Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ମୋଦି ମୋର ଭଲ ବନ୍ଧୁ, ଆମେରିକାର ଭାରତୀୟ ମାନେ ମୋତେ ହିଁ ଭୋଟ ଦେବେ : ଟ୍ରମ୍ପ

ନ୍ୟୁୟର୍କ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସରତ ଅଛନ୍ତି । ମୋଦି ତାଙ୍କର ଭଲ ବନ୍ଧୁ ଏବଂ ଆମେରିକାର ଭାରତୀୟ ମାନେ ତାଙ୍କୁ ହିଁ ଭୋଟ କରିବେ ବୋଲି ଟ୍ରମ୍ପ ଶୁକ୍ରବାର ମତ ଦେଇଛନ୍ତି । ଆସନ୍ତା ନଭେମ୍ବର 3ରେ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଜୋ ବିଡେନଙ୍କୁ ପରାଜିତ କରିବା ନେଇ ଟ୍ରମ୍ପ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ମୋଦି ଭଲ କାମ କରୁଛନ୍ତି ବୋଲି ମତ ଦେବା ସହିତ ସେପ୍ଟେମ୍ବରରେ ମୋଦିଙ୍କ ସହିତ ହାଉଡି ମୋଦିର ଅନୁଭବ ସମ୍ପର୍କରେ ବର୍ଣ୍ଣନା କରିଥିଲେ ଟ୍ରମ୍ପ । ହଷ୍ଟନର ଏନଆରଜି ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରତୀୟ ମାନେ ଅତ୍ୟନ୍ତ ଉତ୍ସାହର ସହିତ ଯୋଗ ଦେଇଥିଲେ ।

ପୂର୍ବରୁ ଭାରତୀୟ ଭୋଟର ମାନେ ଡେମୋକ୍ରାଟିକ ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ବେଳେ ହାଉଡି ମୋଦି କାର୍ଯ୍ୟକ୍ରମ ପରେ ଭାରତୀୟ ଭୋଟର ଧୀରେ ଧୀରେ ରିପବ୍ଲିକାନ ଦଳ ଆଡକୁ ଆକର୍ଷିତ ହେଉଛନ୍ତି ବୋଲି ଟ୍ରମ୍ପ କହିଛନ୍ତି । ଏଏପିଆଇ ତଥ୍ୟ ଅନୁଯାୟୀ 85ପ୍ରତିଶତ ଭାରତୀୟ ଭୋଟର ଡେମୋକ୍ରାଟିକ ଦଳକୁ ଭୋଟ ଦେଇଥିଲେ । ଆମେରିକାରେ ପ୍ରାୟ 1 ପ୍ରତିଶତ ଭାରତୀୟ ନାଗରିକ ରହିଥିବା ବେଳେ ଉଭୟ ଦଳଙ୍କ ପକ୍ଷରୁ ଭାରତୀୟ ଭୋଟରଙ୍କୁ ଆକର୍ଷିତ କରିବାର ପ୍ରୟାସ କରାଯାଉଛି ।

ଡେମୋକ୍ରାଟିକ ଦଳ ପକ୍ଷରୁ କମଲା ହ୍ୟାରିସଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବା ବେଳେ ମିଚିଗାନ, ପେନସିଲଭାନିଆ ଏବଂ ଓହିଓରେ ମୁକାବିଲା ଜୋରଦାର ହେବା ନେଇ ଅନୁମାନ କରାଯାଉଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଜୋ ବିଡେନ୍‌ଙ୍କୁ ଟାର୍ଗେଟ୍‌ କଲେ ଡୋନାଲ୍ଡ ଟ୍ରମ୍ପ୍‌

ୱାଶିଂଟନ୍ :  ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏକ ବିବାଦୀୟ ବୟାନ ଦେଇଛନ୍ତି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କୁ ଟାର୍ଗେଟ୍ କରିଛନ୍ତି । ବିଡେନ୍ କ୍ଷମତାକୁ ଆସିଲେ ଆମେରିକାରେ ଚୀନର ପ୍ରଭୁତ୍ୱ ବଢିବ ବୋଲି ଟ୍ରମ୍ପ ମତ ଦେଇଛନ୍ତି । ବିଡେନ୍‌ଙ୍କୁ ରାଷ୍ଟ୍ରପତି ଭାବରେ ଦେଖିବା ପାଇଁ ଚୀନ୍‌ ବେଶ୍‌ ଉତ୍ସାହର ସହ ଅପେକ୍ଷା କରିଛି ବୋଲି କହିଛନ୍ତି ଟ୍ରମ୍ପ୍‌ । ଆମେରିକୀୟ ଗଣମାଧ୍ୟମ ସହିତ ଆଲୋଚନା ସମୟରେ ଟ୍ରମ୍ପ ଏହି ମନ୍ତବ୍ୟ ଦେଇଛନ୍ତି । କେବଳ ଚୀନ୍ ନୁହେଁ ଇରାନ୍ ମଧ୍ୟ ବିଡେନଙ୍କୁ ରାଷ୍ଟ୍ରପତି ଭାବରେ ଦେଖିବାକୁ ଚାହୁଁଛି ବୋଲି କହିଛନ୍ତି ଟ୍ରମ୍ପ୍‌ । ବିଡେନ୍ ନିର୍ବାଚିତ ହେଲେ ଇରାନ୍ ସହିତ ଏକାଧିକ ଡିଲ୍ ସ୍ୱାକ୍ଷର କରି ପାରନ୍ତି । ତେବେ ଇରାନ୍ ଅପେକ୍ଷା ଚୀନ୍ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବଡ ବିପଦ ବୋଲି ଟ୍ରମ୍ପ କହିଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର 20ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ । ତେବେ କରୋନା ସଂକଟ ନ ହଟିବା ପର୍ଯ୍ୟନ୍ତ ନିର୍ବାଚନ ନ କରିବାକୁ ଟୁଇଟ୍‌ କରିଥିଲେ ରାଷ୍ଟ୍ରପତି ଟ୍ରମ୍ପ୍‌ । ଲୋକମାନେ ମତଦାନ କେନ୍ଦ୍ରକୁ ଆସି କିପରି ନିରାପଦ ମତଦାନ କରିବେ ସେନେଇ ଚିନ୍ତା ପ୍ରକଟ କରିଥିଲେ ଟ୍ରମ୍ପ୍‌ ।

Categories
ବିଶେଷ ଖବର

ଏଇ ସେଇ ଆମେରିକା ଯେଉଁଠି ଭେଣ୍ଟିଲେଟର ଅଭାବରେ ହଜାର ହଜାର ଲୋକ କରୋନାରେ ପ୍ରାଣ ହରାନ୍ତି!!

କେଦାର ମିଶ୍ର

ଯେଉଁମାନେ ଚାଇଲ୍ଦିଶ ଗାମ୍ବିନୋଙ୍କର ପ୍ରସିଦ୍ଧ ଗୀତ “ଦିସ ଇଜ ଆମେରିକା” ଶୁଣିଥିବେ ଓ ଏହାର ଭିଡିଓ ଦେଖିଥିବେ, ସେମାନଙ୍କ ପାଇଁ ଆମେରିକା ସ୍ଵପ୍ନର ଦେଶ ନୁହେଁ ବରଂ ଭୟ ଓ ଆତଙ୍କର ଦେଶ। ଆମେରିକାର ପ୍ରାଚୁର୍ଯ୍ୟ ଅଛି, ପଇସା ଅଛି, ସୁଖ ସ୍ଵାଚ୍ଛନ୍ଦ୍ୟ ଅଛି, ହେଲେ ଜୀବନ ନାଇଁ। ଆମେରିକାରେ ବନ୍ଧୁକ ମିଳିବା ସହଜ, ହେଲେ ଔଷଧ ମିଳିବା ଯଥେଷ୍ଟ କଷ୍ଟକର। ଏହାର ପ୍ରମାଣ ଏବେ ପ୍ରତିଦିନ ଆମେରିକାର ଗଣମାଧ୍ୟମରେ ଦେଖୁଛୁ। କରୋନା ସଂକ୍ରମଣ ଏବେ ଆମେରିକାର ଜନ ଜୀବନକୁ ବିପର୍ଯ୍ୟସ୍ତ କରି ଦେଇଛି।

ଆଜି ଆମେରିକାରେ ବହୁ ସଂଖ୍ୟକ କରୋନା ରୋଗୀ ମୃତ୍ୟୁ ବରଣ କରିବାର ଏକମାତ୍ର କାରଣ ହେଉଛି, ସେଠି ଭେଣ୍ଟିଲେଟରର ଅଭାବ। କରୋନା ଭୂତାଣୁ ମଣିଷର ଶ୍ଵାସକ୍ରିୟା ଉପରେ ଆକ୍ରମଣ କରୁଥିବାରୁ କେବଳ ଭେଣ୍ଟିଲେଟର ସହାୟତାରେ ରୋଗୀଙ୍କୁ ବଞ୍ଚାଇ ରଖିହେବ। ଆମେରିକାର ପ୍ରମୁଖ ସହର ଗୁଡିକରେ ରହିଥିବା ବଡ ବଡ ଡାକ୍ତରଖାନାରେ ଏବେ ଭେଣ୍ଟିଲେଟର ମିଳୁନାହିଁ। ଯାହା ଫଳରେ ସେଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। “ୱାଶିଙ୍ଗଟନ ପୋଷ୍ଟ” ର ରିପୋର୍ଟ ଅନୁଯାୟୀ ଅନେକ ରୋଗୀଙ୍କର ନମୂନା ପରୀକ୍ଷା ହୋଇ ପାରୁନି, କାରଣ ଟେଷ୍ଟିଙ୍ଗ କିଟର ଅଭାବ। ତେଣୁ ସରକାରୀ ଭାବରେ ମୃତ୍ୟୁ ସଂଖ୍ୟା ଯାହା କୁହାଯାଉଛି, ତାଠୁ ଯଥେଷ୍ଟ ଅଧିକ ମୃତ୍ୟୁ ହୋଇସାରିଛି ବୋଲି ଏହି ଖବର କାଗଜ କହିଛି।

ଗତକାଲି ସୁଦ୍ଧା ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୮୯ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨,୮୫୭ ରେ ପହଞ୍ଚିଛି। ଆଗାମୀ ଦୁଇ ସପ୍ତାହରେ ଆକ୍ରାନ୍ତ ଓ ମୃତଙ୍କ ସଂଖ୍ୟା ପ୍ରବଳ ବଢିବ ବୋଲି ଆମେରିକା ସରକାର ସ୍ପଷ୍ଟ କରିଛନ୍ତି। ତେବେ ପୃଥିବୀର ସବୁଠୁ ଧନୀ, ସମ୍ପନ୍ନ ଓ କ୍ଷମତାଶାଳୀ ଦେଶରେ ଏ ପ୍ରକାର ଅବସ୍ଥା କାହିଁକି? ପୃଥିବୀର ଯେ କୌଣସି ଦେଶକୁ ଯେ କୌଣସି ମୂହୁର୍ତ୍ତରେ ବରବାଦ କରିଦେବାର କ୍ଷମତା ରଖୁଥିବା ଆମେରିକା ଆଜି ନିଜର ନାଗରିକମାନଙ୍କୁ ଭେଣ୍ଟିଲେଟର ଯୋଗାଇ ଦେବାର ଅସମର୍ଥ ହେବାର କାରଣ କଣ?

ମୌଳିକ ବିଜ୍ଞାନ ତଥା ଜନ ସ୍ୱାସ୍ଥ୍ୟ ଭଳି କ୍ଷେତ୍ରକୁ ଆମେରିକା ଦୀର୍ଘ ବର୍ଷ ଧରି ଉପେକ୍ଷା କରିଛି। ପୁଞ୍ଜିବାଦୀ ବିକାଶ ବ୍ୟବସ୍ଥାରେ ସବୁଠୁ ଅଧିକ ପଇସା ଥିବା ଲୋକଙ୍କ ଇସାରାରେ ଆମେରିକାର ଶାସନ ଚାଲିଛି। ଯାହାର ପରିଣତି ରେ ଆମେରିକାରେ ପରମାଣୁ ବୋମାର ସଂଖ୍ୟା ବଢିଛି। ଛତୁ ଫୁଟିଲା ଭଳି ବନ୍ଧୁକ ଦୋକାନ ଖୋଲିଛି। ହେଲେ ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଷୟରେ ଆମେରିକା ନିଜକୁ ସଜାଗ କରି ପାରିନାହିଁ। କ୍ଷମତାର ଅହଂକାର ହେତୁ ତଥାକଥିତ “ଚୀନ ଭୂତାଣୁ” କରୋନା ପ୍ରତି ଗୋଟେ ପ୍ରକାର ବେଖାତିର ମନୋଭାବ ମଧ୍ୟ ଆମେରିକା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପ୍ରତିଦିନ ନ୍ୟୁୟର୍କ, ୱାଶିଂଟନ, ନ୍ୟୁଜର୍ସି ଭଳି ବଡ ସହରର ଡାକ୍ତରମାନେ ଅଧିକ ଭେଣ୍ଟିଲେଟର ପାଇଁ ଆକୁଳ ନିବେଦନ କରୁଛନ୍ତି। ହେଲେ ଆମେରିକା ପାଖରେ ପର୍ୟାପ୍ତ ସୁବିଧା ନାହିଁ।

କେବଳ ଭେଣ୍ଟିଲେଟର ନୁହେଁ, ଔଷଧ କ୍ଷେତ୍ରରେ ମଧ୍ୟ ଆମେରିକାରେ ପର୍ୟାପ୍ତ ଅସୁବିଧା ରହିଛି। ହାଇଡ୍ରୋକ୍ସିକ୍ଳରୋକୁଇନ୍ସ କୁ କରୋନା ଚିକିତ୍ସାର ରାମବାଣ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କହୁଥିବା ବେଳେ ଏହାକୁ ସେଠିକାର ଡାକ୍ତର ଓ ବୈଜ୍ଞାନିକମାନେ ଖଣ୍ଡନ କରୁଛନ୍ତି। ବାତ ତଥା ମ୍ୟାଲେରିଆ ପାଇଁ ବ୍ୟବହୃତ ଏହି ଔଷଧ ହୁଏତ କରୋନା ଉପଶମରେ ସହାୟକ ହୋଇପାରେ, ହେଲେ ଏହା କରୋନା ଚିକିତ୍ସା ଲାଗି ଆମେରିକାରେ କାମ ଦେବାର ସମ୍ଭାବନା କମ। ଏହି ଔଷଧ ସର୍ବାଧିକ ଭାରତରେ ଉତ୍ପାଦିତ ହେଉଥିବାରୁ ଏଥିପାଇଁ ଭାରତ ସରକାରକୁ ସିଧା ସିଧା ଧମକ ଦେବାକୁ ଟ୍ରମ୍ଫ ପଛଘୁଞ୍ଚା ଦେଇ ନଥିଲେ। ଅବଶ୍ୟ ଭାରତ ସରକାର ତୁରନ୍ତ ଟ୍ରମ୍ଫଙ୍କ କଥା ମାନି ହାଇଡ୍ରୋକ୍ସିକ୍ଳରୋକୁଇନ୍ସର ରପ୍ତାନି ଉପରେ କଟକଣା ହଟାଇ ଦେଇଥିଲେ।

ଗୋଟେ ବିରାଟ ମାନବୀୟ ସଙ୍କଟକୁ ମୁକାବିଲା କରିବାର ଦକ୍ଷତା ଓ ସାହସ ଆମେରିକା ପାଖରେ ନାହିଁ। ବରଂ ଏ କ୍ଷେତ୍ରରେ ବିକାଶଶୀଳ ଓ ଗରୀବ ଦେଶମାନେ ଅଧିକ ଦକ୍ଷତା ଓ ସମ୍ବେଦନଶୀଳତା ଦେଖାଇଛନ୍ତି। ଏସିଆ ଏବଂ ଆଫ୍ରିକାର ଦେଶ ଗୁଡିକ ନିଜ ସମ୍ବଳର ସୀମା ବିଷୟରେ ଭଲ ଭାବେ ଅବଗତ ଅଛନ୍ତି। ତେଣୁ ସେମାନେ କରୋନା ଭୂତାଣୁର ସଂକ୍ରମଣ ରୋକିବା ଲାଗି ଅଧିକରୁ ଅଧିକ ସାମାଜିକ ଦୂରତା ଉପରେ ଗୁରୁତ୍ଵ ଦେଉଛନ୍ତି। ଏଥିପାଇଁ ସେମାନଙ୍କୁ ଅର୍ଥନୈତିକ ଭାବରେ ପ୍ରବଳ ଚାପ ର ସମ୍ମୁଖୀନ ହେବାକୁ ପଡ଼ୁଛି। ତଥାପି ସଂକ୍ରମଣ ରୋକିବାରେ ଏବଂ ମୃତ୍ୟୁ ହାରକୁ ସୀମିତ ରଖିବାରେ ଏସିଆର ଦେଶ ଗୁଡିକ ଆଜି ଉଦାହରଣ ପ୍ରସ୍ତୁତ କରିଛନ୍ତି।

କରୋନା ଭୂତାଣୁ ଆଜି ଆମେରିକାର ସମାଜକୁ ନିଜର ଦୁର୍ବଳତା ବିଷୟରେ ସଚେତନ କରାଇ ଦେଇଛି। ପୂର୍ବରୁ ରାଷ୍ଟ୍ରପତି ବାରାକ ଓବାମା ଆମେରିକାରେ ସ୍ୱାସ୍ଥ୍ୟ ସୁରକ୍ଷାକୁ ଏକ ଜାତୀୟ ଆଂଦୋଳନର ରୂପ ଦେବାକୁ ଚେଷ୍ଟା କରିଥିଲେ। ଡୋନାଲ୍ଡ ଟ୍ରମ୍ଫ ଓବାମାଙ୍କ ସେହି ଯୋଜନାକୁ ବାରମ୍ବାର ବିରୋଧ କରି ତାକୁ ଏକ ପ୍ରକାର ବନ୍ଦ କରି ଦେଇଛନ୍ତି। ବାର୍ନୀ ସେଣ୍ଡର୍ସଙ୍କ ଭଳି ରାଜନେତା ଯେଉଁମାନେ ସ୍ୱାସ୍ଥ୍ୟ ଓ ଶିକ୍ଷାର କଥା କହୁଛନ୍ତି, ସେମାନଙ୍କୁ ଆମେରିକାର ଜନ ସାଧାରଣ ଗ୍ରହଣ କରିନାହାନ୍ତି।

ଆଜି କ୍ଷମତାର ଅହଂକାରକୁ କରୋନା ଭୂତାଣୁ ଏକ ଶକ୍ତ ଚାପୁଡା ମାରିଛି। ସେଥିରୁ ଆମେରିକା କିଛି ଶିଖିବ କି?