଣିବା ପାଇଁ ନପାଇବା ଓ ଅବସର ପରଦିନ ଠାରୁ ପରିଣତ ବୟସରେ ବିନା ପେନ୍‌ସନ୍‌ରେ ବଞ୍ଚିବାର ରାହା ପାଇବା ପାଇଁ ମୂଲ ଲାଗିବା, ପାନ ଦୋକାନ କରିବା ଓ ଚା’ ଦୋକାନ କରିବା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ନିଜକୁ ବିନିଯୋଗ କରି ଜୀବନ ବଞ୍ଚାଇବାର ଉପାୟ ଖୋଜିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି।

ଓଷ୍ଟାର ଆହ୍ୱାନରେ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ଓ ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀମାନଙ୍କର ସାମାଜିକ ସୁରକ୍ଷା ପାଇଁ ଆଗାମୀ ଫେବୃୟାରୀ ମାସ ପ୍ରଥମ ସପ୍ତାହରୁ ହଜାର ହଜାର ସଂଖ୍ୟାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ /ସଭ୍ୟା, ଅଭିଭାବକ, ପୁରାତନ ଛାତ୍ର ଓ ପ୍ରାଥମିକ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କୁ ନେଇ ଏକ ମହାସମାବେଶ ଭୁବନେଶ୍ୱର ସ୍ଥିତ ଲୋୟର ପି.ଏମ୍‌.ଜି. ଗାନ୍ଧିମାର୍ଗରେ କରାଯିବ ଓ ଶିକ୍ଷକମାନେ ଅହୋରାତ୍ର ଧାରଣାରେ ବସିରହିବେ। ସରକାର ସମସ୍ୟା ଗୁଡ଼ିକର ସମାଧାନ ନକରି ଅଯଥା ଟାଳଟୁଳ ନୀତି ଅବଲମ୍ବନ କରିବା, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତି ନକରିବା, ଚାକିରି ସର୍ତ୍ତାବଳୀ ଓ ଅବସର ପରେ ଶିକ୍ଷକମାନଙ୍କୁ ପେନସନ୍ ନ ଦେବା ସରକାରଙ୍କ ବୈମାତୃକ ମନୋଭାବ ଶିକ୍ଷକମାନଙ୍କୁ ବାରମ୍ବାର ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ କରୁଛି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି।

ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ସମଗ୍ର ଓଡ଼ିଶାର ଅନୁଦାନରୁ ବଞ୍ଚିତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ସପ୍ତମ ବେତନରୁ ବଞ୍ଚିତ ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ, ଅବସର ପରେ ପେନସନ୍ ପାଉନଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପେନସନ୍ ପ୍ରଦାନ, ସରକାରୀ କରଣ ହୋଇ ନଥିବା ବିଦ୍ୟାଳୟକୁ ସରକାରୀକରଣ, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନୋସନାଲ୍ ଇନ୍‌କ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ୨ଟି ପିଅନ ଓ କିଛି ବିଦ୍ୟାଳୟଙ୍କୁ ୨୦୦୮ ପରିବର୍ତ୍ତେ ୨୦୦୪ରୁ ଆଣ୍ଟିଡେସନ ପ୍ରଦାନ, ହିନ୍ଦୀ ସଂସ୍କୃତ ଶିକ୍ଷକମାନଙ୍କର ଯୋଗ୍ୟତା ଅନୁଯାୟୀ ଉପଯୁକ୍ତ ହାରରେ ଦରମା, ୪୮ ବର୍ଷରେ ପଦାର୍ପଣ କରି କୋର୍ଟର ନିର୍ଦ୍ଦେଶ ପାଇଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟି.ଜି. ମାନ୍ୟତା ପ୍ରଦାନ, ଆଲେଜେଡ଼୍ ଓ ସେକ୍ସନ ଶିକ୍ଷକମାନଙ୍କୁ ରେଗୁଲାର କରିବା, ଆର.ଏ. ସ୍କିମ୍‌ର ପୁନଃ ପ୍ରଚଳନ କରିବା, ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣଅନୁଦାନ, କ୍ରୀଡ଼ା ଶିକ୍ଷକମାନଙ୍କୁ ବିଏ ବି.ପି.ଏଡ଼./ ବିଏ ସି.ପି.ଏଡ଼. ଭିତ୍ତିରେ ଉଚ୍ଚତର ଦରମା ପ୍ରଦାନ, ନୂତନ ପେନସନ୍ ପରିବର୍ତ୍ତେ ପୁରାତନ ପେନସନ୍ ଲାଗୁ କରିବା, ଅବସର ବୟସ ସୀମା ୬୦ରୁ ୬୨ ବର୍ଷ ବୃଦ୍ଧି କରିବା, ଅଫିସ୍ ସହାୟକ ମାନଙ୍କର ଯୋଗ୍ୟତା ଭିତ୍ତିକ ପଦୋନ୍ନତି, ଉର୍ଦ୍ଧୁ ଶିକ୍ଷକମାନଙ୍କୁ ଅନୁଦାନ ପ୍ରଦାନ, ଆର.ଏ.ସି.ପି. କ୍ଷେତ୍ରରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ଆଦି ଦାବୀକୁ ନେଇ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସଭାପତି ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରତିଶୃତି ରଖିଲେ ରେଳମନ୍ତ୍ରୀ: ଦଶପଲ୍ଲା ରେଳ ଷ୍ଟେସନରେ ଖୋଲିଲା ଯାତ୍ରୀ ସଂରକ୍ଷଣ ପ୍ରଣାଳୀ କାଉଣ୍ଟର

ଭୁବନେଶ୍ବର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଜାନୁଆରୀ ୨୦୨୪ ର ପ୍ରଥମ ସପ୍ତାହରେ ଦଶପଲ୍ଲା ଗସ୍ତ ସମୟରେ ଏହି ଅଞ୍ଚଳର ଲୋକମାନେ ଦଶପଲ୍ଲା ରେଳ ଷ୍ଟେସନରେ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (PRS) କାଉଣ୍ଟର ଖୋଲିବାକୁ ଦାବି କରିଥିଲେ। ଶ୍ରୀ ବୈଷ୍ଣବ ସେମାନଙ୍କୁ ସେହି ସମୟରେ ପ୍ରତିଶୃତି ଦେଇ ଦଶପଲ୍ଲା ରେଳ ଷ୍ଟେସନରେ PRS କାଉଣ୍ଟରର ସୁବିଧା ଯୋଗାଇଦେବାକୁ ତାଙ୍କ ଅଭିଭାଷଣରେ ଘୋଷଣା କରିଥିଲେ।

ଏହା ଶୁଣିବାକୁ ବହୁତ ଭଲ ଲାଗୁଛି ଯେ ରେଳ ମନ୍ତ୍ରୀ ତାଙ୍କ ପ୍ରତିଶୃତି ପାଳନ କରିଛନ୍ତି ଏବଂ ଦଶପଲ୍ଲା ରେଳ ଷ୍ଟେସନରେ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (PRS) କାଉଣ୍ଟର ଖୋଲିବାକୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି। ଏହି ପଦକ୍ଷେପ ନିଶ୍ଚିତ ଭାବରେ ନୟାଗଡ଼, ବୌଦ୍ଧ ଏବଂ କଟକ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ମହତ୍ୱପୂର୍ଣ୍ଣ ସୁବିଧା ଯୋଗାଇଦେବ।

୧୦ ଦିନ ମଧ୍ୟରେ PRS କାଉଣ୍ଟର ଯୋଗାଇବାରେ ରେଳ ପ୍ରଶାସନର ତୀବ୍ର କାର୍ଯ୍ୟକାରିତା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସୁବିଧା ପ୍ରଦାନ କରାଇବା କ୍ଷେତ୍ରରେ ଏକ ପ୍ରତିବଦ୍ଧତା ଦର୍ଶାଏ। ଏହି କାଉଣ୍ଟର ପ୍ରତିଷ୍ଠା ଉକ୍ତ ଅଞ୍ଚଳର ଲୋକଙ୍କୁ ଦୂର ସହରକୁ ଯାତ୍ରା ନକରି ସଂରକ୍ଷିତ ରେଳ ଟିକେଟ ବୁକ୍ କରିବା ସହଜ କରିବ।

ଦଶପଲ୍ଲା ରେଳ ଷ୍ଟେସନକୁ ରେଳ ସଂଯୋଗ ସହିତ ଟ୍ରେନ ଗୁଡିକର ଚଳାଚଳ ସଂପ୍ରସାରଣ ଏବଂ ଦଶପଲ୍ଲା ରେଳ ଷ୍ଟେସନ ବିଲଡିଂର ଉଦଘାଟନ ଏହି ଅଞ୍ଚଳ ପାଇଁ ରେଳ ସେବା ବୃଦ୍ଧିରେ ଏକ ସକରାତ୍ମକ ପଦକ୍ଷେପ ବୋଲି ଚିହ୍ନିତ ହୋଇଛି। ପରିବହନ ବିକାଶ ଭିତ୍ତିଭୂମି ଏବଂ ସଂଯୋଗୀକରଣର ସାମଗ୍ରିକ ଉନ୍ନତିରେ ଏହିପରି ବିକାଶ ଉଭୟ ଅଧିବାସୀ ଏବଂ ପରିଦର୍ଶକଙ୍କୁ ଉପକୃତ କରିବ।

Categories
ଆଜିର ଖବର ରାଜ୍ୟ ଖବର

ରେଳ ମନ୍ତ୍ରୀଙ୍କ ଦ୍ୱାରା ଭୁବନେଶ୍ୱର ଏବଂ କଟକ ରେଲୱେ ଷ୍ଟେସନ୍ ପୁନର୍ବିକାଶର ପ୍ରଗତି ସମୀକ୍ଷା

ଭୁବନେଶ୍ୱର: ରେଳ, ଯୋଗାଯୋଗ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଭଦ୍ରକ-ଭୁବନେଶ୍ୱର ରେଳ ସେକ୍ସନ ନିରୀକ୍ଷଣ କରି ନିରାପତ୍ତା, ଟ୍ରାଫିକ ସୁବିଧା ସମୀକ୍ଷା କରିବା ସହିତ ରେଳ ସେକ୍ସନରେ ଚାଲିଥିବା ଭିତ୍ତିଭୂମି କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । ନିରୀକ୍ଷଣ ସମୟରେ ସେ ରେଳ ଅଧିକାରୀଙ୍କୁ ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପ ଏବଂ ଯାତ୍ରୀଙ୍କ ସୁବିଧା କାର୍ଯ୍ୟ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଛନ୍ତି।

ପରେ, ଶ୍ରୀ ବୈଷ୍ଣବ କଟକ ଏବଂ ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କରି ବିଶ୍ୱ ସ୍ତରୀୟ ଷ୍ଟେସନ ଭାବରେ ଏହି ଷ୍ଟେସନଗୁଡିକର ପୁନର୍ବିକାଶ ସମ୍ବନ୍ଧୀୟ ନିର୍ମାଣ ପାଇଁ ଚାଲିଥିବା ଭିତ୍ତିଭୂମି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଶ୍ରୀ ବୈଷ୍ଣବ ଖୁସି ବ୍ୟକ୍ତ କରିଛନ୍ତି।

ମାଣିଆବନ୍ଧ ହସ୍ତଶିଳ୍ପ:

ଶ୍ରୀ ବୈଷ୍ଣବ କଟକ ରେଳ ଷ୍ଟେସନ ଗସ୍ତ ସମୟରେ ମାଣିଆବନ୍ଧ ହସ୍ତାଶିଳ୍ପ ସାମଗ୍ରୀ ଷ୍ଟଲ୍ ପରିଦର୍ଶନ କରିଥିଲେ। କଟକ ରେଳ ଷ୍ଟେସନରେ ଥିବା ଏକ ଷ୍ଟେସନ୍ ୱାନ୍ ପ୍ରଡକ୍ଟ ଷ୍ଟଲ୍ କଟକ ଜିଲ୍ଲାର ମାଣିଆବନ୍ଧ ଗ୍ରାମର ହ୍ୟାଣ୍ଡଲୁମ୍ ଉତ୍ପାଦ ସହିତ ପ୍ରଦର୍ଶିତ ଓ ବିକ୍ରି ପ୍ରାରମ୍ଭ ହୋଇଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ନିକଟରେ ଓଡ଼ିଶା ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ସ୍ଥାନୀୟ ବୁଣାକାରମାନଙ୍କୁ “ୱାନ ଷ୍ଟେସନ ୱାନ ପ୍ରଡକ୍ଟ” ପଦକ୍ଷେପ ଅନ୍ତର୍ଗତ କଟକ ଷ୍ଟେସନରେ ମାଣିଆବନ୍ଧ ଷ୍ଟଲ ଖୋଲିବାକୁ ଆଶ୍ୱାସନା ଦେଇଥିଲେ।

ମାଣିଆବନ୍ଧ ଗ୍ରାମ ପରିଦର୍ଶନ ସମୟରେ ଏହାରୀ ବୈଷ୍ଣବ ହୃଦୟଙ୍ଗମ କରିଥିଲେ ଯେ 10 ଟି ପରିବାର ଯିଏକି ଲୁଗାବୁଣା କାର୍ଯ୍ୟରେ ସୁତା କାଟିବା, ରଙ୍ଗଦେବା ଓ ବୁଣିବା ଭଳି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇ ଲୁଗାବୁଣି ସ୍ୱଳ୍ପ ପଇସାରେ ମଧ୍ୟମ ବ୍ୟକ୍ତି ମାଧ୍ୟମରେ ବିକ୍ରି କରୁଥିଲେ ଯାହାକି ପରିଶ୍ରମର ସିଂହଭାଗ ମଧ୍ୟମ ବ୍ୟକ୍ତି ନେଉଥିବାବେଳେ ଏମାନଙ୍କୁ ସ୍ୱଳ୍ପ ଅର୍ଥରାଶି ମିଳୁଥିଲା। ସେଥିପାଇଁ ଶ୍ରୀ ବୈଷ୍ଣବ ଏହି 10ଟି ପରିବାରର ସାମଗ୍ରୀ ବିକ୍ରିପାଇଁ କଟକ ଷ୍ଟେସନ ଠାରେ ଗୋଟିଏ ଷ୍ଟେସନ ଗୋଟିଏ ଦ୍ରବ୍ୟ / ପ୍ରଡକ୍ଟ ସ୍ଟଲ ଯୋଗାଇ ଦେବାପାଇଁ ମାଣିଆବନ୍ଧ ଗ୍ରାମର ଏହି ବୁଣାକାର ମାନଙ୍କୁ ଗତ ସପ୍ତାହରେ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ବୈଷ୍ଣବ ଦେଇଥିବା ପ୍ରତିଶୃତିକୁ ମାତ୍ର ଏକ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ କରାଯାଇଅଛି। ଏବେ ଏହି ବୁଣାକାର ମାନେ ସିଧାସଳଖ ଭାବେ ସେମାନଙ୍କର ସାମଗ୍ରୀ ବିକ୍ରିକରି ନିଜ ପରିଶ୍ରମର ଉଚିତ ପାଉଣା ପାଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର

BREAKING: ବର୍ଷାରେ ଭାସିବ କଟକ ଭୁବନେଶ୍ବର, ଚେତାବନୀ ଦେଲା ପାଣିପାଗ ବିଭାଗ

ଭୁବନେଶ୍ବର: କଟକ ଭୁବନେଶ୍ବର ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଏ ନେଇ ସତର୍କ ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଭାଗ। ଏଥିରେ କୁହାଯାଇଛି ଯେ, ଆଜିଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏହି ସତର୍କ କରାଯାଇଛି। ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବ। କେତେକ ସ୍ଥାନରେ ଘଡଘଡି ସହିତ ବର୍ଷା ହେବ। ହେଲେ ପ୍ରାୟ ଦୁଇ ତିନୋଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି।

ଏ ନେଇ ପାଣିପାଗ ବିଭାଗ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ଅବଗତ କରାଇଛନ୍ତି। ଏଥିରେ କୁହାଯାଇଛି ଯେ, ଆଜିଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ କଟକ ଭୁବନେଶ୍ବରର ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଏହାଦ୍ବାରା ଟ୍ରାଫିକ ବ୍ୟବସ୍ଥା ପ୍ରଭାବତି ହୋଇପାରେ ଏବଂ ବିଭିନ୍ନ ସ୍ଥାନରେ ପାଣି ଜମିବାର ସମ୍ଭାବନା ରହିଛି ବୋଲି ସତର୍କ କରାଯାଇଛି। ସେହିପରି ରାସ୍ତାରେ ଥିବା ମ୍ୟାନହୋଲ ଏବଂ ବିଦ୍ୟୁତ ତାର ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

5ଟି ସଚିବଙ୍କ କଟକ ତାଳଦଣ୍ଡା କେନାଲ ଏବଂ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ୍ ସ୍ଥାନ ପରିଦର୍ଶନ

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ସକାଳେ 5ଟି ସଚିବ ଭି କେ ପାଣ୍ଡିଆନ୍ କଟକସ୍ଥିତ ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ଏହାର ଅଗ୍ରଗତି ସମୀକ୍ଷା କରିଛନ୍ତି।

1.55 କିଲୋମିଟରର ତାଳଦଣ୍ଡା କେନାଲ ନବୀକରଣ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବାକୁ ଯାଉଛି। କେନାଲ କାମକୁ ଜାତୀୟ ରାଜପଥ ପାର୍ଶ୍ୱକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଜାତୀୟ ରାଜପଥ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ସଡ଼କ ସହିତ ନବୀକରଣର ମୋଟ ଲମ୍ବ 3.55 କିଲୋମିଟର ହେବ।

ପାଣ୍ଡିଆନ୍ ୟୁଟିଲିଟିଗୁଡିକର ସ୍ଥାନାନ୍ତର ଏବଂ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଖାନନଗରରେ 17.91 ଏକର ଜମିରେ କଟକ ନେତାଜୀ ବସ୍ ଟର୍ମିନାଲ୍ (CNBT) ନିର୍ମାଣ କରାଯାଉଛି। ଏହି ଟର୍ମିନାଲ୍ କଟକ ବସ୍ ର ଟ୍ରାଫିକ୍ ଜାମକୁ ସହଜ କରିବାରେ ସାହାଯ୍ୟ କରିବ ଏବଂ ଟର୍ମିନାଲ୍ ରେ ଯାତ୍ରୀମାନଙ୍କ ପାଇଁ ଆରାମଦାୟକ ସୁବିଧା ଯୋଗାଇବା ବ୍ୟବସ୍ଥା କରାଯିବ।

ପ୍ରକଳ୍ପର ଅଗ୍ରଗତି ବିଷୟରେ ପାଣ୍ଡିଆନ୍ ବିସ୍ତୃତ ଭାବରେ ସମୀକ୍ଷା କରିଥିଲେ| ପ୍ରୋଜେକ୍ଟ ସାଇଟରୁ ଲାଇବ୍ରେରୀ ସ୍ଥାନାନ୍ତର ବିଷୟରେ ଲୋକଙ୍କ ସହ ଆଲୋଚନା କରିବାକୁ ଏବଂ 10 ଦିନ ମଧ୍ୟରେ ଏକ ଉପଯୁକ୍ତ ନୂତନ ସାଇଟରେ ସ୍ଥାନାନ୍ତର ସମ୍ପର୍କରେ ଏକ ପ୍ରସ୍ତାବ ଦାଖଲ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ 2022 ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବାର ଯୋଜନା ରହିଛି।

ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ନବୀକରଣ ସହିତ, ଏହି ଦୁଇଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ 5T  ଅଧୀନରେ ନିଆଯାଇଥିଲା।

ପୁର୍ତ୍ତ ବିଭାଗ ଲଚିବ କୃଷ୍ଣ କୁମାର, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କୃଷ୍ଣା, ଆରଡିସି ଏ ଏ କେ ସାମଲ ଏବଂ କଟକ ଜିଲ୍ଲାପାଳ, ସିଏମସି କମିଶନର ଅନନ୍ୟା ଦାସ ଏବଂ ବରିଷ୍ଠ ପ୍ରକଳ୍ପ ଅଧିକାରୀ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଝଲସିବ କଟକ ସହର, ତାଳଦଣ୍ଡା ଦୁଇ ପାର୍ଶ୍ବର ତିନି ଥାକିଆ ରାସ୍ତାକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, କଟକ ସହର ରୂପାନ୍ତରୀକରଣ ପ୍ରକ୍ରିୟାର ପ୍ରଥମ ପାହାଚ ସ୍ବରୂପ ଆଜି ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତା ଜୋବ୍ରାରୁ ରାଣୀହାଟ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବରୁ ନିର୍ମିତ ତିନି ଥାକିଆ ରାସ୍ତାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି।ରେକର୍ଡ ୭ ମାସ ସମୟ ମଧ୍ୟରେ ଶେଷ ହୋଇଥିବା ୧୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂଆ ରାସ୍ତା ଦ୍ବାରା କଟକ ବାହାରୁ ଆସୁଥିବା ରୋଗୀମାନେ ବିନା ଟ୍ରାଫିକ ସମସ୍ୟାରେ ସିଧା କଟକ ବଡ ମେଡିକାଲରେ ପହଞ୍ଚିପାରିବେ ଏବଂ ତୁରନ୍ତ ଚିକିତ୍ସା ସୁବିଧା ପାଇ ପାରିବେ।

ଏହି ନୂଆ ରାସ୍ତାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ହଜାର ବର୍ଷର ଏହି କଟକ ସହରର ମୁଖ୍ୟ ସମସ୍ୟା ହେଉଛି ଗହଳିପୂର୍ଣ୍ଣ ସଂକୀର୍ଣ୍ଣ ରାସ୍ତା ଯାହା କି ଯାତାୟତରେ ଆସୁବିଧା ସୃଷ୍ଟି କରିଥାଏ। ତେଣୁ ଏହାକୁ ଆଧୁନିକ ରୂପ ଦେବା ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଜନସାଧାରଣଙ୍କ ମତାମତକୁ ଭିତ୍ତିକରି ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବର ରାସ୍ତାକୁ ଆଗାମୀ ଦିନରେ ଆହୁରି ସଂପ୍ରସାରିତ କରାଯିବ ଏବଂ ଏଥିପାଇଁ ବିସ୍ତାପିତ ହେଉଥିବା ଲୋକମାନଙ୍କୁ ମାନବିକତା ଦୃଷ୍ଟିକୋଣରୁ ଉପଯୁକ୍ତ ଭାବରେ ଥଇଥାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜ ତାର ଉଚ୍ଚକୋଟୀର ସେବା ପାଇଁ କେବଳ ଓଡିଶା ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି ।ପ୍ରତିଦିନ ରାଜ୍ୟ ବାହାରୁ ଏଠାକୁ ଚିକିତ୍ସା ପାଇଁ ବହୁ ଲୋକ ଆସିଥାନ୍ତି। ତେଣୁ ଏହି ମହାନ ଅନୁଷ୍ଠାନକୁ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ଭାବରେ ଗଢିତୋଳିବା ପାଇଁ ରାଜ୍ୟ ସରକାର ଦୃଢ ସଂକଳ୍ପ ନେଇଛନ୍ତି। ଏ ଦିଗରେ ତାଳଦଣ୍ଡାର କେନାଲର ନୂଆ ରାସ୍ତା ହେଉଛି ଶୁଭାରମ୍ଭ ବୋଲି ଶ୍ରୀ ପଟନାୟକ କହିଥିଲେ।

ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ସମୟରେ କଟକବାସୀ ଯେପରି ତ୍ୟାଗ ଓ ସହଯୋଗ କରିଛନ୍ତି, ସେଥିପାଇଁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ଏବଂ କୋଭିଡ ସମୟରେ ମଧ୍ୟ ଦିନରାତି କାମ କରି ଏହି ରାସ୍ତା ପ୍ରକଳ୍ପକୁ ରେକର୍ଡ ସମୟରେ ଶେଷ କରିଥିବାରୁ ପୂର୍ତ୍ତ ବିଭାଗ ଓ କଟକ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଥିଲେ। ଆଗାମୀ ଦିନରେ କଟକ ସହରକୁ ଆହୁରି ସୁନ୍ଦର ଭାବରେ ଗଢିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହି ନୂଆ ରାସ୍ତା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ। ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ତାଙ୍କ ଭାଷଣରେ ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜକୁ ବିଶ୍ବସ୍ତରୀୟ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟକୁ ସାକାର କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ ଯେ ରାଜ୍ୟବାସୀଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ସବୁବେଳେ କାର୍ଯ୍ୟ କରି ଆସିଛନ୍ତି। ଏହି ନୂଆ ରାସ୍ତା ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି ପୂରଣର ଜ୍ବଳନ୍ତ ଉଦାହରଣ ବୋଲି ସେ କହିଥିଲେ। କଟକ-ଚୌଦ୍ବାର ବିଧାୟକ ଶ୍ରୀ ସୌଭିକ ବିଶ୍ବାଳ ତାଙ୍କର ଭାଷଣରେ କଟକର ରୂପାନ୍ତୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମର ଉଚ୍ଚପ୍ରଶଂସା କରିଥିଲେ।

ଜଳସଂପଦ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ତାଳଦେଣ୍ଡା କେନାଲର Lining କାମ ଖୁବ୍‌ ଶୀଘ୍ର ଆରମ୍ଭ କରାଯିବା ସହିତ ଏଥିରେ ବୋଟି ଓ କ୍ରୀଡା ବ୍ୟବସ୍ଥାର ବିକାଶ କରାଯିବ ବୋଲି ସୂଚନା ଦେଇଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରି ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କଟକବାସୀ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଜୋବ୍ରା ରିଂଗ୍‌ ରୋଡ ଠାରୁ ରାଣୀହାଟକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲ ଉଭୟ ପାର୍ଶ୍ବର ଏହି ତିନି ଥାକିଆ ରାସ୍ତାର ଲମ୍ବ ଦେଢ କିଲୋମିଟର ଏବଂ ୧୫ ମିଟର ଚଉଡା। ଏହି ପ୍ରକଳ୍ପ ପାଇଁ ବିସ୍ତାପିତ ହୋଇଥିବା ୬୦୦ ପରିବାରକୁ ଉପଯୁକ୍ତ ଭାବରେ ଥଇଥାନ କରାଯାଇଛି।

ଏଥିରେ ପାଦଚଲା ରାସ୍ତା ସହିତ ପାର୍କିଂ, ସୌନ୍ଦର୍ଯ୍ୟକରଣ ଏବଂ ଆଲୋକୀକରଣ ମଧ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଜଳସଂପଦ ବିଭାଗର ପ୍ରମୁଖ ସଚିବ ଏବଂ ପୂର୍ତ୍ତ ସଚିବ ପ୍ରମୁଖ ଭୁବନେଶ୍ବରରେ ଏବଂ କଟକରେ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Categories
ଫଟୋ ଖବର

ଧବଳ ଟଗର ହେଲା କଟକ ସହର, ଏହା ହେଉଛି ତାଳଦଣ୍ଡା କେନାଲ ରୋଡର ଦୃଶ୍ୟ

କଟକ, ଏସସିବି ମେଡିକାଲ ବିଲିଡିଂର ସଂପ୍ରସାରଣ କାମ ପରେ ଏହା ହେଉଛି କଟକ ସହରର ଦୃଶ୍ୟ। ହଜାର ବର୍ଷର ସହରକୁ ଦିଆଯାଇଛି ନୂଆ ରୂପ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ଆଜି 4330 ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଜି  4 ହଜାର 330କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2556ଜଣ ଚିହ୍ନଟ ହୋଇଥିବାବେଳେ 1774ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  1 ଲକ୍ଷ 79ହଜାର880କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 37 ହଜାର469ଜଣ । ସେହିପରି ସୁସ୍ଥ ହୋଇଛନ୍ତି 1 ଲକ୍ଷ 41ହଜାର 657ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 682ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 4ହଜାର 330ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 644ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 176, ବାଲେଶ୍ବରରୁ 121, ବରଗଡରୁ 99, ଭଦ୍ରକରୁ 74, ବଲାଙ୍ଗିରରୁ 79, ବୌଦ୍ଧରୁ 47, କଟକରୁ 549, ଦେବଗଡରୁ 12, ଢେଙ୍କାନାଳରୁ 67, ଗଜପତିରୁ 16, ଗଞ୍ଜାମରୁ 51, ଜଗତସିଂହପୁରରୁ 167, ଯାଜପୁରରୁ 158, ଝାରସୁଗୁଡାରୁ 153, କଳାହାଣ୍ଡିରୁ 100, କନ୍ଧମାଳରୁ 178, କେନ୍ଦ୍ରାପଡାରୁ 107, କେଉଁଝରରୁ 118, କୋରାପୁଟରୁ 94, ମାଲକାନଗିରିରୁ 63, ମୟୂରଭଞ୍ଜରୁ 152, ନବରଙ୍ଗପୁରରୁ 133, ନୟାଗଡରୁ 53, ନୂଆପଡାରୁ 62, ପୁରୀରୁ 292, ରାୟଗଡାରୁ 85,  ସମ୍ବଲପୁରରୁ 107, ସୋନପୁରରୁ 25, ସୁନ୍ଦରଗଡରୁ 123ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍‌ପୁଲ୍‌ରୁ 225ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି 9 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା 691କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 9 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବରଗଡ ଜିଲ୍ଲାରୁ ସର୍ବାଧିକ 2 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଭଦ୍ରକ, କଟକ, ବଲାଙ୍ଗିର, ଗଜପତି, ପୁରୀ, ରାୟଗଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତୁ ସଂଖ୍ୟା 691କୁ ବୃଦ୍ଧି ହୋଇଛି ।

ବଲାଙ୍ଗି ଜିଲ୍ଲାରୁ ସର୍ବାଧିକ 2  ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 63 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 55 ବର୍ଷୀୟା ମହିଳା । ସେହିପରି ଭଦ୍ରକରୁ ଜଣେ 52 ବର୍ଷୀୟ ବ୍ୟକ୍ତି ଥିବାବେଳେ ବଲାଙ୍ଗିରରୁ 55 ବର୍ଷୀୟ ପୁରୁଷ, ଗଜପତିରୁ 37 ବର୍ଷୀୟା ପୁରୁଷ ଓ କଟକରୁ 78 ବର୍ଷୀୟା ମହିଳା ରହିଛନ୍ତି । ସେହିପରି ପୁରୀରୁ 73 ବର୍ଷୀୟ ପୁରୁଷଙ୍କ ସମେତ ରାୟଗଡରୁ 52 ବର୍ଷୀୟ ବ୍ୟକ୍ତି ଓ ସମ୍ବଲପୁରରୁ 60 ବର୍ଷୀୟା ମହିଳାଙ୍କର କରୋନାରେ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

Categories
ବିଶେଷ ଖବର ରାଜ୍ୟ ଖବର

ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଚିନ୍ତା ବଢାଉଛି କରୋନା, ଦୃଢ ପଦକ୍ଷେପ ନେବାକୁ ନବୀନଙ୍କ ପରାମର୍ଶ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ କୋଭିଡ ପରିସ୍ଥିତି ସହିତ କୃଷି, ଶିଳ୍ପ, ଭିତ୍ତିଭୂମି ଆଦି ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ସମୀକ୍ଷା କରି ଜୀବିକା ସୃଷ୍ଟି ଉପରେ ଗୁରୁତ୍ବାରୋପ କରିଛନ୍ତି।

ରାଜ୍ୟରେ କୋଭିଡ ପରିସ୍ଥିତି ଜାତୀୟସ୍ତର ଠାରୁ ଭଲ ରହିଥିଲେ ମଧ୍ୟ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବଢୁଥିବା ପଜିଟିଭ କେସ୍ ଦୃଷ୍ଟିରୁ ଏହି ଦୁଇ ଜିଲ୍ଲାରେ ରଣନୀତିକୁ ସୁଦୃଢ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଲୋକଙ୍କ କୋଭିଡ ଟେଷ୍ଟ କରାଯାଇଛି। ପ୍ରତି ୧୦ ଲକ୍ଷ ଲୋକରେ ଏହା ୪୨,୪୦୪ ଯାହାକି ଜାତୀୟସ୍ତର ଠାରୁ ବହୁତ ଅଧିକ। ସେହିପରି ଆରୋଗ୍ୟ ହାର ମଧ୍ୟ ୭୬.୭୮ ପ୍ରତିଶତରୁ ରହିଛି ଏବଂ ମୃତ୍ୟୁ ହାର ୦.୪୬ ପ୍ରତିଶତ ରହିଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ମୌସୁମୀ ବର୍ଷା, ବନ୍ୟା ତଥା ପରିବହନ କ୍ଷେତ୍ରରେ ପୂର୍ବାବସ୍ଥା ଫେରୁଥିବାରୁ କୋଭିଡ ପରିଚାଳନା ପାଇଁ ଏହା ଆହ୍ବାନ ସୃଷ୍ଟି କରିଛି । ତେଣୁ ଏହିସବୁ ଆହ୍ବାନକୁ ଦୃଷ୍ଟିରେ ରଖି କୋଭିଡ ରଣନୀତିକୁ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପର୍ଯ୍ୟବେକ୍ଷକମାନେ ତୁରନ୍ତ ବନ୍ୟାଞ୍ଚଳକୁ ଗସ୍ତ କରି ଯୋଗ୍ୟ ହିତାଧିକାରୀମାନଙ୍କୁ ତୁରନ୍ତ ରିଲିଫ ପ୍ୟାକେଜ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷାଋତୁରେ ସର୍ଦ୍ଦି, କାଶ ପରି ରୋଗର ସମ୍ଭାବନା ଦୃଷ୍ଟିରୁ ଏସବୁ ଲକ୍ଷଣ ଉପରେ ତୀକ୍ଷଣ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ସମସ୍ତ ଜ୍ବର କ୍ଲିନିକ୍ ଗୁଡିକୁ alret ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏହାସହିତ ସ୍ବାସ୍ଥ୍ୟ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ମିଳିତ ଭାବେ ବିଭିନ୍ନ କୋଭିଡ ପ୍ରୋଟୋକଲ୍‌କୁ ନେଇ ଏକ ସଚେତନତା ଅଭିଯାନ ତୁରନ୍ତ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଗୁରୁତର କୋଭିଡ ରୋଗୀମାନଙ୍କ ପାଇଁ ଜିଲ୍ଲା ଭିତର ଥିବା ହସ୍‌ପିଟାଲରେ ହିଁ ICU Bed ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଅତ୍ୟନ୍ତ ଗୁରୁତର ରୋଗୀ ଯେପରି ICU ସୁବିଧା ପାଇପାରିବେ, ସେଥିପ୍ରତି ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ, ବିଶେଷକରି କଟକ ଓ ଭୁବନେଶ୍ବରରେ କର୍ମଚାରୀଙ୍କ ମଧ୍ୟରେ ଅଧିକ ସଂଖ୍ୟାରେ କୋଭିଡ କେସ୍ ବଢୁଥିବାରୁ ସମସ୍ତ କୋଭିଡ ନିୟମ ଗୁଡିକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ଓ ସାମାଜିକ ଦୂରତ୍ବ ନିୟମରେ ଯେପରି କୌଣସି ଅବହେଳା ନ ହୁଏ, ସେଥିପ୍ରତି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି।

କୋଭିଡ ସଂପର୍କରେ ଆଲୋଚନାରେ ଭାଗ ନେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ରାଜ୍ୟରେ ଲକ୍‌ଡାଉନ ଓ ସଟ୍‌ଡାଉନ ପରିଚାଳନା ସଂପୂର୍ଣ୍ଣ ସଫଳ ହୋଇଛି। କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ ରଣନୀତିକୁ ସୁଦୃଢ କରାଯାଉଛି ବୋଲି ସେ କହିଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ୍ୟର କୋଭିଡ ପରିଚାଳନା ସଂପର୍କରେ ଏକ ବିବରଣୀ ଉପସ୍ଥାପନା କରିଥିଲେ।

ବୈଠକରେ ଶିଳ୍ପ, କୃଷି ଓ ଅନ୍ୟାନ୍ୟ କ୍ଷେତ୍ର ସଂପର୍କରେ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ଜୀବିକା ସୃଷ୍ଟି ଉପରେ ଗୁରୁତ୍ବାରୋପ କରି ସବୁ ବିଭାଗର ଜୀବିକା ସୃଷ୍ଟି କାର‌୍ୟ୍ୟକ୍ରମ ଗୁଡିକୁ ଜୋରଦାର କରିବା ପାଇଁ ପରାମର୍ଶ ଦେଇଥିଲେ। କୌଣସି କ୍ଷେତ୍ରରେ ଅସୁବିଧା ଥିଲେ, ତାକୁ ତୁରନ୍ତ ଦୂର କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲା ପର୍ଯ୍ୟବେକ୍ଷକମାନେ ମଧ୍ୟ ଜିଲ୍ଲା ଗସ୍ତ ସମୟରେ ଜୀବିକା କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରନ୍ତୁ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ। ଶିଳ୍ପ ଓ MSME କ୍ଷେତ୍ରରେ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ପୂର୍ଣ୍ଣସ୍ତରରେ କାର୍ଯ୍ୟକ୍ଷମ କରିବାପାଇଁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୌଣସି ଶିଳ୍ପ କ୍ଷେତ୍ରରେ ଯଦି କିଛି ଅସୁବିଧା ଥାଏ, ତେବେ ତାକୁ ତୁରନ୍ତ ପ୍ରାଥମିକତା ଭିତ୍ତିରେ ଦୂର କରିବା ଆବଶ୍ୟକ।

ବୈଠକରୁ ଜଣାଯାଇଥିଲା ଯେ ରାଜ୍ୟରେ କୃଷି, ଶିଳ୍ପ, MSME ଓ ଅନ୍ୟାନ୍ୟ କ୍ଷେତ୍ରରେ ସମସ୍ତ କାର‌୍ୟ୍ୟକ୍ରମ ସ୍ବଭାବିକ ହୋଇଆସୁଛି। ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା ସମସ୍ତ କ୍ଷେତ୍ରରେ ସୁଧାର ଆସିଛି। କୃଷି କ୍ଷେତ୍ରରେ ଚଳିତ ବର୍ଷ ଖରିଫରେ ୫୫.୫୨ ଲକ୍ଷ ହେକ୍ଟର ଜମି ଚାଷ କରାଯାଇଛି ଯାହା କି ପୂର୍ବ ବର୍ଷ ଠାରୁ ୫ ପ୍ରତିଶତ ଅଧିକ। ଚଳିତ ବର୍ଷ ସାର ଓ ୟୁରିଆର ଚାହିଦା ମଧ୍ୟ ଗତବର୍ଷ ଠାରୁ ଅଧିକ ରହିଛି। ଚଳିତ ବର୍ଷ ୯୯୬୫ କୋଟି ଟଙ୍କାର ଫସଲ ଋଣ ପ୍ରଦାନ କରାଯାଇଛି, ଯାହା କି ଗତ ବର୍ଷ ଠାରୁ ମଧ୍ୟ ଅଧିକ।

ଇସ୍ପାତ ଓ ଖଣି କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଅପ୍ରେଲକୁ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୧୭୫୧୪ କୋଟି ଟଙ୍କାର ୨୦୦ଟି ନୂଆ ପ୍ରକଳ୍ପକୁ ଅନୁମୋଦିତ କରାଯାଇଛି। ଏଥିରେ ୧୩ ହଜାର କର୍ମନିଯୁକ୍ତିର ସମ୍ଭାବନା ରହିଛି। ସେହିପରି ଶିଳ୍ପ ଉତ୍ପାଦନ ୮୦ ପ୍ରତିଶତ ପର‌୍ୟ୍ୟନ୍ତ ବୃଦ୍ଧିପାଇ ସାରିଛି ବୋଲି ସୂଚନା ଦିଆଯାଇଥିଲା। ବିଦ୍ୟୁତ ବ୍ୟବହାର, Cargo ପରିଚାଳନା, ସବୁ କ୍ଷେତ୍ରରେ ଉନ୍ନତି ଆସିଛି। MSME କ୍ଷେତ୍ରରେ ସେପ୍ଟେମ୍ବର ସୁଦ୍ଧା ୧.୫ ଲକ୍ଷରୁ ଅଧିକ ୟୁନିଟ୍‌କୁ ପାଖାପାଖି ୩୦୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯିବା ବୋଲି ବୈଠକରେ ସୂଚନା ଦିଆଯାଇଥିଲା।

ଶିଳ୍ପ ଓ MSME ସଂସ୍ଥାଗୁଡିକ ଯେପରି ସୁବିଧାରେ କାର‌୍ୟ୍ୟ କରିପାରିବେ, ସେଥିପାଇଁ GST Reimbursement ପ୍ରକ୍ରିୟାକୁ ସଂପୂର୍ଣ୍ଣ ସ୍ବଚ୍ଛ ଓ ସହଜ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ମୁଖ୍ୟମନ୍ତ୍ରୀ କାର‌୍ୟ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର, କୃଷି ଉତ୍ପାଦନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଏବଂ ଅନ୍ୟ ବରିଷ୍ଟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ 10 ଜଣଙ୍କ ମୃତ୍ୟୁ : କରୋନା ମୃତ୍ୟୁ ସଂଖ୍ୟା 343କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ଯୋଗୁଁ ଆଜି ଦଶ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଓ  ଭୁବନେଶ୍ବରରୁ 2 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ କଟକ, ବଲାଙ୍ଗିର, ଯାଜପୁର  କନ୍ଧମାଳ,ସୋନପୁର, ଭଦ୍ରକରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବାଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 32 ବର୍ଷୀୟା ମହିଳା ଥିବାବେଳେ ଜଣେ 55 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଗଞ୍ଜାମରୁ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 67 ଓ 66 ବର୍ଷ ବୋଲି ସୂଚନାରହିଛି । ସେହିପରି କଟକରୁ ମୃତ୍ୟବରଣ କରିଥିବା ଆକ୍ରାନ୍ତଙ୍କ ବୟସ 60ବର୍ଷ ଓ ବଲାଙ୍ଗିରରୁ ମୃତ୍ୟୁବରଣ କରିଥିବା 62 ବର୍ଷ ବୋଲି ସୂଚନା ରହିଛି । ଭଦ୍ରକ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 75 ବର୍ଷ ବୋଲି ସୂଚନା ରହିଛି । ସେହିପରି  ସୋନପୁରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 45 ବର୍ଷ ବୋଲି ସୂଚନା ରହିଛି ।କନ୍ଧମାଳର ମୃତକ ବୟସ 59 ବର୍ଷ ପୁରୁଷ ବୋଲି ସୂଚନା ରହିଥିବାବେଳେ ଯାଜପୁର ମୃତକଙ୍କ ବୟସ 60 ବର୍ଷ ବୋଲି ସୂଚନା ରହିଛି ।

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 343କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ 153ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଏହା 44କୁ ବୃଦ୍ଧି ହୋଇଥିବାବେଳେ ଭୁବନେଶ୍ବରରେ ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି ହୋଇଛି । ସେହିପରି କଟକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 17 ଓ ଭଦ୍ରକରେ ଏହା 5କୁ ବୃଦ୍ଧି ହୋଇଛି । ହୋଇଥିବାବେଳେ କନ୍ଧମାଳରେ 7କୁ ବୃଦ୍ଧି ହୋଇଛି । ସେହିପରି ସୋନପୁର ଓ ବଲାଙ୍ଗିରରୁ ଜଣେ ଲେଖାଏଁ କରୋନାରେ ମୃତ୍ୟୁବରଣ କରିଛନ୍ତି ।

 

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ କରୋନା ଯୋଗୁଁ 10 ମୃତ୍ୟୁ : ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା 324 ଟପିଲା

ଭୁବନେଶ୍ବର : ଆଜି ରାଜ୍ୟରେ କରୋନା ଯୋଗୁଁ ଦଶ ଜଣଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀ ଜିଲ୍ଲାରୁ 3 ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସୁନ୍ଦରଗଡ, ସମ୍ବଲପୁର ଓ କଟକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା  314କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ 151କୁ ବୃଦ୍ଧି ହୋଇଛି । ସେହିପରି କଟକ ଜିଲ୍ଲାରେ 14, ସୁନ୍ଦରଗଡରେ 21, ସମ୍ବଲପୁରରେ 3, ପୁରୀ କରୋନା ଜନିତ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

28 ଜିଲ୍ଲାରୁ 1337 ପଜିଟିଭ୍‌, ଜାଣନ୍ତୁ କେଉଁ ଜିଲ୍ଲାରୁ ରହିଛନ୍ତି କେତେ

ଭୁବନେଶ୍ବର :  ଆଜି ରାଜ୍ୟର 28ଟି ଜିଲ୍ଲାରୁ ମୋଟ୍‌ 1337ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 201ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍‌ଲାରୁ 196, କଟକରୁ 168ଜଣ, ସୁନ୍ଦରଗଡରୁ 83, କେଉଁଝରରୁ 80, ଗଜପତିରୁ 75, ପୁରୀରୁ 73, ସମ୍ବଲପୁରରୁ 72, ନୟାଗଡରୁ 60, ମାଲ୍‌କାନଗିରିରୁ 38, କେନ୍ଦ୍ରାପଡାରୁ 37, କୋରାପୁଟ ଓ ବାଲେଶ୍ବରରୁ 31 ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି। ଯାଜପୁରରୁ 24, ଭଦ୍ରକ ଓ ରାୟଗଡାରୁ 22ଜଣ ଲେଖାଏଁ ରହିଥିବାବେଳେ ଜଗତସିଂହପୁରରୁ 21, କନ୍ଧମାଳରୁ 20, ମୟୂରଭଞ୍ଜରୁ 15 ଜଣ ଚିହ୍ନଟ ହୋଇଛନ୍ତି ।  ବରଗଡରୁ 14, କଳାହାଣ୍ଡିରୁ 13, ବଲାଙ୍ଗିରରୁ 11, ଝାରସଗୁଡାରୁ 10, ନବରଙ୍ଗପୁରରୁ 7, ଢେଙ୍କାନାଳରୁ 5, ଅନୁଗୁଳୁରୁ 4, ସୋନପୁରରୁ 3 ଜଣ, ବୌଦ୍ଧରୁ ଜଣେ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ବିଷ ପିଇଥିବା ବ୍ୟକ୍ତିଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିବାରୁ ଏସ୍‌ସିବି କାଜୁଆଲିଟିରେ ହେଲେ ହନ୍ତସନ୍ତ

କଟକ : ଏସ୍‌ସିବି କାଜୁଆଲଟିରେ କରୋନା ଆକ୍ରାନ୍ତ ହନ୍ତସନ୍ତ ହେଉଥିବାର ଅଭିଯୋଗ ହୋଇଛି। ଏସ୍‌ସିବି କାଜୁଆଲିଟିରେ ୧୨ ଘଣ୍ଟା ଧରି ବିଷ ପିଇଥିବା ରୋଗୀ ପଡିଥିବାର ଅଭିଯୋଗ ହୋଇଛି। କାଲି ବାଲେଶ୍ବରରୁ ଆସି ରାତି ୯ଟାରେ କାଜୁଆଲିଟିରେ ଭର୍ତ୍ତି ହୋଇଥିଲେ। ବିଷ ପିଇଥିବା ବ୍ୟକ୍ତିଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିବାରୁ ହନ୍ତସନ୍ତ ହୋଇଛନ୍ତି। ୧୨ ଘଣ୍ଟା  ବିତିଥିଲେ ବି ସମ୍ପୃକ୍ତ ବ୍ୟକ୍ତିଙ୍କୁ ସ୍ଥାନାନ୍ତର କରାଯାଉନଥିବାର ଅଭିଯୋଗ ହୋଇଛି। ରୋଗୀ ଜଣକ ହନ୍ତସନ୍ତ ହେଉଥିବାର ତାଙ୍କ ପରିବାର ଏକ ଭିଡିଓ ଜରିଆରେ ଅଭିଯୋଗ କରିଛନ୍ତି। ତେବେ ଏନେଇ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଟକ ସହରରୁ ଆଜି 35 କରୋନା ଆକ୍ରାନ୍ତ ଚିହ୍ନଟ

କଟକ, କଟକ ସହରରୁ ଆଜି 35 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ 26 ଜଣ ହୋମ୍ କ୍ବାରେଣ୍ଟିନ ହୋଇଥିବା ବେଳେ 6 ଜଣ ସରକାରୀ କ୍ବାରେଣ୍ଟିନ ଚିହ୍ନଟ ହୋଇଛନ୍ତି। ଲୋକାଲ କଣ୍ଚାକ୍ଚରୁ 3 ଜଣ ପଜିଟିଭ ବାହାରିଛନ୍ତି। ରାଉସପାଟଣାରୁ ସର୍ବାଧିକ 21 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସସିବି ଆଇସୋସେଲସନ ୱାର୍ଡରୁ 3 ମହିଳା କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି।କାଳୀଗଳିରୁ 3, ବାଲୁବଜାରରୁ 2 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଟକରୁ ଆଜି 34 ଜଣ କରୋନା ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

କଟକ, କଟକ ସହରରୁ ଆଜି 34 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 34 ଆକ୍ରାନ୍ତଙ୍କ ମଧ୍ୟରେ 8 ଲୋକାଲ କେସ୍ ଥିବା ଜଣାଯାଇଛି। ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଦେୱାନ ବଜାରରୁ 5 ସଂକ୍ରମିତ ହୋଇଛନ୍ତି। ରାଉସପାଟଣାରୁ 3 ମହିଳାଙ୍କ ସମେତ 4 ପଜିଟିଭ ଚିହ୍ନଟ ହୋଇଛନ୍ତି। ଗମାଡିଆ ଓ ଦେୱାନ ବଜାରରୁ 3 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସସିବି ମେଡିକାଲରୁ ଆଜି ଆଉ ଜଣେ କରୋନା ଯୋଦ୍ଧା ନିଜେ କୋଭିଡ ସଂକ୍ରମିତ ହୋଇଥିବା କଟକ ମହାନଗର ନିଗମ ସୂତ୍ରରୁ ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବର ସହ କଟକରେ ବି ବଢୁଛି କରୋନା, କେବଳ ଗୋଟିଏ ସାହିରୁ 32

କଟକ, ଭୁବନେଶ୍ବର ପରେ କଟକ ସହରରେ ବି କରୋନା କାୟା ବିସ୍ତାର କରିବା ଆରମ୍ଭ କରିଛି। ଆଜି ଦିନକରେ କଟକ ସହରରୁ ଆଉ 54 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ 11 ସରକାରୀ କ୍ବାରେଣ୍ଟିନ, 41 ହୋମ୍ କ୍ବାରେଣ୍ଟିନ ଏବଂ 2 ଲୋକାଲ କଣ୍ଟାକ୍ଟ କେସ୍ ରହିଛନ୍ତି।

ସହରର କେବଳ ଖଟବିନ ସାହିରୁ 32 ଜଣ ପଜିଟିଭ ବାହାରିଥିବା ବେଳେ ଶଙ୍କରପୁର ପରିଡା ସାହିରୁ 8 ଜଣ ବାହାରିଛନ୍ତି। ମଣିସାହୁ ଛକ, ଥୋରିଆ ସାହି, ସୂତାହାଟରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସହରର 32 ଜଣ ବାହାରିଥିବା ଖଟବିନ ସାହି ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇ ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଟକରୁ ଆଜି ଆଉ 32 କରୋନା ପଜିଟିଭି ଚିହ୍ନଟ, 5 ଲୋକାଲ କେସ୍

କଟକ, କଟକରୁ ଆଜି ଆଉ 32 କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ 5 ଲୋକାଲ କଣ୍ଟାକ୍ଟ କେସ୍ ରହିଥିବା ବେଳେ ଅନ୍ୟମାନେ କ୍ବାରେଣ୍ଟିନରୁ ବୋଲି କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଦେୱାନ ବଜାର, ଜଗତପୁରରୁ, ଟୋଲ୍ ପ୍ଲାଜା ନିକଟ ଗୋପାଳପୁର, ନରାଜ ଓ କାଳୀଗଳିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 398 ଥିବା ବେଳେ 225 ଜଣ ସୁସ୍ଥ ହୋଇଛନ୍ତି। କଟକରେ କରୋନାରେ 8 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 165 ରହିଛି।