Categories
ଆଜିର ଖବର ଜାତୀୟ ଖବର

ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ସମସ୍ତ ଦେଶବାସୀଙ୍କୁ ନବରାତ୍ରୀ ଅବସରରେ ଶୁଭକାମନା। ଶକ୍ତି ଉପାସନାର ଏହି ପବିତ୍ର ପର୍ବ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ, ଏହି କାମନା କରୁଛି। ଜୟ ମାତା ଦି!”

Categories
ଆଜିର ଖବର ଜାତୀୟ ଖବର

ଦ୍ୱିତୀୟ ଦିନ ମାତା ବ୍ରହ୍ମଚରିଣୀଙ୍କ ପୂଜାରେ ଏହି ଭୋଗ ଅର୍ପଣ କରନ୍ତୁ, ଜାଣନ୍ତୁ ତାଙ୍କର ପୂଜା ପଦ୍ଧତି ଓ କଥା

ନୂଆଦିଲ୍ଲୀ: ଅକ୍ଟୋବର ୩ ତାରିଖ ୨୦୨୪ ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଛି। ମା’ର ଭକ୍ତମାନେ ୯ ଦିନ ପୂଜା କରି ମନ୍ତ୍ର ଜପ କରି ସାଧନା କରି ଦେବୀଙ୍କୁ ପ୍ରସନ୍ନ କରନ୍ତି। ଶାରଦୀୟ ନବରାତ୍ରୀଙ୍କ ଦ୍ୱିତୀୟ ଦିନରେ ଅର୍ଥାତ୍ ଆଶ୍ୱିନ୍ ମାସର ଶୁକ୍ଲ ପକ୍ଷର ଦ୍ୱିତୀୟ ଦିନରେ ମା’ ଦୁର୍ଗାଙ୍କର ଦ୍ୱିତୀୟ ରୂପ, ମା ବ୍ରହ୍ମାଚାରିଣୀଙ୍କୁ ପୂଜା କରାଯାଏ। ଦେବୀ ବ୍ରହ୍ମଚାରିଣୀ ତପ, ସଂଯମତା ଏବଂ ତ୍ୟାଗର ପ୍ରତୀକ। ମା ବ୍ରହ୍ମଚରିଣୀ ଆଜି ପୂଜା ପାଇବେ। ଆସନ୍ତୁ ଜାଣିବା ପୂଜା ପଦ୍ଧତି ଏବଂ ମାତା ବ୍ରହ୍ମଚରିଣୀଙ୍କ କାହାଣୀ…

ମାତା ବ୍ରହ୍ମଚାରିଣୀଙ୍କ ସ୍ୱରୂପ:

ମାତା ବ୍ରହ୍ମଚାରିଣୀଙ୍କୁ ବ୍ରାହ୍ମୀ ମଧ୍ୟ କୁହାଯାଏ। ବ୍ରହ୍ମ ଅର୍ଥ ହେଉଛି ଅନୁତାପ ଏବଂ ଚାରିଣୀ ଅର୍ଥ ହେଉଛି ଆଚରଣ, ଅର୍ଥାତ୍ ତପ ଆଚରଣ କରିବାର ଶକ୍ତି। ଦେବୀ ଡାହାଣ ହାତରେ ଜପ କରିବାର ମାଳା ଏବଂ ବାମ ହାତରେ କମଣ୍ଡଳ ଧାରଣ କରିଛନ୍ତି। ଭଗବାନ ଶଙ୍କରଙ୍କୁ ତାଙ୍କ ସ୍ୱାମୀ ଭାବରେ ପାଇବା ପାଇଁ ଦେବୀ କଠୋର ତପ କରିଥିଲେ, ଯେଉଁଥିପାଇଁ ଏହି ମାତାଙ୍କୁ ବ୍ରହ୍ମଚାରିଣୀ କୁହାଯାଉଥିଲା।

ମା’ ବ୍ରହ୍ମଚାରିଣୀଙ୍କ ପୂଜା ପଦ୍ଧତି:

ମା ବ୍ରହ୍ମଚାରିଣୀଙ୍କ ପୂଜାରେ ଲାଲ ରଙ୍ଗ ବ୍ୟବହାର କରନ୍ତୁ। ଗାଧୋଇବା ପରେ ନାଲି ପୋଷାକ ପିନ୍ଧନ୍ତୁ।

ଯେଉଁଠାରେ କଳଶ ସ୍ଥାପିତ ହୋଇଛି କିମ୍ବା ପୂଜାସ୍ଥଳୀରେ ମାତା ଦୁର୍ଗାଙ୍କ ମୂର୍ତ୍ତି ଆଗରେ ଘିଅର ଦୀପ ଜାଳନ୍ତୁ ଏବଂ ମାତା ବ୍ରହ୍ମଚାରିଣୀଙ୍କ ବିଷୟରେ ଧ୍ୟାନ କରିବା ସମୟରେ ତାଙ୍କୁ ରୋଲୀ, ଅକ୍ଷତ, ହଳଦୀ ପ୍ରଦାନ କରନ୍ତୁ।

ପୂଜାରେ ଦେବୀଙ୍କୁ ଲାଲ ରଙ୍ଗର ଫୁଲ ଅର୍ପଣ କରନ୍ତୁ। ମା’ଙ୍କୁ ଚିନି ଏବଂ ପଞ୍ଚାମୃତ ପ୍ରଦାନ କରନ୍ତୁ। ଫଳରେ ସେଓ ରଖନ୍ତୁ। ଧୂପ କାଠି ଲଗାନ୍ତୁ ଏବଂ ଦେବୀଙ୍କ ବୀଜ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ।
ନବରାତ୍ରିରେ ପ୍ରତିଦିନ ଦୁର୍ଗା ସପ୍ତଶତୀ ପାଠ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଶେଷରେ, କର୍ପୁର ସହିତ ଦେବୀ ବ୍ରହ୍ମଚରିଣୀଙ୍କ ଆରତୀ କରନ୍ତୁ।

ମା’ ବ୍ରହ୍ମଚରିଣୀ ପୂଜା ଉପକାର:

– ମାତା ବ୍ରହ୍ମଚାରିଣୀଙ୍କ ଉପାସନା ବ୍ୟକ୍ତିର ଶକ୍ତି, ସଂଯମତା, ତ୍ୟାଗ ଏବଂ ବୈରାଗ୍ୟ ବୃଦ୍ଧି ହୋଇଥାଏ।

– ସଙ୍କଟରେ ଦେବୀ ଭକ୍ତଙ୍କୁ ଶକ୍ତି ପ୍ରଦାନ କରନ୍ତି। ତପ ଦ୍ଵାରା ମାତାଙ୍କୁ ଅସୀମ ଶକ୍ତି ମିଳିଥିଲା, ଏହି ଶକ୍ତି ବଳରେ ସେ ରାକ୍ଷସମାନଙ୍କୁ ସଂହାର କରିଥିଲେ। ମାତାଙ୍କ ଆଶୀର୍ବାଦ ଯୋଗୁଁ ଭକ୍ତମାନଙ୍କୁ ଆଶ୍ଚର୍ଯ୍ୟଜନକ ଶକ୍ତି ମିଳେ, ଯାହା ଶତ୍ରୁକୁ ସାମ୍ନା କରିବାକୁ ଶକ୍ତି ଦେଇଥାଏ।

– ଆତ୍ମବିଶ୍ୱାସ ଏବଂ ସ୍ମୃତି ଶକ୍ତି ବୃଦ୍ଧି ପାଏ। ଦେବୀଙ୍କ ପ୍ରଭାବ ହେତୁ ବ୍ୟକ୍ତିର ମନ ଅସ୍ଥିର ହୁଏ ନାହିଁ।

ମା’ ବ୍ରହ୍ମଚରିଣୀ କଥା:

କିମ୍ବଦନ୍ତୀ ଅନୁଯାୟୀ, ମାତା ବ୍ରହ୍ମଚରିଣୀ ଶିବଙ୍କୁ ତାଙ୍କ ସ୍ୱାମୀ ଭାବରେ ପାଇବା ପାଇଁ ଏକ ହଜାର ବର୍ଷ ପର୍ଯ୍ୟନ୍ତ ଫଳ ଓ ଫୁଲ ଖାଇ ଶହେ ବର୍ଷ ଭୂମିରେ ରହିଥିଲେ। ସେ ପ୍ରତ୍ୟେକ ଋତୁରେ ଥଣ୍ଡା, ଉତ୍ତାପ, ବର୍ଷା ସହ୍ୟ କରିଥିଲେ, କିନ୍ତୁ ଦେବୀ ତାଙ୍କର ତପସ୍ୟାରେ ଦୃଢ ଭାବରେ ରହିଥିଲେ। ଭଙ୍ଗା ବେଳ ପତ୍ର ଖାଇ ସେ ଶିବଙ୍କ ଭକ୍ତିରେ ବୁଡ଼ିଗଲେ। ଯେତେବେଳେ ଭୋଲେ ନାଥ ତାଙ୍କର କଠିନ ତପସ୍ୟାରେ ସନ୍ତୁଷ୍ଟ ହେଲେ ନାହିଁ, ସେତେବେଳେ ସେ ଶୁଖିଲା ବେଲ ପତ୍ର ଖାଇବା ମଧ୍ୟ ବନ୍ଦ କରିଦେଲେ।

ମହାଦେବଙ୍କୁ ପାଇବା ପାଇଁ, ସେ ଜଳହୀନ ଏବଂ ନିରାହାର ହୋଇ ଅନେକ ହଜାର ବର୍ଷ ଧରି ଅନୁତାପ ଜାରି ରଖିଥିଲେ। ମାତାଙ୍କ କଠିନ ତପସ୍ୟା ଦେଖି ସମସ୍ତ ଦେବତା ଏବଂ ସାଧୁମାନେ ତାଙ୍କ ଇଚ୍ଛା ପୂରଣ କରିବା ପାଇଁ ତାଙ୍କୁ ଆଶୀର୍ବାଦ କଲେ। ଏହି କାହାଣୀର ମୂଳ ବିଷୟ ହେଉଛି ଯେ, କଷ୍ଟ ସମୟରେ ମଧ୍ୟ ଲକ୍ଷ୍ୟ ହାସଲ କରିବା ପାଇଁ ବିଭ୍ରାନ୍ତ ହେବା ଉଚିତ୍ ନୁହେଁ, ସେତେବେଳେ ଯାଇ ସଫଳତା ହାସଲ କରାଯାଇଥାଏ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆରମ୍ଭ ହେଲା ନବରାତ୍ରୀ ପୂଜା, ଜାଣନ୍ତୁ ନଅ ଦିନ ଧରି କେଉଁ କେଉଁ ଦେବୀଙ୍କୁ କରାଯାଏ ପୂଜା

ଭୁବନେଶ୍ବର: ପୁରାଣ ଶାସ୍ତ୍ର ଅନୁସାରେ ଆଶ୍ବିନ ଶୁକ୍ଳ ପ୍ରତିପଦା ତିଥିରୁ ନବମୀ ପର୍ଯ୍ୟନ୍ତ ନବରାତ୍ରୀ ପୂଜା କରାଯାଏ। ଏହି ଦିନ ସ୍ବତନ୍ତ୍ର କଳସ ସ୍ଥାପନା କରାଯାଇ ନଅ ଦିନରେ ନବ ଦୁର୍ଗାଙ୍କୁ ପୂଜା କରାଯାଇଥାଏ। ତେବେ କେଉଁଦିନ କେଉଁ ଦେବୀଙ୍କୁ କରାଯାଏ ପୂଜା ଆସନ୍ତୁ ଜାଣିବା।

ନବରାତ୍ରୀ ପ୍ରଥମ ଦିନ

ଶୈଳପୁତ୍ରୀ: ଆଦିଶକ୍ତିର ପ୍ରଥମ ସ୍ୱରୂପା ଶୈଳପୁତ୍ରୀଙ୍କ ଉପାସନା ସହ ନବରାତ୍ରର ଆରମ୍ଭ ହୋଇଥାଏ ପୌରାଣିକ ମତେ ହିମାଳୟଙ୍କ ତପସ୍ୟା ଓ ପ୍ରାର୍ଥନା ଦ୍ୱାରା ପ୍ରସନ୍ନ ହୋଇ ଦେବୀ ତାଙ୍କର କନ୍ୟା ଭାବେ ଜନ୍ମ ନେଇଥିଲେ । ଏହି ଦିନ ଭକ୍ତ ଓ ସାଧକ ନିଜର ମନକୁ ମୂଳାଧାର ଚକ୍ରରେ ଅବସ୍ଥାନ କରି ଉପାସନା କରିଥାନ୍ତି।

ନବରାତ୍ରୀ ଦ୍ବିତୀୟ ଦିନ

ବ୍ରହ୍ମଚାରିଣୀ: ବ୍ରହ୍ମଚାରିଣୀ ସ୍ୱରୂପରେ ନବରାତ୍ରର ଦ୍ୱିତୀୟ ଦିବସରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ଉପାସନା କରିଥାନ୍ତି। ମାଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା। ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ। ତାଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ । ଭକ୍ତ ନିଜ ମନକୁ ସ୍ୱାଧିଷ୍ଠାନ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି ।

ନବରାତ୍ରୀ ତୃତୀୟ ଦିନ

ଚନ୍ଦ୍ରଘଣ୍ଟା: ଏହା ଦେବୀଙ୍କ ଉଗ୍ରରୂପ । ଦେବୀ ଦଶଭୂଜା ଓ ବ୍ୟାଘ୍ର/ ସିଂହ ଉପରେ ବିରାଜମାନ । ଅନେକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତା ଦେବୀଙ୍କର ମୁଦ୍ରା ଯୁଦ୍ଧାଭିମୁଖୀ।

ନବରାତ୍ରୀ ଚତୁର୍ଥ ଦିନ

କୁଷ୍ମାଣ୍ଡା: ପୌରାଣିକ ମତେ ଦେବୀଙ୍କ ହସରୁ ବ୍ରହ୍ମାଣ୍ଡ ସୃଷ୍ଟି । ଭକ୍ତ ନିଜ ମନକୁ ଅନାହତ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି। ଏହି ରୂପରେ ଦେବୀ ଅଷ୍ଟଭୂଜା ଓ ହାତରେ କମଣ୍ଡଳୁ, ଧନୁ, କମଳ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି ।

ନବରାତ୍ରୀ ପଞ୍ଚମ ଦିନ

ସ୍କନ୍ଧମାତା: ନବରାତ୍ର ପଞ୍ଚମ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ। କୁମାର କାର୍ତ୍ତିକେୟଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଧମାତା କୁହାଯାଏ। ଦେବୀ ଚତୁର୍ଭୂଜା ଓ ସିଂହ ଉପରେ ବିରାଜମାନ। ଏହି ରୂପରେ ମାତା ପୁତ୍ର ସ୍କନ୍ଧକୁ କୋଳରେ ବସାଇଥାନ୍ତି ।

ନବରାତ୍ରୀ ଷଷ୍ଠ ଦିନ

କାତ୍ୟାୟନୀ: ନବରାତ୍ର ଷଷ୍ଠ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ। ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ। ଭଗବାନକୃଷ୍ଣଙ୍କୁ ପତି ରୂପେ ପାଇବାକୁ ବ୍ରଜଗୋପୀମାନେ ଦେବୀ କାତ୍ୟାୟନୀଙ୍କୁ ଆରାଧନା କରିଥିଲେ ତେଣୁ ବିବାହ ହୋଇପାରୁନଥିବା

ନବରାତ୍ରୀ ସପ୍ତମ ଦିନ

କାଳରାତ୍ରୀ: ନବରାତ୍ର ସପ୍ତମ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ। ଏହା ଦେବୀଙ୍କ ବିକଟାଳ ରୂପ । ଏହି ରୂପରେ ତ୍ରୀନେତ୍ର ଧାରିଣୀ, ଶରୀରର ବର୍ଣ୍ଣ ଅନ୍ଧକାର ଭଳି ଗାଢ଼ କଳା ଚତୁର୍ଭୁଜା ଦେବୀ ଗର୍ଦଭ ଉପରେ ଆରୁଢ ହୋଇ ହାତରେ ଲୌହ ଖଡ଼୍‌ଗ ଧାରଣ କରିଥାନ୍ତି ।

ନବରାତ୍ରୀ ଅଷ୍ଟମ ଦିନ

ମହାଗୌରୀ: ନବରାତ୍ର ଅଷ୍ଟମ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ। ଏହା ଦେବୀଙ୍କ ସୌମ୍ୟ ରୂପ । ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ବର୍ଣ୍ଣ ଗୌର, ଶ୍ୱେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି ଓ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି ।

ନବରାତ୍ରୀ ନବମ ଦିନ

ସିଦ୍ଧିଦାତ୍ରୀ: ନବରାତ୍ରର ନବମ ବା ଶେଷ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ। ଏହି ରୂପରେ ପଦ୍ମାସନା ଦେବୀ ଚତୁର୍ଭୂଜା ଓ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି। ସିଦ୍ଧିଦାତ୍ରୀଙ୍କ ପୂଜା ସହିତ ନବରାତ୍ରରେ ନବଦୁର୍ଗା ପୂଜା ସମ୍ପୂର୍ଣ୍ଣ ହୋଇଥାଏ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆଜି ବାଣପୁର ପ୍ରସିଦ୍ଧ ପବିତ୍ର ଭେଟ ଅମାବାସ୍ୟା: ଜାଣନ୍ତୁ କ’ଣ ରହିଛି ପ୍ରଥା?

ବାଣପୁର (ସୀତାରାମ ଅଗ୍ରୱାଲ): ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କୁ ଆଧାର କରି ଶାରଦୀୟ ଦୂର୍ଗୋତ୍ସବ ସଂପୂର୍ଣ୍ଣ ନିଆରା ଢଙ୍ଗରେ କାହିଁ କେଉଁ କାଳରୁପାଳନ କରାଯାଉଥିବାର ପରମ୍ପରା ଚଳି ଆସିଛି। ରାଜ୍ୟତଥା ଦେଶର ପ୍ରତ୍ୟେକ ଶକ୍ତିପୀଠମାନଙ୍କରେ ଆଶ୍ଵିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଯାହା ମୂଳାଷ୍ଟମୀ ଭାବରେ ପରିଚିତ ଏହି ଦିନଠାରୁ ଶୁକ୍ଳ ଦଶମୀ ଦିନ ଯାହା ଦଶହରା ଭାବରେ ସର୍ବତ୍ର ପରିଚିତ ଏହି ଦିନ ପର୍ଯ୍ୟନ୍ତ ଷୋଡଷ ଦିବସ ଧରି ଶାରଦୀୟ ଦୂର୍ଗା ପୂଜାରେ ମାତୃଶକ୍ତିର ପୂଜା ଆରାଧନା କରାଯାଉଥିବା ବେଳେ ବାଣ ପୁରରେ ବର୍ଷର ପ୍ରାରମ୍ଭ ବିଷ୍ଣୁବ ସଂକ୍ରାନ୍ତି ଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଆଶ୍ଵୀନ ମାସ କୁମାର ପୂର୍ଣ୍ଣମୀରେ ଶେଷ ହୁଏ। ସର୍ବତ୍ରପୀଠ ଦେବୀଙ୍କୁ ଏକାକୀ କେବଳ ପୂଜାର୍ଚ୍ଚନା କରାଯାଉଥିବାବେଳେ ଏଠାରେ ପୀଠ ଦେବୀ ମା’ ଭଗବତୀଙ୍କ ସହିତ, ପ୍ରାଚୀନବଙ୍କାଡ ରାଜ୍ୟ ଅଧୁନା ବାଣପୁରର ଚାରି ସୀମାରେ ପ୍ରତିଷ୍ଠିତ ମା’ନାରାୟଣୀ, ମା’କାଳିଜାଇ, ମା’ଶିଦ୍ଧେଶ୍ଵରୀ, ମା’ବିରିଜାଇ, ବଙ୍କାଡଗଡ଼ଦେବୀ ମା’ କନକଦୁର୍ଗା, ଓ ମା’ ବୁଢୀ ଠାକୁରାଣୀ ଏହି ପରି ସପ୍ତମାତୃଶକ୍ତି ଯାହା ସାତ ଭଉଣୀ ଭାବରେ ପରିଚିତ ସମସ୍ତଙ୍କୁ ସାଥିରେ ନେଇ ଦୁର୍ଗୋତ୍ସବ ପାଳନ କରାଯାଉଥିବାର ନିଆରା ପରମ୍ପରା, କାହିଁକେଉଁକାଳରୁ ଚଳି ଆସିଛି।

ସାତ ଭଉଣୀଙ୍କ ଉପାସନା ପାଇଁ ଏକ ସ୍ଵତନ୍ତ୍ର ପୀଠ ରହିଛି ଯାହାକୁ ସାତବଖରା ଭିତର ପର୍ବଗୃହ ବୋଲି କୁହାଯାଏ। ଆଶ୍ଵିନ ଅମାବାସ୍ୟା ମହାଳୟା ଅମାବାସ୍ୟା ଭାବରେ ସର୍ବତ୍ର ପରିଚିତ ଥିବାବେଳେ ବାଣପୁରରେ ଏହି ତିଥିକୁ ଭେଟ ଅମାବାସ୍ୟା ବୋଲି କୁହାଯାଏ।

ପଶ୍ଚିମଓଡିଶାର ନୂଆଖାଇ ଭେଟଘାଟ ପର୍ବ ପରି ବାଣପୁରର ଭେଟ ଅମାବାସ୍ୟା ପର୍ବ ଅବିଭକ୍ତ ପୁରୀ ଜିଲ୍ଲା ସହିତ ଉତ୍ତର ଗଞ୍ଜାମ ଅଞ୍ଚଳରେ ମା’ ଭଗବତୀଙ୍କ ପ୍ରଧାନ ପର୍ବ ଭାବରେ ଜନମାନସରେ ପରିଚିତ। ବର୍ଷର ଏହି ଦିବସକୁ ବାଣପୁର ବାସୀ ଆନନ୍ଦ ଉଲ୍ଲାସର ସହିତ ପାଳନ କରନ୍ତି। ଆଶ୍ଵିନ ଅମାବାସ୍ୟା ତିଥି ପରେ ପ୍ରତିପଦା ଲାଗି ହେଲେ ଏହି ପବିତ୍ର ଲଗ୍ନରେ ସପ୍ତମାତୃଶକ୍ତି ମାନଙ୍କର ମହାମିଳନ ବା ଭେଟଉତ୍ସବ ବାଣପୁର ବଡ଼ ଦାଣ୍ଡରେ ଅନୁଷ୍ଠିତ ହୁଏ।

ଶାରଦୀୟ ଦୁର୍ଗା ଉତ୍ସବର ଏହି ଦିବସଟି ଅନେକ ତାପ୍ତର୍ଯ୍ୟ ବହନ କରେ। ଏହି ପୁଣ୍ୟ ତିଥିରେ ମାତୃ ଶକ୍ତିର ମହାମିଳନକୁ ଦର୍ଶନ କରିବା ପାଇଁ ସ୍ଵର୍ଗର ଦେବତା, ଗନ୍ଧର୍ବ, କିନ୍ନର ମଧ୍ୟଏକତ୍ର ହୋଇପୁଷ୍ପ ବୃଷ୍ଟି କରନ୍ତି ବୋଲି ବିଶ୍ୱାସ ଅଛି। ଆସୁରିକ ଶକ୍ତିଙ୍କୁ ସଂହାର କରି ଧରାପୃଷ୍ଠରେ ସୁଖ, ଶାନ୍ତି ,ସମୃଦ୍ଧି ପ୍ରତିଷ୍ଠା କରିବା ପାଇଁ ମାତୃଶକ୍ତିର ବନ୍ଦନା କରାଯାଏ। ଏହି ଶୁଭଲଗ୍ନରେ ମା’ମାନଙ୍କୁ ଦର୍ଶନ କରି ଅଶେଷ ମାତୃ କୃପାଲାଭ କରିବା ପାଇଁ ବାଣପୁର ବାସୀ ଅପେକ୍ଷା କରିଥାନ୍ତି।
ଘରେ ଘରେ ବନ୍ଧୁ ବାନ୍ଧବ, ସାଙ୍ଗସାଥି,କୁଣିଆ ମୈତ୍ର,ଝୀଅ ଝିଆରୀ, ଦୁର ଦୁରାନ୍ତରରୁ ଆସି ପହଞ୍ଚିଯାଆନ୍ତି। ସମସ୍ତଙ୍କର ପରସ୍ପର ପରସ୍ପର ଭିତରେ ଭେଟ ହୁଏ।

ଘରମାନଙ୍କରେ ପର୍ବ ଆସର ଜମେ।ସୁସ୍ଵାଦୁ ପର୍ବଘାଣ୍ଟ ହେଉଛି ବାଣ ପୁର ଅଞ୍ଚଳରେଏହି ସମୟର ଏକ ସ୍ୱତନ୍ତ୍ର ବ୍ୟଞ୍ଜନ। ପ୍ରତି ଗାଁ ଗଣ୍ଡା,ପୁରପଲ୍ଲୀର ଦେବୀ ପୀଠମାନଙ୍କରେ ଏହି ପର୍ବଘାଣ୍ଟର ମହ ମହ ବାସ୍ନା ସମସ୍ତଙ୍କୁ ଆତୁର କରିଦିଏ। ଗାଁମାନଙ୍କରେ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେଏକତା , ସଂହତି,ଭାଇଚାରା ଭାବ ସୃଷ୍ଟି କରିଥାଏ ଏହି ଶାରଦୀୟ ପର୍ବ ଘାଣ୍ଟ। ବନ୍ଧୁବାନ୍ଧବ ମୈତ୍ରୀ ଭାବନାକୁ ବାନ୍ଧିରଖିବାରେ ଏହି ମା’ଙ୍କ ପର୍ବ ଘାଣ୍ଟ ବିଶେଷ ସହାୟକ ହୋଇଥାଏ। ଦିନରେ ମା’ଙ୍କପର୍ବ ପ୍ରସାଦ, ଘାଣ୍ଟ ଖାଇ ରାତିରେ ଭେଟ ଉତ୍ସବ ଦର୍ଶନ କରିବା ସହିତ ମାତୃ କୃପାଲାଭ କରିବା ପାଇଁ ଅଗଣିତଜନ ସମୁଦ୍ର ବାଣ ପୁର ବଡ଼ ଦାଣ୍ଡରେ ଏକାଠି ହୁଅନ୍ତି।

କେବଳ ମା’ଭଗବତୀ ଓ ମା’ ବିରି ଜାଇଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀଙ୍କୁ ସେବାୟତମାନେ ଘଣ୍ଟା ଘଣ୍ଟ ବୀର ବାଦ୍ୟ କାହାଳୀର ତାଳେ ତାଳେ ନୃତ୍ୟ କରାଇପରସ୍ପରଙ୍କୁ ଭେଟକରାଉଥିବାବେଳେ ଅନ୍ୟ ପାଞ୍ଚ ଦେବୀଙ୍କର ଆଜ୍ଞାମାଳ ଓ ଦେବୀ ପ୍ରତିମାକୁ ମଧ୍ୟ ଏକ ତ୍ର ଭେଟ କରାଇ ପ ର୍ବଗୃହକୁ ବିଜେ କରାଯିବା ପରେ ପର୍ବ ପୂଜା ଆରମ୍ଭ ହୁଏ। ଥାଟ ପଟୁଆର ବାଜାରୋଷଣୀ, ଶଙ୍ଖ ହୁଳହୁଳି, ମା’ଙ୍କ ଜୟ ଜୟକାର ଧ୍ଵନୀରେ ବଡ଼ ଦାଣ୍ଡ ଉଛୁଳି ପଡ଼େ। ଚଳିତବର୍ଷ ଏହି ଯାତ୍ରା ମହାଳୟା ଅମାବାସ୍ୟା ତିଥି ଅର୍ଥାତ ଆଜି ବୁଧବାର ରାତ୍ର 10 ଘଟିକାରୁ ଆରମ୍ଭ ହୋଇ ରାତ୍ର 12 ଘଟିକାରେ ଶେଷ ହେବ ବୋଲି ସୂଚନା ମିଳିଛି l

ଏହାକୁ ସରସ ସୁନ୍ଦର ଓ ଶୃଙ୍ଖଳିତ କରିବା ସହିତ ସମସ୍ତ ଶ୍ରଦ୍ଧାଳୁମାନଙ୍କ ଦିବ୍ଯଦର୍ଶନ କରାଇବା ପାଇଁ ମନ୍ଦିର ପ୍ରଶାସନ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ବାହିନୀ ତରଫରୁ ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଇଛି l

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବାଣପୁରରେ ଶାରଦୀୟ ପର୍ବ ଆରମ୍ଭ, ମା’ଭଗବତୀଙ୍କ ଦେବୀନୃତ୍ୟରେ ପୀଠ ଚ଼ଳଚଞ୍ଚଳ

ବାଣପୁର (ସୀତାରାମ ଅଗ୍ରୱାଲ): ଶରତ ଆକାଶରେ ଭସାମେଘର ମହ୍ଲାର। ନଦୀପଠାରେ କାଶତଣ୍ଡିର ସମ୍ଭାର, ଲହରାୟିତ ଦୋଳି ଖେଳ। ଧରଣୀ ରାଣୀ ସବୁଜ ଶସ୍ୟରେ ଉଲ୍ଲସିତ ଉଚ୍ଚାଟିତ। ନଦନଦୀର କାଚକେନ୍ଦୁ ପାଣିରେ ନିର୍ମଳ ଦିଶୁଛି ବଗଲା ବଗୁଲିର ଧୋବ ଫରଫର ମୁହଁ। ଗାଡ଼ିଆ ପୁଷ୍କରିଣୀରେ ଢଳଢ଼ଳ ନୀଳକଇଁ ଜହ୍ମକୁ ଚାହିଁ ଦୋହଲୁଛି ପାଖୁଡ଼ା ମେଲାଇ। ପତ୍ରରେ ଝରା ଶିଶିରର ବିନ୍ଦୁ ବିନ୍ଦୁ ମୁକ୍ତା। କୀଟଠାରୁ ବ୍ରହ୍ମ ଯାଏ ସଭିଙ୍କ ମନ ଉଲ୍ଲସିତ, ଉଚ୍ଚାଟିତ, କାରଣ ମା’ ଆସୁଛନ୍ତି ଧରାପୃଷ୍ଟକୁ। ସଭିଙ୍କ ମନରେ ଅସୁମାରି ଆନନ୍ଦ।

ଶକ୍ତିମୟି ସେ, ଭକ୍ତିମୟୀ କରୁଣାମୟୀ ସେ, କଲ୍ୟାଣମୟୀ। ସଚ଼ରାଚ଼ର ଜୀବ ଜଗତ ତାଙ୍କଠାରୁ ସୃଷ୍ଟି। ସେ ସୃଷ୍ଟିକାରିଣୀ, ପାଳନ କାରିଣୀ ଏବଂ ସଂହାରକାରିଣୀ ମା’। ମାତୃଶକ୍ତିର ଉପାସନା ପୀଠ ବାଣପୁର। କାହିଁ କେଉଁ କାଳରୁ ଘଣ୍ଟ ଶିଳାପାହାଡ଼ର ପାଦଦେଶରେ କୁଳୁକୁଳୁ ଗୀତ ଗାଇ ବହି ଯାଉଥିବା ସ୍ରୋତସ୍ଵିନୀ ଶାଳିଆର ତଟ ଦେଶରେ ବିରାଜିତା ମା’ଭଗବତୀ।

ବିଶ୍ୱାସର ଦେବୀ ଭଗବତୀ। ତାଙ୍କୁ ଆଧାର କରି କେତେ ପୂଜା ପାର୍ବଣ, କେତେ ଲୋକ କଥା, କେତେ ପୁରାଣ ଶାସ୍ତ୍ର ଭିତରେ ବର୍ଣ୍ଣନା, କେତେ ନୀତିକାନ୍ତି। ସବୁଥିରେ ସ୍ଵାତନ୍ତ୍ର୍ୟତା ବହନ କରୁଥିବା ଏହି ଦେବୀପୀଠର ଶାରଦୀୟ ପର୍ବ ନିଆରା ଢ଼ଙ୍ଗରେ ପାଳନ କରାଯାଏ। ସମଗ୍ର ଭାରତ ବର୍ଷର ଦେବୀପୀଠମାନଙ୍କରେ ଏହି ପର୍ବଯେପରି ଭାବରେ ପାଳନ କରାଯାଏ, ଏହି ପୀଠରେ କିନ୍ତୁ ଦୁର୍ଗାପୂଜା ସଂପୂର୍ଣ୍ଣ ଭିନ୍ନ। ଏଠାରେ ମା’ଙ୍କୁ ବନଦୁର୍ଗା ମନ୍ତ୍ରରେ ପୂଜା ଆରଧନା କରାଯାଉଥିବାର ବିଧି ରହିଛି। କାରଣ ତାଙ୍କ ନୀତିକାନ୍ତି, ବେଶଭୂଷା, ସଂପୂର୍ଣ୍ଣ ଆଦିମ ଜନଯାତିଙ୍କ ଦ୍ଵାରା ପରିକଳ୍ପିତ ପରି ମନେହୁଏା

ଅନ୍ୟାନ୍ୟ ପୀଠମାନଙ୍କରେ ମା’ଙ୍କ ଚଳନ୍ତି ପ୍ରତିମା,ପିତୁଳା ପ୍ରତିମା ହୋଇଥିବାବେଳେ ମା’ଭଗବତୀଙ୍କ ଚଳନ୍ତି ପ୍ରତ୍ତିମା ଏକ ସ୍ତମ୍ବସଦୃଶ୍ୟ ଯାହାଙ୍କୁ ସ୍ତମ୍ବେଶ୍ଵରୀ ବୋଲି ପରିକଳ୍ପନା କରାଯାଇଛି। ଶାରଦୀୟ ପର୍ବ ଆରମ୍ଭରୁ ମା ଉତ୍ତାଳ ନୃତ୍ୟ କରିପର୍ବଗୃହକୁଯାତ୍ରା କରୁଥିବାର ଦୃଶ୍ୟ ଅନ୍ୟପୀଠମାନଙ୍କରେ ଦେଖିବାକୁ ମିଳେନାହିଁ।ମା’ ସ୍ତମ୍ବେଶ୍ଵରୀଙ୍କ ବେଶଭୂଷାରେ ବ୍ୟବହୃତ ବିଭିନ୍ନ ରଂଗ ବେରଙ୍ଗର ପାଟବସ୍ତ୍ରର କୁଞ୍ଚିକାନି,ସହିତ ମନ୍ଦାର ମାଳ, ବେଲପତ୍ରର ଆଭୂଷଣ ପରିଧାନ ଶୈଳୀ ଦେଖିଲେ ମନରେ ହୃଦୟରେ ସ୍ୱତସୃତ ଭକ୍ତିଭାବନାଯାଗ୍ରତ ହୋଇଯାଏ।

ଭକ୍ତଟିର ହାତ ଆପେ ଆପେଯୋଡ଼ି ହୋଇଯାଏ। ଭକ୍ତି ଭାବନାରେ ମଥା ନଇଯାଏ। ଆଦ୍ୟ ଶରତର ଆସର ଶାରଦୀୟ ପର୍ବ,ଏହି ସମୟରେ ସମଗ୍ର ପୁରପଲ୍ଲୀ ,ସହରନଗର ମାତୃଶକ୍ତିର ଆବାହନୀରେ ମାତୃବନ୍ଦନା ମନ୍ତ୍ରର ଝଙ୍କାର ରେ ଝଙ୍କୃତ ହୁଏ, ଦିଗରୁ ଦିଗନ୍ତ।ମନ୍ଦିର, ମଣ୍ଡପ ରେ ସର୍ବତ୍ର “ଯାଦେବୀ ସର୍ବଭୂତେଷୁ . . . . . . ର ସମ୍ମିଳିତ ସ୍ୱର। ଏହି ଅବସରରେ ବାଣପୁରର ବଡ଼ ଦlଣ୍ଡରେ ଦେବୀ ନୃତ୍ୟ । ସତେଯେପରି ଶୁମ୍ଭ ନିଶୁମ୍ଭ ମହିଶ ପରି ଅସୁରମାନଙ୍କୁ ସଂହାର କରିବାପାଇଁ ମା’ଉଦଣ୍ଡନୃତ୍ୟରତା।

ଘଣ୍ଟ, କାହାଳୀ ବାଦ୍ୟନାଦର ତାଳେ ତାଳେ ଏହି ଦୁର୍ଲଭ ନୃତ୍ୟକୁ ଦର୍ଶନ କରିବାପାଇଁ ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ ଶାରଦୀୟ ପର୍ବକୁ ଅତ୍ୟନ୍ତଭାବଭକ୍ତି ମୟ କରିଦିଏ। ଆଶ୍ୱିନ କୃଷ୍ଣ ଅଷ୍ଟମୀଠାରୁ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ପ୍ରତି ସଂଧ୍ୟାରେ ଏହିଭଳି ଦେବୀନୃତ୍ୟ କେବଳଏହିପୀଠର ନିଆରାପରମ୍ପରା ବୋଲି ମନ୍ଦିର କାର୍ଯ୍ୟନିର୍ବାହୀଙ୍କଠାରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ପୂଜା ଆସିଲା, ମା’ଙ୍କୁ ସ୍ବାଗତ କରିବା ପାଇଁ ସଜେଇ ହେଲା କାଶତଣ୍ଡୀ

ଭୁବନେଶ୍ବର: ଦୁର୍ଗା ପୂଜା ଆଉ କାଶତଣ୍ଡୀ ଫୁଲର ସଂପର୍କ କାହିଁ କେଉଁ ଆବାହମାନ କାଳରୁ ରହି ଆସିଛି। କାରଣ ଏହି ଧରାପୃଷ୍ଟକୁ ଯେତେବେଳେ କାଶତଣ୍ଡୀ ଫୁଲ ଆସିଯାଏ, ସେତେବେଳେ ପ୍ରତୀୟମାନ ହୁଏ ଯେ, ମା ଦୁର୍ଗା ଆସିବେ। କାରଣ ମା’ ଙ୍କୁ ଏହି ଧରାପୃଷ୍ଠରେ ସ୍ବାଗତ କରିବା ପାଇଁ କାଶତଣ୍ଡୀ ଆଗୁଆ ଆସି ସଜେଇ ହୁଏ।

ବର୍ଷକୁ ଥରେ ଦେଖାଯାଉଥିବା ଏହି କାଶତଣ୍ଡୀ ବର୍ତ୍ତମାନ ଓଡିଶାର ପୁରପଲ୍ଲୀରେ ଦେଖିବାକୁ ମିଳୁଛି। ଆଉ କିଛି ଦିନ ପରେ ଏହା ପୁଣି କୁଆଡେ ହଜିଯିବ। ମାଙ୍କ ବିଦାୟ ପରେ ସେ ମଧ୍ୟ ଧରାପୃଷ୍ଟରୁ ବିଦାୟ ନେବ। ତେଣୁ ଏହି କାଶତଣ୍ଡୀକୁ ନେଇ ବହୁ ବର୍ଗର ଲୋକେ ବହୁ କଥା ବା କବିତା ରଚନା କରିଛନ୍ତି। ଏପରିକି ଏହି କାଶତଣ୍ଡୀକୁ ନେଇ ମଧ୍ୟ ପୁରାଣ ପୋଥୀରେ ବହୁ ବର୍ଣ୍ଣନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମା’ଭଗବତୀ ମନ୍ଦିର ପୁରୋହିତଙ୍କୁ ବରଣ କରି ଗୁଆପଇତା ଦେଲେ ରାଜା, ଅଷ୍ଟମୀରୁ ଶାରଦୀୟ ପର୍ବ ଆରମ୍ଭ

ବାଣପୁର (ସୀତାରାମ ଅଗ୍ରୱାଲ): ଉତ୍କଳର ପ୍ରାଚୀନ ଶକ୍ତିପୀଠମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ଭଗବତୀଙ୍କ ପୀଠ ଅନ୍ୟତମ। ଏହି ପୀଠରେ ପାଳିତ ବାରମାସର ତେର ପର୍ବ ମଧ୍ୟରୁ ଶାରଦୀୟ ପୂଜୋତ୍ସବ ଅନନ୍ୟ ଶ୍ରେଷ୍ଠପର୍ବ। ସର୍ବତ୍ର ଶାରଦୀୟ ପର୍ବ ଆଶ୍ୱିନ କୃଷ୍ଣ ଅଷ୍ଟମୀଠାରୁ ଦଶହରା ପର୍ଯ୍ୟନ୍ତ ପାଳିତ ହେଉଥିବାବେଳେ ଏଠାରେ ଭାଦ୍ରବ ଶୁକ୍ଳ ଷଷ୍ଠୀ ଠାରୁ ଆରମ୍ଭ ହୋଇ ଆଶ୍ୱିନ କୁମାର ପୂର୍ଣ୍ଣିମାରେ ଉଦ୍‌ଯାପିତ ହେବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି।

ଭାଦ୍ରବ ଶୁକ୍ଳ ଅଷ୍ଟମୀ ଠାରୁ ଦେବୀ ଶୟନରେ ରହନ୍ତି। ଏହି ସମୟରେ ମାଙ୍କ ମନ୍ଦିରରେ ଧୂପ ଆଳତିରେ ଘଣ୍ଟ କାହାଳୀ , ବାଦ୍ୟ ବାଜିବା ବନ୍ଦ ଥାଏ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀରେ ସହସ୍ର କୁମ୍ଭବରଣ ପରେ ସ୍ତୋତ୍ରୀୟ ଶାକ୍ତ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ସହିତ ଘଣ୍ଟ କାହାଳୀ ବାଦ୍ୟ ବାଦନ ପରେଦେବୀ ଶୟନରୁ ଉଠନ୍ତିା ମଙ୍ଗଳକୁମ୍ଭ ଦୀପସ୍ଥାପନ କରାଯାଇ ଦେବୀଙ୍କୁ ସ୍ନାନ ମଣ୍ଡପରେ ୧୦୮ କଳସ ଅଭିଷିକ୍ତ ସୁବାଷିତ ଜଳରେ ସ୍ନାନ କରାଯାଇ ରାଜାଙ୍କ ପ୍ରଦତ୍ତ ନୂତନ ପାଟବସ୍ତ୍ର ‘ପୁଷ୍ପଚ଼ନ୍ଦନ ସିନ୍ଦୁର ପରିଧାନ କରିବା ପରେ ଆଳତି ବନ୍ଦାପନା ହୋଇ ଶାରଦୀୟ ପର୍ବଗୃହକୁ ବିଜେ ପାଇଁ ସମସ୍ତ ପ୍ରକାର ବିଧିବ୍ୟବସ୍ଥା ଗ୍ରହଣ କରାଯାଏ।

ପାରମ୍ପରିକ କ୍ରମେ ସପ୍ତମୀରେ ପ୍ରାଚୀନବଙ୍କାଡ଼ଗଡ଼ ଅଧୁନା ପାରିକୁଦ ଗଡ଼ର ରାଜା ସନ୍ତୋଷ ଚନ୍ଦ୍ର ମାନସିଂମର୍ଦ୍ଦରାଜ ହରିଚନ୍ଦ୍ର ଆଜିମା’ଭଗବତୀଙ୍କ ମନ୍ଦିର ପୁରୋହିତ, ପୂଜକ ସାମନ୍ତ ଙ୍କୁ ବରଣ କରି ଗୁଆପଇତା ପାଟମଠା ପ୍ରଦାନ କରି ମା’ଙ୍କ ପରିଧାନ ନିମନ୍ତେ ଅଙ୍ଗବସ୍ତ୍ର ସହିତ ଚୁଡ଼ିସିନ୍ଦୁର ଅଳତା ପୁଷ୍ପମାଳ ପ୍ରଦାନ କରି ପର୍ବର ସର୍ବମଙ୍ଗଳ କାମନା କରିଥିଲେ। ଅଷ୍ଟମୀ ଦିନ ଦେବୀ ଉତ୍ଥାପନ ନୀତିକାନ୍ତି ପରେମା’ କନକଦୁର୍ଗାପ୍ରଥମେ ଏହାକୁ ପରିଧାନ କରି ସର୍ବସାଧାରଣଙ୍କୁ ଦର୍ଶନ ଦେବେ। ପରେ ସଂଧ୍ୟାରୁ ମା’ଦେବୀ ଭଗବତୀଙ୍କ ଚଳନ୍ତି ପ୍ରତିମା ସ୍ତମ୍ଵେଶ୍ଵରୀ କାଠି ଠାକୁରାଣିଙ୍କ ଦେବୀ ନୃତ୍ୟ ଆରମ୍ଭ ହୋଇ ମା’ପିତ୍ରାଳୟଦକ୍ଷେଶ୍ଵର ମନ୍ଦିରରୁ ଭିତର ପର୍ବଗୃହକୁ ବିଜେ କରିବାପରେ ଅମାବାସ୍ୟା ପର୍ଯ୍ୟନ୍ତ ଭିତର ପର୍ବ ଆରମ୍ଭ ହେବ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଚିଲିକାରେ ପାଣି ତୋଳା ଯାତ୍ରା ସାରି ବାହୁଡ଼ିଲେ ମା’ ଭଗବତୀ, ଦୁର୍ଗା ଅଷ୍ଟମୀରୁ ମା’ଙ୍କ ଶୟନ ଆରମ୍ଭ

ବାଣପୁର (ସୀତାରାମ ଅଗ୍ରୱାଲ): ଭାରତ ସହିତ ଅନ୍ୟାନ୍ୟ ଦେଶରେ ଥିବା ୧୦୮ ଶକ୍ତିପୀଠ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ଭଗବତୀଙ୍କ ଶକ୍ତି ପୀଠ ପ୍ରାଚୀନ ପରମ୍ପରା ବହନ କରୁଥିବା ଏକ ପ୍ରଖ୍ୟାତ ପୀଠ। ଏହି ପୀଠର ମହାତ୍ମ୍ୟ, ପର୍ବପର୍ବାଣୀ, ଜାନିଯାତ୍ରା, ନୀତିକାନ୍ତି ଅନ୍ୟାନ୍ୟ ପୀଠମାନଙ୍କ ଠାରୁ ସଂପୂର୍ଣ୍ଣ ନିଆରା।

ସବୁ ଜାନିଯାତ୍ରା, ପର୍ବ ପର୍ବାଣୀର ଦେବୀଙ୍କର ମାନବୀୟ ଲୀଳାର ପରିପ୍ରକାଶ ଦେଖିବାକୁ ମିଳେ। ଯେମିତିକା ଭାଦ୍ରବ ଶୁକ୍ଳ ସପ୍ତମୀରେ ମା’ଙ୍କ ପାଣି ତୋଳା ଯାତ୍ରା ସହିତ ଚିଲିକାରେ ନୌବିହାର ଏବଂ ଭଉଣୀ କାଳିଜା ଙ୍କୁ ଚଳିତ ଶାରଦୀୟ ପର୍ବକୁ ଆମନ୍ତ୍ରଣ ତାର ନିଛକ ବିଶ୍ୱାସ।

ମା’ଙ୍କ ଚାରିଦିଗରେ ଚାରିଭଉଣୀ ଯଥା ପୂର୍ବରେ କାଳିଜାଇ, ପଶ୍ଚିମରେ ବିରିଜାଇ, ଦକ୍ଷିଣରେ ନାରାୟଣୀ ଓ ଉତ୍ତରରେ ଶିଦ୍ଦେଶ୍ଵରୀ ରହି ମା’ଙ୍କ ପୀଠର ସୁରକ୍ଷା କାରିଣୀ ଭାବରେ ପୂଜା ପାଇ ଆସୁଥିବାରୁ ମା’ଭଗବତୀ ଶାରଦୀୟ ପର୍ବକୁ ସମସ୍ତଙ୍କୁ ନିମନ୍ତ୍ରଣ କରି ଆଜ୍ଞାମାଳ ଆଣିବାର ବିଶ୍ଵାଶନୀୟ ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି।

ବର୍ଷର ବିଭିନ୍ନ ମାସରେ ବିଭିନ୍ନ ଦିଗକୁ ଯାତ୍ରା କରି ଭଉଣୀମାନଙ୍କ ସହିତ ଆଧାତ୍ମିକ ସଂପର୍କ ସ୍ଥାପନ ସହିତ ସେମାନଙ୍କ ସହିତ ପର୍ବପର୍ବାଣୀ ଜାନିଯାତ୍ରାରେ ଏକାଠି ହେବା ଏକ ମାନବୀୟ ଲୀଳାର ଏକ ଅନନ୍ୟ ପରମ୍ପରା। ଲଳିତା ସପ୍ତମୀର ଗୋଧୂଳୀ ଲଗ୍ନରେ ମା’ଙ୍କ ଚଳନ୍ତି ପ୍ରତିମା ସ୍ତମ୍ଵେଶ୍ଵରୀ କାଠି ଠାକୁରାଣୀ ନିଜର ସମସ୍ଥ ସେବାୟତଙ୍କ ସହିତ ଘଣ୍ଟ ଛତା କାହାଳୀ ଢ଼ୋଲ ବାଦନରେ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରୁ ବାହାରି ବିରାଟ ଥାଟପଟୁଆର ବାଜା ରୋଷଣୀରେ ଜଗନ୍ନାଥପୁର, ବିଷର ପାଟଣା, ଅନ୍ତର କିଆରୀ, ଅଲାଇଡ଼ିହ, ଗୋପୀନାଥପୁର, ବାଲୁଗାଁ ପାଟଣା ସାହି, ଗୁଣ୍ଡୁରୁପୁର, ସାମନ୍ତରାପୁର ଦେଇ ଚିଲିକା କୂଳରେ ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ସୁସଜ୍ଜିତ ନୌକାରେ ମଶାଲତି, ଘଣ୍ଟୁଆ, କାହାଳିଆ, ପାଳିଆ ମାଳି ଓ ପୂଜକ ସାଆନ୍ତ ସହିତ ନିଯୋଗୀ ସେବାୟତଙ୍କୁ ନେଇ ରାତ୍ରିର ଘନ ଅନ୍ଧକାର ଭିତରେ ଚିଲିକାରେ ନୌବିହାର କରିଥିଲେ।

ତେଣେ ଚିଲିକାର ଆରାଧ୍ୟା ମା’ କାଳିଜାଇଙ୍କ ପୀଠରେ ପାରିକୁଦ ରାଜା ସନ୍ତୋଷ ଚନ୍ଦ୍ର ମାନସିଂ ହରିଶ୍ଚନ୍ଦ୍ର ଓ ସେବାୟତମାନେ ମା’ଙ୍କୁ ଆଳତି ବନ୍ଦାପନା କରି ମା’ଙ୍କ ଆଜ୍ଞାମାଳକୁ ଗୋଟିଏ ସୁସଜ୍ଜିତ ଆଟିକାରେ ରଖି ଦୀପ ଲଗାଇ ଚିଲିକା ଜଳରେ ଭସାଇ ଦେଇଥିଲେ। ଚିଲିକା ଢେଉରେ ଆଜ୍ଞାମାଳ ସହ ଆଟିକାଟି ଭାସିଭାସି ଆସୁଥିବାବେଳେ ମା’ଭଗବତୀଙ୍କ ନୌକାର ମଙ୍ଗରେ ପୂଜକ ସାଆନ୍ତ ମଙ୍ଗଳ କଳଶ ଦୀପ ଧୂପ ନୈବେଦ୍ୟ ସ୍ଥାପନ କରି ମା’ କାଳିଜାଇଙ୍କୁ ଆରତି ବନ୍ଦାପନା ସହିତମା’ଙ୍କ ଜୟଧ୍ଵନୀ କରି ଘନ ଅନ୍ଧକାର ଭିତରେ ଚିଲିକା ପାଣିରୁ ବିଶ୍ୱାସର ସହିତ ଆଜ୍ଞାମାଳ ତୋଳି ଧରି କଳା ଶାଢ଼ିରେ ବାନ୍ଧି କୂଳକୁ ଫେରିଥିଲେ।

ଆଜ୍ଞାମାଳକୁ ପାଣିରୁ ତୋଳି ଧରିବା ବା ଉଠାଇ ଆଣିବାର ପରମ୍ପରାକୁ “ପାଣି ତୋଳା”ଯାତ୍ରା ବୋଲି ବିଶ୍ୱାସ କରାଯାଏ। ତତ୍ ପରେ ଦୁଇ ଭଉଣୀ ବାଟରେ ସାମନ୍ତରାପୁରର ବିଭୂତି ସାମନ୍ତରା ଓ ଗ୍ରାମବାସୀଙ୍କ ତରଫରୁ ପ୍ରସ୍ତୁତ ଖେଚଡ଼ି, ମାଛ ପୋଡ଼ା, କାକରା, ଅଟକାଳି ଭୋଗଲାଗି ହୋଇ ବାଟରେ ଦଧିବାମନ ମନ୍ଦିର, ଗୁଣ୍ଡରୁପୁର, ପାଟଣା ସାହି ମଠ, ଏବଂ ଶେଷରେ ଅନ୍ତର କିଆରୀ ଗ୍ରାମବାସୀଙ୍କ ଦ୍ଵାରା ପ୍ରସ୍ତୁତ ଚିତା କର୍ଷକ ସମୁହ ପନ୍ତିଭୋଗ ସେବନ କରିବାପରେ ବାଟରେ ଜଗନ୍ନାଥପୁରର ଶ୍ରଦ୍ଧାଳୁ ଓ ବାପଘର ପରିଚ୍ଛାଙ୍କ ଘରମାନଙ୍କରେ ଭୋଗ ସେବନ ସହିତ ମନ୍ଦିରକୁ ବାହୁଡା ବିଜେ କରି ଶୟନ ଅଷ୍ଟମୀରେ ଶୟନ ବିଧିପାଇଁ ମା’ଙ୍କ ଖଟ ଶେଜ ପଲଙ୍କ ସଜ କରାଯାଇଥିଲା।

ପରେ ପୂଜକ ସାଆନ୍ତ ଓ ପାଳିଆ ମାଳି, କାଠି ନାହାକ କାଠି ଠାକୁରାଣିଙ୍କ ଠାରୁ ପାଟ୍ଟଶାଢି ସଂପୂର୍ଣ୍ଣ ଓ ଲାଗି କରି ଶୟନ ବିଧି କରି ମନ୍ଦିର ପ୍ରତିମା କନକ ଦୁର୍ଗାଙ୍କୁ ପଲଙ୍କ ଉପରେ ଶୟନ କରାଇଥିଲେ। ଜଗତ ଜନନୀ ମା’ଭଗବତୀ ସର୍ବଶେଷରେ ଶୟନ କରିଥିବାରୁ ଏହି ସମୟରେ ମନ୍ଦିରରେ ଧୂପ ଆଳତିରେ ଘଣ୍ଟକାହାଳି ବାଜା ବାଜିବା ସଂପୂର୍ଣ୍ଣମନା।

ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀରୁ ସହଶ୍ର କୁମ୍ଭବରଣ କରାଯାଇ ଦେବୀଙ୍କୁ ଶୟନରୁ ଉତଥାନ ପରେ ପର୍ବ ଆରମ୍ଭ ହେବାର ପରମ୍ପରା ଏହି ଶକ୍ତି ପୀଠର ମହାନ ପର୍ବ ଭାବରେ ପରିଚିତ।

ମା’ଙ୍କ ଏହି ଯାତ୍ରାକୁ ଶୁଙ୍ଖଳିତ କରିବାପାଇଁ ସ୍ଥାନୀୟ ବାଣପୁର ବାଲୁଗାଁ ପ୍ରଶାସନ, ମନ୍ଦିର ପରିଚାଳନା କମିଟି, ବାଣପୁର ଓ ବାଲୁଗାଁ ଥାନାଧିକାରୀ, ଦୁଇ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମକର୍ତ୍ତା, ସମସ୍ତ ଗ୍ରାମବାସୀ ବୃନ୍ଦ ଏବଂ ଦେବୋତ୍ତର କାର୍ଯ୍ୟାଳୟର ସମସ୍ଥ କନିକର୍ଭା ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମା’ଭଗବତୀଙ୍କ ପୀଠରେ ଷଷ୍ଠୀ ଓଷା, ପାର୍ବଣ ପ୍ରସ୍ତୁତି ପାଇଁ ଷଷ୍ଠୀ ବ୍ରତ ଧାରଣ କଲେ ସେବାୟତ

ବାଣପୁର (ସୀତାରାମ ଅଗ୍ରୱାଲ): ଉପକୂଳ ଓଡ଼ିଶାର ମହାନ ପର୍ବ ଷଷ୍ଠୀ ଓଷା, ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ ପୁରପଲ୍ଲୀର ପ୍ରତି ଘରେ ଭାଗ୍ୟର ଦେବୀ ଷଷ୍ଠୀଦେବୀଙ୍କୁ ଛଅତିଅଣ ଛ, ଭଜା, ସହିତ ନାନାଦି ପ୍ରକାର ପିଠାପଣା, କ୍ଷିରୀ ଖେଚଡ଼ି କରି ପୂଜାକରାଯାଏ। ଏହି ଦିନ ଗୃହମାନଙ୍କରେ ମା’ଙ୍କୁ ପୂଜା ଆରଧନା କଲେ ଘରର ସମସ୍ତଙ୍କୁ ମା’ ସମସ୍ଥ ବିପଦ ଆପଦ , ରୋଗ ବୈରାଗରୁ ରକ୍ଷା କରିବା ସହିତ ଅଶେଷ ଆୟୁଷ ଓ ଉତ୍ତମଭାଗ୍ୟ ପ୍ରଦାନ କରିଥାନ୍ତି ବୋଲି ବିଶ୍ୱାସ ଅଛି। ଏଣୁ ପ୍ରତିଟି ଓଡ଼ିଆ ଘରମାନଙ୍କରେ ସ୍ୱତନ୍ତ୍ର ଷଠିଘର ସ୍ଥାପନ କରି ଜନ୍ମ ସମୟରୁ ଏହିଦିନ ମା’ଙ୍କୁ ମହା ଆଡ଼ମ୍ବର ସହକାରେ ପୂଜା ଆରାଧନା କରାଯାଏ।

ଖୋର୍ଦ୍ଧା ଜିଲ୍ଲାର ପ୍ରାଚୀନ ଶକ୍ତିପୀଠ ମା’ଭଗବତୀଙ୍କ ମନ୍ଦିରରେ ମଧ୍ୟ ଏହି ପର୍ବ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ମା’ଙ୍କୁ ସ୍ୱୟଂ ଷଷ୍ଠି ଦେବୀ ଭାବରେ ମଧ୍ୟ ବିଶ୍ୱାସ କରାଯାଇ ଏହି ପର୍ବ ପାଳନ କରାଯିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ଏହି ଦିନ ପ୍ରତ୍ୟୁଷରୁ ମା’ଙ୍କ କେବଳ ଅଙ୍ଗରାଗ ମାଜଣା ପରେ ବେଶ ହୋଇ ସକାଳର କୌଣସି ନୀତିକାନ୍ତି ହୋଇ ନ ଥିଲା।

ମଧ୍ୟାହ୍ନରେ ମା’ଭଗବତୀଙ୍କ ଚଳନ୍ତି ପ୍ରତିମା ସ୍ତମ୍ଵେଶ୍ଵରୀ ନାନାଦି ରଙ୍ଗବେରଙ୍ଗର ପାଟ ପତନି ସହିତ ବେଲପତ୍ର ମନ୍ଦାରମାଳ ପରିଧାନ କରି ନିଯୋଗୀ ସେବାୟତଙ୍କ ସହିତ ଘଣ୍ଟ ଛତା କାହାଳୀ , ବାଦ୍ୟରେ ପିତ୍ରାଳୟଶ୍ରୀ ଶ୍ରୀଦକ୍ଷେଶ୍ଵର ମନ୍ଦିରରୁ ବାହାରି ବଡ଼ ଦାଣ୍ଡରେ ଯାତ୍ରା କରି ନିଜ ମନ୍ଦିରକୁ ବିଜେ କରିଥିଲେ। ଯାତ୍ରା ସମୟରେ ମା’ଙ୍କର ବିଜେ କାହାଳୀ ଶବ୍ଦ ଶୁଣି ପ୍ରତିଟି ଘରମାନଙ୍କରେ ଗୃହିଣୀମାନେ ଶଙ୍ଖ ହୁଳହୁଳି ପକାଇ ଷଷ୍ଠୀଦେବୀଙ୍କୁ ପୂଜା ଆରାଧାନା ସହିତ ନାନାଦି ନୈବେଦ୍ୟ ଅର୍ପଣ ପୂର୍ବକ ପରିବାର ସହିତ ସଂସାରରମଙ୍ଗଳ କାମନା କରିଥିଲେ।

ମା’କାଠି ଠାକୁରାଣୀ ମନ୍ଦିରରେ ବିଜେ କରିବାପରେ ପୂଜକ ସାଆନ୍ତ , ପାଳିଆ ମାଳି ମା’ଙ୍କ ସମ୍ମୁଖରେ କୁମ୍ଭ , ସପ୍ତମୁଖୀ ଦୀପ ସ୍ଥାପନ ସହିତ ଛଅଟି ସରାରେ ନୈବେଦ୍ୟ (ବଲ୍ଲଭ,ନଡ଼ିଆ ପାତି ଆଦି) ଅର୍ପଣ କରି ମା’ଙ୍କୁ ଷଷ୍ଠୀ ଦେବୀ ଭାବରେ ଆବାହନ କରି .ଷଠି ସୂତା ଲାଗି କରିବା ସହିତ ଷୋଡ଼ଷ ଉପଚାରରେ ପୂଜା ଓ ଆଳତି ବନ୍ଦାପନା କରି ସଂସାରରମଙ୍ଗଳ କାମନା କରିଥିଲେ। ମା’ଙ୍କୁ ଷଷ୍ଠୀ ଦେବୀ ଭାବରେ ଦର୍ଶନକରି ଆଶୀର୍ବାଦ ଲାଭ ପାଇଁ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ପରେ ମା’ଙ୍କ ପାଖରେଶଙ୍କୁଡ଼ି ଧୂପରେ, କ୍ଷିରି ଖେଚଡ଼ି ,ମାଛ ମହୁର, ଆମ୍ବିଳ, ଶାଗମୁଗ,ଭଜା,ଏଣ୍ଡୁରି ଲାଗି ହୋଇ ଧୂପ ଆଳତି ବଢିଥିଲା। ମା’ଙ୍କ ପ୍ରତିଟି ସେବାୟତ ପରିବାରର ସମସ୍ତେ ଷଠିସୂତା ଧାରଣ କରି ତାଙ୍କରି ଆଶୀର୍ବାଦ କାମନା ସହିତ ପ୍ରସାଦ ସେବନ କରିଥିଲେ।

ଆଜିଠାରୁ ମା’ଭଗବତୀଙ୍କ ପାର୍ବଣ ପ୍ରସ୍ତୁତି ଆରମ୍ଭ ‘ ଲଳିତା ସପ୍ତମୀରେ ମା’ଙ୍କ ପାଣି ତୋଳା ଯାତ୍ରା ସହିତ ଚିଲିକାରେ ନୌବିହାର କରି ଭଉଣୀ ମା’କାଳିଜାଇ ଙ୍କୁ ପାର୍ବଣ ପାଇଁ ନିମନ୍ତ୍ରଣ କରି ଆଜ୍ଞାମାଳ ନେଇ ଫେରିବା ପରେ ଦୁର୍ଗାଷ୍ଟମୀରୁ ଦେବୀଶୟନ କରିବେ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀଠାରୁ ମା’ଭଗବତୀଙ୍କ ଷୋଳ ପର୍ବ ଆରମ୍ଭ ହେବା। ମା’ଙ୍କ ଶୃଙ୍ଖଳିତ ଷଷ୍ଠୀ ଓଷା ପୂଜାନୀତି ପାଇଁ ମନ୍ଦିର କାର୍ଯ୍ୟାଳୟ ତରଫରୁ ସମସ୍ତ ପ୍ରକାର ବିଧିବ୍ୟବସ୍ଥା ଯୋଗାଇଦିଆଯାଇଥିବାକଥା କାର୍ଯ୍ୟନିର୍ବାହୀଙ୍କଠାରୁ ପ୍ରକାଶ।