ନୂଆବର୍ଷରେ ବରିଷ୍ଠ ନେତା ଦାମୋଦର ରାଉତଙ୍କ ପାଇଁ ଆସିଲା ବଡ ଖୁସି, ଜାଣନ୍ତୁ କାରଣ

Published: Jan 1, 2024, 1:49 pm IST

ଭୁବନେଶ୍ବର: ଆଜି ନୂଆ ବର୍ଷ ପଦାର୍ପଣ କରୁକରୁ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ପାଇଁ ଆଣିଦେଇଛି ଖୁସି। ତାହା ହେଲା ଯେ, ବିଜୁ ଜନତା ଦଳ ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରି ନେଇଛି। ଏ ନେଇ ଦଳ ତରଫରୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରେ ଦଳ 2018 ମସିହାରେ ବହିସ୍କାର କରିଥିଲା। ଏହାପରେ ସେ ବିଜେପିରେ ଯୋଗଦେଇ ବାଲିକୁଦା ଏରସାମରୁ ଛିଡା ହୋଇଥିଲେ। ହେଲେ ସେ ହାରିଯାଇଥିଲେ। ହେଲେ ତାଙ୍କର ପୁଅ ସମ୍ବିତ ରାଉତ ବିଜେଡି ଟିକେଟରୁ ପାରାଦ୍ବୀପରୁ ଲଢେଇ କରି ବିଜୟ ଲାଭ କରିଛନ୍ତି। ଏହାପରେ ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେଇଥିଲେ। ଏହାପରେ ସେ କୌଣସି ଦଳରେ ସାମିଲ ହୋଇ ନାହାଁନ୍ତି।

ତାଙ୍କ ଉପରୁ ଦଳ ନିଳମ୍ବନ ପ୍ରତ୍ୟାହାର ପରେ ସେ କୌଣସି ପ୍ରତିକ୍ରିୟା ଦେଇ ପାରି ନାହାଁନ୍ତି। କାରଣ ସେ ବର୍ତ୍ତମାନ ଅସୁସ୍ଥତା ଯୋଗୁଁ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ତାଙ୍କର ପୁତ୍ର ବିଧାୟକ ସମ୍ବିଦ ରାଉତ ଖୁସି ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ବାପାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଥିବାରୁ ଧନ୍ୟବାଦ। ଏହା ବାପାଙ୍କୁ ନିଶ୍ଚିତ ଖୁସି କରିବ।

ତେବେ ସମ୍ବିତ କହିଛନ୍ତି ଯେ, ବାପା ବିଜେଡିରୁ ଦୂରେଇ ଯିବା ପରେ ମାନସିକ ସ୍ତରରେ ବେଶ ଭାଙ୍ଗି ପଡିଥିଲେ। ସେ ବିଜେପିରେ ଯୋଗ ଦେଇଥିଲେ ମଧ୍ୟ ତାଙ୍କର ମନ ସେଠାରେ ନ ଥିଲା। ତାଙ୍କର ବଡ ଇଚ୍ଛା ଯେ ସେ ଶେଷ ପର୍ଯ୍ୟନ୍ତ ବିଜେଡିରେ ରହିବେ ଏବଂ ନବୀନ ପଟ୍ଟନାୟକଙ୍କ ସେବା କରିବେ। ବର୍ତ୍ତମାନ ବାପାଙ୍କର ସେହି ଇଚ୍ଛା ପୂରଣ ହୋଇଛି। ଆଗାମୀ ନିର୍ବାଚନରେ ସେ ଜଗତସିଂହପୁର ଜିଲ୍ଲାରେ ପ୍ରଚାର କରିବେ।

ଦାମୋଦର ରାଉତ ଓଡିଶା ରାଜନୀତିରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ସେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ଏକ ବଡ ସମର୍ଥକ ଭାବେ ପରିଚିତ। ତାଙ୍କର ପରଲୋକ ପରେ ସେ ନବୀନ ପଟ୍ଟନାୟକଙ୍କର ସମର୍ଥକ ଭାବେ ବିଜୁ ଜନତା ଦଳର ଗଠନରୁ ହିଁ ସହଯୋଗ କରିଆସିଛନ୍ତି। ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ଦଳ ତଥା ସରକାରରେ ପ୍ରମୁଖ ସ୍ଥାନ ଦେଇଆସିଛନ୍ତି।

ହେଲେ ବିଜୁ ଜନତା ଦଳରେ ପ୍ୟାରୀମୋହନ ମହାପାତ୍ରଙ୍କ କ୍ଷମତା ବୃଦ୍ଧି ପରେ ତାଙ୍କର ପତିୟାରା ହ୍ରାସ ପାଇବାରେ ଲାଗିଲା। ଏପରି କି ଦଳରେ କଣଠୋସା ହେବା ପରି ପରିସ୍ଥିତି ସୃଷ୍ଟି ହେଲା। ମୁଖ୍ୟତଃ ସେ ମିଡିଆରେ ସିଧା ସିଧା ମନ୍ତବ୍ୟ ଦେବା ତାଙ୍କ ପାଇଁ କାଳ ହୋଇଥିଲା। ତାଙ୍କର ମନ୍ତବ୍ୟକୁ ନେଇ ସାରା ରାଜନୀତିରେ ଚର୍ଚ୍ଚା ହେଉଥିଲା। ଶେଷରେ ପରିସ୍ଥିତି ଏପରି ହେଲା ଯେ, ତାଙ୍କୁ ବିଜେଡି ଦଳରୁ ନିଲମ୍ବନ କରିବାକୁ ବାଧ୍ୟ ହୋଇଥିଲା।

Related posts