Categories
ଆଜିର ଖବର ଜାତୀୟ ଖବର

ୟୁପି ବିଜେପି ବିଧାୟକଙ୍କ ବେପରୁଆ ବୟାନ : ମୁସଲମାନଙ୍କଠାରୁ ପରିବା କିଣ ନାହିଁ

ଉତ୍ତରପ୍ରଦେଶ : କରୋନା ମହାମାରୀ ସହ ଲଢେଇ ପାଇଁ ଦେଶରେ ଜାରି ରହିଛି ଲକ୍‌ ଡାଉନ୍‌ । ଏହି ସମୟରେ ଦେଶରେ ଏପରି କିଛି ଘଟଣା ଘଟୁଛି, ଯାହା ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଆଘାତ ପହଞ୍ଚାଉଛି । ତବଲିଗ୍‌ ଜମାତ ସମ୍ପର୍କିତ କରୋନା ମାମଲା ବାହାରକୁ ଆସିବା ପରେ ଏକ ବର୍ଗ ବିଶେଷଙ୍କୁ ଟାର୍ଗେଟ୍‌ କରାଯାଉଥିବାର ଘଟଣା ସାମ୍ନାକୁ ଆସୁଛି । ତେବେ ଜମାତ ଲିଙ୍କ୍‌ ଜଣାପଡିବା ପରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ  ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହି ସମଗ୍ର ପରିବେଶରେ ଏକତା ଏବଂ ଭାଇଚାରାକୁ ପ୍ରାଧାନ୍ୟ ଦିଆଯିବା ଉଚିତ । ଏହା ସତ୍ତ୍ବେ କିଛି ଲୋକେ ଏହାକୁ ଗ୍ରହଣ କରୁନଥିବାର ଦେଖାଯାଉଛି ।

ଭାରତୀୟ ଜନତା ପାର୍ଟିର ଜଣେ ବିଧାୟକଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ କ୍ଷତି ପହଞ୍ଚାଉଥିବାର ଦେଖାଯାଉଛି । ୟୁପିର ଜଣେ ବିଧାୟକ ମୁସଲମାନଙ୍କଠାରୁ ପରିବା ନ କିଣିବାକୁ ପାଇଁ କହିଥିବାର ଏକ ଭିଡିଓ ଭାଇରାଲ୍‌ ହୋଇଛି । ୟୁପିର ଏହି ବିଧାୟକ ଜଣକ ହେଉଛନ୍ତି ଦେବରିଆ ଜିଲ୍ଲାର ବରହଜ ବିଧାନସଭା ଆସନର ସୁରେଶ ତିଓ୍ବାରୀ । ତେବେ ଦେଶର ସଂକଟ ସମୟରେ ଲୋକ ପ୍ରତିନିଧିଙ୍କ ଏପରି ବେପରୁଆ ବୟାନ ବାଜି ସତରେ ନିନ୍ଦନୀୟ । ଏହି ଭିଡିଓଟି ଚାରି ପାଞ୍ଚ ଦିନର ପୁରୁଣା ବୋଲି ଜଣାପଡିଛି । କିନ୍ତୁ ଜଣେ ଜନପ୍ରତିନିଧିଙ୍କ ଏପରି ବୟାନକୁ ନେଇ ସାଧାରଣରେ ନିନ୍ଦା କରାଯାଉଛି ।

ନିକଟରେ ଜାମସେଦପୁରର ଜଣେ ଫଳ ଦୋକାନୀ ବିଶ୍ବ ହିନ୍ଦୁ ପରିଷଦର ପୋଷ୍ଟର ଲଗାଇଥିବାର ସାମ୍ନାକୁ ଆସିଥିଲା । ଅପରପକ୍ଷରେ ମୁମ୍ବାଇର ଜଣେ ମୁସଲମାନ ରାସନ ଡେଲିଭରୀ ବୟଠାରୁ ରାସନ ସାମଗ୍ରୀ ଗ୍ରହଣ ନ କରି ଫେରାଇ ଦେବା ଘଟଣା ସାମ୍ନାକୁ ଆସିଥିଲା । ସେହିପରି ଦିଲ୍ଲୀରେ ମଧ୍ୟ ଏପରି କିଛି ଘଟଣା ଘଟିଥିବାର ସୂଚନା ରହିଛି । ଦିଲ୍ଲୀ ଜଣେ ବ୍ୟକ୍ତି ମୁସଲମାନ ପରିବା ବିକାଳୀଙ୍କ ନାମ ପଚାରି ତାଙ୍କୁ ମାଡ ମାରିଥିଲେ । ଏହାର ଏକ ଭିଡିଓ ଭାଇରାଲ୍‌ ହେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ହୋଇଛି। ଦେଶର ବହୁ ଭାଗରେ ଏବେ ଏପରି କିଛି ଘଟଣା ଦେଖିବାକୁ ମିଳିଛି । ସେହିପରି ଦିଲ୍ଲୀରେ ଆଉ ଏକ  ଭିଡିଓ ଭାଇରାଲ୍‌ ହୋଇଥିଲା, ଯେଉଁଥିରେ ପରିବା ଦୋକାନୀ ହୁଅନ୍ତୁ ଅଥବା ଅନ୍ୟ କେହି ବିକ୍ରେତା ଆଧାର କାର୍ଡ ଦେଖି ତାଙ୍କୁ ଅନୁମତି ଦିଆଯାଉଥିଲା ।

ସମ୍ପ୍ରତି ଦେଶରେ ଚାଲିଥିବା କରୋନା ମହା ସଂକଟ ସହ ଲଢିବା ପାଇଁ ଆମ ଭିତରେ ଏକତା ରହିବା ନିତାନ୍ତ ଆବଶ୍ୟକ । ଦେଶର ସଂକଟ ସମୟରେ ସମେସ୍ତ ଏକଜୁଟ୍‌ ଏହାର ମୁକାବିଲା କରିବା ପରିବର୍ତ୍ତେ ଧର୍ମ ଆଧାରର ରାଜନୀତି କରୁଥିବାର ଦେଖାଯାଉଛି, ଯାହାକି ଆଗାମୀ ସମୟରେ ବେଶ୍‌ ଭୟାନକ ପରିସ୍ଥିତି ସୃଷ୍ଟି ହେବା ନେଇ ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। (ଏଜେନ୍ସି)