Categories
ଆଜିର ଖବର ଜାତୀୟ ଖବର

ବୁରେଭି ପାଇଁ ହାଇ ଆଲର୍ଟରେ ତାମିଲନାଡୁ ଓ କେରଳ

ଥିରୁଅନନ୍ତପୁରମ: ଆଜି ଅପରାହ୍ନରେ ସାମୁଦ୍ରିକ ଝଡ଼ ‘ବୁରେଭି’ ସ୍ଥଳ ଭାଗ ଛୁଇଁବ। ଏଥିପାଇଁ କେରଳ ଏବଂ ତାମିଲନାଡୁ ହାଇ ଆଲର୍ଟରେ ରହିଛି। କେରଳର ଥିରୁଅନନ୍ତପୁରମରେ ବୁରେଭି ସ୍ଥଳ ଭାଗ ଛୁଇଁବ ବୋଲି ଜଣାପଡ଼ିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ତାମିଲନାଡୁର 6ଟି ଜିଲ୍ଲା ଏବଂ କେରଳର 5 ଜିଲ୍ଲାକୁ ଛୁଟି ଘୋଷଣା କରିଛନ୍ତି ସଂପୃକ୍ତ ରାଜ୍ୟ ସରକାର। ସମ୍ବେଦନଶୀଳ ସ୍ଥାନରେ ରହୁଥିବା ଲୋକ ମାନଙ୍କୁ ସରକାର ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରିଛନ୍ତି। ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି।ଏତଦ୍‌ବ୍ୟତୀତ ତିରଅନନ୍ତପୁରମ୍‌ର ବିମାନବନ୍ଦର, ମଦୁରୈ ତୁତିକୋରିନ୍‌ ବିମାନ ବନ୍ଦର ଆଜି ଦ୍ବିପ୍ରହର ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ସୂଚନା ରହିଛି । ବାତ୍ୟାର ପ୍ରଭାବରେ କେରଳରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

ପରିସ୍ଥିତିର ମୁକାବିଲା ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସଜାଗ ରହିଛନ୍ତି । ଅପରପକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସମସ୍ତ ପ୍ରକାର ସହଯୋଗ ପାଇଁ ପ୍ରତିଶୃତି ଦେଇଛନ୍ତି। (ଏଜେନ୍ସି)