Categories
ବିଶେଷ ଖବର ରାଜ୍ୟ ଖବର

ଦାମୋଦର ରାଉତଙ୍କ ଉପରୁ ବହିସ୍କାର ପ୍ରତ୍ୟାହାର ହେଲେ ସେ କଣ ବିଜେଡି ହୋଇଯିବେ ?

ଭୁବନେଶ୍ବର: ଶେଷରେ ବିଜେଡିର ତୁଣ୍ଡ ବୋଲି କୁହାଯାଉଥିବା ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଉପରୁ ଦଳ ବହିସ୍କାର ଆଦେଶ ପ୍ରତ୍ୟାହାର କରିଛି। ତାଙ୍କୁ ଦଳ ବିରୋଧୀ କାର୍ଯ୍ୟପାଇଁ ୨୦୧୮ ମସିହାରେ ଦଳ ବହିସ୍କାର କରିଥିଲା। ଏହାପରେ ସେ ବିଜେପିରେ ଯୋଗଦେଇ ୨୦୧୯ ରେ ବାଲିକୂଦା ଏରସମାରୁ ନିର୍ବାଚନ ଲଢି ହାରି ଯାଇଥିଲେ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଦାମୋଦର ରାଉତଙ୍କ ଉପରୁ ବହିସ୍କାର ଆଦେଶ ଉଠାଇ ଦେଲେ ସେ କଣ ବିଜେଡି ହୋଇଯିବେ କି? ଏପରି ଏକ ସାଧାରଣ ପ୍ରଶ୍ନ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ସାଧାରଣତଃ ଦଳୀୟ ନିୟମ ଅନୁସାରେ ଜଣଙ୍କ ଉପରୁ ବହିସ୍କାର ଉଠାଇ ଦେଲେ ସେ ସେହି ଦଳକୁ ପୁଣି ଫେରି ଆସେ। ହେଲେ ଯଦି ସେହି ବ୍ୟକ୍ତି ବା ନେତା ଅନ୍ୟ କୌଣସି ଦଳକୁ ଯାଇ ନ ଥିବେ ତେବେ ସେ ପୂର୍ବପରି ସେହି ଦଳରେ ରହିବେ।

ହେଲେ ଦାମୋଦର ରାଉତଙ୍କ କଥା ଭିନ୍ନ ପ୍ରକାରର। କାରଣ ସେ ଦଳରୁ ବହିସ୍କାର ହେବା ପରେ ନୂଆ ଦିଲ୍ଲୀରେ ଏକ ରଂଗାରଂଗ ପରିବେଶରେ ବିଜେପିରେ ମିଶିଥିଲେ। ସେତିକି ନୁହେଁ ସେ ବିଜେପିର ପ୍ରଚାର କମିଟର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ। ଏପରିକି ସେ ବିଜେପି ଟିକେଟରୁ ବାଲିକୂଦା ଏରସମାରେ ନିର୍ବାଚନ ମଧ୍ୟ ଲଢେଇ କରିଥିଲେ। ସେ ସେହି ନିର୍ବାଚନ ହାରିବା ସହିତ ତୃତୀୟ ସ୍ଥାନକୁ ଆସିଥିଲେ।

ଏହାପରେ ତାଙ୍କୁ ବିଜେପି ଯେପରି ଗୁରୁତ୍ବ ଦେବା କଥା ତାହା ହେଲା ନାହିଁ। ଫଳରେ ସେ ସେଠାରେ କଣଠୋସା ହେବା ଦ୍ବାରା ବିଜେପିରୁ ଇସ୍ତପା ଦେଲେ।  ସେ ଏବେ କୌଣସି ଦଳରେ ନାହାଁନ୍ତି। ତେଣୁ ଏପରି କ୍ଷେତ୍ରରେ ବିଜେଡି ତାଙ୍କୁ ଦଳରୁ ବହିସ୍କାର ଆଦେଶ ହଟାଇ ଦେଲେ ସେ କେବେ ବିଜେଡି ହୋଇ ପାରିବେ ନାହିଁ। ଏଥିପାଇଁ ସେ ପୁଣି ଥରେ ବିଜେଡିରେ ଯୋଗ ଦେବାକୁ ପଡିବ ବା ମିଶ୍ରଣ ପର୍ବ ମାଧ୍ୟମରେ ତାଙ୍କୁ ଆସିବାକୁ ପଡିବ।

ବରିଷ୍ଠ ନେତା ପ୍ରଫୁଲ ଘଡେଇ ଯେତେବେଳେ ବିଜେଡିରୁ ବହିସ୍କୃତ ହେଲେ ସେତେବେଳେ ସେ ବିଜେଡି ଛାଡି ଅନ୍ୟ କୌଣସି ଦଳରେ ଯୋଗଦେଇ ନ ଥିଲେ। ସେପରି କ୍ଷେତ୍ରରେ ତାଙ୍କ ଉପରୁ କେବଳ ବହିସ୍କାର ବା ନିଲମ୍ବନ ଆଦେଶ ହଟାଇ ଦେଲେ ସେ ସିଧା ବିଜେଡି ହୋଇ ପାରିବେ। ଏପରି ନେତା ଆଉ ବିଜେଡିରେ ସାମିଲ ହେବା ବା ମିଶ୍ରଣ ପର୍ବ ମାଧ୍ୟମରେ ଆସିବାର ଆବଶ୍ୟକ ନାହିଁ। ହେଲେ ନିୟମ ଅନୁସାରେ ଦାମ ରାଉତ କ୍ଷେତ୍ରରେ ସେପରି ହୋଇପାରିବ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନୂଆବର୍ଷରେ ବରିଷ୍ଠ ନେତା ଦାମୋଦର ରାଉତଙ୍କ ପାଇଁ ଆସିଲା ବଡ ଖୁସି, ଜାଣନ୍ତୁ କାରଣ

ଭୁବନେଶ୍ବର: ଆଜି ନୂଆ ବର୍ଷ ପଦାର୍ପଣ କରୁକରୁ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ପାଇଁ ଆଣିଦେଇଛି ଖୁସି। ତାହା ହେଲା ଯେ, ବିଜୁ ଜନତା ଦଳ ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରି ନେଇଛି। ଏ ନେଇ ଦଳ ତରଫରୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରେ ଦଳ 2018 ମସିହାରେ ବହିସ୍କାର କରିଥିଲା। ଏହାପରେ ସେ ବିଜେପିରେ ଯୋଗଦେଇ ବାଲିକୁଦା ଏରସାମରୁ ଛିଡା ହୋଇଥିଲେ। ହେଲେ ସେ ହାରିଯାଇଥିଲେ। ହେଲେ ତାଙ୍କର ପୁଅ ସମ୍ବିତ ରାଉତ ବିଜେଡି ଟିକେଟରୁ ପାରାଦ୍ବୀପରୁ ଲଢେଇ କରି ବିଜୟ ଲାଭ କରିଛନ୍ତି। ଏହାପରେ ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେଇଥିଲେ। ଏହାପରେ ସେ କୌଣସି ଦଳରେ ସାମିଲ ହୋଇ ନାହାଁନ୍ତି।

ତାଙ୍କ ଉପରୁ ଦଳ ନିଳମ୍ବନ ପ୍ରତ୍ୟାହାର ପରେ ସେ କୌଣସି ପ୍ରତିକ୍ରିୟା ଦେଇ ପାରି ନାହାଁନ୍ତି। କାରଣ ସେ ବର୍ତ୍ତମାନ ଅସୁସ୍ଥତା ଯୋଗୁଁ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ତାଙ୍କର ପୁତ୍ର ବିଧାୟକ ସମ୍ବିଦ ରାଉତ ଖୁସି ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ବାପାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଥିବାରୁ ଧନ୍ୟବାଦ। ଏହା ବାପାଙ୍କୁ ନିଶ୍ଚିତ ଖୁସି କରିବ।

ତେବେ ସମ୍ବିତ କହିଛନ୍ତି ଯେ, ବାପା ବିଜେଡିରୁ ଦୂରେଇ ଯିବା ପରେ ମାନସିକ ସ୍ତରରେ ବେଶ ଭାଙ୍ଗି ପଡିଥିଲେ। ସେ ବିଜେପିରେ ଯୋଗ ଦେଇଥିଲେ ମଧ୍ୟ ତାଙ୍କର ମନ ସେଠାରେ ନ ଥିଲା। ତାଙ୍କର ବଡ ଇଚ୍ଛା ଯେ ସେ ଶେଷ ପର୍ଯ୍ୟନ୍ତ ବିଜେଡିରେ ରହିବେ ଏବଂ ନବୀନ ପଟ୍ଟନାୟକଙ୍କ ସେବା କରିବେ। ବର୍ତ୍ତମାନ ବାପାଙ୍କର ସେହି ଇଚ୍ଛା ପୂରଣ ହୋଇଛି। ଆଗାମୀ ନିର୍ବାଚନରେ ସେ ଜଗତସିଂହପୁର ଜିଲ୍ଲାରେ ପ୍ରଚାର କରିବେ।

ଦାମୋଦର ରାଉତ ଓଡିଶା ରାଜନୀତିରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ସେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ଏକ ବଡ ସମର୍ଥକ ଭାବେ ପରିଚିତ। ତାଙ୍କର ପରଲୋକ ପରେ ସେ ନବୀନ ପଟ୍ଟନାୟକଙ୍କର ସମର୍ଥକ ଭାବେ ବିଜୁ ଜନତା ଦଳର ଗଠନରୁ ହିଁ ସହଯୋଗ କରିଆସିଛନ୍ତି। ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ଦଳ ତଥା ସରକାରରେ ପ୍ରମୁଖ ସ୍ଥାନ ଦେଇଆସିଛନ୍ତି।

ହେଲେ ବିଜୁ ଜନତା ଦଳରେ ପ୍ୟାରୀମୋହନ ମହାପାତ୍ରଙ୍କ କ୍ଷମତା ବୃଦ୍ଧି ପରେ ତାଙ୍କର ପତିୟାରା ହ୍ରାସ ପାଇବାରେ ଲାଗିଲା। ଏପରି କି ଦଳରେ କଣଠୋସା ହେବା ପରି ପରିସ୍ଥିତି ସୃଷ୍ଟି ହେଲା। ମୁଖ୍ୟତଃ ସେ ମିଡିଆରେ ସିଧା ସିଧା ମନ୍ତବ୍ୟ ଦେବା ତାଙ୍କ ପାଇଁ କାଳ ହୋଇଥିଲା। ତାଙ୍କର ମନ୍ତବ୍ୟକୁ ନେଇ ସାରା ରାଜନୀତିରେ ଚର୍ଚ୍ଚା ହେଉଥିଲା। ଶେଷରେ ପରିସ୍ଥିତି ଏପରି ହେଲା ଯେ, ତାଙ୍କୁ ବିଜେଡି ଦଳରୁ ନିଲମ୍ବନ କରିବାକୁ ବାଧ୍ୟ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ନେତା ଦାମୋଦର ରାଉତଙ୍କ ସ୍ବାସ୍ଥ୍ୟ ଖରାପ, ଆଇସିୟୁରେ ଭର୍ତ୍ତି

ଭୁବନେଶ୍ବର: ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଅଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଶନିବାର ଦିନ ଭୁବନେଶ୍ବରର କିମସ୍ ହସପିଟାଲରେ ଭର୍ତ୍ତି କରାଯାଇଛି। ସେ ବର୍ତ୍ତମାନ ଆଇସିୟୁରେ ରହି ଚିକିତ୍ସିତ ହେଉଥିବାର ତାଙ୍କ ନିକଟତମ ସୁତ୍ରରୁ ଜଣାପଡିଛି।

ଖବର ଅନୁସାରେ ଦାମୋଦର ଶନିବାର ଦିନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ଚିକିତ୍ସା କରିବା ପରେ ତାଙ୍କ ଛାତିରେ ପାଣି ଜମିଥିବାର ପ୍ରକାଶ କରିଥିଲେ। ଏହାପରେ ତାଙ୍କୁ ଚିକିତ୍ସା କରାଯାଉଛି। ବର୍ତ୍ତମାନ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବାର ଜଣାପଡିଛି।

Categories
ବିଶେଷ ଖବର

ବିଜେଡ଼ି ଫେରିବାକୁ ବାଟ ଖୋଜୁଛନ୍ତି ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡା

ସମୀକ୍ଷା ବ୍ୟୁରୋ

ଦିନେ ନବୀନ ପଟ୍ଟନାୟକଙ୍କୁ ବିରୋଧ କରି ଯେଉଁମାନେ ବିଜେଡି ଛାଡିଥିଲେ, ସେମାନେ ଆଜି ବିଜେଡ଼ିକୁ ଫେରି ଆସିବାକୁ ବିକଳ ହୋଇ ବାଟ ଖୋଜୁଥିବାର ଜଣା ପଡିଛି। ନିର୍ବାଚନ ପୂର୍ବରୁ ବିଜେଡ଼ିର ବିକଳ୍ପ ଛିଡା କରିବେ ବୋଲି ଯେଉଁ ନେତାମାନେ ବାହାସ୍ଫୋଟ ମାରୁଥିଲେ, ସେମାନେ କେହି ଲୋକଙ୍କ ସହ ରହିବାକୁ ଚାହୁଁ ନଥିଲେ। ସମସ୍ତଙ୍କୁ ସହଜରେ କ୍ଷମତା ଦାଖଲ ଲାଗି ଶିଡିଟିଏ ଦରକାର ଥିଲା। ଏହି ନେତାମାନେ ନବୀନଙ୍କ ଛାତ୍ରଛାୟାରେ ୨୦ ବର୍ଷ କ୍ଷମତା ଭୋଗ କରି ସାରିଲାପରେ, ନୂଆ ଶିଡି ର ତଲାଶ କରୁଥିଲେ। ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏମାନଙ୍କ ଲାଗି ସହଜ ଶିଡି ମନେ ହୋଇଥିଲା। ତେଣୁ ନବୀନଙ୍କ ନୂଆ ଶତ୍ରୁ ପାଲଟିଥିବା କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ନିର୍ବାଚନ ପାଖାପାଖି ବିଜେପିରେ ଯୋଗ ଦେଇଥିଲେ। ସ୍ଵାଭାବିକ ଭାବରେ ନିର୍ବାଚନୀ ଉଷ୍ମତାରେ ବିଜେପିର ବିଜେଡି ବିରୋଧୀ ଆଭିମୁଖ୍ୟ ତୀବ୍ର ରହିଥିଲା। ଲାଗୁଥିଲା, ଯେମିତି ବିଜେଡି ବିଜେପି ପରଷ୍ପରର ମୁହଁ ଚାହିଁବେ ନାହିଁ। ସେଇ ପରିସ୍ଥିତିରେ ବିଜେପି ପାଇଁ ବୈଜୟନ୍ତଙ୍କର ବଡ ଆବଶ୍ୟକତା ରହିଥିଲା।

ବିଜେପି ପାଇଁ ବୈଜୟନ୍ତଙ୍କ ତୁଳନାରେ ବୈଜୟନ୍ତଙ୍କ ମାଲିକାନାରେ ରହିଥିବା ଟେଲିଭିଜନ ଚାନେଲ ବେଶୀ ଲୋଭନୀୟ ଥିଲା। ନିର୍ବାଚନ ସମୟରେ ଜନମତକୁ ପ୍ରଭାବିତ କରିବା ଲାଗି ରାଜ୍ୟର ସର୍ବାଧିକ ଟିଆରପି ଥିବା ଖବର ଚାନେଲଟିକୁ ନିଜ ସପକ୍ଷରେ ରଖିବାକୁ ବିଜେପି ଚାହୁଁଥିଲା। ସେଥିଲାଗି ବୈଜୟନ୍ତଙ୍କୁ ନିର୍ବାଚନ ସମୟରେ ବିଜେପି ତରଫରୁ ବେଶ ଗୁରୁତ୍ଵ ଦିଆଯାଉଥିଲା। ତାଙ୍କୁ ରାଷ୍ଟ୍ରୀୟ ଉପ ସଭାପତି କରିବା ସହିତ ଜାତୀୟ ମୁଖପାତ୍ର ଭାବେ ମଧ୍ୟ ନିଯୁକ୍ତି ଦିଆ ଯାଇଥିଲା। ତେବେ ନିର୍ବାଚନ ସରୁ ସରୁ ବୈଜୟନ୍ତ ବିଜେପିରେ ଆଉ ବିଶେଷ ଆବଶ୍ୟକତା ହୋଇ ରହିନାହାନ୍ତି।

ଦାମଙ୍କ ଅବସ୍ଥା ବୈଜୟନ୍ତଙ୍କ ତୁଳନାରେ ଟିକେ ଭଲ। ଦାମ ବାବୁ ପୁରୁଣା ଲୋକ। ସେ ଗୋଟେ ପାଦ ବିଜେପିରେ ରଖିବା ସହିତ ଗୋଟେ ପାଦ ବିଜେଡିରେ ଛାଡିକି ଯାଇଛନ୍ତି। ପୁଅ ସମୀର ରାଉତରାୟ ବିଜେଡି ଟିକଟ ପାଇ ବିଧାୟକ ହୋଇଛନ୍ତି। ପୁଅକୁ ଜିତାଇବା ଓ ନିଜେ ହାରିବାରେ ଦାମଙ୍କ ଭୂମିକା କଥା ଉଭୟ ବିଜେପି ଓ ବିଜେଡି ଦଳର ତୁଙ୍ଗ ନେତା ଜାଣନ୍ତି। ତେଣୁ ନବୀନ ଓ ବିଜେଡି ବିରୋଧରେ ଯେତେ ଗପିଲେ ମଧ୍ୟ ଦାମୋଦର ରାଉତ ନିଜର ବିଜେଡି ଯୋଗସୂତ୍ର କାଟି ନାହାନ୍ତି।

ନିର୍ବାଚନ ପରେ ପରେ ହଠାତ ବିଜେଡି ଓ ବିଜେପି ଭିତରେ ସମ୍ପର୍କ ଏତେ ମଧୁର ହୋଇଯିବ ବୋଲି ଦାମ ବା ବୈଜୟନ୍ତ ଚିନ୍ତା କରିନଥିଲେ। ସେମାନେ ବିଜେପିରେ ରହି ଆଗାମୀ ଦିନରେ ନବୀନ ବିରୋଧୀ ଶକ୍ତିଙ୍କୁ ବିଜେପି ମାଧ୍ୟମରେ ଏକାଠି କରିବେ ବୋଲି ଯେଉଁ ଯୋଜନା କରିଥିଲେ, ତାହା ପାଣି ଫାଟି ଯାଇଛି। ଏବେ ବିଜେଡି ବିଜେପି ସମ୍ପର୍କ କ୍ଷୀର ଆଉ ନୀରର। ବିଜେପିରେ ରହି ବିଜେଡ଼ିକୁ ସମର୍ଥନ କରିବା ଅପେକ୍ଷା ବିଜେଡ଼ିକୁ ଫେରିଯିବା ଅଧିକ ଲାଭଦାୟକ ବୋଲି ଏଇ ନେତାମାନେ ବିଚାର କରୁଛନ୍ତି। ତେବେ ବିଚାର କରିବା ଓ ଫେରିବା ଏକା କଥା ନୁହେଁ।

ଦାମ ଓ ବୈଜୟନ୍ତ ବିଜେଡି କୁ ଫେରିବା ଲାଗି ଏବେ ନିଜର ପୁରୁଣା ବିଜେଡି ସହଯୋଗୀମାନଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ଶୁଣାଯାଉଛି। ବିଜେଡ଼ିର କିଛି ପୁରୁଖା ନେତା ଦାମ ଓ ବୈଜୟନ୍ତଙ୍କ ସହ ଭିତିରି ଯୋଗସୂତ୍ରରେ ରହିଥିବାର ଖବର ମଧ୍ୟ ମିଳୁଛି। ତେବେ ବିଜେଡିକୁ ଫେରିବା ବାଟ ଆଦୌ ସହଜ ମଧ୍ୟ ନୁହେଁ। ବିଜେଡିରେ ସବୁବେଳେ ଏକତରଫା ରାସ୍ତାର ରାଜନୀତି କାମ କରି ଆସିଛି। ଯିଏ ଥରେ ଦଳରୁ ବାହାରିଛି, ତାକୁ ଆଉ ଥରେ ବିଜେଡି ଗ୍ରହଣ କରିନାହିଁ। କେବଳ ପ୍ରଫୁଲ୍ଲ ଘଡେଇ ତାର ଏକ ବ୍ୟତିକ୍ରମ। ତେବେ ପ୍ରଫୁଲ୍ଲ ଘଡେଇ ଦଳରୁ ବହିଷ୍କୃତ ହେବାପରେ ପୂରା ନୀରବ ରହିଥିଲେ। ସେ ଦାମ ଓ ବୈଜୟନ୍ତଙ୍କ ପରି ନବୀନ ବିରୋଧୀ ମୋର୍ଚ୍ଚା ଖୋଲିନଥିଲେ। ଏବେ ବିଜେପି ଭିତରେ ନବୀନଙ୍କ ସହ  ବୁଝାମଣାର ଯେଉଁ ମଧୁମାସ ଚାଲିଛି, ସେଥିରେ ବୈଜୟନ୍ତ ଓ ଦାମଙ୍କ ପରି ନେତା ବଡ ଦ୍ଵନ୍ଦ୍ଵ ରେ ପଡିଛନ୍ତି। ସେମାନେ ଯେ କୌଣସି ପ୍ରକାରେ ବିଜେଡ଼ିକୁ ଫେରିବା ପାଇଁ ବ୍ୟାକୁଳ ଅଛନ୍ତି ବୋଲି ଶୁଣାଯାଉଛି।

Categories
ବିଶେଷ ଖବର

ବିଜେଡି ପ୍ରତି ଆଗ୍ରହ ଦେଖାଉଛନ୍ତି ପୂର୍ବତନ ମନ୍ତ୍ରୀ ଦାମ ରାଉତ। ପୁଅଝିଅଙ୍କୁ ବିଜେଡିରେ ଥଇଥାନ ପାଇଁ ଚାଲିଛି ଡିଲ,କଣ ରହିଛି ଦାମଙ୍କ ଡିଲ ?

ସମୀକ୍ଷା ବ୍ୟୁରୋ

ଓଡିଶାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମ ରାଉତଙ୍କୁ ନେଇ ବର୍ତ୍ତମାନ ଉଡୁଛି ବଡ ଖବର। ତାହା ହେଉଛି ଦାମ ପୁଣି ଥରେ ବିଜେଡି ଆଡକୁ ଢଳିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହି ଖବର ବର୍ତ୍ତମାନ ଭୁବନେଶ୍ବର ରାଜନୀତିକୁ ସରଗରମ କରିଦେଇଛି। ବିଜେଡିରୁ ବହିସ୍କୃତ ହେବା ପରେ ଦାମ କଂଗ୍ରେସରେ ଯୋଗ ଦେଉଛନ୍ତି ବୋଲି ପ୍ରଚାର ହେଲା। ଏହାପରେ ସେ ବିଜେପିରେ ଯୋଗ ଦେଉଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଲା। ଏହା ସତ ଯେ, ଦାମ ବିଜେପିରେ ମିଶିବା ପାଇଁ ନୂଆ ଦିଲ୍ଲୀରେ ଡେରା ପକାଇଥିଲେ। ହେଲେ ବିଜେପି ସହିତ ଦାମ କଣ ଡିଲ କରିବାକୁ ଚାହୁଁଥିଲେ କେଜାଣି ତାଙ୍କର ବିଜେପି ଯିବାର ସ୍ବପ୍ନ ସାକାର ହେଲା ନାହିଁ। ସବୁଆଡୁ ବିଫଳ ହେବା ପରେ ଶେଷରେ ଦାମ ଆଉ ଏକ ଗୋଟି ଚଳାନା କରିଛନ୍ତି। ତାହା ହେଉଛି ବିଜେଡି। ବର୍ତ୍ତମାନ ଦାମ ନିଜ ପାଇଁ ନ ହେଲା ନାହିଁ ବିଜେଡିରୁ କିପିର ତାଙ୍କ ପୁଅ ଓ ଝିଅ ଟିକେଟ ପାଇବେ ସେ ନେଇ ଚେଷ୍ଠା ଆରମ୍ଭ କରିଥିବା ଜଣାପଡିଛି। ପୁଅ ସମ୍ବିତଙ୍କୁ ପାରାଦ୍ବୀପ ଏବଂ ଝିଅ ପ୍ରୀତିନନ୍ଦାଙ୍କୁ ଭୁବନେଶ୍ବର ଉତ୍ତର ବିଧାନସଭା ପାଇଁ ବିଜେଡିରୁ ଟିକେଟ ଦେବାକୁ ଚଳାଇଛନ୍ତି ଚେଷ୍ଠା। ଭିତିରି ଖବର ଅନୁସାରେ ଦାମଙ୍କ ଏହି ପ୍ରସ୍ତାବରେ କୁଆଡେ ବିଜେଡି ବଡପଣ୍ଡାମାନେ ରାଜି ହୋଇଛନ୍ତି। ହେଲେ ସେମାନେ ମଧ୍ୟ କେତେକ ସର୍ତ୍ତ ରଖିଛନ୍ତି। ତାହା ହେଲା

1-ପାରାଦ୍ବୀପରେ ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ବିଜେଡି ଟିକେଟ ଦିଆଯିବ, ହେଲେ ତାଙ୍କ ପାଇଁ ଦାମ ସମସ୍ତ ସହଯୋଗର ହାତ ବଢାଇବେ। ପ୍ରଚାର କରିବେ ଏବଂ ସେ କେମିତି ଜିତିବେ ସେ ଦାୟିତ୍ବ ଦାମ ନେବେ।

2- ତାଙ୍କର ଝିଅ ପ୍ରୀତିନନ୍ଦା ରାଉତରାୟଙ୍କୁ ବିଧାୟକ ଟିକେଟ ଦିଆଯିବ ନାହିଁ। ବରମ୍ ତାଙ୍କୁ ଭୁବନେଶ୍ବର ମହାନଗରର ନିଗମର ମେୟର କରାଯିବ। ପ୍ରୀତି ଭୁବନେଶ୍ବରର କର୍ପୋରେଟର ଥିଲେ, ସେ ଭୁବନେଶ୍ବର ମହାନଗରର ରାଜନୀତି ସହ ଜଡିତ ଥିବାରୁ ବିଜେଡି ଏହି ପ୍ରସ୍ତାବ ଦେଇଛି।

3-ଯେଉଁ ଶେଷ ପ୍ରସ୍ତାବ ରହିଛି ତାହା ହେଲା ଦାମ କୌଣସି ଦଳରେ ସାମିଲ ହେବେ ନାହିଁ  କି ସେ ବିଜେଡିରେ ଯୋଗ ଦେବେ ନାହିଁ। ହେଲେ ପରୋକ୍ଷରେ ବିଜେଡିକୁ ସାହାଯ୍ୟ କରିବେ।

ଏହି ପ୍ରସ୍ତାବ ଦାମଙ୍କୁ ଦିଆଯିବା ପରେ ସେ କୁଆଡେ ଏହାକୁ ନେଇ ଚିନ୍ତା କରୁଛନ୍ତି। ଏପରିକି ଏଥିରେ ରାଜି ହେବା ପାଇଁ ପାରିବାରିକ ଚାପ ପ୍ରବଳ ପଡୁଛି। ପ୍ରଥମ ଦୁଇଟି ପ୍ରସ୍ତାବ ନିଜେ ଦାମ ଦେଇଥିବାରୁ ସେଥିରେ କିଛି ଆପତ୍ତି ନାହିଁ। ହେଲେ ଶେଷ ପ୍ରସ୍ତାବର ଦାମ ସଂଶୋଧନ କରିବା ପାଇଁ ଚାହାଁନ୍ତି। ତାହା ହେଲା ସେ ବିଜେଡିରେ ପୁଣି ଥରେ ଯୋଗ ଦେବେ କି ନ ଦେବେ ତାହା ଭିନ୍ନ କଥା। ହେଲେ ବିଜେଡି ତାଙ୍କ ଉପରୁ ବହିସ୍କାର ଆଦେଶ ପ୍ରତ୍ୟାହାର କରୁ ବୋଲି ଦାମ ଚାହାଁନ୍ତି। ଏଥିସହିତ ସେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକଙ୍କ ସହିତ ସିଧା କଥା ହେବା ପାଇଁ ଚାହାଁନ୍ତି ବୋଲି ଜଣାପଡିଛି। ହେଲେ ବିଜେଡିର ଯେଉଁ ବରିଷ୍ଠ ନେତାମାନେ ମଧ୍ୟସ୍ଥି କରୁଛନ୍ତି ସେମାନେ ନବୀନଙ୍କ ସହିତ ଦାମଙ୍କ ଭେଟଘାଟକୁ ବିରୋଧ କରୁଛନ୍ତି। କାରଣ ଦାମଙ୍କ ତୁଣ୍ଡରେ ନିୟନ୍ତ୍ରଣ ନ ଥିବାରୁ ସେ କାଳେ କଣ କହିଦେବେ ସେହି ଭୟ ସମସ୍ତଙ୍କୁ ଗୋଡାଇଛି। ପୁଣି ଥରେ ଦାମଙ୍କ ଅନୁରୋଧକୁ ବଡପଣ୍ଡାମାନେ ପରିବର୍ତ୍ତନ କରି ତାଙ୍କ ସହିତ ଆଲୋଚନା କରିଛନ୍ତି। ତାହା ହେଲା ପ୍ରଥମେ ଦାମ ଏହି ତିନୋଟି ସର୍ତ୍ତରେ ସଂପୂର୍ଣ୍ଣ ରାଜି ହୁଅନ୍ତୁ। ନବୀନଙ୍କ ସହିତ ଭେଟଘାଟ ପରବର୍ତ୍ତି ସମୟରେ ଅର୍ଥାତ ନିର୍ବାଚନ ପରେ କରାଯିବ ବୋଲି ଜଣାଇ ଦିଆଯାଇଛି। ହେଲେ ଦାମ କୁଆଡେ ଏଥିରେ ରାଜି ହେଉ ନ ଥିବାର ଜଣାପଡିଛି। ସେ ମଧ୍ୟସ୍ଥିଙ୍କୁ ପୁଣି କହିଛନ୍ତି ଯେ, ଏହି ସର୍ତ୍ତଗୁଡିକ ନବୀନ ଖୋଦ ତାଙ୍କ ପାଟିରେ କୁହନ୍ତୁ। ତାହା ହେଲେ ମୁଁ ବାହାରେ ରହି ବିଜେଡିକୁ ସଂପୂର୍ଣ୍ଣ ସାହାର୍ଯ୍ୟ କରିବି ବୋଲି ଦାମ ସଫାସଫା ଶୁଣେଇ ଦେଇଛନ୍ତି। ଏହାକୁ ନେଇ ପୁଣି ଥିରେ ବିଜେଡି ବଡପଣ୍ଡାମାନେ ଚିନ୍ତା କରୁଛନ୍ତି। ଏପରିକି ତାଙ୍କୁ ନବୀନ ନିବାସ ଡାକିବା ପାଇଁ ମଧ୍ୟ ଯୋଜନା ଚାଲିଛି ବୋଲି ଜଣାପଡିଛି।

ବର୍ତ୍ତମାନ ପାରାଦ୍ବୀପର ଯାହା ପରିସ୍ଥିତି ସେଠାରେ ଦାମ ହିଁ ଏକମାତ୍ର ଭରସା ବୋଲି ବିଜେଡି ଜାଣିସାରିଲାଣି। ତାଙ୍କୁ ବାହାର କରି ତାଙ୍କୁ ପୁଅଙ୍କୁ ଟିକେଟ ଦେବା ପାଇଁ ବିଜେଡି ନିଷ୍ପତି କରିଛି। ହେଲେ ଏହାକୁ ନେଇ ବିରୋଧୀ କାଳେ ପରିବାର ଭିତରେ ବିଜେଡି ଫାଟ ସୃଷ୍ଟି କରୁଛି ବୋଲି ସମାଲୋଚନା କରିବେ ସେ ଭୟ ରହିଛି। ଯେହେତୁ ଜଗତସିଂହପୁର ଜିଲ୍ଲାରେ ଦାମଙ୍କ ସଂଗଠନ ରହିଛି ସେଥିପାଇଁ ତାଙ୍କୁ ହାତଛଡା ନ କରିବା ପାଇଁ ବିଜେଡି ଚାହୁଁଛି। ଅନ୍ୟପକ୍ଷରେ ନିଜେ ଦାମ ବିଜେଡିରୁ ବହିସ୍କୃତ ହେବା ପରେ ରାଜନୀତିରୁ ସେ ଏକ ପ୍ରକାରର ସନ୍ୟାସ ନେବା ଅବସ୍ଥା ହୋଇଯାଇଛି। କାରଣ ମହାମେଣ୍ଟ କରି ବିଜେଡିକୁ ଟକ୍କର ଦେବେ ବୋଲି ଯେଉଁ ଆଶା କରିଥିଲେ,ତାହା ହେଲା ନାହିଁ। କାରଣ ଦାମ ଭାବିଥିଲେ ହେଲେ ଯେ, ମହାମେଣ୍ଟ ଗଠନ କଲେ ସେଥିରେ ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ଏବଂ ପଞ୍ଚାନନ କାନୁନଗୋ ପରି ବଡବଡ ହସ୍ତୀମାନେ ଯୋଗଦେବେ। ହେଲେ ବୈଜୟନ୍ତ ବିଜେପିରେ ଯୋଗ ଦେଇଦେଲେ, ବିଜୟ ଏବଂ ଦିଲ୍ଲୀପ ଦାମଙ୍କୁ ସହଯୋଗ କଲେ ନାହିଁ। ଫଳରେ ଦାମ ଦିଗହରା ହୋଇ ବିଜେପି ସହିତ ସାମିଲ ହେବେ ବୋଲି ଚେଷ୍ଠା ଆରମ୍ଭ କଲେ। ଏପରିକି ଦିଲ୍ଲୀ ଯାଇ ସେଠାରେ ଲବି ମଧ୍ୟ କରିଥିଲେ। କଣ ହେଲା କେଜାଣି ଓଡିଶା ଫେରି ଦାମ କହିଲେ ଯେ କୈଣସି ନିଷ୍ପତି ହୋଇ ନାହିଁ। ମହାମେଣ୍ଟ, କଂଗ୍ରେସ ଏବଂ ବିଜେପିରୁ ନିରାଶ ହେବା ପରେ ଶେଷରେ ତାଙ୍କ ହାତଗଢା ଦଳ ବିଜେଡି ଆଡକୁ ଢଳିବା ପାଇଁ ଦାମ ବାଧ୍ୟ ହେଉଛନ୍ତି ବୋଲି କୁହାଯାଇପାରେ।