Categories
ଆଜିର ଖବର ଜାତୀୟ ଖବର

ପ୍ରତିରକ୍ଷା ସହଯୋଗ ନେଇ ଭାରତ ଓ ଆମେରିକା ପ୍ରତିରକ୍ଷା ପ୍ରତିନିଧି ମଣ୍ଡଳୀର ଭର୍ଚୁଆଲ ଆଲୋଚନା

ନୂଆଦିଲ୍ଲୀ, 10ମ ପ୍ରତିରକ୍ଷା ପ୍ରଯୁକ୍ତି ଓ ବାଣିଜ୍ୟିକ ଉପକ୍ରମ (ଡିଟିଟିଆଇ) ଗୋଷ୍ଠୀର ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଛି । ଭାରତ ପକ୍ଷରୁ ପ୍ରତିରକ୍ଷା ଉତ୍ପାଦନ ସଚିବ ରାଜକୁମାର ଓ ଆମେରିକା ତରଫରୁ ଅଣ୍ଡର ସେକ୍ରେଟାରୀ ଅଫ ଡିଫେନ୍ସ ଫର ଏକ୍ସିଜିବିସନ ଆଣ୍ଡ ସଷ୍ଟେନମେଂଟ ଏଲେନ ଏମ ଲର୍ଡ ବୈଠକରେ ସହ-ଅଧ୍ୟକ୍ଷତା କରିଥିଲେ । ବର୍ଷକୁ ଦୁଇ ଥର ପର୍ଯ୍ୟାୟ କ୍ରମେ ଭାରତ ଓ ଆମେରିକାରେ ଡିଟିଟିଆଇ ଗୋଷ୍ଠୀ ସମୂହ ବୈଠକ ଆୟୋଜିତ ହୋଇଥାଏ । ତେବେ କୋଭିଡ ମହାମାରୀ ଯୋଗୁଁ ଏଥରର ବୈଠକ ଭିଟିସି ମାଧ୍ୟମରେ ଆୟୋଜିତ ହୋଇଥିଲା ।

ଦ୍ୱିପାକ୍ଷିକ ପ୍ରତିରକ୍ଷା ବାଣିଜ୍ୟିକ ସମ୍ପର୍କ ପ୍ରତି ନେତୃବୃନ୍ଦଙ୍କ ଧ୍ୟାନ ଆକର୍ଷଣ ଓ ପ୍ରତିରକ୍ଷା ଉପକରଣଗୁଡିକର ମିଳିତ ଉତ୍ପାଦନ ତଥା ବିକାଶ ସୁଯୋଗ ସୃଷ୍ଟି କରିବା ଡିଟିଟିଆଇ ସମୂହର ଉଦ୍ଦେଶ୍ୟ । ସ୍ଥଳ, ନୌସେନା, ବାୟୁ ଓ ବିମାନ ବାହକ ପ୍ରଯୁକ୍ତି କ୍ଷେତ୍ରରେ ପାରସ୍ପରିକ ସହମତିରେ ପ୍ରକଳ୍ପ ପ୍ରୋତ୍ସାହନ ପାଇଁ ଚାରିଟି ମିଳିତ କାର୍ଯ୍ୟ ଗୋଷ୍ଠୀ ଗଠନ କରାଯାଇଛି ।

ବର୍ତ୍ତମାନର କାମ ଓ ଅବଧି ପ୍ରକଳ୍ପକୁ ପ୍ରାଥମିକତା ଭିତ୍ତିରେ ସାରିବା ପାଇଁ ଗୋଷ୍ଠୀଗୁଡିକ ସହ- ଅଧ୍ୟକ୍ଷମାନଙ୍କୁ ଜଣାଇଥିଲେ । ଡିଟିଟିଆଇର ସଫଳତା ପାଇଁ ପ୍ରତିବଦ୍ଧତାର ସାକ୍ଷ୍ୟ ଭାବେ ସହ-ଅଧ୍ୟକ୍ଷମାନେ ଷ୍ଟେଟମେଣ୍ଟ ଅଫ ଇଣ୍ଟେଟ (ଏସଓଆଇ)ରେ ହସ୍ତାକ୍ଷର କରିଥିଲେ। ବହୁ ଗୁରୁତ୍ୱପୂର୍ଣ୍ଣ ଡିଟିଟିଆଇ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଯୋଜନା ଓ ଉଲ୍ଲେଖନୀୟ ପ୍ରଗତି ଦ୍ୱାରା ପ୍ରତିରକ୍ଷା ପ୍ରଯୁକ୍ତି ସହଯୋଗ ନେଇ ଆଲୋଚନା ଦୃଢୀଭୂତ କରିବା ପାଇଁ ଏସଓଆଇ ସ୍ୱାକ୍ଷର ହୋଇଛି ।