Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

BREAKING: ବାତ୍ୟା ‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା,ଜାଣନ୍ତୁ କଣ ଅଛି

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ମଇ ୨୬ ତାରିଖ ଦିନ ବାତ୍ୟା ୟାସ ଯୋଗୁଁ ଅନେକ ଜିଲ୍ଲାରେ ଫସଲ ନଷ୍ଟ ହେବା ସହିତ ପଶୁସଂପଦ, ମତ୍ସ୍ୟ, ହସ୍ତତନ୍ତ ଓ ରେଶମ ଚାଷ ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି। ଚାଷୀ ମାନଙ୍କର କ୍ଷତି ଭରଣା ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରି ଏହାକୁ ତୁରନ୍ତ କାର‌୍ୟ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୃଷିକ୍ଷେତ୍ର –

1-୩୩ ପ୍ରତିଶତ ବା ଅଧିକ କ୍ଷତି ହୋଇଥିବା ଫସଲ ପାଇଁ ଅଣଜଳସେଚିତ ଅଞ୍ଚଳରେ ଛୋଟ ଓ ନାମମାତ୍ର ଚାଷୀ ଙ୍କୁ ହେକ୍ଟର ର ପିଚ୍ଛା ୬୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଦିଆଯିବ। ଜଳସେଚିତ ଅଞ୍ଚଳରେ ହେକ୍ଟର ପିଚ୍ଛା ୧୩,୫୦୦ ଟଙ୍କା ଏବଂ ସମସ୍ତ ପ୍ରକାର ସବୁଦିନିଆ ଫସଲ ପାଇଁ ହେକ୍ଟର ପିଚ୍ଛା ୧୮,୦୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଦିଆଯିବ। ଆମ୍ବ, କାଜୁ, ନଡିଆ, କେତକୀ, ପାନ ଆଦି ଫସଲ ସବୁଦିନିଆ ଫସଲ ଶ୍ରେଣୀରେ ଅନ୍ତର୍ଭୁକ୍ତ। କେବଳ ପ୍ରକୃତ ଚାଷୀ ମାନଙ୍କୁ ଏହି ସହାୟତା ପ୍ରଦାନ କରାଯିବ।

2-ସବୁଦିନିଆ ଫସଲ ପାଇଁ ଚାଷୀ ମାନଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ଓ ଅନ୍ୟ ଫସଲ ପାଇଁ ସର୍ବନିମ୍ନ ୧୦୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ମିଳିବ।

3-ପ୍ରଭାବିତ ଜିଲ୍ଲାର ଚାଷୀମାନଙ୍କୁ ୨୦୨୧ ଖରିଫ ଋତୁ ପାଇଁ ବର୍ତ୍ତମାନ ଦିଆଯାଉଥିବା ରିହାତିର ଅଧିକ ୨୫ ପ୍ରତିଶତ ରିହାତି ସହିତ ଦେଢ ଲକ୍ଷ କ୍ବିଣ୍ଟାଲ ଉନ୍ନତ ମାନର ପ୍ରାମାଣିକ ଧାନ ବିହନ ଯୋଗାଇ ଦିଆଯିବ। ଏହି ରିହାତି ସିଧାସଳଖ DBT ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଦିଆଯିବ।

4-ଖରିଫ ଋତୁରେ ଅଧିକ ଅମଳ ପାଇଁ ଏକ ଲକ୍ଷ ଏକର ଜମି ପାଇଁ ଏକ ଲକ୍ଷ ଚାଷୀଙ୍କୁ ବିହନ ବିଶୋଧନ ପ୍ରଦର୍ଶନ କାର‌୍ୟ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ।

5-ଖରିଫ ଋତୁରେ ଧାନ,ଝୋଟ ଓ ଡାଲିଜାତୀୟ ଫସଲ ପାଇଁ ପ୍ରଭାବିତ ଅଞ୍ଚଳରେ ୨୫ ହଜାର ଏକର ଜମିରେ ପ୍ରଦର୍ଶନ କାର‌୍ୟ୍ୟକ୍ରମ ଗ୍ରହଣ କରାଯିବ।

6-ଧାଡି ବୁଣା ଓ ଧାଡି ରୁଆ ଆଦି ଉନ୍ନତ ଚାଷ ପ୍ରଣାଳୀ ଅବଲମ୍ବନ କରୁଥିବା ଚାଷୀ ମାନଙ୍କୁ ୩୬ ହଜାର ଏକର ଜମି ପାଇଁ ହେକ୍ଟର ପିଚ୍ଛା ୧୫୦୦ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ।

7-୬୦,୦୦୦ ହେକ୍ଟର ଜମିରେ ରୋଗପୋକ ମାରିବା ପାଇଁ ଆବଶ୍ୟକତା ଭିତ୍ତିରେ ଇନ୍‌ପୁଟ ସବ୍‌ସିଡି ଚାଷୀ ମାନଙ୍କ ଆକାଉଣ୍ଟକୁ ଦିଆଯିବ।

8-ଉନ୍ନତମାନର କୃଷି ଯନ୍ତ୍ରପାତି କିଣିବାପାଇଁ ପ୍ରଭାବିତ ଜିଲ୍ଲାରେ ଚାଷୀ ମାନଙ୍କୁ ୨୦ କୋଟି ଟଙ୍କାର ରିହାତି DBT ଜରିଆଇ ଦିଆଯିବ।

9-ପ୍ରଭାବିତ ଅଞ୍ଚଳରେ ଚାଷୀ ମାନଙ୍କୁ ରିହାତି ଦରରେ ୨୦୦୦ ପମ୍ପସେଟ୍ ଓ ୩୦୦୦ ସ୍ପ୍ରେୟର ଯୋଗାଇ ଦିଆଯିବ। ପମ୍ପସେଟ୍ ପାଇଁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୧୫,୦୦୦ ଟଙ୍କା, ପାୱାର ସ୍ପ୍ରେୟର ପାଇଁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୩୮୦୦ ଟଙ୍କା ଓ ହାତରେ ଚାଲୁଥିବା ସ୍ପ୍ରେୟର ପାଇଁ ସର୍ବାଧିକ ୭୫୦ ଟଙ୍କା ରିହାତି ଦିଆଯିବ।

10-ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ କେତେକ ସ୍ଥାନରେ ଜମିରେ ଲୁଣି ପାଣି ମାଡିଯାଇଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ତେଣୁ ଏପରି ଜମିର ପୋଷକତତ୍ତ୍ବର ପରିଚାଳନା ଓ ମାଟିର ମାନରେ ଉନ୍ନତି ପାଇଁ (Nutrient Management & Soil Ameliorants) ହେକ୍ଟର ପିଚ୍ଛା ୭୫୦ ଟଙ୍କା ସହାୟତା ଦିଆଯିବ। ସମୁଦାୟ ୧୦ ହଜାର ହେକ୍ଟର ଜମି ପାଇଁ ସହାୟତା ପ୍ରଦାନ କରାଯିବ।

11-ପାନବରଜ ଚାଷ କରୁଥିବା ୧୨୫ ଜଣ ଚାଷୀଙ୍କୁ ଜଣ ପିଚ୍ଛା ୧୫,୦୦୦ ଟଙ୍କା ପ୍ରୋତ୍ସାହନ ରାଶି DBT ଜରିଆରେ ଦିଆଯିବ।

12-୧୦ ହଜାର କ୍ଷତିଗ୍ରସ୍ତ ଚାଷୀଙ୍କୁ ସେମାନଙ୍କ ବାଡିରେ ପରିବା ଚାଷ ପାଇଁ ଉନ୍ନତ ମାନର ଚାରା ୧୧୫ ଟଙ୍କାରେ ଯୋଗାଇ ଦିଆଯିବ।

13-ବାତ୍ୟାରେ କ୍ଷତିଗ୍ରସ୍ତ ୫୦ଟି ଛତୁ ଚାଷ ୟୁନିଟ୍‌କୁ ୪୦,୦୦୦ ଟଙ୍କା ଲେଖାଏ ଯୋଗାଇ ଦିଆଯିବ । ଏଥିରେ କ୍ଷତିଗ୍ରସ୍ତ ଚାଷୀମାନେ ସେମାନଙ୍କ ଛତୁ ଚାଷ ୟୁନିଟର ପୁନରୁଦ୍ଧାର କରିପାରିବେ । ଏହି ସହାୟତା ଚାଷୀର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ପ୍ରଦାନ କରାଯିବ।

14-କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀ ମାନଙ୍କୁ କିଟ୍ ପିଚ୍ଛା ୧୧୦ ଟଙ୍କାର ୧୦ ହଜାର ପରିବା ମିନି କିଟ୍ ମାଗଣାରେ ଯୋଗାଇ ଦିଆଯିବ।

15-ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜାନାରେ ବୀମାଭୁକ୍ତ ହୋଇଥିବା କ୍ଷତିଗ୍ରସ୍ତ ଚାଷୀ ମାନଙ୍କର ଦାବୀ ଯେପରି ସମାଧାନ ହୋଇପାରିବ, ସେଥିପାଇଁ ଫସଲ କଟା ରିପୋର୍ଟ ତ୍ବରାନ୍ବିତ ଭାବରେ ପ୍ରସ୍ତତ କରିବା ପାଇଁ ପଦକ୍ଷେପ ନିଆଯିବ।

16-କ୍ଷତିଗ୍ରସ୍ତ ଅଞ୍ଚଳର ୩୩ ପ୍ରତିଶତରୁ ଅଧିକ କ୍ଷତି ସହିଥିବା ଚାଷୀମାନଙ୍କର ସ୍ବଳ୍ପ ମିଆଦୀ ଖରିଫ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିଣତ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ବେଳେ କାହିଁକି ବୁଲୁଛ ବୋଲି ରିପୋର୍ଟର ପ୍ରଶ୍ନ କରିବାରୁ ଯାହା ଉତ୍ତର ମିଲିଲା ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର, ବାତ୍ୟା ୟଶ ଓଡିଶା ଉପକୂଳ ଛୁଇଁବ ବୋଲି ପୂର୍ବରୁ ସୂଚନା ରହିଥିଲା। ଲୋକମାନେ ଘରୁ  ନ ବାହାରିବା ପାଇଁ ଲୋକମାନଙ୍କୁ ସଚେତନ ମଧ୍ୟ କରାଇଥିଲେ। ତଥାପି ଅନେକ ଅମାନିଆ କାହା କଥା ଶୁଣିବାକୁ ନାରାଜ। ପବନ ସମୟରେ ଜଣେ ବ୍ୟକ୍ତି ବୁଲୁଥିବାର ଦେଖି ଓଡିଆ ଚ୍ୟାନେଲ ନକ୍ଷତ୍ର ନ୍ୟୁଜ ରିପୋର୍ଟର ତାଙ୍କୁ ପ୍ରଶ୍ନ କରିଥିଲେ। ରିପୋର୍ଟରଙ୍କ ପ୍ରଶ୍ନ ଏବଂ ସେହି ଲୋକର ଉତ୍ତର ଯାହା ଥିଲା ତାହା ହେଲା

ରିପୋର୍ଟର- ବର୍ତ୍ତମାନ ପ୍ରବଳ ପବନ ପ୍ରବାହିତ ହେବ, ସରକାର ମନା କରିଛନ୍ତି ଘରୁ ନ ବାହାରିବା ପାଇଁ, ଆପଣ କାହିଁକି ବାହାରେ ବୁଲୁଛନ୍ତି ?

ଲୋକ- ଆପଣତ ବାହାରେ ବୁଲୁଛନ୍ତି ? ଆପଣଙ୍କୁ ଦେଖି ତ ଆମେ ବାହାରକୁ ବାହାରିଲୁ

ରିପୋର୍ଟର- ଆମେ ଲୋକଙ୍କୁ ଖବର ଦେଖାଇବୁ ବୋଲି ବାହାରେ ବୁଲୁଛୁ

ଲୋକ- କେମିତି ଦେଖାଇବେ ? ଆମେ ବାହାରକୁ ବାହାରିଲେ ସିନା ଆପଣ ଆମକୁ ଦେଖାଇବେ। ଆମେ ନ ବାହାରିଲେ ଆପଣ କଣ ଦେଖାଇବେ ? କାହାକୁ ପଚାରିବେ?

ଏହି ଘଟଣାଟି ଘଟିଛି ଧାମରାରେ, ଯେଉଁ ପାଖରେ ବାତ୍ୟା ସ୍ଥଳଭାଗ ସ୍ପର୍ଶ କରିଥିଲା। ଅମାନିଆଙ୍କର ଏପରି ଉତ୍ତର ଦେଖି ରିପୋର୍ଟର ବାଧ୍ୟ ହୋଇ ଅନ୍ୟ ଖବରକୁ ଚାଲିଯାଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ତାଣ୍ଡବ କରି ବାତ୍ୟା ୟଶ ଫେରିଲା ସତ, ହେଲେ ଛିନ୍ନିଭିନ୍ନି କରିଦେଲା ଉପକୂଳବର୍ତ୍ତି ଓଡିଶା

ଭୁବନେଶ୍ବର, ଆଜି ସକାଳ ପ୍ରାୟ ୯ ଟା ରେ ସାମୁଦ୍ରିକ ବାତ୍ୟା ‘ୟାସ’ ସ୍ଥଳଭାଗ ସ୍ପର୍ଶ ପ୍ରକ୍ରିୟା ଆରମ୍ଭ ହୋଇ ବାଲେଶ୍ୱର ସଦର, ରେମୁଣା, ବାହାନଗା ମଧ୍ୟ ଦେଇ ଗତି କରିଥିଲା । ପ୍ରାୟ ଅପରାହ୍ନ ୧ ଟା ସୁଦ୍ଧା ବାତ୍ୟା ସଂପୂର୍ଣ୍ଣ ରୂପେ ସ୍ଥଳଭାଗ ସ୍ପର୍ଶ କରିଥିଲା । ଏହି ସମୟରେ ବାଲେଶ୍ୱର ସଦର, ରେମୁଣା, ନୀଳଗିରିରେ ପ୍ରବଳ ବର୍ଷା ସହ ପବନର ବେଗ ଘଣ୍ଟାପ୍ରତି ୧୩୦-୧୪୦ କି.ମି. ରହିଥିଲା । ବାଲେଶ୍ୱର ଜିଲ୍ଲା ଅତିକ୍ରମ କରି ଏହା ମୟୁରଭଞ୍ଜ ଜିଲ୍ଲା ମଧ୍ୟ ଦେଇ ଯିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦-୮୦ କି.ମି. ରହିଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ବାତ୍ୟା ସଂପର୍କରେ ଅବଗତ କରିବା ସମୟରେ ସେ କହିଛନ୍ତି ଯେ, ବାତ୍ୟା ସମୟରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବୃଷ୍ଟିପାତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାର କୁସୁମି ବ୍ଲକରେ ପ୍ରାୟ ୩୦୪ ମି.ମି., ଭଦ୍ରକର ଚାନ୍ଦବାଲି ବ୍ଲକରେ ୨୮୮ମି.ମି., କେନ୍ଦ୍ରାପଡାର ରାଜନଗର ବ୍ଲକରେ ୨୭୫ ମି.ମି., ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକରେ ୨୭୧ ମି.ମି. ବୃଷ୍ଟିପାତ ରେକର୍ଡ କରାଯାଇଛି । ଆମ ରାଜ୍ୟର ୩୬ ଟି ସ୍ଥାନରେ ୧୦୦ ମି.ମି. ରୁ ଅଧିକ ବୃଷ୍ଟିପାତ ହେବାର ରେକର୍ଡ କରାଯାଇଛି । ଏହିପରି ୩୭ଟି ବ୍ଲକରେ ୫୦-୧୦୦ ମି.ମି. ବର୍ଷା ରେକର୍ଡ ହୋଇଛି।

ଅଧିକ ବୃଷ୍ଟିପାତ ଓ ଉଚ୍ଚ ଜୁଆର ଯୋଗୁଁ ବିଶେଷ କରି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ୧୨୮ ଗାଁ ଜଳମଗ୍ନ ହୋଇଛିିି । ଏହି ଗ୍ରାମ ଗୁଡିକରେ ଗ୍ରାମବାସୀମାନଙ୍କୁ ଆଶ୍ରୟସ୍ଥଳକୁ ପୂର୍ବରୁ ଅଣାଯାଇଥିବାରୁ ସେମାନଙ୍କୁ ସୁରକ୍ଷିତ ରଖାଯାଇ ପାରିଛି । ଆଜି ଅପରାହ୍ନ ଠାରୁ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ଲାଗି ରହିଛି ।

ମୟୁରଭଞ୍ଜ ଶିମିଳିପାଳଠାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ବୁଢାବଳଙ୍ଗ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ଏଣୁ ଏ ସମସ୍ତ ନଦୀକୂଳିଆ ଅଂଚଳରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ମୟୁରଭଞ୍ଜ ଜିଲ୍ଲାରୁ ୧ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ନିଆଯାଇଛି ।

୬ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ବିପଦସଂକୁଳ ସ୍ଥାନରୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି । ବାଲେଶ୍ୱର ଓ ଭଦ୍ରକ ଜଳମଗ୍ନ ଗ୍ରାମ ଜଳ ଅପସାରିତ ହେଲା ପରେ କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ । ଏତଦ୍‌ବ୍ୟତୀତ ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି ।

ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ଜଗତସିଂହପୁର ଜିଲ୍ଲାରେ ସରିଥିବାବେଳେ କେନ୍ଦ୍ରାପଡା, ଯାଜପୁର ଜିଲ୍ଲାରେ କାମ ଚାଲୁରହିଛି । ବାଲେଶ୍ୱର, ଭଦ୍ରକ ଜିଲ୍ଲାର ଜଳମଗ୍ନ ଅଂଚଳ ବ୍ୟତୀତ ଅନ୍ୟ ସ୍ଥାନମାନଙ୍କରେ ବିଦ୍ୟୁତ ଯୋଗାଣ ଶୀଘ୍ର କରାଯିବ । ଜୁଆର ପାଣି ଆସିବା ଫଳରେ ରେମୁଣା, ଧାମରାର ଅନେକ ଗ୍ରାମରେ ପାଣି ପଶୁଛି । ପ୍ରଶାସନ ଜନସାଧାରଣଙ୍କ ସହାୟତାରେ ଜଳନିଷ୍କାସନ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଏବେ ସୁଦ୍ଧା ପୂର୍ତ୍ତ ବିଭାଗର ୨୯୫ଟି ରାସ୍ତା ଓ ଗ୍ରାମ ଉନ୍ନୟନ ବିଭାଗର ୨୦୦ ରାସ୍ତା ସଫା କରାଯାଇ ଯୋଗାଯୋଗ ସୁବିଧା କରାଯାଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କ୍ଷେତ୍ର କର୍ମଚାରୀ ଓ ଅଧିକାରୀମାନେ ଦିନରାତି କାର୍ଯ୍ୟ କରୁଛନ୍ତି । ଜନସାଧାରଣ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ସ୍ୱତନ୍ତ୍ର ରିଲିଫ୍ କମିଶନର ପରାମର୍ଶ ଦେଇଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Cyclone Yaas: ଆରମ୍ଭ ହେଲା ୟଶ୍ ର ତାଣ୍ଡବ, ପ୍ରବଳ ବର୍ଷା ସହ ପବନ , ବଡବଡ ଗଛ ହେଲା ଧରାଶୟୀ

ଭୁବନେଶ୍ବର, ବାତ୍ୟା ୟଶ୍ ର ଲ୍ୟାଣ୍ଡଫଲ ପକ୍ରିୟା ଆରମ୍ଭ ହୋଇଯାଇଛି। ଆଉ ଘଣ୍ଟାଏ ମଧ୍ୟରେ ଏହା ରେମୁଣା ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ଏହା ବର୍ତ୍ତମାନ ଧାମରାରୁ ମାତ୍ର 80 କିଲୋମଟିର ଦୂରରେ ରହିଛି। ତେବେ ଲ୍ୟାଣ୍ଡଫଲ ପୂର୍ବରୁ ୟଶ୍ ର ତାଣ୍ଡବ ଆରମ୍ଭ ହୋଇଯାଇଛି।

ବିଶେଷ କରି ଧାମରା, ପାରାଦ୍ବୀପ, ବାଲେଶ୍ବର ଭଦ୍ରକ ପ୍ରଭୃତି ସ୍ଥାନରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ଆରମ୍ଭ ହୋଇଯାଇଛି। ଲ୍ୟାଣ୍ଡଫଳ ବେଳେ ଏହାର ଗତି ଆହୁରି ତୀବ୍ର ରହିବ। ସେତେବେଳେ ଘଣ୍ଟାକୁ ପ୍ରାୟ 155 କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

ତେବେ ୟଶ ଆଜି ସକାଳୁ ତାହାର ତାଣ୍ଡବ ଆରମ୍ଭ କରିଦେଇଛି। ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଚାଳଛପର ଘର ଭାଙ୍ଗିବା ସହିତ ରାସ୍ତାଘାଟରେ ଗଛ ଏବଂ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି। ପ୍ରବଳ ପବନ ସତ୍ବେ ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିସେବା କର୍ମଚାରୀ ତାହା ସଫା କରିବାରେ ଲାଗିଛନ୍ତି।

ପାଣିପାଗ ବିଭାଗ ଅନୁସାରେ ଏହି ପବନ ଏବଂ ବର୍ଷା ଆଜି ଦିନ ତମାମ ଲାଗି ରହିବ। ୟଶ୍ ଲ୍ୟାଣ୍ଡଫଲ ହେବା ପରେ ଏହାର ପ୍ରଭାବ ତିନି ରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ରହିବ। ଆଜି ସଂଧ୍ୟା ବେଳକୁ ଏହାର ପ୍ରଭାବ ସାମନ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone Updat: ପାରଦ୍ବୀପରୁ 40 କିଲୋମିଟର ଦୂରରେ ୟଶ୍, ଡେରିରେ କରିବ ଲ୍ୟାଣ୍ଡଫଲ୍

ଭୁବନେଶ୍ବର, ଧୀରେ ଧୀରେ ସ୍ଥଳଭାଗ ଆଡକୁ ମାଡିଆସିବାରେ ଲାଗିଛି ବାତ୍ୟା ୟଶ୍। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଯଶ ବର୍ତ୍ତମାନ ଧାମରା 40 କିଲୋମିଟର ଦୂରରେ ରହିଛି। ସେହିପରି ବାଲେଶ୍ବର ଓ ଦୀଘାରୁ 80 କିଲୋମିଟର ଦୂରରେ ରହିଛି।

ପୂର୍ବରୁ ଆଶା କରାଯାଉଥିଲା ଯେ,ଯଶ୍ ଆଜି ସକଳା 9 ଟା ସୁଦ୍ଧା ସ୍ଥଳଭାଗ ଛୁଇଁବ। ହେଲେ ସେଥିରେ ଟିକିଏ ଡେରି ହୋଇଛି। ବର୍ତ୍ତମାନ ଅନୁମାନ କରାଯାଉଛି ଯେ, ୟଶ୍ ଆଜି ଦିନ 11 ଟା ସୁଦ୍ଧା ଧାମରାର ସ୍ଥଳଭାଗ ଛୁଇଁବ। ବର୍ତ୍ତମାନ ଗତ 6 ଘଣ୍ଟାର ଆକଳନ ଅନୁସାରେ ୟଶ୍ ବାତ୍ୟା ଘଣ୍ଟାକୁ 15 କିଲୋମିଟର ବେଗର ମାଡି ଆସୁଛି।

ଏହାର ପ୍ରଭାବରେ ଘଣ୍ଟାପ୍ରତି 130 ରୁ 140 କିଲୋମିଟର ବେଗରେ ପବନ ପ୍ରବାହିତ ହେବ। ମୁଖ୍ୟ ସମୟରେ ପବନର ଗତି ବଢି 155 କିଲୋମିଟର ପର୍ଯ୍ୟନ୍ତ ହେବ ବୋଲି ପାଣିପାଗ ବିଭାଗ କହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜାଣନ୍ତୁ, ବାତ୍ୟା ୟଶ୍ କେଉଁଦିନ କେଉଁ ରୂପ ଧାରଣ କରିବା ସହିତ ପବନର ଗତି କେତେ ରହିବ

ଭୁବନେଶ୍ବର, ବାତ୍ୟା ୟଶ୍ ବର୍ତ୍ତମାନ ଧିରେ ଧିରେ ସ୍ଥଳଭାଗ ଆଡକୁ ମାଡି ଆସୁଛି। ତାଜା ସୂଚନା ଅନୁସାରେ ଏହା ଘଣ୍ଟାକୁ 12 କିଲୋମିଟର ବେଗରେ ଗତି କରୁଛି। ଏହା ଆସନ୍ତା 26 ତାରିଖରେ ସ୍ଥଳ ଭାଗ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତେବେ ଏହି ବାତ୍ୟା କେଉଁ ଦିନ କିପରି ରୂପ ଧାରଣ କରୁଛି ତାହା ଆସନ୍ତୁ ଜାଣିବା

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଳମ୍ବ ନ କରି ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରିତ କର, ଜିଲ୍ଲାପାଳଙ୍କୁ ଜରୁରୀ ନିର୍ଦ୍ଦେଶ ଦେଲେ ଏସଆରସି

ଭୁବନେଶ୍ବର, ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ଶିଘ୍ର ସ୍ଥାନାନ୍ତରିତ କର। କୌଣସି ବିଳମ୍ବ ନ କରି ଏହି ନେଇ ପଦକ୍ଷେପ ନିଅ। ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏହିପରି ଏକ ଜରୁରୀ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ଏହି ଜରୁରୀ ବାର୍ତ୍ତାରେ ଏସଆରସି ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା ଏହାକୁ ଗୁରୁତର ସହ ନେବାକୁ କହିଛନ୍ତି। ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଏହି ସ୍ଥାନାନ୍ତରିତ ପକ୍ରିୟା ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ମଙ୍ଗଳବାରରେ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ କୁହାଯାଇଥିଲା। ହେଲେ ବର୍ତ୍ତମାନ ବାତ୍ୟାର ପ୍ରଭାବକୁ ଦେଖି ଏହି ନିର୍ଦ୍ଦେଶରେ ପରିବର୍ତ୍ତନ କରାଯାଇଛି। ସେହି ପରିବର୍ତ୍ତନ ଅନୁସାରେ ଆଜି ତୁରନ୍ତ ସ୍ଥାନାନ୍ତରିତ ପକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟା ରୂପ ନେଇଛି। ଗତ ୬ ଘଣ୍ଟା ଯାଏଁ ସମୁଦ୍ର ଭିତରେ ଏହା ଗତି କରି ନ ଥିବା ବେଳେ ବର୍ତ୍ତମାନ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି।

ତେବେ ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ୟସ୍ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି। ପାରାଦୀପ ଏବଂ ସାଗର ଦୀପ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବା ନେଇ ଅନୁମାନ କରାଯାଇଛି। ଏନେଇ ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ଯୋଗୁଁ ୧୦ଟି ଜିଲ୍ଲାରେ ଲକଡାଉନ କଟକଣାକୁ କୋହଳ କରାଯାଇଛି। ୧୦ ଟି ଜିଲ୍ଲାରେ କଟକଣାକୁ ୨ ଘଣ୍ଟା ପାଇଁ କୋହଳ କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ କଟକଣାକୁ କୋହଳ କରାଯାଇଛି।

ଆଜି ଏବଂ ଆସନ୍ତାକାଲି ପାଇଁ କଟକଣାକୁ କୋହଳ କରାଯାଇଛି। ସକାଳ ୭ ଟା ରୁ ଦିନ ୧ ଟା ପର୍ଯ୍ୟନ୍ତ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ। ପୂର୍ବରୁ ଏହି କଟକଣାକୁ ଦିନ ୧୧ ଟା ପର୍ଯ୍ୟନ୍ତ ରଖାଯାଇଥିଲା। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ଯାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ କଲେ ଏକ ଜରୁରୀ ବୈଠକ, ସଜାଗ ହେବା ପାଇଁ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ‘ୟାସ’ ଜନିତ ପରିସ୍ଥିତିର ମୁକାବିଲା ଲାଗି ହୋଇଥିବା ପ୍ରସ୍ତୁତି ଓ ଯୋଜନାର ସମୀକ୍ଷା କରିଛନ୍ତି। ଏଥିରେ ସେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ସଂସ୍ଥାର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି ଯେ ‘ୟାସ’ ବାତ୍ୟା ୨୬ ତାରିଖ ସନ୍ଧ୍ୟାରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ଗତି କରିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୫-୧୬୫ କିମି କିମ୍ବା ସ୍ଥଳବିଶେଷରେ ଘଣ୍ଟା ପ୍ରତି ୧୮୫ କିମି ରହିବ ବୋଲି ପୂର୍ବାନୁମାନ କରାଯାଇଛି।

ବାତ୍ୟା ପ୍ରଭାବରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ କ୍ଷେତ୍ରରେ ସମୁଦ୍ରରୁ ୨-୪ ମିଟର ଉଚ୍ଚତାର ଜୁଆର ଉଠି ଆସିବ ବୋଲି ଆଇଏମଡି ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଆଇଏମଡି ପକ୍ଷରୁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ନିୟମିତ ବୁଲେଟିନ୍ ଜରିଆରେ ସଦ୍ୟତମ ସୂଚନା ଦିଆଯାଉଛି।

ବୈଠକ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ଯେ ୨୨ ମେ, ୨୦୨୧ରେ କ୍ୟାବିନେଟ ସଚିବ ପ୍ରଭାବିତ ହେବାକୁ ଥିବା ସମସ୍ତ ଉପକୂଳବର୍ତ୍ତୀ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ଏଜେନ୍ସିର ଅଧିକାରୀଙ୍କୁ ନେଇ ଜାତୀୟ ବିପର‌୍ୟ୍ୟୟ ପ୍ରଶମନ ସମିତି (ଏନସିଏମସି)ର ବୈଠକରେ ଆଲୋଚନା କରିଥିଲେ।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ୨୪ ଘଣ୍ଟିଆ ସ୍ଥିତି ସମୀକ୍ଷା ସହିତ ସମ୍ପୃକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ଏଜେନ୍ସିଗୁଡ଼ିକ ସହିତ ନିୟମିତ ଯୋଗାଯୋଗ ରକ୍ଷା କରାଯାଉଛି। ସମସ୍ତ ରାଜ୍ୟଗୁଡ଼ିକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏସଏଚଏର ପ୍ରଥମ କିସ୍ତି ଜାରି କରାଯାଇସାରିଛି। ଏନଡିଆରଏଫ ପକ୍ଷରୁ ଡଙ୍ଗା, ଗଛକଟା ଯନ୍ତ୍ର, ଟେଲିକମ ଉପକରଣ ଆଦି ସମସ୍ତ ସରଞ୍ଜାମ ସହିତ ୪୬ଟି ଦଳ ୫ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ନିୟୋଜିତ କରାଯାଇସାରିଛି। ଏହାବ୍ୟତୀତ ଆଜି ବିମାନ ଯୋଗେ ସ୍ଥାନାନ୍ତରିତ କରାଯାଇ ୧୩ଟି ଦଳକୁ ନିୟୋଜିତ କରାଯିବ ଏବଂ ୧୦ଟି ଦଳକୁ ପ୍ରତୀକ୍ଷାରତ ଭାବେ ପ୍ରସ୍ତୁତ ରଖାଯିବ।

ସହାୟତା, ସନ୍ଧାନ ଓ ଉଦ୍ଧାର କାର‌୍ୟ୍ୟ ପାଇଁ ଭାରତୀୟ ତଟରକ୍ଷୀବାହିନୀ ଓ ନୌସେନା ପକ୍ଷରୁ ଜାହାଜ ଓ ହେଲିକପ୍ଟର ମୁତୟନ କରାଯାଇଛି। ଡଙ୍ଗା ଓ ଉଦ୍ଧାରକାରୀ ସରଞ୍ଜାମ ସହିତ ଭାରତୀୟ ବାୟୁସେନା ଏବଂ ସ୍ଥଳସେନାର ଇଞ୍ଜିନିୟର ଟାସ୍କ ଫୋର୍ସ ୟୁନିଟକୁ ଆବଶ୍ୟକତା କ୍ଷେତ୍ରରେ ନିୟୋଜିତ କରିବା ଲାଗି ପ୍ରସ୍ତୁତ ରଖାଯାଇଛି। ପଶ୍ଚିମ ତଟରେ ମାନବୀୟ ସହାୟତା ଏବଂ ବିପର‌୍ୟ୍ୟୟ ସହାୟତା ୟୁନିଟ ସହିତ ସାତଟି ଜାହାଜକୁ ପ୍ରସ୍ତୁତ ରଖାଯାଇଛି।

ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସମୁଦ୍ରରେ ସମସ୍ତ ତୈଳ ପ୍ରକଳ୍ପଗୁଡ଼ିକୁ ସୁରକ୍ଷିତ ରଖିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ପରିବହନକାରୀ ଜାହାଜଗୁଡ଼ିକୁ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଛି। ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜରୁରିକାଳିନ କାର‌୍ୟ୍ୟାନୁଷ୍ଠାନ ବ୍ୟବସ୍ଥାକୁ ସକ୍ରିୟ କରାଯାଇଛି ଏବଂ ତୁରନ୍ତ ବିଦ୍ୟୁତ ସେବାକୁ ସ୍ବାଭାବିକ କରିବା ଲାଗି ଟ୍ରାନ୍ସଫର୍ମର, ଡିଜି ସେଟ ଆଦି ସରଞ୍ଜାମ ପ୍ରସ୍ତୁତ ରଖାଯାଇଛି।

ଟେଲିକମ ମନ୍ତ୍ରଣାଳୟ ସମସ୍ତ ଟେଲିକମ ଟାଓ୍ବାର ଓ ଏକ୍ସଚେଞ୍ଜଗୁଡ଼ିକ ପ୍ରତି ନିୟମିତ ଦୃଷ୍ଟି ରଖିଛି ଏବଂ ଟେଲିକମ ନେଟଓ୍ବର୍କଗୁଡ଼ିକୁ ପୁନରୁଦ୍ଧାର କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ ହୋଇଛି। ସ୍ବାସ୍ଥ୍ୟ କ୍ଷେତ୍ରର ପ୍ରସ୍ତୁତି ଏବଂ କୋଭିଡ ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବାତ୍ୟା ପ୍ରଭାବିତ ହେବାକୁ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପଣ୍ୟବାହୀ ଜାହାଜକୁ ସୁରକ୍ଷିତ ରଖାଯିବା ସହ ଜରୁରିକାଳୀନ ଜାହାଜଗୁଡ଼ିକୁ ମୁତୟନ କରାଯାଇଛି।

ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକମାନଙ୍କୁ ଉଦ୍ଧାର କରିବା ଲାଗି ରାଜ୍ୟ ସରକାରଙ୍କ ସଂସ୍ଥାଗୁଡ଼ିକୁ ଏନଡିଆରଏଫ ପକ୍ଷରୁ ସହାୟତା କରାଯାଉଛି । ଏହାଛଡ଼ା ବାତ୍ୟା ପରିସ୍ଥିତିର ମୁକାବିଲା ଲାଗି ନିୟମିତ ଭାବେ ଜନସଚେତନତା ଆୟୋଜନ କରାଯାଉଛି।

ଅଧିକ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକମାନଙ୍କୁ ନିରାପଦ ଭାବେ ଉଦ୍ଧାର କରିବା ଲାଗି ରାଜ୍ୟଗୁଡ଼ିକ ସହିତ ନିବିଡ଼ ସହଯୋଗ ରକ୍ଷା କରି କାର‌୍ୟ୍ୟ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସମୁଦ୍ର ଗର୍ଭରେ କାର‌୍ୟ୍ୟରତ ଲୋକମାନଙ୍କୁ ଠିକ ସମୟରେ ଉଦ୍ଧାର କରିବା ଲାଗି ସେ ସମସ୍ତ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ସେ ମଧ୍ୟ ବିଦ୍ୟୁତ ସେବା ଏବଂ କମ୍ୟୁନିକେସନ ନେଟଓ୍ବର୍କର କ୍ଷତିକୁ ସର୍ବନିମ୍ନ ସ୍ତରରେ ରଖିବା ଓ ତୁରନ୍ତ ଅତି କମ ଅବଧି ମଧ୍ୟରେ ସେଗୁଡ଼ିକୁ କାର‌୍ୟ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ବାରୋପ କରିଥିଲେ।

ଏହି ବୈଠକରେ ଗୃହ ମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଗୃହ ରାଷ୍ଟ୍ର ମନ୍ତ୍ରୀ, କ୍ୟାବିନେଟ ସଚିବ, ଗୃହ, ଟେଲିଯୋଗାଯୋଗ, ମତ୍ସ୍ୟପାଳନ, ବେସାମରିକ ବିମାନ ଚଳାଚଳ, ଶକ୍ତି, ବନ୍ଦର, ଜାହାଜ ଓ ଜଳମାର୍ଗ, ଭୂବିଜ୍ଞାନ, ରେଳବୋର୍ଡ ଅଧ୍ୟକ୍ଷ, ଏନଡିଏମଏର ସଦସ୍ୟ ଓ ସଦସ୍ୟ ସଚିବ, ଏନଡିଆରଏଫ ଓ ଆଇଏମଡିର ମହାନିର୍ଦ୍ଦେଶକ ଏବଂ ପ୍ରଧାନମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ଓ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ‘ୟାସ୍‌’ ମୁକାବିଲା କରିବା ପାଇଁ ସଶସ୍ତ୍ର ସେନାଙ୍କୁ ରଖାଗଲା ସଜାଗ

ଭୁବନେଶ୍ବର, ଆସନ୍ତା ୨୬ତାରିଖ ଦିନ ପୂର୍ବ ଉପକୂଳରେ ମାଡ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’ ପ୍ରଭାବର ମୁକାବିଲା ନିମନ୍ତେ ସଶସ୍ତ୍ର ସେନା ପ୍ରସ୍ତୁତି ଆରମ୍ଭ କରିଦେଇଛି । ଭାରତୀୟ ବାୟୁସେନା ଦ୍ୱାରା ୯୫୦ଜଣ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ବା ଏନଡିଆରଏଫ ଯବାନ ଓ ୭୦ଟନ୍ ଓଜନର ସାମଗ୍ରୀ ସହ ଜାମନଗର, ବାରଣାସୀ, ପାଟନା ଓ ଆରାକୋନ୍ନମରୁ କୋଲକାତା, ଭୁବନେଶ୍ୱର ଓ ପୋର୍ଟ ବ୍ଲେୟାରରେ ୧୫ଟି ପରିବହନ ଏୟାରକ୍ରାଫ୍ଟ ଦ୍ୱାରା ଆଜି ସୁଦ୍ଧା ପହଂଚାଯାଇଛି ।

୧୬ଟି ପରିବହନ ଏୟାରକ୍ରାଫ୍ଟ ଓ ୨୦ଟି ହେଲିକପ୍ଟର ତତ୍କାଳ ମୁତୟନ ପାଇଁ ସଜାଗ ରହିଛନ୍ତି । ପଶ୍ଚିମାଞ୍ଚଳରେ ମାନବିକ ସହାୟତା ଓ ବିପର‌୍ୟ୍ୟୟ ପ୍ରଶମନ କାର‌୍ୟ୍ୟରୋ ନିୟୋଜିତ ଭାରତୀୟ ନୌସେନାର ଦଶଟି ଏଚଏଡିଆର ଦଳକୁ ଭୁବନେଶ୍ୱର ଓ କୋଲକାତା ପଠାଇଥିବାବେଳେ ୫ଟି ମାନବିକ ସହାୟତା ଓ ବିପର‌୍ୟ୍ୟୟ ପ୍ରଶମନ (ଏଚଏଡିଆର)ଦଳ ପୋର୍ଟବ୍ଲେୟାରରେ ପ୍ରସ୍ତୁତ ଅଛନ୍ତି ।

ପୂର୍ବ ନୌକମାଣ୍ଡ, ଆଣ୍ଡାମାନ ଓ ନିକୋବର କମାଣ୍ଡର ଆଠଟି ଜାହାଜ ସମ୍ଭାବ୍ୟ କ୍ଷତିଗ୍ରସ୍ତ ଲୋକଙ୍କ ସାହାଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି । ଚାରିଟି ବୁଡାଳୀ ଓ ଦଶଟି ବନ୍ୟା ସହାୟତାକାରୀ ଦଳ କୋଲକାତା, ଭୁବନେଶ୍ୱର ଓ ଚିଲିକାରେ ଡେରା ପକାଇଛନ୍ତି । ପ୍ରଶାସନରୁ ସୂଚନା ପାଇବାମାତ୍ରେ ସେମାନେ ସହାୟତା କାର‌୍ୟ୍ୟରେ ଲାଗିଯାଇପାରିବେ ।

ଯେକୌଣସି ବିପତ୍ତିର ମୁକାବିଲା ନିମନ୍ତେ ସାତୋଟି ବନ୍ୟା ରିଲିଫ ଦଳ ଓ ଦୁଇଟି ବୁଡାଳୀ ଦଳ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରେ ମୁତୟନ ଅଛନ୍ତି । ଆବଶ୍ୟକସ୍ଥଳେ ଉଦ୍ଧାର ଓ ଖୋଜ ପାଇଁ ବିଶାଖାପାଟନମ୍ ଓ ପୋର୍ଟବ୍ଲେୟାର ଠାରେ ନୌସେନା ଏୟାରକ୍ରାଫ୍ଟ ଓ ହେଲିକପ୍ଟର ମଧ୍ୟ ପ୍ରସ୍ତୁତ ଅଛନ୍ତି।

ବେସାମରିକ ପ୍ରଶାସନର ବରାଦ କ୍ରମେ ଭାରତୀୟ ସଶସ୍ତ୍ର ସେନାର ଆଠଟି ଉଦ୍ଧାରକାରୀ ଦଳ ଓ ତିନିଟି ଇଞ୍ଜିନିୟର ଟାସ୍କଫୋର୍ସ ସାହାଯ୍ୟ ପାଇଁ ପ୍ରସ୍ତୁତ ଅଛନ୍ତି । ସଶସ୍ତ୍ର ସେନା ସମ୍ଭାବ୍ୟ କ୍ଷତିଗ୍ରସ୍ତ ହେବାକୁ ଥିବା ରାଜ୍ୟଗୁଡିକର ବେସାମରିକ ପ୍ରଶାସନିକ କଳ ସହ ଯୋଗାଯୋଗରେ ଅଛନ୍ତି ।

କୋଭିଡ-୧୯ ହସ୍‌ପିଟାଲଗୁଡିକୁ ଔଷଧପତ୍ର ଓ ଅମ୍ଳଜାନ ବିନା ବାଧାରେ ପହଂଚାଇବା ପାଇଁ ସଡକ ଓ ରେଳ ଯୋଗାଯୋଗ ନେଇ ମଧ୍ୟ ସଶସ୍ତ୍ର ସେନା ବେଶ୍ ଅବଗତ ଅଛନ୍ତି । ସେ ଦୃଷ୍ଟିରୁ ସଶସ୍ତ୍ର ସେନା ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ପ୍ରତିହତ କରିବା ସହ ଧନଜୀବନ ରକ୍ଷା ଓ ନାଗରିକମାନଙ୍କ ମନରେ ସାହାସ ସଂଚାର ପାଇଁ ପ୍ରସ୍ତୁତ ହୋଇରହିଛି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସାମ୍ଭବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ସଜାଗ ହେଲା ଭାରତୀୟ ନୌସେନା

ନୂଆଦିଲ୍ଳୀ, ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ବଳୟ କ୍ରମଶଃ ଘନୀଭୂତ ହୋଇ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ ‘ୟାସ’ ରୂପ ନେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ସୃଷ୍ଟ ଏହି ଝଡ ଉତ୍ତରପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ହୋଇ ଆସନ୍ତା ୨୬ତାରିଖ ଦିନ ଅତିକ୍ରମ କରିବା ସମ୍ଭାବନା ଅଛି।

ଭାରତୀୟ ନୌସେନା ଏହି ଝଡବାତ୍ୟାର ଗତିପଥ ଉପରେ ସତର୍କ ନଜର ରଖିଛି । ପୂର୍ବ ନୌକମାଣ୍ଡ ଏବଂ ଓଡିଶା ଓ ପଶ୍ଚିମବଙ୍ଗ ଭାରପ୍ରାପ୍ତ ନୌସେନା ଅଧିକାରୀ ବାତ୍ୟା ‘ୟାସ’ ପ୍ରଭାବର ମୁକାବିଲା ନିମନ୍ତେ କାଯ୍ୟପନ୍ଥା ପ୍ରସ୍ତୁତ କରିଛନ୍ତି । ସେମାନେ ରାଜ୍ୟ ପ୍ରଶାସନର ଯୋଗାଯୋଗରେ ରହିବା ସହ ଆବଶ୍ୟକ ସ୍ଥଳେ ସମସ୍ତ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି।

ପ୍ରସ୍ତୁତିର ଅଂଶବିଶେଷ ଭାବେ ୮ଟି ବନ୍ୟା ରିଲିଫ ଓ ଚାରୋଟି ଡ୍ରାଇଭିଂ ଟିମ୍ ଓଡିଶା ଓ ପଶ୍ଚିମବଙ୍ଗରେ ଉପସ୍ଥିତ ଦଳର ସହାୟତା ପାଇଁ ପ୍ରସ୍ତୁତ ରହିଛନ୍ତି । ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ମାନବିକ ସହାୟତା ଓ ବିପର‌୍ୟ୍ୟୟ ପ୍ରଶମନ ନିମନ୍ତେ ଚାରୋଟି ନୌସେନା ଜାହାଜ ସଜାଗ ରହିଛନ୍ତି । ନୌସେନାର ଏୟାରକ୍ରାପ୍ଟ ବିଶାଖାପାଟଣାର ଆଇଏନଏସ ଡେଗା ଓ ଚେନ୍ନାଇ ନିକଟସ୍ଥ ଆଇଏନଏସ ରାଜାଲୀ ନୌସେନା ଏୟାର ଷ୍ଟେସନଠାରେ ସମ୍ଭାବ୍ୟ ବିପଦର ମୁକାବିଲା ନିମନ୍ତେ ରିଲିଫ ସାମଗ୍ରୀ ସହ ପ୍ରସ୍ତୁତ ହୋଇରହିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ୟାସ’କୁ ନେଇ କେନ୍ଦ୍ରର ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

ନୂଆଦିଲ୍ଲୀ, ବଙ୍ଗୋପ ସାଗରରେ ସୃଷ୍ଟ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ୟାସ୍‌’କୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରଣାଳୟ ଏବଂ ଏଜେନ୍ସିମାନଙ୍କ ଦ୍ୱାରା କିଭଳି ଭାବେ ସଫଳତାର ସହ ମୁକାବିଲା କରାଯାଇପାରିବ ତାହାର ପ୍ରସ୍ତୁତି ସଂପର୍କରେ ଆଜି କ୍ୟାବିନେଟ ସଚିବ, ଶ୍ରୀ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ସଂକଟ ପରିଚାଳନା କମିଟି (ଏନସିଏମସି)ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ କମିଟି ସମ୍ମୁଖରେ ଏହି ସାମୁଦ୍ରିକ ଝଡ଼ବାତ୍ୟାର ସଦ୍ୟତମ ସ୍ଥିତି ଉପସ୍ଥାପନ କରିଥିଲେ ଯାହା ମେ 26 ତାରିଖ ସନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ଏବଂ ତତ୍‌ସଂଲଗ୍ନ ଓଡ଼ିଶା ଉପକୂଳ ଛୁଇଁବ ବୋଲି ଅନୁମାନ କରାଯାଉଛି । ଉପକୂଳ ଛୁଇଁଲା ବେଳକୁ ଏହି ଝଡ଼ବାତ୍ୟାର ବେଗ ଘଣ୍ଟା ପ୍ରତି 155ରୁ 165 କିଲୋମିଟର ହେବାର ସମ୍ଭାବନା ରହିଛି । ଏଭଳି ବାତ୍ୟା ସହିତ ସେହିସବୁ ରାଜ୍ୟମାନଙ୍କରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଓ ତୁହାକୁ ତୁହା ଝଡ଼ ପ୍ରବାହିତ ହେବ ।

ତେଣୁ ସଂପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ କମିଟି ପକ୍ଷରୁ ଏହି ସାମୁଦ୍ରିକ ଝଡ଼ବାତ୍ୟା ସଂପର୍କରେ ସୂଚୀତ କରାଯିବା ସହିତ ଏହାର ମୁକାବିଲା ନିମନ୍ତେ ଆବଶ୍ୟକ ସାମଗ୍ରୀ ସହ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ଏଥି ନିମନ୍ତେ ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ଏବେ ନିରାପଦ ସ୍ଥାନକୁ ସ୍ଥାନାନ୍ତରୀତ କରାଯାଉଛି । ଏହା ବ୍ୟତୀତ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟାନ୍ନ, ପାନୀୟ ଜଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁତ ରଖିବା ସହ ଅନ୍ୟାନ୍ୟ ଜରୁରି ସଂସାଧନ ଯଥା ଶକ୍ତି, ଟେଲି ଯୋଗାଯୋଗ ବ୍ୟବସ୍ଥାକୁ କାଏମ ରଖିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ।

ଏହିସବୁ ରାଜ୍ୟମାନଙ୍କର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଏନଡିଆରଏଫର ୬୫ଟି ଟିମଙ୍କୁ ମୁତୟନ କରାଯାଇଛି ଏବଂ ଅନ୍ୟ 20ଟି ଦଳକୁ ପ୍ରସ୍ତୁତ ରଖାଯାଇଛି । ସେନା, ନୌସେନା ଓ ତଟରକ୍ଷୀ ବାହିନୀଙ୍କୁ ଜାହାଜ ଓ ବିମାନ ସହିତ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ତୁରନ୍ତ ମୁତୟନ କରିବା ଲାଗି ମଧ୍ୟ ନିୟୋଜିତ କରାଯାଇଛି ।

ସେହିଭଳି ହସପିଟାଲ, କୋଭିଡ଼ କେୟାର ସେଣ୍ଟରଗୁଡ଼ିକ ଯେଭଳି ଝଡ଼ବାତ୍ୟା ସମୟରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟକରେ ସେଥି ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି ଏବଂ ଏଥି ସହିତ ସାରା ଦେଶର କୋଭିଡ଼ ହସପିଟାଲଗୁଡ଼ିକୁ ଯେଭଳି ଅକ୍ସିଜେନ୍‌ ଉତ୍ପାଦନ ଓ ଯୋଗାଣ ଅବ୍ୟାହତ ରହିପାରିବ ତାହା ମଧ୍ୟ ସୁନିଶ୍ଚିତ କରାଯାଉଛି ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଏଜେନ୍ସିମାନଙ୍କ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରି କ୍ୟାବିନେଟ ସଚିବ ରାଜୀବ ଗୌବା ଗୁରୁତ୍ୱ ଆରୋପ କରି କହିଛନ୍ତି ଯେ, ସମୟୋଚିତ ଭାବେ ଯେଭଳି ସମସ୍ତ ପ୍ରକାର ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇପାରିବ ଏବଂ କୌଣସି ଜଣେ ହେଲେ ଲୋକଙ୍କ ଜୀବନ ହାନି ନଘଟେ କିମ୍ବା ଧନଜୀବନ ହାନିକୁ କିଭଳି ସର୍ବନିମ୍ନ କରାଯାଇପାରିବ ତାହା ଉପରେ ସମସ୍ତେ ପ୍ରାଧାନ୍ୟ ଦେବା ଉଚିତ ।

ସେ ଆହୁରି ଗୁରୁତ୍ୱ ଆରୋପ କରି କହିଛନ୍ତି ଯେ, ଯେଉଁସବୁ ଅଞ୍ଚଳର ଲୋକମାନେ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ସେଠାରୁ ସେମାନଙ୍କୁ ଏଥି ପୂର୍ବରୁ ସ୍ଥାନାନ୍ତରଣ କରାଯିବା ଆବଶ୍ୟକ । ଏଥି ସହ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଡଙ୍ଗା ଓ ଫେରିଗୁଡ଼ିକ ଯେଭଳି ବାତ୍ୟା ପୂର୍ବରୁ ଉପକୂଳକୁ ଫେରି ଆସିବେ ଓ କାହାରି ଜୀବନହାନି ଘଟିବ ନାହିଁ ତାହା ମଧ୍ୟ ସୁନିଶ୍ଚିତ କରାଯିବା ଆବଶ୍ୟକ ।

ଗୌବା ଏହି ପ୍ରସଙ୍ଗ ଉପରେ ପ୍ରାଧାନ୍ୟ ଆରୋପ କରିଥିଲେ ଯେ କୋଭିଡ଼ ସଂକ୍ରମିତ ରୋଗୀଙ୍କ ନିରାପତ୍ତାକୁ ମଧ୍ୟ ସୁନିଶ୍ଚିତ କରାଯିବା ଦରକାର ଏବଂ କୋଭିଡ଼ ହସପିଟାଲ ଓ କେନ୍ଦ୍ରମାନଙ୍କରେ ଚିକିତ୍ସା ସେବା ନିରବଚ୍ଛିନ୍ନ ଭାବେ ଜାରି ରଖାଯିବା ଉଚିତ । ସେହିଭଳି ଅଧ୍ୟୁଷିତ କ୍ଷେତ୍ରରୁ ଦେଶର ଅନ୍ୟାନ୍ୟ ଭାଗକୁ ଯେଭଳି ମେଡ଼ିକାଲ ଅକ୍ସିଜେନ ଉତ୍ପାଦନ ଓ ଯୋଗାଣ ଅବ୍ୟାହତ ରହେ ସେ ଦିଗରେ ମଧ୍ୟ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ବାଂଛନୀୟ ।

ଗୌବା କହିଛନ୍ତି ଯେ ଝଡ଼ବାତ୍ୟା ପରେ ତୁରନ୍ତ ଶକ୍ତି, ଟେଲିକମ୍‌ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସେବାକୁ କିଭଳି ତୁରନ୍ତ ଚାଲୁ କରାଯାଇପାରିବ ସେଥି ନିମନ୍ତେ ଆଗୁଆ ପ୍ରସ୍ତୁତି ସୁନିଶ୍ଚିତ କରାଯିବା ଦରକାର । ଏଥି ନିମନ୍ତେ ସେ ସଂପୃକ୍ତ ଏଜେନ୍ସିମାନଙ୍କୁ ପରସ୍ପର ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ତଥା ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।